"ପଖାଳ"
"ପଖାଳ"
ବଣ୍ଟି ର ସ୍କୁଲ କୋରନା ମହାମାରି ଓ ତା ସହ ଖରା ଛୁଟି ସମୟ ହୋଇଥିବା ରୁ ସେ, ବାଙ୍ଗାଲୋର ଛାଡି ସପରିବାରେ ନିଜ ଗାଁ କୁଆସିଥାଏ. ଅନେକ ବର୍ଷ ପରେ ସେ ନିଜ ଗାଁ ଭୁଇଁ ମାଡିଛି.
ବଣ୍ଟି ବାଙ୍ଗାଲୋର ର ଗୋଟିଏ କନଭେଟ୍ ସ୍କୁଲରେ ସପ୍ତମ ଶ୍ରେଣୀ ରେ ପଢେ. ଡାଡ଼ି - ମମି ଚାକିରୀ କରନ୍ତି, ପଇସା ର ଅଭାବ ନାହିଁ. ପିଲା ଟିକୁ ସମୟ ଦେଇ ହୁଅନି ବୋଲି, ପିଲା ଯାହା ଜିଦି କରେ ସାଙ୍ଗେ ସାଙ୍ଗେ ଆଣି ଦିଆଯାଏ. ତେଣିକି ସେ ଜିନିଷ ତା ବୟସ ପାଇଁ, ତଥା ଶରୀର ପାଇଁ ଉପଯୋଗୀ ହଉ କି ନହଉ. ଫାଷ୍ଟ ଫୂଡ଼ ଲୋଭି ବଣ୍ଟି ର ବୟସ ଏଗାର ପୂରି ବାର ଚାଲୁଛି, ହେଲେ ଓଜନ ପ୍ରାୟ ଚାଳିଶ କି ପଚାଶ କିଲୋ ହେବ.
ଗାଁ ରେ ପହଞ୍ଚି, ଜେଜେ ଓ ଜେଜେମା ଙ୍କୁ ପ୍ରଣାମ କଲା. ରାମ ଵାଵୁ ଓ ପତ୍ନୀ, ନାତି ଓ ପୁଅ -ବୋହୁ ଙ୍କୁ ଦେଖି ବହୁତ ଖୁସି ହେଲେ. ହେବେନିବା କେମିତି, ଏତେବଡ଼ ଘରକୁ, ବୁଢ଼ା-ବୁଢ଼ୀ ଦିଟା. ଆଜି ଘର ଭଲ ଚହଳ ହବ.
ବଣ୍ଟି, ତା ଜେଜେ, ରାମବାବୁ ଙ୍କୁ କହିଲା, "ଏଠି କୋଉଠି ଫାଷ୍ଟ ଫୂଡ଼ ଦୋକାନ ଅଛି, ଚାଲ ଯିବା, ଭାରି ଭୋକ ଲାଗୁଚି" . ତା ଜେଜେ ହସିଲେ, ଓ କହିଲେ "ଆରେ ବାପା... ଏଇଟା ପରା ଗାଁ, ଏଠି ସେସବୁ ମିଳେନି, କେବଳ ଦେଶୀ ଜିନିଷ ମିଳେ". ତା ମୁଖ ମଣ୍ଡଳ କଳାହାଣ୍ଡିଆ ମେଘ ପରି ହୋଇଗଲା. ମନେ-ମନେ କହୁଥାଏ, ଏଠିକି ଆଉ ଆସିବିନି.
ତାହା ଦେଖି ଜେଜେ କହିଲେ," ତୁ ମନ ଦୁଃଖ କରନା, କାଲି ମୁଁ ବଜାର ଗଲେ ଫାଷ୍ଟ ଫୂଡ଼ ପାଇଁ ଯାହା ଦରକାର ଆଣି ଦେବି ଓ ତୋ ମମିଙ୍କୁ କହି ଦେବି, ତୋ ପାଇଁ ଘରେ କରିଦେବେ. ସେ କଥା ଶୁଣି ଟିକେ କଳାହାଣ୍ଡିଆମେଘ ଆକାଶ ରେ ପରିବର୍ତ୍ତନ ଆସିଲା. କହିଲା,"ଜେଜେମା କଣ ଖାଇବି, ଭୋକ ଲାଗୁଚି". ଜେଜେମା କହିଲେ,"ହଉ ଆ, ତତେ ପଖାଳ ଦି-ଗୁଣ୍ଡା ଖୋଇ ଦିଏ". ଭୋକ ବିକଳ ରେ ପଖାଳ,ବାଡ଼ି ଆମ୍ବ, ନଦୀ ମାଛ ଭଜା, ବଡ଼ି ଚୁରା ପାଗ ଖାଇଦେଲା. ତାପରେ ଟିକେ ପଖାଳ ନିଦ ରେ ଶୋଇ ପଡିଲା. ଉଠିଲା ଠୁ ଜେଜେ ଙ୍କୁ ପଚାରିଲା, "ଜେଜେ ଆଜି ଯାହା ଖାଇଲି ସେଇ ଜିନିଷ ଟା କଣ, ଭାରି ଭଲ ଲାଗିଲା". ଜେଜେ ତାହା ଶୁଣି ଖୁସି ହେଲେ ଓ କହିଲେ ,"ସେଇଟା ହେଲା ପଖାଳ, ଓଡିଶାର ଗୋଟିଏ ମୁଖ୍ୟ ଖାଦ୍ୟ". ବଣ୍ଟି କହିଲା,"ଜେଜେ ଆଉ କଣ ଏଇ ପଖାଳ ବିଷୟରେ କୁହନା."
ନାତି ର ଆଗ୍ରହ ଦେଖି, ଜେଜେ ଆହୁରି ଖୁସି ହେଲେ ଓ କହିଲେ ,"ମନ ଦେଇ ଶୁଣ ତତେ ପଖାଳ ବିଷୟରେ କହୁଛି".
"ପଖାଳ"! ପ୍ରତ୍ୟେକ ଓଡ଼ିଆ ର ରକ୍ତରେ ପଖାଳ ତୋଡ଼ାଣି ବା ତୋରାଣି (ପଖାଳ ର ପାଣି ) ର ବାସ୍ନା ରହିଛି. ତା ବିନା ଓଡ଼ିଆ ଙ୍କୁ ଶାନ୍ତି ମିଳେନା . ଉଭୟ ନିରାମିଷ ଓ ଆମିଷ ପସନ୍ଦ ଲୋକଙ୍କର ପଖାଳ ପସନ୍ଦ, ସମସ୍ତେ ପଖାଳ କୁ ନିଜ ଖାଦ୍ୟ ସୂଚୀ ରେ ରଖିଥାନ୍ତି. ଖରା ଦିନେ ପଖାଳ ଅମୃତ ସମ ଲାଗେ.
ଚାଷୀ ର ବିଲ ମୁଣ୍ଡେବସି ପଖାଳ ଖିଆ, ସ୍କୁଲ ରୁ ଚାରିଟା ରେ ଫେରିଲା ଠୁ ପଖାଳ ସହ ପୋଡା-ପୋଡି, କି ଭଜା ନହେଲେ ପାଗ ର ଯୋଉ ମଜା, ସେ ପୁରା ନିଆରା. ସେ ପଖାଳ ଆଜି A/C ହୋଟେଲ ରେ ଯାଇ ପହଂଚି ନିଜ କାୟା ଓ ମାୟା ବିସ୍ତାର କରିବାରେ ସକ୍ଷମ ହୋଇଛି.
ପଖାଳ ର କଥା ସ୍ୱାଧୀନତା କାହାଣୀ ରେ ମଧ୍ୟ ଅଛି, ଯେମିତିକି
୧୯୩୪ ମସିହାରେ ଗାନ୍ଧିଜୀ ଓଡିଶା ଆସିଥିବା ବେଳେ, ମାଧ୍ୟାନ୍ନ ଭୋଜନ ର ବଳକା ଭାତ କୁ ପଖାଳି ପରବର୍ତ୍ତୀ ଭୋଜନ ବେଳେ ଦିଆ ଯାଇଥିଲା, ଯାହା ଦେଖି ଗାନ୍ଧିଜୀ ଖୁସି ହୋଇଥିଲେ.
ଏବେ ଯଦି କେହି ଅତିଥି ରାଜ୍ୟ କୁ ଆସନ୍ତି, ଯେମିତି ରାଷ୍ଟପତି, ପ୍ରଧାନ ମନ୍ତ୍ରୀ ଓ ଅନ୍ୟ ଅତିଥି, ତେବେ ତାଙ୍କର ଫର୍ମାଇସ ପଖାଳ ଖାଇବାର ଥାଏ. ଯାହାର ଫୋଟ ସମାଚାର ଓ ଖବର କାଗଜ ରେ ଆସିଥାଏ.
ଆଉ ଜାଣିଚୁ ବଣ୍ଟି ମାର୍ଚ୍ଚ 20 କୁ "ପଖାଳ ଦିବସ" ଭାବେ ସାରାବିଶ୍ୱ ରେ ପାଳନ କରାଯାଏ.
ସେ ଗରିବ ର "ବାସି ପଖାଳ" କୁ ଲୁଣ-ଲଙ୍କା ହଉ କି ଲାଟସାହେବ ଙ୍କ "ମସଲା ପଖାଳ ସହ ନଅ-ତିଅଣ ଛଅ-ଭାଜା ହଉ,ଅବା ସେ ଶ୍ରୀ ମନ୍ଦିରରେ "ଶ୍ରୀ ଶ୍ରୀ ମହାପ୍ରଭୁ" ମାନଙ୍କଠି ଲାଗିହଉଥିବା,
"ସୁଗନ୍ଧି ପଖାଳ" ହଉ, ଓଡିଶାର ପ୍ରଭୁ ଙ୍କ ଠାରୁ ଆରମ୍ଭ କରି ସବୁ ଓଡିଶା ବାସୀ ଏ ପଖାଳ ପ୍ରେମରେ ବନ୍ଧା.
କିଛି କବିତା ଏକଥା କୁ ଯଥାର୍ଥତା ଦିଅନ୍ତି ଯେମିତିକି, ଆଗରୁ ଦୂରଦର୍ଶନ ହିଁ ଗୋଟିଏ ମାତ୍ର ମନୋରଞ୍ଜନ ର ସାଧନ ଥିଲା ଓ
ଦୂରଦର୍ଶନ ରେ ପ୍ରସାରିତ ସଂଗୀତ "ମୋ ଓଡିଶା " ରେ ଲେଖା ହୋଇଛି:-
"ଲଙ୍ଗଳ କଥା ବୁଝୁଚି କ୍ଷେତ, କ୍ଷେତ କଥା ବୁଝେ ଚଷା ,
ଓଡ଼ିଆ ମନ, ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା,
ସେଇ କଂସା ରେ ଢେଉ ଖେଳୁଛି ସବୁ ଓଡ଼ିଆ ଙ୍କ ଆଶା,
ସେଇ ଆଶା ରେ ବୁଣେ ସେ ନୀତି ବାଇ ଚଢେଇ ବସା. "
ହେଲେ ଜେଜେ ଏ ପଖାଳ କେମିତି ତିଆରି ହେଲା କୁହ ?
କେମିତି ଏ ପଖାଳ ଆମର ଅତି ନିଜର ହେଇପାରିଛି ?
ଠିକ ଅଛି, ମୋ ନାତିର ଆମ ସଂସ୍କୃତି ବିଷୟରେ ଜାଣିବା କୁ ଭାରି ଇଚ୍ଛା ହଉ ତେବେ, "ପଖାଳ କଂସା"ର ଇତିହାସ ଉପରେ ଆସେ ନଜର ପକାଇବା.
ପ୍ରଥମେ ତାର ନାମ "ପଖାଳ" କାହିଁକି ଓ କେମିତି ହେଲା ଶୁଣୁ.
ଆମ ଓଡ଼ିଆ ଭାଷା "ପାର୍ଲି ଓ ଔଡ୍ର ପ୍ରକୃତ" ର ସମ୍ମିଳନ ରୁ ଜାତ. ପାର୍ଲି ଭାଷା ରେ ଗୋଟିଏ ଶବ୍ଦ "ପଖାଳେଇବା" ରୁ "ପଖାଳ" ଶବ୍ଦ ର ସୃଷ୍ଟି ବୋଲି ଅନୁମାନ କରା ଯାଏ. ଏହା ର ଆଉ ଏକ ସ୍ରୋତ ବା ବୁଝେଇବା କୁ ହେଲେ ସଂସ୍କୃତ ଭାଷା ର "ପ୍ରକ୍ଷାଳନ" ଶବ୍ଦ, ଯାହାର ଅର୍ଥ "ଧେଇବା " କୁ ବୁଝାଏ. ସେଥିରୁ ମଧ୍ୟ ପଖାଳ ଶବ୍ଦ ଆସିବାର ଅନୁମାନ କରାଯାଏ.
ଶ୍ରୀମଦ ଶଙ୍କରଦେବ ଙ୍କ ଦ୍ୱାରା ପଞ୍ଚଦଶ ଶତାବ୍ଦୀରେ ରଚିତ ଶ୍ରୀରାମଭାଗବତ ଗ୍ରନ୍ଥ ରେ, "ଚାଉଳ କୁ ସିଝାଇ, ସେଥିରେ ପାଣି ପୁରାଇ ତାପର ଦିନ, ବାଇଗଣ ପୋଡା ଓ ମାଛ ପୋଡା ସହ ଖାଇବା କଥା ଉଲ୍ଲେଖ ଅଛି.
ପଖାଳ ଶବ୍ଦ ର ବ୍ୟବହାର "ଅର୍ଜୁନ ଦାସ" ଙ୍କ ରଚିତ କବିତା "କଳ୍ପଲତା" ରୁ ମିଳେ, ଯାହାକି ଷୋଡଶ ଶତାବ୍ଦୀ (୧୫୨୦-୧୫୩୦ ଖ୍ରୀଷ୍ଟାଦ୍ଧ) ର ବୋଲି ଜଣା ଯାଏ.
ଭାତ କୁ ପାଣି ରେ ପୁରାଇ ରଖିବା ଓ ତାକୁ ପରେ ହାତରେ ଛାଣି ଖାଇବା ଯୋଗୁଁ ୟାର ନା' ପଖାଳ ବୋଲି, ଗବେଷକ ମତ ଦିଅନ୍ତି.
କିଛି ଗବେଷଣା ରୁ ଜଣା ଯାଏ; ପଖାଳ ପରି ଦକ୍ଷିଣ - ପୂର୍ବ ଏସିଆ ରେ ସ୍ଥାନ ହିସାବରେ ପଖାଳ ପରି ଅନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ, କାରଣ ଏଠି ରହୁଥିବା ଲୋକେ ଦିନ ଯାକ କାମ କରି ଘରକୁ ଆସିଲା ପରେ ଥରେ ରୋଷେଇ କରନ୍ତି, ଯାହା ବଳେ ତାକୁ ପର ଦିନ ର ପ୍ରଥମ ଖାଦ୍ୟ ଭାବେ ଗ୍ରହଣ କରନ୍ତି ଓ ନିଜ କାମ କୁ ଯାଅନ୍ତି.
ମୁଖ୍ୟତଃ ଉତ୍ତର -ପୂର୍ବ ଓ ପୂର୍ବ ଭାରତରେ, କିଛି ଦକ୍ଷିଣ ଭାରତ ରେ ମଧ୍ୟ ଏମିତିକା ଖାଦ୍ୟ ଦେଖାଯାଏ. ଯେମିତି ବଙ୍ଗ ର "ପନ୍ଥ ଭାତ", ବିହାର ର "ମାର ଭାତ", ଛତିଶଗଡ ର "ବୋର ଭାତ" ଓ ଅନ୍ୟ ସ୍ଥାନ ରେ ଏହାର ନାଁ ଭିନ୍ନ-ଭିନ୍ନ ରହିଛି.
ପଖାଳ ରେ ଖାଲି କଣ ଏଇ ଦହି ପକେଇକି ଖାନ୍ତି.
ଜେଜେ କହିଲେ,"ନାଁରେ ଧନ ତମ ଯେମିତିକି ବିଭିନ୍ନ ପ୍ରକାରର ଆଇସକ୍ରିମ ଅଛି ସେମିତି, ପଖାଳ ବି ବିଭିନ୍ନ ପ୍ରକାରର..." ସେତେବେଳୁ ଘର ଭିତରୁ...ଜେଜେମା ଙ୍କର ଡାକରା ପଡିଲା... ହଇୟୋ !! ଆସ ନାତି କୁ ଧରିକି ଚା' ପିଇବ. ଜେଜେ ନାତି ଭିତର କୁ ଗଲେ.
ସେତେବେଳକୁ ବୋହୁ ଚା ଓ କିଛି ଜଳଖିଆ ନେଇ ଆସିଲା.
ଶାଶୁ, ଶଶୁର, ସ୍ୱାମୀ ଓ ନିଜ ପାଇଁ ଚା ଓ ପୁଅ ପାଇଁ ଜଳଖିଆ ଆଣିଥିଲା . ସମସ୍ତେ ଏକାଠି ବସି ପଡି ପଖାଳ କଥା ଶୁଣିବାକୁ ଲାଗିଲେ.
ବୋହୁ କହିଲା, "ବାପା ଆମକୁ ମଧ୍ୟ ପଖାଳ ରହସ୍ୟ କୁହନ୍ତୁ".
ରାମ ବାବୁ, ହସି ଦେଇ କହିଲେ , "ହଉ, ମା ଶୁଣୁ. ବିଭିନ୍ନ ପ୍ରକାରର ପଖାଳ ବିଷୟରେ "
ଚାଇଁ ପଖାଳ :- ଭାତ ରନ୍ଧା ହେବା ର ସାଙ୍ଗେ ସାଙ୍ଗେ ତାକୁ ପାଣି ଦେଇ ପଖାଳି ଦେଲେ, ତାହା ଚାଇଁ ପଖାଳ. ଦେହ ଖରାପ, ଯେମିତି ପେଟ ବ୍ୟଥା ହେଲେ ସଜ ପଖାଳ ଖାଆନ୍ତି.
ସଜ ପଖାଳ :- ସେଇ ଦିନ ରନ୍ଧା ହୋଇଥିବା ଭାତ କୁ କିଛି ସମୟ ପାଣିରେ ପଖାଳି ଥଣ୍ଡା ହେଲାଠୁ ଖିଆ ଗଲେ, ତାହା ସଜ ପଖାଳ.
ବାସି ପଖାଳ :- ଭାତ ଖାଇ ସାରିବା ପରେ, ବଳକା ଭାତ କୁ ପାଣି ଦେଇ ପଖାଳି ଦିଆ ଯାଏ ଓ ତାକୁ ଗୋଟେ ରାତି ବା ବାର ଘଣ୍ଟା ପର୍ଯ୍ୟନ୍ତ ସେ ପାଣି ରେ ରଖି, ପରେ ଖିଆ ଯାଏ, ତାହାକୁ ବାସି ପଖାଳ କୁହନ୍ତି.କିଣ୍ଵନ ପ୍ରକ୍ରିୟା(ଫରମେଣ୍ଟଟେସନ) ଯୋଗୁଁ ତାହା ଟିକେ ଆମ୍ବିଳି ଲାଗେ. ଏହା ସବୁ ଓଡ଼ିଆ ଘର ର ପସନ୍ଦ.
ସୁଗନ୍ଧି ପଖାଳ :- ମହାପ୍ରଭୁ ଙ୍କ ଠାରେ ସନ୍ଧ୍ୟା ଭୋଗ ଭାବେ ଏହା ଲାଗି ହୁଏ. ଅରୁଆ ଚାଉଳ ଭାତ ରେ, ଦହି, ଘିଅ, ଜିରା, ଅଦା ଓ ଅନ୍ୟ ମସଲା ଦେଇ ପଖଳା ଯାଏ ଓ ଭେଟା ରେ ଭେଟେ ମହାପ୍ରଭୁମାନଙ୍କ ଠାରେ ଲାଗି ହୁଏ. ଏହା ର ଅପୂର୍ବ ସୁଗନ୍ଧ ଯୋଗୁଁ ଏହା ସୁଗନ୍ଧି ପଖାଳ.
ଦହି-ମସଲା /ମସଲା ପଖାଳ/:- ଭାତ ଖାଇ ସାରିବା ପରେ, ବଳକା ଭାତ କୁ ପାଣି ଦେଇ ପଖାଳି ଦିଆ ଯାଏ ଓ ତାକୁ ଗୋଟେ ରାତି ବା ବାର ଘଣ୍ଟା ପର୍ଯ୍ୟନ୍ତ ସେ ପାଣି ରେ ରଖି, ପରେ ଖିଆ ସମୟରେ ଦହି ରେ ଜିରା, ଲଙ୍କା, ଅଦା ଫୁଟଣ ଦେଇ ଫୁଟା ଯାଏ ଓ ପଖାଳରେ ମିଶାଇ ଦିଆ ଯାଏ, ତାକୁ ଦହି -ମସଲା ପଖାଳ କୁହନ୍ତି. କିଛି ଲୋକ ଖାଲି ଦହି ମିଶେଇ ଖାଆନ୍ତି,ତାକୁ ଦହି-ପଖାଳ ମଧ୍ୟ କୁହନ୍ତି.
କିଛି ଲୋକ ଦହି ନମିଶେଇ ଫୁଟା ମସଲା ପଖାଳ ରେ ଦିଅନ୍ତି ଓ ପରେ ଲେମ୍ବୁ ଚିପୁଡ଼ି ଖାଆନ୍ତି, ତାକୁ ମସଲା ବା ଲେମ୍ବୁ -ମସଲା ପଖାଳ କୁହନ୍ତି.
ଏହା ଖାସ କରି ହୋଟେଲ ମାନଙ୍କରେ ମିଳେ.
ମିଠା ପଖାଳ:- ମିଠା ପଖାଳ, ପଖାଳ ଶ୍ରେଣୀ ର ନୂଆ ସଦସ୍ୟ ଓ ଟିକେ ଅଲଗା. ଏହା ସାଧାରଣରେ ଅରୁଆ ଚାଉଳ ରୁ ତିଆରି ହୁଏ. ଭାତ କୁ ପଖାଳି ସାରିବା ପରେ ସେଥିରେ ଚିନି, ଅଳ୍ପ ଲୁଣ ଓ କମଳା ମିଶେଇ ଖିଆ ଯାଏ. ଏହା ଏକ ସୌକିନିଆ ପଖାଳ.
ରାମ ବାବୁ ପୁଣି କହିଲେ," କଣ ଖାଲି ସେତିକି , ଖାଇବାର ଢଙ୍ଗ ହିସାବରେ ପଖାଳ ଖିଆ ଦୁଇ ପ୍ରକାରର:-
ପାଣି ପଖାଳ - ଏଥିରେ ପଖାଳ ତୋରାଣି ସହ ଖାଇବା କୁ ଦିଆ ଯାଏ.
ଚିପୁଡା ପଖାଳ - ଏଥିରେ ତୋରାଣି ବହୁତ କମ ଥାଏ.
ବୋହୁ କହିଲା, " ପଖାଳ ଖାଇଲେ, ଦେହ ଖରାପ ହୁଏ, ବୋଲି ଆମେ ସେଠି ପଖାଳ ଖାଉନି ".
ରାମ ବାବୁ କହିଲେ, "ଆରେ ମା, "ପୃଥିବୀ ର ସବୁ ଜିନିଷ ପରି ପଖାଳରେ କିଛି ଭଲ, କିଛି ଖରାପ ଗୁଣ ଅଛି. ସେଇ ବିଷୟରେ ଅଧିକା ଆଜିର ବିଜ୍ଞାନ ଗତ ତଥ୍ୟ ବିଷୟରେ କହିଲେ ବୁଝିପାରିବୁ. ପଖାଳ ର ପୋଷକତା ବିଷୟରେ କହୁଛି ଶୁଣୁ ".
ଆୟୁର୍ବେଦ ହିସାବରେ ପଖାଳ ଗୋଟିଏ ଥଣ୍ଡା ଓ କିଣ୍ଵନିକୃତ (fermented) ଖାଦ୍ୟ.ଯାହା ସହଜରେ ହଜମ ହୋଇଯାଏ ଓ ମାନସିକ ଚାପ ଦୂର କରିଥାଏ.
ଆଉ ଆଜିକାଲି, କିଣ୍ଵନିକୃତ ବା ସହରୀ ଭାଷାରେ ଫର୍ମେଣ୍ଟେଡ୍ ଖାଦ୍ୟ ର ଚାହିଦା କେତେ ସେଇଟା ତୁମେ ଭଲ ଭାବରେ ଜାଣିଥିବ, ତାକୁ ଏବେ ସୁପର ଫୂଡ଼ ମଧ୍ୟ କହୁଛନ୍ତି.
ପଖାଳ ଖାଇଲେ କିଛି ଅଂଶରେ କୋଷ୍ଠକାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ, ମୂତ୍ରକୃଚ୍ଛ ଓ ପେଟ ବ୍ୟଥା ଆଦି ରୋଗ ରୁ ଉପସମ ମିଳେ.
ସାଧାରଣ ରେ ଆମେ ଜାଣିଛେ ପଖାଳ ଖାଇଲେ ପେଟ ଥଣ୍ଡା ଲାଗେ ଓ ନିଦ ଆସେ, ପେଟ ଖରାପ ହେଲେ ପଖାଳ ସହ ପୋଡା-ପୋଡି ଖାଇଲେ ଉପସମ ମିଳେ.
ଏବେ ଏହି ବିଷୟରେ ବିଜ୍ଞାନ କଣ ତଥ୍ୟ ଦେଇଛି ସେଇ ବିଷୟରେ କହୁଛି ଶୁଣ ସମସ୍ତେ.
ଆସାମ କୃଷି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ରୁ ଜଣା ଯାଏ,
"୧୦୦ ଗ୍ରାମ ଭାତ ରେ ୩.୪ମିଲିଗ୍ରାମ ଲୌହ ଥିବା ବେଳେ, ସେ ଭାତ କୁ ୧୨ ଘଣ୍ଟା ପାଣିରେ ଛାଡିଦେଲେ (ଫରମେଣ୍ଟ କରାଗଲେ ), ସେଥିରେ କିଛି ପରିବର୍ତ୍ତନ ଆସେ. ସେହି ୧୦୦ ଗ୍ରାମ ଭାତ, ପଖାଳ ଭାତ ହେଲାପରେ, ସେଥିରେ ଲୌହ ର ମାତ୍ରା ୭୩.୯୧ ମିଲିଗ୍ରାମ କୁ ବଢ଼ି ଯାଏ ଓ ଅନ୍ୟ ଖଣିଜତତ୍ୱ ଯାହା ଆମ ଶରୀର ପାଇଁ ଉପକାରୀ ତାହା ସନ୍ତୁଳିତ ହୋଇଯାଏ ଯେମିତି, ପଟୋସିୟମ୍ ୮୩୯ ମିଲିଗ୍ରାମ, କ୍ୟାଲସିୟମ ୨୧ମିଲିଗ୍ରାମ ରୁ ୮୫୦ ମିଲିଗ୍ରାମ ହୋଇଯାଏ. ସୋଡିୟମ, ଯାହା ମେଦ ବହୁଳତା ର କାରଣ, ତାହା ୪୭୫ ମିଲିଗ୍ରାମ ରୁ କମି, ୩୦୩ ମିଲିଗ୍ରାମ ହେଇଯାଏ .
ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳା ଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ
ବାସି ପଖାଳ ରେ ଆଲକୋହଲ ର କିଛି ଅଂଶ ଥାଏ, ଯାହା କି କିଣ୍ଵନ ପ୍ରକ୍ରିୟା (ଫରମେଣ୍ଟଟେସନ) ଯୋଗୁଁ ହୋଇଥାଏ. ସେଥିପାଇଁ ପଖାଳ ଅଧିକ ଖାଇଲେ ନିଦ ଲାଗେ.
ପେଟ ଖରାପ ବା ଝାଡା ହେଲେ, ପଖାଳ ଓ ପୋଡା ପୋଡି ଦିଆ ଯାଏ, କାରଣ ଝାଡା ହେଲେ ଦେହରୁ ଜଳୀୟଅଂଶ କମି ଯାଏ, ହେଲା ପଖାଳ ଓ ତାର ତୋଡ଼ାଣି ପିଲେ, ସେଥିରେ ଥିବା ଲୌହ ଅଂଶ ଓ ପୋଟାସିୟମ ଥାଏ ଯାହା ଦେହ ରୁ ଯାଇଥିବା ଜଳିୟଅଂଶ ର ସ୍ଥାନ ପୂରଣ କରେ. ସେମିତି ପୋଡା ପୋଡି ରେ ଥିବା ପୋଡାଅଂଶ ରେ ଚାରକୋଲ ବା ଅଙ୍ଗାର ଅଂଶ ଥାଏ, ଯାହା ପେଟ ସମସ୍ୟା ଦୂର କରେ.
ହେଲେ ଅତି ଲେମ୍ବୁ ଚିପୁଡିଲେ ପିତା ପରି ଯେବେ ଆମେ ଅଧିକ ପଖାଳ ଖାଇଲେ ଇସିନୋଫିଲିଆ (eosiniphilia ) ଓ ଥଣ୍ଡା ପରି ରୋଗ ହୋଇଥାଏ. ବାତ ଓ ଥଣ୍ଡା ଜନିତ ରୋଗୀ ଙ୍କୁ ପଖାଳ ଖାଇବା ରୁ ବାରଣ କରାଯାଏ. ଏହା ଛଡା ପଖାଳ ରେ ଖରାପ ପାଣି ବ୍ୟବହାର ଯୋଗୁଁ, ଖାସ କରି ବର୍ଷା ଦିନେ ପେଟ ଜନିତ ରୋଗ ଦେଖାଦିଏ.
ବୋହୁ ରାନୀ କୁ ରାମ ବାବୁ କହିଲେ, "ଏବେ କହ ମା ପଖାଳ ଟା ଭଲ ନା ଖରାପ ".
ରାନୀ, " ଏବେ ବୁଝିଲି, ପଖାଳ ବିଷୟରେ, ସମୟ ପାଇଲେ ମୁଁ ପଖାଳ ଖାଇବା ପୁଣି ଆରମ୍ଭ କରିବି. "
ରାମ ବାବୁ, ପତ୍ନୀ ଗୋଲାପ ଦେବୀ ଙ୍କୁ ଇଙ୍ଗିତ କରି କହିଲେ, "ରୋଗ ହଉ କି ବ୍ୟାଧି କିଛି ଲୋକ ବର୍ଷା ଖରା ଶୀତ ସବୁ ସମୟରେ ପଖାଳ ପସନ୍ଦ କରନ୍ତି, କିଛି ଲୋକ ଏମିତିବି ଅଛନ୍ତି ଯିଏକି ଥଣ୍ଡା ହେଲେ ଗାଧେଇ ସରିଲା ପରେ ପେଟେ ପଖାଳ ଖାଇଥାନ୍ତି, ଓ ତାଙ୍କ ତର୍କ ବି ନିଆରା "କଣ୍ଟା କୁ କଣ୍ଟା କାଢ଼େ, ସେମିତି ଥଣ୍ଡା ଜୁ ଥଣ୍ଡା ଭଲ କରିବ ". ଏହା ନିଜ-ନିଜ ର ଖାଦ୍ୟ ପ୍ରତି ରୁଚି କୁ ନେଇ ଅଟେ, ଆଉ ରୋଗ ଭଲ କରିବା ପାଇଁ " କଣ୍ଟା କୁ କଣ୍ଟା ରେ ବାହାର କରିବା ଚିନ୍ତା ନ କରି,ଡାକ୍ତର ଙ୍କ ପରାମର୍ଶ ନେବା ଠିକ ବୋଲି ମୁଁ ଭାବେ."
ଏ କଥା ଶୁଣି ଗୋଲାପ ଦେବୀ ମୁହଁ ମୋଡ଼ି କହିଲେ "ତମର କିଛି କାମ ନାହିଁ, ଛୁଆ ଅଛନ୍ତି ବୋଲି, ନହେଲେ ମତେ ଚି଼ହିଁ ଥାନ୍ତ ମୁଁ କିଏ ".
ପୁଅ ରାଜା କହିଲା, "ବୋଉ. ତୁ ରାଗେନି, ବାପା ଙ୍କର କଥା ତୁ ଜାଣୁ ସେ ଟିକେ ପରିହାସ ପ୍ରେମି, ତୁ ତାଙ୍କ କଥା ଛାଡେ. ହଉ ବାପା ତମେ କୁହ ପଖାଳ କଥା ଆଉ ବୋଉ କୁ ଦୟାକରି ପରିହାସ କରନି ".
ରାମ ବାବୁ କହିଲେ, "SORRY ! ଗୋଲାପୀ ".
ଗୋଲାପ ଦେବୀ ସ୍ୱାମୀ ଙ୍କର କଥା ଶୁଣି ଲାଜେଇ ଗଲେ, "ଓହୋ, ଲୋ ! ମୋ,ଫଟା ରସିକ ".
ଏକଥା ଶୁଣି ସମସ୍ତେ ହସିବା ରେ ଲାଗିଲେ....
ବଣ୍ଟି କହିଲା, "ହେତିକି ହସ, ପଖାଳ କଥା କୁହ".
ପୁଣି ରାମ ବାବୁ ଆରମ୍ଭ କଲେ, ଆମ ସଂସ୍କୃତି ସହ ପଖାଳ ଓତଃପ୍ରୋତଭାବେ ଜଡ଼ିତ,ଆମ ସଂସ୍କୃତି ରେ ପଖାଳ କେମିତି ଓ କୋଉଠି ଅଛି ଶୁଣିଥା".
ଓଡିଶା ର ସଂସ୍କୃତି ନୀଳକନ୍ଦର ରୁ ଆରମ୍ଭ ଓ ସେଇଠି ଶେଷ. ପଖାଳ ଓଡ଼ିଆ ଙ୍କ ମଉଡମଣୀ ଙ୍କ ଠାରୁ ଆରମ୍ଭ କରି ଦୁଖୀ ଦରିଦ୍ର ଲୋକ ର ପସନ୍ଦ.
ଶ୍ରୀମନ୍ଦିର ରେ ପଖାଳ ର ମହତ୍ୱ ରହିଛି, ଯାହାକି ମହାପ୍ରଭୁ ଙ୍କ ଷାଠିଏ ପଉଟି ଭୋଗ ମଧ୍ୟ ରୁ ଗୋଟିଏ ଓ ତାର ଵିଧି ମଧ୍ୟ ନିଆରା, ମହାପ୍ରଭୁ ସନ୍ଧ୍ୟା ଭୋଗ ଭାବେ ଗ୍ରହଣ କରନ୍ତି ଯାହା
"ସୁଗନ୍ଧି ପଖାଳ" ନାମେ ଜଣା.
ଯାହା ପୁଣି ୨ ପ୍ରକାରରେ ପରସା ଯାଏ।
୧-ପାଣି ପଖାଳ, ଯାହା ୨୩ ଓଳି ଲାଗି ହୁଏ।
୨-ଚିପୁଡା ପଖାଳ, ଯାହା ୧୩ ଓଳି ଲାଗି ହୁଏ।
କେବଳ ଶ୍ରୀ ଗୁଣ୍ଡିଚା ଠାରୁ ନୀଳାଦ୍ରିବିଜେ ଛାଡିଦେଲେ ସବୁଦିନ ମହାପ୍ରଭୁ ଙ୍କ ଠାରେ ସୁଗନ୍ଧି ପଖାଳ ଲାଗିହୁଏ.
ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଚାପ ଖେଳି ଯିବା ପୂର୍ବରୁ ମଦନମୋହନ ଦହି ପଖାଳ ରେ ମଣେlହି ହୋଇ ଯାଇଥାନ୍ତି.
ମାର୍ଗଶିର ମାସ ଗୁରୁବାର ରେ ମା ମହାଲକ୍ଷ୍ମୀ ଙ୍କ ପାଖେ ଦହି ପଖାଳ ଓ କଳମ ଶାଗ ଲାଗି ହୁଏ.
ଲିଙ୍ଗରାଜ ମହାପ୍ରଭୁ ଙ୍କ ବଡ଼ସିଂହାର ଭୋଗ ବେଳେ ପଖାଳ ଓ କଦଳୀ-ଭଜା ଲାଗିହୁଏ.
ପଶ୍ଚିମ ଓଡିଶା ରେ ଭାଇ ଜିଉନ୍ତିଆ ଓଷା ପର ଦିନ ଭଉଣୀ ମାନେ ପଖାଳ ଖାଇବା ର ପରମ୍ପରା ଅଛି.
ବିବାହ ରେ ମଧ୍ୟ ପଖାଳ ର ଵିଧି ରହିଛି,ଏ ଵିଧି କୁ "ପଖାଳ ସଜ" କୁହନ୍ତି. ବିବାହ ସାରି ବର ଘରକୁ ଫେରିବା ପୂର୍ବରୁ, ବର ଗାଧୋଇ, ନୂଆ ପୋଷାକ ପିନ୍ଧେ ଓ ସମ୍ପର୍କ ରେ ରହସ୍ୟ ଲାଗିଥିବା ମହିଳା ଯେମିତି ଭାଉଜ, ଶାଳୀ ଓ କନ୍ୟା ର ସାଙ୍ଗ ଙ୍କ ଗହଣରେ ଦହି -ପଖାଳ ର ମଜା ଉଠାନ୍ତି. ଥଟ୍ଟା-ପରିହାସ ପଖାଳ ର ମଜା କୁ ବୋହୁ-ଗୁଣିତ କରିଦିଏ.
ସେଇ ସମୟରେ ରାଜା କହିଲା, "ବାପା ପୁରୁଣା ଗୀତ ରେ ମଧ୍ୟ ପଖାଳ ବିଷୟରେ ଲେଖା ଅଛି ବୋଲି ଶୁଣିଛି, ସତରେ କଣ ଲେଖା ଅଛି."
ରାମ ବାବୁ କହିଲେ, "ତୁ ଠିକ ଶୁଣିଚୁ , ପଖାଳ ର ଉଲ୍ଲେଖ ଅନେକ ଓଡ଼ିଆ କାବ୍ୟ, କବିତା ଓ ପୁର ପଲ୍ଲୀର ଲୋକକଥାରେ ଶୁଣିବାକୁ ମିଳେ."
ଝିଅ ବିବାହ ପରେ ବିଦାୟ ନେବା ବେଳେର ବାହୁନା ଗୀତ ରେ ଲେଖା :-
"ପାହାନ୍ତା ପଖାଳ ସପନ ହେବ, ଲୋ! ମୋ ମାଆରାଣୀ,
ବାଳ ବାନ୍ଧିବାକୁ ତେଲ ନ ଥିବ, ଲୋ!ମୋ ମାଆରାଣୀ ॥
ସେଇ ଭଳି ଝିଅ ବିବାହ ପୂର୍ବରୁ ହେଉଥିବା କନିଆ ଡାକରା ବା ତୋରାଣି ପିଆ ଉପରେ ଥିବା ଗୀତ ରେ ଲେଖା :-
"ଦେଠେଇ ତୋହର ଥିଲେ,
ତୋରାଣି ପିଇବାକୁ ଡକାଇ ନେଲେ, ଲୋ ମୋ ଜୀବନ...
ହାତକୁ ବନ୍ଧେଇ ଦେଲେ, ଲୋ ମୋ ଜୀବନ...
ସାଇ ପଡ଼ିଶାଏ ଥିଲେ,
ତୋରାଣି ପିଇବାକୁ ଡକାଇ ନେଲେ, ଲୋ ମୋ ଜୀବନ...
ଫରୁଆ ପାନିଆ ଦେଲେ, ଲୋ ମୋ ଜୀବନ॥
କୌତୁହଳତା ର ସହ ବଣ୍ଟି ତା ମମି ଙ୍କୁ ପଚାରିଲା, "ମମି,ତମ ବାହାଘର ବେଳେ ଏଇ ଗୀତ ଗାଉଥିଲ? କାଇଁ ବାହାଘର ଭିଡ଼ିଓ ରେ ନାହିଁ ".
ରାନୀ କିଛି କହିବା ଆଗରୁ, ଗୋଲାପ ଦେବୀ କହିଲେ, "ନାଁରେ ଧନ. ତୋ ମମି ବେଳକୁ ସେ ସବୁ ଆଉ ନଥିଲା, ଆମ ବେଳକୁ ଥିଲା, ବାହାଘର ପୂର୍ଵରୁ ଆମେ ସେଇ ଗୀତ ର ଅଭ୍ୟାସ କରୁଥିଲୁ."
ରାମ ବାବୁ ଙ୍କୁ ପରିହାସ ର ସୁଯୋଗ ମିଳିଗଲା, ସେ କହିଲେ, "ଆହାଃ କି କୋକିଳ କଣ୍ଠ ଥିଲେ ସବୁ ଗାୟିକା ଗଣ, ମୋ କାନ ତାଙ୍କ ସ୍ୱର ଶୁଣି ପବିତ୍ର ହୋଇଯାଇଛି..".
ପୁଣି ଗୋଲାପ ଦେବୀ ଟିକେ ଗୁରୁ ଗୁରୁ ହେଲେ ଓ କହିଲେ,
" ତମେ କଣ ଗୀତ ବିଷୟରେ ଜାଣ, ମୋ ଶାଶୁ ଭଲ ମାଣବସା ଗୁରୁବାର ଗୀତ ଗାଏ ବୋଲି ବୋହୁତ ଭଲ ପାଉଥିଲେ ".
ଗୋଲାପ ଦେବୀ କହିଲେ, "ଖାଲି ଗୀତ ନୁହେଁ, କେତେ ଢଗବି କିଛି ପଖାଳ ର କଥା ଅଛି ".
ବଣ୍ଟି କହିଲା, "ଢଗ କଣ? "
ରାଜା ବାବୁ କହିଲେ, " ଢଗ ମାନେ ଇଂରାଜୀ ରେ ଇଡ଼ିୟମ(idiom), ବୁଝିଲୁ ତ ".
ବଣ୍ଟି କହିଲା, "ଓହୋ, IDIOM ମାନେ ଢଗ, ବୁଝିଗଲି. "
ପୁଣି ଗୋଲାପ ଦେବୀ ଙ୍କର କୁହା ପାଳି ଆସିଲା, ସେ କହିଲେ, "ହଉ ଶୁଣ, ଗାଁ ରେ ଛୁଆ ତୋରାଣି ପିଇବା ବେଳେ ମା ମାନେ କୁହନ୍ତି :-
"ଦେ ବଳଦ ଟୁଣି-ଟାଣି,
ଆଉ ନଥିବ ମୁନ୍ଦେ ତୋରାଣି ".
ପଖାଳ ଭାତ ସହ ଭଲ ଲାଗୁଥିବା ଖାଦ୍ୟ କୁ ନେଇ ଢଗ :-
"ମଦରଙ୍ଗା ଶାଗ ରାଇ,
ପଖାଳ ଭାତକୁ ଚିଲିକା ଶୁଖୁଆ,
ମାଣିକ ପାଟଣା ଦହି॥"
ଦକ୍ଷିଣ ଓଡିଶା ର ଢଗ :-
"ଦି ମାଇପର ଘଇତା,
ତବତ ଖାଇବୁ କି ପଖାଳ ଖାଇବୁ,
ବେଳ ଥାଉ ଥାଉ କହିଥା॥"
ପଶ୍ଚିମ ଓଡିଶା ର ଢଗ :-
"ଲାଲ ଟହଟହ ପାତଲଘଟାଁ, ଧାନ ମିରଚା ନୁନେ,
ଚିଟକି ଚିଟକି ଖାଏମା ପୁତା, ବାସି ପଖାଳର ସାଙ୍ଗେ."
ପଖାଳ ଆମ ସଂସ୍କୃତି ର ଗୋଟିଏ ଅବିଛେଦ୍ୟ ଅଙ୍ଗ ପାଲୋଟି ଯାଇଛି.
ବଣ୍ଟି ପଖାଳ କିଛି ଢଗ ବୁଝିପାରିଲା, ଆଉ କିଛି ରହିଗଲା, କାରଣ ସେତେବେଳୁ ସନ୍ଧ୍ୟା ହୋଇଗଲଣି, ତା ଜେଜେମା, ମମି ସନ୍ଧ୍ୟା ଦେବା କୁ ବାହାରିଲେ, ସେ ତା, ଡାଡି, ଜେଜେବାପା ଗାଁ ମନ୍ଦିର କୁ ସନ୍ଧ୍ୟା ଆଳତୀ ପାଇଁ ଧୁଆ ଧୁଇ ହୋଇ ବାହାରିଗଲେ.
ପରେ ଜେଜେ ବାକି ଯାହା ବୁଝି ନଥିଲା ବୁଝେଇ ଦେଲେ. ପଖାଳ ବିଷୟରେ ସବୁ ଜାଣି ବୋହୁତ ଖୁସି ହେଲା. କିଛି ଦିନ ପରେ ସ୍କୁଲ ତରଫରୁ ଅନଲାଇନ ପାଠ ପଢା ଆରମ୍ଭ ହେଲା, ପିଲାମାନଙ୍କ ଭିତରେ ପାଠ ପ୍ରତି ମନ ଲାଗି ରହିବା ପାଇଁ ଗୋଟିଏ ପ୍ରତିଯୋଗିତା ହେଲା, ଯେଉଁ ଥିରେ ପିଲାମାନେ ଏଇ କୋରନା ମହାମାରୀ ସମୟରେ କଣ ନୂଆ ଜିନିଷ ଶିଖିଲେ ବା ଜାଣିଲେ, ତା ଉପରେ ଲେଖିବାର ଥିଲା, ବଣ୍ଟି ପଖାଳ ବିଷୟରେ ଲେଖିଲା ଯାହା ସବୁ ଜେଜେ କହିଥିଲେ ଇଂଲିଶ ରେ ଲେଖି, ସାର ଙ୍କୁ ମେଲ କଲା. କିଛି ଦିନ ପରେ, ଫଳାଫଳ ଆସିଲା, ସେଥିରେ ବଣ୍ଟି ଦ୍ଵିତୀୟ ସ୍ଥାନ ଅଧିକାର କଲା. ତାର ଲେଖା ପଢି ଜେଜେ ଓ ଅନ୍ୟ ପରିବାର ଲୋକେ ଖୁସି ହେଲେ. ତା ପରଠୁ ତା ଖାଇବା ତାଲିକା ରେ "ପଖାଳ" ଗୋଟିଏ ଅବିଚ୍ଛେଦ୍ୟଅଙ୍ଗ ହୋଇଗଲା.
୍୍୍୍୍୍୍୍୍୍୍
ପଖାଳ ବିଷୟରେ ତ ଜାଣିଲେ. ଆଶା କରେ ପଖାଳ ଉପରେ କିଛି ନୂଆ ତଥ୍ୟ ଦେବାରେ ସଫଳ ହୋଥିବି. ପିଲାଙ୍କୁ ଏଇଭଳିଆ ଓଡ଼ିଆ ବା ଆମ ଦେଶ ର ଅନ୍ୟ ଖାଦ୍ୟ ବିଷୟରେ ଅଧିକା ଜଣାଇଲେ, ହୁଏତ ତାଙ୍କର ଫାଷ୍ଟ ଫୁଡ଼ ମନ ଟିକେ ଦେଶୀ ଫୁଡ ଆଡକୁ ଢଳିବ. ସେ ଜାଣିଲେ ପୁରୁଣା ଖାଦ୍ୟ ର ଇତିହାସ ଆଗକୁ ଏଇପରି ଆଗେଇ ଚାଲୁଥିବ, କାରଣ ଖାଦ୍ୟ ଖାଲି ଦେହ କୁ ନୁହେଁ ମନ ତଥା ସମାଜ ଓ ସମୟ ଉପରେ ଅନେକ କିଛି କହିଥାଏ.
ମୁଁ ରହୁଛି, ମୋ ପଖାଳ କଂସା ମତେ ତେଣେ ଅପେକ୍ଷା କରିଛି, ଯାଉଛି, କିଛି କଥା ନେଇ ପୁଣି ହାଜିର ହେବି.
ମୁଁ ନା ଆମେ