Titi Sarangi

Inspirational

3  

Titi Sarangi

Inspirational

ପିଲାଙ୍କ ଖାତା ଦେଖୁଥିଲି

ପିଲାଙ୍କ ଖାତା ଦେଖୁଥିଲି

2 mins
7.5K


ପିଲାଙ୍କ ଖାତା ଦେଖୁଥିଲି ଆଉ ମନେମନେ ଟିକେ ବିରକ୍ତ ହଉଥିଲି । ଯେତେ ସୁଧାରିଲେ ବି ସେଇ ସମାନ ଭୁଲ୍ ! ବାରମ୍ବାର କହିଲେ ବି ମୁଣ୍ଡରେ ପଶୁନି । ଟେବୁଲ୍ ଉପରେ ଖାତା ପକେଇ ବାହାରକୁ ଗଲି । ବାହାରେ ଖୋଲା ଆକାଶ ତଳେ ଟିକେ ବୁଲାବୁଲି କରି ନିଜ ଭିତରର ହତାଶାବୋଧକୁ ପବନ ଭିତରେ ବାଣ୍ଟି ଦେବି ବୋଲି । ପିଲେ ଦିପହର ଖାଇବା ଖାଇସାରି ଖେଳୁଥିଲେ। ସେମାନଙ୍କଠୁ ଦୂରରେ ରହି ବଗିଚାର ଆରପଟେ ବୁଲୁବୁଲୁ ସେଇମାନଙ୍କୁ ହିଁ ଦେଖୁଥିଲି । ନିଜକୁ ଫୁଲ ଭଳି ଖୋଲିଦେଇ ଖେଳୁଥିଲେ ସେମାନେ । ହସି ହସି ଗଡିଯାଉଥିଲେ କଣ ସବୁ ଅନାବନା ଗପ କୁହା କୁହି ହେଇ । କଥାଗୁଡାକ ନିହାତି ମାମୁଲି ଥିଲା । କିନ୍ତୁ ଭରପୁର ମଜା ଉଠଉ ଥିଲେ ପିଲେ ସେଇ କଥାକୁ ପକେଇ । ଆହା ,କଥାକୁ ନେଇ କେତେ ସିରିୟସ୍ ହେଇଯାଉ ଆମେ । ଏମାନେ କିନ୍ତୁ ଜମାରୁ ସିରିୟସ୍ ନଥିଲେ । ବୟସର ପ୍ରଭାବ

ଇଏ । ବୟସ ବଢେ,ପତିଆରା ବଢେ ଆଉ ବନ୍ଦୀ ହେଇଯାଉ ଆମେ ନିଜ ଭିତରେ ।

"ଏ ଦେଖିଲୁ ,ମୋ ଗେଣ୍ଡୁ ଗଛରେ କଢ ହେଲାଣି ।"

"କାଇଁ ଦେଖି ଦେଖି ,"କହି ଆଉ କେତୋଟି ଉତ୍ସାହୀ ମୁହଁ ଧାଇଁ ଆସିଲେ ଗଛ ପାଖକୁ । ପୃଥିବୀରେ ବୋଧେ ସେଇ ଗଛ ପ୍ରଥମେ କଢ ଧରିଲା । ଅବଶ୍ୟ କଥାଟା ସତ। କାରଣ ସାଙ୍ଗ ତାଙ୍କର ନିଜ ହାତରେ ଗଛ ଲଗେଇଥିଲା । ଆଜି କଢଟେ ହେଇଛି ମାନେ ଇଏ ତ ଅପୂର୍ବ ଅନୁଭବ । "ଜାଣିଛୁ ଏଡିକି ଛୋଟଟେ ହେଇଥିଲା (ତା କାଣି ଆଙ୍ଗୁଠି ଲମ୍ବର) ,ଆମେ ଏଠି ଆଉରି କେତେ ଗଛ ବି ଲଗେଇଲା ବେଳେ ଇଏ ବଞ୍ଚିବ ବୋଲି ମୁଁ ଭାବି ନଥିଲି " ତୃପ୍ତିର ହସ ଧାରେ ମୁହଁରେ ମାଖି କହୁଥିଲା ଝିଅଟି ।

"ମୋର ମନେ ଅଛି ଆଠ ମାସରେ ଆମେ ଗଛ ଲଗେଇଥିଲେ ।'

"ହଁ ଆଠମାନେ ଅଗଷ୍ଟ ।ଏବେ ତ ଦଶ ମାସମାନେ ଅକ୍ଟୋବର ବି ସରିଯିବ ।ନଭେମ୍ବର ଆସିବ ।"

"ଆରେ ଆଉ ମାସେ ଗଲେ ନୂଆ ବର୍ଷ ଆସିଯିବ ପରା ! ଭାରୀ ମଜା ହବ । ଏଇଟା ଅଠର ମସିହା ହବ।"

"କେତେ ଜଲଦି ସତର ସରିଗଲା ମ। "ସବୁଠୁ କମ୍ କହୁଥିବା ତୃତୀୟ ଶ୍ରେଣୀର ଝିଅଟି କହିଲା ।

ବିଭୋର ହେଇ ସେମାନଙ୍କ କଥା ଶୁଣୁଥିଲି । ସତେ ତ,ଦିନ କୁଆଡେ କୁଆଡେ ଯାଉଛି । ମସିହା ଗୁଡାକ କୋଉଠି ଯାଇ ପଡୁଛନ୍ତି ? ଦେଖୁ ଦେଖୁ ଶତାବ୍ଦୀର ସତରଟା ବର୍ଷ ସରିଗଲା ,ଯୋଉ ଶତାବ୍ଦୀକୁ ନେଇ କେତେ କଳ୍ପନାଜଳ୍ପନା ଆଉ ସ୍ୱପ୍ନ ଥିଲା ଆମ ମନରେ । ସବୁ ଏମିତି ପଳାଏ ସ୍ୱାଭାବିକ ଭାବେ । ଏତେ ବ୍ୟାପକ ଏଇ ସମୟ ସୁଅରେ ମୁଁ ବି ଭାବୁଥିଲି ପାରନ୍ତି କି ଭସେଇ ମୋ ଅନ୍ତରର ଦୁଃଖ ସମୂହକୁ ।

ଆଉ ବିରକ୍ତ ଲାଗୁ ନ ଥିଲା ମୋତେ । ଆଉ ଟିକେ ଅଧିକ ଧୈର୍ଯ୍ୟର ସହ ପିଲାଟିର ଭୁଲ୍ ସୁଧାରିବି ବୋଲି ମନକୁ ବୁଝେଇ ପାରିଲି । କାରଣ ମନ ମୋର ସେତେବେଳକୁ ସଂକୀର୍ଣ୍ଣତା ଅତିକ୍ରମ କରି ବିଶାଳତା ଭିତରେ ନିଜକୁ ବ୍ୟାପ୍ତ କରି ସାରିଥିଲା ।


Rate this content
Log in

Similar oriya story from Inspirational