ଫୁଲ ଫୁଟା ଋତୁ
ଫୁଲ ଫୁଟା ଋତୁ


ଏମିତି ଖାଲି ସମୟରେ ଅଫିସରେ ସମୟ ମିଳିଲେ ଶ୍ରାବଣୀ ସାଙ୍ଗ ସାଥି ମାନଙ୍କ ସହ ଚା' ପିଇବାକୁ ଭଲ ପାଏ । ସମସ୍ତେ ନିଜ ନିଜ ପରିସ୍ଥିତିକୁ ନେଇ କିଏ ଭାବପ୍ରବଣ ଥାଏ ଆଉ କିଏ ତା ଦୁଃଖ କାହାଣୀ କହୁଥାଏ ହେଲେ କାହିଁକି କେଜାଣି ସେ କିଛି କଥା ଅନ୍ୟ ମାନଙ୍କ ସହ ଗପି ପାରେନି । ସେ ଜାଣିଛି ତା କାହାଣୀର ସେ ହିଁ ଆରମ୍ଭ ସେ ହି ଶେଷ । ଆଜି ସିଏ ଯୋଉଠି ପହଂଚିଛି କେବଳ ତା ଶାଶୁ ଆଉ ଦେବତା ତୁଲ୍ୟ ଶଶୁରଙ୍କ ତା ପ୍ରତି ଥିବା ଆନ୍ତରିକତା ପାଇଁ ସମ୍ଭବ । ଦୁଇ ବର୍ଷର ପୁଅ ଓଁମ ମାଆ କୁ ଜାବୋଡି ଧରି କହେ ନା ଆଜି ଜାନା, ତା ବୋଉ ମାନେ (ଜେଜେମା )ହି ଆସି ଗେହ୍ଲ କରି ଚୁପ କରନ୍ତି, ସେମିତି ଜିଦି କରନା, ମମାକୁ ଯିବାକୁ ଦେ । ଅଫିସ ଗଲେ ସେ ତୋ ପାଇଁ ଗାଡି ଆଣିବ ପରା, ଧୀରେ ଧୀରେ ସବୁ ବୁଝିଯାଏ ସେ ଆଉ ଅଝଟ ହୁଏନି । ଭୁଲେଇ ଭୁଲେଇ ଗପ କହି ବାହାରେ ଗାଈ କୁକୁର ସବୁ ଦେଖେଇ ଖୁଆଇ ଥାନ୍ତି । ଖାଲି ସେତିକି ନୁହେଁ ତାର ସବୁ ଅଳି ଅରଦଳିକୁ ଦିହସୁହା କରିନିଅନ୍ତି ବାପା ବୋଉ । ତା ଦୁନିଆ ର ସୂର୍ଯ୍ୟ ସେଇମାନଙ୍କ ପାଖରୁ ଉଇଁ ପୁଣି ସେଇଠି ଅସ୍ତ ହେଉଥାଏ । ପ୍ରକାଶର ରୋଷଣୀ ନେବାକୁ କେବେ କେବେ ଆଶୁତୋଷ ଛୁଟିରେ ରୁହନ୍ତି, ସେଦିନ ସାରା ଓଁମ ପାପକୁ ଛାଡେନି,କି ବୋଉ କଥା ମାନେନି । ବେଳେ ବେଳେ ବାଧ୍ୟ କରନ୍ତି ଶ୍ରାବଣୀକୁ ଛୁଟି ନେବା ପାଇଁ । ଗୋଟେ ବର୍ଷ ଛୁଟି ପରେ ସେ ଜଏନ କରିଛି, କିଛି କହିପାରେନି କି ସେମାନଙ୍କ ସହ ଖୁସିରେ ସାମିଲ ହୋଇ ପାରେନି ।
ଏତେ ବଡ଼ ସହର ଦିଲ୍ଲୀ ଦେଶର ରାଜଧାନୀ ,ସେଠି ସମୟ ଆଉ ରହିରହି କଡ଼ ଲେଉଟାଏ ନି ଅଣ ନିଶ୍ୱାସୀ ହୋଇ ଦୌଡୁଥାଏ । ଶ୍ରାବଣୀ କିନ୍ତୁ ତା' ଭିତରେ ଶାନ୍ତିରେ ନିଶ୍ୱାସ ମାରେ ତା ପରିବାର ସହ,ଦଶ ବାଇ ଦଶର ହଲଟା ରୋଷେଇଘର ଆଉ ଗାଧୁଆ ଘର ପାଇଖାନା ଘର,ଏତିକି ତା ରହିବା ଜାଗା । ଋତୁ ସବୁ ଆସୁଥାଏ ଯାଉଥାଏ, ଫୁଲ ଫୁଟି ମଉଲି ଯାଏ ବାସ ଚହଟାଇ, ଭଅଁର କିନ୍ତୁ ଫୁଲକୁ ନଛୁଇଁ ଫେରି ଯାଏ ତା ବାଟରେ । ଆର ଫଗୁଣକୁ ଅପେକ୍ଷା । ସତରେ ଫୁଲ କ'ଣ ମୌଳି ଯାଇଛି ଖାସ ସେଇଥିପାଇଁ ଆର ଫଗୁଣକୁ ଝୁରି ନା ତା ସାଥିକୁ ଠିକ ବୁଝି ପାରେ ବୋଲି କିଛି କହି ପାରୁନି ।
ଦୁଇଟି ବିଛଣା ହୁଏ ରାତି ଆସିଲେ । ଅନ୍ଧକାର ଗାଢ଼ ହୁଏ,ବାପା ମାଆ ଗୋଟେ ବିଛଣା ଆଉ ଟିକେ ଛାଡି ଶ୍ରାବଣୀ ତା' ସଂସାର ମେଲାଇ ଥାଏ ।
ଦିନେ ହେଲେ ମୁହଁ ସୁଖେଇନି କି ଅଭିମାନ କରିନି ଆଶୁ ଉପରେ, ସେ ଜାଣେ ଫଗୁଣ ଫେରିବ ଫୁଲ ଫୁଟା ଋତୁ ସବୁ ବେଳେ ଆସୁଥିବ, ଯେତେବେଳ ଯାଏ ତା' ପରିବାର ଜାକିଜୁକି ହୋଇ ରହିଥିବ ପଛେ ଖୋଲା ଆକାଶ ତଳେ ଦୀର୍ଘଶ୍ଵାସ ନେବନି ।