ଫଗୁଣ ତୁମେ କଣ କଲ !
ଫଗୁଣ ତୁମେ କଣ କଲ !
ଫଗୁଣର ରଙ୍ଗ ! ମୋ ହୃଦୟର ସମସ୍ତ ପ୍ରେମ ତୁମ ପାଇଁ । ବନ୍ଧୁ କୋଇଲି, ମଳୟ, ବସନ୍ତ, ଆମ୍ବ କଷି , ଅବିର , ପିଚକାରୀ , ରାଈ ଦାମୋଦର ତଥା ହୋଲିଙ୍କୁ ମୋର ହୃଦୟ ଭର୍ତ୍ତି ଶ୍ରଦ୍ଧା ଓ ଶୁଭେଚ୍ଛା ।
ତୁମେ ମୋର ବନ୍ଧୁ।ତୁମ ନାମ ଆସିଲେ ସ୍ୱତଃ ମୋ ନାମ ଲୋକ ନେଇ ଆସିଥାନ୍ତି। କିନ୍ତୁ ତୁମେ ମୋର ବନ୍ଧୁ ହୋଇ ମୋ ସହ କଣ ଭଲ କଲ ?
ପ୍ରତି ବର୍ଷ ତୁମେ ଆସ। ବାଡ଼ି ପଟ ଆମ୍ବ ଗଛ ବଉଳ ଭାରରେ ନଇଁ ପଡେ । ତା ବାସ୍ନାରେ ଚାରିଆଡ଼ ମହକେ। ଥୁଣ୍ଟା ଗଛରେ କଅଁଳେ ନୂଆ ପତ୍ର । କୂଅ ମୂଳେ ଦାନ୍ତ ଦେଖାଏ ମଲ୍ଲୀ । ଚୋରା ଚଇତାଳି କଣେଇଁ କଣେଇଁ ଚାହେଁ । ଶୀତ କଷ୍ଟ ଯାଇ ତୁମେ ଆସିବ ବୋଲି ସମସ୍ତେ ଆତ୍ମହରା ହୁଅନ୍ତି । ରାଈ ଦାମୋଦର ବିମାନରେ ଝୁଲି ଝୁଲି ଘର ଘର ବୁଲି ଭୋଗ ଖାଇବାକୁ ପ୍ରସ୍ତୁତ । ବଜାର ଘାଟରେ ବନ୍ଧୁ ମିଳନ ହେଉଛି ଫଗୁଙ୍କର। ପିଚକାରୀ ଗହଣ ଠାଆକୁ ଠାଆ।ମୁଁ କିନ୍ତୁ ଆଜି ବୟସର ଅପରାହ୍ନରେ କେବଳ ମନେ ପକାଉଛି ସକାଳ କଅଁଳ ଖରା । ଆଉ କୋଷୁଛି ତୁମକୁ। ମନେ ପକାଉଛି ତୁମେ ମୋର କଣ କଣ ନେଇଛ।ପ୍ରଥମେ ନେଲ କୋମଳ ଜିଜ୍ଞାସରେ ଉବୁଡୁବୁ ଅଫେରା ଦିନକୁ ମୋର । ବର୍ଷକୁ ଥରେ ତୁମେ ଆସିବ ବୋଲି ମନରେ ମୋର କି ଉନ୍ମାଦନା ସେତେବେଳେ!ବାରମ୍ବାର ପଚାରୁଥିଲି ଜେଜେ ଦୋଳ କେବେ ? ହୋଲି କେଉଁ ଦିନ ?ଜେଜେ ହସି ହସି କୁହନ୍ତି ଏଇ କାଲି ପରା ଗଲା । ପୁଣି ବର୍ଷେ ପରେ ଆସିବ । ମୋ ମନ ଊଣା ହୁଏ । ଜେଜେ ଫଗୁଣ ସବୁଦିନେ ଆସୁ ନାହିଁ କାହିଁକି ?ଜେଜେ କୁହନ୍ତି ଆରେ ଫଗୁଣକୁ ଏ ପ୍ରଶ୍ନ କେହି ତ ପଚାରି ନ ଥିଲେ ! ତୁ ବଡ଼ ହୋଇଯା କି ନିଶ୍ଚୟ ପଚାରିବୁ ।ତୁମେ ମୋ ଜେଜେଙ୍କୁ ନେଇଗଲ ଦୋଳ ଦଶମୀରେ ଠାକୁରଙ୍କ ପାଖକୁ !ଜେଜେ ନ ଥିଲେ ତୁନି ପଡି ଯାଇ ବଡ଼ ହେବାକୁ ଅପେକ୍ଷା କଲି। ବଡ଼ ବି ହେଲି ପିଲାରୁ କୈଶୋର, କୈଶୋରରୁ ଯୌବନ, ଯୌବନରୁ ପୌଢ଼ ହେଲେଣି । ଆଉ କେଉଁଟା ଦିନ ପରେ ବୁଢା ହେବି । ହେଲେ ବିଶ୍ବାସ କର ପିଲାଦିନେ ତୁମକୁ ଯେଉଁ ମନ ଖୋଲି ଉପଭୋଗ କରୁଥିଲି ସେମିତି ଅନୁଭବ ଜମାରୁ ପାଇଲି ନାହିଁ ବଡ଼ ହେଲା ପରେ । କିନ୍ତୁ ପୁଣି ବର୍ଷକ ବ୍ୟବଧାନରେ ଏଇ ଫଗୁଣ ଦୋଳ ପୂର୍ଣ୍ଣିମାରେ ହଜେଲି ଆଗ ମାଆ ଏବଂ ତାପରେ ପରେ ବାବା।
ଛୁଆ ଥିଲି ଭଲ ଥିଲି । ଅପେକ୍ଷା କରୁଥିଲି କୋଇଲିକୁ।ସେ ଆମ୍ବ ଗଛରେ କୁଉ କୁଉ ହେଲା ବେଳେ ମୁଁ ବି ତା ପଛେ ପଛେ ଅବିକଳ ତାରି ପରି କହୁଥିଲି କୁଉ କୁଉ।ସେ ମୋ ନକଲ କରିବା ଦେଖି ଚୁପ୍ ହୋଇ ଯାଉଥିଲା। ଅପେକ୍ଷା ଥିଲା ମୋର ଦୋଳକୁ । ମଜା ଲାଗୁଥିଲା ଦେଖିବାକୁ ଗୋପାଳ ଭାଇଙ୍କ ଗୋଠ। ମେଳଣ ଯାତ।ବିମାନ ବିଭିନ୍ନ ଚାନ୍ଦୁଆରେ ସଜ ହେଉଥିଲା । ବିମାନ ଆଗରେ ଆମ୍ବ କଷି ଝୁଲୁଥିଲା।ରାଧା କୃଷ୍ଣ ବିମାନରେ ବସୁଥିଲେ। ଗୃହସ୍ଥ ନିଜ ଘରକୁ ନିମନ୍ତ୍ରଣ କରୁଥିଲା ଅପ୍ରାକୃତ ପ୍ରେମ ମୟ ଦେବତା ରାଈ ଦାମୋଦରଙ୍କୁ ଭୋଗ ଖାଇବା ପାଇଁ। ଦୋଳ ଆସୁଥିଲା ଲୋକଙ୍କ କାନ୍ଧରେ ଘଣ୍ଟ ଘଣ୍ଟା ମୃଦଙ୍ଗ ବଜେଇ,ଦାଣ୍ଡ କମ୍ପେଇ । ନାନା ରକମର ଫଳ ମୂଳ ସହ ଖଜା, ଚଣା ଭୋଗ ଲାଗୁଥିଲା ଠାକୁରଙ୍କ ପାଖେ। ଏଥିରେ ସ୍ୱତନ୍ତ୍ର ଥିଲା ଅରୁଆ ଚାଉଳ ଗୁଡ ପାଗରୁ ପ୍ରସ୍ତୁତ ଖଜା ଓ ଚଣା ଭୋଗ ।
ଦୋଳ ପୂର୍ଣ୍ଣିମା ରେ ମାଆ ବାବାଙ୍କୁ ହରେଇବାରୁ ଆଉ ଏ ଦୋଳ ପୂର୍ଣ୍ଣିମା ମୋ ପାଇଁ ଗୁରୁତ୍ୱ ରଖିଲା ନାହିଁ। ବେଶୀ ବେଶୀ ରାଗିଲି ଫଗୁଣ ତୁମକୁ।
ଆହୁରି ମଜା ଲାଗୁଥିଲା ମୋ ସାଙ୍ଗ ବିନୋଦ ଘର ଦୋଳ ପର୍ବ ,ଆରିସା ପିଠା ,ଖାଇବା ପିଇବା। ସବୁଠୁ ବେଶୀ ଆନନ୍ଦ ଦେଉଥିଲା ଲହୁଡି ଗୀତ ଓ ବାଡ଼ି ନାଚ।
ପାଟୁଆ ନାଚ ର ଅପେକ୍ଷା ବି ଥିଲା ସେତେବେଳେ।ଟାଇଁ ଟାଇଁ ଖରାରେ ପାଟୁଆ ମାନେ ବେତ ଧରି ନାଚିବା ଖୁବ୍ ଆମୋଦ ଦେଉଥିଲା। ବର୍ଷକୁ ଥରେ ମଙ୍ଗଳା ଓ ଶାରଳା ମାଆଙ୍କ ଘଣ୍ଟ ଗାଁ କୁ ଆସୁଥିଲେ । ଆମେ ତାକୁ ଘଣ୍ଟ ପାଟୁଆ କହୁଥିଲୁ। ମାଆଙ୍କ ସେବକ ଗାଁ ଦାଣ୍ଡରେ ମାଆଙ୍କର ପ୍ରତୀକ ଘଟ ମୁଣ୍ଡରେ ଥୋଇ ହାତ ଛାଡି ଚାଲୁଥିଲେ । ସମସ୍ତେ ଭୋଗ ନେଇ ଘଟ ପାଖରେ କରୁଥିଲେ। ରାଉଳ ଯେ ମାଆଙ୍କ ସେବକ ସମସ୍ତଙ୍କ ମୁଣ୍ଡରେ ସିନ୍ଦୁର ଦେଇ ପାଦୁକ ଦେଉଥିଲେ। ଯାହା ଏବେ ବିରଳ । ମାଆ ମଲା ପରେ ଆମ ଦାଣ୍ଡକୁ ଘଣ୍ଟ ପାଟୁଆ ଆଉ ଯାଆନ୍ତି ନାହିଁ।
ସବୁଠାରୁ ବେଶୀ ଅପେକ୍ଷା କରୁଥିଲି ରଙ୍ଗର ଆନନ୍ଦର ପର୍ବ ହୋଲିକୁ । ଆଠ ଦିନ ଆଗରୁ ବାଉଁଶରେ ତିଆରି ହେଉଥିଲା ପିଚକାରୀ ।କେହି କେହି ଖେଳନା ପିଚକାରୀ କିଣି ଆଣୁଥିଲେ ବଜାରରୁ । ହୋଲି ଦିନ କଣ ଦେଖିବ ? ଆମ ଘରକୁ ବାପାଙ୍କ ବହୁ ଚିହ୍ନା ଜଣା ବନ୍ଧୁ ଓ ସାଙ୍ଗ ମାନେ ହୋଲି ଖେଳିବାକୁ ଆସୁଥିଲେ। ସକାଳ ଟିଫିନ୍ ପୁରୀ ତରକାରୀ ଓ ଜିଲାପି, ଦଶଟା ବେଳକୁ ପଖାଳ ଚିଙ୍ଗୁଡ଼ି ମାଛ ଭଜା ପୁଣି ହୋଲି ଖେଳ ଶେଷରେ ଆମରି ପୋଖରୀରେ ଗାଧୋଇ ସାରି ଭାତ ଓ ମାଂସ ଖାଉଥିଲେ। ଦିନ ତମାମ ଖାଲି ଖାଇବା ଓ ରଙ୍ଗ ଖେଳିବା।
ଆମେ ବଡ଼ ମାନଙ୍କ ସହ ନ ଖେଳି ଛୋଟ ପିଲାଙ୍କ ସହ ଖେଳୁଥିଲୁ। ବାଲ୍ଟି ଓ ବଡ଼ ବଡ଼ କୁଣ୍ଡରେ ରଙ୍ଗ ପାଣି ଗୋଳା ହେଉଥିଲା । ପୁରୁଣା ଫ୍ରକ ଓ ସାର୍ଟ ପିନ୍ଧି ରଙ୍ଗ ଖେଳୁ ନ ଥିଲୁ ବରଂ ରଙ୍ଗରେ ଗାଧୋଉ ଥିଲୁ । ରଙ୍ଗ ଦେହ ମୁହଁରୁ ଛାଡିବାକୁ କେତେ ଦିନ ଲାଗୁଥିଲା।
କାଇଁ ସେ ଦିନ !! ବାପାଙ୍କ ମଲା ପରେ ଏ ପର୍ବ ବି ଆମ ଘରେ ସେତେ ଜମେନି ଆଗ ଭଳି।
ଶୈଶବ ଗଲା କୈଶୋର ଆସିଲା। କୋମଳ ଜିଜ୍ଞାସାରେ ଜଡ଼ସଡ଼ । ଏ ବୟସ ରେ ତୁମକୁ ଫଗୁଣ ବିସ୍ଫାରିତ ନେତ୍ରରେ ଦେଖିଲି । ମୋ ଦେହରେ ରଙ୍ଗ ବୋଳି ଦେଲ ତୁମେ କୈଶୋର ଯାଉ ଯାଉ ଆଦ୍ୟ ଯୌବନରେ । ଏଇ ବୟସରେ ଫଗୁଣ ତୁମେ ଅତି ମାତ୍ରାରେ ବେହୋସ କଲ। ମନ ପ୍ରେମ କରିବାକୁ ଚାହିଁଲା ତ ବନପିୟାକୁ ଭଲ ପାଇଲି । ତୁମେ ଫଗୁଣ ବଡ଼ ଦୁଷ୍ଟ ହେଉଥିଲ ସେଇ ବୟସରେ ମୋ ପାଖେ । ଲୁଚେଇ ଲୁଚେଇ ବନ ପ୍ରିୟାକୁ ଦେଖିବା। କାଗଜରେ ପାନ ପତ୍ର ଚିତ୍ର ଭିତରେ ତୀର ଚିହ୍ନ କରି ମଳୟ ଲବସ୍ ପ୍ରିୟା ଲେଖି ଦେବା। ପ୍ରିୟା ମୋ ସହ ପଢ଼ୁଥିବା ଆମ ଗାଁ ପାଖ ଗାଁ ର ଝିଅ । ଖୁବ୍ ସୁନ୍ଦରୀ ବୋଲି ତାର ଭାରି ଗର୍ବ ।
ମନେ ମନେ ପ୍ରେମ କରି କେତେ ପ୍ରେମ ଚିଠି ଲେଖିଲି। ଶେଷରେ ପ୍ରେମ ଚିଠି ମୋତେ ଉତ୍ତମ ମଧ୍ୟମ ଏମିତି ପାନେ ଦେଲା ଯେ ମଲା ଯାଏ ଆଉ କେବେ ପ୍ରେମ କରିବିନି ଶପଥ କଲି।
ସେ ବେଳ କଥା ଭାବିଲେ ହସ ଲାଗେ ।କେତେ ଚିଠି ଲେଖିଲି ଓ ଚିରିଲି। ପ୍ରଥମେ ସମ୍ବୋଧନ କଣ କରିବି ଭାବି ଭାବି ଆଠ ଦିନ ବିତିଛି। ଯାହାକୁ ପ୍ରେମ କରନ୍ତି ତାକୁ କଣ ସମ୍ବୋଧନ କରନ୍ତି ଭାବି ଭାବି ପଡିଶା ଘର ଇଲା ଭାଉଜଙ୍କୁ ପଚାରିଲାରୁ ସେ ମୋ ଗାଲ ଟିପି ଦେଇ କହିଲେ , " କଣ ମଳୟ ! ପ୍ରେମ ଭାଙ୍ଗ ଚଢ଼ିଲାଣି ତାହେଲେ ପୁଅକୁ "?ମୁଁ ଲାଜରେ ଗାଜର ପରି ହୋଇ କହିଲି ନାଇଁ ମ ଏମିତି ପଚାରୁଥିଲି ନା । ଭବିଷ୍ୟତରେ ଯଦି କାହାକୁ ପ୍ରେମ କଲି ତ ଚିଠି ଲେଖିଲେ ସମ୍ବୋଧନ କଣ ଲେଖିବି ବୋଲି ଜାଣିବାକୁ ଚାହୁଁଥିଲି ନା ?
ଇଲା ଭାଉଜ ସୁଦୁ ଅବାଗିଆ ଅଖାଅଡୁଆ ମଣିଷଟିଏ। ସେ ଲହରେଇ କହିଲେ ଓ .... ପ୍ରେମ କରୁନ ? କଲେ କଣ ଲେଖିବ ବୋଲି ଏବେଠାରୁ ମଡ଼ଇଲଣି ? ଭଲ ଭଲ ଦଶମ ପାସ୍ ନ ହେଉ ପ୍ରେମରେ ପାସ୍ ନିହାତି ଦରକାର। ତୁମ ଭାଇ ତ ବିଦେଶରେ । ରାତିଏ ରାତିଏ ମୋ ପାଖକୁ ଆସ ସବୁ ଶିଖେଇ ଦେବି କହି ଠୋ ଠୋ ହସନ୍ତି।ଧେତ୍ ଇଲା ଭାଉଜ ତୁମେ ଅଲାଜୁକୀ ଟିଏ। ମୁହଁରେ ବାଡ଼ ବତା ନାହିଁ କହି ପଳେଇ ଆସିଲି ତାଙ୍କ ପାଖରୁ।ଶେଷରେ ସିଦ୍ଧାନ୍ତ ନେଲି ଖାଲି ତା ନାଁ ପ୍ରିୟା ଲେଖିବି ଯା। ବନ ପ୍ରିୟାର ଡାକ ନାଁ ପ୍ରିୟା । ନୂଆ ନୂଆ ପ୍ରେମ କରୁଥିବା ଦଶମ ଶ୍ରେଣୀ ପିଲାଟା ମୁଁ। ପ୍ରକୃତରେ ପ୍ରେମ ଅର୍ଥ କଣ ନ ଜାଣି ପ୍ରେମ କରିବା ବୟସ । ଲେଖିଲି :
ପ୍ରିୟା;ମାଇଁ ସୁଇଟି ହାର୍ଟ ।ତୁ ମୋତେ ଭଲ ଲାଗୁ। ତୋତେ ମୁଁ ଭଲ ପାଏ । ସବୁବେଳେ ତୋ ମୁହଁ ମୋ ବହି ଖାତାରେ ଦେଖା ଯାଉଛି । ତୋ କଥା ଭାବିବାକୁ ଭଲ ଲାଗୁଛି। ତୋତେ ଟିକେ ଛୁଇଁବାକୁ ମନ କହୁଛି । ତୁ ମୋତେ ଭଲ ପାଉ କି ନାହିଁ ଜଣେଇଁବୁ ।
ଇତି
ତୋର ମନୁ।
ଫିଲ୍ମ ଦେଖି ଶିଖି ଲେଖିବା କଥା ଆଉ।ପ୍ରେମ ଯେ ହୃଦୟରୁ ହୁଏ ଅଜାଣତେ ସେ କଥା ମୋର ବୁଝିବାର ନ ଥିଲା।ଜାଣିଛ ଫଗୁଣ! ଚିଠିଟା ମୋତେ କଣ ଦେଲା ? ଖାଲି ଅତଞ୍ଛା ପାଞ୍ଚଣରେ ଗୁଡ଼େ ଗୋପାଳି। ଚିଠିଟିକୁ ପ୍ରିୟା ନେଇ ଦେଇ ଦେଲା ତା ବାପାକୁ । ଏ କଥା ମୋ ବାପା କାନକୁ ଆସିଲା ତ ଯାଏ କୁଆଡେ ? ଓଃ କି ମାଡ଼ ! ପ୍ରେମ ଭୂତ ଏକା ବେଳକେ ଛାଡ଼ିଗଲା ।ସେଇ ଦିନଠାରୁ ପ୍ରିୟା ସହ ମୋର ଅପଡ଼।ଭଲ ନ ପାଇଲୁ ନାହିଁ ତୋ ବାପାକୁ ନ କହିଥିଲେ ହୋଇ ନ ଥାନ୍ତା ? କହିକି ପୁଳେ ମାଡ଼ ଖୁଆଇ କଣ ପାଇଲୁ ?
ପ୍ରିୟା ଯେତେବେଳେ ଜାଣିଲା ମାଡ଼ ଖାଇ ମୋ ପିଠି ଫାଟିଛି ଏବଂ ମାସେ କାଳ ପିଠି ପଡିଆ ଶୋଇ ପାରିନି ଥଟ୍ଟା କରି କହିଲା " ପ୍ରେମ ପିଠିରେ ଫଳିଛି ରେ ପୁଅ। ପାଠରେ ମନ ନ ଦେଇ ପ୍ରେମ ପତ୍ର ଲେଖା ଚାଲୁଛି ? ଆଗ ମଣିଷ ହୁଅ ତୁମେ ନୁହେଁ ମୁଁ ତୁମକୁ ପ୍ରେମ କରିବି।"
ଛିଃ ପ୍ରିୟା ଏମିତି ନିଷ୍ଠୁର ହୃଦୟ ଝିଅଟିଏ କେମିତି ହେଲା !ହେଲେ ସବୁଠାରୁ ରୋଚକ ତଥ୍ୟ କଣ କହିଲ ଫଗୁଣ ! ମୁଁ ଆମ ଗାଁ ର ସବୁଠାରୁ ଅଧିକ ପାଠୁଆ ହୋଇ ଯେତେବେଳେ ହାଇସ୍କୁଲ ଶିକ୍ଷକ ହେଲି ନିଜେ ପ୍ରିୟା ବାପା ପ୍ରିୟା ସହ ମୋ ବିବାହ ପ୍ରସ୍ତାବ ନେଇ ଆସିଲେ। ପ୍ରିୟାକୁ ମୁଁ ତ ଭଲ ପାଉଥିଲି ଏ ସୁଯୋଗ ହାତ ଛଡା କରନ୍ତି ! ଏ ପ୍ରସ୍ତାବରେ ରାଜି ହେବାର ଆଉ ଗୋଟେ ଦୁଷ୍ଟ ବୁଦ୍ଧି ମୋ ମୁଣ୍ଡକୁ ଢୁକିଲା। ମୋତେ ମାଡ଼ ଖୁଆଇ ଥିଲା ତ ; ଦେଖିବ ବାହା ଘର ପରେ ତାକୁ କେମିତି ମଜା ଚଖାଉଛି ।ମୋ ପ୍ରେମ ଚିଠିକୁ ଯିଏ ଗ୍ରହଣ ନ କରି ଛତରା ଟୋକା କହି ମାଡ଼ ଖୁଆଇଥିଲା ତାକୁ ବାହା ହୋଇ ପାନେ ଦେଲି। ନାଁ କୁ ମାତ୍ର ବାହା ହୋଇ ଯାଇ ମୋ ଚାକିରି ଜାଗାରେ ବର୍ଷେ ରହିଲି ପ୍ରିୟା ସହ କୌଣସି ମାନସିକ କି ଶାରୀରିକ ସମ୍ପର୍କ ନ ରଖି । ତାକୁ ଦଣ୍ଡ ଦେଇ ମୁଁ ଯେ କେତେ ଦଣ୍ଡ ଭୋଗିଛି ଏ କଥା ତୁମେ ନିଶ୍ଚେ ଜାଣିଛ ଫଗୁଣ ।ଆମ ଘର ଜଗତସିଂହପୁର। ମୁଁ ଚାକିରୀ କରିଥିଲି ବଲାଂଗିରିରେ । ଚତୁର୍ଥୀ ଦିନରୁ ପ୍ରିୟା ସହ ପଦେ କଥା ବି ହୋଇ ନାହିଁ।କେଜାଣି ତାକୁ ଦେଖି ଦେଲେ ପିଠିରେ ଚିହ୍ନ ପଡିଥିବା ଦାଗରେ ହାତ ବୁଲେଇ ଆଣିଲେ ପ୍ରିୟା କୁ ଘୃଣା ଲାଗେ ।ତା ସୁନ୍ଦର ଚେହେରା ଭିତର ପଥର ହୃଦୟଟି ମୋତେ ଦିଶିଯାଏ ।ଇଛା ହୁଏ କହିଦେବି ପ୍ରତିଶୋଧ ନେଉଛି ତୋ ଠାରୁ । କିନ୍ତୁ ତାର ନୀରବତା ମୋତେ ରୁକ୍ଷ ହେବାକୁ ଅନୁମତି ଦିଏ ନାହିଁ।
ଆମ ଘରଠାରୁ ତାଙ୍କ ଘର ଯାଏ ସମସ୍ତେ ଜାଣି ଗଲେ ଓ ଟୁପ୍ ଟାପ୍ ହେଲେ ଯେ ପ୍ରିୟା ଓ ମୋର ଭଲ ପଡୁ ନାହିଁ । ଭଲ କଣ ମୁଁ ତା ସହ କଥା ହୋଇନି କି ସ୍ପର୍ଶ ବି କରି ନ ଥାଏ । ଏତେ ସତ୍ତ୍ୱେ ବି ପ୍ରିୟା ତୁନି ରୁହେ । ଅସ୍ଵୀକାର କରେ ଆମକୁ ନେଇ କରୁଥିବା ଟିପ୍ପଣୀକୁ। କୁହେ ମୋତେ ମନୁ ଭଲ ପାଇଁ ଚିଠି ଲେଖି ଏତେ ମାଡ଼ ଖାଇଥିଲେ ଟି ? ସେଇଥିରୁ ଅନୁମାନ କରି ପାରୁନ ତାଙ୍କ ଭଲ ପାଇବା ।ଏତେ ଭଲ ଝିଅଟିକୁ ଦଣ୍ଡ ଦେଉଛି ବୋଲି ଦୁଃଖ ଲାଗେ।ଥରେ ମୋ ବୋଉ ଦେହ ଖରାପ ହେଲାରୁ ଆସିଥିଲି ଦେଖିବାକୁ । ପ୍ରଥମ ଥର ପ୍ରିୟା ମୁହଁ ଖୋଲି କହିଲା, ମନୁ ତୁମେ ମୋତେ ଭଲ ପାଅ ଟି ? ବିବାହ କରି ମୋତେ ଏ ଦଣ୍ଡ ଦେଉଛ କାହିଁକି ?ପ୍ରତିଶୋଧ ନେଉଛି ।
ପ୍ରତିଶୋଧ ! କିନ୍ତୁ କାହିଁକି ?କାହିଁକି ? ଭୁଲି ଯାଇଛୁ ? ସାର୍ଟ ଖୋଲି ଦେଖେଇଲି ଦେଖ୍ ତୋତେ ଭଲ ପାଇବାର ଏ ଚିହ୍ନ ସବୁ ଉପହାର ମୋତେ ଦେଇଥିଲୁ ମୋ ବାପାଙ୍କ ଦ୍ୱାରା। ମୋ ଖୋଲା ପିଠିକୁ ପ୍ରିୟା ଜାବୁଡି ଧରି ଖୁବ୍ କାନ୍ଦି କାନ୍ଦି ଚୁମି ଗଲା ସବୁ ପାଞ୍ଚଣ ଚିହ୍ନକୁ । ଗୋଟେ ବର୍ଷ ବିବାହ କରି ଅବିବାହିତ ଝିଅ ଜୀବନ ଜୀଇଁବା ଦଣ୍ଡ କଣ ଯଥେଷ୍ଟ ହୋଇ ନାହିଁ ମନୁ ? ମୁଁ ସେଦିନ ସେମିତି ନ କରିଥିଲେ ତୁମେ ଏତେ ପଢ଼ିଥାନ୍ତ ନା ହାଇସ୍କୁଲ ଶିକ୍ଷକ ହୋଇ ପାରିଥାନ୍ତ ? ଭାବ ଥରେ ଏଇ ପ୍ରେମ ପଛରେ ଗୋଡେଇ ତୁମ ସମସ୍ତ ସାଙ୍ଗଙ୍କ ଅବସ୍ଥା କଣ ହୋଇଛି ? କଲେଜ କିଏ ଛୁଇଁ ପାରିଲେ ?
ତା ପରଠାରୁ ପ୍ରିୟା ମୋ ଜୀବନ । କିନ୍ତୁ ତୁମେ ବି ଅତି ନିଷ୍ଠୁର ଫଗୁଣ । ପ୍ରିୟା ସହ ସାଥୀ ହୋଇ ଚାଲିବା ସୁଖ ଦେଲ କେତେବେଳେ ? ଚାଳିଶି ପୁରୁ ପୁରୁ ଦୁଇ ଝିଅ ଗୋଟେ ପୁଅକୁ ମୋ ଜିମା ଦେଇ ସେ ବି ମୋ ଉପରେ ରଗ ଶୁଝେଇ ଏକା କରି ଠକି ଦେଇ ସେପୁରେ ।ୟୁଟ୍ରସରେ ଯନ୍ତ୍ରଣା ହେଲେ ବି ମୋତେ ନ କହି କେମିତି ସହୁଥିଲା କେଜାଣି ? ଜାଣିଲା ବେଳକୁ କ୍ୟାନ୍ସର ଥାର୍ଡ ଷ୍ଟେଜରେ ।
ଏଇ ହୋଲିରେ ପ୍ରିୟା ଆଖି ବୁଜିଥିଲା ସବୁଦିନ ମୋତେ ଏକା କରି। ସେବେଠାରୁ ହୋଲି କେବେ ଆସିନି ମୋ ଜୀବନେ ।
କୁହତ ତୁମେ କଣ ଭଲ କଲ ବନ୍ଧୁ ? ଫଗୁ ଦଶମୀ, ଦୋଳ ପୂର୍ଣ୍ଣମୀ ଜେଜେ ଓ ବାବା ମାଆ ପାଇଁ ସବୁଦିନ ବନ୍ଦ କରି ଦେଇଥିଲି ଜୀବନରୁ। ଶେଷକୁ ହୋଲିରେ ପ୍ରିୟାକୁ ଠାକୁରଙ୍କ ପାଖକୁ ନେଇଗଲ ! କେତେ ପ୍ରିୟ ଥିଲ ତୁମେ ମୋର। ମାତ୍ର ମୁଁ କେତେ ହତଭାଗା ? ଏଇ ଫଗୁଣ ମାସରେ ସବୁ ପ୍ରିୟ ମଣିଷ ମୋତେ ଛାଡ଼ି ଚାଲିଗଲେ ! ହେ ଫଗୁଣ ତୁମେ ମୋ ପାଇଁ ଅନ୍ୟାୟ କରିଛ। ମିତ ହୋଇ ଶତ୍ରୁ ସାଜିଛ । ତୁମେ ଆସିଲେ ଆନନ୍ଦେ ବିଭୋର ହେଉଥିଲି । ସବୁଦିନେ ଆସ ଚାହୁଁଥିଲି ବୋଲି ମୋତେ ଏ ଦଣ୍ଡ ଦେଲ କି ! ତୁମେ ମୋର ସର୍ବସ୍ବ ସମ୍ପର୍କ ନେଇ ମୋତେ କାଙ୍ଗାଳ କରିଦେଲ ! ଏବେ ତୁମେ ଆସ କି ନ ଆସ କିଛି ଫରକ ପକାଉ ନାହିଁ ମୋ ଉପରେ। ଅପରାହ୍ନରେ ମୁଁ।ଜାଣେନି କେତେବେଳେ ଦିଗ ବଳୟରେ ମିଶିଯିବି। ସେ ଯାଏ କିନ୍ତୁ ତୁମକୁ ଆଉ କେବେ ଏତେ ଟିକେ ଭଲ ପାଇବି ନାହିଁ ।
