Arati Sahoo

Comedy Fantasy Inspirational

2.8  

Arati Sahoo

Comedy Fantasy Inspirational

ଫେକ୍ ଭକ୍ତି

ଫେକ୍ ଭକ୍ତି

4 mins
276


*** ଫେକ୍ ଭକ୍ତି ***


  ମାର୍ଗଶୀର ମାସ ହେଲେ ଲକ୍ଷ୍ମୀ ଠାକୁରାଣୀଙ୍କର ଆଉ ପାଦ ତଳେ ଲାଗେ ନାହିଁ । ବୁଧବାର ରାତି ମାନଙ୍କରେ ଶଟ୍ ଶାଟ୍ , ଠକ୍ ଠାକ୍ ନିଦ ଭାଙ୍ଗେ ।ବିଚରା ଜଗନ୍ନାଥ ମାହାପୁରୁଙ୍କୁ କହୁଣିକୁଟ୍ ଦେଇ ଉଠେଇ ଦିଅନ୍ତି । 


- ହେ ଏମିତି ଘୁଙ୍ଗୁଡ଼ି କିଆଁ ମାରୁଛ କିଓ ? ମୋର ନିଦ ଭାଙ୍ଗୁଛି । ଅଣେଇକି ଶୁଅ । ଚିତ୍ ହେଇ ଛାତିରେ ହାତ ପକେଇ କିଆଁ ଶୋଉଚ ? ଓଥରା ମାଡ଼ି ବସିବ ଯେ ।


 ଜଗନ୍ନାଥେ ଅଣେଇକି ଶୁଅନ୍ତି ଘରଣୀଙ୍କୁ ପିଠି କରିକି । ମାଇକିନିଆ ଗୁମର ଜାଣିଛନ୍ତି । ସକାଳୁ ନଗ୍ର ବୁଲି ଯିବେ ବୋଲି ନିଦ ନାହିଁ , ଆଉ ....। ହେଃ , ରାତିଟାରେ କାହିଁକି ପାଲା ଲଗେଇବେ । ଏମିତି ବି ତାଙ୍କ ମୁଣ୍ଡ ଖରାପ ଅଛି । ଭକ୍ତ ଜନଙ୍କୁ ଦେଖୁ ନାହାନ୍ତି ବୋଲି । ଷାଠିଏ ପଉଟି ଅନ୍ନ ରନ୍ଧା ହେଉନାହିଁ ବୋଲି । କେତେ ଫନ୍ଦି ଫିକର କରି ଟିକେ ମାଉସୀ ଘରକୁ ଯାଇଥିଲେ । 


  କରୋନା ରୋଗିଣୀଟା କାଇଁ ମର୍ତ୍ତ୍ୟ ମଣ୍ଡଳକୁ ଯାଇଛି କେଜାଣି ? ଆସିବାର ନାମ ଧରୁନାଇଁ । କେତେ ନୁକଙ୍କୁ ମାରି ସାଇଲାଣି । କେତେ ନୁକଙ୍କୁ କୋଟିପତି କରି ସାଇଲାଣି । 


  ସକାଳୁ ମାଆ ଉଠି ଅଳଙ୍କାର ଆଭରଣ ପିନ୍ଧି ଦାଉ ଦାଉ । ତାଙ୍କର ପେଚା ସ୍କୁଟିଟାକୁ ଷ୍ଟାର୍ଟ କରୁକରୁ କହନ୍ତି , 


- ହଇହୋ , ଭାତ ଡାଲମା ଟିକେ ବସେଇ ଦବ । ମୋର ତେଣେ ଡେରି ହେବ । ତମ ଭାଇ ନହେଲେ କୁପିତ ହେବେ । ସେ ଯୁଗ ପରି ଛିତିରି ଛିତିରି ଘର ନାଇଁ । ବର୍ତ୍ତମାନ ଗେଞ୍ଜାଗେଞ୍ଜି ଘର । ପୁଣି ମାଲିକ ଗୋଟାକୁ ଭଡ଼ାଦାର ତିନି ଚାରିଟା । ୟୁ ଟ୍ୟୁବ ଦେଖି ସମସ୍ତେ କଳାକାର । ଏତିକି ପଦ୍ମଫୁଲରେ ପାଦ ଦେଇ କ୍ଷଣେ କ୍ଷଣେ ଠିଆ ହେଲେ ବି ଦିନ ଅଣ୍ଟିବ ନାଇଁ । ଓକେ ମୁଁ ଚାଲିଲି , ବାଏ ।


  ଜଗନ୍ନାଥେ ନିମ୍ବ କାଠିଟାଏ ପାଟିରେ ପୁରେଇ ଅନେଇଥିଲେ ପେଚା ପଛରେ ଉଡୁଥିବା ଧୂଳିକୁ । କହିବେ କଣ ? ସେ ଯୁଗରେ ତ ମହାଲକ୍ଷ୍ମୀ କାରନାମା ଦେଖିଛନ୍ତି । ଏ ଯୁଗରେ ତ ତାଙ୍କୁ ଟିପରେ ଛୁଇଁ ହେବନାହିଁ । ନହେଲେ ମି ଠୁ କରିଦେବେରେ ବାବା । ତାଙ୍କୁ ସ୍ଵାଧୀନତା ଦେଇ ନିଜେ ନିଜର ଗୋଡ଼ରେ ତ କୁରାଢି଼ ମାରି ସାରିଛନ୍ତି । ବର୍ତ୍ତମାନ ଅଖା ଧୋଇ ଗୁଣ ଗାଇବା କଥା । କୁଲକୁଲିଆ ଥଣ୍ଡା ହେଲାଣି । ଶାଲଟା ପକେଇ ଯାଇ ନଥାନ୍ତା ? ଫେସନ ହେମ୍ପର ହେଇଯିବ ପରା ? ଚଉସରି ମାଳା , ଅଣ୍ଟାବିଛା , କୁନ୍ଦନ , ହୀରା ମାଳ ନୋକେ ଦେଖିବେ କେମିତି ? ହୋଓଓ ।


  ଏଣେ ମହାଲକ୍ଷ୍ମୀ ଆନନ୍ଦରେ ଆତ୍ମହରା ହେଲେଣି । ଆହା କି ସୁନ୍ଦର ଚିତା କିଲୋ ? ଏକୁ ଆରେକ ବଳି । ବଡ଼ ବଡ଼ ପଦ୍ମଫୁଲ । ମଡର୍ଣ୍ଣ ଆଇଡିଆ ଲଗେଇ ତତୋଧିକ ସୁନ୍ଦର ସୁନ୍ଦର ଫୁଲ ଡାଳ , ଲତା ପତ୍ର । ଆହା ହା । ଭକ୍ତି ବଢ଼ି ଯାଇଛି ତାହେଲେ । ଏଇ ତ ସତ୍ୟଯୁଗ । ବରଦାତ୍ରୀ ମାଆ ଭାଳିଲେ କି କି ବର ସବୁ ଦେବେ ଭକ୍ତୁଣୀ ମାନଙ୍କୁ । ଏମିତି ଭାଳୁଭାଳୁ ପଶିଲେ ଗୋଟାଏ ଘରେ । ପଦ୍ମଫୁଲରେ ଦୁଇ ପାଦ ଦେଇ ଉଭା ହେଲେ । ତାଙ୍କର ଆସ୍ଥାନ କେଡ଼େ ସୁନ୍ଦର ସଜା ହେଇଛି । ଶୁକ୍ଳ ଧାନର ଶୀଶା , ବେଣୀ , ନୁଆ ଚକଚକିଆ ମାଣ । ଧୂପ ଦୀପ ନୈବେଦ୍ୟ । ବଡ଼ ଖୁସି ହେଇ ମାଆ ମନଧ୍ୟାନ ଦେଇ ଦେଖୁଥାନ୍ତି । ପଛଆଡୁ ଆଇଲା ଭକ୍ତୁଣୀ । ପେଲିଦେଲା ତାଙ୍କୁ । ହେ , ଉଠ ଉଠ । ମୋ ଚିତା ଖରାପ ହେଇଯିବ । ଉଠ , ଫଟୋ ଉଠେଇ ଅପଲୋଡ କରିବି । ମହାଲକ୍ଷ୍ମୀ ଅବାକ୍ । ପାଟିଟା ଓଉ ଖାଇଲା ପରି ବିଚିକିଟିଆ ହେଇଗଲା । 


 ସେଠୁ ଆସି ଆଉ ଗୋଟେ ଘରେ ପଶିଲେ । ପଶୁପଶୁ କାନ ପବିତ୍ର ହେଇଗଲା । କେଡ଼େ ସୁଲଳିତ କଣ୍ଠରେ ଲକ୍ଷ୍ମୀ ପୁରାଣ ଗାଉଛନ୍ତି । ଆଖି ବୁଜି ମାଆ ଭୋଳ ହେଇ ଚାଲିଲେ କଣ୍ଠକୁ ଅନୁସରଣ କରି । ଆଖି ଖୋଲିଲା ବେଳକୁ ସାମନା କାନ୍ଥରେ ଏଡ଼େ ବଡ଼ ଟିଭି । ତା ଭିତରେ ନମିତା ଅଗ୍ରଓ୍ଵାଲ ଆଉ ଗୀତା-ଗାଉଛନ୍ତି ଲକ୍ଷ୍ମୀ ପୁରାଣ । ସୋଫା ଉପରେ ବଇଛି ତାଙ୍କର ପରମ ଭକ୍ତୁଣୀ ଜଣେ । ମଜ୍ଜି ଯାଇଛି ହ୍ଵାଟ୍ସଆପ ରେ ମେସେଜ ପଠେଇବାରେ । ଜୟ ମାଆ ଲକ୍ଷ୍ମୀ , ମାଣବସା ଗୁରୁବାର ପାଇଁ ଅଭିନନ୍ଦନ । ପାଖରେ ଯାଇ ଡାକିଲାରୁ ବି ତାର ଚେଇଁ ଶୋଇଥିବା ନିଦ ଭାଙ୍ଗିଲା ନାହିଁ । 


 ଏମିତି ଯେତେ ଘରୁକୁ ଗଲେ ତାଙ୍କୁ କେହି କଡ଼ାକର ମହତ୍ତ୍ଵ ଦେଲେ ନାହିଁ । ପଚାରିଲେ ବି ନାହିଁ । ତାଙ୍କ ହାତରୁ ଝରୁଥିବା ଅସରଫି ସବୁ ଓ୍ଵାପସ୍ ହାତ ଭିତରକୁ ବ୍ୟାକ୍ କଲେ ।


  ଶେଷକୁ ଆଇଲେ ଆରତୀ ଘରକୁ । ସେ ବି ମୋବାଇଲ ଭିତରେ ପଶି ଯାଇଛି । ଚିତା ତ ପଡ଼ିଛି । ପୂଜା ବି ହେଇଛି । 


 ଡାକିଲେ , ଅନେଇଲା ସେ ପ୍ରଶ୍ନଟିଏ ଆଖିରେ ରଖି ।


- ମୁଁ ଲକ୍ଷ୍ମୀ ।


- ହେଉ ବସ । ମୁଁ ଟିକେ ଗପଟା ପୁରେଇ ଦିଏ ।


- ମୁଁ ମହାଲକ୍ଷ୍ମୀ । ଦେବୀ ମହାଲକ୍ଷ୍ମୀ ।


- ଆଚ୍ଛା ? ହା ହା ହା । ମୁଁ ତାହେଲେ ଆଶା ପାରେଖ । ହେଲା ? 


  ମାତାଙ୍କୁ ଇଚ୍ଛା ହେଲା ମୁଣ୍ଡ ବାଡେଇ ଦେବେ କି ଆଉ ? ଏ କି ଯୁଗ ହେଲା କିଲୋ ? ସାକ୍ଷାତ ଉଭା ହେଲେ ବି ଅବିଶ୍ୱାସ ? 


 ମହାଲକ୍ଷ୍ମୀଙ୍କୁ ବଡ଼ ବିରକ୍ତ ଲାଗିଲା । ଆଉ କୁଆଡ଼େ ନଯାଇ , କ୍ଷୁର୍ଣ୍ଣ ମନରେ ସିଧା ଚାଲିଲେ ବଡ଼ ଦେଉଳକୁ । ବାଟ ସାରା ଆଡ଼ ଆଖିରେ ବି ଅନେଇଲେ ନାହିଁ ଚିତା ସବୁକୁ ।


  ରୋଷେଇ ଶାଳରେ ପଶି ଡଙ୍କା କରଚୁଲି ଉପରେ ରାଗ ଶୁଝେଇଲେ ଢଣଢାଣ କଚାଡି ନତାଡି଼ । ଦୁଇଭାଇ ଧାଇଁ ଆଇଲେ , ଆଜି ପୁଣି କିସ ହେଲାକି ବାଇ ଠାକୁରାଣୀର ।


  ବଡ଼ଭାଇ ଥରଥର କମ୍ପୁଥାନ୍ତି । 


- ହଇରେ ବଡ଼ଖିଆ ଜଗା , ଭାତ ତିଅଣ କରି ଦେଇଚୁଟି ? ଏମିତି କୋପାନଳ କାହିଁକି ହେଉଚି ତୋ ଭାରିଜା ? 


ଜଗନ୍ନାଥେ ଆସ୍ତେ କିନା ପଚାରିଲେ ,


- କଣ ହେଲା କିଏ ତମର ? ଭାତ ତିଅଣ ପା ହେଇଚି । 


ଗର୍ଜି ଉଠିଲେ ମାତେ । 


- ଫେକ୍ ସବୁ ଫେକ୍ । ମଣିଷ ଫେକ୍ , ଭକ୍ତି ଫେକ୍ , ପୂଜା ଫେକ୍ । ଆଉ ନଗ୍ର ବୁଲି ଯିବି ନାହିଁ ଆର ବର୍ଷରୁ । 


- କ୍ଷାନ୍ତ ହୁଅ ପ୍ରିୟେ । କଳିଯୁଗ ପା । ଏଇ ଯୁଗ ପା ଫେକ୍ । ସେଇଥିପାଇଁ ଆମେ ବି ଫେକ୍ ହେଇ ରହିବା । ଚୋରକୁ ମାନ ମାରି କାହିଁକି ଭୁଇଁରେ ଭାତ କୁଢେଇ ଖାଇବା ? ତୁମେ ନଗ୍ର ବୁଲି ଯିବ । ସେହିପରି ଫେକ୍ ହେଇ ।


 ଫେକ୍ ଭକ୍ତିର ଫେକ୍ ଦର୍ଶନ । 


ଫେକ୍ ବରଦାନ ।



Rate this content
Log in

Similar oriya story from Comedy