ପେଟ ପାଇଁ ନାଟ
ପେଟ ପାଇଁ ନାଟ
ଏ ଆଭା ଦିଦି ଦେଖୁବୁ ଆସେ କେମିତି ଏଠି ମହାତ୍ମାଗାନ୍ଧୀ ଛିଡା ହୋଇଛନ୍ତି। ଏହା ଗୋଟେ ଷ୍ଟେଚୁ ନା ନିଜେ ମହାତ୍ମାଗାନ୍ଧୀ !
ଆରେ ଵୋକା ମହାତ୍ମାଗାନ୍ଧୀ କେଉଁଠୁ ଆସିବେ ପୁଣି ଏ ବେଳାଭୂମିରେ ?
ନାଇ ଲୋ ଦିଦି ଦେଖ ସତସତିକା ଦିଶୁଛନ୍ତି। ଟିକେ ହଲଚଲ ନାହିଁ। ସେମିତି ଛିଡା ହୋଇଛନ୍ତି। ଆସେ ଦିଦି ତାଙ୍କ ପାଖକୁ ଯିବା। ତୁ କେତେ ଏ ସମୁଦ୍ରର ଢେଉର ଲହରିରେ ଖେଳୁଥିବୁ। ଆସେ ଦିଦି ପ୍ଲିଜ ଆସେନା। ଯିବା ପାଖକୁ। ମୁଁ ଟିକେ ଛୁଇଁପାରିବି ମହାତ୍ମାଗାନ୍ଧୀଙ୍କୁ।
ନା ନା ଯମା ଛୁଅଁନା ତାଙ୍କୁ। ରୂପେଲି ରଙ୍ଗ ତୋ ହାତରେ ଲାଗିଯିବ।
କ'ଣ ମହାତ୍ମାଗାନ୍ଧୀଙ୍କ ବର୍ଣ୍ଣ ରୂପେଲି।
କେଡେ ଗଜ ମୁର୍ଖଟା ତୁ। କଣ ମହାତ୍ମାଗାନ୍ଧୀ ଵିଷୟରେ ଜାଣିନୁ ଯେ ଏମିତି ପ୍ରଶ୍ନପଚାରୁଛୁ ? ନାଇଯେ ଦିଦି
ନାଇଯେ ଆଉ କ'ଣ !
କେବେ ମହାତ୍ମାଗାନ୍ଧୀ ଜନ୍ମଗ୍ରହଣ କରିଥିଲେ ଇହଲିଳା ତ୍ୟାଗ କରିଥିଲେ ଜାଣିଛୁ। ବର୍ଣ୍ଣବୈଶମ ନିତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ତାହାବି ଜାଣିଛୁ। ଆଉ କଣ ଜାଣିନୁ କହ ମହାତ୍ମାଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ସଵୁତ ଜାଣିଛୁ। ଆଉ କଣ ଜାଣିନୁ କହ?
ଦିଦି ତୁ କହିଲା ପରି ମୁଁ ସବୁ ଜାଣିଛି। କିନ୍ତୁ ଏ ମହାତ୍ମାଗାନ୍ଧୀ ବିଷୟରେ ଜାଣିନି। ଦିଦି ପ୍ଲିଜ କହନା ଏ ଷ୍ଟେଚୁ ନା ମହାତ୍ମାଗାନ୍ଧୀ ବେଶରେ ଛିଡା ହୋଇଥିବା ମଣିଷଟିଏ ! ଦେଖ ଆମେ ତାଙ୍କ ପାଖରେ ରହି କେତେବେଳଠୁ କଥା ହେଉଛେ ଦେଖିଲୁ ତାଙ୍କର ଆଦୌ ହଲଚଲ ନାହିଁ । ହାତରେ ବାଡି, ଆଖିରେ ସେ ଗୋଲଚଷମା, ଚନ୍ଦାମୁଣ୍ଡ, ଖଦି ବସ୍ତ୍ର ଯେମିତି ପିନ୍ଧିଛନ୍ତି ଲାଗୁଛି ସାକ୍ଷାତ ମହାତ୍ମାଗାନ୍ଧୀ ଏଠିଆସି ଛିଡା ହୋଇଯାଇଛନ୍ତି।
ଆଉ ଗୋଟେ ଜିନିଷ ଏପଟେ ସେପଟେ ଲାଗିଲାନି ତତେ ସିଲୁ ?
ନାଇତ ଦିଦି ମତେ କିଛି ଏପଟେ ସେପଟେ ଲାଗୁନି।
ଆସେ ତାଙ୍କ ପାଖକୁ ଯିବା। ଦେଖ ସେ ଯେଉଁଠି ଛିଡା ହୋଇଛନ୍ତି ତଳେ କେମିତି ଗୋଟେ ଖାଲି ପାତ୍ରଟି ଅଛି ଲୋକମାନେ ଏପଟେ ସେପଟେ ଗଲାବେଳେ ସେ ପାତ୍ରରେ ପଇସା ପକାଉଛନ୍ତି।
ତାହାହେଲେ ଦିଦି ଆମେ ପଇସାଦେବା। ମହାତ୍ମାଗାନ୍ଧୀ ଆମଠୁ କ'ଣ ପଇସା ନେବେ !
ନାଇରେ ସିଲୁ ଏମାନଙ୍କ ଜୀବିକା ଏହା। ପେଟ ପୋଷିବା ପାଇଁ କିଛି ନା କିଛି ପନ୍ଥା ଖୋଜନ୍ତି। ସିଏ ଏ ଭଳି ଗୋଟେ ପନ୍ଥା ଖୋଜିଛି। ପେଟଗଣ୍ଡାକ ପାଇଁ ଏ ଉତ୍ତପ୍ତ ବେଳାଭୂମିରେ ଘଣ୍ଟା ଘଣ୍ଟା ହୋଇ ଛିଡାହେବା କଣ ସହଜକର କଥା ! ପୁଣି ଟିକେ ହଲଚଲ ନ ହୋଇ। ଦେଖେ ସେ ଲୋକ ଆଖିର ପତାବି ପକାଉନାହିଁ। କିନ୍ତୁ ଭଲ ଭାବରେ ନଜର କର ସେ ନିଶ୍ବାସ ପ୍ରଶ୍ବାସ ନେବା ସମୟରେ ଜଣାପଡୁଛି ଜଣେ କେହି ସେହି ବେଶରେ ଛିଡା ହୋଇଛନ୍ତି।
ହଁ ଲୋ ଦିଦି ମୁଁ ଦେଖି ମୋଟେରୁ ଜାଣିପାରୁ ନଥିଲି। ହେଲେ ତାକୁ ଆଉ କିଛି ମିଳିଲାନି ଏ ରଙ୍ଗମାରି ଏମିତି ବେଶ ଧରିଛି।
ରହ ଏଠୁ ସବୁଲୋକ ଚାଲିଯାଆନ୍ତୁ। ଆମେ ତାଠୁ ଖବର ବୁଝିନେବା ସିଏ ତା ପେଟ ପୋଷିବା ପାଇଁ କାହିଁକି ମହାତ୍ମାଗାନ୍ଧୀ ବେଶ ପଡିଛି।
ଦେଖିଲୁ ଦିଦି ଅନ୍ଧାର ହୋଇଗଲାଣି। ଲୋକମାନେ ଚାଲିଗଲେଣି ଚାଲ ଆମେ ତାଙ୍କ ପାଖକୁ ଯାଇ ବୁଝିନେବା ପ୍ରକୃତ କଥା କଣ। ଏ ଦିଦି ଦେଖ ସେ କେମିତି ପଇସାତକ ଉଠାଇ ଘରକୁ ଯିବାକୁ ପ୍ରସ୍ତୁତ ହେଉଛି।
ହେ ମହାତ୍ମାଗାନ୍ଧୀ ! ଆମର ଜାତିର ପିତା ତୁମକୁ ଆମର ପ୍ରଣାମ। ତୁମେ ଜଣେ ସ୍ବାଧୀନତା ସଂଗ୍ରାମୀ। ଆମ ଦେଶ ତୁମଲାଗି ସ୍ବାଧୀନତା ପାଇଛି। ସେଥିପାଇଁ ତୁମକୁ କୋଟି କୋଟି ପ୍ରଣାମ। କିନ୍ତୁ ମୁଁ ଜାଣିବାକୁ ପାଇଲି ଆପଣ ନିଜ ପେଟ ପୋଷିବା ପାଈଁ ଶରୀରର ରଙ୍ଗମାରି ମହାତ୍ମାଗାନ୍ଧୀଙ୍କ ବେଶ ଧାରଣ କରିଛନ୍ତି ।
ହଁ...... ଠିକ୍ କଥା।
ମୁଁ ଦେହରେ ମିଛିମିଛିକା ରଙ୍ଗ ମାରିଛି। ତାର କାରଣ ଅନ୍ୟକ'ଣ ହୋଇପାରେ।
ତାର କାରଣ ଆମକୁ କୁହନ୍ତୁ ହେ ଜାତୀର ପିତା।
ମତେ ମଞ୍ଚରେ ଅଭିନୟ କରିବାକୁ ଭାରି ଭଲଲାଗେ। ଜଣେ କଳାକାର ଭାବେ କେତେବେଳେ କେଉଁ ଅଭିନୟ କରିଥାଏ । ସେଠୁ କିଛି ପଇସା ମିଳିଯାଏ। ମୋ ସଂସାର ଚାଲେ। କିନ୍ତୁ ଏ କରୋନା ଲାଗି ମୁଁ ସବୁ ଜୀବିକା ହରାଇ ବସିଛି। ଆଉ କେତେଦିନ ପେଟରେ ଓଦାକନା ପକାଇ ଶୋଇବି ! ଭାବିଲି ଜଣେ ସ୍ବାଧୀନତା ସଂଗ୍ରାମୀର ଅଭିନୟ କରିବି। ଶେଷରେ ନିଜକୁ ମହାତ୍ମାଗାନ୍ଧୀ ବେଶରେ ସମୁଦ୍ର କୂଳରେ ଛିଡା ହୋଇ ଜୀବିକା ଉପାର୍ଜନ କରୁଛି।
