Bibhu Samanta

Tragedy

4  

Bibhu Samanta

Tragedy

ପାଟ୍ଟଡୋରୀ

ପାଟ୍ଟଡୋରୀ

5 mins
212



ଶେଷ ଶ୍ରାବଣର ସଂଜ ସଳିତା


ବଉଳ ଗଛ ମୂଳରେ ଚାଲିଥିଲା ତାସ ଖେଳ। ଗୋଲମର ରାଜୁତି ଚାଲିଥିଲା ଟ୍ୱଣ୍ଟିନାଇନ ଖେଳରେ। ରାଜା ବି ହାର ମାନିଯାଏ ତା ପାଖରେ। ଖେଳଟି ବେଶ୍ ରୋମାଂଚକର ସ୍ଥିତିରେ ଥାଏ। ଅଧିକାଂଶ ଲୋକ ଘେରି ରହିଥାନ୍ତି ସେମାନଙ୍କୁ। ଆଉ କରନ୍ତେ ବା କଣ? ଏମାନେ ଯେ ବନ୍ଦୀ, ଆଉ ଏଟା ଗୋଟେ ବନ୍ଦୀଶାଳା, କାରାଗାର, ଜେଲ। ପ୍ରାର୍ଥନା ପରେ ସମସ୍ତେ ଏକାଠି ସେଇ ବଉଳ ମୂଳେ। ନିଜନିଜ ଗପ ନେଇ। ଜେଲର୍ ଆସି କହିଗଲେ, ଆଜି ରାକ୍ଷୀ ପୂର୍ଣ୍ଣିମା, ପାଖରେ ଥିବା ଶିଶୁ ମନ୍ଦିର ପିଲାମାନେ ଜେଲ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିବେ। ମୃଦୁ ଗୁଞ୍ଜରଣଟେ ଖେଳିଗଲା। ମିଶ୍ର ପ୍ରତିକ୍ରିୟାର ସଂକେତଟେ ଜଣାପଡୁଥିଲା ପରିଷ୍କାର ଭାବେ। ବାହାର ଦୁନିଆରୁ ସେମାନେ ବିଛିନ୍ନ ହୋଇ ରହିଛନ୍ତି। ନ୍ୟାୟ ଆଶାରେ, ମୁକ୍ତି ଅପେକ୍ଷାରେ। ନଜର ଯେତେ ଜୋର୍ ରେ ଧାଇଁଲେବି ସେଇ ଅଭେଦ୍ୟ କୀଲାର ନିଷ୍ଠୁର ବାସ୍ତବତା ପାଖରୁ ଫେରିଯାଏ। ଉଞ୍ଚାଉଞ୍ଚା ପାଚେରୀ ଆରପଟର ଜୀବନ ତାଙ୍କ ପାଇଁ ସ୍ବପ୍ନଟିଏ। ସେଇ ବୁଢା ଜମାଦର, ସେଇ କର୍ମଚାରୀ ଆଉ ସେଇ ଜୀବନ। କିଛି ଗୋଟେ ପରିବର୍ତ୍ତନର ଆଗମନରେ ସମସ୍ତେ ବିସ୍ମିତ। ଜେଲର୍ କହିଗଲେ, ସମସ୍ତେ ଧାଡି ବାନ୍ଧି ଠିଆ ହେବେ। ଆଉ ପିଲାମାନେ ରାକ୍ଷୀ ବାନ୍ଧିବେ। କଥାଟି ଶୁଣି ସମସ୍ତେ ଯେମିତି ଚେଇଁ ଉଠିଲେ। କଥା ନୁହେଁ ତ ମନ୍ତୁରା ପାଣି ଯେମିତି। ନିଜ ନିଜର ସାବୁନ ତେଲ ଆଉ ତଉଲିଆ ଧରି ହାଜର ହେଇଗଲେ ଗୋଟେ ବଡ ପାଣି ଟାଙ୍କି ପାଖେ ଯାହାକୁ ସେମାନେ ହାଉଜା ବୋଲି କହନ୍ତି। ଲାଗି ପଡିଲେ ନିଜକୁ ସଜେଇବାରେ। ଦେହକୁ ମାଜିଲେ ମୁହଁଟା ସିନା ସଫା ଦିଶେ ହେଲେ କର୍ମର କଳାଦାଗଟା ଦାଉଦାଉ ହୋଇ ଦିଶେ। କାହାକୁ ଦିଶେ ସେଇଟା। କିଏ ପୁଣି ଦେଖି ଅଣଦେଖା କରିଦିଏ। ନିଜ ବିଚ୍ଛଣା ତଳେ ସାଇତା ହେଇ ରଖା ହେଇଥିବା ପୁରୁଣା ତଥା ସଫା ଜାମାଟା ପିନ୍ଧି ପକେଇଲେ ସମସ୍ତେ। ଷ୍ଟିଲ ଥାଳିରେ ମୁହଁ ଦେଖି ଗୋଟାଏ ପାନିଆରେ ମୁଣ୍ଡ କୁଣ୍ଡେଇ ପକେଇଲେ ଅନେକ। କୋଠରୀ ଭିତରେ ଥିବା ଟିଭିକୁ ପୁରା ଜୋରେ ବଜେଇ ଦିଆଗଲା। ଗୋଟେ ମେଳାର ପ୍ରାକ୍ ପ୍ରସ୍ତୁତି ଯେମିତିିି। ତାସ୍ ପତିର ଗୋଲାମଟି ଆଜି ଗୋଟେ ଦିନର ରାଜା । କେତେ ଲୋକ ଆସିବେ ହସିକି ପଦେ କଥା ହେବେ ମିଠା ଖୋଇଦେବେ। ୟା ଠୁ ବଳି ଖୁସି କଣ ହେଇପାରେ ବନ୍ଦୀ ଜୀବନରେ! କେହି ତ ହେଲେ ଚିନ୍ତା କରେ ସେମାନଙ୍କ କଥା। ତାଙ୍କ ପାଇଁ ଆମେ କଣ ଆମେ ଜାଣୁନା ହେଲେ ଆମେ ପାଇଁ ସେମାନେ ରସ ସୁଡୁବୁଡୁ ଖୁସି ନେଇ ଆସୁଛନ୍ତି।


ବାଜି ଉଠିଲା ଜେଲ ଘଣ୍ଟି । ଖୋଲିଲା ସେ ବିଶାଳ ଲୌହ ଦରଜାର କ୍ଷୁଦ୍ର ଫାଟକଟି। ଭିତରକୁ ଆସିଲେ ଜେଲର୍ ସାହେବ, ଧୋବ ଫତେଇ ପିନ୍ଧା କେତେଜଣ ପୁରୁଷ ଆଉ ନାଲି ଧଡିପକା ଶାଢ଼ୀ ପିନ୍ଧା କେତେଜଣ ମହିଳା। ତାଙ୍କୁ ଦେଖି ବନ୍ଦୀମାନେ ଝାଡି ହେଇଗଲେ ଯେମିତି। ଏମିତି ଦେଖୁଥିଲେ ତାଙ୍କୁ ଯେମିତି ନିରୀହ ହରିଣୀଟେ ପଶିିଆସିଛି ଭୋକିଲା ବାଘ ଖୁଆଡକୁ। ତାଙ୍କ ପଛରେ ଛୋଟ ଝିଅ ପିଲାଙ୍କ ଲମ୍ବା ଧାଡିଟିଏ। ବାଇଗଣୀ ରଙ୍ଗର ଫ୍ରକ ସଙ୍ଗକୁ ଧଳା ରଙ୍ଗର ବ୍ଲାଉଜ। ପୁରା ସ୍କୁଲ ପୋଷାକ। ଅନେକ ଆଶଙ୍କା ବାରି ହେଇ ପଡୁଥାଏ ତାଙ୍କ ମୁଁହରୁ। ଖୁନି ବଦମାସ ମାନଙ୍କର ଜାଗା ଏଇଟା କଣ ବିଶ୍ୱାସ କାହାକୁ ଯେ? କେଜାଣି ଏମାନେ ସିନା ଛୁଅନ୍ତି ଦେହକୁ କଷ୍ଟ ହୁଏ ଆତ୍ମାକୁ। କିଛି କହିପାରୁନଥାନ୍ତି। ବାଧ୍ୟ ଛାତ୍ରୀ ସବୁ ଅନୁସରଣ କରୁଥାନ୍ତି ଗୁରୁମା ଗୁରୁଜୀଙ୍କର। କାହାରି ମନରେ ଆଗ୍ରହ ଟିକେ ନାହିଁ। କାହିଁକି ବା ଥାନ୍ତା ଯେ ଏଇ ମଣିଷ ଗୁଡାଙ୍କ ପାଇଁ। ଯେ ନିଜ ପରିବାରର ହେଇପାରିଲାନି, ସମାଜର ହେଇପାରିଲାନି। ସେ କଣ ବାନ୍ଧି ହେଇପାରିବ, ଏଇ ସାମାନ୍ୟ ଡୋରରେ। ନା କେବେ ନୁହେଁ। ମାନବିକତା, ସ୍ନେହ ,ଶ୍ରଦ୍ଧାର ଦ୍ୱାହି ଦେଇ ଯେତେ କହିଲେ ବି ମନ ମାନିବାକୁ ନାରାଜ। ହଉ, ଔପଚାରିକତା ଦୃଷ୍ଟିରୁ ଗୋଟେ ଠିଆ ହେବା କଥା। ଆନ୍ତରିକତା ଶୂନ୍ୟ ହେଇ। ସେମାନେ ବି କାହାର ଗୋଟେ ଉଦ୍ଭଟ ଚିନ୍ତାର ଚରିତ୍ର ମାତ୍ର। ଜେଲରୁ ମୁକୁଳି କେହି କଣ ଯାଇଛି ତା ଏଇ କୁନି ଭଉଣୀ ପାଖକୁ? ବୁଝିଛି କି ତା କଥା? ଓଲଟା କେଉଁ ଭିଡ କି କେଉଁ ପରିସ୍ଥିତିର ସୁଯୋଗ ନେଇ କଟୁ ମନ୍ତବ୍ୟଟେ ଦେବାକୁ ପଛାଏନି। ତାର ତ ମନେ ବି ନଥାଏ, ଯେ ଝିଅଟି ଦିନେ ଧର୍ମକୁ ସାକ୍ଷୀ ରଖି ତା ହାତରେ ମମତାର ଡୋରିଟେ ବାନ୍ଧି ଦେଇଥିଲା। ଭାଇ, ବୋଲି ଭାବି। କିଛି କ୍ଷଣ ପାଇଁ ହେଉ ପଛେ। ସେମାନେ ଆସିଲେ ଡରରେ । କେହି ଜଣେ କଳସଟିଏ ବସେଇ ବନ୍ଦାପନା କଲା। ଆଉ ଜଣେ ଝିଅ ବନ୍ଦୀଙ୍କ ମଥାରେ ଚନ୍ଦନ ସିନ୍ଦୁର ଲଗେଇଲା। ମନ ଭିତରେ କେତେ ଭାବନା ଥିଲେ ବି ଠିଆ ହେବାକୁ ପଡେ, ଏମିତି ଚୁପଚାପ ଧାଡ଼ିରେ। କିଛି ଯଦି ଏପଟ ସେପଟ ହେବ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିବ। ଆଉ ଜଣେ ଝିଅ, ରାକ୍ଷୀ ବାନ୍ଧିଚାଲିଲା। ତା ପଛକୁ ଜଣେ ମିଠା ଖୋଇଦେଉଥାଏ। ସବୁ କିଛି ହେଉଥାଏ ଆନୁଷ୍ଠାନିକ ଭାବେ। କେତେ ଜଣ ଝିଅ ଗୀତ ଗାଉଥାନ୍ତି

" ରାକ୍ଷୀ ଆସିଛିରେ, ରାକ୍ଷୀ ଆସିଛି ସେନେହ ଶରଧା ମନରେ ଭରି, ମମତାକୁ ତୁମ ହାତେ ବାନ୍ଧିଛି"

ରାକ୍ଷୀ ବାନ୍ଧୁଥିବା ଝିଅଟି ୧୨ -୧୩ବର୍ଷର ଝିଅଟିଏ, ଅଧିକାଂଶ ଆଖି ପହଁରି ଯାଉଥିଲା ତା ଦେହ ଉପରେ। ଆଖିରେ ହିଁ ଝୁଣି ଯାଉଥିଲେ ତା ଅଙ୍ଗକୁ। କିଏ ଛାତିକୁ ଦେଖୁଥିଲା କିଏ ଦେଖୁଥିଲା ଅଣ୍ଟା ତଳକୁ। ମନରେ କୁତ୍ସିତ ଭାବନା ଗୁଡା ବାରି ହେଇ ପଡ଼ୁଥିଲା ଚାହାଣୀରୁ। ବୋଧେ ସେ ବି ଅନୁଭବୀ ପାରୁଥିଲା ଏ ସବୁ। ଖୁବ ଅସ୍ୱସ୍ତି ବୋଧ ଲାଗୁଥିଲା ତାକୁ, ତରବରରେ ବାନ୍ଧି ଚାଲିଯିବାକୁ ବାହାରୁଥିଲା ସେ। ସମସ୍ତେ ଦେଖି ଚାଲିଥିଲେ ତା ଆକର୍ଷଣୀୟ ରୂପକୁ। ମନକୁ କିଏ ପଚାରେ ଯେ। ସେ ତ ଅଛୁଆଁ ହେଇ ରହିଛି ବହୁଦୂରରେ। ସମସ୍ତଙ୍କ ଉର୍ଦ୍ଧରେ। ଏଠି ସେ କଥାର ମାନେ କିଛି ନୁହଁ। ଜଗା ପାଖେ ଆସି ପହଁଚିଲା ସେ ରାକ୍ଷୀ ନେଇ। ତାକୁ ଅଟକେଇଦେଲା ସେ। ସମସ୍ତଙ୍କ ସାମ୍ନାରେ, ବଡ଼ବଡ଼ ଆଖିରେ ଚାଁହୁଥାନ୍ତି ଜେଲର୍ ସାର, କର୍ମଚାରୀ, ସ୍କୁଲ କତ୍ତୃପକ୍ଷ। କିଛି କ୍ଷଣ ଆଗରୁ ଝିଅଟି ନାଁରେ ଚାପା ଇଙ୍ଗିତଟିଏ ଏବେ ଜଗା ଆଡକୁ ମୁହାଁଇଲା। ଗୋଟେ ପ୍ରକାର ସ୍ଥିର ହେଇଗଲା ଯେ ଜଗା ଆଜି ମାଡ ଖାଇବାଟା ନିଶ୍ଚିତ। ଝିଅଟି ବି ସ୍ଥାଣୁ ପରି ଅଟକି ଯାଇଛି ସେଇଠି। ଧାଡିରୁ ବାହାରି ଆଗକୁ ଆସିଲା ଜଗା ଠିକ ଝିଅର ସାମ୍ନାରେ ଠିଆ ହେଲା। ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବସି ପଡ଼ିଲା ଝିଅର ପାଦ ପାଖେ। ଆଉ ବାନ୍ଧିଦେଲା ତା ଜୋତାର ଫିଟି ଯାଇଥିବା ଲେସକୁ। ବାରମ୍ବାର ଗୋଡ଼ରୁ ବାହାରି ଯାଉଥିବା ଜୋତାଟି ପାଇଁ ସେ ହଇରାଣ ହେଉଥିଲା କେତେ। କାହା ଆଖିକୁ ଏଇଟା ଦିଶୁନଥିଲା।ସେ କହିଲା ,ଭାଇ କଣ କଲ ତମେ? ମୁଁ ସାନ ତମେ ମୋ ପାଦ ଛୁଇଁଲ । ଜଗା ହସିକି କହିଲା, ଭଉଣୀର କଷ୍ଟଟା ଦିଶେ ଭାଇକୁ ଆଗେ ସବୁବେଳେ। ଠିକ ତୋ ପରିକା ଭଉଣୀଟେ ମୋର ବି ଅଛି। ତାକୁ କଣ ମୁଁ ଏମିତି ଦେଖିପାରିଥାନ୍ତି କି? କଥା ଏମାନେ ହେଉଥିଲେ ଉତ୍ତର ସମସ୍ତଙ୍କୁ ମିଳି ଯାଉଥିଲା। ଜେଲର୍ ବି ଚୁପ ଥିଲେ। ହସିଦେଇ ଫେରିଗଲା ଝିଅଟି। ଆଉ ସେମାନେ ଲେଉଟିଗଲେ କିଛି ଅନୁଭୂତି ନେଇ। କେଜାଣି ପୁଣି କେବେ ଦେଖା ହେବକି ନାଇଁ, ଜଗାର ସେ ଝିଅ ସାଙ୍ଗେ?ସମସ୍ତେ ଧାଡି ଭାଙ୍ଗି ଯେ ଯାହା କୋଠରୀକୁ ଗଲେ। ପିଲାମାନେ ବି ଭିତର ପଟ ଫାଟକ ପାଖେ ପହଁଚି ସାରିଲେଣି। ଜଗା ଗଲା କିଛି ସମୟ ବସିବାକୁ ସେଇ ବଉଳ ମୂଳକୁ। ଏଇଠି ସେ ହିସାବ କରେ ମୂଲ୍ୟବୋଧକୁ। ସନ୍ତୁଳୁ ଥାଏ ମାନବିକତାର ମାପକାଠିରେ ନିଜକୁ। ହଠାତ ଫାଟକ ପାଖରୁ ଧାଇଁ ଆସିଲା ଝିଅଟା। ଆଉ ଲୁହ ଭିଜା ଆଖିରେ କହିଲା, ଭାଇ ମୁଁ ମୁଣ୍ଡିଆ ମାରିବାକୁ ଭୁଲିଯାଇଥିଲି। ଏତିକି କହି ଜଗା ପାଦରେ ମୁଣ୍ଡ ଲଗେଇଦେଲା। ତା ପଛେ ସବୁ କର୍ମଚାରୀ ଆଉ ସ୍କୁଲ ଗୁରୁଜୀ ବି। କଣ କହିବ ତାକୁ! ତାକୁ ଉଠେଇଲା ଜଗା। ଆଖିରେ ଆଖିଏ ଲୁହ ଝିଅଟିର। କେଜାଣି କେମିତି ଜଗା ବି ଓଦା ହେଇ ସାରିଥିଲା ସେ ଲୁହରେ। ମୁଣ୍ଡ ଆଉଁସି ଦେଇ କହିଲା ଖୁସିରେ ଥା ସବୁବେଳେ। ଚାଲିଗଲା ସେ ଜଗା ବସି ରହିଲା ସେମିତି। 

ମନେପଡୁଥିଲା ତା ଭଉଣୀ ଲିସା କଥା, ଦିଟା ଭାଇରେ ଗୋଟେ ଭଉଣୀ ସେ। ଭାରି ଗେଲ୍ହା। ଜଗାର ଜୀବନ ସେ। ତା କଥା ଜଗା ଜମା କାଟିପାରେନି। ଭାରି ମନେ ପଡେ ତାର ଛୋଟ ଅଳି ଗୁଡାକ। ସେ ଯେମିତି ଫୋନ କରି କହେ, "ଭାଇ ଆଜି ଅଫିସରୁ ଫେରିଲା ବେଳେ ମୋ ପାଇଁ ଚାଟ ଆଉ ଚୌମୀନ ନେଇ ଆସିବୁ। ନହେଲେ ଦେଖିବୁ।" ନ ନେବାର ବାଟ ନାହିଁ। ଯେମିତି ହେଲେ ବି ନେଇକି ଯାଏ ସେ। ଏଇ ଜେଲ୍ ଆସିବା ପରଠୁ, ସବୁ ଅଳି ଅଝଟ ବନ୍ଦ ହେଇଯାଇଛି ତାର। ମା କହୁଥିଲା ,ତାକୁ ଦେଖିବାକୁ ଆସିବାକୁ ଡାକିଲାରୁ ମନା କରିଦେଲା ସେ। କେଜାଣି, କଣ ତାର ଏମିତି ଭୁଲ କରିଦେଲା ସେ?

ସେଇ ସମୟରେ ଫାଟକ ପାଖେ ଥିବା ଝରକାରୁ କେହି ଜଣେ ଡାକିବା ପରି ଲାଗିଲା। ଧାଇଁଗଲାସେ ।

ଏକଥା ନ ଜାଣି ଯେ ତାକୁ କି ଆଉ କାହାକୁ ଡାକିଛନ୍ତି। ବୋଧେ, ଆଜି ମାଡ଼ ଖାଇବ ସେ। ଅନୁଶାସନ ଭଙ୍ଗ ଅଭିଯୋଗରେ। ହଉ, ଯାଉ ଆଗେ ସେ। ଯାଉ ଯାଉ ଜେଲର୍ ସାର୍, ଡାକିନେଇଗଲେ ଅଫିସକୁ। ଆଉ କହିଲେ, ତମ ପାଇଁ କେହି ଜଣେ କିଛି ଦେଇଗଲେ। ଏତିକି କହି ପାକେଟଟେ ବଢ଼େଇ ଦେଲେ ତା ହାତକୁ। ଖୋଲି ଦେଖିଲା, ରାକ୍ଷୀ ଟିଏ। ଲେଖା ଥିଲା, "ମୋ ଜଗା ଭାଇ"। ତଳେ ଲେଖାଥିଲା "ଲିସା"। ଜଗା ପଚାରିଲା, ଆମ ଘରୁ କଣ କେହି ଆସିଥିଲେ?  ଜେଲର ସାର, ମନା କଲେ। ସେ ଦେଖିଲା ମୁଖ୍ୟ ଫାଟକ ଆଡକୁ। ହସୁଥିଲା ସେଇ ସ୍କୁଲ ଝିଅଟି। ସତରେ, ସେ ରାକ୍ଷୀ ବାନ୍ଧିବାକୁ ଭୁଲି ଯାଇଥିଲା। ଲୁହରେ ଭିିଜୁଥିଲା ଜଗାର ଆଖି। ଫେରିଗଲା ଝିଅଟି। ଶେଷ ଶ୍ରାବଣର ସୂର୍ଯ୍ୟଟି ନଇଁ ଆସୁଥିଲା ଆକାଶରେ। ଜଗା ଫେରୁଥିଲା ତା କୋଠରୀକୁ ଅନେକ ସ୍ମୃତି ନେଇ। ଭାଙ୍ଗିଯାଇଥିବା ମନକୁ ପୁଣି ସଜାଡୁଥିଲା ସେ ସଫା ସାର୍ଟକୁ ଭଲକି ଚୌତି ରଖୁଥିଲା ଆସନ୍ତା ବର୍ଷ ରାକ୍ଷୀ ପୁନେଇ ପାଇଁ।


Rate this content
Log in

Similar oriya story from Tragedy