ପାଠ ଆଉ ପାଠ
ପାଠ ଆଉ ପାଠ
ଆଜି ବିସ୍ମୟର ପିଲାବେଳ କଥା ମନେ ପଡୁଥିଲା।ବାପା ସବୁବେଳେ ଖାଲି ପାଠ ଆଉ ପାଠ କଥା କହୁଥିଲେ।
ସାଙ୍ଗ ପିଲମାନେ ସମସ୍ତେ ଖେଳୁଥିଲା ବେଳେ ସେ ଟିଉସନ କରୁଥିବ।ସାଙ୍ଗମାନେ ହୋଲି ଦିଓ୍ବାଲି ପର୍ବର ମଜା ନେଲାବେଳେ ତାକୁ ସସବୁ ବେକାର କାମ ବୋଲି ମନାକରାଯାଏ।ଦୁର୍ଗାପୂଜା ଛୁଟିହେଉ ବା ଖରାଛୁଟିହେଉ ତାକୁ କୌଣସି ଗୋଟେ କୋର୍ଷ କରିବାକୁ ଜୁଟାଇ ଦେବେ।ତା ଜୀବନରେ ଫୁର୍ସତ ଟିକେ ନଥିଲା ଅବସର ବିନୋଦନ ପାଇଁ ।ନାଚ ଗୀତ ଗପ କବିତାରେ ମନ ଡାକୁଥିଲେ ବି ଦୂରେଇ ରହୁଥିଲା ବାପାଙ୍କ ଡରରେ।ସବୁବେଳେ କ୍ଲାସରେ ଫାଷ୍ଟ ହେବାକୁ କୁହାଯାଏ।ସବୁ ବିଷୟକୁ ତାର ଟିଉସନ ମାଷ୍ଟର ଯୋଗାଡ କରି ରଖିଥାନ୍ତି।ପିଲାମାନେ ମାମୁଁଘର ମାଉସୀଘର ବା ଦର୍ଶନୀୟ ସ୍ଥାନ ବୁଲିବାକୁ ଗଲାବେଲେ ସେ ଘରଭିତରେ ରହି ପଢାପଢିରେ ବ୍ୟସ୍ତଥାଏ।ଖେଳକୁଦ ବ୍ୟାୟାମ ତା ପାଇଁ ଜିରୋ ଥିବାରୁ ସେ ପ୍ରାୟତଃ ରୋଗିଣା ରହୁଥିଲା ।
ରୋଗ ପ୍ରତିରୋଧକ ଶକ୍ତି ତାର ଜିରୋ ଥିଲା।ଟିକେ କୌଣସି ରୋଗୀ ସଂସ୍ପର୍ଶରେ ଆସିଲେ ସଂକ୍ରମିତ ହେଇଯାଉଥିଲା।କାଶ ସର୍ଦି ପ୍ରାୟ ଲାଗି ରହୁଥିଲା ତାର।ସାଙ୍ଗମାନେ ସବୁ ତାକୁ ଗ୍ରନ୍ଥକୀଟ କହୁଥିଲେ।ହେଲେ ସେ ବାଧ୍ୟ ହୋଇ ଗ୍ରନ୍ଥକୀଟ ବନିଥିଲା।ତା ଜୀବନରେ ସ୍ବାଧିନତା ନଥିଲା।ସେ ସବୁବେଳେ ଭାବୁଥିଲା କେବେ ଶୀଘ୍ର ବଡ ହେବ ଓ ବାପାଙ୍କଠୁ ଦୂରକୁ ଯାଇ ନିଜ ମନ ପସନ୍ଦର ସ୍ବଚ୍ଛନ୍ଦ ଜୀବନ ଜୀଇଁବ।ବାପା ଚାହୁଁଥିଲେ ସେ ତାଙ୍କ ଅଫିସରଙ୍କ ପୁଅପରି ବିଦେଶ ଯାଉ ବଡ ଚାକିରିକରୁ।ବାପା ଜଣେ କିରାଣୀ ଥିଲେ କିନ୍ତୁ ପୁଅକୁ ବଡ ପୋଷ୍ଟରେ ଦେଖିବାର ଅଭୀପ୍ସା ଥିଲା। ।ସେଥିପାଇଁ ସେ କିଛି ସଂଚୟ ନକରି ସବୁଦରମା ତା ପଢାର ଉପକରଣ ଟିଉସନ କୋଚିଂ ପ୍ରଭୃତିରେ ବିନିଯୋଗ କରିଦେଉଥିଲେ।ପୁଅକୁ ସେ ନିଜର ବ୍ୟାଙ୍କ ବୋଲି କହୁଥିଲେ।ଆଜି ତାପାଇଁ ଯାହା ଖର୍ଚ୍ଚ କରୁଛନ୍ତି କାଲି ତାର ଚକ୍ରବୃଦ୍ଧି ସୁଧ ପାଇବେ ବୋଲି ଆଶାଥିଲା ତାଙ୍କର।
ବିସ୍ମୟବି ବାପାଙ୍କ ଆଶାନୁରୂପେ ଫଳ ଦେଉଥିଲା।ସବୁବେଳେ ଟପ୍ପର ହେଉଥିଲା।ବାପାଙ୍କ ଛାତି କୁଣ୍ଡେ ମୋଟ ହେଇଯାଉଥିଲା ସେତେବେଳେ।ନିଜଠୁ ବଡ ଅଫିସରମାନଙ୍କୁ ଯେତେବେଳେ ପୁଅର ପ୍ରତିଭା ଜଣାଉଥିଲେ ସେମାନେ ତାଙ୍କୁ ବଡ ଭାଗ୍ୟବାନ ବୋଲି କହୁଥିଲେ।ନିଜ ପୁଅଝିଅଙ୍କୁ ସେମାନେ ସବୁ ସୁବିଧା ଦେଇବି ଏତେ ନମ୍ବର ଆଣିପାରୁନାହାଁନ୍ତି ବୋଲି ଅବସୋସ କରୁଥିଲେ।ବିସ୍ମୟ ଆଇଆଇଟି ଇଞ୍ଜିନିୟରିଂ କଲା ଖଡଗ୍ପୁରରେ।ବଡ କଷ୍ଟରେ ତା ବାପା ତାକୁ ଏ ପାଠ ପଢାଇଥିଲେ।ଏବେ ସେ ଆମେରିକାରେ ଏକ ବଡକମ୍ପାନୀରେ ମେନେଜର ଅଛି।ସାତ ବର୍ଷ ହେଲାଣି ଘରକୁ ଯାଇପାରିନି।କାମର ବୋଝ ବହୁତ।ଏଠି ପିଲାମାନେ ଜମି ଯିବାପରେ ଭାରତ ଫେରିବାକୁ ନାରାଜ।ସୁମୀ ବାପା ବେଶି ଯୌତୁକ ଦେଲେ ବୋଲି ନିଜ ପସନ୍ଦରେ ବୋହୁକରି ଆଣିଲେ।
ସୁମୀବି ଜଣେ ଇଞ୍ଜିନିୟର ହେତୁ ତା ଅଫିସ କାମରେ ବ୍ୟସ୍ତ ରହୁଛି।ବୋହୁ ପରଷା ଖାଇବା ସୁଖବି ପାଇଲେନି କେବେ ବାପା ମାଆ।ବାପା ଏତେ ପାଠ ପଢାଇ କୋଉ ସୁଖ ପାଇଲେ କେଜାଣି?
ତାକୁ ତା ନିଜ ବନ୍ଧୁ ବର୍ଗଠୁ ଦୂର କରିଦେଲେ।ଅଜାଆଈ ମାଉସୀ କାକା ଫୁଫୁ କାହାରି ଘରକୁୁ ପିଲାବେଳେ ଯାଇପାରିଲାନି।ତେଣୁ ଶେଷରେ ସେ ଅସାମାଜିକ ଏକାକୀ ହେଇଗଲା। ଆପଣାର ଲୋକଙ୍କ ଭଲ ପାଇବାଠୁ ବଞ୍ଚିତ ହେଇ ରହିଗଲା ତା ପିଲାବେଳ।ଏବେ ନିଜ ପିଲାକୁ ସେ ପୂରା ସ୍ବଚ୍ଛନ୍ଦ ଜୀବନ ଦେଇଛନ୍ତି।ନିଜମନ ପସନ୍ଦର ପାଠ ଶାଠ ସବୁ ଶିଖୁଛନ୍ତି।ଖେଳକୁଦ ,ସନ୍ତରଣ ଗୀତ ନାଚ ସବୁ ଶିଖୁଛନ୍ତି।ଯୋଉଠାକୁ ଚାହିଁଲେ ବୁଲି ଯାଉଛନ୍ତି।ତାସଂଗରେ ନିରୋଗ ରହିବା ସହିତ ଭଲ ପାଠବି ପଢୁଛନ୍ତି। ଏଠି ତାଙ୍କର ସାଙ୍ଗ ସାଥି ସମସ୍ତେ ଥିବାରୁ ଭାରତ ଯିବାକଥା କହିଲେ ଯିବାକୁ ଅମଙ୍ଗ ହୁଅନ୍ତି।ସେ ବା କଣ କରିବେ।ସେ ତ ନିଜେ ଏମିତି ଜୀବନ ଚାହୁଁନଥିଲେ।ସେ ନିଜ ଦେଶରେ ରହି କିଛି ଛୋଟ ମୋଟ ଚାକିରି କରି ଲେଖାଲେଖିରେ ସମୟ ବିତାଇଥାନ୍ତେ।ସାହିତ୍ୟ ପ୍ରତି ତାଙ୍କର ବହୁତ ରୁଚି ଥିଲା।ଗାଆଁ ପରିବେଶ ବଣ୍ୟ ପ୍ରକୃତିରେ ସେ ବଢିଥିବାରୁ ସବୁବେଳେ ଏଠି ଝୁରିହୁଅନ୍ତି ସେସବୁକୁ।ହେଲେ ସବୁ ସୁଖ ତ ଏକତ୍ର ମିଳେନାହିଁ?ବିଦେଶର ବଡ ଚାକିରୀକୁ ଲୋଭକଲେ ଗାଁ ମାଟିର ସୁଖ ଭୁଲିିବାକୁ ପଡିବ।ମାଆ ବାପାଙ୍କୁ ଭୁଲିବାକୁ ପଡିବ।ବୁଢା ବୟସରେ ବାପା ମାଆ ଗାଁରେ ଅନ୍ୟର ଆଶ୍ରୟନେଇ ରହୁଛନ୍ତି।ସେ କିଛି ଟଙ୍କା ତାଙ୍କ ଏକାଉଣ୍ଟରେ ଜମାକରି ପୁତ୍ରର କର୍ତ୍ତବ୍ୟ ସାରିଦେଉଛନ୍ଥି।ବାପା ଯେବେ କୁହନ୍ତି ତୁ ଫେରିଆ ଭାରତ ସେତେବେଳେ ଉତ୍ତର ଦିଅନ୍ତି।ବାପା ମୁଁ ତ ଏତେ ପାଠପଢିବା ଚାହୁଁନଥିଲି କି ବିଦେଶ ଯିବାର ମୋର ଆଗ୍ରହ ବି ନଥିଲା ତୁମେ ନିଜେ ତୁମ ଅଫିସରଙ୍କ ପିଲାଙ୍କ ସହ ତୁଳନାକରି ଯୋରକଲ ଖାଲି ପାଠ ପଢ ବୋଲି।ମୋର ଶୈଶବର ସବୁ ସୁଖ ଛଡାଇ ନେଲ ଏ ପାଠ ପାଇଁ।ଏବେ ମୋ ପରିବାର ଏଠି ଜମିଗଲେଣି।ଏ ପରିବେଶ ଛାଡି ଅନ୍ୟତ୍ର ଚଳିପାରିବେନି ।ମୁଁ ଏବେ କଣକରିବି କୁହ?
ମୋର ଏଥିରେ ଦୋଷ ରହିଲା କୋଉଠି?ବାପା ନିରୁତ୍ତର ହେଇଯାନ୍ତି ସେତେବେଳେ।କଣ ବା କରିବେ ନିଜ କର୍ମର ଦଣ୍ଡ ପାଉଛନ୍ତି।ଆଜି ମାଆ ଫୋନ କରିଥିଲେ ବାପା ତାକୁ ମନେପକେଇ ପକେଇ ଚାଲିଗଲେ ବୋଲି।ସେତେବେଳେ ପିଲାବେଳରୁ ଆଜିଯାଏ ସବୁ ସ୍ମତି ଗୋଟି ଗୋଟି ମନେ ପଡୁଛି ଚଳଚିତ୍ର ପରି ଦୃଶ୍ୟମାନ ହେଉଛି ଚକ୍ଷ୍ୟୁ ପରଦାରେ। ସେ ହତଭାଗା ବାପାଙ୍କ ଶେଷ ଦର୍ଶନ ବି କରିପାରିଲାନି |
