Padmalaya Padhy

Tragedy

4.1  

Padmalaya Padhy

Tragedy

ପାସପୋର୍ଟ

ପାସପୋର୍ଟ

6 mins
369



ନୂଆ ଘରଟିକୁ ଆସି ମୁଁ ରହିବା ପରଠୁ ପ୍ରତିଦିନ ଦେଖେ ସାମ୍ନା ଘରର ସେଇ ମଉସା ମାଉସୀ ଦୁହେଁ ଟିକିଏ ଟିକିଏ ବାହାରକୁ ଆସି ମୁହଁ ଦେଖାଇ ଭିତରକୁ ଚାଲି ଯାଆନ୍ତି l ଆସୁଥିବେ ଛୋଟିଆ ମୋଟିଆ କାମ ଟିକେ ଟିକେ କରି ପୁଣି ଘର ଭିତରକୁ ଫେରି ଯାଉଥିବେ l ସବୁବେଳେ ଦେଖି ଭାବେ ଦୁହିଁଙ୍କ ବୟସ ଅଶୀ ପାଖାପାଖି ହେବ l ଏ ବୟସରେ କେମିତି ଏକୁଟିଆ ରହିଛନ୍ତି ପାଖରେ ଜଣେ ବି କେହି ନାହିଁ l ଅବସ୍ଥା ଦେଖିଲେ ତ ସ୍ଵଛଳ ଲାଗୁଛି ପାଖରେ ଗୋଟେ ଦିଟା ଲୋକ ରଖି ଆରାମରେ ଚଳିବା କଥା l ଗୋଟିଏ ମାତ୍ର କାମବାଲୀର ହାତ ଟେକାକୁ ଚାହିଁ ରହିବାକୁ ପଡୁଛି l ହେଲେ ମନର କଥା ମନରେ ହିଁ ରହିଯାଏ l ଦିନେ ଦେଖିଲି ସେ ଘରର ମଉସା ମାଉସୀ ଦୁହେଁ ଗୋଟିଏ ଅଟୋ କରି କୁଆଡେ ଯିବାକୁ ବାହାରିଛନ୍ତି l ବୋଧେ ଦେହ ଭଲ ନାହିଁକି କଣ ହସ୍ପିଟାଲ ଯାଉଥିବେ ଭାବି ପଚାରିଲି –


–ମାଉସୀ କୁଆଡେ ଯାଉଛନ୍ତି କି ?

–ହଁ ଲୋ ଝିଅ ପୋଷ୍ଟ ଅଫିସକୁ ଯିବୁ l


ଭାବିଲି ଆଜିକାଲି ପୋଷ୍ଟ ଅଫିସରେ ଗୁଡ଼ାଏ ଯୋଜନାରେ ଲୋକଙ୍କୁ ଟଙ୍କା ଖଟେଇବାକୁ କୁହା ଯାଉଛି ଏମାନେ ବୋଧେ ସେଥିପାଇଁ ଯାଉଥିବେ କି କିଛି ଚିଠି ପତ୍ର ପୋଷ୍ଟ କରିବାକୁ ଥିବ l ଏଇଟା ଯେହେତୁ ତାଙ୍କର ବ୍ୟକ୍ତିଗତ ବ୍ୟାପାର ତେଣୁ କିଛି ନକହି ଚୁପ ରହିଲି l କାରଣ ମୋର ସାହାଯ୍ୟ ନଲୋଡିଲେ ମୁଁ କାହାରି ମାମଲାରେ ହସ୍ତକ୍ଷେପ କରେ ନାହିଁ l ମଉସା ମାଉସୀ ଦୁହେଁ ପୋଷ୍ଟ ଅଫିସ ଚାଲିଗଲେ l


ମୁଁ ମୋ କାମଦାମ ସାରି ଖାଇପିଇ ଖରାବେଳେ ଶୋଇବାକୁ ଯାଉଛି ଦିନ ପ୍ରାୟ ଦୁଇଟା ହେବ ଅଟୋ ହର୍ଣ୍ଣ ଶୁଣି ଆସି ଦେଖେତ ମଉସା ମାଉସୀ ଦୁହେଁ ଅଟୋରେ ଆସି ତାଙ୍କ ଘର ସାମ୍ନାରେ ଓଲ୍ହାଇଲେ l ଥୁରୁ ଥୁରୁ ହୋଇ ଦୁହେଁ ଓଲ୍ହାଇବା ପରେ ମାଉସୀ ଜଣକ ବ୍ୟାଗରୁ ଚାବି ନେନ୍ଥାଟି ବାହାର କରି ଅତି କଷ୍ଟରେ ଆଗେଇଲେ ଖୋଲିବା ପାଇଁ କିନ୍ତୁ ମଉସା ତ ଚାଲିବାକୁ ବି ଅକ୍ଷମ ଥିଲା ଭଳି ଲାଗୁଥିଲେ l


ମୁଁ ବାହାରକୁ ଆସି ଉଭୟଙ୍କୁ ଡାକି ଆଣିଲି ମୋ ଘରକୁ l ଟିକିଏ ଆରାମରେ ବସନ୍ତୁ ଦୁହେଁ l ଜୁସ ଦୁଇ ଗ୍ଲାସ ଆଣି ନାହିଁ ନାହିଁ କରୁଥିଲେ ବାଧ୍ୟ କରି ପିଆଇଲି l ମଉସା ତ କଥା ବି ଭଲରେ କହି ପାରୁ ନଥାନ୍ତି l


–ମାଉସୀ ପୋଷ୍ଟ ଅଫିସରେ ବେଶୀ ଗହଳି ଥିଲାକି  ?

–ନାହିଁ ଲୋ ମା ଟୋକେନ କରିଛନ୍ତି l

–ତେବେ ଆପଣ ମାନଙ୍କୁ ଏତେ ସମୟ ଲାଗିଲା ଯେ ?

–ସନ୍ତକ ପରା ହେଇ ପାରୁ ନଥିଲା ସେଥିପାଇଁ…l

–କୋଉଥିରେ ସନ୍ତକ ହୋଇ ପାରିଲାନି ?


ମାଉସୀ ସେଇଠୁ ଟିକିଏ ସଜଡା ସଜଡ଼ି ହୋଇ ବସି ଆରମ୍ଭ

କଲେ l


–ପାସପୋର୍ଟ କରିବାକୁ ଯାଇଥିଲୁ…ଆମେ ଯିବାକୁ ଅଛି ନା ସେଥିପାଇଁ…l ଆମର ସନ୍ତକ ହେଉ ନଥିଲା l ହାତ ଥରୁଥିଲା l ତେଣୁ ସେମାନେ କହିଲେ ଖାଇକି ଆସିନାହାନ୍ତି ଯଦି ଯାଆନ୍ତୁ ଖାଇ ଆସନ୍ତୁ l ଦେହରେ ବଳ ନଥିବାରୁ ହାତ ଥରୁଛି l କୁଆଡେ ଆଉ ଯିବୁ ଲୋ ଝିଅ ? ଚାଲି ପାରୁନାହୁଁ ଖାଇବା ପାଇଁ କୁଆଡେ ଯିବୁ ?


–ଆପଣଙ୍କର ଅଟୋବାଲା ଥିଲା ପରା ?

–ସିଏ ନଥିଲା l ଆମକୁ ଛାଡି ସେ ମଝିରେ କୁଆଡେ ଚାଲି ଯାଇଥିଲା l କେତେ କଷ୍ଟରେ ଗୋଡ଼ ହାତ ଧରି କହିଲୁ ଯେ ଯେମିତି ହେଲେ ଆମର ଗୋଟେ ପାସପୋର୍ଟ କରିଦିଅ ବୋଲି l ପାଣି ଗ୍ଲାସ ଗୋଟେ ଗୋଟେ ଦେଲେ ତା ପରେ ବହୁତ ଚେଷ୍ଟା କଲା ପରେ ଯାଇ ସନ୍ତକଟି କରି ହେଲା l


ଏତେସବୁ କଥା ଶୁଣି ମୁଁ ଛାନିଆ l ଏ ବୟସରେ ଦୁଇ ଜଣ ଯାକ ଏତେବେଳ ଯାଏଁ ଖାଇ ନାହାନ୍ତି ? ମୋ ଘରେ ମୁଁ ଜଣେ ଲୋକ ତେଣୁ ଜଣକ ପାଇଁ ରୋଷେଇ ହୁଏ ସରିଗଲେ ବାସନ କୁସନ ସଫା l ଫ୍ରିଜରେ ଦେଖିଲି ଆପଲ କେତୋଟି ଅଛି ତାକୁ ହିଁ ସଫା କରି ଆଣି କାଟିକି ଦେଲି l ଦୁହେଁ ଏଥରକ ଆଉ ମନା ନକରି ବିନା ବାକ୍ୟ ବ୍ୟୟରେ ଖାଇଲେ l ମୁଁ କହିଲି –


–ଆପଣ ମାନେ ମୁହଁ ହାତ ଧୋଇ ବସିଥାନ୍ତୁ ମୁଁ ଯାଇ ଖିଚଡି ଟିକିଏ କରି ଆଣୁଛି l ଏତିକି କହି ଯାଇ ବାଥରୁମ ଦେଖାଇ ଦେଲି l ମଉସା ଜଣକ ତ ଚାଲି ପାରୁ ନଥାନ୍ତି l ମାଉସିଟି ଯିଏ କି ତାଙ୍କଠାରୁ ଦୁଇ କି ତିନି ବର୍ଷ ସାନ ହୋଇଥିବେ ତାଙ୍କୁ ଧରା ଧରି କରି ବାଥରୁମକୁ ନେଇ ଗଲେ l ସେଇଠୁ ଫେରି ଆସି ବସିଲେ ସିନା କିନ୍ତୁ ସେମାନଙ୍କ ଦେହରୁ ଖରାର ପ୍ରକୋପ ଆହୁରି କମିଲା ଭଳି ଲାଗୁ ନଥାଏ l କାରଣ ପୋଷ୍ଟ ଅଫିସ ମୋ ଘର ଠାରୁ ପାଞ୍ଚ ଛଅ କିଲୋମିଟର ଦୂରରେ ଅବସ୍ଥିତ l ଗଲା ବେଳେ ବେଶୀ ଖରା ନଥିଲା କିନ୍ତୁ ଆସିଲା ବେଳକୁ ମୁଣ୍ଡ ଉପରେ ଟାଣ ଖରା l ସେଥିରେ ପୁଣି ଏତେବାଟ ଅଟୋରେ ବସି ଖରା ଧାସକୁ ସାମ୍ନା କରି ଆସିଛନ୍ତି l


ଖିଚିଡି ଖାଇ ସାରିବା ପରେ ମୁଁ କହିଲି ଚାଲନ୍ତୁ ମୁଁ ଆପଣ ମାନଙ୍କୁ ନେଇ ଘରେ ଛାଡ଼ିଦେବି l ସେମାନଙ୍କୁ ନେଇ ଚାବି ଖୋଲି ତାଙ୍କ ଘରେ ଛାଡିଦେଲି ସିନା ସେମାନେ କିନ୍ତୁ ମୋତେ ଛାଡିଲେ ନାହିଁ l ମୁଁ କିଏ ମୋ ବାପା ମାଆ କିଏ ମୁଁ କାହିଁକି ଏକୁଟିଆ ରହିଛି ବିବାହ କରିନାହିଁ ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ପଚାରି ସାରି ଏକୁଟିଆ ରହିବାର ଖରାପ ଦିଗ ଗୁଡିକ ସବୁ ପୁଙ୍ଖାନୁପୁଙ୍ଖ ବତାଇବାକୁ ଆରମ୍ଭ କଲେ l ଏମାନଙ୍କ କଥା ଶୁଣି ମୋ ମୁଣ୍ଡ ଖରାପ ହୋଇଗଲାଣି l ମାଉସୀ କହିଲେ –


–ମାଆଲୋ ! ତୋତେ ଏମିତି ଏକୁଟିଆ ରହିବାର ଦୁର୍ବୁଦ୍ଧି କିଏ ଦେଲା ? ଯିଏ ବି ଦେଇ ଥାଉ ନା କାହିଁକି ସିଏ ନିଜେ ବାହାସାହା ହୋଇ ଆରାମରେ ଥିବ ଆଉ ତୁ ଏମିତି ରହିଗଲୁ ?

–ମୁଁ ନିଜ ଇଚ୍ଛାରେ ରହିଛି ମାଉସୀ l ମୋତେ ସ୍ୱାଧୀନତା ବେଶୀ ପସନ୍ଦ l କାହାରି ପାଦ ତଳେ ମୁଁ ପରାଧୀନତାର ଜୀବନ କାଟି ପାରିବି ନାହିଁ l

–ଇଏ କି କଥା କହୁଛୁ ଲୋ ମା ? ଆମେ ସବୁ କଣ ପରାଧୀନ ? ଆମେ କଣ ବାହା ହୋଇ ଦୁଃଖରେ ଅଛୁ ?


ଏଥର କଥାର ମୋଡ଼ ବଦଳାଇବା ପାଇଁ କହିଲି –

–ଆଛା ମାଉସୀ ତୁମେ ଓ ମଉସା ପାସପୋର୍ଟ କରି କୁଆଡେ

 ଯିବ ?

ମାଉସୀଙ୍କୁ ମୁହଁରେ ଗୋଟିଏ ମିଠା ହସ ଖେଳିଗଲା l ମଉସା ଜଣକ ନହସିଲେ ବି ତାଙ୍କ ମୁଖ ମଣ୍ଡଳରୁ ଏକ ପରିତୃପ୍ତିର ଝଲକ ବାରି ହୋଇ ଯାଉଥିଲା l ମାଉସୀ କିଛି କହିବା ପୂର୍ବରୁ ମଉସା କହିଲେ

–ଆମେ ପରା କାନାଡ଼ା ଯିବୁ l ଆମର ଗୋଟେ ବୋଲି ପୁଅ ସେଇଠି ରହେ l

–ପୁଅ ସେଇଠି ଆଉ ଆପଣ ଏଠି ଏକୁଟିଆ କଣ କରୁଛନ୍ତି ମଉସା ? ପୁଅ ପାଖକୁ ଚାଲି ଯାଉ ନାହାନ୍ତି ? ଏ ବୟସରେ କେତେବେଳେ କୋଉ କଥା l


ମୋ କଥା ଶୁଣି ମଉସାଙ୍କୁ କିଛି କହିବାକୁ ନଦେଇ ମାଉସୀ କହିଲେ

–ଆମେ ଯାଇଥାନ୍ତୁ ଯେ ହେଲେ ହେଲେ ଯୋଉ ପ୍ରବଳ ଥଣ୍ଡା ସେଠି କିଏ ରହିବ ? ଖାଲି ବୁଲିବାକୁ ଯାଉଛୁ ନା l


ମଉସାଙ୍କୁ ମୁହଁରେ ଏଥର ଅସନ୍ତୁଷ୍ଟର ଚି଼ହ୍ନ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଥିଲା l ମୁଁ ପୁଣି କହିଲି –

–ଘରେ ଗୋଟେ କାହାକୁ ବୋଲହାକ କରିବାକୁ ରଖୁ ନାହାନ୍ତି ? ସୁବିଧା ଅସୁବିଧାକୁ ଲୋକଟିଏ ଥିବା ଦରକାର l

–ଆମେ କଣ ରଖି ନଥାନ୍ତୁ କି ? ଆଜିକାଲି ପରା ବୁଢ଼ା ବୁଢ଼ୀ ମାନଙ୍କୁ ମାରି ଦେଉଛନ୍ତି ବୋଲି ଟିଭିରେ ଦେଖାଉଛି l ସେଥିପାଇଁ ଡର ଲାଗୁଛି l


ମୁଁ ସେଇଠୁ ଜୋର ଦେଇ କହିଲି –

–ମାଉସୀ ଏଠି ପର ଲୋକଙ୍କ ପାଖରେ ରହିଲେ ଡର ମାଡ଼ିବ ନିଶ୍ଚୟ l ଏଠୁ ଯାଇ ଲୋକ ବିଦେଶରେ ପୁଣି ରହୁଛନ୍ତି ତ l କିଛି ଦିନ ପରେ ଥଣ୍ଡାରେ ରହିବା ଅଭ୍ୟାସ ହୋଇଯିବ l କିଛି ଭାବିବେନି l ଆପଣ ମାନଙ୍କୁ ଏମିତି ଆଜି ଦେଖି ମୋର ମନରେ ଚିନ୍ତା ପଶିଗଲା l ପୁଅ ପାଖକୁ ଚାଲି ଯାଆନ୍ତୁ ଆପଣଙ୍କୁ ହାତ ପାଆନ୍ତାରେ ଖାଇବା ପିଇବା ସବୁ ମିଳିଯିବ l କାମବାଲୀର ଆସିବାକୁ ନେଇ ଆପଣ ମାନଙ୍କର ସବୁଦିନିଆ ଚିନ୍ତା ଉଭେଇ ଯିବ l କିଛି ସମୟ ଯାଏଁ ଉଭୟେ ଚୁପ ରହିଲେ ସେଠୁ ମାଉସୀ କହିଲେ–


–ଏଇଠି ଘରଟିଏ କଲୁ l ସବୁଠି ଆମ ହାତର ସ୍ପର୍ଶ ବାରି ହୋଇ ଯାଉଛି l ୟାକୁ ଛାଡି କଣ ଯାଇହେବ ? ହଠାତ ମଉସାଙ୍କର ଏତେ ଦମ କେମିତି ଆସିଲା କେଜାଣି ଚଢ଼ା ଗଳାରେ କହିଲେ–


–ଘର ଦ୍ୱାର କଥା ସବୁ ମିଛ l ଆମେ ବି ଚାହୁଁ ଆମ ହାତ ପାଆନ୍ତାରେ ଖାଇବା ପିଇବା ସବୁ ପହଞ୍ଚି ଯାଉ ବୋଲି l ହେଲେ ଆମ ପୁଅ ଆମକୁ ରଖିବ ନାହିଁ l ଏତିକି କହିଲା ବେଳକୁ ମାଉସୀ କାନ୍ଦି କାନ୍ଦି ଶାଢ଼ୀ କାନିରେ ଲୁହ ପୋଛି ପକାଉ ଥାଆନ୍ତି l


–ଠିକ ଅଛି ଆପଣ ମାନେ ଦୁଃଖ କରନ୍ତୁ ନାହିଁ l ଏସବୁ ତ ଆଜିକାଲି ସବୁ ଘରର କାହାଣୀ l ଏଥିରେ ନୂଆ କଥା କିଛି ନାହିଁ l ନିଜେ ନିଜର ସୁବିଧା କରି ରହିବା କଥା l ମୁଁ ଏତକ କହି ମଉସା କି ମାଉସୀ କାହାର ଗୋଟେ ପ୍ରତିକ୍ରିୟାକୁ ଅପେକ୍ଷା କଲି l କେହି କିଛି କହୁ ନଥାନ୍ତି l ହଠାତ ମୁଁ ଗୋଟେ ଅପ୍ରତ୍ୟାଶିତ ପ୍ରଶ୍ନ କରିଦେଲି l


–ପୁଅ ରଖିବ ନାହିଁ ବୋଲି ଆପଣ ମାନେ କେମିତି ଜାଣିଲେ ? ତାକୁ କେବେ କହିଛନ୍ତି କି ବାପାରେ ଆମେ ତୋ ପାଖରେ ଶେଷ ସମୟ ତକ ରହିବାକୁ ଚାହୁଁଛୁ ବୋଲି ? ଯଦି ରଖିବନି ତେବେ ଏତେ ପରିଶ୍ରମ କରି ପାସପୋର୍ଟ କଣ ପାଇଁ କରୁଛନ୍ତି l


ଖାଲି ଫ୍ୟାନଟା ସାଇଁ ସାଇଁ ହୋଇ ଘୁରି ବୁଲୁଥାଏ l ଦୁହେଁ ଅନେକ ସମୟ ଧରି ଏକବାରେ ଚୁପ l ମଉସା ଅତ୍ୟନ୍ତ ମ୍ରିୟମାଣ ଅବସ୍ଥାରେ ବସିଥାନ୍ତି l ମୋତେ ଲାଗିଲା ସତେ ଯେପରି ଏମିତି ପ୍ରଶ୍ନଟିଏ ପଚାରି ମୁଁ ଗୋଟେ ବିରାଟ ଭୁଲ କରି ଦେଇଛି l ସେଠୁ ମଉସା କହିବାକୁ ଆରମ୍ଭ କଲେ–


–ପୁଅ ଆମର ଯେତେବେଳେ ବାଙ୍ଗାଲୋରରେ ଥିଲା ସେତେବେଳେ ବି ସେ ଆମକୁ ରଖି ନଥିଲା l ଥରେ ଆମେ ଯାଇଥିଲୁ ଓ ସପ୍ତାହେ ରହିଲୁ l ଆମକୁ ନପଚାରି ଯାଇ ସେ ଆମର ଫେରନ୍ତା ଟିକଟ କରି ଦେଇଛି l ନା ଆମେ ଲୁଗାପଟା ସଜାଡ଼ିଛୁ ନା ପ୍ରସ୍ତୁତ ଅଛୁ l ହଠାତ ବାହାରି ଆସିବାକୁ ହେଲା l ରାସ୍ତାରେ ପୁଅ କହିଲା–


" ବାପା ତୁମକୁ ଏମିତି ହଠାତ ଫେରିବାକୁ ପଡିଲା କିଛି ଭାବିବ ନାହିଁ l ବାହାର ଲୋକ ରହିଲେ ତୁମ ବୋହୁ ଏବଂ ନାତି ନାତୁଣୀଙ୍କର ପ୍ରାଇଭେସି ରହୁନାହିଁ l ତେଣୁ ମୁଁ ଭାବିଲି ଅଧିକା କିଛି ହେବା ପୂର୍ବରୁ ତୁମେ ସମ୍ମାନର ସହ ଫେରିଯିବା ଉଚିତ l "


–ବୋହୁ ପାଇଁ ଆମେ ବାହାର ଲୋକ ହୋଇପାରୁ କିନ୍ତୁ ପିଲା ଦିଟା ବି ଆମକୁ ପର ଭାବିଲେ ? ମନ କଷ୍ଟରେ ଦୁହେଁ ଫେରି ଆସିଲୁ l ଏବେ ଦୁଇ ବର୍ଷ ତଳେ ପୁଅ କାନାଡ଼ା ଗଲାବେଳେ କହିଲା ବାପା ମୁଁ କାନାଡ଼ା ଯାଉଛି ଯଦି ହୁଏ ସେଠାରେ ନାଗରିକତ୍ୱ ଗ୍ରହଣ କରି ଆମେ ସମସ୍ତେ ରହିଯିବୁ l ତୁମେ ଟଙ୍କା ପଇସା ଚାହିଁଲେ ମୁଁ ପଠାଇବି କିନ୍ତୁ ଭାରତ ଫେରିବାର ସମ୍ଭାବନା ନାହିଁ l


–ହେଲେ ଏତେ କଷ୍ଟ କରି ପାସପୋର୍ଟ କାହିଁକି କଲେ ?


ମାଉସୀ କାନ୍ଦି କାନ୍ଦି କହିଲେ–


–ତୁ ତ ଆମ ଝିଅ ପରି ତୋ ପାଖରେ ଆଉ କୋଉ କଥା ଅଛପା ରହିବ ? ପାସପୋର୍ଟଟା ପାଖରେ ଥିଲେ ଲାଗିବ ଯେ ଆମେ ପୁଅ ପାଖରେ ଅଛୁ l ମାନେ ଗୋଟେ ଭରସା l ମନରେ ଗୋଟେ ଆଶା ଥିବ ଯେ ପାଖରେ ପାସପୋର୍ଟ ଅଛି ପୁଅ ଡାକୁ ଡାକୁ ଆମେ ସାଙ୍ଗେ ସାଙ୍ଗେ ବାହାରି ପାରିବୁ l ଏବେ ଚାହିଁଲେ ଏବେ ଯାଇ ପୁଅ ପାଖରେ ପହଞ୍ଚି ହେବ l ଦୂରତା କମିଗଲା ପରି ଲାଗେ ଲୋ ଝିଅ l ତୁ ମାଆ ହେଲେ ଜାଣିବୁ l


ମୁଁ ସେମାନଙ୍କୁ କହି ପାରିଲି ନାହିଁ ଯେ ଖାଲି ପାସପୋର୍ଟ ଥିଲେ ହେବନାହିଁ ତା ସହିତ ଭିସା ବି ଦରକାର ହୁଏ ବୋଲି l ଦୁଇଟି ନିରୀହ ପ୍ରାଣୀଙ୍କର କେବେ ପୂରଣ ହେବାକୁ ନଥିବା ସ୍ବପ୍ନଟିକୁ ଭାଙ୍ଗି ଦେବା ପାଇଁ ମନ ବଳିଲା ନାହିଁ ମୋର l ଫୋନ ନମ୍ବରଟି ଦେଇ ଦରକାର ପଡ଼ିଲେ ଡାକିବେ ବୋଲି କହି ଚାଲି ଆସିଲି l 


Rate this content
Log in

Similar oriya story from Tragedy