STORYMIRROR

Padmalaya Padhy

Tragedy

4  

Padmalaya Padhy

Tragedy

ପାପୋଛ

ପାପୋଛ

5 mins
258


ସରୋଜିନୀଙ୍କ ସହ ପୀତବାସ ଯେଉଁ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାହା ବନ୍ଧନ ଠୁ ବେଶି ବେଡି ହିଁ ଲାଗୁଥିଲା l

ବନ୍ଧନ ଟାଣ ହେଲେ ବେଡି ଓ ବେଡି କୋହଳ ହେଲେ ବନ୍ଧନ ସଦୃଶ l ଖାଲି ଯାହା ହାତର ଯୋର ଓ ମନର ଖେଳ l 

ଚାଳିଶ ବର୍ଷ ତଳେ ନିଜେ ପସନ୍ଦ କରିବାର ପରମ୍ପରା ନଥିଲା l ଘର ଲୋକ ଯାହା ଭାବି ଯାହାକୁ ଯାହା ସହ ଛନ୍ଦିଲେ ସେ ହେଲା ଜୀବନ ସାଥି l 

ସାରା ଜୀବନ ଏକ ଅନାଥ ଗରିବ ଅଶିକ୍ଷିତ ତଥା କଥା ମଧ୍ୟ ଠିକରେ କହି ପାରୁ ନଥିବା ଜାଡି ଝିଅ କେବଳ ବେଡି ହିଁ ହୋଇପାରେ ଜୀବନ ସାଥି କଦାପି ନୁହଁ l ଦୀର୍ଘ ଦିନର ବୈବାହିକ ଜୀବନରେ ପୀତବାସ ଏହା ପ୍ରମାଣ କରିଦେଇ ଥିଲେ l

ହେଲେ ଶୁଖିଲା ପତ୍ରର ବା ଦୋଷ କଣ l ସେ ତ କୁଳରେ ଲାଗିବାକୁ ଚାହିଁବ ନା l ସାରା ଜୀବନ ତ ଭାସି ଭାସି ଅତିକ୍ରମ କରି ହୁଏନା l ସରୋଜିନୀ ଯେମିତି ଦୟା ଅନୁଗ୍ରହରୁ ବାହା ହେଲେ ସେମିତି ସାରା ଜୀବନ ଦୟାର ପାଣି ପବନରେ ହିଁ କଟିଗଲା l ଶାଶୁଙ୍କ ଖୁଣ୍ଟା ଓ ସ୍ୱାମୀଙ୍କ ଅବହେଳା ଅଭିଯୋଗରେ ଜୀବନ ଗଡି ଚାଲିଲା l ପୀତବାସଙ୍କ ପୁତ୍ର ସନ୍ତାନର ଜନନୀ ହେଲେ ସରୋଜିନୀ l ଶାଶୁ ଶଶୁର ବି ଚାଲି ଗଲେ ସେପାରିକୁ l 

ଏବେ ପୀତବାସଙ୍କ ସହ କେବଳ ସରୋଜିନୀ ଏବଂ ଅସରନ୍ତି ସମୟ l ଅମାପ ସମ୍ପତିର ମାଲିକ ପୀତବାସ ଜମି ଜମା କାମ ବୁଝି ସାରି ଘରକୁ ଫେରି ଖାଇକି ଶୁଅନ୍ତି l ଆଉ ଜଣେ ମଧ୍ୟ ଅଛି ଯେ କହି ନ ପାରିଲେ ମଧ୍ୟ ବୁଝିବାର ତାକତ ରଖିଛି ତାହା ଚିନ୍ତା କରିବା ଦରକାର ନାହିଁ l ପୀତବାସଙ୍କ ଜୀବନ ଯାକର ଅସରନ୍ତି ଅଭିଯୋଗର ପରିଣାମ ସରୋଜିନୀ ଭୋଗନ୍ତି l

ପୁଅ ବି ବଡ ହେଲାଣି l ବାପାଙ୍କ ପଦାଙ୍କ ଅନୁସରଣ କରିବ l ମାର ସ୍ଥାନ ଗୋଡ ତଳେ l ପାଦର ଧୂଳି ବର୍ଜ୍ୟ ବସ୍ତୁ l

ସେଦିନ ପୀତବାସ କେଉଁ କାମରେ ସହର ଯିବା ପାଇଁ ବାହାରି ଥିଲେ l ଦୁର୍ଭାଗ୍ୟ ବଶତଃ ତାଙ୍କ ମନରେ ସରଙ୍କ ପ୍ରତି ସାମାନ୍ୟ ଦୟା ଉଦ୍ରେକ ହେଲା l ସର ମଧ୍ୟ ସାଙ୍ଗରେ ଯିବାକୁ ରାଜି ହୋଇ ଗଲେ l ତାଙ୍କୁ ତ ଆରମ୍ଭରୁ ମନ କଥା କହିବାକୁ ସୁଯୋଗ ମିଳିନି ଆଜି ମଧ୍ୟ ନୁହେଁ l ଅସ୍ପଷ୍ଟ ସ୍ୱରରେ ଯେତିକି କହି ପାରୁଥିଲେ ସେତିକି ମଧ୍ୟ ଧୀରେ ଧୀରେ ବନ୍ଦ ହେବା ଉପରେ l କଥା ଶୁଣିବାକୁ କେହି ନାହିଁ l ହୁଏତ ଘର ବାହାରକୁ ଗଲେ ଭାବ ବିନିମୟର ମୌକା ମିଳି ଯାଇ ପାରେ l

ଦରକାରୀ ଜିନିଷ କେତୋଟି ଆଣି ସାରି ପୀତବାସ ଦୋକାନ ପରେ ଦୋକାନ ଅତିକ୍ରମ କରି ଫେରିବାକୁ ଉପକ୍ରମ କରୁଛନ୍ତି ହଠାତ ସରୋଜିନୀଙ୍କ ଆଖି ଲାଖି ଗଲା ଗୋଟେ ଯାଗାରେ l 

ଦୋକାନ କାଚ ପଛ ପଟେ ଆଖିକୁ ଲୋଭେଇଲା ଭଳି କିଛି ଅଛି l ପ୍ରଥମ ଥର ପାଇଁ ଆବେଗରେ ପୀତବାସଙ୍କ ହାତଟିକୁ ଧରି ପକାଇ ଥିଲେ l ପୀତବାସ ଚମକି ପଡ଼ିଥିଲେ l ରାସ୍ତା ଉପରେ ତାଙ୍କ ହାତ ପୁଣି ସରୋଜିନୀ ଧରୁଛନ୍ତି l ସରୋଜିନୀ ହାତ ଠାରି କାଚ ପଛରେ ସଜା ହୋଇ ଥିବା ଗୋଟିଏ ପତ୍ର ରଂଗର କୁମ୍ଭ ପକା ଶାଢ଼ୀଟିକୁ ଦେଖାଇଲେ l ପୀତବାସ ହାତ ଛିଞ୍ଚାଡି ଦେଇ ଦ୍ରୁତ ଗତିରେ ଫେରି ଆସିଲେ l 

ପୀତବାସଙ୍କ ଠାରୁ ମାଡ ଖାଇ ଥିଲେ ମଧ୍ୟ ସରୋଜିନୀଙ୍କୁ ଏତେ ବାଧି ନଥାନ୍ତା l ମାତ୍ର ତାଙ୍କ ଆଖି ର ଉପେକ୍ଷା ରେ ସରୋଜିନୀ ଅଧା ମରି ଯାଇଥିଲେ l ଆସିଲା ପରେ ସରୋଜିନୀ ଆଉ ପୀତବାସଙ୍କ ନିକଟକୁ ସେ ଦିନ ଯାକ ଯାଇ ନାହାନ୍ତି l 

ଜୀବନରେ ପ୍ରଥମ ଥର ପୀତବାସଙ୍କୁ ମନ କଥା କହିବାକୁ ପାଟି ଖୋଲି ଥିଲେ l ତା ବଦଳରେ କିଛି କହିବା ଆଗରୁ ବହୁତ କିଛି ମିଳି ଯାଇ ଥିଲା l ନଖାଇ ନପିଇ ସରୋଜିନୀ ଶୋଇ ଯାଇଥିଲେ l ମନାଇବାକୁ କେବେ କେହି ନଥିଲା ଏବେ ମଧ୍ୟ କେହି ନାହିଁ l 

ସ୍ରଷ୍ଟାଙ୍କ ସୃଷ୍ଟିରେ ଯାହାକୁ କେହି ମନାଇବାକୁ ନଥାଏ ସେ ନିଜେ ନିଜେ ବୁଝିଯାଏ l ସର୍ବ ନିୟନ୍ତା ତାକୁ ଏହି ପରି ଶକ୍ତି ଦେଇଥାନ୍ତି l ସରୋଜିନୀ ମଧ୍ୟ ନିଜେ ନିଜେ ବୁଝି ଗଲେ l

ଏମିତି ଏକ ତରଫା ବୁଝାମଣାରେ ଚାଲୁ ଚାଲୁ ହଠାତ ଦିନେ ସରୋଜିନୀଙ୍କୁ ପ୍ରବଳ ବାନ୍ତି ହେଲା ଓ ଜର ମଧ୍ୟ ଆସି ଗଲା l ପୀତବାସ କାମର ବାହନାରେ ଦୁଇ ଚାରି ଦିନ ଗଡ଼ାଇ ନେଲେ l କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରୁ ଶେଷରେ ହସ୍ପିଟାଲ ଗଲେ l 

ସେଠି ଡାକ୍ତର ଯାହା କହିଲେ ତାର ସାର ମର୍ମ ହେଲା ସରୋଜିନୀଙ୍କ ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇ ଯାଇଛି l ଶେଷ ସ୍ତରରେ ପହଂଚି ସାରିଲାଣି ତେଣୁ ପ୍ରତ୍ୟାରୋପଣ ବି ସମ୍ଭବ ନୁହଁ l ଡାକ୍ତର ଘରକୁ ଫେରାଇ ଦେଲା ପରେ ପୀତବାସଙ୍କ ମୁଣ୍ଡ ରେ ଚଡକ ପଡିଲା l

ପୀତବାସ ସରୋଜିନୀଙ୍କୁ ନେଇ ଘରେ ପହଁଚିଲେ l 

ପୀତବାସ ଓ ସରୋଜିନୀ ଆଜି ସାମ୍ନାସାମନି ବସିଛନ୍ତି l ସରୋଜିନୀ ପ୍ରଥମ ଥର ପାଇଁ ଅନେକ ସମୟ ଧରି ତାଙ୍କୁ ଚାହିଁ ରହିଥିଲେ l ସେ ଚାହାଣିରେ ନା ଅଭିଯୋଗ ଥିଲା ନା ଛାଡି ଚାଲି ଯିବାର ଦୁଃଖ ଥିଲା l ଥିଲା ତ କେବଳ ଗୋଟିଏ ପ୍ରଶ୍ନ l ଏମିତି କାହିଁକି କଲ ? 

 ତାଙ୍କ ସୁଖ ଦୁଃଖ ହସ କାନ୍ଦର ମୁକ ସାକ୍ଷୀ ହେଉଛି ଇଟା ସିମେଣ୍ଟର ଏହି ଘରଟି l ଘରର କୋଣ ଅନୁକୋଣରେ ସରୋଜିନୀଙ୍କ ସ୍ପର୍ଶ l ପୀତବାସଙ୍କ ସହ ଆଜି ପର୍ଯ୍ୟନ୍ତ କୌଣସି ଅନ୍ତରଙ୍ଗ ମୁହୂର୍ତ୍ତ କଟାଇବାର ସରୋଜିନୀ ଜାଣି ନାହାନ୍ତି l ମାତ୍ର ସରୋଜିନୀଙ୍କ ଧମନୀରେ ପୀତବାସଙ୍କ ନିଶ୍ୱାସ ପ୍ରଶ୍ୱାସ ପ୍ରବାହିତ l ତାଙ୍କର ପସନ୍ଦ ନାପସନ୍ଦ ସବୁ ସେ ଜାଣନ୍ତି l 

ସରୋଜିନୀ ନିଜେ ମଧ୍ୟ ତାଙ୍କ ନାପସନ୍ଦ ମଧ୍ୟରୁ ଗୋଟିଏ !! 

ସମୟ କେତେ ହେବ ଜଣା ନାହିଁ l ହସ୍ପିଟାଲରୁ ଫେରି ପୀତବାସ ଶୋଇ ଯାଇଛନ୍ତି l ଯେମିତି ଛାତିରେ ପାହାର ଉପରେ ପାହାର l ହୃତ ସ୍ପନ୍ଦନ ବନ୍ଦ ହୋଇଗଲା ଭଳି ଲାଗୁଛି l ଘର ଭିତରଟା ଅନ୍ଧାର l ଦିନ କି ରାତି ଜଣା ପଡୁନି l ସର କୁଆଡେ ଗଲା? 

ସର ସର ଡାକି ଦୌଡ଼ି ଆସିଲେ ବାହାରକୁ l ସରୋଜିନୀ ବସି ଗୋଟିଏ ଶାଢ଼ୀକୁ ସିଲାଇ କରୁଛନ୍ତି l ଉଠି ଗଲେ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି ପୀତବାସଙ୍କ ଏହି ରୂପକୁ ପ୍ରଥମ ଥର ପାଇଁ l

-- ସର ! ତୁ ବ୍ୟସ୍ତ ହ ନା ! ମୁଁ ତୋତେ ନେଇ ଓଡିଶା ବାହାରେ ଦେଖାଇବି l ଏମାନେ ଜାଣି ନାହାନ୍ତି ବୋଲି କହୁଚନ୍ତି l ଯେତେ ପଡ଼ୁ ତୋର ଚିକିତ୍ସା କରି ତୋତେ ଭଲ କରିବି l 

--ଦରକାର ପଡିଲେ ମୋର ଗୋଟେ କିଡ଼ନୀ ତୋତେ ଦେଇ ଦେବି l କିନ୍ତୁ ତୁ ଭଲ ହେବୁ l ତୋ ଘର ସମ୍ଭାଳିବୁ l ମୋତେ ବି !

ଏତକ କହି ଭୋ ଭୋ ହୋଇ କାନ୍ଦି ଚାଲିଥିଲେ ପୀତବାସ l ସରୋଜିନୀ କିଛି ବୁଝି ପାରୁ ନଥିଲେ ପୀତବାସଙ୍କୁ ଆଜି କଣ ହୋଇଛି l ଖନେଇ ଖନେଇ ପଚାରିଲେ l

--କଣ କହୁଛ ମୁଁ କିଛି ବୁଝି ପାରୁନି l କାହାର କିଡ଼ନୀ କିଏ ଦେବ l କୋଉ ଡାକ୍ତର କାହାକୁ କହିଛନ୍ତି l ପୁରା କଥାଟା କହିଲେ ସିନା 

ହେବ l

--କାନ୍ଦୁଛ କାହିଁକି? ମୁଁ ତୁମକୁ ଶାଢ଼ୀ ମାଗିଥିଲି ଆଉ ତୁମେ ମୋତେ କିଡ଼ନୀ ଦେବ ବୋଲି କହୁଛ ? 

--ମୁଁ ତୋତେ ଛାଡି ରହି ପାରିବିନି l ତୋ ସହ ମୁଁ ବି ଚାଲି ଯିବି l

--କୁଆଡେ ଯିବା ଆମେ? ସ୍ବପ୍ନ ଦେଖୁଥିଲ କି? କଣ ଦେଖିଲ? 

ଏହା ପରେ ଯାଇ ପୀତବାସ ପ୍ରକୃତିସ୍ଥ ହେଲେ ଯେ ସେ ସ୍ବପ୍ନ ହିଁ ଦେଖୁଥିଲେ l ସରୋଜିନୀଙ୍କ ଦେହ ଖରାପ ହେବା, ହସ୍ପିଟାଲ ଓ ଡାକ୍ତର ଏ ସବୁ ସ୍ୱପ୍ନରେ ଦେଖି ବାଉଳି ହେଉଥିଲେ l ଏ ପର୍ଯ୍ୟନ୍ତ ଯାହା ଯାହା ଘଟିଛି ସେ ସବୁ ସ୍ବପ୍ନ ହିଁ ଥିଲା l 

ସରୋଜିନୀଙ୍କୁ ଯେତେ ପ୍ରକାର ମାନସିକ ଯନ୍ତ୍ରଣା ଦେଇଛନ୍ତି ସେ ସବୁ ମଧ୍ୟ ଗୋଟିଏ ଗୋଟିଏ ଦୁଃସ୍ବପ୍ନ ନୁହେଁ ତ ଆଉ କଣ l

--ଗୋଟିଏ ମଣିଷ ଗଲା ପରେ ଓ ମୁହୂର୍ତ୍ତଟିଏ ସରିଲା ପରେ ହିଁ ତାର ମୂଲ୍ୟ ଦରଦାମ ଭଳି ହୁ ହୁ ହୋଇ ବଢ଼ି ଯାଏ l କିନ୍ତୁ ସେତେବେଳେ ନା ସେ ମଣିଷ ଥାଏ ନା ସେ ମୁହୂର୍ତ୍ତଟି ହାତ ପାଆନ୍ତାରେ ଦେଖିବାକୁ ମିଳେ l 

ପୀତବାସ ବୁଝାଇ ଚାଲିଥିଲେ l ଏଥର ସରୋଜିନୀ ଅସ୍ପଷ୍ଟ ଭାବେ ଆରମ୍ଭ କଲେ l

--ମୋର ଦାରିଦ୍ର୍ୟ, ମୋର ଅଶିକ୍ଷିତ ପଣିଆ ଓ ମୋର ଜଡତା ସମସ୍ତଙ୍କୁ ଦିଶିଥିଲା l ହେଲେ ମୁଁ କାହାକୁ ଦିଶି ନଥିଲି l

--ତୁମେ କାହାକୁ ଦିଶି ନଥିଲ କାରଣ ସମସ୍ତେ ନିଜକୁ ଭଲ ବୋଲି ଅନ୍ୟ ଆଗରେ ଦେଖାଇବାକୁ ତତ୍ପର ଥିଲେ l ବାପା ତୁମ ଆଗରେ ଓ ଦୁନିଆ ଆଗରେ ଭଲ ଦେଖାଇ ମୋ ସହ ତୁମକୁ ଛନଦିଲେ l ନୋହିଲେ ହୁଏତ ତୁମର ଗତିପଥ ଅନ୍ୟ କିଛି ହୋଇଥାନ୍ତା l ମୁଁ ବାପାଙ୍କ ଆଗରେ ଭଲ ହୋଇ ତୁମକୁ ବିବାହ କଲି l ମୂଳରୁ ମନା କରି ଦେଇ ଥିଲେ ସେଇଠି କଥା ସରି ଥାଆନ୍ତା l ମୋ ମା ତା ପୁଅ ଆଗରେ ଭଲ ଦେଖାଇବାକୁ ଯାଇ ତୁମକୁ ଜୀବନ ସାରା ଖୁଣ୍ଟା ଦେଲା l ସେ ତୁମ ଓ ମୋ ଭିତରେ ଗୋଟିଏ ସେତୁର କାମ କରି ପାରି ଥାନ୍ତା ଯଦି କଥା ଏତେ ଦୂର ଯାଇ ନଥାନ୍ତା l

--ଆମେ ସମସ୍ତଙ୍କ ସାମ୍ନାରେ ଭଲ ବୋଲି ପ୍ରମାଣ କରି ଦେଲୁ କିନ୍ତୁ ନିଜ ଆଖିରେ ନିଜକୁ ଭଲ ବୋଲି ଦେଖାଇ ପାରି ନଥିଲୁ l ଯଦି ସେଦିନ ନିଜ ଆଗରେ ନିଜେ ଭଲ ହେବାକୁ ଚାହିଁ ଥାନ୍ତୁ ତେବେ ଏ କାହାଣୀରେ ନୂଆ ମୋଡ ଆସିଥାନ୍ତା l 

ପୀତବାସଙ୍କ ଏହି ଅଭୂତପୂର୍ବ ପରିବର୍ତନ ଦେଖି ସରୋଜିନୀଙ୍କୁ କୁମ୍ଭପକା ଶାଢ଼ୀ ଠାରୁ ଶହେ ଗୁଣ ଅଧିକl ଆନନ୍ଦ ମିଳୁଥିଲା l


Rate this content
Log in

Similar oriya story from Tragedy