STORYMIRROR

Pravanjan Dash

Abstract

3  

Pravanjan Dash

Abstract

ପାନ

ପାନ

2 mins
324

ସେଦିନ ଥିଲା ଟୁକୁନା ଜେଜେବାପାଙ୍କ ଦଶାହ ଶ୍ରାଦ୍ଧ, ଦାଣ୍ଡ ଘରେ ପିଣ୍ଡ ପଢୁଥିବା ବେଳେ ପୁରୋହିତ ମହାଶୟ ଟୁକୁନାକୁ ଚାହିଁ ବଡ଼ ପାଟିରେ କହି ଉଠିଲେ, “ପାନ, ଗୋଟାପାନ ଆଣେ,ପିଣ୍ଡରେ ଲାଗିବ” । ଗୋଟାପାନ ପାଇଁ ଟୁକୁନା ଦୌଡ଼ିଗଲା ବଡ଼ଘରକୁ । ଜେଜେବାପାଙ୍କର ସବୁଠାରୁ ପ୍ରିୟ ବଡ଼ଘରର ଖଟ ତଳେ ପାନଡାଲା, ପାନବଟୁଆ, ପିକଦାନୀ, ମସଲା ମସଲି ଡବା ସବୁ ସୁନ୍ଦର ଭାବରେ ଥୁଆ ହୋଇଥାଏ, ହେଲେ ସେଦିନ ଟୁକୁନାକୁ ହଠାତ୍ ସେ ସବୁ କିଛି ମିଳିଲା ନାହିଁ । ପାନଡାଲା ଖୋଜୁ ଖୋଜୁ କାହାର କଇଁ କଇଁ କାନ୍ଦିବାର ସ୍ୱର ଟୁକୁନାକୁ ଆଶ୍ଚର୍ଯ୍ୟ ଚକିତ କରିଦେଲା । ଟୁକୁନା ବୁଲି ପଡି ଦେଖେ ତ ଜେଜେମା ବଡ଼ ଘରର ଗୋଟେ କଣରେ ବସି କାନ୍ଦୁଛି । ଜେଜେମା ପାଖକୁ ଦୌଡ଼ିଗଲା ଟୁକୁନା । ଟୁକୁନାକୁ ହାତରେ କୋଳେଇ ନେଇ ଜେଜେମା ଲୁହ ଭରା ଆଖି ଓ ଥର ଥର ଗଳାରେ କହି ଉଠିଲା, “ମୋ ପାନ ସାଥୀ ମତେ ଏକା କରି ଚାଲିଗଲା । ଆଉ ମୁଁ ପାନ ଭାଙ୍ଗିବି କାହା ପାଇଁ” । ସବୁବେଳେ ପାନ ଛେପର ଲାଲ୍ ରଙ୍ଗରେ ରଙ୍ଗିନ୍ ଥିବା ଜେଜେମା’ର ଓଠ କିନ୍ତୁ ସେଦିନ ଥିଲା ସମ୍ପୂର୍ଣ୍ଣ ଶୁଖିଲା ଓ ପାନ ମସଲାର ସୁଗନ୍ଧ ବଦଳରେ ପାଟିରୁ ଚାଲି ଆସୁଥିଲା ଲାଳର ଦୁର୍ଗନ୍ଧ, ଯାହାକି ଅସ୍ୱାଭାବିକ କରିଦେଉଥିଲା ଟୁକୁନାକୁ । ଟୁକୁନା ଜାଣେ ଜେଜେମା ବହୁତ ବୁଢ଼ୀ ହେଲେ ବି ସେ ଜେଜେବାପାକୁ ଭାରି ଭଲ ପାଏ। ଜେଜେମା ସବୁଦିନ ସକାଳୁ ଉଠି ପ୍ରଥମେ ପିକଦାନୀ ସଫା କରି ଜେଜେବାପାଙ୍କ ପାଇଁ ଅତି ସରାଗରେ ଗୋଟା ପାନରେ ଚୂନ ଲଗେଇ ସେଥିରେ ଗୁଆ,ଗୁଣ୍ଡି,ଖଇର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଧନିଆ, ପାନ ମହୁରୀ ଆଦି ସବୁ ମସଲାକୁ ସଜେଇ ଦେଇ ସୁନ୍ଦର ସୁଆଦିଆ ପାନ ନିଜ ହାତରେ ଭାଙ୍ଗି ପାନଡବାରେ ରଖିଦିଏ। ନିଜେ ଖାଏ ଓ ଜେଜେ ବାପାଙ୍କୁ ଦିଏ । ତା’ ହାତ ଭଙ୍ଗା ପାନ ଖଣ୍ଡେ ଖାଇବା ପାଇଁ ଜେଜେବାପା ଯେପରି ଚାତକ ପରି ଚାହିଁ ରହିଥାନ୍ତି। ଜେଜେବାପାଙ୍କ ମନ ଜାଣି ଜେଜେମା ଭାରି ସୁଆଦିଆ ପାନ ଭାଙ୍ଗିପାରେ । କଳି ଝଗଡା ହେଲେ ବା ଜେଜେବାପା ରାଗିଥିଲେ ନିଜ ହାତ ଭଙ୍ଗା ପାନଖଣ୍ଡେ ଦେଇ ଜେଜେବାପାଙ୍କୁ ମନେଇବାରେ ଜେଜେମା ଓସ୍ତାଦ୍। କେବଳ ସେତିକି ନୁହେଁ ଜେଜେବାପାଙ୍କ ସାଙ୍ଗସାଥୀ ମାନଙ୍କ ଗହଣରେ ମଧ୍ୟ ଜେଜେମା ର ହାତଭଙ୍ଗା ପାନର ବେଶ୍ ଆଦର। କିଛି ଦିନ ତଳେ ମଧୁମେୟ କାରଣରୁ ଜେଜେବାପା ମିଠା ମସଲା ଛାଡି ଦେଇଥିବାରୁ ଜେଜେମା ମଧ୍ୟ ଆଉ ମିଠା ମସଲା ଖାଉ ନଥିଲା । ଠିକ୍ ଏତିକି ବେଳେ ପୁଣି ଥରେ ପୁରୋହିତ ଜଣକ ବଡ଼ ପାଟିକରି ଡାକି ଉଠିଲେ, “ପାନ ପାନ ଗୋଟାପାନ ଆଣ ପିଣ୍ଡରେ ଲାଗିବ” । ଜେଜେମା ଟୁକୁନାକୁ ହାତ ଦେଖାଇ ଦେଲେ ଖଟ ତଳର ଗୋଟିଏ କଣକୁ ଟୁକୁନା ଖଟ ତଳେ ପଶି ପାନ ଡାଲାଟାକୁ କାଢି ଆଣି ଦେଖେତ ପାନ ଡାଲାଟା ଧୂଳି ଅଳନ୍ଧୁରେ ଢାଙ୍କି ହୋଇ ରହିଛି, ମସଲା ଡବା ସବୁ ଏଣେ ତେଣେ ପଡିଛି, ପିକଦାନୀଟା ଅଣେଇ ହୋଇ ଖଟ ତଳେ ଗଡୁଛି, ପାନ ସବୁ ଶୁଖିଲା କନା ତଳେ ରହି ଶୁଖି ଯାଇଛି, ବୋଧହୁଏ ଜେଜେବାପା ଯିବାପରେ ଜେଜେମା ବି ସବୁ ଦିନ ପାଇଁ ପାନ ଖିଆ ଛାଡି ଦେଇଛି । ଶୁଖିଲା ପାନଟିକୁ ଧରି ଟୁକୁନା ଜେଜେବାପାଙ୍କ ପିଣ୍ଡ ପାଖକୁ ଯିବା ବେଳେ ଜେଜେମା ସେମିତି ଧୀର ଗଳାରେ କହି ଚାଲି ଥାଏ, “ମୋ ପାନ ସାଥୀ ମତେ ଏକା କରି ଚାଲିଗଲା । ଆଉ ମୁଁ ପାନ ।


Rate this content
Log in

Similar oriya story from Abstract