ପାଗଳ
ପାଗଳ
ମଣିଷ ଭୀଷଣ ଦୁଃଖ ପାଇଲେ କାନ୍ଦେ! କାନ୍ଦି କାନ୍ଦି ସବୁ ଲୁହ ସରିଗଲା ପରେ ଯେବେ ହସି ଦିଏ ତାକୁ ଏ ଦୁନିଆଁ ପାଗଳ କହେ! ପୂର୍ବର କଥା ସବୁ ତାର ଆଉ ସ୍ମରଣରେ ନଥାଏ। ଦୁନିଆଁର ସୁଖଦୁଃଖ ହାନିଲାଭରେ ତାର କିଛି ଦେବାନେବାର ନଥାଏ, କେବଳ ସିଏ ନିଜ ସୁଖର ଦୁନିଆଁରେ ମସଗୁଲ୍ ଥାଏ। ସଂସାରରେ ଖୁସିରେ ରହୁଥିବା ଲୋକକୁ କେହି ସହି ପାରନ୍ତି ନାହିଁ ଏଣୁ ପାଗଳର ଆଖ୍ୟାରେ ଆଖ୍ୟାୟିତ କରନ୍ତି। ଗାଳି ଗୁଲଜ କରନ୍ତି, ପଛରେ ତାର ଗୋଡ଼ାନ୍ତି ବାଡ଼େଇବାକୁ, ଟେକାପଥର ଫୋପାଡ଼ନ୍ତି ତାକୁ। ଯିଏ ଯେମିତି ପାରେ ନିଜ ନିଜ ଢଙ୍ଗରେ ପ୍ରତିଶୋଧ ନିଅନ୍ତି ଏହି ସୁଖୀ ମଣିଷଟି ଠାରୁ। ଫଳରେ ଜୀବନ ଦୂର୍ବିସହ ହୋଇପଡ଼େ ତାହାର। ଦିନେ ସଭିଙ୍କର ଆପଣାର ଥିବା ଲୋକଟି ଅଲୋଡ଼ା ହୋଇଯାଏ ଏ ଦୁନିଆଁ ପାଇଁ।
ପାଗଳ ହେବା କୃତ କର୍ମ ଫଳ ଅବା ପ୍ରାରବ୍ଧ ଏହି ଦ୍ୱନ୍ଦରେ ପଡ଼ି ଘାଣ୍ଟି ଚକଟି ହୁଏ ମୋର ସରଳ ମନ। କିଛି ଲୋକ ପାଗଳ ବୋଲି ତ ଏଇ ଦୁନିଆରେ ଅନେକ ପରିବର୍ତ୍ତନ ଆସିଛି। ଆଉ କିଛି ଲୋକ ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ନିଜେ ପାଗଳ ହୋଇଯାଇଛନ୍ତି। ଏହା ହୁଏତଃ ମୋର ପାଗଳାମୀ ହୋଇପାରେ! ମାନସିକ ଭାରସାମ୍ୟ ହରାଇବା ଟା ପାଗଳାମୀ ନା କିଛି ଗୋଟେ ନୂଆ ନିଆରା କରିବା ପାଗଳାମୀ ଇଏ ବି ଆଉ ଗୋଟେ ଦ୍ଵନ୍ଦ ମୋର। କିନ୍ତୁ ଆମେ ପାଗଳ କହୁଥିବା ଲୋକଟି ଯେ ପ୍ରକୃତରେ ସୁଖୀ ଏଥିରେ ମୋର ଆଦୌ ଦ୍ୱିମତ ନାହିଁ।
ହେମନ୍ତ ମହାପାତ୍ର! ଅଧ୍ୟାପକ ହେମନ୍ତ ମହାପାତ୍ର! ପଦାର୍ଥ ବିଜ୍ଞାନ ବିଭାଗରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତରରେ ସ୍ଵର୍ଣପଦକ ହାସଲ କରିଥିବା କୃତି ଛାତ୍ର ହେମନ୍ତ ମହାପାତ୍ର! ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନର ଦିଶା ପରିବର୍ତ୍ତନ କରିଥିବା ଯଶସ୍ବୀ ଶିକ୍ଷକ ହେମନ୍ତ ମହାପାତ୍ର! ସମସାମୟିକ ସମୟର ସଂସ୍କାରବାଦୀ ବୁଦ୍ଧିଜୀବୀ ଶାସନତନ୍ତ୍ରର ଜନମାରଣ ନୀତିର ଦୃଢ଼ ସମାଲୋଚକ ହେମନ୍ତ ମହାପାତ୍ର! ଅନେକ ପରିଚୟ ତାଙ୍କର ଥିଲା ଗୋଟେ ସମୟରେ। କିନ୍ତୁ ଆଜି ଗାଁ ଦାଣ୍ଡରେ ସଭିଏଁ ଡାକନ୍ତି ତାଙ୍କୁ ହେମନ୍ତ ପାଗଳା ନାଁରେ। ଭାଗ୍ୟର ବିଡ଼ମ୍ବନା ନୁହେଁ ତ ଆଉ କଣ ଇଏ?
ଏକାନ୍ନବର୍ତ୍ତୀ ପରିବାରର କନିଷ୍ଠ ପୁତ୍ର ଥିଲେ ହେମନ୍ତ ବାବୁ। ଏକଦା ବ୍ରିଟିଶ୍ ଜମାନାରେ ସ୍ଥାପିତ ଗାଁ ହାଇସ୍କୁଲର ସବୁଠାରୁ ମେଧାବୀ ଛାତ୍ର ଥିଲେ ସେ। ଗାଁଟା ଯାକର ସଭିଙ୍କର ବଡ଼ ଆଶା ଥିଲା ତାଙ୍କ ଉପରେ। ଅଖ୍ଯାତ ଅପାଣ୍ଡବା ଗାଁର ନାମ ଉଚ୍ଚା କରିବେ ଦିନେ। ଆଗାଧ ମେଧା ସହ ଅଦମ୍ୟ ସାହାସର ଅଧିକାରୀ ଥିଲେ। ଯେଉଁଦିନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ହାସଲ କଲେ ସେହି ଦିନ ହିଁ ଗାଁର ନାଁ ଖବରକାଗଜରେ ପ୍ରକାଶ ପାଇଥିଲା। ସେ ହୋଇଥିଲେ ଅଜସ୍ର ଶ୍ରଦ୍ଧା ଓ ସମ୍ମାନର ପାତ୍ର। ଘରେ କାହାରି ପାଦ ତଳେ ଲାଗୁନଥିଲା। ଉତ୍ସବର ମାହୋଲ ଗାଁରେ।
ପରବର୍ତ୍ତୀ ସମୟରେ ଜିଲ୍ଲା ସଦରମହକୁମାରେ ଅବସ୍ଥିତ ଗୋଟିଏ ନାମକରା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଖୁବ୍ କମ ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟତାର ଶିଖରରେ ପହଞ୍ଚି ପାରିଥିଲେ ନିଜର ଅମାୟିକ ବ୍ୟବହାର ନିମନ୍ତେ। ସବୁବେଳେ ନିଜକୁ ଛାତ୍ରଛାତ୍ରୀମାନଙ୍କ ଉନ୍ନତି କଳ୍ପେ ନିୟୋଜିତ କରିଥିଲେ। ଡାଉଟ୍ କ୍ଲିଅର୍ କ୍ଲାସ୍ ଠାରୁ ଆରମ୍ଭ କରି ହଷ୍ଟେଲ ଚାର୍ଜ୍ ସବୁକିଛି ଦାୟିତ୍ଵ ନିଜ ଉପରକୁ ନେଇଥିଲେ ସେ। ଏହା ଅନେକ ବରିଷ୍ଠ ଅଧ୍ୟାପକଙ୍କ ଗାତ୍ରଦାହର କାରଣ ହୋଇଥିଲା।
ଅଧ୍ୟାପନା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଲାଭ କିପରି ସାଧାରଣ ଜନତା ଉଠାଇ ପାରିବେ ଏବଂ ସଶକ୍ତ ହୋଇପାରିବେ ସେଥିପାଇଁ ଖୁବ୍ ଯତ୍ନବାନ ଥିଲେ ହେମନ୍ତ ବାବୁ। ଅବସର ସମୟରେ କଲେଜ ପିଲାମାନଙ୍କୁ ସାଥିରେ ଧରି ଏନ୍. ଏସ୍. ଏସ୍. ରେ ଗାଁ ଗାଁ ବୁଲି ସ୍ଵଚ୍ଛତା, ପରିବେଶ ସୁରକ୍ଷା ଏବଂ ନିଶା ନିବାରଣ ଆଦି ବିଷୟରେ ଲୋକମାନଙ୍କୁ ସଚେତନ କରାଉଥିଲେ।
ଠିକ୍ ସେହି ସମୟରେ ସରକାରୀ କଳର ବିଭିନ୍ନ ଦୁର୍ନୀତି ଓ କଳେଙ୍କାରୀକୁ ମଧ୍ୟ ଲୋକ ଲୋଚନକୁ ଆଣୁଥିଲେ। ପ୍ରତିଷ୍ଠିତ ଖବରକାଗଜରେ ସ୍ତମ୍ଭ ଲେଖି ସରକାରଙ୍କ ମୁଖା ଖୋଲି ଦେଉଥିଲେ। ବେଶ୍ ଶାଣିତ ଆକ୍ରମଣ କରୁଥିଲେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ। ଜଣାଶୁଣା ସ୍ତମ୍ଭକାର ଭାବେ ପରିଗଣିତ ହେବାର ଗୌରବ ଅର୍ଜନ କରିଥିଲେ ସ୍ଵଳ୍ପ ଅବଧି ମଧ୍ୟରେ। ଏହି ସ୍ପଷ୍ଟବାଦିତା ଯେ ଦିନେ ତାଙ୍କ ପାଇଁ ଦୁଃଖ ଦୁର୍ଦ୍ଦଶାର କାରଣ ହେବ ତାହା କାହାରିକୁ ଜଣା ନଥିଲା।
କାଳର ଗତି କରାଳ। କେତେବେଳେ କେଉଁ ଦିଗରେ ଗତିପଥ ତାର ବଦଳାଇବ କେବଳ ମହାକାଳଙ୍କୁ ହିଁ ଗୋଚର। ସମୟ ସବୁବେଳେ ସମାନ ଯାଏ ନାହିଁ। ଦିନକୁ ଦିନ ଶିକ୍ଷାର ମନ୍ଦିର ସମାନ କଲେଜମାନଙ୍କରେ ବୃଦ୍ଧି ପାଇବାରେ ଲାଗିଥିବା ରାଜନୈତିକ ହସ୍ତକ୍ଷେପ ହୋଇଥିଲା ସମସ୍ତଙ୍କର ଚିନ୍ତାର କାରଣ। ବାରମ୍ବାର ଗଣ୍ଡଗୋଳ, ପୋଡାଜଳା ଏବଂ ଛାତ୍ର ଅଶାନ୍ତି ଭୟଙ୍କର ରୂପ ଧାରଣ କରୁଥିଲା। ମାସ ମାସ ଧରି କଲେଜ ବନ୍ଦ ରହୁଥିଲା ରାଜନୈତିକ ଦଳଗୁଡିକର ବାଦ ବିବାଦ ହେତୁ। ଯାହାର ଫଳ ସ୍ୱରୂପ ଶିକ୍ଷାଦାନ କାର୍ଯ୍ଯ ବାଧାପ୍ରାପ୍ତ ହେଉଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।
କିନ୍ତୁ ହେମନ୍ତ ମହାପାତ୍ର ହିଁ ପ୍ରଥମେ କରିଥିଲେ ଏହା ବିରୋଧରେ ସ୍ୱର ଉତ୍ତୋଳନ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି। କଲେଜ ପରିଚାଳନା କମିଟିରେ ଅଧିଷ୍ଠିତ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଦେଇଥିଲେ ଖୋଲା ଆହ୍ବାନ। ଯାହାର ପରିଣାମ ସ୍ୱରୂପ ହାତ ଧୋଇ ବସିଥିଲେ ଚାକିରୀରୁ। ବିଦ୍ରୋହର ନେତା ଥିଲେ କିନ୍ତୁ ପଲଟିଯାଇଥିଲା ପଶାପାଲିର ବାଜି। ବିଶୃଙ୍ଖଳିତ ଆଚରଣ ଲାଗି ଚାକିରୀରୁ ବହିଷ୍କୃତ ହୋଇଥିଲେ।
ଗଛରେ ଚଢାଇଦେଇ ଗଛ ମୂଳ କାଟିଦେଲେ ସଂଗ୍ରାମର ସାଥୀମାନେ। ସାଥି ତ ନଥିଲେ ସେମାନେ ବରଂ ଇର୍ଷା ପରାୟଣ ସହକର୍ମୀ କହିବା ଠିକ୍ ହେବ। ରାଜନୈତିକ ଦଳର ନେତାମାନଙ୍କ ହାତବାରିସି ସାଜିଥିଲେ ନିଜର ନୈତିକତାକୁ ଜଳାଞ୍ଜାଳି ଦେଇ। ଅଧ୍ଯାପକ ହେମନ୍ତ ମହାପାତ୍ରଙ୍କୁ ତଳିତଳାନ୍ତ କରିବାର ଷଡଯନ୍ତ୍ର ରଚାଯାଇଥିଲା ଜିଲ୍ଲା ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଚାଟୁକାରମାନଙ୍କ ଦ୍ଵାରା। ଏଥିରେ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ ଅନ୍ୟ ଅଧ୍ଯାପକ ବୃନ୍ଦ ଏବଂ ଛାତ୍ର ସଂସଦର ପ୍ରତିନିଧିଗଣ। ସମର୍ଥନର ହାତ ଛାଡ଼ି ଦେଲେ ଛାତ୍ରଛାତ୍ରୀ ନିଜ କ୍ଯାରିୟରର ଭୟରେ। ଅଧ୍ଯାପକ ହେମନ୍ତ ବାବୁଙ୍କୁ ଗୁରୁଦେବ ମାନ୍ୟ କରୁଥିବା ଛାତ୍ରସମାଜ ବହୁଦା ବିଭକ୍ତ ହୋଇଯାଇଥିଲା ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ।
ସଦାସର୍ବଦା ସତ୍ଯ ଧର୍ମ ଓ ନ୍ୟାୟ ପଥରେ ଚାଲୁଥିବା ବେସାଲିସ ଲୋକଟି ହିଁ ଅସୁବିଧା ଭୋଗ କରିଥାଏ। ଠିକ୍ ଏହା ହିଁ ଘଟିଥିଲା ଅଧ୍ଯାପକ ହେମନ୍ତ ମହାପାତ୍ରଙ୍କ କ୍ଷେତ୍ରରେ। ଚାକିରୀ ଚାଲିଯିବା ପରେ ଆଉ ନୂତନ ନିଯୁକ୍ତି ମିଳିଲା ନାହିଁ କେଉଁଠି ବି ତାଙ୍କୁ, ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ପ୍ରରୋଚନାରେ। ପ୍ରାଇଭେଟ୍ ଟ୍ୟୁସନ କରି ଅର୍ଥ ରୋଜଗାର କରିବା ଥିଲା ତାଙ୍କ ନୀତି ଆଦର୍ଶର ପରିପନ୍ଥୀ। ଦିନକୁଦିନ ଦୁର୍ବଳ ହୋଇ ପଡିଲା ତାଙ୍କର ଆର୍ଥିକ ସ୍ଥିତି। ଅବିବାହିତ ଥିଲେ ମଧ୍ୟ ନିଜ ଖର୍ଚ୍ଚ ନିଜେ ବହନ କରିବା ପାଇଁ ସେ ହୋଇଗଲେ ଅସମର୍ଥ। ସାଥି ସହକର୍ମୀଙ୍କ ବିଶ୍ବାସଘାତ, ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ବିଦ୍ବେଷ ଓ ଛାତ୍ରଛାତ୍ରୀମାନଙ୍କ ବାଛନ୍ଦ ଭାଙ୍ଗି ଦେଇଥିଲା ତାଙ୍କ ମନୋବଳ।
ଦୁନିଆର ସଭିଏଁ ପର କରିଦେବା ପରେ ମନେ ପଡେ ମାଟି ମାଆ କଥା, ଗାଁ କଥା। ସବୁଠାରୁ ନିରାଶ ହେବା ପରେ ହେମନ୍ତ ବାବୁ ଫେରିଆସିଲେ ନିଜ ଗାଁକୁ। ମାତ୍ର ଏଠି ବି ଦୁର୍ଭାଗ୍ୟ ତାଙ୍କ ପିଛା ଛାଡି ନଥିଲା। ଅଯଥାରେ ଲୋଭନୀୟ ଚାକିରୀ ଛାଡ଼ି ଆସିଥିବାରୁ ଘରେ ସଭିଏଁ ଥିଲେ ଅସନ୍ତୁଷ୍ଟ। ଭେଣ୍ଡିଆ ବେକାର ପୁଅକୁ ବୋଝ ମନେ କରୁଥିଲେ ପରିବାର ଲୋକେ।
ଚାକିରି କଲେ କେଉଁଠି ନା କେଉଁଠି ସାଲିସ୍ କରିବା ପାଇଁ ହିଁ ପଡେ। ଟିକେ ନଇଁ ପଡ଼ିଲେ ସବୁ ଝଡ଼ ବହି ଚାଲିଯାଏ। ରାଜନୀତି କରି ନେତା ହେବାର ଦରକାର ବା କଣ ଥିଲା? ପ୍ରଭାବଶାଳୀଙ୍କ ସହ ଖୋଲାଖୋଲି ଲଢେଇ କରି କଣ ସାବ୍ୟସ୍ତ କରିବାକୁ ଚାହୁଁଥିଲ? ଏମିତି ଅନେକ ପ୍ରକାରର ପ୍ରବଚନ ଭାଷିଲେ ବଡ଼ ଭାଇମାନେ। ଘରେ ପୁରେଇ ଦେଲେ ନାହିଁ ବଦ୍ଧ ପାଗଳ କହି। ଦୁଃସମୟରେ ସାଥିରେ ଠିଆ ହେବା ପରିବର୍ତ୍ତେ ହେମନ୍ତ ବାବୁଙ୍କୁ ଦୂରେଇ ଦେଲେ ଘର ପରିବାରରୁ।
ନିଜ ଘରୁ ତଡା ଖାଇବା ପରେ ବାର ଓଳି ଶୁଣ୍ଢି ପିଣ୍ଢା ହୋଇ ଦୁନିଆର ଠୋକର ଖାଇ ଖାଇ ସତସତିକା ପାଗଳ ହୋଇ ଗଲେ ଅଧ୍ଯାପକ ହେମନ୍ତ ମହାପାତ୍ର। ଗାଁର ଛୋଟ ଛୋଟ ପିଲାମାନେ ତାଙ୍କୁ ଚିଡ଼ା ଚିଡି କରନ୍ତି। ପଛରେ ଗୋଡ଼େଇ ଗୋଡ଼େଇ ମାରନ୍ତି ତାଙ୍କୁ। କେବେ କେବେ କେହି କେମିତି ଗଣ୍ଡେ ଅଧେ ଖାଇବାକୁ ଦିଅନ୍ତି ଦୟାକରି ତ କେବେ ବିରକ୍ତି ପ୍ରକାଶ କରି। ଶ୍ରୀଅକ୍ଷର ବ୍ଯବର୍ଜିତ କେହି କେହି କହନ୍ତି ଅଧିକ ପାଠୁଆ ହୋଇଥିବାରୁ ସେ ପାଗଳ ହୋଇଗଲେ ବୋଲି। ଆଉ କେତେକ ତାଙ୍କୁ ଜାଣିଶିଆଣିଆ ପାଗଳ ବୋଲି ବି କହୁଥିଲେ। କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ନଥାଏ କେବଳ ହସିବା ବ୍ୟତିତ।
ବହୁଦିନ ପରେ ମୁଁ ଯାଇଥିଲି ଗାଁକୁ ଗତ ଦଶହରାରେ। ଲୋଚାକୋଚା ମଇଳା ଲୁଙ୍ଗି ପିନ୍ଧିଥିବା ଗୋଟେ ଅପରିଚ୍ଛନ୍ନ ଲୋକକୁ ଗାଁ ମୁଣ୍ଡ ବରଗଛ ମୂଳେ ବସିଥିବାର ଦେଖିଲି। ମୁଣ୍ଡରେ ଜଟ ଓ ମୁହଁରେ ଦାଢ଼ି ଭର୍ତ୍ତି, ଆକାଶକୁ ଚାହିଁ ମନେ ମନେ କେତେ କଣ କଥା ହେଉଥାଏ। ଚମକି ପଡ଼ିଲି ମୁଁ, କାରଣ ଆମ ଗାଁରେ ଏ ଦୃଶ୍ୟ ଥିଲା ମୋ ପାଇଁ ନୂଆ। ଖବର ନେବାରୁ ଜାଣିଲି, ଯାହାଙ୍କୁ ମୁଁ ପିଲାଦିନେ କକା କକା ଡାକୁଥିଲି ଇଏ ସେହି ହେମନ୍ତ କକା। ମୋ କକାଙ୍କ ସହପାଠୀ ଥିଲେ ସେ। ସେହି ହେତୁ ଆମ ଦୁହିଁଙ୍କ ମଧ୍ୟରେ ଥିଲା ନିଆରା ଆତ୍ମୀୟତା। ଏବେ କିନ୍ତୁ ମୁଁ ତାଙ୍କ ପାଖକୁ ଯିବାକୁ ଡରୁଥିଲି।
ସତେ ଯେମିତି ଆକାଶରୁ ଖସି ପଡୁଥିଲି ମୁଁ। ମୋ ପାଦ ତଳର ମାଟି ଧସିଯାଉଥିଲା ରସାତଳକୁ। ବିଶ୍ବାସ କରିପାରୁନଥିଲି ନିଜ ଆଖିକୁ। ହେମନ୍ତ ମହାପାତ୍ରଙ୍କ ପରି ମେଧାବୀ ବ୍ୟକ୍ତିତ୍ବ ଯେ ପାଗଳ ହୋଇ ଯାଇପାରେ ମାନସିକ ଭାରସାମ୍ୟ ହରାଇ ନିହାତି ଭାବେ ଅବିଶ୍ବସନୀୟ! ତାଙ୍କ ଭଳି ସ୍ୱାଭିମାନୀ ଲୋକ ଯେ ବଞ୍ଚିବାର ରାହା ଖୋଜି ପାଗଳର ଅଭିନୟ କରିବ ତାହା ମଧ୍ୟ ମୋ ପାଇଁ କଳ୍ପନାତୀତ। ସଭିଏଁ ତାଙ୍କୁ ପାଗଳ କହୁଥିବା ବେଳେ ମୁଁ ଥିଲି ଦ୍ୱନ୍ଦରେ।
ଆଜିକାଲି ସେଇ ବରଗଛ ମୂଳରେ ବସି ରାତିସାରା ଉଜାଗର ରହି ନଭମଣ୍ଡଳର ନକ୍ଷତ୍ରମାନଙ୍କୁ ଅବଲୋକନ କରୁଛନ୍ତି ହେମନ୍ତ କକା, ସେମାନଙ୍କ ସହିତ ଭାବ ବିନିମୟ କରୁଛନ୍ତି ନିରୋଳାରେ। ସବୁବେଳେ ଖାଲି ହସୁଛନ୍ତି ସଂସାର ଜଞ୍ଜାଳରେ ଅହର୍ନିଶି ହନ୍ତସନ୍ତ ହେଉଥିବା ତଥାକଥିତ ବିଜ୍ଞ ବିବେକୀ ସଂସାରୀ ସ୍ବାର୍ଥପର ମଣିଷମାନଙ୍କୁ ଦେଖି...