STORYMIRROR

Satyabati Swain

Tragedy

3  

Satyabati Swain

Tragedy

P 1 କର୍ଣ୍ଣର ହସ

P 1 କର୍ଣ୍ଣର ହସ

6 mins
129


      ତୁମେ ସମସ୍ତେ ମୋ ହସ ଦେଖ ,ବାହାବା କର ; କିନ୍ତୁ କେହି କେବେ ଦେଖିଛ କି ହସ ଭିତରେ କର୍ଣ୍ଣର କେତେ ଲୁହ ଥାଏ ? ମାପିଛ ସେ ଲୁହର ବେଦନା। ଆସ ଦେଖିବ ପ୍ରତି ମୁହୂର୍ତ୍ତରେ ହସୁଥିବା ମଣିଷଟି କେମିତି ମରଣ ଜୀଏଁ ।

  


    ଅନେକ ଦିନ ବୋଧେ ଦୀର୍ଘ ପଚିଶି ବର୍ଷ ବିଶ୍ରାମହିଁନ ଭାବେ ଦୌଡ଼ିଲା ପରେ ମୁଁ  ନିଜକୁ ଦେଖୁଥିଲି ଦର୍ପଣ ଆଗେ।ଡ୍ରେସିଂ ଟେବୁଲ ଦର୍ପଣରେ ମୁଣ୍ଡଠୁ ଗୋଡ ପର୍ଯ୍ୟନ୍ତ ପରିଷ୍କାର ଦିଶୁଥିଲା ମୋତେ।ନିରୀକ୍ଷଣ କଲି ମୁହଁକୁ।ଦାଢ଼ି କଳା ଧଳା ମିଶ୍ରଣ ବିଲେଇ ଦେହ ପରି ଦିଶୁଛି।ନିଶ ଠାରୁ ଗାଲ ତଳ ଯାଏ ଆଉଁସି ଦେଲି ଟିକେ ଦାଢ଼ି ଟା।ଟିକେ ଟିକେ ଗଜୁରିଲା ପରି ଦାଢ଼ି ମୁଁ ସବୁ ବେଳେ ରଖେ।ବେଶ ମାନେ ମୋ ନାଲି ମିଶା ଗୋରା ମୁହଁକୁ ଟିକେ ଟିକେ ଦାଢ଼ି।କଲା ଛନ୍ନ ଛନ୍ନ ଦାଢ଼ି ଭିତରେ ଆଗେ ଖୁବ୍ ଆକର୍ଷଣୀୟ ଲାଗୁଥିଲି।ବିଶେଷ କରି ଇଂଜିନିୟରିଂ କଲେଜ ଝିଅ ଗୁଡା ଭାରି ଡାହାଣୀ।ଲୋଭେଇ ଯାଉଥିଲେ ମୋ ଦାଢ଼ି ଓ ମୁହଁକୁ।କେହି କେହି କହୁଥିଲେ ବାଃ କର୍ଣ୍ଣ ଶିବାଜୀ ପରି ଦାଢ଼ି ତୁମ ମୁହଁକୁ କି ଚମତ୍କାର ମାନୁଛି।ଇଚ୍ଛା ହେଉଛି ସାଉଁଳେଇବା ପାଇଁ।

           

   ଫିକକ୍ କିନା ହସି ଦେଉଥିଲି ଲାଜରା ହୋଇ।ସେଇ ଉଣେଇଶି କୋଡିଏ ବର୍ଷ ବୟସରେ ନିଜ ସୁନ୍ଦରତାର ପ୍ରଶସ୍ତି ଗାନ ଅନ୍ୟ କେହି ନୁହେଁ ସେ ପୁଣି ଝିଅମାନଙ୍କ ମୁହଁରୁ ଶୁଣିବା କେଇଟା ଟୋକାଙ୍କ ଭାଗ୍ୟରେ ବା ମିଳେ!ଆଉ ଯାହାକୁ ମିଳେ ସେ ଯେ ନିଶ୍ଚେ ଅମିତ ଭାଗ୍ୟଶାଳୀ କହିବା ବାହୁଲ୍ୟ ମାତ୍ର।ଭିତରେ କୁତୁକୁତିଆ ଭାଵ ଏପରି ମନ୍ତବ୍ୟ ଶୁଣି ଲାଗୁଥିଲା ବେଳେ ଉପରେ ଲାଜ ମିଶା ହସରେ ଜୁଡୁ ବୁଡୁ ହୋଇଯାଉଥିଲା ମୋ ମନ।କେହି କେହି ସିନିୟର ଝିଅ ପିଲା ଗାଲ ଟିପି ଦେଇ କହୁଥିଲେ ଦେଖ୍ ଦେଖ୍ ଲାଜରେ କେମିତି ଲାଲ ପଡ଼ି ଯାଉଛି ସ୍କୁଲ ଛୁଆଟା।ସମସ୍ତେ ହୋ ହୋ ହୋଇ ହସୁଥିଲେ। ମୁଁ ବି ବୋକାଙ୍କ ପରି ସଭିଙ୍କ ମେଳରେ ହସି ପକାଉଥିଲି।

            

    ହଷ୍ଟେଲରେ ଆସି ସବୁରି ଅଲକ୍ଷେ ଦେଖୁଥିଲି ନିଜକୁ ସତରେ କଣ ମୁଁ ଏତେ ସୁନ୍ଦର!!!ବୋଧେ ହଁ।ନଚେତ ମୋ ଶ୍ରେଣୀ ପିଲା ତଥା ତଳ ଉପର ଝିଅ ପୁଅ ଉଭୟେ କୁହନ୍ତେ କି ହେ ହିରୋ।କି ମସ୍ତ ଚେହେରା ପାଇଛ ମ।ଝିଅ ଗୁଡା ପଛରେ ମହୁମାଛି ପରି ଗୋଡାଉଛନ୍ତି।କେବଳ ଚେହେରା ନୁହେଁ ମସ୍ତିଷ୍କ ବି ଢେର ଉର୍ବର ଥିଲା ମୋର।ସେମିନାର,ପ୍ରଯୋକ୍ଟ, ଫଙ୍କସନ୍ ସବୁଠି ଚାହିଦା ଥିଲା ।ସେଇ ବୟସରେ ପ୍ରାୟତଃ ନିଠେଇ ନିଠେଇ ଦର୍ପଣ ଆଗେ ମୁହଁକୁ ଦେଖି ପର୍ଯ୍ୟାପ୍ତ ଖୁସି ଅନୁଭବ କରୁଥିଲି ।ସମସ୍ତଙ୍କର ମୁଁ ଜଣେ ଲଭର ବଏ।ହିରୋ,ରୋମିୟ।

          

   ଇଂଜିନିୟରିଂ ସରିଗଲା।ବୁଦ୍ଦୁ ଟା ସାରା କଲେଜ ଝିଅ ମୋ ପଛେ ପଡିଥିଲା ବେଳେ ଜଣଙ୍କ ପଞ୍ଜୁରୀରେ ବି ଧରା ଦେଇ ନଥିଲି।ସେତେବେଳେ ମୋ ମୁଣ୍ଡରେ ବସା ବାନ୍ଧିଥିଲା ପଢ଼ିବା ଓ କିଛି ହେବା।ଭଲ ଫଲ ପାଇବା ତା ଦେଇ ହେବନି।ଫାଲତୁ କାମ ପାଇଁ ତାର ବେଳ କେଉଁଠି ଥିଲା ଯେ।ବାପା ଛେଉଣ୍ଡ ପୁଅଟା ନା।ବହୁତ କଷ୍ଟ କରି ବୋଉ ମୋର ଇଂଜିନିୟରିଂ ପଢ଼ାଉଛି।ଗାଁ ଜମି ଜମା କେବଳ ସମ୍ବଳ।ମୋ ପଢା ପାଇଁ ରାସ୍ତା କଡ଼ ଜମିଟି ବିକି ଦେଇଛି ବୋଉ।ସେ ପଇସା ତକ ସରିଗଲେ ସେ ହତାଶ ହୋଇଯିବ।ଏଣୁ ଇଂଜିନିୟରିଂ ରେ ଗ୍ରାଜୁଏସନ ସରୁ ସରୁ ମୋର ଚାକିରୀ ହୋଇଯିବାର ଅଛି।ନଚେତ ମୋ ତଳ ଭାଇ,ଭଉଣୀ,ବୋଉ ଓ ଜେଜେଙ୍କ ଆଶା ମାଟିରେ ମିଶିଯିବ।ନିଜକୁ ସଂଯତ ନକଲେ ରାସ୍ତା ଭୁଲିଯିବାର ସମ୍ଭାବନା ଅଧିକ। ମୁଁ ନିଜ ରାସ୍ତା ନିଜେ ତିଆରି କରି ଚାଲୁଥଲି।ସବୁ ଖୁସିକୁ ପଛ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଥିଲା ଏକମାତ୍ର ଲକ୍ଷ୍ୟ। ହସ ଭିତରେ ପିଉଥିଲି

ଆଞ୍ଜୁଳା ଆଞ୍ଜୁଳା ଲୁହ।

         

   ଏଇଥିପାଇଁ ବୋଧେ ଝିଅମାନେ କୁହନ୍ତି କର୍ଣ୍ଣଟା ସିନା ମସ୍ତ ଚେହେରା ପାଇଛି;ହେଲେ ତା ଭିତରେ ହଟନେସ୍ ନାହିଁ।ମାଇଚିଆଟା।ଏ କଥାରେ ବି ଟିକେ ହସିଦିଏ।ଭଲ ହେଉ ବା ଭେଲ ମୋର ହସିବା ଥୟ ମୂର୍କି ମୂର୍କି।କିନ୍ତୁ ନିଧି କୁହେ ତୁମେ ଜାଣିନ କର୍ଣ୍ଣ ତଳ ମୁହାଁ କାଙ୍କ।ଚୁପ୍ ସଇତାନ।ଟୋକାଟା ଭାଉଁ ଖାଉଛି।ନିଶା ସମସ୍ତଙ୍କ ଠାରୁ ଅଲଗା।ସେ ବିରୋଧ କରେ ପ୍ରତ୍ୟେକ ଙ୍କ ଟିପ୍ପଣୀକୁ।କୁହେ ଥାଉ ନା କାହିଁକି ହଇରାଣ କରୁଛ ପିଲାଟାକୁ।

          

    ଓହୋ ହୋ ହୋ ପିଲାଟା....ଭେଣ୍ଡିଆ ଟା।କାହା ପାଲରେ ପଡୁନି।ତୁ ତାକୁ ମନେ ମନେ ରସିଛୁ ବୋଧେ।ନଚେତ ତା ପଟିଆ ହୋଇ କଥା କୁହନ୍ତୁ କି।ନିଶାକୁ ଆକ୍ଷେପ କରି କୁହନ୍ତି ଆମ ସାଙ୍ଗ ମାନେ।ସତ କଥା ଏଇଆ ଯେ ସମସ୍ତଙ୍କ ପାଇଁ ହୃଦୟ ହଲଚଲ ହୁଏନି।ନିଜ ଅଜାଣତରେ ଗୋଟିଏ ନିର୍ଦ୍ଧିଷ୍ଟ ଝିଅ ପାଇଁ ମନ ତଳେ କିଛି କିଛି ହୁଏ।ଯାହାକୁ ଅହରହ ଦେଖିବାକୁ ଆଖି କୁହେ।ଯିଏ ପାଖେ ପାଖେ ରହୁ ବୋଲି ମନ ଇଚ୍ଛା କରେ।ଯାହାର କଥା ଶୁଣିବାକୁ କାନ ବ୍ୟସ୍ତ ହୋଇପଡେ।ଯାହାର ଅନୁପସ୍ଥିତି ବ୍ୟାକୁଳ ଭାଵ ସୃଷ୍ଟି କରେ।ଯାହାର କେଶ

,ବାସ, ଦେହ ବାସ୍ନା ଆଘ୍ରାଣ କରିବାକୁ ନାକ ଅଥୟ ହୁଏ।ଯାହାର ଶୁଖିଲା ମୁହଁ ଦେଖି କଷ୍ଟ ଲାଗେ ଓ ତା କଷ୍ଟ ସବୁ ନିଜକୁ ମିଳୁ ବୋଲି ଈଶ୍ୱରଙ୍କୁ ପ୍ରାଥନା କରାଯାଏ।ସେଇ କଣ ମୋ ପାଇଁ ନିଶା ନାମୀ ଝିଅଟି!!

        

   ନିଶା ଗୋଟିଏ ଅପ୍ରକାଶ୍ୟ ନିଶା ମୋ ଜୀବନର।କିନ୍ତୁ ସେ ନିଶାରେ ଚୁର ହୋଇନି ।ଜଗିଛି ନିଜ ମନ,ହୃଦୟ,

ଆତ୍ମା ଓ ବୟସର ପାଦ।ନିଶା ସବୁଦିନ ମୋ ମନ ତଳେ ରହି ଯାଇଛି ଘନିଷ୍ଠ ବାନ୍ଧବୀ ହୋଇ।କାରଣ ନିଶା ଜଣେ ମନ୍ତ୍ରୀଙ୍କ ଝିଅ।ଅଚଳା ଚଳ ସୁଖ ପାଚୁର୍ଯ୍ୟ ମଧ୍ୟର ସୁକୁମାରୀ ରାଜ କୁମାରୀ।ନିହାତି ଭଲ ଝିଅଟିଏ।ସବୁ ପୁରୁଷଙ୍କ ପ୍ରଥମ ପସନ୍ଦ।ମୋର ବି।ଏକଥା ମୋ ମନ ସିଂଧୁକ ଫରୁଆରୁ ବାହାରିନି କେବେ।ଡେଇଁନି ଏରୁଣ୍ଡି କି ଲଙ୍ଘିନି କେବେ କୂଳ।

       

  ଘନିଷ୍ଠ ବାନ୍ଧବୀ ହେଉ ହେଉ ନିଶା ଖୁବ୍ ପାଖ ହୋଇ ଆସି ଅନେକ ସୂଚନା ଦେଇଛି ମୋତେ ତା ପ୍ରେମର।ବୁଝିକି ନ ବୁଝିଲା ପରି ଅଭିନୟ କରିଛି ମୁଁ।ଏଇ ଅଭିନୟ କରିବା ଭାରି କଷ୍ଟ।ମନ ଚାହୁଁଥିବ ଆପଣାର କରି ନେବାକୁ।ପରିସ୍ଥିତି ଅଟକାଉଥିବ।ଏହା ମଝିରେ ତ୍ରିଶଙ୍କୁ ହୋଇ ଦୋହଲୁଥିଲି ପ୍ରତି କ୍ଷଣ ମରି ମରି।ତେବେବି ହସୁଥିଲି ସମସ୍ତ ଯନ୍ତ୍ରଣା ପିଇ। 

        

   ନିଶା କହୁଥିଲା ହସ ତୁମ ବ୍ୟକ୍ତିତ୍ୱ କୁ ଆହୁରି ସୁନ୍ଦର କରେ କର୍ଣ୍ଣ।କେଜାଣି କିଏ ସେ ଭାଗ୍ୟବତୀ ତୁମ ପରି ଖାଣ୍ଟି ସୁନାକୁ ବେକର ମଙ୍ଗଳସୁତ୍ର କରିବ ଆଜୀବନ। ଏଡେଇ ଦେଇ କୁହେ ଚାକିରୀଟିଏ ଆଗ ହେଉ।ଭାଇ ଭଉଣୀ ଦିଟା ମଣିଷ ହୋଇଯାଅନ୍ତୁ।ତାପରେ ଖୋଜିବି ସେଇ ଭାଗ୍ୟବତୀ ବେକକୁ।ଏବେ ତ ପଢା ଓ ଚାକିରୀ ଖୋଜା ମୋ ପାଇଁ ନିତାନ୍ତ ଜରୁରୀ।

            

   ତା ମୁହଁ ଶୁଖିଯାଏ।ଚାହୁଁଥିବା ଉତ୍ତର ନଶୁଣି।ହୁଏତ ମୁଁ କହିଥାନ୍ତି ସେଇ ଭାଗ୍ୟବତୀ ବେକଟି ତୁମର ହେଲେ କେମିତି ହୁଅନ୍ତା ଏ କଥା ବୁଝେ,କିନ୍ତୁ ଅଭିନୟ କରେ ଓ ହସେ ଅନିଚ୍ଛାକୃତ।

  

   ସେ କୁହେ ତୁମେ ଏମିତି କେମିତି ହସି ପାର କର୍ଣ୍ଣ ! ଭାରି ଭାରି କଥା,ଓଦା ହୃଦୟ ଥିଲେ ବି ତୁମ ମୁହଁକୁ ହସ ଛାଡେନି ?।ହସ ଟି କଣ ତୁମ ଜନ୍ମଗତ?


    ଜନ୍ମଗତ ବୋଧେ। ପିଲା ଦିନେ ସବୁ ବେଳେ ହସୁଥିଲି।ବାପା କହୁଥିଲେ ମୋ ସୁନ୍ଦର ପୁଅ ମୁହଁକୁ ହସ କି ମାନୁଛି!!ସେ ହସ ଅବତାରୀ।ହସିବ ଜୀବନ ତମାମ।ହସେଇବ ଦୁନିଆଁ।ବୋଉ ଛେପ ମେନ୍ଦେ ମୋ ଉପରେ ପକାଇ କୁହେ"ଛି ଛି ସମସ୍ତେ ମୋ ପୁଅ ହସ ଉପରେ ଆଖି ପକାଉଛ!ପିଲା ଦିନେ ହସୁଥିଲି କୌଣସି କାରଣ ନ ଥାଇ।କିଛି ପାଇବା ଅପେକ୍ଷା ନ ରଖି।

 

  ସମସ୍ତଙ୍କ ପିଲା ଦିନ ଏପରି।ଶାଶ୍ୱତ,ନିର୍ମଳ।ଅମୃତ ଝରେ ପିଲା ହସରେ।ପାଇବା ଲାଳାସା,ହଜାଇବା ଦୁଃଖ,ନ ହେବା ଆତ୍ମଗ୍ଳାନି ନ ଥାଏ ସେ ନିଷ୍ପାପ ବୟସରେ।ହୁଗୁଳା ଖସି ପଟୁଥିବା ପେଣ୍ଟ୍ ଟେକି ଗାଁ ଦାଣ୍ଡେ ଟାୟାର ଗଡେଇବାର ସ୍ବର୍ଗୀୟ ସୁଖ,ବୋହି ପଡୁଥିବା ସିଙ୍ଘାଣି ଜିଭରେ ଚାଟି ଦେବାର ଲୁଣିଆ ସ୍ୱାଦ,ହାତରେ ପୋଛି ଆଣି ସିଙ୍ଘାଣି ପେଣ୍ଟ୍ ସାର୍ଟ,ଦେହରେ ବୋଲି ହେବାର ଶିଶୁ ସୁଲଭ ଚପଳତା,ମିଳୁନି କେବେ ବି ଏସି ଘର,ଅଫିସ୍ ବା ଗାଡି ଭିତରେ।

  

   ବାପାଙ୍କ ହୃଦଘାତ ଅକାଳ ବିୟୋଗ ଅନେଶୋତ ମହବାତ୍ୟା ପରି ଭାଙ୍ଗି ଦେଇଥିଲା ଆମ ଘର।ବୟସ ମୋର ସାତ। ସଂସାର, ମରଣ ବୁଝିବା ବୟସ ନୁହେଁ।କିନ୍ତୁ ବୁଝି ପାରୁଥିଲି ମୋ ବୋଉର ଖାଲି ହାତ ଓ ଖାଲି ମଥାର କାରଣ ମୋ ବାପାଙ୍କ ଅନୁପସ୍ଥିତି,ଅବର୍ତ୍ତମାନ।ସେବେଠୁ ବୋଉ ଜାକିଛି ମୋତେ ଛାତିରେ।ବୋଉ ମୟ ମୁଁ।


   ମନ ଥିଲା ଗାୟକଟିଏ ହେବି।କିନ୍ତୁ ଗାଇବା କଣ ଏତେ ପଇସା ଦେଇଥାନ୍ତା ଯେ ଭାଇ ଭଉଣୀକୁ ମଣିଷ କରି ପାରି ଥାଆନ୍ତି। ପଢ଼ାସରୁ ସରୁ ହାଇଦ୍ରାବାଦରେ ଚାକିରି ଟିଏ ପାଉ ପାଉ ବୋଉ ବାହା କରିଦେଲା ତା ପସନ୍ଦର ଝିଅ 'ସୁଜି' ସାଙ୍ଗେ।ନିଶା ମୋ ପ୍ରେମ ଥିଲା। ବୋଉ ମନ କାଳେ ଭାଙ୍ଗିଯିବ,କାଳେ ଦୁଃଖ ଅନୁଭବ କରିବ ଭାବି ମୁଁ ଯେ ନିଶାକୁ ଭଲ ପାଏ କହି ପାରି ନଥିଲି।ସୁଜି ଭିତରେ ଜଙ୍ଗଲି ମନଟି ଦରାଣ୍ଡେ ନିଶାକୁ।ମୋତେ ବିବାହ କରି ସୁଜି ସମ୍ପର୍କ ରଖେ ତା ପୂର୍ବତନ ପ୍ରେମିକ ସହ । ଅଣ ଦେଖା କରେ ମୋତେ । କେବେ କେବେ ନିଶା ଫୋନ୍ କଲେ ଖୁବ୍ ହସେ କଲେଜ କଥା ମନେ ପକାଇ ଗୋପନ ଦୁଃଖକୁ ଚାପି।ଚେପେଟା ହୋଇଯାଏ ହସ ।ନିଶା କୁହେ ଅଗାଡିଟା ତୁମେ। ଭଲ ପାଇ ଆସେନି ତୁମକୁ। ହୋ ହୋ ହସ ଭିତରେ ଜବରଦସ୍ତ ନିଜ ଖୁସିକୁ ପୋତି ଲୁହ ନିରବରେ ଝରି କିଛି ଓଠ ପିଏ ବଳକାତକ ଛାତି ଶୋଷିନିଏ।


   ମୋର ଇଚ୍ଛା ବୋଉ ପାଦ ତଳେ ସଂସାର ର ସବୁ ସୁଖ ଢାଳି ଦେବି।ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି ବୋଉକୁ ଖୁସି ଦେବାକୁ।ବୋଉର ଶୁଖିଲା ମୁହଁରେ ହସ ଦେବାକୁ।ସାନ ଭାଇଟି ବାହା ସାହା ହୋଇ ଦିଲ୍ଲୀରେ ସେଟେଲ।ଭଉଣୀ ବେଙ୍ଗାଳୁରୁ ରେ ତା ସ୍ବାମୀ ସହ ରହିଛି।


   ସମସ୍ତଙ୍କୁ ଥଇଥାନ କରି ଦଉଡ଼ି ଦଉଡ଼ି ସତରେ ମୂ ହାଲିଆ।।ଆଜି ଖୋଜୁଛି ପିଲା ଦିନର କର୍ଣ୍ଣକୁ କଳା ଧଳା ଦାଢ଼ି ଭିତରେ।।ହେ କର୍ଣ୍ଣ ତୁ କେଉଁଠି ବାବା!!ଆ ଟିକେ ଧନ,ମୁଁ ପରା ଖୋଜୁଛି ତୋତେ।।ଖୋଜୁଛି ସେଇ ପିଲା ମୁହଁର କାରଣ ନଥିବା ହସ।ଆ ରେ କର୍ଣ୍ଣ! ଆ ସାଙ୍ଗ ହୋଇ ଦାଣ୍ଡରେ ଦୌଡ଼ିବା। କର୍ଣ୍ଣ ରେ କେତେ ଖରା କହିଲୁ ଏବେ! ଓଃ କି ତାତି ! ଘରେ,ବାହାରେ,ମନରେ ଖାଲି ତାତିର ଡହହ।ହେ କର୍ଣ୍ଣ ଚାଲ ସେଇ ଆମ୍ବ ଗଛ ମୂଳକୁ।ଖରାରବେଳ ପାରି କରିଦେବା ଆମ୍ବ ଝର କରି।ଲଙ୍କା ,ଲୁଣ,ପିଆଜ ଆମ୍ବରୁ କୋଇଲି କାଢି,ଖୋଲ କରି ପୁରେଇ ଦେବା।ଅପେକ୍ଷା କରିବା କିଛି ସମୟ ସନା,ପମି,ନାନା,ଗେଲୁ,ଅମୁ ସମସ୍ତେ ମିଶି ଶୋଷିବା ଆମ୍ବ ଝର।ଚାଲ ନା କଇଁଆଁ ପଣା କରି ସୁଡୁ ସୁଡୁ ହାପୁଡିବା।ଜୋର ଚୁଆରେ ବୁଡିବା ଦେହରେ ଶିଉଳି ବସିବା ପର୍ଯ୍ୟନ୍ତ।ବିଲସାରା ଦୌଡ଼ିବା, ମୁଗ ଛୁଇଁ ଖାଇବା, ଗୁଡ଼ି ଉଡେଇବା।

 

   ସମସ୍ତେ କୁହନ୍ତି ହସ ମୋର ମସ୍ତ। ହେଲେ ମୁଁ ହସେ କେତେବେଳେ ଯେ? ଲୁହକୁ ଲୁଚେଇ ଆଉ ଦୌଡ଼ିବାକୁ ମନ କହୁ ନାହିଁ। ବାପା ମଲା ଦିନୁ ହସ ଭିତରେ କାନ୍ଦି କାନ୍ଦି ଥକି ପଡିଲେଣି। ଏଣିକି ମୁଁ କେବଳ କାନ୍ଦିବି।ମୋତେ କାନ୍ଦିବାକୁ ଦିଆଯାଉ।


   ସେଦିନ କର୍ଣ୍ଣ ବି ନୀରବରେ କାନ୍ଦୁକୁ ଲୁଚେଇ ହସୁଥିଲା ।କୁନ୍ତୀ ତାର ମାଆ, ପାଞ୍ଚ ପାଣ୍ଡଵ ତାର ଭାଇ ଜାଣି ବି ସେ ଅବୈଧ ଥିଲା । ଥିଲା ଏକାକୀ।


ଆଜି ମୁଁ କର୍ଣ୍ଣ ନାମ ଧାରୀ ମଣିଷଟି କାନ୍ଦକୁ ଲୁଚେଇ କାନ୍ଦୁଛି। ଯୁଗେ ଯୁଗେ କର୍ଣ୍ଣ ମାନେ କାନ୍ଦ ଲୁଚେଇ ହସିବାକୁ ଜନ୍ମ କି ।


Rate this content
Log in

Similar oriya story from Tragedy