ଓମିକ୍ରନ
ଓମିକ୍ରନ
ଆଜିକା ସମୟରେ ଯୁଆଡେ ଦେଖ ପ୍ରତିଘରେ ଲୋକଙ୍କ ଥଣ୍ଡା କାଶ,ତଣ୍ଟି ରଗରଗ କରିବା,ପରେ ପରେ ଥୁକ ଗିଳିବାରେ,କଷ୍ଟହେବା ଦେହଗୋଡ ହାତ ଭୀଷଣ ଦରଜ ହେବା ଜ୍ବର ରହିବା ଏମିତି ସମସ୍ୟା ରହିଛି।ଲତା ତା ସାଙ୍ଗ ଉର୍ମିଲା ସହ ଫୋନରେ କଥା ହେଉଥିଲା।ତାର ଝିଅର ବି ଏସବୁ ସମସ୍ୟା ହେଉଥିଲା।ପରୀକ୍ଷା କରିବା ପରେ କୋଭିଡ ବାହାରିଲା।ଲତାର ଛୋଟ ପୁଅ ଗଗନ ଦୁଇବର୍ଷପରେ ଫେରିଥିଲା ଘରକୁ।ସମସ୍ତେ ଖୁସିଥିଲେ ସେ ଫେରି ଥିବାରୁ।କରୋନା ପାଇଁ ଦୁଇବର୍ଷ ସେ ଚାକିରି ଜାଗାରେ ଫସି ଯାଇଥିଲା।ଏକା ଭଡାଘରେ ରହି ଦୁଇଟାବର୍ଷ ଅନ୍ଲାଇନ କାମକରି କାଟିଦେଲା।ମଝିରେ କରୋନା ଟିକେ ଶିଥିଳ ଜଣାପଡିବାରୁ ସେ ଡିିସେମ୍ବରରେ ଘରକୁଆସିଥିଲା।
ବଡପୁଅବି ଖ୍ରୀଷ୍ଟମାସ ଛୁଟିରେ କିଛିଦିନ ଘରକୁ ଆସିଲା ତା ପରିବାର ନେଇ। ସଭିଏଁ ଏବେ ଘରେ ଜମାହେବାରୁ ଘରଟା ଖୁସିଲାଗୁଥିଲା।ସେମାନେ ସଭିଏଁ ମିଶି କୁଆଡେ ବୁଲି ଯିବାକୁ ଯୋଜନା କଲେ।ଆଖପାଖରେ ସେମିତି ସ୍ଥାନ ଖୋଜୁ ଖୋଜୁ ଚନ୍ଦ୍ରହାସିନୀ ମନ୍ଦିର ସମସ୍ତଙ୍କ ମନକୁ ଆସିଲା।ଭଲ ଜାଗାଟେ।ମହାନଦୀ କୂଳରେ ଅବସ୍ଥିତ ଏକ ଶକ୍ତିପୀଠ।ଗୋଟିଏ ପଟେ ନାଥନ୍ ଦେବୀଓ ଅନ୍ୟ ପଟେ ଚନ୍ଦ୍ର ହାସିନୀ ଦେବୀ ରହିଛନ୍ତି।ସୁନ୍ଦର ମନ୍ଦିର ମାନ ତିଆରି ହୋଇଛି।ପୌରାଣିକ କଥାବସ୍ତୁକୁ ନେଇ ଅନେକ ମୂର୍ତ୍ତୀ ତିଆରି ହୋଇଛି ମନ୍ଦିର ବେଢାରେ।ଯେମିତି ଏକ ବଡ ଅର୍ଦ୍ଧ ନାରୀଶ୍ବର ମୂର୍ତ୍ତୀ,ଗାପୀମାନଙ୍କ ବସ୍ତ୍ର ଚୋରୀକରି କୃଷ୍ଣ ଗଛ ଉପରେ ବସିରହିବା ଆଉ ଗୋପିଏ ଅନୁନୟ ହୋଇ ବସ୍ତ୍ର ମାଗିବା,ଦ୍ରୋପଦୀ ବସ୍ତ୍ରହରଣର ଚିତ୍ର ରାଜସଭାରେ ସଭିଏଁ ଗୁରୁଜନ ବସିଥିବାବେଳେ ଦୁଃସାସନ ଦୌପଦୀଙ୍କୁ ବିବସନା କରିବାର ପ୍ରଚେଷ୍ଟା,ଦେବତା ଅଶୁରମିଶି ସମୁଦ୍ର ମନ୍ଥନର ଦୃଶ୍ୟ, ତା ସହ ଦକ୍ଷପ୍ରଜାପତିଙ୍କ ଜଜ୍ଞ କୁଣ୍ଡରେ ସତୀ ନିଜ ପତି ଶିବଙ୍କ ଅପମାନ ସହି ନ ପାରି ଝାସଦେବା ଆଦି ପ୍ରକରଣ କୁ ମୂର୍ତ୍ତୀ ଆକାର ଦିଆ ଯାଇଛି।ତା ଛଡା ଦେବୀଙ୍କ ନଅ ଅବତାରର ମୂର୍ତ୍ତୀ ମାନ ରହି ପୂଜା ହେଉଛି। ନାଥନଦେବୀ ମନ୍ଦିରରେ ବି ସମଲେଇ ଦେବୀଙ୍କ ମୂର୍ତ୍ତୀ ପାର୍ଶ୍ବଦେବୀ ଭାବେ ପୂଜା ପାଉଛି। ଏ ମନ୍ଦିର ପ୍ରତିଷ୍ଠା କରିବାର ଏକ କାହାଣୀ ଅଛି।ଥରେ ଦକ୍ଷପ୍ରଜାପତି ଯଜ୍ଞ କରିବାକୁ ଆୟୋଜନ କଲେ।ସବୁ ଦେବତାଙ୍କ ସହିତ ନିଜ ଜାମାତା ମାନଙ୍କୁ ବି ନିମନ୍ତ୍ରୀତ କଲେ।ହେଲେ ଶିବ ତାଙ୍କ କନ୍ୟା ସତିଙ୍କ ପତୀ ଥିଲେବି ନିମନ୍ତ୍ରଣ ଦେଲେ ନାହିଁ।ସତୀ ପଚାରିଲେ ମୋ ସ୍ବାମୀକୁ କାହିଁକି ଡକାଗଲାନି? ଦକ୍ଷପଜାପତି ଶିବଙ୍କ ଅବଗୁଣ ମାନ କହିଶୁଣାଇଲେ।ସେ ସ୍ମଶାନ ବାସୀ,ଭଷ୍ମକୁ ମାଖି ନିଜର ପ୍ରସାଧନ କରେ, ପିନ୍ଧିବାକୁ ଭଲ ବସ୍ତ୍ରଟେ ନାହିଁବୋଲି ବାଘଛାଲଟେ ଘୋଡିହୁଏ। ଦାମୀ ଅଳଙ୍କାର ବଦଳରେ ସାପକୁ ନିଜ ଗଳାରେ ଗୁଡାଇଥାଏ।ଏମିତି ଜଣେ ଲୋକକୁ ଅତିଥୀ କଲେ ମୋ ଜଜ୍ଞର ଶୋଭା ନଷ୍ଟ ହେବ।
ଏମିତି ଅନେକ ନିନ୍ଦାବଚନଶୁଣି ଦେବୀ ସହ୍ୟ କରିପାରିଲେନି ଆଉ ସେଇ ଜଜ୍ଞ କୁଣ୍ଡରେ ଝାସଦେଇ ଦେଲେ।ଏ ଖବର ପାଇ ଶିବ ଆସିଲେ।ନିଜ ପତ୍ନୀର ଶବକୁ କାନ୍ଧରେ ବୋହି ଦୁଃଖରେ ମର୍ମାହତ ହୋଇ ଜଗତ ସାରା ବୁଲିଲେ।ସେତେବେଳେ ଦେବୀଙ୍କ ଗଳିତ ଅଙ୍ଗର ଚନ୍ଦ୍ରାକାର ମୁଣ୍ଡ ହାଡ ଚନ୍ଦ୍ରପୁରରେ ପଡିଥିଲା।ଆଉ ତାଙ୍କର ନଥ ନାଥନଦେବୀ ମନ୍ଦିର ଠାରେ ପଡିଲା।ଯୋଉଯୋଉ ଜାଗାରେ ତାଙ୍କର ଅଙ୍ଗ ପଡିଲା ସେଠି ଶକ୍ତିପୀଠ ମାନ ସ୍ଥାପନା ହେଲା। ସମ୍ବଲପୁର ସମଲେଇ ମନ୍ଦିର ବି ସେ ଭିତରୁ ଏକ। ତା ସାଙ୍ଗରେ ସେଠିକାର ମହାନଦୀର ପ୍ରାକୃତିକ ଶୋଭାବି ଦର୍ଶକକୁ ଆକର୍ଷିତ କରେ।
ସେ ଜାଗାର ଏତେ ମହାତ୍ମ୍ୟ ଶୁଣି ସେମାନେ ବୁଲିବାକୁ ପୂରା ଯୋଜନା ତିଆରି କରିସାରିଲେ।ଅଣତିରିଷ ତାରିଖ ସକାଳୁ ବାହାରିଲା ବେଳକୁ ବର୍ଷାପାଗ।ହେଲେ ସେମାନେ ତ ମାନସିକ ପ୍ରସ୍ତୁତି କରି ସାରିଥିଲେ ବୋଲି ବାହାରିଗଲେ ଦର୍ଶନକୁ।ରାସ୍ତାସାରା ବର୍ଷା ଲାଗିଥିଲା।କୋହଲା ପାଗ।ଥଣ୍ଡା ହେଉଥିଲା।ଗାଡି ଭିତରେ ଜଣା ପଡୁନ ଥିଲା।ହେଲେ ବାହାରେ ବୁଲିଲାବେଳେ ଭିଜିବାକୁ ପଡୁଥିଲା।ତିନିଟା ଛତା ଧରିଥିଲେ ହେଲେ ସମସ୍ତଙ୍କୁ ପୁରୁନଥିଲା ସେ ଛତା।
ଗଗନ ନିଜ ଜେକେଟ ର ଟୋପି ଘୋଡେଇ ସିମିତି ଭିଜି ଭିଜି ବୁଲୁଥିଲା ।ସେଠି ଭଲରେ ଦର୍ଶନ ଆଦି ହୋଇଗଲା।ଅନ୍ୟଥର ଯାଇଥିଲା ବେଳେ ମନ୍ଦିର ଭିତରେ ଭୋଜନ ଦେବାର ବ୍ୟବସ୍ତା ଥିଲା।ଏଥର କୋଭିଡ ପାଇଁ ଓ ସେଦିନ ବର୍ଷାଥିବାରୁ ସେଠି ସେମାନେ ଖାଇବା ଉଚିତ୍ ଭାବିଲେନି।ଫେରିଲାବେଳେ ଏକ ଭଲ ଢାବା ଦେଖି ଖାଇଲେ।
ଘରକୁ ଆସି ଗଗନର ଥଣ୍ଡା ,କାଶ ଆରମ୍ଭ ହେଲା।ତଣ୍ଟି ଗରଗର ହେଲା ନାକକାନ ଜାମ୍ ହୋଇଗଲା ପରି ଲାଗିଲା।ନେଜାଲ ଡ୍ରପ,ଶୋରିଷ ତେଲ ଆଦି ନାକରେ ଦେଲେ ବି କିଛି କାମ ଦେଉନଥିଲା।କାର୍ବଲକୁ ଗରମପାଣିରେ ପକାଇ ବାମ୍ଫ ନେଲା।ବେଟାଡିନ୍ ସିରଫକୁ ଉଷୁମ ପାଣିରେ ମିଶାଇ ତଣ୍ଟି ରେ ଗର୍ଗଲିଙ୍ଗ କଲା।ହେଲେ କିଛି କାମ ଦେଲାନି।ତାପରେ ତାର କୋଭିଡ ପରୀକ୍ଷା ହେଲା । ତାର ରିପୋର୍ଟ ଫୋଜିଟିଭ ଆସିଲା।ଲତା ଓ ତା ସ୍ବାମୀ ଏକା ଘରେ ରହୁଥିବାରୁ ତାଙ୍କର ବି ଟେଷ୍ଟ ହେଲା ହେଲେ ସେମାନେ ନେଗେଟିଭ ଥିଲେ।ଗଗନ ଆସିବାଦିନୁ ତା ନିଜ ରୁମ୍ ରେ ଏକା ରହୁଥିଲା ଓ ଅଫିସ କାମ କରୁଥିଲା।ଖାଇଲାବେଳେ ଡାଏନିଙ୍ଗରେ ସମସ୍ତଙ୍କ ସହ ବସୁଥିଲା କିଛିସମୟ।କେତେବେଳେ ହଲରେ ବସି ତାଙ୍କସହ ଟିଭି ଦେଖୁଥିଲା।ସେମାନେ ପ୍ରାୟ ଦୂରେ ଦୂରେ ବସୁଥିଲେ ବୋଲି ରୋଗରୁ ବଞ୍ଚି ଯାଇଥିଲେ।
ଦୁଇଦିନ ଯାଏ ତାର ଜ୍ବର ରହିଲା।ବେଚାରା ବେହାଲ ପଡିରହିଲା।ଲ୍ୟାପଟପ୍ ଦେଖିବାକୁ ବି ଆଖି ଖୋଲିବାକୁ ଶକ୍ତି ହେଉନଥିଲା ତାର।ଗୋଡହାତ ବହୁତ ଦରଦ କରୁଥିଲା।ଖାଇବାକୁ କିଛି ଇଚ୍ଛା ହେଉନଥିଲା।ତଣ୍ଟିରେ ଦରଦ ଥିବାରୁ ଶୁଖା ଟାଣ ଜିନିଷ ଖାଇ ପାରୁନଥିଲା।କେବଳ ଗରମ ତରଳ ଖାଦ୍ୟ ଖାଉଥିଲା।ସୁପ୍,ମସାଲା ଓଟସ୍ କୁ ପାଣିଆ କରି ତିଆରି ଦେଲେ ଖାଉଥିଲା।ସବୁବେଳେ ଗରମପାଣି ହିଁ ପିଉଥିଲା।ପରେ ଟିକେ ଭଲ ହେବାରୁ ମେଗି ଓ ପନୀରପରଠା ଆଳୁପରଠା ଆଦି କଅଁଳ କରି ତିଆରି ଦେଲେ ଖାଇ ପାରୁଥିଲା।ତାର ଅନେକ ଗୁଡିଏ ଟେଷ୍ଟ ବି କରାହେଲା।ବ୍ଲଡ ଥିନର ଓ ଅନ୍ୟ ଗୁଡାଏ ଟେଷ୍ଟ।ତାର ଛାତିର ସ୍କେନିଂ ବି କରାହେଲା ହେଲେ ଲଙ୍ଗସ୍ ତା,ର ଠିକ୍ ଥିଲା।ଦୁଇଦିନ ଜ୍ବର ହୋଇ ବନ୍ଦ ହୋଇଗଲା।କାଶ ଟିକେଲମ୍ବାଦିନ ଚାଲିଥିଲା। କୋଭିଡ ପାଇଁ ମିଳିଥିବା ସବୁପ୍ରକାର ଔଷଧ ଦିଆ ଚାଲିଥିଲା।ତା ସହ ନାଲି ଚା ରେ ଅଦା ତୁଳସୀ ପତ୍ର,ଲବଙ୍ଗ,ଗୋଳମରିଚ ଛେଞ୍ଚିକି ପକାଇ ମହୁଦେଇ ପିଉଥିଲା।ଏମିତି ଅନେକ ଦିନ କଲାପରେ ସେ ଟିକେ ସୁସ୍ଥ ଜଣାପଡିଲା।ପୁଣି ତାର ଲ୍ୟାପଟପ ଖୋଲିଲା।ଫୋନ ଆସିଲେ ମନଖୋଲି ହସିହସି କଥାହେଲା।ତାପରେ ଯାଇ ଲତା ମନରେ ପୁଅକୁ ନେଇ ଯୋଉ ଚିନ୍ତା ଥିଲା ଟିକେ ଦୂରହେଲା।
ଲତା ଓ ତା ସ୍ବାମୀକୁ ବି କିଛି କୋଭିଡ ଛିଟିକା ବାଜିଥିଲା ବୋଧହୁଏ।ଯଦିଓ ରିପୋଟ୍ ନେଗେଟିଭ ଥିଲା ତଥାପି ଗୋଡହାତ କସମସ ହେଇ ବ୍ୟଥା ହେଉଥିଲା।ତଣ୍ଟି ବ୍ୟଥା କାଶ ହେଉଥିଲା।ସେମାନେ ବି ଏଣ୍ଟିବାଏଟିକ୍ ଓ କଫ୍ସିରଫ୍ ସହ କାଢା ବି ପିଉଥିଲେ।ହେଲେ ଏସମୟରେ ବଡ ଯନ୍ତ୍ରଣା ଭୋଗିବାକୁ ପଡୁଥିଲା।ଏକରେ ଅଦିନିଆ ବର୍ଷାପାଗ ପୌଷମାସରେ ଆସି ବେହାଲ କରିଥିଲା ସମସ୍ତଙ୍କୁ।ଏ ବର୍ଷର ଥରଥର ଆସୁଥିବା ଅଦିନିଆଁ ବର୍ଷା ଏ ରୋଗକୁ ସଂକ୍ରମଣ ପାଇଁ ବେଶି ସାହାଯ୍ୟ କରିଥିଲା। ବର୍ଷା ଥଣ୍ଡା ଦୁଇଗୁଣା ବଢେଇ ଦେଇଥିଲା।ଅନେକ ବୃଦ୍ଧ ବୃଦ୍ଧା ଏ ପାଗପାଇଁ ସଂସାର ଛାଡି ଚାଲିଗଲେ।
ଲତାକୁ ଏବେ ସବୁ ଘରକାମ କରିବାକୁ ପଡିଲା,କାରଣ ଚାକରାଣୀ ଘରେ ପୋଜିଟିଭ କେସ୍ ବାହାରିବା ଜାଣି ଆଉ ଆସିଲାନି।ଦେହରେ ତାର ଜ୍ବର ଟିକେ ଟିକେ ରହୁଥିଲା ବୋଧହୁଏ ସେଥିପାଇଁ ବାସନ ଧୋଇବାକୁ ପାଣି ଛୁଇଲେ ଚେଁ ଲାଗୁଥାଏ।ମାର୍ବଲ ଭୂଇଁରେ ପାଦ ରଖିଦେଲେ ଥଣ୍ଡା ତାଳୁଯାଏ ଚଢି ଯାଉଥାଏ।
ବଡ କଷ୍ଟ ଏଇ କୋଭିଡ ବେମାର।ଗତ ଥର କୋଭିଡରେ ଲୋକଙ୍କର ସ୍ବାଦ ଚାଲି ଯାଉଥିଲା।ଏଥର କିନ୍ତୁ ସ୍ବାଦ ଜଣାପଡୁଥିଲା।ସେଥିପାଇଁ ଏଥର ଯୋଉ କୋଭିଡ ହେଉଛି ତାକୁ ଓମିକ୍ରନ ବୋଲି କହୁଛନ୍ତି।ଏଥର ଲୋକେ ପ୍ରାୟ ଦୁଇଟା ଟିକା ନେଇ ସାରିଛନ୍ତି ବୋଲି ସର୍ଦ୍ଦି କାଶ ହୋଇ ଭଲ ହୋଇ ଯାଉଛନ୍ତି।ସେମାନେବି ସେଥିପାଇଁ ଅଳ୍ପ ରେ ଭଲ ହୋଇଗଲେ।ମୋଦୀ କହିଥିଲେ ଏଥର ମୁଁ କାହାକୁ ଡାକ୍ତରଖାନା ଯାଏ ଯିବାକୁ ଦେବିନି।ଘରେ ଭଲ ହୋଇଯିବେ ଯେଉଁମାନେ ଟିକା ନେଇଛନ୍ତି।ତାଙ୍କ କଥା ସତ ହେଲା।ସେ ଉଦ୍ୟମ କରିଛନ୍ତି ଓ କରୁଛନ୍ତି ସମସ୍ତଙ୍କୁ ଟିକା ମିଳୁ ବୋଲି।ଆପଣ ମାନେ ଯିଏ ନେଇ ନାହାଁନ୍ତି ଶୀଘ୍ର ନେଇ ଯାଆନ୍ତୁ।କୋଭିଡ ଆସିଲେ ବି ଅଳ୍ପ କଷ୍ଟଦେଇ ଚାଲିଯିବ।ଓମିକ୍ରନ ହେଉକି ଡେଲ୍ଟାକ୍ରନ ଯାହା ଆସୁଛି ଆସୁ ଆମେ ମୁଖା ପିନ୍ଧିବା ଓ ଘରଭିତରେ ରହି ସୁସ୍ଥ ରହିବା।
