ଓ୍ବାଃ !! ରେ ଉପରବାଲା
ଓ୍ବାଃ !! ରେ ଉପରବାଲା
ମୁଁ ତ କହିବି ଜୀବନକୁ ଯଦି ବୁଝିବାର ଅଛି ତେବେ ଟ୍ରେନରେ ଯାତ୍ରା କରିବା ନିହାତି ଦରକାର । ମୋ ମତରେ ଛୁକ୍ ଛୁକ୍ ଟ୍ରେନ ପରି ହିଁ ଆମ ଜୀବନ । ସବୁବେଳେ ଗତିଶୀଳ । ଟ୍ରେନ ସିନା ଅଟକି ଥାଏ ବାର ବାର ଷ୍ଟେସନ ଆସିଲେ । ହେଲେ ଜୀବନର ମାତ୍ର ଗୋଟିଏ ବିରାମ ସ୍ଥାନ ସେଇଟା ହେଲା ମୃତ୍ୟୁ । ଅବିଶ୍ରାନ୍ତ ଧାଇଁ ଚାଲିଥାଏ ଯେ ଚାଲିଥାଏ ....।
ଆଜି ପାଗଟା ଖୁବ୍ ସୁନ୍ଦର ଅଛି । ପୂରା ମେଘୁଆ । ଥଣ୍ଡା ଥଣ୍ଡା ପବନ ବି ବୋହି ଚାଲିଚି । ମଝିରେ ମଝିରେ ବର୍ଷା ହେଉଚି । ତନ୍ଦ୍ରା ଟ୍ରେନ ଝରକାରୁ ବାହାରକୁ ଅନେଇ ଥାଏ । ବିସ୍ତୃତ ସବୁଜ ଧାନ କ୍ଷେତରେ ଲହରୀର ଭ୍ରମ ସୃଷ୍ଟି କରୁଥାଏ ପବନ । ଦୂର ତାଳଗଛ ଗୁଡିକ ଧାଇଁ ଚାଲି ଥାଆନ୍ତି ପଛ କୁ ପଛ କୁ । ଇସ୍ କି ସୁନ୍ଦର ଦିଶୁଛନ୍ତି ସେଇ ପାହାଡ ଗୁଡା !! ମେଘରେ ଅଧା ଢାଙ୍କି ହେଇ ଯାଇଛନ୍ତି । ସତରେ ପୃଥିବୀ କେତେ ସୁନ୍ଦର !! ହେଲେ ୟେ ସବୁକୁ ଉପଭୋଗ କରିବାକୁ ସମୟ କୋଉଠି ମିଳେ ?? ଛେଳି ଚରଉ ଥିବା ସେ ପିଲାଟା ହେଉ କି ବିଲରେ ନଇଁ ପଡି ଘାସ ଓପାଡୁ ଥିବା ସେଇ ଚାଷୀ ହେଉ ବା ବରଷାରେ ଛତାଧରି ସ୍କୁଲକୁ ଯାଉଥିବା ପିଲାମାନେ ହୁଅନ୍ତୁ ଏଇତ ଜୀବନ !! ଲେଖିକା ହିସାବରେ ସମସ୍ତଙ୍କ ଜୀବନକୁ କଳ୍ପନାରେ ବଞ୍ଚିବାକୁ ଭାରି ଇଚ୍ଛା ହୁଏ । ବହୁତ ସମୟରେ ସେମାନଙ୍କ ଆଖିରୁ ସେମାନଙ୍କ ଚାହାଣୀରୁ କାହାଣୀ ତିଆରି କରିବାକୁ ଚେଷ୍ଟା କରେ । ମୋ କାଳ୍ପନୀକ କାହାଣୀ ସବୁ ସେମାନଙ୍କ ଜୀବନ ସହ କେତେ ତାଳମେଳ ଖାଏ ସେଇ ଭଗବାନ ହିଁ ଜାଣନ୍ତି ।
ଗରମ୍ ସମୋସା....ଗରମ୍ ସମୋସା । ଡାକରେ ତନ୍ଦ୍ରା ବୁଲି ଚାହିଁଲା । ବର୍ଷାପାଗରେ ତାକୁ ଭାରି ଇଚ୍ଛା ହେଲା ଦୁଇଟା କିଣି ଖାଇବାକୁ । ଡାକ ପକେଇଲା ,ମଉସା ଏଇଠି ଦୁଇଟା ଦିଅ । ଆଗେଇ ଯାଇଥିବା ବୁଢା ମଉସା ଫେରି କି ଆସି ପଚାରିଲେ କେତେଟା ଦେବି ?? ଦୁଇଟା ହିଁ ଦିଅ !! ତନ୍ଦ୍ରା କହିଲା ।
ମଉସା ତାଙ୍କ ପାଛିଆକୁ କୋଳରେ ଧରି ସିଟ୍ ଧାରରେ ବସି ପଡିଲେ । ବୟସ ସତୁରୀ ପାଖାପାଖି ହେବ । ମୁଣ୍ଡରେ ଗାମୁଛାରେ ଗୋଟେ ଠେକି ବାନ୍ଧିଥାଆନ୍ତି । ମଉସା ପଚାରିଲେ ଝିଅ !! ଖାଲି ସମୋସା ଦେବି ନା ସମୋସା ଚାଟ୍ ବନେଇ ଦେବି । ତନ୍ଦ୍ରା ଫଟ୍ କିନା କହିଲା ଚାଟ୍ ଦିଅ , କାରଣ ଏକୁଟିଆ ବସି ବସି ସେ ବୋର୍ ହେଉଥିଲା । ସେ ଭାବିଲା ଏଇ ବାହାନାରେ ଦୁଇପଦ ମଉସାଙ୍କ ସହ କଥା ହେଇଯିବି । ଟାଇପାସ୍ ହେଇଯିବ ।
ମଉସା ଘର କୋଉଠି ?? ଘରେ କିଏ କିଏ ଅଛନ୍ତି ??
ମଉସା ଦୀର୍ଘ ନିଶ୍ବାସଟେ ମାରି କହିଲେ ଆମ ଘର ସୋର । ଘରେ ଆମେ ବୁଢାବୁଢୀ ଆଉ ନାତୁଣୀଟେ । ପୁଅ ସୁରଟରେ କାମ କରେ ତାର ସଂସାର ଧରି ସେଇଠି ଅଛି । କେବେ କେମିତି ବୋପାମା କଥା ମନେ ପଡିଲେ ଦୁଇ ତିନି ବରଷରେ ଥରେ ଆସି ବୁଲିଯାଏ ।
ତମେ କାଇଁ ଏଇ ବୟସରେ କାମ କରୁଚ ?? ସେ ପଇସା ପତର ପଠାଏନି କି ??
ସୁରତରେ ଘଇତା ମାଇପ ସୂତାକଳରେ କାମ କରନ୍ତି । ତାଙ୍କ ପଇସା ତାଙ୍କୁ ନଅଣ୍ଟ ଆମକୁ କ'ଣ ପଠେଇବେ ?? ନାତୁଣୀକୁ କି ବିମାରି ହେଇଚି କେଜାଣି ତା'ରି ଔଷଧ ଖରଚ ବେଶୀ । ଶୁଖି କି କଣ୍ଟା ହେଇଗଲାଣି । ଚଲାବୁଲା ବି ଠିକ୍ ସେ କରି ପାରୁନି । ବୟସ ପଚିଶି ପାର କଲାଣି । ତାରି ପାଇଁ ତ ବୁଢାବୁଢୀ ଦୁଇଜଣ ଘାଣ୍ଟି ହେଉଚୁ । କେତେ ଡାକ୍ତର ବଇଦ ଦେଖିଲେଣି କେହି ରୋଗ ଚିହ୍ନି ପାରୁ ନାହାଁନ୍ତି । ଗାଁ ଲୋକ କହୁଛନ୍ତି ଗୁଣିଗାରେଡି ହେଇଚି । ଭାରି ହତଭାଗୀଟେ । ସେ ମୋ ଝିଅର ଝିଅ । ମୋ ଝିଅ ବାହା ହେଇ ଶାଶୁଘରକୁ ଗଲା । ହେଲେ ଶାଶୁଘର ଲୋକ ଭାରି ହଇରାଣ ହରକତ କଲେ । ପୁଣି ଝିଅ ହେଲା ଯୋଉଠୁ ଘରୁ ତଡି ଦେଲେ । ଝିଅକୁ ଆମ ଯିମାରେ ଦେଇ ରାତିଅଧରେ ବିଷ ଖାଇ ମରିଗଲା । ଏବେ ଭାଗ୍ୟକୁ ଆଦରି ଆମେ ତିନିହେଁ ପଡିଚୁ । ସେଇ ଭଗବାନ ଭରସା କହି ହାତଯୋଡିଲେ । ୟା ଭିତରେ ସମୋସା ଚାଟ୍ ବନି ସାରିଥାଏ ।
ତନ୍ଦ୍ରା ପଚାରିଲା କେତେ ଟଙ୍କା ହେଲା ମଉସା ?? ହାତକୁ ବଢେଇ ଦେଇ କହିଲା ତିରିଶ ଟଙ୍କା । ପର୍ସରୁ ଶହେ ଟଙ୍କା କାଢି ସେ ମଉସାଙ୍କ ହାତକୁ ବଢେଇ ଦେଲା । ଝିଅ ମୋ ପାଖରେ ଖୁଚୁରା ନାହିଁ । ବଇନି ପା ତମଠୁ କଲି । ମଉସା ପୁରା ରଖ । କିଛି ଫେରେଇବା ଦରକାର ନାହିଁ । ବୁଢା ଆଖିରେ କୃତଜ୍ଞତା ଥିଲା । ହାତ ଟେକି ଆଶିର୍ବାଦ ଦେଇ କହିଲା ଭଗବାନ ମଙ୍ଗଳ କରନ୍ତୁ । ବୁଢା ପାଛିଆ ଟେକି ଆଗକୁ ବଢିଲା ।
ଚାଟ୍ ଖାଉ ଖାଉ ବାଲେଶ୍ବର ଷ୍ଟେସନ୍ ଆସି ପହଞ୍ଚିଗଲା । ଟ୍ରେନ ଅଟକିଲା । କେତେ ଚଢିଲେ ପୁଣି କେତେ ଓହ୍ଲେଇଲେ । ସେପଟ କଡ ସିଟ୍ ରେ ଝିଅଟିଏ ଆସି ବସିଲା । ଖାଲି କନ କନ ହେଇ ଏପଟ ସେପଟକୁ ଅନଉ ଥାଏ । କେତେବେଳ ଝର୍କା ବାଟେ ବାହାରକୁ ତ କେତେବେଳ ଟ୍ରେନ ଭିତର ଲୋକମାନଙ୍କୁ । ଖୁବ୍ ନର୍ଭସ ଥିଲାଭଳି ଲାଗୁଥିଲା । ବାର ବାର ରୁମାଲରେ ତା'ର ଥୋଡି ଆଉ ନାକକୁ ପୋଛୁଥିଲା ।
ତନ୍ଦ୍ରାର ଉତ୍କଣ୍ଠା ବଢି ବଢି ଚାଲିଥାଏ । ସେଇ ଝିଅଟି କିଏ ?? ସେ କୁଆଡେ ଯାଉଚି ଏକୁଟିଆ ?? ଘରୁ ଭାଗି କି ପଳେଇ ଆସିନି ତ , ନ ହେଲେ ପ୍ରଥମ ଥର ଏକୁଟିଆ ଟ୍ରେନରେ ଯାଉଥିବ , ନ ହେଲେ ପ୍ରେମରେ ଧୋକା ଖାଇଥିବ । ଏମିତି ବି ହେଇପାରେ ଏକୁଟିଆ ଝିଅ ଦେଖି ଛତରା ଟୋକା ତା ପଛରେ ପଡି ଯାଇଥିବେ । ଆଉ ସେ ଡରି ଯାଇଥିବ । ପେପର ପ୍ଲେଟଟା ଝର୍କବାଟେ ବାହାରକୁ ଫୋପାଡି ପାଣି ପିଇଲା ସେ । ସତରେ ବହୁତ ବଢିଆ ଥିଲା ଚାଟ୍ । ପୁଣି ଆଖି ଟାଣି ହେଇଗଲା ସେଇ ଝିଅ ପାଖକୁ । ପଚାରି ଦେବି କି କୁଆଡେ ଯାଉଚ ?? ଆଖିରୁ ତା'ର ସ୍ପଷ୍ଟ ଡର ଝଲକି ପଡୁଥିଲା । ନିଜ ଉତ୍କଣ୍ଠାକୁ ଆଉ ଦବେଇ ନପାରି ତନ୍ଦ୍ରା ପଚାରି ବସିଲା ଝିଅ କୁଆଡେ ଯିବ ??
ଟିକେ ଅନ୍ୟମନସ୍କ ଭାବରେ ଡରମିଶା କଣ୍ଠରେ କହିଲା ଜଳେଶ୍ଵର । ଆଉ ଆପଣ କୋଉଠିକୁ ଯାଉଛନ୍ତି ??
ତନ୍ଦ୍ରା ଟିକେ ହସି କହିଲା କଲିକତା । ମନେ ମନେ ଖୁସି ହେଲା । ଯାହା ହେଉ କଥାବାର୍ତ୍ତର ଯୋଗସୂତ୍ର ଫିଟିଗଲା । ଏଇନେ ଆଉ ଦେଢଘଣ୍ଟା ବୋର୍ ହେବାକୁ ପଡିବନି ।
କିଛି ସମୟ ନୀରବତା ପରେ ସେ ନିଜ ଆଡୁ କହିଲା ମୁଁ ବହୁତ ତର ତର ରେ ଆସିଛି । ଟିକେଟଟା କରି ପାରିଲିନି । ଟ୍ରେନ ଛାଡି ଦେଇ ଥାଆନ୍ତା । ଆଉ ସବୁ ଲେଟ ନାଇଟ୍ ଟ୍ରେନ ଆଛି । ସେଥିରେ ଯିବା ସେଫ୍ ହେବନି । ସେଇଥି ପାଇଁ ବିନା ଟିକେଟରେ ଚଢିଗଲି । ମାଁ ଙ୍କ ଦେହ ସିରିୟେସ୍ ଆଛି ବୋଲି ବାପା ଖବର ଦେଲେ । ମୁଁ ବସିବା ଜାଗାରୁ ସିଧା ଉଠି ଆସିଛି । ଭାରି ଡର ଲାଗୁଛି । ଟିଟି ଆସିଲେ କ'ଣ ହେବ ??
ତନ୍ଦ୍ରା ମନେ ମନେ ଭାବିଲା ମୁଁ କେତେ କ'ଣ ଭାବି ନେଇଥିଲି ବିଚରା ଝିଅଟା ବିଷୟରେ । ଆରେ !! ବ୍ୟସ୍ତ ହୁଅନି । ଏକୁଟିଆ ଲେଡ଼ିଜ୍ ଥିଲେ ଟିଟି ମାନେ ହଇରାଣ କରନ୍ତିନି । ସେ ଆସିଲେ କଥାବାର୍ତ୍ତାରେ କିଛି ଗୋଟେ ବାଟ ବାହାର କରିବା । ଅଳ୍ପ କିଛି ଫାଇନ୍ ନେବ । ଏତେ ଡରିବା ଦରକାର ନାହିଁ । ମୋ ସାମ୍ନାରେ ବସିଥିବା ନବଦମ୍ପତି ବି ଟିକେ ସହାନୁଭୂତି ଦେଖେଇ କହିଲେ ଡରନି ଟିଟି ଆସୁ ସେତେବେଳେ ଦେଖିବା । ଆମେ ବି ରିକ୍ୱେଷ୍ଟ କରିବୁ । ଝିଅଟା ଏବେ ଟିକେ ଆଶ୍ବସ୍ତ ହେଲା । ଏଥର ଭଲକି ଆଉଜେଇ ହେଇ ବସିଲା । ତଥାପି ମୁହଁରେ ବିଷାଦର ମେଘ ଉଙ୍କି ମାରୁଥାଏ ।
ଆରେ ହଁ !! ମୁଁ ତ ମୋ ସାମ୍ନାରେ ବସିଥିବା ଦମ୍ପତିଙ୍କ ବିଷୟରେ କହିବାକୁ ଭୁଲିଯାଇଚି । ସେମାନେ ହେଲେ ତରୁଣ ଆଉ ନିଶା । ଅଳ୍ପ ଦିନ ହେଲା ବାହାଘର ହେଇଚି । କେମିତି ମାଂସ ପାଇଁ ଗଣ୍ଡଗୋଳ ହେଲା ଆଉ ବାହାଘର ଭାଙ୍ଗିବା ଉପରେ ଥିଲା । ହେଲେ ତରୁଣ ତାକୁ ଶେଷ ମୁହୂର୍ତ୍ତରେ ସମ୍ଭାଳି ନେଲା । ସବୁ କଥା ଶୁଣେଇଥିଲା ତରୁଣ ତନ୍ଦ୍ରାକୁ । ଏବେ ହନିମୁନ୍ ପାଇଁ ଦାର୍ଜିଲିଂ ଯାଉଛନ୍ତି । ଆଖିରେ ଆଖିଏ ସ୍ବପ୍ନ ଦୁଇଜଣ ଙ୍କର । ମୋତେ ତ ସେ ଦୁଇଜଣ ବିଶାଳ ଆକାଶରେ ଡେଣା ମେଲେଇ ବିନ୍ଦାସ୍ ଉଡୁଥିବା ଦୁଇଟି ପକ୍ଷୀ ଭଳି ଲାଗିଲେ ।
ତନ୍ଦ୍ରା ଝରକା ବାଟେ ବାହାରକୁ ଅନେଇଲା । ସୂର୍ଯ୍ୟ ଧୀରେ ଧୀରେ ବୁଡି ଯାଉଥିଲା ଦୂର ଦିଗବଳୟରେ । ଏ ସୂର୍ଯ୍ୟ , ଏ ଆକାଶ , ଏ ନଈ , ଏ ଗଛଲତା , ସେଇ ଗଛତଳେ ବସିଥିବା ସେ ଲୋକ ଆଉ ଷ୍ଟେସନରେ ହାଉଯାଉ ହେଉଥିବା ସମସ୍ତ ଯାତ୍ରୀଙ୍କ ପଛରେ ରହିଛି ଗୋଟିଏ ଗୋଟିଏ କାହାଣୀ । କିଛି ବ୍ୟକ୍ତ କିଛି ଅବ୍ଯକ୍ତ ....ହେଲେ ସୂତ୍ରଧର ହେଲେ ଜଣିଏ । ତନ୍ଦ୍ରା ଆକାଶକୁ ଅନେଇ ଟିକେ ହସିଦେଲା । ଓ୍ବାଃ !! ରେ ଉପରବାଲା ....।
