Aravinda Das

Tragedy

2  

Aravinda Das

Tragedy

ନୂଆଖାଇ ଓ ଜୀବନ ସଂଘର୍ଷ

ନୂଆଖାଇ ଓ ଜୀବନ ସଂଘର୍ଷ

2 mins
483



ଆଜି ନୂଆଖାଇ । ଗାଁ ସାରା ଆଜି ମେଳା,ଉତ୍ସବର ମହଲ।ଠାକୁରାଣୀଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ,ଘରେ ସମସ୍ତେ ନୂଆ ପିନ୍ଧି,ନୂଆ ଖାଇବେ। ମହୁଲି ତାଡି,ହାଣ୍ଡିଆ ପିଇ ମାଦଲ ତାଳେ ଧାଙ୍ଗଡା, ଧାଙ୍ଗଡ଼ୀ ସବୁ ନାଚିବେ।

ମଦନା ଏକ ଲୟରେ ଆକାଶକୁ ଅନେଇଛି । ଗଲାକାଲି ରାତି ସାରା ତା ଆଖିକୁ ନିଦ ନାହିଁ।କେମିତି ବା ଆସିବ ? ମନରେ ହଜାରେ ଚିନ୍ତା, ଆଶଙ୍କା ଥିଲେ ନିଦ କଣ ଆସେ ?ହଁ,ନାଁ ଦ୍ଵନ୍ଦ'ର ଚକ୍ରବ୍ୟୁହରେ ଅଭିମନ୍ୟୁ ପରି ସେ ଫସି ଯାଇଥିଲା।

ବୁଆ ସମରୁ ଏଯାଏଁ ଖଟିଆରେ ଶୋଇଛି। ଦୁଇଦିନ ତଳୁ ତାକୁ ଜର ଛାଡ଼ିଗଲାଣି। ହେଲେ ଦିହଟା ତାର ଦୁର୍ବଳ ଅଛି। ଚାରି ବର୍ଷ ତଳେ ,ସମରୁ ଦାଦନ ଖଟିବାକୁ ଯାଇ ଦୁଇ ପାପୁଲି ହରାଇ ଫେରିଥିଲା। କେତେ ତୁମ୍ଭିତୋଫାନ ଉଠିଥିଲା ସାରା ରାଜ୍ୟରେ ? ଏବେ ସମସ୍ତେ ଭୁଲି ଗଲେଣି। ଦାଦନ ନିର୍ଯାତନା ସାଧାରଣ ହୋଇଗଲାଣି।

ମା ଗୁରୁବାରୀ ରାତିରୁ ଉଠି ପାଇଟିରେ ଲାଗିଛି।ଲିପାପୋଛା କରି କାନ୍ଥରେ ସୁନ୍ଦର ଚିତା ପକେଇଛି।ଅଭିମାନ କରି ପୁଅ ମଦନା ସହ ସେ କିଛିଦିନ ହେଲାଣି ଭଲ କରି କଥା ହେଉନି ଗୁରୁବାରୀ।

ମଦନା ସବୁ ବୁଝୁଛି,ଜାଣୁଛି...... ହେଲେ ତା ପାଖରେ ଉପାୟ ନାହିଁ।


କିଛିଦିନ ତଳେ ବ୍ଲକ ଅଫିସରେ ଗାଁ ସାରା ଲୋକ ଦସ୍ତଖତ କରି ମୁଣ୍ଡ ପିଛା ହଜାରେ ଟଙ୍କା ପାଇଥିଲେ।ସମସ୍ତେ ଭାବିଲେ ଏହା ବୋଧେ ସରକାରଙ୍କ ନୂଆଖାଇ ଭେଟ। ପରେ ଜାଣିଲେ ନରେଗା,ମନରେଗା ସ୍କିମରେ ସେମାନେ କାଳେ ୧୦୦ ଦିନ କାମ କରି ମଜୁରୀ ପାଇଛନ୍ତି ଏବଂ ସେମାନେଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଚଢି ,ଟଙ୍କା ଉଠାଣ ବି ସରିଛି।

ଦୁଇ ହାତ ପାପୁଲି ନଥିବା ସମରୁ ବି ପୋଖରୀ ଖୋଳିଛି ? ରାସ୍ତାକାମ କରିଛି ? କିଏ ଉଠାଇଲା ସେ ଟଙ୍କା ?ସରପଞ୍ଚ ନା ୱାର୍ଡ ମେମ୍ବର ନା ବି ଡି ଓ ବାବୁ ? ସବୁ ବର୍ଷ ଏମିତି ହେଉଛି।ରାସ୍ତା ଓ ପୋଖରୀ କାଳେ ଖୋଳା ଯାଉଛି ଓ ଫି ସନ ଏହା ଧୋଇ ଯାଉଛି ଓ ପୋତି ହୋଇ ଯାଉଛି। ବର୍ଷା ପାଣି ଯଦି ରହନ୍ତା, ଚାଷ ତ ହୋଇ ପାରନ୍ତା ?

    ଏନ.ଜି. ଓ ସଂସ୍ଥା ସାରଙ୍କୁ ଅଭିଯୋଗ କରିଥିଲା ମଦନ। ପୋଲିସ ବାବୁ ଆସି ଧମକାଇ ଥିଲେ, “ଲିଡର୍ ବନୁଚୁ? ପଏସା ପତର୍ ହିସାବ୍ ଦରକାର୍? ଆବେ... ତମେ ଯଦି ଚାଷ୍ କରବ, ଦାଦନ୍ ଖଟବାକେ ଆନ୍ଧ୍ରା, ତାମିଲନାଡ଼ୁ ଆର୍ ବାହାର୍ ରାଏଜ୍ କେ କିଏ ଯିବା? ତର୍ ବୁଆ? କମ୍ପଲେନ୍ କଲେ ତର୍ ଲାଶ୍ ନାଇଁମିଲେ ।”


ମଦନା ଜାଣେ ଏଠି ସମସ୍ତେ ମିଶିଛନ୍ତି ଦାଦନ ଦଲାଲଙ୍କ ସହ। ଦାଦନ ମଲେ, ଦଲାଲର ଦୋଷ ନାହିଁ ବୋଲି ଏଣିକି କୋର୍ଟ ଷ୍ଟାମ୍ପ କାଗଜରେ ସବୁ ଲେଖେଇ ଦସ୍ତଖତ ଆଗୁଆ ନେଇଯାଉଛନ୍ତି। ବୁଆକୁ ମିଳିଥିବା କ୍ଷତିପୂରଣ ଟଙ୍କା କୁଆଡେ ସରିଗଲା ଭଉଣୀର ବାହାଘରରେ। କେତେ ହାତ ଉଧାରି, କରଜ। କରଜଦାତା ଆସି ଧମକାଉଛନ୍ତି;ଜମି, ଘରଡ଼ିହ ନେବା ପାଇଁ।

 

     ପୂଜା ସରିଲା; ନବାନ୍ନ ଥୁଆ ହୋଇଛି କୁରେ ପତର୍ ରେ।ବୁଆକୁ ନେଇ ନବାନ୍ନ ଖୁଆଇଦେଲା ମଦନ।ଗୁରୁବାରୀ କବାଟ କୋଣରେ ଲୁହ ପୋଛୁଛି।“ବୁଆ, ଆଜିର୍ ରାତି ମୁଇଁ ଆନ୍ଧ୍ରପ୍ରଦେଶ ଯଉଚେଁ । ବର୍ଷେ ଲାଗି ।”

ଆଖି ଓ ଓଠ ଥରି ଉଠିଲା ସମରୁ 'ର।ନିରବ ରହିଲା ସେ।କଣ କହିବ ସେ ପୁଅକୁ ? ଯିବାକୁ ମନା କଲେ ଟଙ୍କା ଆସିବ କେଉଁଠୁ ?

ମଦନା ନବାନ୍ନ ନିଜ ପାଟିରେ ଦେଲା।ଭାଗ୍ୟରେ ଥିଲେ ,ସେ ଗାଁ କୁ ପୁଣି ଫେରିବ ଆସନ୍ତା ନୂଆଖାଇରେ। ପଡିଶା ଘରେ କିଏ ଗାଉଛି,"ଜିଇଁ ଜାଗିଥିଲେ ବର୍ଷେ, ନୂଆ ଖାଏମା ଗର୍ସେ ।

ନିଜ ହାତ ପାପୁଲିକୁ ଚାହିଁଲା ମଦନା।ଆସନ୍ତା ବର୍ଷ ନବାନ୍ନ ଖାଇବାକୁ ତା'ର ଏ ଦୁଇ ପାପୁଲି ଥିବ ନା ନାହିଁ ? କେଜାଣି ?

ଟିକେ ନିଶ୍ବାସ ନେଲା ଓ ଭାବିଲା ମଦନା। ଜୀବନର ଅନ୍ୟନାମ ସଂଘର୍ଷ।ବଞ୍ଚିବାକୁ ଏଠି ପ୍ରତି ମୁହୂର୍ତ୍ତରେ କରିବାକୁ ପଡୁଛୁ ଅହରହ ସଂଗ୍ରାମ;ନିଜ ସହ,ଦୁନିଆ ସହ।



Rate this content
Log in

Similar oriya story from Tragedy