ନର୍ତ୍ତକୀ
ନର୍ତ୍ତକୀ
ଅନୀତା ଦେବୀ ଜଣେ ଜଣାଶୁଣା ନର୍ତ୍ତକୀ ଥିଲେ। ତାଙ୍କର ନାଚିବା ଓ ନାଚ ପ୍ରତି ଅହେତୁକ ଆଗ୍ରହ ପାଇଁ ନିଜର ପରିବାର ଲୋକଙ୍କ ନିକଟରେ ଅନେକ ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ତାଙ୍କର ଦୃଢ଼ ନିଶ୍ଚଳ ମନରେ କୌଣସି ଦ୍ୱିଧା କେବେ ବି ଛୁଇଁ ପାରିଲା ନାହିଁ। ଆଜି ସିଏ ଜଣେ ଆଗ ଧାଡ଼ିର ଅଭିନେତ୍ରୀ, ଜଣେ ଜଣାଶୁଣା ନର୍ତ୍ତକୀ, ଜଣେ ପ୍ରତିଷ୍ଠିତ କଳାକାର। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ସଂଜ୍ଞା ହରେଇ ବସିଛି, ତାଙ୍କର ସେଇ କଳା ଧଳା ଜୀବନକୁ ଆପଣେଇ ନେବା ପରଠାରୁ। ପରଦା ଉପରେ ନିର୍ଦ୍ଦେଶକଙ୍କ ହିସାବରେ ଅଭିନୟ କରିବାକୁ ପଡ଼ିଥାଏ। ସିଏ ସମସ୍ତ ଅଭିନୟ ନିଖୁଣ ଭାବରେ ଚିତ୍ରିତ କରି ପାରନ୍ତି ପରଦା ଉପରେ। ଅନେକ ପ୍ରଶଂସା ଓ ସମ୍ମାନ ସାଉଁଟି ଆଣିଛନ୍ତି ଜଣେ କଳାକାର ଭାବରେ। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ଏକାନ୍ତରେ ବିତି ଯାଏ। ଅଭିନୟରେ ପାରଦର୍ଶିତା ହାସଲ କରି ମଧ୍ୟ ଏକାନ୍ତରେ ଅଭିନୟ କରି ପାରନ୍ତି ନାହିଁ ନିଜ ସହିତ। ହଜି ଯାଆନ୍ତି ଦୂରକୁ ଚାଲିଗଲା ଭଳି ଆତ୍ମା ପକ୍ଷୀ। ନିଜ ଲୋକଙ୍କ ଠାରୁ ଦୂରେଇ ଯିବାର ଗ୍ଳାନି ତାଙ୍କୁ ବିହ୍ୱଳ କରି ଦିଏ। ବେଳେ ବେଳେ ଭାବନ୍ତି, କ'ଣ ପାଇଲି ମୁଁ? ହଜିବା ହଜେଇବା ଭିତରେ ତ ବହୁତ କିଛି ହରେଇ ବସିଛି। ଆଜି ସିନା ଅଭିନୟର ଯାଦୁରେ ବାନ୍ଧି ରଖିପାରୁଛି ରୂପେଲି ପରଦାରେ ନିଜର ପ୍ରକୃତ ସତ୍ୟକୁ ଲୁଚେଇ, ଦିନ ଆସିବ ସମୟ ସହିତ ବୟସର ଅପରାହ୍ନରେ ଏ ଏକାନ୍ତପଣ କେଉଁ ମୋଡ଼ରେ ଛିଡ଼ା କରେଇବ କିଏ ବା ଜାଣିଛି? କଳାକାରର ଜୀବନ ସଂଜ୍ଞା କ'ଣ କେବଳ ଏଇ ରୂପେଲି ପରଦାରେ ସୀମିତ? ଅଭିନୟ କ'ଣ ସତ ଜୀବନରେ ବି କରିବାକୁ ହୁଏ?....
ଏମିତି ଅନେକ କଥା ଭାବି ଭାବି ନିଦ୍ରାଦେବୀଙ୍କ କୋଳରେ ହଜି ଯାଆନ୍ତି ତାଙ୍କ ପିଲାଦିନକୁ।
ଯେଉଁଠି ତାଙ୍କର ମାଆ ଛିଡ଼ା ହୋଇ ହାତ ଠାରି ଡାକୁଛନ୍ତି, "ଅନି....ଅନି....ଆ'ରେ ମାଆ....ମୋ ପାଖକୁ ଆ....ଏ ଦୁନିଆଟା ପରା ଗୋଟେ ରଙ୍ଗମଞ୍ଚ, ଆଉ ଆମେ ସବୁ ଗୋଟିଏ ଗୋଟିଏ କଳାକାର, ସତସତିକା କଳାକାର, ଯେଉଁ କଳାକାରର ଅଭିନୟ ଯେତେ ନିଖୁଣ ହେବ ସିଏ ଏଠି ସେତିକି ଦୁଃଖରେ ବଞ୍ଚିବ। ଆଉ ଅଭିନୟ ସରିଗଲା ପରେ...."
କିଛି ସମୟ ପରେ ପଡ଼ୋଶୀ ମାନେ ଦେଖୁଥିଲେ, ଅନୀତା ଦେବୀଙ୍କ ଘର ବାହାରେ ବିଶିଷ୍ଟ କଳାକାରମାନଙ୍କ ଗାଡ଼ି ଗୋଟିଏ ପରେ ଗୋଟିଏ ଆସି ଲାଗୁଥିଲା। ଚାକର ପୂଜାରୀଙ୍କ ଧାଁ ଦଉଡ଼ ଚାଲିଥାଏ। ସେଦିନ ଆଉ ଜଣେ କଳାକାରର ଅଭିନୟ ଶେଷ ହୋଇ ଯାଇଥିଲା। ରୂପେଲି ପରଦାରେ ସୀମିତ କଳା ଧଳା ଜୀବନର ଅଭିନୟ ନୁହେଁ, ଏ ଦୁନିଆ ରଙ୍ଗମଞ୍ଚରେ ମଧ୍ୟ ଅନୀତା ଦେବୀ ନାମ୍ନୀ ଚରିତ୍ରର ଉପସ୍ଥାପନା ଶେଷ ହୋଇ ସାରିଥିଲା।