Lalita Mohan Mishra

Tragedy Classics Others

3  

Lalita Mohan Mishra

Tragedy Classics Others

ନନାଙ୍କ ସାଇକେଲ୍

ନନାଙ୍କ ସାଇକେଲ୍

6 mins
50


"ନନାଙ୍କ ସାଇକେଲ୍"

***************

ଯାହା ବିନା କୁଆଡେ ଯାଇ ହେଉ ନ ଥିଲା ଆଜି ସେ ଅଲୋଡା ଅଲୋଭା ଅଦରକାରୀ ପଦାର୍ଥ ଭାବରେ ଘରର ଗୋଟିଏ କୋଣରେ ପଡ଼ିରହିଛି । ଚେନ୍‌ରେ କଳଙ୍କି ଲାଗି ଗଲାଣି । ବ୍ରେକ୍ ଆଉ ପୂର୍ବ ଭଳି କାମ କରୁନାହିଁ । ରିମ୍ ଗୁଡିକ କଳଙ୍କିଲାଗି କଣା କଣା ହୋଇ ଗଲାଣି । କାହିଁ କେତେ ଦିନ ହେଲା ପମ୍ପ ଦିଆ ହେଉ ନ ଥିବାରୁ ଚକାଟି ପଞ୍ଚର ହେଲା ପରି ଦେଖା ଯାଉଛି । ସାଇକେଲଟି ବ୍ୟବହାର ହେଉ ନ ଥିବାରୁ ତା ଉପରେ ଧୂଳି, ଅଳନ୍ଧୁ ବସା ବାନ୍ଧିଲାଣି । ହେଲେ ଲକ୍‌ଡାଉନ୍‌ରେ ଯେତେବେଳେ କାର୍‌, ବାଇକ୍‌, ସ୍କୁଟି ସବୁ ଲକ୍‌ ହୋଇଗଲା, ସେତେବେଳେ ଖୋଜାପଡ଼ୁଛି ସାଇକେଲଟିର ।


ସାଇକେଲଟି କାହିଁ କେବେ ଠାରୁ ଘରକୁ ଆସିଛି ମନେ ହୁଏ ମୋର ଜନ୍ମ ପୂର୍ବରୁ ଘରେ ଅଛି । କୁହନ୍ତି ନନା ସେତେବେଳେ ମାସିକ ଦରମା ପାଉଥିଲି ମାତ୍ର କୋଡ଼ିଏ ଟଙ୍କା । ଦଶ ଟଙ୍କାରେ ସେତେବେଳେ ଗାଁ ରୁ ୧୨୫ କି.ମି ବ୍ରହ୍ମପୁର ଯାଇ ସାଇକେଲ୍ କିଣି ଚଲାଇ ଗାଁ କୁ ଆସିଥିଲି । ସେତେବେଳେ ସାଇକେଲ୍ କହିଲେ ଆଜିକାଲି କାର୍ ଠାରୁ କିଛି କମ୍ ନୁହେଁ । ସେତେବେଳେର ସାଇକେଲର ମୂଲ୍ୟ ଆଜିକାଲି କାର୍ ବି ଦେଇ ପାରିବ ନାହିଁ । ଆଜି କାଲିର ସାଇକେଲରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଅଛି କିନ୍ତୁ ନନାଙ୍କ ହରକେଲସ୍ ସାଇକେଲରେ ଏସବୁର କିଛି ସୁବିଧା ନ ଥିଲା । ଯଦିଓ ଏଥିରେ ଲେଖାଥିବା 'ମେଡ୍ ଇନ୍ ଇଂଲଣ୍ଡ' କୁ ଦେଖେଇ ମୁଁ ମୋର ସାଙ୍ଗ ମାନଙ୍କ ଠାରେ ଗର୍ବକରେ। ଆମ ଗାଁରେ ଅନ୍ୟ ମାନଙ୍କର ସାଇକେଲ ଠାରୁ ନନାଙ୍କ ସାଇକେଲ୍ ନିଆରା । ନନା ତାକୁ କିରୋସିନି ନଡିଆ ତେଲ ମିଶାଇ ଦେଇ ପୋଛା ପୋଛି କରିଦିଅନ୍ତି । ଚାଳରୁ ନଡା କୁଟା ଖଣ୍ଡେ ଛିଣ୍ଡାଇ କିରୋସିନି ନଡିଆତେଲ ମିଶାଇ ସାଇକେଲର ଅଖ ଚକ ବ୍ରେକ୍ ଇତ୍ୟାଦିରେ ଟୋପେ ଟୋପେ ଦେଇ ଦିଅନ୍ତି । କନାରେ ସାଇକେଲ୍ ପୋଛିବା ବେଳେ ଲାଗୁଥିଲା, ନନା ମୁଣ୍ଡ କୁଣ୍ଡାଉଛନ୍ତି ,ତେଲମାରି ଚକ୍ ଚକ୍ କଲାବେଳେ ଲାଗୁଥିଲା , ନନା କବିତା ଲେଖୁଛନ୍ତି । ଦୂର ଗାଁ କୁ ଯିବାର ଥିଲେ ନନାଙ୍କର ଟିକେ ଅଧିକ ପୋଛାପୋଛି । 


ପିଲାମାନଙ୍କୁ ସେ ସମୟରେ ସାଇକେଲ୍ ଛୁଇଁବା ମନା । ମନା କରିବା ଜିନିଷକୁ ସମସ୍ତଙ୍କର ଅତ୍ଯଧିକ ଲୋଭ ଆଗ୍ରହ ଏବଂ ଆସକ୍ତି । ବେଳେ ବେଳେ ନନାଙ୍କ ଅଲକ୍ଷ୍ୟରେ ମୁଁ ଗାଁ ମୁଣ୍ଡ ରାସ୍ତା ଆଡକୁ ହାପ୍ ପ୍ୟାଡେଲମାରି ସାଇକେଲ୍ ଟିକେ ଗଡେଇ ଆଣେ । ସାଇକେଲରେ ସେତେବେଳେ ରଡ୍ ଟିକୁ ଧରି ଚଲାଇବାକୁ ପଡେ ତାକୁ ବାଙ୍କି ଶିଖିବା ବୋଲି କୁହନ୍ତି । ମୁଁ ବାଙ୍କି ଶିଖିବାକୁ କମ୍ ପରିଶ୍ରମ କରି ନାହିଁ । କେତେ ଥର ପଡି ଆଣ୍ଠୁ ଗଣ୍ଠି ଖଣ୍ଡିଆ ଖାବରା କରି ଘରକୁ ଫେରିଛି ଏବଂ ନନାଙ୍କ ଠାରୁ ଗାଳି ଗୁଲଜ ଶୁଣିଛି । ପ୍ରଥମେ ପ୍ରଥମେ ଯେତେବେଳେ ବାମ ପାଦଟି ପ୍ୟାଡେଲକୁ ଛୁଇଁଯାଉଥାଏ ଓ ସାଙ୍ଗମାନେ ତାଳି ମାରି ଟେକି ଦିଅନ୍ତି । ସେତେବେଳେ ମୋତେ ଲାଗୁଥାଏ ମୁଁ ଯେମିତି ସାଇକେଲ୍ ଚାଳନା କରି ଗିନିଜ ବୁକ ରେକର୍ଡ କରିବି । ବାମପାଦକୁ ପ୍ୟାଡେଲ ପର୍ଯ୍ୟନ୍ତ ନେବା ବେଳକୁ ଲାଗେ ମୁଁ ଗଡ ଜିତିଗଲି । ମୋର ସାଙ୍ଗ ସାଥି ମୋତେ ଉତ୍ସାହିତ କରନ୍ତି । ଇଚ୍ଛା ହେଉଥିଲା ରାତିଦିନ ନମାନି ଏମିତି ସାଇକେଲ୍ ଚଳାଉଥାନ୍ତି ଓ ଦିନେ ସମସ୍ତଙ୍କୁ ଚମକେଇ ସିଟ୍ ଉପରେ ବସି ସାଇକେଲ୍ ଚଲେଇଦିଅନ୍ତି । ହେଲେ, ନନା ଦେଖିବା ଆଗରୁ ସାଇକେଲକୁ ଯଥା ସ୍ଥାନରେ ଥୋଇଦେବାକୁ ହେଉଥିଲା ।


ଘରକୁ କେବେ କେବେ କୁଣିଆ ଆସିଲେ । ଆଉ ଯଦି ସେ' ସାଇକେଲରେ ଆସିଛନ୍ତି ! ଆମେ ପିଲାମାନେ ଆମ ଜୀବନକୁ ବାଜିଲଗେଇ ସେହି ସାଇକେଲ୍ ତାଙ୍କର ନେଇ ଆସୁଥିଲୁ ଓ ଖୋଲା ରାସ୍ତା ଉପରେ ଖାଇବା ପିଇବା ଭୁଲି ଦିନସାରା ସାଇକେଲ ଶିଖୁଥିଲୁ । ମୋର ସାଙ୍ଗମାନଙ୍କ କ୍ଷେତ୍ରରେ ଏ ସୁଯୋଗ କମ୍ ଥିଲା, କାରଣ ସେମାନଙ୍କର ନିଜର ସାଇକେଲ ନ ଥିଲା ଏଣୁ ମୁଁ ସାଇକେଲ ନେଲେ ସେମାନଙ୍କୁ ସାଇକେଲ ଶିଖିବାର ସୁଯୋଗ ମିଳୁଥିଲା । ସେମାନେ ଦାଣ୍ଡରେ ସାଇକେଲ ଗଡେଇ ଖୁସି ହେଉଥିଲେ। କିଛି ସାଙ୍ଗ ଷ୍ଟାଣ୍ଡମାରିବା ଶିଖୁଥିଲେ ତ କିଛି ଷ୍ଟାଣ୍ଡରେ ସାଇକେଲ ରଖି ପ୍ୟାଡେଲ ବୁଲେଇ ପଛଚକା ବୁଲାଉଥିଲେ ସାଇଁସାଇଁ କରି ଖୁସି ହେଉଥିଲେ । କେହି ଘଣ୍ଟିଟିକୁ ଟିଣ୍ ଟିଣ୍ କରି ଖୁସିହେଉଥିଲେ। ଆଜି ଯେଉଁ ସାଇକେଲ୍ ଠିଆହୋଇଥିଲା ତାହା ଆଜିର ସାଧାରଣ କାର୍ ଓ ଇନୋଭା ଠାରୁ କାହିଁ କେତେ ଗୁଣ ଅଧିକ । 


 ମୁଁ ସେତେବେଳେ ଭାବୁଥିଲି ପାଠପଢି ଚାକିରୀ ବାକିରୀ କଲାପରେ ମୁଁ ଏମିତି ଗୋଟିଏ ସାଇକେଲ୍ କିଣିବି । ହେଲେ, ସେ ସବୁ ମନର ଅନ୍ଧାର ଗହିରରେ ରହିଗଲା । ମନେପଡେ ପ୍ରଥମେ ପ୍ରଥମେ ଯେତେବେଳେ ମୁଁ ସାଇକେଲ ଚଲାଉଥିଲି ଲାଗୁଥିଲା ଆକାଶରେ ଉଡୁଛି । ସାଇକେଲ ଚଲାଇବା ବେଳେ ଘରଦ୍ବାର ଏବଂ ଗଛ ଗୁଡିକ ପଛକୁ ପଛକୁ ଚାଲି ଯାଉଥିଲେ। ମୁଁ ଘଣ୍ଟି ଟିଣଟିଣ୍ କରୁଥିଲି। ଡାଇନାମାର ଆଲୁଅ ଜଳୁଥିଲା ବୋଧେ । ମନରେ ଅସୀମ ଆନନ୍ଦ । ମାମୁଁ ଡାଇନାମା ଫିଟ୍ ନୂଆ ସାଇକେଲଟି ଆଣିଥିଲେ । ନୂତନ ଉପଲବ୍ଧିରେ ମୋର ଆଖି ଯେମିତି ବନ୍ଦ ହୋଇଆସୁଥିଲା ଓ ଠିକ୍ ସେହି ସମୟରେ ଗାଁ ମନ୍ଦିର କାନ୍ଥ ସହ ସାଇକେଲ୍ ବାଡେଇ ହୋଇଗଲା। ମୁଁ ଛିଟିକି ପଡିଲି। ସାଇକେଲ୍ ଛିଟିକି ପଡିଲା। ମୋ ଦେହସାରା କ୍ଷତବିକ୍ଷତ । ଧୁଳି ଝାଡ ଝୁଡି ହୋଇ ଉଠି ଠିଆହେଲି ଓ ସାଇକେଲକୁ ଉଠେଇଲି । ଓଃ ! ସେ ହୃଦୟବିଦାରକ ଦୃଶ୍ୟ ! ଡାଇନାମା ଚେପା ହୋଇଯାଇଥିଲା । ସାଇକେଲର ଦି ଚାରିଟା ସ୍ପୋକ ଭାଙ୍ଗି ବାହାରି ପଡିଥିଲେ। ଘଣ୍ଟା ଓ ବେବି ସିଟ୍ ଢିଲାହୋଇ ବୁଲିଯାଇଥିଲେ । ନା, ମୋ ପାଖରେ ଏହା ବର୍ଣ୍ଣନା କରିବାର ଶକ୍ତି ହିଁ ନାହିଁ। ଚୁପକିନା ସାଇକେଲ ଥୋଇଦେଇ ସ୍କୁଲ ପଳେଇଲି। ସାରାଦିନ ଭୋକଉପାସରେ କଟେଇଥିଲି ସ୍କୁଲରେ । ନନାଙ୍କର ଗାଳି ଆଜି ବି ମନେ ପଡିଲେ ଦୁଃଖ ଲାଗେ । ପରବର୍ତ୍ତି ଘଟଣା ଅପ୍ରତ୍ୟାଶ୍ରିତ ନଥିଲା ଓ ଭୀଷଣ ଯନ୍ତ୍ରଣାଦାୟକ ଥିଲା। ହେଲେ, ଏହାପରେ ସାଇକେଲ ପ୍ରତି ମୋର ଅହେତୁକ ମାୟା ବଢିଥିଲା।


ସାଇକେଲ କିଣିବାର ଅବସର ମୋତେ ଦେଇଥିଲା ମୋର ଝିଅ । ମୁଁ ଝିଅ ପାଇଁ ସାଇକେଲଟେ କିଣି ଦେଇଥିଲି । ସେହି ସାଇକେଲ ଥିଲା ମୋ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବାର ମାଧ୍ୟମ ଥିଲା । ଉତ୍ତରାଧିକାରୀ ସୂତ୍ରରେ ଝିଅ ପାଇଁ ସାଇକେଲଟେ କିଣି ଦେଇଥିଲି । ସ୍କୁଟି ହେବାରୁ ଝିଅ ଏବେ ଆଉ ସେହି ସାଇକେଲ ଚଲାଉ ନାହିଁ ଏବେ ବିକ୍ରିହେବାର ପର୍ଯ୍ୟାୟ କିନ୍ତୁ ମୁଁ ବିକ୍ରି କରିବାକୁ ରାଜି ନୁହେଁ । ଆଜି ବି ନୂଆ ସାଇକେଲ ଦୋକାନ ଦେଖିଲେ ମୁଁ ଠିଆହୋଇଯାଏ । ରାଲେ, ହମ୍ବର, ହୀରୋ ବ୍ୟତୀତ ଆହୁରି କେତେପ୍ରକାର ସାଇକେଲ ବଜାରକୁ ଆସିଗଲେଣି।


ଆଜିବି ଲାଗେ ଯେ ଗାଁର ସବୁଜ, ଶାନ୍ତ ପରିବେଶ ଭିତରେ ଗୋଟାଏ ସ୍ବତନ୍ତ୍ର ଅନୁଭୁତି ଥିଲା ସେଇ ଚୋରିଚୋରି ସାଇକେଲ୍ ଚଳେଇବାର ନିତିଦିନିଆ ଅଭ୍ୟାସ । ସେଥିରେ ଦୁର୍ବାର ସାହାସ ଥିଲା, ଜିଜ୍ଞାସା ଥିଲା, ବେଗବାନ ହେବାର ଇଚ୍ଛା ଥିଲା। କେବେକେବେ ତ ଲାଗୁଥିଲା ମୋ ସାଇକେଲ୍ ପବନଗତିରେ ଚାଲିଛି ଓ ମୁଁ ତାକୁ ଉର୍ଦ୍ଧ୍ବମୁହାଁ କରିଦେବାରୁ ତାହା ସ୍ବର୍ଗଭୂବନର ଗ୍ରହନକ୍ଷତ୍ର ଆଦି ଅତିକ୍ରମ କରି ଶୂନ୍ୟରେ ବିଚରଣ କରୁଛି। ମୋ ଶୈଶବ ଓ କୈଶୋରର ସ୍ବପ୍ନ ଥିଲା ସାଇକେଲ୍। ସ୍କୁଲ ଜୀବନର ଫଟୋରେ ସାଇକେଲ ଫଟୋ ଗୁଡିକ ଆଲବମ୍ ରୁ ଦେଖିଲେ ମୋର ଛୁଆବେଳର ସାଇତା ଅଭୁଲା ସ୍ମୃତି ମନେପଡେ ହସ ଲାଗେ ଏବଂ ଖୁସି ଲାଗେ ।


ଦିନ ଥିଲା ଘର ଅଗଣାରେ ସାଇକେଲ ଥିଲେ ଧନୀ ଘର ବୋଲି ସେତେବେଳେ ପରିଚିୟ ମିଳୁଥିଲା । କିନ୍ତୁ ଧୀରେ ଧୀରେ ସାଇକେଲର ବ୍ୟବହାର କମିବାକୁ ଲାଗିଲା । ଗତ କିଛି ଦଶନ୍ଧି ହେବ ସାଇକେଲ ଧନୀ ଓ ଗରିବ କାହାର ପସନ୍ଦ ହିସାବରେ ଗଣା ହେଉନଥିଲା ବୋଲି କୁହନ୍ତି, କିନ୍ତୁ ସମୟ ଓ ପରିସ୍ଥିତି ଏବେ ବଦଳିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ସାଇକେଲକୁ ଆପଣାଇବାକୁ ଲାଗିଛନ୍ତି ଅନେକ ଲୋକ । କୋଭିଡ଼-୧୯ ମହାମାରୀ ଯୋଗୁ ହୋଇଥିବା ଲକ୍‌ଡାଉନ କାରଣରୁ ଅନେକଙ୍କ ସାହାରା ପାଲଟିଛି ସାଇକେଲ । କେଉଁଠି ପ୍ରବାସୀ ଶ୍ରମିକ ସାଇକେଲ ସାହାଯ୍ୟରେ ଘରକୁ ଫେରୁଛନ୍ତି ତ ଆଉ କେଉଁଠି ଜିମ୍‌ ବନ୍ଦ ଥିବାରୁ ସାଇକେଲ ଚଳାଇ ନିଜକୁ ଫିଟ୍‌ ରଖୁଛନ୍ତି ଲୋକେ । ଅଫିସଠାରୁ ଆରମ୍ଭ କରି ଦରକାରୀ ଜିନିଷ ନବା ଆଣିବା ପାଇଁ ସମସ୍ତେ ସାଇକେଲ ବ୍ୟବହାର କରୁଛନ୍ତି । ଏମିତି ଭାବେ ସାଇକେଲ ବ୍ୟବହାର ବଢିଛି । 


ନନା ଏବେ ବୟସର ସାୟାହ୍ନରେ । ତାଙ୍କର ସେହି ପୁରୁଣା ହରକେଲସ୍ ସାଇକେଲଟା କବାଡ଼ିବାଲାକୁ ବିକିଦେବା ପାଇଁ ଯୋଜନା ଚାଲିଥିଲା । ନନା କିନ୍ତୁ ଏଥିରେ ଆଦୌ ସମ୍ମତି ପ୍ରକାଶ କରି ନ ଥିଲେ। ପୁରୁଣା ସାଇକେଲ ଟା ରଖି ଲାଭ କଣ ? ବରଂ ତାକୁ ବିକିଦେଲେ ଘରର ଗୋଟିଏ ଅଳିଆ ଯିବ । ନନା କହିଲେ " ତୁମେ ମାନେ ଯାହା ଠିକ୍ ଭାବୁଛ ସେୟା କର।" କିନ୍ତୁ ଏଏହି ସାଇକେଲଟି ମୋର ସାହାରା ଥିଲା । ସ୍କୁଲ ଯିବା ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଝିଅ ଝିଆଣିଆ ବିବାହ ବ୍ରତ ଇତ୍ଯାଦି ଏହାରି ମାଧ୍ୟମରେ ତୁଟାଇ ପାରିଛି । ତୋ ବୋଉକୁ ଓ ତୁମ ମାନଙ୍କୁ ମେଳା ମହୋତ୍ସବ ସ୍କୁଲ କଲେଜ ଡାକ୍ତରଖାନା ଏହା ମାଧ୍ୟମରେ ନେଇ ପାରିଛି । ବାପାଟି ବୁଢା ହୋଇଗଲା ବୋଲି କ'ଣ ତାକୁ ବାହାରେ ଫୋପାଡି ଦେବା ନା କେଉଁଠିକୁ ପଠେଇ ଦେବା ? ସେମିତି ଏ ସାଇକେଲଟି ମୋର ଏକ ଅଭୁଲା ସ୍ମୃତି । ଆଜି ସେ ଚାଲି ପାରୁନି ବୋଲି ମୁଁ ଥାଉ ଥାଉ ତୁମେମାନେ ବିକି ଦେବ ? 


ବଜାରରୁ ଫେରି ଦେଖିଲି ନନାଙ୍କ ସାଇକେଲ ଟି ଯେଉଁ ସ୍ଥାନରେ ଥିଲା ସେ ସ୍ଥାନରେ ନାହିଁ। ଭାବିଲି ଭାଇ ମୋ ଅନୁପସ୍ଥିତିରେ ସାଇକେଲ ଟି ବିକି ଦେଇଛନ୍ତି। ଭାଇନାଙ୍କୁ ଯାଇ ପଚାରିଲି, " ଭାଇନା, ନନାଙ୍କ ସାଇକେଲ କାହିଁ ? " ଭାଇନା କହିଲା ନନା ଯିଦି କରିବାରୁ ସାଇକେଲ ଟିକୁ ତାଙ୍କରି ରୁମରେ ରଖି ଦେଇଛି । ମୁଁ ନନାଙ୍କର ର ରୁମ୍ ଆଡ଼େ ଗଲି। ରୁମ୍ ଟି ଭିତର ପଟୁ ବନ୍ଦ ଥିଲା। କବାଟ ଫାଙ୍କ ଦେଇ ଯାହା ଦେଖିଲି ଆଖିକୁ ବିଶ୍ବାସ କରିପାରିଲିନି। ପୁରୁଣା ସାଇକେଲ ଟି ନୂଆ ଭଳି ଦେଖା ଯାଉଛି। ନନା ତାଙ୍କର ହାତରେ କପଡା ଟିଏ ଧରି ସାଇକେଲ ଟିକୁ ପୋଛି ଚାଲିଛନ୍ତି । ହ୍ୟାଣ୍ଡଲ୍, ପ୍ଯାଡଲ୍, ରିମ୍, ସିଟ୍ ସବୁ ଗୋଟେ ପରେ ଗୋଟେ ପୋଛି ଲାଗିଛନ୍ତି । ପାଖରେ ପୁରୁଣା ଆଲବମ୍ ଟିଏ ପଡିଛି। ଆଲବମ୍ ରେ ଥିବା ଫଟୋ ଗୁଡିକ କବାଟ ଫାଙ୍କରେ ଭଲ ଭାବେ ଦେଖା ଯାଉନି। ବିବେକହୀନ ବ୍ୟକ୍ତି ଟିଏ ମୁଁ। କାହାର ମନୋଭାବକୁ ବୁଝିବାକୁ ମୁଁ ଅକ୍ଷମ। କବାଟ ବାଡ଼େଇଲି। ନନା କବାଟ ଖୋଲିଲେ। ମୁଁ ହଠାତ୍ ପୁରୁଣା ଆଲବମ୍ ଟିର ଫର୍ଦ୍ଦ ଗୁଡ଼ିକୁ ଓଲଟିବାକୁ ଲାଗିଲି । କେତେ ଫଟୋ ।


 ଯୁବକ ସମୟରେ ବୋଉକୁ ସାଇକେଲରେ ପଛରେ ବସେଇ ଥିବା ଫଟୋ । ଗାଁ ନଦୀ ପଠାରେ ମୋତେ ଆଗରେ ଓ ପଛରେ ଭାଇନାଙ୍କୁ ବସାଇ ନନା ଚଲାଉଛନ୍ତି ଏଇ ସାଇକେଲ। ବାପା କୁନି ପିଲାଟିକୁ ପଛରେ ବସେଇ ମେଳା ବୁଲେଇବାକୁ ନେଉଥିଲେ ଏଇ ସାଇକେଲ ରେ। ଏମିତି ଅନେକ ଫୋଟ। ହଠାତ୍ ନନା କହିଲେ, " ସାଇକେଲ ଟା ବିକିବୁ ପରା ?" ଏତିକି ବେଳକୁ ଅଜାଣତରେ ମୋ ଆଖିରେ ବି ଲୁହ ଆସି ଯାଇଥିଲା। ମୋ ଆଖିରୁ ଲୁହ ପୋଛି ଦେଇ ନନା କହିଲେ, " ଏ ସାଇକେଲ ଟା ମୁଁ ମୋର ଚାକିରୀର ପ୍ରଥମ ଦରମାରୁ ଆଣିଥିଲି।" ତା ପରଠୁ ଆମ ଘରେ ଏ ସାଇକେଲ ବିକିବା ପ୍ରସଙ୍ଗଟି ବନ୍ଦ ହୋଇଯାଇଛି। ଆଜି ବି ନନାଙ୍କର ରୁମ୍ ଆଗରେ ଗୋଟେ କୋଣରେ ସାଇକେଲ ଟି ସେମିତି ଠିଆ ହେଇଛି।


ଡାଇନିଂ ଟେବଲ୍ ରେ ବସି ଝିଅ ସହିତ ଜଳଖିଆ କରୁଥିଲି , ଝିଅ କହିଲା ପାପା ! ମୋର ସାଇକେଲଟି ବିକ୍ରି କରୁ ନାହଁ କି ବାପାଙ୍କ ରୁମ୍ ଆଗରେ ଥିବା ସେହି ପୁରୁଣା ସାଇକେଲଟି ବିକ୍ରି କରୁନାହଁ । ଝିଅର କଥାରେ ଆଖି ରୁ ଅମାନିଆ ଲୁହ ଖାଇବା ଥାଳିରେ ଟପ୍ ଟପ୍ ହେଇ ପଡୁଥିଲା । ଭାବୁଥିଲି ମଣିଷ ଜୀବନ ସହିତ ଏମିତି କିଛି ବସ୍ତୁ ଜଡିତ ହୋଇ ଯାଆନ୍ତି ଯାହାକି ଆମେ ତାଙ୍କୁ ନିଜ ଠାରୁ କେବେ ବି ଦୂରେଇ ପାରୁନା......


Rate this content
Log in

Similar oriya story from Tragedy