Satyabati Swain

Tragedy

4  

Satyabati Swain

Tragedy

ନିଷ୍ଠା

ନିଷ୍ଠା

7 mins
199



ନିଷ୍ଠାକୁ ସ୍ନେହର ଆକାଶ ଓ ସବୁଜିମା ପୃଥିବୀଟିଏ ମିଳିଗଲା । ମିଷ୍ଟର ଓ ମିସେସ୍ ନୀତିଶ ମହାନ୍ତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେଲେ ନିଷ୍ଠାକୁ । 

  ସେ ଚାଲିଗଲା ପରେ ଭାରି ଅଣନିଃଶ୍ଵାସୀ ଲାଗିଲା । କେମିତି ଏକା ଏକା ଭାବଟିଏ ଜାବୁଡି ଧରିଲା ମୋତେ । ସାମାନ୍ୟ ଦରମାଖିଆ କେୟାରଟେକରଟିଏ ତ ମୁଁ । ଏତେ ଆସକ୍ତିରେ ଆକ୍ତାମାକ୍ତା ହେଉଛି କାହିଁକି! ଶହ ଶହ ପିଲାଙ୍କ ଭିତରେ ନିଷ୍ଠା ବି ଗୋଟିଏ ପିଲା । ଅନ୍ୟମାନଙ୍କ ଅପେକ୍ଷା ତା ପ୍ରତି ମୋର ଏତେ ଦରଦର କାରଣ ଖୋଜି ପାଇନି ଏ ଯାଏ । ସତରେ ପ୍ରେମର ବୟସ, ଲିଙ୍ଗ, ସ୍ଥାନ, କାଳରେ କିଛି ନ ଥାଏ । କେତେବେଳେ କାହାକୁ ବି ପ୍ରେମ ହୋଇପାରେ । ନିଷ୍ଠାର ଢଳ ଢଳ ନୀଳ ଆଖି, ଗୁଲୁରୁ ଗୁଲୁରୁ କଥା ମୋତେ ଭାରି ଦହଗଞ୍ଜ କରୁଥିଲା । ଶୁଆଇ ଦେଉ ନ ଥିଲା ତା ନାଲିଆ ଓଠର ହସ । ନିଦ ଆଖିକୁ ଛୁଉଁ ନ ଥିଲା । ସେ ବି ନିଷ୍ଠାର ଶୂନ୍ୟତା ଅନୁଭବ କରୁଥିଲା, ଝୁରୁଥିଲା ତାକୁ । କଡ଼ ଲେଉଟାଇ ଏପଟ ସେପଟ ହୋଇ ଖୁବ୍ ଅସ୍ତ ବ୍ୟସ୍ତ ଲାଗିଲା । ସତେ ବା ନିଜ ହୃଦୟରୁ ଟୁକୁରାଏ ନିଷ୍ଠା ତା ସହ ନେଇ ଯାଇଛି । 

ଅମାନିଆଁ ଆଖିରୁ ଗଳି ପଡ଼ିଲା କେଇ ଟୋପା ଲୁହ । ଲୁହ ଭର୍ତ୍ତୀ ଆଖିରେ ଦିଶି ଗଲା ଦୁଇ ବର୍ଷ ତଳର କଥା । 

ଡିସେମ୍ବରର କିଟି ମିଟି ଅନ୍ଧାର ରାତିଟିଏ । ଅନ୍ଧାରକୁ କୁଣ୍ଡା ଝାଡ଼ିଲା ପରି ବର୍ଷା ହେଉଥାଏ । କରେଣ୍ଟ ବି ଯୋଗକୁ ନ ଥାଏ । ପ୍ରବଳ ଶୀତ । ରାତି ନଅଟା ନ ହେଉଣୁ ବଜାର ଘାଟ କୁଙ୍କୁରି କାଙ୍କୁରି ହୋଇ ପଡିଥାନ୍ତି କମ୍ବଳ ତଳେ । ସେ ବର୍ଷ ଶୀତ ରେକର୍ଡ କରିଥିଲା । ତା ସାଙ୍ଗକୁ ଅନିଦିଆ ବର୍ଷା ଓ କୋହଲା ପାଗ ମଞ୍ଜ ଦେଉଥିଲା ଥରାଇ । ଉତ୍ତରା କୋହଲା ପବନ ମାଡ଼ ଆହୁରି ଭୟଙ୍କର କରି ଦେଉଥିଲା ପରିବେଶକୁ । ସମ୍ଭାଳି ହେଉ ନଥିଲା ଜାଡ ମାଡ଼ । ଖାଲି ଉହୁ ଶବ୍ଦ ସଭିଙ୍କର । କୋଲ ମାରି ଯାଉଥିଲା ଦେହ । ଯେତେ ଶୀତ ବସ୍ତ୍ର ଘୋଡେଇ ହେଲେ ବି ଥଣ୍ଡା ଦାଉରୁ ରକ୍ଷା ମିଳୁନଥିଲା । ବେଶୀ ଘର ଭିତରେ ରେଜେଇ କି କମ୍ବଳ ତଳେ ପଶିବାକୁ ମନ ଚାହୁଁଥିଲା । 

ଠିକ୍ ଏଇ ସମୟରେ ପଲେ କୁକୁର ଭୁକି ଉଠିଲେ 'ସ୍ୱର୍ଗର ଠିକଣା' ଗେଟ୍ ବାହାରେ । ଟିକିଏ ଖସ୍ ଖାସ୍ ଶବ୍ଦ କି ଅଚିହ୍ନା ଲୋକ ଦେଖିଲେ କୁକୁରଗୁଡାଙ୍କର ଭୁକିବା ଗୁଣ । 'ସ୍ୱର୍ଗର ଠିକଣା' ଅନ୍ତେବାସୀ ଖାଇ ପିଇ କମ୍ବଳ ତଳେ ପଶି ଗଲେଣି ଶୀତକୁ ଡରି । ନୂଆ ନୂଆ ନିଯୁକ୍ତି ପାଇଥାଏ ମୁଁ । ଏତେ ଶୀଘ୍ର ନିଦ ହେଉ ନଥାଏ ମୋତେ । ବେକ ଯାଏ କମ୍ବଳ ଟାଣି ଆଣି ପ୍ରତିଭା ରାୟଙ୍କ ସମୁଦ୍ରର ସ୍ୱର ଉପନ୍ୟାସଟି ପଢିବାରେ ଲାଗିଗଲି । ଗଳ୍ପ ହେଉ ବା ଉପନ୍ୟାସ ପଢିବା ମୋର ଏକ ସଉକ । ତା ଛଡା ଶୋଇ କି ବହି ପଢିଲେ ମୋତେ ନିଦ ଆସିଯାଏ । କିଛି ସମୟ ପଢିବା ପରେ ଆଖି ଟିକେ ବୁଜି ଟିକେ ଖୋଲି ଢୁଳେଇବା ଅବସ୍ଥାକୁ ଆସିଲା । ଏଥରକ ନିଦ ମାଉସୀ ମୋତେ କୋଳେଇ ନେବେ ଜାଣି ବହିଟି ମୁଣ୍ଡ ଉପରେ ଥୋଇ ଆଉ ଟିକେ ନାକ ତଳେ ଯାଏ କମ୍ବଳ ଟାଣି ଆଣିଲି । 

ମାତ୍ର ଏ କଣ କୁକୁରଗୁଡା ଶୁଆଇ ଦେଲେ ତ ମଣିଷ ଶୋଇବ । ଶୁନ୍ ଶାନ୍ ପ୍ରବଳ ଶୀତୁଆ ରାତିର ଛାତି ଚିରି କୁକୁରଗୁଡାଙ୍କ ଭୁକ୍ ଭୁକ୍ ଭୁ ଉ ଉ ଶବ୍ଦ ଅତି ଭୟାଳୁ ପରିବେଶ ସୃଷ୍ଟି କରୁଥାଏ । ଅଧିକ ଶୀତ ପାଇଁ ବୋଧେ କୁକୁରଗୁଡା ଭୁକିବା ବନ୍ଦ କରୁ ନ ଥାନ୍ତି । ରାତି ଡିୟୁଟିରେ ଥିବା ବାହାଦୂର ବିଚରା ଡିୟୁଟି କରିବା ପାଇଁ ବାରଣ୍ଡାରେ କାନ୍ଥକୁ ଲାଗି ପଡିଥିବା ଚେୟାରଟି ଉପରେ ବସୁ ବସୁ ନିଦରେ କାନ୍ଥ ସହିତ କାନ୍ଥ ହୋଇ ଯାଇଥାଏ ଶୀତରେ । ଦରୁଆନ୍ ହେଲେ ବି ସେ ତ ମଣିଷ ନା । ସହି ପାରୁ ନାହିଁ ଶୀତ । ଶୋଇ ଥାଉ ବିଚରା । ରାତି ଡିୟୁଟି କରୁଥିବା ବାହାଦୂରମାନଙ୍କର ଚେୟାରରେ ଶୋଇବା ଠାଣି କିନ୍ତୁ ମାନିବାକୁ ପଡିବ । କି ପରମ ତୃପ୍ତିରେ ଗୋଡ଼କୁ ଳମ୍ବେଇ କାନ୍ଥରେ ମୁଣ୍ଡକୁ ଲଗାଇ ଶୋଇ ଯାଆନ୍ତି ! ଶରୀର ମଝି ଅଂଶଟି ଚେୟାର ସାହାରା ନେଇଥାଏ ଯାହା । 

ବଦମାସ୍ କୁକୁରଗୁଡାକ ଭୁକିବା ବନ୍ଦ କରିବା ନାଁ ଧରୁ ନଥିଲେ । ବିରକ୍ତ ଲାଗିଲା । ଡାକ ଛାଡ଼ିଲି ବାହାଦୂର,ଓ ବାହାଦୂର ଭାଇ ; କୁକୁରଗୁଡାଙ୍କୁ ହୁରୁଡ଼ାଇ ଦିଅ ତ । ଶୁଆଇ ଦେଉ ନାହାନ୍ତି । ବାହାଦୂର ଭଲା ଶୁଣିବ କିଆଁ । ତାଙ୍କ ଶୋଇବା ଷ୍ଟାଇଲରେ ସେ ଘୁଙ୍ଗୁଡ଼ି ପେଲୁଥାନ୍ତି । ଗୋଡ଼ଠାରୁ ମୁଣ୍ଡ ଯାଏ କମ୍ବଳ ଆଚ୍ଛାଦିତ । କୁକୁର ବୋବା ଠାରୁ ବି ତାଙ୍କ ଘୁଙ୍ଗୁଡ଼ି ଅଧିକ । ସମସ୍ତେ ଶୋଇ ପଡ଼ିଲା ବେଳେ ମୁଁ କାହିଁକି ଶୋଇ ପାରୁନି । ହୁଏତ ନୂଆ ନୂଆ ଯୋଡି ହୋଉଛି ଏଇ ଅଳ୍ପ ଦିନ ହେବ ବୋଲି ଏପରି ହେଉଛି କି କଣ । ଅଭ୍ୟସ୍ତ ହୋଇଗଲେ ମୁଁ ବି ସମସ୍ତଙ୍କ ପରି ଶୋଇ ପାରିବି । ପୁଣି ଟିକେ ଆଣ୍ଠୁ ଭାଙ୍ଗି ଜାକି ଜୁକି ହୋଇଗଲି କମ୍ବଳ ତଳେ । 


ଆହୁରି ଜୋରେ ଜୋରେ ଭୁକିଲେ କୁକୁରଗୁଡା । ନା ଆଉ ହେବନି । କମ୍ବଳ ଭିତରୁ ବାହାରକୁ ଆସି ବାହାଦୂରକୁ ହଲେଇ ଡାକିଲି । ଇଏ କୁଆଡେ ରାତି ଡିୟୁଟି କରୁଛନ୍ତି । ଭଲ ରାତି ଡିୟୁଟି କରୁଛ ତ ! ହଲେଇଲେ ବି ଉଠୁନ! ଭଲ ଜଗିଛ ହୋ ଭାଇ । ଆହୁରି ଜୋରେ ଝାଙ୍କି ହଲେଇ ଦେଲି । ହାଉଳି ଖାଇ କିଏ କିଏ ହୋଇ ବାହାଦୂର ଧଡପଡ଼ ହୋଇ ଉଠି ପଡିଲେ ସପନ ଦେଖିଲା ପରି । ଆରେ ଭାଇ ଗଲ ସେ କୁକୁରଗୁଡାଙ୍କୁ ତଡି ଆସିବ । କାହିଁକି ଘଣ୍ଟାଏ ହେବ ବୋବଉଛନ୍ତି । 


ବାହାଦୂର ନିଦ ଟଳମଳ ଆଖିରେ ଚାବି ସହ ତା କାନ୍ଧରେ ଏତେ ବଡ଼ ଲମ୍ବା କାଠର ବନ୍ଧୁକ ଓ ହାତରେ ଠେଙ୍ଗେଣି ନେଇ ଗେଟ୍ ପାଖକୁ ଗଲା । ହାସୁ ହାସୁ କରି ଠେଙ୍ଗେଣି ଦୁଇ ଚାରି ଥର ବାଡେଇ ଦେଲା ଗେଟରେ । ଫଳ କିଛି ହେଲାନି । ବରଂ କୁକୁରଗୁଡାକ ଆମକୁ ଚାହିଁ ଆହୁରି ଭୁକିଲେ । ବାହାଦୂର କହିଲା, କିଛି ଗୋଟେ ଘଟିଛି । 

କିଛି ଘଟିଛି !! ମୋତେ ସଂଶୟରେ ପକାଇଲା । 

ବାହାଦୂର ଗେଟ୍ ଖୋଲି ଆଗ ଟର୍ଚ୍ଚ ପକାଇଲା ଗେଟର ଦକ୍ଷିଣ ପାର୍ଶ୍ଵକୁ ଯେଉଁଠି ଗୋଟେ ବଡ଼ ଷ୍ଟିଲ୍ କେଜ୍ ପରି ଦୋଳି ଝୁଲୁଛି । ସେଥିରେ ଲେଖା ଯାଇଛି "ମୋତେ ସୁରକ୍ଷିତ ରଖନ୍ତୁ । "ପୁରୁଣା ସର୍ଭାଣ୍ଟ୍ ବାହାଦୂର । ଏ ବିରାଟ 'ସ୍ୱର୍ଗର ଠିକଣା'ର ସମସ୍ତ ଘଟଣା ସହ ସେ ଅବଗତ । ଏଣୁ ଏଣେ ତେଣେ କୁଆଡେ ଟର୍ଚ୍ଚ ନ ପକାଇ ସିଧା କେଜକୁ ପକାଇଲା । 

ମୁଁ ବାରଣ୍ଡାରେ ଠିଆ ହୋଇଥିଲି । ମୋତେ ବାହାଦୂର ଡାକ ପକେଇଲା, ଦୀପ୍ତି ସାର୍ ଇଆଡ଼େ ଆସନ୍ତୁ । ମୁଁ କୌତୁହଳ ତଥା ଭୟରେ ଗେଟ୍ ପାଖକୁ ଗଲି । ଏଇ ଚାରି ଛଅ ଦିନ ହେବ ମୋର ପୋଷ୍ଟିଂଗ୍ ହୋଇଛି । ପ୍ରତି ଘଟଣା ଏଠିକାର ମୋ ପାଇଁ ନୂଆ । ଗେଟ୍ ପାଖକୁ ଯାଇ ଯାହା ଦେଖିଲି କାଠ ହୋଇଗଲି । 

ଦଶରୁ ପନ୍ଦର ସରିକି କୁକୁର କେଜକୁ ଘେରି ରହିଛନ୍ତି । କେଜ୍ ଭିତରେ ଏତେ ଅନ୍ଧାରକୁ ପ୍ରବଳ ଶୀତ ସହ କୁଣ୍ଡା ଝଡା ବର୍ଷା ରାତିରେ ଶାଲ୍ଗୁଡା ହୋଇ ଶୋଇଛି ଛୁଆଟିଏ! ମୁଁ କିଛି ବୁଝି ପାରିବା ପୂର୍ବରୁ ବାହାଦୂର ମୋତେ କହିଲେ, ଟର୍ଚ୍ଚଟି ଧରନ୍ତୁ ତ ସାର୍ । ମୁଁ କେଜ୍ ଭିତରକୁ ଟର୍ଚ୍ଚଟି ପକାଇଲି । ବାହାଦୂର କେଜ୍ ଖୋଲି ଛୁଆଟିକୁ ଟେକି ଆଣିଲା । କୁକୁରଗୁଡାକ ଭୁକା ବନ୍ଦ କରି ଦେଇଥାନ୍ତି । କୁକୁର ଏତେ ଜୋରେ ଭୁକୁଥିଲେ ବି ଛୁଆଟି ସେ ସବୁକୁ ବେଖାତିରି କରି ଶୋଇଥାଏ ଆରାମରେ ଯେମିତି । 

ଟିକେ ସେ କୁକୁରଗୁଡାଙ୍କୁ ଅନେଇଁଲି । ପଶୁ; ତଥାପି କେତେ ଦରଦ! ହୁଏତ ସେ ଭୁକୁ ନଥିଲେ ବରଂ ଡାକୁଥିଲେ ଆରେ ଉଠ ହୋ ସ୍ୱର୍ଗର ଠିକଣା ଅନ୍ତେବାସୀ, ତୁମର ଜଣେ ନୂଆ ଅତିଥି ଆସିଗଲେ । ଆସ ପାଛୋଟି ନିଅ । ଆମେ ତାଙ୍କ ଭାଷା ବୁଝିବାରେ ଅକ୍ଷମ ହେଉଥିଲୁ ଯାହା । ଆଉ ସବୁଠୁ ଶ୍ରେଷ୍ଠ ଜୀଵ ମଣିଷ ; ସେ କଣ କରୁଛି । ଯୌନ ପରିତୃପ୍ତି ପାଇଁ କେତେ ତଳକୁ ଖସି ଯାଉଛନ୍ତି ! ଏମିତି ପଶୁଠାରୁ ହୀନ ହୋଇ କି କୁତ୍ସିତ କାମ କରୁଛି ମଣିଷ ! ନିଷ୍ପାପ ସଦ୍ୟଜାତ ପିଲାକୁ ଫିଙ୍ଗି ଦେଉଛନ୍ତି ନିର୍ଦ୍ଦୟ ଭାବେ!

  ଚିନ୍ତାରେ ବ୍ୟାଘାତ ସୃଷ୍ଟି କରି ବାହାଦୂର ମୋ ହାତକୁ ପିଲାଟିକୁ ବଢ଼େଇ ଦେଇ କହିଲେ ଧରନ୍ତୁ ସାର୍ ଗେଟ୍ ଟି ଦେଇଦିଏ । ସେ ପୁଣି କହିଲେ, ସାର୍ ଦେଖିଲେ ପିଲାଟି ମୃତ ନା ଜୀବିତ!

ମୁଁ ଠାଏ କରି ଚମକି ପଡିଲି, ମୃତ କହି । 

ଆପଣ ନୂଆ ଲୋକ ସାର୍ । ଏଠି ଏ ଘଟଣା କିନ୍ତୁ ନୂଆ ନୁହେଁ । ପ୍ରାୟତଃ ରାତି ଅନ୍ଧାରରେ ବୟସ ଅୟସର ପାପ କହୁଥିବା ସଭ୍ୟ ସମାଜର ଭଦ୍ରମୁଖା ପିନ୍ଧା ପାପିଷ୍ଠମାନଙ୍କ ପାପ ଦେବଶିଶୁ ମାନେ ଏମିତି 'ସ୍ୱର୍ଗର ଠିକଣା'କୁ ନିଜର ଠିକଣା ବନେଇବାକୁ ଆସିଥାନ୍ତି । ଏ କେଜ୍ ଭିତରେ ଗୁଡା ହୋଇ ଶୋଇଥିବା ନାହି ନାଡ଼ ଲାଗିଥିବା ସବୁ ପିଲା ଆମେ ଦେଖିଲା ବେଳକୁ ବଞ୍ଚିନଥାନ୍ତି । କେତେକ ଘୃଣାରେ ଏ ମାଟି ଓ ମଣିଷଙ୍କୁ ନାପସନ୍ଦ କରି ସେପାରିର ଯାତ୍ରୀ ହୋଇଥାନ୍ତି । 


ବାହାଦୂର କଥା ଶୁଣି ମୋ ତିରିଶିଶି ବର୍ଷର ଯୁବ ସୁଲଭ ବାପ ପ୍ରାଣଟି ଥରି ଉଠିଲା । ମୁଁ ପିଲାଟିକୁ ନିଜ ଛାତିକୁ ଆଉଜା ନେଇ ଅପୂର୍ବ ଏକ ଶିହରଣରେ ପୋତି ହୋଇଗଲି । ଶୁଣିଥିଲି ଏପରି ଘଟେ । କିନ୍ତୁ ନିଜ ଆଖିରେ ଏପରି ଘଟଣା ମୋତେ ବିସ୍ମିତ କରୁଥିଲା । ମୁଁ ତା ଛାତି ପାଖକୁ କାନ ନେଲି । ହଁ ହଁ ବାହାଦୂର ପିଲାଟି ବଞ୍ଚିଛି । ଖୁସି ମେଞ୍ଚେ ମୋ ଭିତରେ କିଏ ଯେମିତି ଖୁନ୍ଦି ଦେଲା । 

ଗେଟ୍ ବନ୍ଦ କରି ଆସି ଏମରଜେନ୍ସି ଘଣ୍ଟି ବଜେଇଦେଲା ବାହାଦୂର । ଶୀତ ଓ ଅନ୍ଧାରକୁ ଫିଙ୍ଗି ଉଠି ପଡିଲେ ସମସ୍ତ ଅନ୍ତେବାସୀ । ସ୍ୱର୍ଗର ଠିକଣା ହେଡ୍ ଦଉଡ଼ି ଆସି କହିଲେ, ନେଇ ଯାଅ ପିଲାଟିକୁ ଡିସ୍ପେନସରିକୁ । ଡକ୍ଟର ଉମା କାନ୍ତ ଓ ନର୍ସ ମିଠି ପିଲାଟିକୁ ମୋ ହାତରୁ ନେଇଗଲେ ଡିସ୍ପେନସରି । ଠିକ୍ ଏତିକି ବେଳକୁ କରେଣ୍ଟ୍ ଆସିଗଲା । ଉମାକାନ୍ତ ସାର୍ ଟିକି ନିକି ପରୀକ୍ଷା କରି କେତେ ଗୁଡ଼େ ଇଂଜେକସନ୍ ଯେତେବେଳେ ଫୋଡିଲେ ପିଲାଟିର କୁଆଁ କୁଆଁ ରାବରେ ଥରି ଉଠିଲା ସ୍ୱର୍ଗର ଠିକଣା । ମୋତେ ପିଲାଟିର କାନ୍ଦ ପରିବର୍ତ୍ତେଗୁଡାଏ ପ୍ରଶ୍ନ, ପୁଳାଏ ଅଭିଯୋଗ ଫର୍ଦ୍ଦ ବାଢିବା ଯେପରି ଶୁଭୁଥାଏ । ଖୋଜୁଥାଏ ବିକଳରେ ପିଲାଟି ମାଆ ଛାତିର ଉଷୁମ ଯେମିତି ବିକଳ ହୋଇ । 

ଖୁସି ଲାଗିଲା 'ସ୍ୱର୍ଗର ଠିକଣା'ର ପ୍ରତ୍ୟେକ ସଦସ୍ୟ ଅତି କେୟାରିଂ, ସ୍ନେହୀ । ଏଠି ଶିଶୁଟିଏ ବଢି ଭଲ ନାଗରିକଟିଏ ହେବା ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା,କ୍ରୀଡା, ନୃତ୍ୟ ଗୀତ ଆଦି ସମସ୍ତ ସୁବିଧା ରହିଛି । 

ନର୍ସ ଘଷି ମାଜି ଧୋଇ ଦେଲେ ଛୁଆଟିକୁ ଓ ନାହିରେ ଡ୍ରପ ପକେଇଲେ । ଚାମୁଚରେ ପାଟିକୁ ଦେଲେ କେଇବୁନ୍ଦା ସଦ୍ୟଜାତ ଶିଶୁ ଖାଦ୍ୟ । ଓଠ ଚୁଚୁମିଲା ଛୁଆଟି । ଘୋଷଣା କଲେ ଡକ୍ଟର ପିଲାଟି ବଞ୍ଚିଛି । ଅତ୍ୟଧିକ ଥଣ୍ଡାରୁ ନିସ୍ତେଜ ହୋଇ ଯାଇଛି । ସକାଳ ସୁଦ୍ଧା ଠିକ୍ ହୋଇଯିବ । ଓଃ ମୋତେ ଟିକେ ଆଶ୍ୱସ୍ତ ଲାଗିଲା । ବଡ଼ ମାଛ କଣ୍ଟା ଲାଗିଲା ପରି ମୋ ଅବସ୍ଥା ଥିଲା । ଏଇ ଫିଙ୍ଗା ଶିଶୁ ମାନେ ଅମର ଲଡୁ ଖାଇ ଆସିଥାନ୍ତି ବୋଧହୁଏ । ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ଯଦି ଜନ୍ମ ପରେ ଉଦ୍ଧାର ହୋଇଗଲେ ତ ଆଉ ମରିବା ନାଆଁ ଧରନ୍ତିନି ଯେପରି । 

ନିହାରିକା ଦୋଳି ସଜେଇ ଦେଲା ନୂଆ ଅତିଥିଟି ପାଇଁ । ଜଣେ ଆୟାକୁ ଦାୟିତ୍ୱ ଦିଆ ଗଲା ଛୁଆଟିକୁ ଜଗିବାକୁ । ଅନ୍ୟ ପିଲାମାନେ ସେମାନଙ୍କ ଝରକା ଫାଙ୍କରେ ଦେଖୁଥିଲେ ତାଙ୍କ ନୂଆ ସାଙ୍ଗକୁ । ସମସ୍ତଙ୍କ ମୁହଁରେ ଖୁସିର ଝଲକ । 

ସେଇ ପିଲାଟି ଆଜିର ନିଷ୍ଠା । ଦୁଇ ପୁରି ଏଇ ମାତ୍ର ତିନି ଚାଲୁଛି । ଏତେ ସୁନ୍ଦର ଏତେ ଡଉଲ ଡାଉଲ ନିଷ୍ଠା । ସବୁଠୁ ସୁନ୍ଦର ତାର ଆଖି ପୁରା ଅକାଶୀ 

ରଙ୍ଗ । ଚମ୍ପା ଫୁଲିଆ ଦେହ । ଗୋଟେ ଗୋଟେ ଶବ୍ଦ କହି ଶିଖିଲାଣି । ସ୍ୱର୍ଗର ଠିକଣାରେ ଦୁଇଶହ ଦୁଇ ପିଲା ଓ ଚାଳିଶି ଜଣ କର୍ମଚାରୀଙ୍କର ଗେହ୍ଲୀ ନିଷ୍ଠା । ଥାକୁଲ୍ ଥୁକୁଲ୍ ଚାଲି ସାଙ୍ଗକୁ ଚମତ୍କାର ନାଲିଆ ଓଠର ହସ । ହସିଲେ ଗାଲ ଭିତରେ ଦିଟା ଭଉଁରୀ । ସୋ କେସର ବାର୍ବୀ କଣ୍ଢେଇଟିଏ ପରି ନିଷ୍ଠା । ମୋର ଅତି ପ୍ରିୟତମ । ଘଣ୍ଟା ଘଣ୍ଟା ତା ସହ ଖେଳିବାରେ, ଛୁଆ ହୋଇଯିବାରେ ମୋତେ ମହଣ ମହଣ ଆନନ୍ଦ ମିଲୁଥିଲା । 

ସେଇ କଥା କୁହା ରକ୍ତ ମାଂସର ଗୁଡ଼ିଆ ରାଣୀ ନିଷ୍ଠାକୁ ନୀତି ନିୟମ ଅନୁଯାୟୀ ମିଷ୍ଟର ଓ ମିସେସ୍ ମହାନ୍ତି,ଜଣେ ଅତି ଥିଲାଵାଲା ବ୍ୟକ୍ତି ଗ୍ରହଣ କରିଛନ୍ତି । ମିଷ୍ଟର ମହାନ୍ତି ନିଷ୍ଠାକୁ କୋଳରେ ଧରିଲେ କେହି କହିବେନି ନିଷ୍ଠା ତାଙ୍କ ଜନ୍ମିତ ଝିଅ ନୁହେଁ ବୋଲି । 


ନିଷ୍ଠା ଆସିବାର ଚାରିଦିନ ପରେ ମିଷ୍ଟର ମହାନ୍ତି ସ୍ୱର୍ଗର ଠିକଣାକୁ ଆସି ପାଞ୍ଚ ଲକ୍ଷ ଟଙ୍କା ଡୋନେସନ୍ ଦେଇଥିଲେ । ପ୍ରତି ମାସରେ ଥରେ ଭିଜିଟ୍ କରି ଆସୁଥିଲେ । ନିଷ୍ଠା ଦୋଳି ପାଖେ ଟିକେ ଅଟକୁଥିଲେ । ତା ଗାଲ ଛୁଉଁଥିଲେ । 

ଦୁଇ ବର୍ଷ ପରେ ସେଇ ମିଷ୍ଟର ମହାନ୍ତି ନିଷ୍ଠାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଟିକେ କେମିତି ଲାଗୁନି, ନାଇଁ ?



Rate this content
Log in

Similar oriya story from Tragedy