ନିର୍ବାସିତ
ନିର୍ବାସିତ


ଏଇ କେତେଦିନ ହେଲା, ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ଅନିମେଶ ବାବୁ। ଅବସର ପରେ ପ୍ରତିଟି ଦିନ କାଟିବା କଷ୍ଟକର ହୋଇପଡୁଥିଲା ତାଙ୍କ ପାଇଁ। ଝିଅ ରୂପାଲୀ, କର୍ନେଲଙ୍କ ଧର୍ମ ପତ୍ନୀ। କାଁ ଭାଁ କେତେବେଳେ ବର୍ଷକୁ ଥରେ ଥରେ ଆସନ୍ତି। ପୁଅ ଆମେରିକାରେ। ପ୍ରାୟ ଆସେନି, ସୁତରାଂ, ପତ୍ନୀ ଯିବାପରେ ସମ୍ପୂର୍ଣ୍ଣ ଏକୁଟିଆ ଲାଗେ ପୃଥିବୀଟା।
ବାଲ୍ୟବନ୍ଧୁ ରାଘବେନ୍ଦ୍ର ପନ୍ଦର ଦିନ ହେଲା ପାର୍କ ଆଡେ ଆସୁ ନାହାନ୍ତି। ଅନିମେଶ୍ ବାବୁ ବେଶୀ ବିଚଳିତ ସେଇଥି ପାଇଁ। ଚଷମା କାଢି, ଆଖିମେଲା କରି ଅନାନ୍ତି ରାଘବେନ୍ଦ୍ରଙ୍କ ବାଲକୋନୀ ଆଡେ। ଦୁଇଶହ ମିଟର ଦୂରରେ ରାଘବେନ୍ଦ୍ରଙ୍କ ଘର, ଠିକ୍ ଭାବେ ଜାଣି ପାରନ୍ତିନି ସେ ଅଛନ୍ତି କି ନାହିଁ ! ଦିନେ ପାର୍କରୁ ବୁଲା ବୁଲି ସାରି ସିଧା ଚାଲିଲେ ରାଘବେନ୍ଦ୍ରଙ୍କ ଘରକୁ। ଆଉ ଗୋଟାଏ ପରିବାର ରହୁଛନ୍ତି ତାଙ୍କ ଘରେ। ସାହସ କରି ପଚାରିଲେ ସେମାନଙ୍କୁ, ରାଘବେନ୍ଦ୍ର !! "ଆମେ ଭଡାରେ ରହୁଛୁ, ଏଇ ପାଞ୍ଚ ଦିନ ହେଲା ଆସିଛୁ ଏଠାକୁ। କେବଳ ଏତିକି ଆମେ ଜାଣିଛୁ ଯେ ରାଘବେନ୍ଦ୍ର ବାବୁ, ପୁଅ ସାଥିରେ ଆମେରିକା ଚାଲି ଯାଇଛନ୍ତି। ସ୍ଥାୟୀ ବାସିନ୍ଦା ହୋଇ ବୋଧହୁଏ ରହିଯିବେ ସେଠାରେ।"
କଥାଟି କାହିଁକି ମନକୁ ପାଇଲାନି, ଆଖ ପାଖ ପଡିଶା ଘରେ ପଚାରିଲେ, ସେଇ ସମାନ କଥା। "ସେ ଆମେରିକା ଚାଲି ଯାଇଛନ୍ତି।" ସେ କେବେ ଆମେରିକା ଯିବନି ! ଯାଇଥିଲେ ମୋତେ କଣ କହି ନ ଥାଆନ୍ତା। ଜଣେ ଭଦ୍ର ମହିଳା ଅନିମେଶଙ୍କ କାନ ପାଖରେ କହିଲା, "କାହାକୁ କହିବେନି ଆଜ୍ଞା ମୁଁ କହିଛି ବୋଲି, ସାଇ ପଡିଶା ଲୋକଙ୍କ ନିନ୍ଦା ଅପବାଦରୁ ବଂଚିବା ପାଇଁ ତାଙ୍କ ପୁଅ ବାପାଙ୍କୁ ଆମେରିକା ନେଇ ଯାଉଛି ବୋଲି ମିଛ କହିଛି। ଏଆରପୋର୍ଟ ଯିବା ରାସ୍ତାରେ ସେମାନେ ବୁଝାଇ ସୁଝାଇ ମିର୍ଜାପୁର ବୃଦ୍ଧାଶ୍ରମରେ ଛାଡି ଯାଇଛନ୍ତି ବାପାଙ୍କୁ। ପୁଅ ବୋଧ ହୁଏ ଆମେରିକାରୁ ଆଉ ଫେରିବନି, ଏଇଠି ବାପାଙ୍କ କଥା କିଏ ବୁଝିବ ?"
ମୁକ୍ତ ବିହଙ୍ଗଟି ଅଜଣା କେଉଁ ଗୋଟାଏ ପଞ୍ଜୁରୀ ଭିତରେ ବାନ୍ଧି ହୋଇଗଲା, ଭାବି ଭାବି ଆଖି ମଳେଇ ହେଲେ ଅନିମେଶ। ହୃଦୟରେ କାଳ ବୈଶାଖୀର ଭୟଙ୍କର ବିର୍ତ୍ତାପ, ମନ ଭିତରେ ସୁପ୍ତ ଆଗ୍ନେୟଗିରିର ବିସ୍ଫୋରଣ ଜନିତ ଅହେତୁକ ଭୟ ଅନୀମେଶଙ୍କୁ ଆନ୍ଦୋଳିତ କଲା।
ନା, ମୁଁ ଯାଇ ରାଘବେନ୍ଦ୍ରଙ୍କୁ ନେଇ ଆସିବି। ଆମେ ଦୁଇ ଜଣ ପରସ୍ପରକୁ ସାହାରା କରି କଣ ବଂଚି ପାରିବାନି !
ଆରମ୍ଭ ହେଲା ସଂଗ୍ରାମ ଅନିମେଶଙ୍କର। ରାଘବେନ୍ଦ୍ରକୁ ବୃଦ୍ଧାଶ୍ରମରୁ ମୁକୁଳେଇବାକୁ ହିଁ ହେବ।
ଭାଗ୍ୟ ସାଥି ଦେଲା, ଲୋକାଲ ଗାରଜିଆନ ହିସାବରେ ସେମାନେ ଅନିମେଶଙ୍କ ଫୋନ ନମ୍ବର ଦେଇଥିବାରୁ, ଅଶାର କିରଣଟିଏ ବିଛୁରିତ ହେଲା ରାଘବେନ୍ଦ୍ରଙ୍କୁ ମୁକ୍ତ ବିହଙ୍ଗର ଆନନ୍ଦ ଦେବା ପାଇଁ।
ବୃଦ୍ଧାଆଶ୍ରମର ନିୟମାନୁଯାୟୀ ଲୋକାଲ ଗାରଜିଆନ ରାଘବେନ୍ଦ୍ରକୁ ନିଜ ପାଖରେ ରଖି ପାରିବେ। ଆଧାର କାର୍ଡ କପିଟିଏ ଜମା କରି ଆସିଲେ ଅନିମେଶ।
ନିର୍ଦ୍ଦେଶ ଅନୁସାରେ ସାତଦିନ ପରେ ପୁଣି ଆସି ପହଁଚିଲେ ଅନିମେଶ। ଆଜାଦ କରି ନେଇ ଯିବେ ନିଜ ବାଲ୍ୟ ବନ୍ଧୁଙ୍କୁ। ବୃଦ୍ଧାଶ୍ରମର ମ୍ୟାନେଜମେଣ୍ଟ ଗୋଟାଏ ଅଣ୍ଡରଟେକିଂ କାଗଜଟିଏ ଧରାଇଦେଲେ ଅନିମେଶଙ୍କୁ
"ମୁଁ ମୃତ୍ୟୁ ପର୍ଯ୍ୟନ୍ତ ରାଘବେନ୍ଦ୍ରଙ୍କ ସମସ୍ତ ଖର୍ଚ୍ଚ ସ୍ବଇଛାରେ ବହନ କରିବି, ମୋ ପାଖରେ ଥିବାବେଳେ ଯଦି ତାଙ୍କର ମୃତ୍ୟୁ ହୁଏ, ଶ୍ମଶାନ ଖର୍ଚ୍ଚ ଠୁ ଆରମ୍ଭ କରି ଦଶାହ ପର୍ଯ୍ୟନ୍ତ ସମସ୍ତ ଦାୟୀତ୍ୱ ମୋ ଉପରେ। ଆମେରିକାରେ ଥିବା ପରିବାର ବର୍ଗଙ୍କୁ ମଝିରେ ମଝିରେ ତାଙ୍କ ଅବସ୍ଥା ବାବଦରେ ଅବଗତ କରାଇବି। ଯଦି ଅସମ୍ଭାଳ ହୁଏ, ମୁଁ ତାଙ୍କୁ ଉକ୍ତ ବୃଦ୍ଧାଶ୍ରମରେ ଆଉଥରେ ଛାଡ଼ିଦେଇଯିବି।"
ଅନିମେଶ ପଢିଲେ, ଶେଷ ଧାଡିକୁ କାଟିଦେଇ ଲେଖିଲେ" ଯଦି ଅସମ୍ଭାଳ ବି ହୁଏ, ତଥାପି ମୁଁ ଆଉଥରେ ତାଙ୍କୁ ବୃଦ୍ଧାଆଶ୍ରମରେ ଛାଡ଼ିବି ନାହିଁ" କହିଲେ " ଗୋଟାଏ ଜୀବନ୍ତ ମଣିଷର ଶେଷ ଠିକଣା ବୃଦ୍ଧାଶ୍ରମ ନୁହେଁ"
ଦସ୍ତଖତ କରି ହାତ ଧରି ନେଇ ଆସିଲେ ରାଘବେନ୍ଦ୍ରଙ୍କୁ ନିଜଘରକୁ।ନିର୍ବାସିତର ବିଳାପ କୁ ଅତି ପାଖରୁ ଦେଖିଛନ୍ତି ଅନିମେଶ ଯେଉଁଦିନ ପ୍ରଥମ ଥର ଭେଟିଥିଲେ ରାଘବେନ୍ଦ୍ରକୁ ସେଇ ଅସହିଷ୍ଣୁତାର ପଞ୍ଜୁରୀ ଭିତରେ।
ଜୀବନର ଦର୍ଶନଶାସ୍ତ୍ରକୁ ତର୍ଜମା କରନ୍ତି, ଦୁଇ ଭଦ୍ରବ୍ୟକ୍ତି। ଚା'ରେ ଚର୍ଚ୍ଚା ହୁଏ ମୌଳିକ ଅଧିକାର ବିହୀନ ବୟୋଜ୍ୟେଷ୍ଠ ଲୋକମାନଙ୍କର ଦହନୀୟ ଘଟଣାବଳୀ।
ଜାଣିଛ ଅନିମେଶ ! ମୋ ପୁଅ ପ୍ରଥମ ଶ୍ରେଣୀରେ ଗାଁ ଚାଟଶାଳୀରେ ପଢୁଥିଲା। ପ୍ରତିଦିନ ତାକୁ କାନ୍ଧରେ ବସାଇ ଘରକୁ ଆଣିବାର ଦାୟୀତ୍ୱ ମୋ ଉପରେ ନ୍ୟସ୍ତ ଥିଲା । ଅନ୍ଧାର ରାସ୍ତା, ସାପ ବିଛାର ଭୟ। ଦିନେ କାନ୍ଧରେ ଥାଇ ଜିଦ କଲା, ବାପା ! ଗପଟିଏ କୁହ। "ନିର୍ବାସିତର ବିଳାପ" ଗପଟି ମନକୁ ଆସିଲା, କହିଲି। ମୁଁ ତା ପିଠି ଥାପୁଡ଼େଇଲି, ଯେତେବେଳେ ଦେଖିଲି ତା ଲୁହ ଆସି କେତେବେଳୁ ମୋ ପାଦ ସ୍ପର୍ଶ କରିସାରିଛି...
ଏଣେ ଅନିମେଶଙ୍କ ଆଖିର ଲୁହ ଦେଖି ବିଚଳିତ ହୋଇଉଠିଲେ ରାଘବେନ୍ଦ୍ର,କାହିଁକି କାନ୍ଦୁଛ ! ତମେ କଣ ଛୋଟ ପିଲା, ଚାଲ ଭାତ ଗାଳିବା, ଭୋକ ହେଲାନି। ଛୋଟବେଳେ ବାପାଙ୍କ କାନ୍ଧରେ ବସୁଥିବା ବାଳକଟିର କାନ୍ଧରେ ବାପାଙ୍କ ପାଇଁ ଜାଗାଟିଏ ନାହିଁ ପରିଣତ ବୟସରେ । ସେଇଥିପାଇଁ ହୁଏତ ଅନିମେଶଙ୍କ ଆଖି ଭିଜି ଯାଇଥିଲା । ବାପା ମାଆଙ୍କୁ ବୃଦ୍ଧ ବୟସରେ ଏ ନିର୍ବାସନ ଦଣ୍ଡ, ଅସହାୟତା ନା ପ୍ରବଳ ଇଛା ଶକ୍ତି ର ଅଭାବ ଜନିତ କୁଫଳାଫଳ। ଅନିମେଶ ଭାବପୂର୍ଣ୍ଣ ହୋଇଉଠିଲେ କିଛି କ୍ଷଣ ପାଇଁ।ସମୟ ଗଡି ଚାଲିଥାଏ ....ନା ପ୍ରତୀକ୍ଷା...ନା ଅପେକ୍ଷା !!
ଜୀବନ ଏବେ ନୂଆ ରଙ୍ଗ ବିଛେଇଦେଇଛି ସେମାନଙ୍କ ଚଲାପଥରେ।ଅନିମେଶ ପରିବା କାଟନ୍ତି,ରାଘବେନ୍ଦ୍ର ରୋଷେଇ କରନ୍ତି।ଅନିମେଶ କପଡା ଧୁଅନ୍ତି, ରାଘବେନ୍ଦ୍ର ଛାତ ଉପରେ ଶୁଖାଇ ଆସନ୍ତି। ଅନିମେଶ ଚା ବନାନ୍ତି, ରାଘବେନ୍ଦ୍ର ଟି-ପୟ ଉପରେ ବିସ୍କୁଟ ସଜାଇ ରଖନ୍ତି, ଏମିତି ଗୋଟାଏ ସମ୍ପର୍କର ବୁଝାମଣା ଆରମ୍ଭହୁଏ। ସେମାନଙ୍କ ଜୀବନର ଶେଷ ଅଧ୍ୟାୟ ବନି ଯାଇଛି ଗୋଟାଏ ପ୍ରୟୋଗଶାଳା, ଯେଉଁଠି ପ୍ରତି ମୁହୂର୍ତ୍ତରେ ସମ୍ପର୍କର ମଜବୁତ କାନ୍ଥକୁ ନେଇ ଗୋଟାଏ ବିଶାଳ ଅନୁଭବ ମୁଣ୍ଡ ଟେକୁଛି ନିଜର ଅସ୍ତିତ୍ବ ପାଇଁ।
ଦିନେ ଅତ୍ୟଧିକ ଅବଶ ହୋଇ ଅନିମେଶ ଟିକିଏ ଆଗରୁ ଶୋଇଗଲେ, ରାଘବେନ୍ଦ୍ରକୁ କିଛି ବାକି ବାକି ଲାଗୁଥିଲା, ହଠାତ ଅନିମେଶଙ୍କ କାନ ଟାଣି ଉଠାଇ କହିଲେ,ପ୍ରେସର ମେଡ଼ିସିନଟା ଖାଅ my Dear, ରାତିରେ ପ୍ରେସର ବଢିବ, ପୁଣି କାଲି ଭଳି ବାଉଳେଇ ହେବ।
ଗୋଟାଏ ଚପଳମତି ବାଳକର ହସଟିଏ ଉଦ୍ଭାସିତ ହୋଇଉଠୁଥିଲା ଅନିମେଶଙ୍କ ମୁଖମଣ୍ଡଳରେ। ଚୁପ ଚାପ ଔଷଧ ଖାଇ ଶୋଇଗଲେ।ଦିନ କଟିଯାଉଥିଲା, ଜଣା ବି ପଡୁ ନ ଥିଲା ସେମାନଙ୍କୁ....
ଭାଗ୍ୟର ବିଡମ୍ବନା, ଆଖି ଆଗର ନିଜ ଘର ବି ନିଜ ଘର ନୁହଁ !!! ଭଡାଟିଆ ତାଙ୍କ ବାଲକୋନି କାଁଥରେ ଲୁହା କଣ୍ଟା ମାରି ଚାଲିଥିଲା ଅତି ନିର୍ଦୟ ଭାବରେ, ରାଘବେନ୍ଦ୍ରଙ୍କ ଛାତି ଫାଟି ଯାଉଥାଏ। ନା କହିବାର କିଛି ଅଧିକାର ଅଛି, ନା ତାଙ୍କୁ କିଏ ଚିହ୍ନିବ ତାଙ୍କ ଘରେ।
ଅନ୍ଧ, ମୂକ, ବଧିର ହୋଇ ଜୀବନର ଅବଶିଷ୍ଟ ରାସ୍ତାକୁ ଅତିକ୍ରମ କରିବାକୁ ପଡିବ ଅତି କଷ୍ଟରେ, ଯେତେବେଳେ ନିଜର କିଛି ସମ୍ପର୍କ, ସ୍ନେହ, ମମତା ସାତ ଦରିଆ ପାରି ହୋଇ ଦୂର ଦିଗବଳୟ ପଛ ପଟେ ଲୁଚି ଯାଇଥିଲେ ସବୁ ଦିନ ପାଇଁ ,
-ଆସ ରାଘବେନ୍ଦ୍ର, ଚା ଥଣ୍ଡା ହୋଇଯିବ !
ମୁରୁକି ହସଟିଏ ଦେଇ ସାଙ୍ଗ ପାଖକୁ ଧାଇଁ ଗଲେ ରାଘବେନ୍ଦ୍ର ବାବୁ, ଲାଗୁଥିଲା ଯେମିତି ସବୁ ସମ୍ପର୍କ ମରିନାହାନ୍ତି ତାଙ୍କ ପାଇଁ, କିଛି ଅନ୍ତରଙ୍ଗ ସମ୍ପର୍କକୁ ଅନୁଭବ କରୁଥିଲେ ସେ ଅତି ନିକଟତମ ଦୂରତାରୁ...