T.Durga Prasad Rao

Tragedy

5.0  

T.Durga Prasad Rao

Tragedy

ନିଦାଘର ଆକର୍ଷଣ

ନିଦାଘର ଆକର୍ଷଣ

7 mins
221




ଛକ ପାଖ ବୁଲାଣିରୁ ହିଁ ଆମେ ଦେଖି ପାରିଲୁ ଶତଦଳ ବସ୍ ଛାଡ଼ିବା ଉପରେ। ପାଣି ବୋତଲ, ଗାମୁଛା ଆଦି ଥିବା ଛୋଟ ବ୍ୟାଗ୍.ଟିଏ ମୁଁ ହାତରେ ଧରିଥାଏ। ମାମୁଁ ଧରିଥାନ୍ତି ଆଉ ଏକ ବ୍ୟାଗ୍ ଯେଉଁଥିରେ ଥାଏ ଲୁଗାପଟା ସାଙ୍ଗରେ ମୋର କିଛି ବହି ଆଉ ଖେଳ ସରଞ୍ଜାମ। ବସ୍.ର ହେଲ୍ପର୍ ଗାଡ଼ି ଗତିଶୀଳ ହେବାକୁ ହୁଇସିଲ୍ ମାରି ସାରିଥାଏ। ମାମୁଁ ଅତ୍ୟନ୍ତ ବ୍ୟସ୍ତତା ସହକାରେ ରହ ରହ କହି ମୋ ହାତଟାକୁ ଧରି ଦୌଡ଼ିବା ଆରମ୍ଭ କଲେ। ମୁଁ ମଧ୍ୟ ଦୌଡ଼ିଲି ମାମୁଁଙ୍କ ସାଙ୍ଗରେ ତାଳ ଦେଇ। ଆମେ ଉଠି ସାରିବା ପରେ ନିଜ ନିୟନ୍ତ୍ରଣ ଠାରୁ ଅଧିକ ଯାତ୍ରୀଙ୍କୁ ଏକାଠି ନେଇ ବସ୍ ଏକ ବିକଟ ଶବ୍ଦ କରି ମେଞ୍ଚାଏ ଧୂଆଁ ବାୟୁମଣ୍ଡଳକୁ ଛାଡ଼ି ଆଗକୁ ବଢ଼ିଲା। ଦୁହେଁ ବସ୍ ଭିତରେ ପଶି ଚିପି ହୋଇଗଲୁ।

ଆମ ଗାଁରୁ ମାମୁଁଙ୍କ ଗାଁ ପାଖାପାଖି କୋଡ଼ିଏ ବାଇଶି କିଲୋମିଟର ହେବ। ଦୁଇ ଗାଁକୁ ଚଳାଚଳର ମାଧ୍ୟମ ଥିଲା ଏକମାତ୍ର ବସ୍ ଶତଦଳ, ଯାହା ଆମ ଗାଁରୁ ସକାଳୁ ବାହାରି ମାମୁଁଘର ଗାଁ ଦେଇ ପୁରୁଷୋତ୍ତମପୁର ଯାଏ। ମାମୁଁଘର ଯିବାର ଉତ୍କଣ୍ଠାରେ ମୁଁ ରାତି ନ ପାହୁଣୁ ଉଠି ନିତ୍ୟକର୍ମ ସାରି ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧି ଅପେକ୍ଷା କରିଥାଏ ମାମୁଁଙ୍କ ପ୍ରସ୍ତୁତିକୁ ଅନେଇ। ମୋର ଆଗ୍ରହ ଆଉ ଉତ୍କଣ୍ଠାରେ ମାମୁଁ ହସି ଦିଅନ୍ତି। ବସ୍ ଡେରି ଅଛି କହି ଆଉ ଟିକେ ଶୋଇ ପଡ଼ିବାକୁ ଈଶାରା କରନ୍ତି। ହେଲେ ମାମୁଁଘର ଯିବା ନିଶାରେ ମୋତେ ତ ରାତିସାରା ନିଦ ନ ଥାଏ, ଶୋଇବି କଣ?

ସବୁ ପିଲାଙ୍କ ପାଇଁ ମାମୁଁଘର ବା ଅଜାଘର ଏକ ଖାସ୍ ଆକର୍ଷଣ। ନିଜ ଘରେ ଥିବା ବାପାମାଆଙ୍କ ଆକଟ ମାମୁଁ ଘରେ ନ ଥାଏ। ଅଜା ଆଈଙ୍କ ପାକୁଆ ହସ ଭିତରେ ନିଜ ନାତି ପାଇଁ ଲୁଚି ରହିଥିବା ସ୍ନେହ ସରାଗର ପେଢ଼ିଟି ଅସରନ୍ତି ମନେ ହୁଏ। ସଞ୍ଜରେ ପୁଣି ମଜା ମଜା ଗପ ସାଙ୍ଗକୁ ଅଙ୍ଗେ ନିଭେଇଥିବା ଅନୁଭୁତିରୁ କିଛି ବାଢ଼ି ବସନ୍ତି ଆଈ। କୁହୁକ ଦୀପର କାହାଣୀ, ବୁଢ଼ୀ ଅସୁରୁଣୀ କଥା, ମାଲୁଣୀ ବୁଢ଼ୀ ଓ ରାଜାପୁଅ କଥା। ଗପ ଚାଲିଥାଏ, ମାଇଁ ଛାଣନ୍ତି ଗରମା ଗରମ ପକୁଡ଼ି। ପକୁଡ଼ି ବାସ୍ନାରେ ଆଈଙ୍କ ପାଟି କିଛି ସମୟ ପାଇଁ ଗପ କହିବାରୁ ବିରତି ନେଇଯାଏ। ଦରଖିଆ ପାନଟିକୁ ବାହାରେ ଫୋପାଡ଼ି ଦେଇ ଆସି ତାଙ୍କ ପାକୁଆ ପାଟିରେ ଲାଳୁଆ ଜିଭଟାକୁ ଥରେ ବୁଲେଇ ଆଣି କହନ୍ତି ବାକିତକ ପକୁଡ଼ି ଖାଇ ସାରିଲା ପରେ।

ମାମୁଁଘରେ ମୋର ଆଉ ଏକ ଖାସ୍ ଆକର୍ଷଣ ଥିଲା, ତାଙ୍କ ଗାଁର ଚିରସ୍ରୋତା ନଈ ଋଷିକୂଲ୍ୟା। ନିଦାଘର ଜ୍ୱାଳାରେ ଆଖପାଖ ଗାଁର ଅଧିକାଂଶ କୂଅ, ପୋଖରୀ, ଝରଣା ଶୁଖି ଜଳଶୂନ୍ୟ ହୋଇ ଯାଉଥିଲେ ମଧ୍ୟ ମାମୁଁଘର ଗାଁରେ ଋଷିକୂଲ୍ୟା ନଈ ସବୁବେଳେ ପୂର୍ଣ୍ଣଗର୍ଭା। ତାର ଏକ କାରଣ ହେଉଛି ପାହାଡ଼କୁ ଦୁଇଭାଗ କରି ବହି ଯାଇଥିବା ନଈ ପାଣି ସେଇ ଜାଗାରେ ସୃଷ୍ଟି କରିଛି ଗଣ୍ଡଟିଏ। ଯହିଁରେ ଥାଏ ଅକାତ କାତ ପାଣି। ଗଣ୍ଡତୁଠରେ ପିଲାମାନଙ୍କୁ ଗାଧୋଇବା ମନା। ମାମୁଁଙ୍କର ଖାସ୍ ତାଗିଦ୍ ଥାଏ ମୋ ପାଇଁ। ତା ଠାରୁ ଟିକିଏ ଦୂରରେ ଆଉ ଏକ ତୁଠରେ ଆମେ ପିଲାମାନେ ଜଳକ୍ରୀଡ଼ା କରୁ। ସେଇଠି ନଈଟି ଟିକିଏ ଓସାରିଆ, ପାଖାପାଖି ଦୁଇଶହ ମିଟରରୁ ଅଧିକ ହେବ ତାର ଚଉଡ଼ା। ଆମେ କହିଲେ, ମାମୁଁ ଘରକୁ ପ୍ରତି ଖରାଛୁଟିରେ ଯାଆ ଆସ କରି ମୁଁ ତିଆରି କରି ସାରିଥାଏ ଅନେକ ସାଙ୍ଗ। ତା ଭିତରୁ ଲିଟୁ, ମୁନା, ବାଙ୍କିଆ (ବାଙ୍କନିଧି) ମୋର ଘନିଷ୍ଠ। କେହି ଆସୁ ନ ଆସୁ ଡାକିଲା ମାତ୍ରେ ଏ ତିନି ଜଣ ମୋ ସାଙ୍ଗରେ ସର୍ବତ୍ର ବୁଲିବାକୁ ପ୍ରସ୍ତୁତ। ସକାଳୁ ସକାଳୁ କଣ ଗଣ୍ଡେ ଖାଇ ଦେଇ ଆରମ୍ଭ ହୋଇଯାଏ ଆମର ଖେଳ। ବିଭିନ୍ନ ପ୍ରକାର ଖେଳ। ଏଇ ଯେମିତି କି ବାଟି ଖେଳ, ନଟୁ ଖେଳ, ପିଲିବାଡ଼ି ଖେଳ, ବୋହୁଚୋରୀ ଇତ୍ୟାଦି ଇତ୍ୟାଦି। ଖେଳ ସରିଲା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସି ସାରିଥାଏ। ଖେଳ ସରଞ୍ଜାମ ସବୁ ଯେ ଯାହାର ବାରଣ୍ଡାକୁ ଫୋପାଡ଼ି ଦେଇ ଗାମୁଛା ଖଣ୍ଡେ ଖଣ୍ଡେ ଧରି ଆମେ ଦଉଡ଼ୁ ନଈତୁଠକୁ। ଆମ ଖେଳାଖେଳିରେ ଘରର ସଦସ୍ୟମାନଙ୍କର ଯେ ଆକଟ ନ ଥାଏ ସେକଥା ନୁହେଁ, ତେବେ ସ୍କୁଲ୍ ଛୁଟି ଯୋଗୁଁ ଆକଟ କଡ଼ା କଡ଼ି ଲାଗୁ ହୁଏ ନାହିଁ। ଆଉ ମୋ କଥା ତ ଅନ୍ୟମାନଙ୍କ ଠାରୁ ଭିନ୍ନ। ମୋର ମନ ଦୁଃଖ ହେବ ବୋଲି ଜୋର୍ କରି କିଛି କହନ୍ତି ନାହିଁ ମାମୁଁ କି ଅଜା। ତାପରେ, କହିଲେ ବି କିଏ ସେକଥାକୁ ଭୃକ୍ଷେପ କରେ ଯେ? ଅବଶ୍ୟ ନିଜ ଘରର କଥା ଅଲଗା। ବାପାଙ୍କ ସମ୍ବିଧାନରେ ଦେଶର ସମ୍ବିଧାନଠାରୁ ବଳି ଅଧିକ ନିୟମ।

 ନିଦାଘର ରୌଦ୍ରତାପରେ ଖେଳାଖେଳି ସାରି ପରସ୍ତେ ପରସ୍ତେ ସ୍ୱେଦ ନିର୍ଗତ ପରେ ଚାରିସାଙ୍ଗ ଯେତେବେଳେ ନଈପାଣିରେ ପଶିଯାଉ ତୃଷାର୍ତ୍ତ ଚର୍ମ ଆମର ଚଁ ଚଁ କରି ଶୋଷି ନିଏ ଋଷିକୂଲ୍ୟା ନଈର ଅମୃତ ସମ ନୀଳ ଜଳରାଶିରୁ କିଛି କିଛି ଦେହ ଭିତରକୁ। ଆଃ, ପରମ ପ୍ରଶାନ୍ତିରେ ବେକ ପର୍ଯ୍ୟନ୍ତ ନିଜକୁ ବୁଡ଼ାଇ ଦେଇ କିଛି ସମୟ ସେଇ ଶୀତଳତାକୁ ମନଭରି ଉପଭୋଗ କରୁ। ତାପରେ ଆରମ୍ଭ ହୋଇଯାଏ ଆମର ପ୍ରତିଯୋଗିତା। ତୁଠ ଠାରୁ କିଛି ଦୂରରେ ନଈପାଣିକୁ ସମାନ୍ତରାଳ ଭାବରେ ଲମ୍ବି ଆସିଥିବା ଏକ ଉଚ୍ଚା ଚାଞ୍ଚଡ଼ା ପଥର ଉପରୁ କୁଦା ମାରି ନଈ ଭିତରକୁ କିଏ କେତେ ଦୂର ପହଞ୍ଚିଲା ତାରି ପ୍ରତିଯୋଗିତା। ପ୍ରତ୍ୟେକେ ଦଶ ଦଶ ଥର କୁଦା ମାରି ସାରିଲା ପରେ ନିଜ ନିଜ ଭିତରେ ପରାମର୍ଶ କରି ଜଣକୁ ବିଜେତା ଘୋଷଣା କରାଯାଏ। କାରଣ ସେ ଖେଳର ଆମେ ହିଁ ଖେଳାଳୀ, ଆମେ ହିଁ ଦର୍ଶକ, ଆମେ ହିଁ ବିଚାରକ। ତାପରେ ଚାଲେ ସନ୍ତରଣ ପ୍ରତିଯୋଗୀତା। ନଈର ପୁରା ପ୍ରସ୍ଥକୁ ଅର୍ଥାତ୍ ଏ କୂଳରୁ ସେ କୂଳକୁ କମ୍ ସମୟରେ ପାରି ହେବାର ପ୍ରତିଯୋଗୀତା। ଆମେ ତିନି ସାଙ୍ଗ ପହଁରି ପହଁରି ସେ କୂଳରେ ପହଞ୍ଚି ବାଙ୍କିଆକୁ ପାଣି ଭିତରେ ଖୋଜିଲା ବେଳକୁ ସେ ଆମ ପଛରୁ ଆସି ଆମ କାନ୍ଧ ଉପରେ ହାତ ରଖେ। କଥା କଣ କି, ବାଙ୍କିଆ ବେଶୀ ସମୟ ଶ୍ୱାସ ରୋକିପାରେ। ତେଣୁ ସେ ପାଣି ଭିତରେ ବୁଡ଼ି ବୁଡ଼ି କେତେ ଶୀଘ୍ର ଯେ ଆରପାରିରେ ପହଞ୍ଚି ଯାଇଥାଏ, ଆମେ ଜାଣିପାରୁନା। ଆମ ପ୍ରତିଯୋଗୀତାରେ ବାଙ୍କିଆ ସବୁବେଳେ ବିଜେତା। ସବୁଥିରେ ସେ ପାରଙ୍ଗମ ଅବଶ୍ୟ ପାଠକୁ ଛାଡ଼ି। ବେଳେ ବେଳେ ଭାରି ଈର୍ଷା ହୁଏ ତା ଉପରେ। ସେଇ ଈର୍ଷାରେ ଥରେ ଥରେ ଫେରିଲା ସମୟରେ ମୁଁ ପାଣି ଭିତରେ ଟାଣି ଦିଏ ତାର ଗାମୁଛା। ସେ ପହଁରି ପହଁରି ତ ପହଞ୍ଚେ ଏପାରିରେ, କିନ୍ତୁ ପାଣି ଉପରକୁ ଉଠି ପାରେ ନାହିଁ। ନେହୁରା ହୁଏ ମୋତେ ଗାମୁଛା ଫେରାଇ ଦେବା ଲାଗି। ମୁଁ ତାକୁ ଭିନ୍ନ ଭିନ୍ନ ଭଙ୍ଗୀ ଓ ଅଭିନୟରେ ନେହୁରା ହେବାକୁ କହେ। ସେ ପାଣି ଭିତରେ ଥାଇ କେତେବେଳେ ଗୋପୀଙ୍କ ପରି, କେତେବେଳେ ଦ୍ରୌପଦୀଙ୍କ ପରି ଅଭିନୟ କରି ଗାମୁଛା ମାଗେ। ମୁଁ ତା ଅଭିନୟରେ ସନ୍ତୁଷ୍ଟ ନ ହେବା ଯାଏଁ ଗୋଟିଏ ଗଛର ଶାଖାରେ ଚଢ଼ି ଗାମୁଛାଟିକୁ ଶାଖା ଉପରେ ଥୋଇ କୃଷ୍ଣଙ୍କ ପରି ଏ ଆଡ଼େ ସେ ଆଡ଼େ ଚାହିଁ ବଂଶୀ ବଜାଇବାର ଅଭିନୟ କରେ।

ବସ୍ ଆସି ଲାଗିଲା ମାମୁଁଘର ଗାଁରେ। ଧପ୍ ଧାପ୍ ହୋଇ ଓହ୍ଲାଇ ପଡ଼ିଲେ ଗେଟ୍.କୁ ଧରି ଠିଆ ହୋଇଥିବା କେତେକ ଯାତ୍ରୀ। ହେଲ୍ପର୍ ପାଟି କଲା, କାହାର ଓହ୍ଲାଇବାର ଅଛି, ଜଲ୍.ଦି ଆସ। ମୁଁ ଭାବନା ରାଜ୍ୟରୁ ଫେରି ଆସିଲି। ମାମୁଁ ଓ ମୁଁ ଯାତ୍ରୀମାନଙ୍କୁ ଠେଲି ଠେଲି ଗେଟ୍ ପାଖକୁ ଆସିଲୁ। ଆମ ଓହ୍ଲାଇ ସାରିବା ପରେ ଗେଟ୍.କୁ ଧରି ଠିଆ ହୋଇଥିବା ଯାତ୍ରୀମାନେ ପୁଣି ଥରେ ସର୍କସ୍ ଖେଳ ଦେଖାଇଲା ପରି ଖପ୍ ଖାପ୍ ଚଢ଼ିଗଲେ ବସ୍ ଉପରକୁ। ମେଞ୍ଚାଏ ଧୂଳି ଓ ଧୂଆଁ ଆମ ମୁହଁ ଉପରକୁ ଛାଡ଼ି ବସ୍ ହଲି ଦୋହଲି ଆଗକୁ ବଢ଼ିଲା।

ମାମୁଁ ଆଗରେ ଆଗରେ ଚାଲୁଥାନ୍ତି, ମୁଁ ଚାଲୁଥାଏ ପଛରେ। ଗାଁ ଭିତରେ ପଶୁ ପଶୁ ଦେଖା ହେଇଗଲା ଲିଟୁ। କହିଲା, ଏଣିକି ଜମିବ ଖେଳ। ମୋର ମାମୁଁ ପୁଅ ଭାଇ ମଧ୍ୟ କାଲି ଆସିଛି ଘରକୁ। ଖୁବ୍ ମଜା ହେବ। ମୁଁ ତାକୁ ଘଣ୍ଟାଏ ଛାଡ଼ି ଘର ଆଡ଼େ ଆସିବାକୁ କହିଦେଇ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲିଲି। ଘରେ ପହଞ୍ଚିଲା କ୍ଷଣି ଅଜା ତାଙ୍କ ବାଙ୍କୁଲି ବାଡ଼ିରେ ମୋ ପିଠିରେ ମୃଦୁ ପାହାରେ ବସାଇ ଦେଇ ପଚାରିଲେ, କିରେ ନାତିଆ, ପରୀକ୍ଷାରେ ଭଲ ଲେଖିଛୁ ତ? ମୁଁ ମୁଣ୍ଡ ଟୁଙ୍ଗାରି ଅଜାଙ୍କ ପାଦଛୁଇଁ ନମସ୍କାର ହେଲି। ଆଈ ତାଙ୍କ ପାକୁଆ ପାଟିର ଓଠ ମୋ ଗାଲରେ ଥାପି ଦେଇ କହିଲେ, କେଡ଼ୁଟେ ହେଇଗଲାଣି ମୋ ବଜୁ। ଏମିତି ପତଳା ହେଇ ଲମ୍ବା ହେଇ ଯାଉଛୁ ଯେ। ମୋ ଝିଅ ଖାଇବାକୁ ଦଉନି କିରେ? ମୁଁ ହସିଦେଲି।

- ଆଉ ଏକା ଆସିଲୁ, ମୋ ଝିଅକୁ ଆଣିଲୁନୁ?

- ତାଙ୍କର ପେପର୍ କରେକ୍ସନ୍ ଚାଲିଛି।

- ହଉ, ହଉ, ଘର ଭିତରକୁ ଯାଆ, ତୁ ଆସିବୁ ବୋଲି ମାଇଁ ତୋ ପାଇଁ ଚକୁଳି କରିଛି।

ମୁଁ ଖାଇ ସାରି ବାରଣ୍ଡାକୁ ଆସିବା ଭିତରେ ଲିଟୁ ତାର ପ୍ଳାଟୁନ୍ ଧରି ହାଜର। ମୁଁ ଘର ଭିତରେ ପଶି ଗାମୁଛାଟିଏ ଉଠାଇ ଆଣି ନଈକୁ ଯିବାକୁ ପ୍ରସ୍ତୁତ ହୋଇଗଲି। ମାମୁଁ ଘର ଭିତରୁ ପଚାରିଲେ, ଏବେ ତ ଆସିଲୁ, ସାଙ୍ଗେ ସାଙ୍ଗେ ପୁଣି କୁଆଡ଼େ? ମୁଁ ଏକରକମ ଦୌଡ଼ି ବାହାରକୁ ଆସୁ ଆସୁ କହିଲି, ଜଲ୍.ଦି ଫେରି ଆସିବି ମାମୁଁ। ଆମେ ପରସ୍ପର ପରସ୍ପରର କାନ୍ଧରେ ହାତ ରଖି ରାସ୍ତା ଅବରୋଧ କରି ଚାଲୁଥିଲୁ। ତୁଠରେ ପହଞ୍ଚି ପାଣି ଭିତରେ ବେକ ପର୍ଯ୍ୟନ୍ତ ବୁଡ଼ି ମୁଁ ସବୁ ସାଙ୍ଗ ଆଡ଼େ ଥରେ ଥରେ ଆଖି ପକାଇଲି। ଲିଟୁ, ସାନୁ, ମୁନା, ରୋହିତ... ଆରେ ବାଙ୍କିଆ କାହିଁ ଦେଖାଯାଉନିତ? ଲିଟୁ ଆଡ଼େ ଚାହିଁ ପଚାରିଲି, ତାକୁ ତୁ ଡାକିନୁ କି? ଲିଟୁ ନିରସ ମୁହଁରେ କହିଲା, ବାଙ୍କିଆ ମରିଗଲା। ମୁଁ ଆଶ୍ଚର୍ଯ୍ୟ ହୋଇ ତା ଆଡ଼େ ଚାହିଁ ପଚାରିଲି, ମରିଗଲା!!! କେମିତି? ଲିଟୁ ଡଗ ଡଗ ହୋଇ କହି ଚାଲିଲା।

ବର୍ଷାଦିନ। ନଈବଢ଼ି ହୋଇ ପାଣିର ସୁଅ ପ୍ରବଳ। ନଈ ଫୁଲି ପାଣି ରାସ୍ତା ଉପରେ ଚାଲୁଥାଏ। ତୁଠସବୁ ଚିହ୍ନ ବର୍ଣ୍ଣ ହରାଇ ଏକାକାର। ନଈପାଣିରେ କୂଳ ଖାଇ କେଉଁଠି ଢ଼ିପ, କେଉଁଠି ଖାଲ ବାରିବା ମୁସ୍କିଲ୍। ରାସ୍ତା ତଳକୁ ଓହ୍ଲେଇଲେ ସୁଅରେ ଭାସି ଯିବାର ଭୟ। ସେମିତିରେ ସମସ୍ତେ ମନା କରୁଥିବା ସତ୍ତ୍ୱେ ପଥରଟିଏ ଦେଖି ବାଙ୍କିଆ ଓହ୍ଲେଇଲା ରାସ୍ତା ତଳକୁ। ପଥର ଉପରେ ବସି ଗୋଧୋଇବ ବୋଲି। ପହଁରା ଓସ୍ତାଦ୍ ବାଙ୍କିଆ ପଥର ଖସି ଭାସିଗଲା ଯେ ଦେଖୁ ଦେଖୁ ପାଣି ସୁଅରେ ମଝି ନଈକୁ ଝିକି ହେଇଗଲା। ତାକୁ ବଞ୍ଚାଇବା ପାଇଁ ନଈପାଣିକୁ ଓହ୍ଲାଇବାକୁ କେହି ବି ସାହସ କରିପାରିଲେ ନାହିଁ। କୂଳରେ ଥାଇ କିଏ ବାଉଁଶ ବଢ଼େଇଲା, କିଏ ରଶି ବଢ଼େଇଲା। ବାଙ୍କିଆ ଭାସି ଭାସି ଯାଉଥାଏ ନଈମଝିରେ। ଲୋକମାନେ ଦଉଡ଼ୁଥାନ୍ତି କୂଳରେ କୂଳରେ। ଗୋଟେ ହୋ ହଲ୍ଲା ଖେଳିଗଲା ଗାଁରେ। ବଡ଼ କଷ୍ଟରେ ଜଣେ ନାଉରୀ ଦଉଡ଼ି ନିଜ ଅଣ୍ଚାକୁ ବାନ୍ଧି ନଈ ଭିତରେ ପଶି ତାକୁ ଉଦ୍ଧାର କଲେ, ହେଲେ ବାଙ୍କିଆ ସେତେବେଳକୁ ହାତଗୋଡ଼ ହଲେଇ ପେଟେ ପାଣି ପିଇ ମୃତପ୍ରାୟ। ଅନେକ ଚେଷ୍ଟା ସତ୍ତ୍ୱେ ତାକୁ ଆଉ ବଞ୍ଚାଇ ହେଲା ନାହିଁ।

ମୁଁ ତୁଠର ପରିବର୍ତ୍ତନ ସବୁ ଲକ୍ଷ୍ୟ କରୁଥିଲି। ତୁଠପାର୍ଶ୍ୱର ଚାଞ୍ଚଡ଼ା ପଥର, ଯେଉଁଠୁ ଆମେ କୁଦା ମାରି ପାଣି ଭିତରେ ପଶୁଥିଲୁ, ସେ ତା ଜାଗାରେ ନ ଥିଲା। ନଈକୂଳର ମାଟି ରାସ୍ତା ପର୍ଯ୍ୟନ୍ତ ଖାଇ ଯାଇଥିଲା। ନଈ ଧାରେ ଧାରେ ବଡ଼ ବଡ଼ ଗଛ କେତୋଟି ମଧ୍ୟ ଉପୁଡ଼ି ଯାଇଥିଲା। ମୁଁ ଯେଉଁ ଗଛର ଶାଖାରେ ଚଢ଼ି ବାଙ୍କିଆକୁ କନ୍ଦାଉଥିଲି, ସେ ଗଛଟି ମଧ୍ୟ ସେଠାରେ ନ ଥିଲା। ତୁଠଟି ଯେ ସେଇ ତୁଠ, ବାରିବା କଷ୍ଟ ହେଇ ପଡ଼ୁଥିଲା। ମୋଟ ଉପରେ ନଈକୂଳଟି ଶ୍ରୀହୀନ ଦିଶୁଥିଲା ମୋ ଆଖିକୁ।

ସାଙ୍ଗମାନେ ଖେଳ ଆରମ୍ଭ କରି ଦେଇଥିଲେ। ମୁଁ ମଧ୍ୟ ବାଙ୍କିଆ କଥା ଭୁଲି ଖେଳରେ ମାତିଲି। ଚାଲିଲା ପ୍ରତିଯୋଗିତା। କିଏ କେତେ ସମୟ ପାଣି ଭିତରେ ବୁଡ଼ି ରହି ପାରିବ, ମଝି ନଈରେ ବୁଡ଼ି କିଏ ପ୍ରଥମେ ନଈପୃଷ୍ଠରୁ ବାଲି ମୁଠାଏ ଉଠାଇ ଆଣିବ। ଶେଷରେ, ଆମେ ପହଁରି ପହଁରି ଆର କୂଳରେ ପହଞ୍ଚିଲୁ। ସର୍ବ ପ୍ରଥମେ ମୁଁ କୂଳରେ ପହଞ୍ଚି, ଠିଆ ହୋଇ ଅନ୍ୟମାନଙ୍କ ନାଁ ପାଳି ଧରି ଡାକୁଥିଲି। ମୋର ମନେ ହେଲା ମୋ ପଛରୁ କାନ୍ଧ ଉପରେ କାହାର ଶୀତଳ ସ୍ପର୍ଶ। ମୁଁ ବୁଲି ଚାହିଁଲି। କେହି ନ ଥିଲେ ମୋ ପଛରେ। ଦଲକାଏ ପବନରେ ମୋ ଓଦା ଦେହଟା ଥରି ଉଠିଲା ଖୁବ୍ ଜୋର୍.ରେ। ଶିଠେଇ ଗଲା ଶରୀର। ଅନ୍ୟ ସାଙ୍ଗମାନେ କୂଳକୁ ଉଠିବା ପୂର୍ବରୁ ମୁଁ ପାଣି ଭିତରେ ପଶି ଗୋଟିଏ ବୁଡ଼ରେ ଅପର କୂଳରେ ପହଞ୍ଚିଲି। ପ୍ୟାଣ୍ଟ୍ ହାତରେ ଧରି ସେଇ ଓଦା ଗାମୁଛାରେ ଦୌଡ଼ିଲି ଘର ଆଡ଼େ। ଲାଗୁଥିଲା, କିଏ ଯେମିତି ମୋତେ ଅନୁସରଣ କରି ମୋ କାନ ପାଖରେ ଫୁସ୍ ଫୁସ୍ କରି କହୁଛି, ବଜୁ, ମୋ ଗାମୁଛା ଦେଇ ଯା।

ମୁଁ ପଛକୁ ନ ଅନେଇ ଆହୁରି ଜୋର୍.ରେ ଦୌଡ଼ିଲି।

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in

Similar oriya story from Tragedy