ନିଦ
ନିଦ
ଓଃ !! ସାମ୍ନା ଘରେ ନୂଆ ଭଡାଟିଆ ଆସିଲା ପରଠାରୁ ପଡୋଶୀ କାହାରିକୁ ଆଉ ରାତିରେ ଭଲ ନିଦ ହେଉନି । କାରଣଟା ନିହାତି ସାଧାରଣ । ସେ ଯେଉଁ ମହାପାତ୍ର ବାବୁଙ୍କ ବାପା..ବୟସାଧିକ୍ୟ ବ୍ୟାଧି ଯୋଗୁଁ ସାରା ରାତି ଖୁଁ ଖୂଁ ହୋଇ କାଶନ୍ତି .. ଏଇୟା ନୁହଁ ଯେ କାଶ କାହାକୁ ହୁଏ ନାହିଁ କି ଏହା ନିହାତି ଏକ ବିରାଟ ବଡ଼ କଥା ..କିନ୍ତୁ..
"ଏ ବୟସରେ କେତେ କଷ୍ଟ ପାଉଛନ୍ତି ମ..!!"
"ପୁଅ ଝିଅ ହୋଇ ଚାରି ଜଣ ଅଛନ୍ତି ହେଲେ କେହି ଜଣେ କଣ ଡାକ୍ତର ଦେଖେଇ ପାରୁନାହାନ୍ତି..??"
"ମା ବାପାଙ୍କୁ ଆଜିକାଲି କିଏ ପଚାରେ କହୁନ ?ଆପେ ଭଲ ତ ଆଉ କାହାର କିଏ..??"
"ନିଜେ ସିନା ଯାହା କଷ୍ଟ କରନ୍ତେ..ହେଲେ ବାହାର ରୁମଟା ଦେଇ ଦେଇଛନ୍ତି..ଆମେ ମଧ୍ୟ କେହି ଶୋଇ ପାରୁନୁ..!!"
ଏମିତି ଅନେକ କଥାର ଖିଅ ସେ ବୃଦ୍ଧ ବ୍ୟକ୍ତି ଓ ତାଙ୍କ କାଶକୁ ନେଇ ପ୍ରତ୍ୟହ ଗପ ଆସରର ଅଂଶ ହେଇ ରହିଥାଏ ।ତଥାପି ସେ କାଶ ବନ୍ଦ ହେଉ ନ ଥିଲା କି ଚର୍ଚ୍ଚାର ଅନ୍ତ ନ ଥିଲା ।କାଶ ଯୋଗୁଁ କେତେ ନିଦ୍ରା ସମ୍ପୂର୍ଣ୍ଣ ହେଉ ନ ଥିଲେ ତା ହିସାବ ମଧ୍ୟ ସଠିକ୍ ମିଳି ପାରୁ ନ ଥିଲା ।ଦୁନିଆ ରେ ସମସ୍ୟା ଅନେକ ।ସମସ୍ୟାର କାରଣ ବି ତତୋଧିକ ।ତଥାପି କିଛି ଏପରି ସମସ୍ୟା ଥାଏ ଯାହା ଅନ୍ତ ହେବାର ନାଁ ଧରେନି ।ହୁଏତ ଏ ସମସ୍ୟା ଟି ସେ ପର୍ଯ୍ୟୟଭୁକ୍ତ ହୋଇ ସାରି ଥିଲା ।
ସମୟ କଣ ସବୁବେଳେ ଏକା ଗତିରେ ଗତି କରେକି..!!??ସେ ବି କଡ ଲେଉଟଇଲା । କାଳର କରାଳ ଗତିରେ ବୃଦ୍ଧ ଜଣକ ମଧ୍ୟ ଇହଲୀଳା ସମ୍ବରଣ କଲେ ।ଦିବସ ମୃତ୍ୟୁ ଯୋଗୁଁ ପଡୋଶୀମାନେ ମଧ୍ୟ ଶେଷ ଦର୍ଶନର ସୁଯୋଗ ଲାଭ କଲେ । ବୃଦ୍ଧଙ୍କ ଜ୍ଞାତି କୁଟୁମ୍ବ ଶେଷ କର୍ତ୍ତବ୍ୟ ସମ୍ପାଦନ କରିଦେଲେ ।ନିଦ୍ରା ଦେବୀ ଏଥର ଭାରି ଖୁସି ହୋଇଗଲେ...ଏଥର ଆଉ ତାଙ୍କୁ ଅସମାପ୍ତ ରହିବାକୁ ହେବନି ।ସେ ସଚରାଚର ବିଶ୍ଵର ଏ ପ୍ରାନ୍ତରେ ମଧ୍ୟ ନିଜ ଆଧିପତ୍ୟ ଅଚିରେ ବିସ୍ତାର କରି ପାରିବେ ...!!!!
କିନ୍ତୁ ...ତା ପର ଦିନ ସକାଳେ ସମସ୍ତେ ଗପର ଆସରରେ ଅସମ୍ଭବ ଭାବରେ ଗୁମସୁମ୍ ହୋଇ ରହିଥିଲେ..ଆଉ ସମସ୍ତଙ୍କ ଆଖିରେ ନିଦ୍ରାର ସମ୍ପୂର୍ଣ୍ଣ ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଇ ଯାଉଥିଲା...
ନା ବୃଦ୍ଧ ନା ବୃଦ୍ଧଙ୍କ କାଶ..ନା ତା ସହ ଯୋଡା କିଛି ରୋଚକ ଟିପ୍ପଣୀ..!!! ତେବେ ସେ ଦିନ ଦିବସଟା ମଧ୍ୟ ତନ୍ଦ୍ରା ଶୂନ୍ୟ ଲାଗୁଥିଲା..କିନ୍ତୁ..କାହିଁକି..!!??କେଜାଣି...