ନିଛାଟି ଗଛ
ନିଛାଟି ଗଛ
ପ୍ରଦ୍ୟୋତ ସେଦିନ ତିନି ତିନିଟା ଜୁଇ ଜାଳି ଫେରି ଆସିଥିଲା ଏକୁଟିଆ।ରାସ୍ତା କଡରେ ଏକ ନିଛାଟିଆ ଗଛ ଦେଖି ଅବସ ଦେହକୁ ଟିକେ ବିଶ୍ରାମ ଦେବ ବୋଲି ବସିଗଲା। ମାନସିକ ସ୍ତରରେ ସେ ସଂପୂର୍ଣ ଭାଙ୍ଗିପଡିଥିଲା। ବଡ ବିବ୍ରତ ଜଣା ପଡୁଥିଲା ସେ।ଦୁର୍ଘଟଣାରେ ଏକା ସାଙ୍ଗରେ ବାପା ମାଆ ଓ ଭଉଣୀକୁ ସଦ୍ୟ ହରାଇ ଥିଲା।ସେମାନଙ୍କର କ୍ଷତାକ୍ତ ଚେହେରା ମନେ ପଡିଲେ ଦେହ ଥରି ଉଠୁଥିଲା।ପ୍ରିୟଜନଙ୍କ ଖଣ୍ଡିଆ ଶବ ଦେଖିବାପରେ କାହାର ବା ମାନସିକ ଅଶାନ୍ତି ନ ହେବ?
ଯେଉଁମାନଙ୍କ ପାଇଁ ସେ କାମ କରୁଥିଲା ଯାହାର ମୁହଁରେ ହସ ଫୁଟାଇବ ବୋଲି ପ୍ରୟାସ ଜାରି ରଖିଥିଲା ସେମାନେ ହିଁ ଛାଡି ଚାଲିଗଲେ ତାକୁ। ଏବେ କାହାପାଇଁ ବଞ୍ଚିବ ସେ?
ଛୋଟ ଭଉଣୀ ଟା ସବୁବେଳେ ତାସହ ହସ ମଜାରେ ଲାଗିଥାଏ।କେତେ ଫରମାସି କରୁଥାଏ ।ଆଉ ସେ ସବୁ ଦରବ ଯୋଗାଉଥିଲା ତା ପାଇଁ। ସେ ଅଫିସରେ ଥିଲା ବୋଲି ବଞ୍ଚିଗଲା।ସାଙ୍ଗରେ ଥିଲେ ତାରବି ବୋଧହୁଏ ମୃତ୍ୟୁ ହୋଇଥାନ୍ତା।ଗାଡିଟା ରାସ୍ତା ତଳ ଖାଇକୁ ଢଳି ପଡିଥିଲା।ଡ୍ରାଇଭର ତିନିଜଣକୁ ଧରି ମନ୍ଦିର ଯାଇଥିଲା ଏକ ପାହାଡ ଉପରେ ଥିବା ଶିବ ମନ୍ଦିରକୁ।ଫେରିଲା ବେଳେ ସେମାନଙ୍କ ଦୂର୍ଘଟଣା ହେଇଗଲା।ଖବର ଶୁଣି ସେ ପହଞ୍ଚିଲା।ଆଉ ସଭିଙ୍କ ଶେଷକୃତ୍ୟ ସମ୍ପାଦନ କଲା। ଗଛ ଛାଇରେ ବସି ସେ ଆକାଶ ପାତାଳ କେତେ କଥା ଭାବି ଚାଲିଥିଲା।ବଞ୍ଚିବାର ସ୍ପୃହା ମରି ସାରିଥିଲା ତାର।ଆଖିରୁ ଧାରଧାର ଲୁହ ବହି ଆସୁଥିଲା।ସେ ଯଦି ଝିଅଟେ ହୋଇଥାନ୍ତା ତାହେଲେ ନିଶ୍ଚିତ ରଡିକରି କାନ୍ଦି ଉଠନ୍ତା।ହେଲେ ସେ ଚବିସ ବର୍ଷର ଭେଣ୍ଡିଆ ଯୁବକ ଥିଲା।ତାକୁ ଏମିତି କାନ୍ଦିବା ବି ମନା।ହୃଦୟର ଦୁଃଖକୁ ହୃଦୟ ଭିତରେ ହିଁ ଲୁଚେଇ ବଞ୍ଚିବାକୁ ହେବ ତାକୁ। ଗଛଟି ନୀରବରେ ପ୍ରଦ୍ୟୋତର ଅବସ୍ଥା ଦେଖୁଥିଲା।ସେ ବୁଝୁଥିଲା ଲୋକଟି କିଛି ଅଘଟଣର ଶିକାର ହେଇ ଭାଙ୍ଗି ପଡିଛି। ସଂବେଦନାରେ ତା ହୃଦୟ ଭରି ଉଠିଲା।ସେ କହିଲା ବାବୁ ଥୟ ଧର।ଏମିତି ହତାଶ ହେଲେ ଚଳିବ କିପରି? ଏ ଦୁନିଆଁରେ ସଭିଏଁ କ୍ଷଣସ୍ଥାୟୀ ।ଆଜି ଅଛେ କାଲି ନାହିଁ।ଯେତେଦିନ ଅଛେ ନିଜ କର୍ତ୍ତବ୍ୟ ତ କରିବାକୁ ପଡିବ। ମତେ ଦେଖୁନ,ମୁଁ ବି ଦିନେ ମୋ ପରିବାର ଭାଇବନ୍ଧୁଙ୍କ ସହ ଏକତ୍ର ରହୁଥିଲି।ବଡ ଗହଳ ବଣ ଥିଲା ଏଠି।ଆମେ ଲଗା ଲଗା ହେଇ ଥିଲୁ।ଆମର ଡାଳପତ୍ରରେ ଜଣେ ଅନ୍ୟକୁ ଆଉଁସି ଦେଉଥିଲୁ।ହେଲେ ସଡକ ତିଆରି ହେଲା।କାରଖାନା ତିଆରି ହେବ ବୋଲି ମୋର ସବୁ ବନ୍ଧୁ ବାନ୍ଧବ ହଣା ହେଇଗଲେ। ମୁଁ ରାସ୍ତାରୁ ଦୂରରେ ଥିଲି ବୋଲି ଛାଡିଦେଲେ।ମୋରି ଆଗରେ ମୋର ବାପା ମାଆ ଭାଇ ଭଉଣୀ ହଣା ହେବାର ଦେଖିଲି।ମୋର ବି ଆଖି ଲୋତକରେ ଭରିଗଲା, ହେଲେ ମୁଁ ବା କଣ କରି ପାରିଥାନ୍ତି?ମୁଁ ତ ସ୍ଥାବର ଜଙ୍ଗମ ଟିଏ।ଗୋଟେ ଜାଗାରୁ ଅନ୍ୟତ୍ର ହଲି ପାରେନାହଁ।ପ୍ରତିକ୍ରିୟା ବି ଦେଖେଇ ପାରେନି।ଧୁଃଖରେ ହେଉ କି ସୁଖରେ ମତେ ମୋର କର୍ତ୍ତବ୍ୟ କରିବାକୁ ପଡେ। ଅନ୍ୟକୁ ଛାଇ ଦେବା ଫଳ ଫୁଲ ଅମ୍ଲଜାନ ଦେବା ମୋର କାମ।ମୋର କାମରେ କେବେ ଅବହେଳା କରେନି।ଯୋଉ ବାଟୋଇ ପଥଶ୍ରମ ପାଇଁ ମୋ ଗଛ ଛାଇରେ ଆଶ୍ରୟ ନିଏ ମୁ ତାକୁ ମୋ ପଲ୍ଲବର ବିଚଣା ହଲାଇ ଶୀତଳ ପବନ ଯୋଗାଇଥାଏ।
ତାର ସ୍ବେଦକୁ ଶୁଖାଇ ଦିଏ।ମୋର ମଧୁର ଫଳ ଗୋଟେ ଦୁଇଟା ଝଡେଇ ଦିଏ।ଯାହାକୁ ଖାଇ ସେ ତାର କ୍ଷୃଧା ତୃଷ୍ଣା ଦୂର କରେ। ମୋ ବଞ୍ଚିଥିବା ଯାଏ ମୁଁ ଅନ୍ୟର କାମରେ ଲାଗେ।କେବଳ ମଣିଷ ନୁହେ,ଅନ୍ୟ ପଶୁ ପକ୍ଷୀଙ୍କୁ ବି ମୋ କୋଳରେ ଆଶ୍ରୟ ଦିଏ।କେତେଜାତିର ପକ୍ଷୀ।ଗୁଣ୍ଡୁଚି ସାପ,ଏଣ୍ଡୁଅ ଆଦି ମୋ ଶାଖା ପ୍ରଶାଖା ଓ କୋରଡ ଭିତରେ ଆଶ୍ରୟ ନିଅନ୍ତି।
ମୋତେ ଯେତେ ଦୁଃଖ ଲାଗିଲେ ବି ମୁଁ ବଞ୍ଚିଛି।ହାରି ଯାଇନି ଦୁଃଖରେ।ବରଂ ମୋରି ମଞ୍ଜି ପକେଇ ଆହୁରି ନୂଆ ଗଛ ସୃଷ୍ଟି କରୁଛି। ଯେଉଁମାନେ ଅନ୍ୟର ଉପକାର କରିବାରେ ସାହାଯ୍ୟ କରିବେ। ତୁମେ ଏମିତି ଦୁଃଖରେ ଭାଙ୍ଗି ଗଲେ ତୁମ ଜୀବନର ଉଦ୍ଦେଶ୍ୟ ସାଧିତ ହେବ କେମିତି?ଭଗବାନ ତୁମକୁ କିଛି ଭଲ କର୍ମ କରିବାକୁ ପଠାଇଛନ୍ତି।ତୁମେ ନିଜ କଷ୍ଟ ଭୁଲି ଅନ୍ୟର ସେବାରେ ସହଯୋଗ କର।ପୁଣି ନୂତନ ସଂପର୍କ ତିଆରି କର।ବଞ୍ଚିବାକୁ ପ୍ରେରଣା ମିଳିବ।ମୁଁ ଯେମିତି ପୁଣି ଫୁଲ ଧରୁଛି,ଫଳ
ହେଉଛି ଓ ନୂଆ ବଂଶ ସୃଷ୍ଟି କରୁଛି।ତୁମେବି ସେମିତି କର ଦେଖିବ ବଞ୍ଚିବା ସହଜ ଲାଗିବ। ଗଛ ଠାରୁ ଏପରି ସଂବେଦନାର ବାଣୀ ଶୁଣି ପ୍ରଦ୍ୟୋତ ଭିତରେ ବଞ୍ଚିବାର ପ୍ରେରଣା ମିଳିଥିଲା।ସେ ଲୁହଧାର ପୋଛି ନିଜ ଗୃହ ଅଭିମୁଖେ ପାଦ କାଢିଥିଲା।ଏକୁଟିଆ ଗଛର ଦୁଃଖ ବୁ୍ଝି ନିଜ ମଣିଷ ଜାତିପ୍ରତି ବିକ୍ଷୋଭ ଆସୁଥିଲା। ଆମେ କେମିତି ଜଣେ ଜୀବନ୍ତ ବୃକ୍ଷକୁ ସହଜରେ ଅକାରଣରେ କାଟିଦେଉ।ତାକୁ କେତେ କଷ୍ଟ ହେଉଥିବ କେବେ ଭାବୁନା। ସେ ଗଛଟିକୁ ଯିବା ଆଗରୁ ଧନ୍ୟବାଦ ଜଣାଇଲା ତା ମନରେ ବଞ୍ଚିବାର ଇଚ୍ଛା ପୁନଃ ଜାଗ୍ରତ କରି ଥିବାରୁ।
