ନବଶକ୍ତି ସ୍ୱରୂପିଣୀ- ନାରୀ
ନବଶକ୍ତି ସ୍ୱରୂପିଣୀ- ନାରୀ
କଥାରେ ଅଛି...
"ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ...ରମନ୍ତେ ତତ୍ର ଦେଵତାଃ"
ଅର୍ଥାତ୍ ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଦେବତାମାନେ ବାସ କରନ୍ତି। ତେବେ ନାରୀମାନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ଶ୍ଲୋକ ପଛର କାରଣ ହେଉଛନ୍ତି ମାତା "ଆଦି ପରାଶକ୍ତି"। ତାଙ୍କର ଅସଂଖ୍ୟ ନାମ ରହିଛି, ଯେପରିକି ଅନ୍ନପୂର୍ଣ୍ଣା, ରୁଦ୍ରାଣୀ, କୌଶିକି, ଚାମୁଣ୍ଡା, ଦୁର୍ଗା, ଗୌରୀ, ପାର୍ବତୀ ଇତ୍ୟାଦି। ଏ ବିଶାଳ ବ୍ରହ୍ମାଣ୍ଡ ତାଙ୍କଠୁ ହିଁ ଉତ୍ପତ୍ତି ହୋଇଛି, ଏଣୁ ସେ ଜଗତ୍ ଜନନୀ। ନିଜ ସନ୍ତାନଙ୍କ ମୂଳ ଆବଶ୍ୟକତାର ପୂର୍ତ୍ତି ହେତୁ ନାନାଦି ପ୍ରକାରର ସୃଜନ ଯେପରିକି ଫୁଲ,ଫଳ,ବୃକ୍ଷ,ନଦୀ ଇତ୍ୟାଦି ଦ୍ବାରା ଏ ସୃଷ୍ଟିକୁ ପରିପୃଷ୍ଟ କରିଥିବାରୁ ସେ ହିଁ ପ୍ରକୃତି। ନିଜ ସନ୍ତାନଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇଥିବାରୁ ସେ ହିଁ ପୃଥିବୀ।ସେ ହିଁ ଆମ ଶ୍ୱାସକ୍ରିୟାରେ ନିରନ୍ତର ଭାବେ ପ୍ରଚଳିତ ହେଉଥିବା ଵାୟୁ, ଯାହା ବିନା ନିମିଷେ ମଧ୍ୟ ବଞ୍ଚିବା ଅସମ୍ଭବ। ସେ ହିଁ ଆମ ଶରୀରରେ ରହିଥିବା କୁଣ୍ଡଳିନୀ ଚକ୍ରର ଉର୍ଜା, ଯାହା ବିନା ଏ ଶରୀରର ସନ୍ତୁଳନ ଅସମ୍ଭବ।
"ନାରୀ ଓ ଶକ୍ତି" ଦୁହେଁ ଅଭିନ୍ନ। ତାଙ୍କରି ଔରସରୁ ହିଁ ଏ ସମ୍ପୂର୍ଣ୍ଣ ନାରୀ ଜାତିର ସୃଷ୍ଟି ହୋଇଛି ଏଣୁ ସେ ପ୍ରତ୍ୟେକ ନାରୀ ମଧ୍ୟରେ ବିଦ୍ୟମାନ। ଏହି କାରଣରୁ ପ୍ରତ୍ୟେକ ନାରୀଙ୍କୁ ଶକ୍ତି ସ୍ୱରୂପିଣୀ ଜ୍ଞାନ କରି ସେମାନଙ୍କ ପୂଜା କରିବା କଥା ଉପରୋକ୍ତ ଶ୍ଲୋକରେ ତଥା ଅନେକ ପୁରାଣରେ ମଧ୍ୟ ଉଲ୍ଲେଖିତ।ଶକ୍ତିଙ୍କ ପ୍ରମୁଖ ନଅଗୋଟି ସ୍ବରୂପ କାହାକୁ ବା ଅଜଣା। ଯାହାକୁ ଆମେ ସାଧରଣତଃ ନବଦୁର୍ଗା ତଥା ନବଶକ୍ତି ବୋଲି କହିଥାଉ। ବର୍ଷରେ ତିନୋଟି ନବରାତ୍ର ଏହି ପ୍ରମୁଖ ନବଦୁର୍ଗାଙ୍କ ପାଇଁ ସମର୍ପିତ ହୋଇଥାଏ। ତେବେ ନବଦୁର୍ଗାଙ୍କ କଥା ପ୍ରତି ତ ଆମେ ସମସ୍ତେ ପରିଚିତ କିନ୍ତୁ ଗୋଟିଏ ନାରୀ ସହ ଏହି ନବଦୁର୍ଗାଙ୍କ ସମ୍ପର୍କ ବିଷୟରେ ଆମେ ଏତେଟା ପରିଚିତ ନୁହଁ। ଦୁହିଁଙ୍କ ମଧ୍ୟରେ ରହିଥିବା ଏହି ଗଭୀର ସମ୍ପର୍କକୁ ଆଲୋକପାତ କରିବା ହିଁ ମୋର ଏହି ନିବନ୍ଧର ମୂଳ ଉଦ୍ଦେଶ୍ୟ।
ନବଦୁର୍ଗା ହେଉଛନ୍ତି ଗୋଟିଏ ନାରୀର ସମ୍ପୂର୍ଣ୍ଣ ଜୀଵନଚକ୍ରର ପ୍ରତିବିମ୍ବ।ଯେହେତୁ ପ୍ରତ୍ୟେକ ନାରୀ ତାଙ୍କରି ହିଁ ଅଂଶ,ଏହି କାରଣରୁ ଗୋଟିଏ ନାରୀ ନିଜ ଜୀଵନ କାଳରେ ଯେଉଁ ଯେଉଁ ଅବସ୍ଥା ଦେଇ ଗତି କରେ, ସେହି ସବୁ ଅବସ୍ଥା ନବରାତ୍ରରେ ନବଦୁର୍ଗା ରୂପେ ପୂଜା ପାଅନ୍ତି। ଆମେ ବହୁ ସମୟରେ ଦେଖିଥାଉ ଯେ ନାରୀ ନିଜକୁ ଅବଳା ଓ ଦୁର୍ବଳା ବୋଲି ମନେ କରିଥାଏ। ଆଜି ବି ଏପରି କିଛି ସମାଜ ଅଛି, ଯେଉଁଠି ନାରୀକୁ ଅତ୍ୟନ୍ତ ନିମ୍ନ ତଥା ହେୟ ଜ୍ଞାନ କରାଯାଏ କିନ୍ତୁ ନାରୀ ଓ ନବଦୁର୍ଗାଙ୍କ ଏହି ଶାଶ୍ୱତ ସମ୍ପର୍କର ଜ୍ଞାନ କେବଳ ଗୋଟିଏ ନାରୀକୁ ତାଙ୍କ ମଧ୍ୟରେ ଥିବା ଶକ୍ତିତ୍ୱ ପ୍ରତି ପରିଚିତ କରାଇବନି ଅପିତୁ ପ୍ରତ୍ୟେକ ରୂଢିବାଦୀ ସମାଜ ସମ୍ମୁଖରେ ନାରୀଙ୍କ ପ୍ରକୃତ ଶକ୍ତି ପ୍ରଦର୍ଶିତ କରାଇପାରିବ।
● ଶୈଳପୁତ୍ରୀ- ଏହା ହେଉଛି ମାତାଙ୍କ ପ୍ରଥମ ସ୍ୱରୂପ,ଯାହାକି ଗୋଟିଏ ନାରୀର ଜନ୍ମାବସ୍ଥା ସହ ଜଡ଼ିତ। ମାତା ପର୍ବତରାଜ ହିମାବନଙ୍କ ପୁତ୍ରୀ ରୂପେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ହେବା ପରେ ଯେପରି ପ୍ରତ୍ୟେକ କନ୍ୟା ନିଜ ପିତାଙ୍କ ନାମ ନେଇ ଏହି ସମାଜରେ ପରିଚିତ ହୁଏ, ଠିକ୍ ସେହିଭଳି ମାତା ମଧ୍ୟ ଜନ୍ମ ହେବା ପରେ ନିଜ ପିତାଙ୍କ ନାମ ସହ ଶୈଳପୁତ୍ରୀ ରୂପେ ପରିଚିତ ହୋଇଥିଲେ। ଯେହେତୁ ଶୈଳ ଅର୍ଥ ପର୍ବତ ଏବଂ ତାଙ୍କ ପିତା ପର୍ବତ ରାଜ ହିମାଳୟ ଥିଲେ,ଏହି କାରଣରୁ ସେ ଶୈଳପୁତ୍ରୀ ନାମରେ ବିଖ୍ୟାତ ହୋଇଥିଲେ।
ଏହିଭଳି ଭାବେ ପ୍ରତ୍ୟେକ ନବଜନ୍ମିତ କନ୍ୟା "ଶୈଳପୁତ୍ରୀ"ଙ୍କ ସ୍ଵରୂପା।
●ବ୍ରହ୍ମଚାରିଣୀ- ଏହା ହେଉଛି ମାତାଙ୍କ ଦ୍ଵିତୀୟ ସ୍ୱରୂପ, ଯାହାକି ନାରୀର ଶିକ୍ଷା ଗ୍ରହଣ କରିବା ଅବସ୍ଥା ସହ ଜଡ଼ିତ। ଯେତେବେଳେ ଏକ କନ୍ୟା ଆଶ୍ରମରେ ରହି ନିଜ ଗୁରୁଙ୍କ ସେବା କରିବା ସହ ସମର୍ପିତ ଭାବେ ଅଧ୍ୟୟନ କରେ,ତାକୁ ବ୍ରହ୍ମଚାରିଣୀ ବୋଲି କୁହାଯାଏ।
ଗୁରୁକୂଳରେ ବାସ କରିବା ସମୟରେ ଯେପରି ଗୋଟିଏ କନ୍ୟା ସବୁ ପ୍ରକାର ବିଳାସ, ବ୍ୟସନକୁ ତ୍ୟାଗ କରି ତପସ୍ୱିନୀଙ୍କ ଭଳି ଶିକ୍ଷା ଗ୍ରହଣ କରେ,ଠିକ୍ ସେପରି ମାତା ଏହି ବ୍ରହ୍ମଚାରିଣୀ ସ୍ୱରୂପରେ ମହାଦେବଙ୍କୁ ବିବାହ କରିବାର ଦୃଢ ଇଚ୍ଛା ରଖି ନିଜର ସବୁ ରାଜକୀୟ ବିଳାସ ତ୍ୟାଗ କରିଦେଇ ଦୀର୍ଘ ଏଗାର ହଜାର ବର୍ଷ ପର୍ଯ୍ୟନ୍ତ କଠିନ ତପସ୍ୟା କରିଥିଲେ ଯାହାକି ତାଙ୍କୁ ନିଜ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ଆଦିଶକ୍ତି ସ୍ବରୂପ ସହ ପରିଚିତ କରାଇଥିଲା। ଯେହେତୁ ମାତା ମହାଦେବଙ୍କୁ ଗୁରୁ ମାନି ସମର୍ପିତ ଭାବେ ତପସ୍ୟାର ଅଗ୍ନିରେ ନିଜକୁ ଜଳାଇ ଜୀବନର ଏହି ଗୂଢ଼ ରହସ୍ୟ ପ୍ରତି ଅଵଗତ ହୋଇପାରିଥିଲେ ଏହି କାରଣରୁ ମାତାଙ୍କ ଏହି ସ୍ୱରୂପକୁ ବ୍ରହ୍ମଚାରିଣୀ ବୋଲି କୁହାଯାଏ।
ମାତା ପାର୍ବତୀଙ୍କ ଭଳି ପ୍ରତ୍ୟେକ କନ୍ୟା କୌମାର୍ଯ୍ୟ ଅବସ୍ଥା ପର୍ଯ୍ୟନ୍ତ ସମର୍ପିତ ଭାବେ ଅଧ୍ୟୟନ କରନ୍ତି ଏବଂ ଶିକ୍ଷା ରୂପୀ ତପସ୍ୟାରେ ଜଳି ନିଜ ଅସ୍ତିତ୍ବ ପ୍ରତି ଅଵଗତ ହୁଅନ୍ତି ।
ଏହିଭଳି ଭାବେ ପ୍ରତ୍ୟେକ ଗୁରୁକୁଳସ୍ଥିତ କନ୍ୟା "ବ୍ରହ୍ମଚାରିଣୀ"ଙ୍କ ସ୍ଵରୂପା ।
●ଚନ୍ଦ୍ରଘଣ୍ଟା-ଏହା ହେଉଛି ମାତାଙ୍କ ତୃତୀୟ ସ୍ୱରୂପ, ଯାହାକି ବିବାହ ତଥା ଏହାର ପୂର୍ବାବସ୍ଥା ସହ ଜଡ଼ିତ। ମହାଦେବ ନିଜ ଚନ୍ଦ୍ରଶେଖର ସ୍ୱରୂପରେ ମାତାଙ୍କ ଚନ୍ଦ୍ରଘଣ୍ଟା ସ୍ୱରୂପକୁ ବିବାହ କରିଥିଲେ। ଚନ୍ଦ୍ର ହେଉଛନ୍ତି ନିର୍ମଳ ତଥା ଶୁଦ୍ଧତାର ପ୍ରତୀକ। ଯେପରି ମାତା ବିବାହ ପର୍ଯ୍ୟନ୍ତ ନିର୍ମଳ ତଥା ଶୁଦ୍ଧ ରହିଥିଲେ ଠିକ୍ ସେହିଭଳି ପ୍ରତ୍ୟେକ କନ୍ୟା ନିଜ ବିବାହ ପର୍ଯ୍ୟନ୍ତ ଚନ୍ଦ୍ର ସମ ନିର୍ମଳ ତଥା ଶୁଦ୍ଧ ରହିଥାନ୍ତି।
ଏହିଭଳି ଭାବେ ପ୍ରତ୍ୟେକ ଵିଵାହ ଯୋଗ୍ୟ କନ୍ୟା "ଚନ୍ଦ୍ରଘଣ୍ଟା"ଙ୍କ ସ୍ଵରୂପା।
● କୂଷ୍ମାଣ୍ଡା- ଏହା ହେଉଛି ମାତାଙ୍କ ଚତୁର୍ଥ ସ୍ୱରୂପ, ଯାହାକି ନାରୀର ଗର୍ଭ ଧାରଣାବସ୍ଥା ସହ ଜଡ଼ିତ। ଶବ୍ଦଟି କୂ ଉଷ୍ମ ଅଣ୍ଡା ଶଦ୍ଦର ସନ୍ଧିରୁ ନିଃସୃତ। 'କୂ' ଅର୍ଥ 'କ୍ଷୁଦ୍ର', 'ଉଷ୍ମ' ଅର୍ଥ 'ତାପ' ଓ 'ଅଣ୍ଡା' ଅର୍ଥ ଯେଉଁଥିରୁ ଏକ ନୂତନ ଜୀଵନ ସୃଷ୍ଟି ହୁଏ।। ଯେପରି ମାତାଙ୍କ ମନ୍ଦହାସ୍ୟ ଦ୍ୱାରା ଏକ କ୍ଷୁଦ୍ର ଅଣ୍ଡ ଅର୍ଥାତ୍ ଏହି ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା, ଠିକ୍ ସେହିଭଳି ପ୍ରତ୍ୟେକ ସ୍ତ୍ରୀ ବିବାହ ପରେ ଗର୍ଭ ଧାରଣ କରି ନୂତନ ଜୀବନକୁ ଜନ୍ମ ଦେଇଥାନ୍ତି।
ଏହିଭଳି ଭାବେ ପ୍ରତ୍ୟେକ ଗର୍ଭଧାରିଣୀ ନାରୀ "କୂଷ୍ମାଣ୍ଡା"ଙ୍କ ସ୍ଵରୂପା।
●ସ୍କନ୍ଦମାତା- ଏହା ହେଉଛି ମାତାଙ୍କ ପଞ୍ଚମ ସ୍ୱରୂପ, ଯାହାକି ମାତୃତ୍ୱ ସହ ଜଡ଼ିତ। କୁମାର କାର୍ତ୍ତିକେୟଙ୍କ ଅନ୍ୟ ନାମ ହେଉଛି ସ୍କନ୍ଦ। ଯେପରି ସ୍କନ୍ଦଙ୍କ ଜନ୍ମ ପରେ ମାତା ପାର୍ବତୀ ସ୍କନ୍ଦଙ୍କ(ସନ୍ତାନ) ମାତା ରୂପେ ପରିଚିତ ହେଲେ ଠିକ୍ ସେହିଭଳି ପ୍ରତ୍ୟେକ ସ୍ତ୍ରୀ ନିଜ ସନ୍ତାନର ଜନ୍ମ ପରେ ସେମାନଙ୍କ ମାତା ରୂପେ ପରିଚିତ ହୁଅନ୍ତି।
ଏହିଭଳି ଭାବେ ମାତୃତ୍ୱ ଲାଭ କରିଥିବା ପ୍ରତ୍ୟେକ ନାରୀ "ସ୍କନ୍ଦମାତା"ଙ୍କ ସ୍ଵରୂପା।
●କାତ୍ୟାୟନୀ- ଏହା ହେଉଛି ମାତାଙ୍କ ଷଷ୍ଠ ସ୍ୱରୂପ, ଯାହାକି ମାତୃତ୍ୱ ଲାଭ ପରେ ଗୋଟିଏ ନାରୀର ସାଧନା ତଥା ସଂଯମତା ଧାରଣ କରିବା କ୍ଷମତା ସହ ଜଡ଼ିତ। ଯେପରି ମାତୃତ୍ୱ ପରେ ମାତା ନିଜ ସନ୍ତାନଙ୍କ ରକ୍ଷା ପାଇଁ ମହିଷାସୁରର ଦମନ କରିଥିଲେ ଠିକ୍ ସେହିଭଳି ପ୍ରତ୍ୟେକ ନାରୀ ମାତୃତ୍ୱକୁ ଉପନୀତ ହେବା ପରେ ନିଜ ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ସହ ଅତ୍ୟନ୍ତ ସଂଯମତାର ସହ ଲଢ଼ି ସେଥିରେ ବିଜୟ ହୋଇଥାନ୍ତି।
ଏହିଭଳି ଭାବେ ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ନାରୀ ସାଧନା ତଥା ସଂଯମତା ଧାରଣ କରୁଥିବାରୁ ସେ "କାତ୍ୟାୟନୀ"ଙ୍କ ସ୍ଵରୂପା।
●କାଳରାତ୍ରି- ଏହା ହେଉଛି ମାତାଙ୍କ ସପ୍ତମ ସ୍ୱରୂପ, ଯାହାକି ପ୍ରତ୍ୟେକ ସମୟରେ ନିଜ ପରିବାରର ରକ୍ଷା ପାଇଁ ନାରୀର ସଂକଳ୍ପ ସହ ଜଡ଼ିତ। ଯେପରି ମାତା କାଳରାତ୍ରି ସ୍ୱରୁପରେ ନାନାଦି ଅସୁରଙ୍କୁ ଦମନ କରି ନିଜ ସ୍ୱାମୀ ତଥା ପରିବାରର ରକ୍ଷା କରିଥିଲେ ଠିକ୍ ସେହିଭଳି ଗୋଟିଏ ନାରୀ ନିଜ ଜୀବନରେ ସଂକଳ୍ପରୂପୀ କବଚକୁ ଧାରଣ କରି, କାଳରାତ୍ରି ରୂପେ ନିଜ ସ୍ଵାମୀ ତଥା ପରିବାରକୁ ପ୍ରତ୍ୟେକ ବିପତ୍ତିରୁ ରକ୍ଷା କରିଥାଏ।
ଏହିଭଳି ଭାବେ ନିଜ ପରିବାରର ପାଇଁ ସଙ୍କଟ ମୋଚନ ସାଜି ନାରୀ "କାଳରାତ୍ରି"ଙ୍କ ସ୍ଵରୂପା।
●ମହାଗୌରୀ- ଏହା ହେଉଛି ମାତାଙ୍କ ଅଷ୍ଟମ ସ୍ୱରୂପ, ଯାହାକି ଗୋଟିଏ ନାରୀର ରୂପ,ଗୁଣ ତଥା ପରିବାର ପ୍ରତି ତାଙ୍କ ଉପକାର ସହ ଜଡ଼ିତ। ମହାଗୌରୀଙ୍କ ବର୍ଣ୍ଣ ବିଦ୍ୟୁତ୍ ପ୍ରଭା ଭଳି ଅତ୍ୟନ୍ତ କାନ୍ତିମାନ ଅର୍ଥାତ୍ ଗୌର। ଯେପରି ମହାଗୌରୀ ଅତ୍ୟନ୍ତ ରୂପବତୀ ତଥା ଗୁଣବତୀ ସେହିପରି ପ୍ରତ୍ୟେକ ସ୍ତ୍ରୀ ରୂପରେ ତଥା ଗୁଣରେ ଅତୁଳନୀୟ। ଯେପରି ମାତା ନିଃସ୍ୱାର୍ଥପର ଭାବେ ନିଜ ସଂସାରର ଭରଣ ପୋଷଣରେ ସର୍ବଦା ଲିପ୍ତ ରହିଥାନ୍ତି ଠିକ୍ ସେହିଭଳି ପ୍ରତ୍ୟେକ ସ୍ତ୍ରୀ ନିଜ ସଂସାରର(ପରିବାର) ଉପକାର ପାଇଁ, ଏହାର ଭରଣ ପୋଷଣ ପାଇଁ ଅନବରତ ଭାବେ ଲିପ୍ତ ରହିଥାନ୍ତି। ଗୋଟିଏ ନାରୀର ତା' ପରିବାର ପ୍ରତି ଅବଦାନ ସର୍ବଦା ଅତୁଳନୀୟ।
ଏହିଭଳି ଭାବେ ଗୋଟିଏ ନାରୀ ନିଃସ୍ୱାର୍ଥପର ଭାବେ ନିଜ ସଂସାରର(ପରିବାର ହିଁ ତାଙ୍କ ପାଇଁ ସଂସାର) ଉପକାର କରୁଥିବାରୁ ସେ "ମହାଗୌରୀ"ଙ୍କ ସ୍ଵରୂପା।
●ସିଦ୍ଧିଦାତ୍ରୀ- ଏହା ହେଉଛି ମାତାଙ୍କ ନବମ ସ୍ୱରୂପ, ଯାହାକି ଗୋଟିଏ ନାରୀର ତା' ପରିବାର ପ୍ରତି ରହୁଥିବା ଅସୀମ ଭଲପାଇବା ସହ ଜଡ଼ିତ। ସିଦ୍ଧି ଅର୍ଥ ସଫଳତା। ଯେପରି ମାତା ସିଦ୍ଧିଦାତ୍ରୀଙ୍କ ଅନୁକମ୍ପାରୁ ସମସ୍ତଙ୍କୁ ସିଦ୍ଧି ପ୍ରାପ୍ତି ହୋଇଥାଏ ଠିକ୍ ସେହିଭଳି ଇହଧାମ ତ୍ୟାଗ କରି ସ୍ୱର୍ଗପ୍ରୟାଣ କରିବା ପୂର୍ବରୁ ପ୍ରତ୍ୟେକ ସ୍ତ୍ରୀ ନିଜ ସଂସାରକୁ ତଥା ସନ୍ତାନକୁ ସିଦ୍ଧିର ଆଶୀର୍ବାଦ ଦେଇଥାନ୍ତି।
ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଗୋଟିଏ ନାରୀ ନିଜ ପରିବାର ତଥା ସନ୍ତାନଙ୍କୁ ସିଦ୍ଧିପ୍ରାପ୍ତିର ଆଶୀର୍ବାଦ ଦେଉଥିବାରୁ ସେ "ସିଦ୍ଧିଦାତ୍ରୀ"ଙ୍କ ସ୍ଵରୂପା।
ପ୍ରତ୍ୟେକ ସ୍ତ୍ରୀଙ୍କ ମଧ୍ୟରେ କେଉଁଠି ନା କେଉଁଠି ଜଗଦମ୍ବାଙ୍କ ସ୍ୱରୂପ ବିରଜିତ ଯାହାକି ଉପରୋକ୍ତ ଯୁକ୍ତି ଗୁଡିକରୁ ସ୍ପଷ୍ଟ ବାରି ହେଉଛି। ନାରୀଙ୍କ ଅପମାନ କରିବା ଅର୍ଥ ମାତା ଆଦିଶକ୍ତିଙ୍କ ଅପମାନ କରିବା। ଯେ ନାରୀଙ୍କ ଉପରେ ଅତ୍ୟାଚାର କରି ମାତାଙ୍କ ଉପାସନା କରେ, ତାଙ୍କ ପ୍ରାର୍ଥନା କେବେ ମଧ୍ୟ ସଫଳ ହୋଇ ନଥାଏ। ନାରୀଶକ୍ତି ଅତୁଳନୀୟ,ଏହାକୁ ହେୟ ମନେ କରି ତାକୁ ଅବଳା ଭାବିବା ଅନୁଚିତ୍। ଏହିଭଳି ଲୋକ ମହାପାପର ଭାଗିଦାର ହୁଅନ୍ତି ଏବଂ ଏହି ଦୋଷ ଭଗବାନଙ୍କ ନିକଟରେ ସର୍ବଦା ଅକ୍ଷମଣୀୟ ହୋଇଥାଏ। ଗୋଟିଏ ନାରୀ ନବଶକ୍ତିଙ୍କ ସ୍ୱରୂପିଣୀ ତଥା ମାତା ଦୁର୍ଗାଙ୍କ ଅନୁରୂପୀ। ପ୍ରତ୍ୟେକ ନାରୀଙ୍କ ମଧ୍ୟରେ ବିରଜିତ ମାଆ ଶକ୍ତିଙ୍କୁ ମୋର ଶତ ଶତ ପ୍ରଣାମ।
