ଫାଇଲିନ୍ ର ପ୍ରକୋପ
ଫାଇଲିନ୍ ର ପ୍ରକୋପ
ଦିନ ଥିଲା, ଆମ ଜନ୍ମଭୂମି ଓଡ଼ିଶାର ପରିବେଶ ଅତ୍ୟନ୍ତ ଶାନ୍ତ ଓ ସୌନ୍ଦର୍ଯ୍ୟମୟ ଥିଲା। ଲୋକମାନେ ଦୁର୍ଗାପୂଜା ନିମନ୍ତେ ଅତ୍ୟନ୍ତ ଉତ୍ସାହିତ ଥିଲେ ଏବଂ ଧୁମ୍ ଧାମ୍ ରେ ଏହାର ପ୍ରସ୍ତୁତ କରୁଥିଲେ। ଗ୍ରାମାଞ୍ଚଳରେ କୃଷକର ଜମିର ସୁନା କେଣ୍ଡା ପରି ଧାନ ଫସଲ ଭିତରେ ଉପଭୋଗ କରୁଥିଲେ ଦଶହରାର ମନୋରମ ତଥା ଉତ୍ସବ ମୁଖର ପରିବେଶକୁ।
ପ୍ରକୃତିର ଶାନ୍ତ ପରିବେଶ ଯେପରି ଲୋକମାନଙ୍କ ହୃଦୟରେ ଆନନ୍ଦ ଭରିଦିଏ, ସେହିପରି ଏହାର ଅଶାନ୍ତ ପରିବେଶ ଲୋକମାନଙ୍କ ଜୀବନରେ ଭରିଦିଏ ବିଷାଦର ଛାୟା।ପ୍ରକୃତି ନିଜର କରାଳ,ବିନାଶକାରୀ ରୂପ ଉତ୍କଳୀୟ ମାନଙ୍କୁ ପ୍ରଦର୍ଶିତ କରିଥିଲା ଆଶ୍ୱିନ ମାସର ଶୁକ୍ଳପକ୍ଷ ନବମୀ ତଥା ୨୦୧୩ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ; ଯାହା ଓଡିଶାବାସୀଙ୍କ ପାଇଁ ଥିଲା ଅତ୍ୟନ୍ତ ଭୟଙ୍କର ଦିନ। ଏହି ଗୋଟିଏ ଦିନ ଆମର ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଉତ୍କଳକୁ ନିମିଷେକ ମଧ୍ୟରେ ଶ୍ରୀହୀନ କରି ଚାଲିଗଲା।
୨୦୧୩ ମସିହା ଅକ୍ଟୋବର ମାସ ୧୨ ତାରିଖର ପ୍ରାତଃ ସମୟରୁ ହିଁ ପବନ ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ଦୁହିଁଙ୍କର ବେଗ ବେଳକୁ ବେଳ ବଢି ଚାଲିଯାଉଥିଲା।ଏହିଭଳି ଭାବେ ସେହି ଦିବସର ଅବସାନ ଘଟିଲା। ରାତ୍ର ସମୟର ପ୍ରାୟ ୯ ଘଣ୍ଟା ବେଳେ ବର୍ଷା ଓ ପବନର ବେଗ ସକାଳ ଅପେକ୍ଷା ୪ ଗୁଣ ବଢିଗଲା। ପ୍ରକୃତି ନିଜର ପ୍ରକାଣ୍ଡ ତଥା କରାଳ ରୂପ ସମଗ୍ର ଓଡିଶାକୁ ପ୍ରଦର୍ଶିତ କରୁଥିଲା।ମନେ ହେଉଥିଲା ଯେପରି କି ପ୍ରକୃତି ଆମ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଆମ୍ଭମାନଙ୍କୁ ଶାସ୍ତି ଦେଉଥିଲା।ଏହା ଦୀର୍ଘ ୫-୬ ଘଣ୍ଟା ଧରି ଚାଲିଥିଲା।ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ବାସିନ୍ଦା ବହୁତ କ୍ଷତିଗ୍ରସ୍ତ ହୋଇଥିଲେ।ବର୍ତ୍ତମାନ ମଧ୍ୟ ସମୀରର ସେ ସୁ ସୁ ଶବ୍ଦ ମୋ କର୍ଣ୍ଣରେ ଗୁଞ୍ଜନ କରୁଛି,ଯାହାକୁ ଭାବିଲେ ମୋ ଲୋମ ଟାଙ୍କୁରି ଉଠୁଛି।ମୁଁ ସେ ସମୟର ଜଣେ ପ୍ରତ୍ୟକ୍ଷ ଅନୁଭବି । ଫାଇଲିନ୍ ର ପରବର୍ତ୍ତୀ ଦୃଶ୍ୟ ଗୁଡିକ ଦେଖାଇବା ପାଇଁ ମୁଁ ଅକ୍ଷମ, କିନ୍ତୁ କିଛି ମାତ୍ରରେ ନିମ୍ନରେ ବର୍ଣ୍ଣନା କରି ତାହାର ଅନୁଭବ କରାଇପାରିବି।
ଫାଇଲିନ୍ ର ପରବର୍ତ୍ତୀ ଦିନ ଅର୍ଥାତ ୨୦୧୩ ଅକ୍ଟୋବର ମାସ ୧୩ ତାରିଖ, ଯେଉଁ ଦିନ ଦଶହରା ପାଳନ କରାଯିବାର ଥିଲା, ସେହିଦିନ ସମଗ୍ର ଓଡିଶା ଶ୍ରୀହୀନ ହୋଇଯାଇଥିଲା।ସେହି ସମୟରେ ଗ୍ରାମ ଓ ସହରର ପ୍ରତ୍ୟେକ ସ୍ଥାନରେ ଦୃଷ୍ଟିମାନ ହୋଇଥିଲା ସିଂହ ବାହିନୀ ମା'ଦୁର୍ଗାଙ୍କ ଦରଭଙ୍ଗା ପ୍ରତିମୂର୍ତ୍ତି ଓ ନିରୀହ, ସରଳ ଗୃହପାଳିତ ପଶୁ ମାନଙ୍କ ମୃତ ଦେହ। ଅସଂଖ୍ୟ ବୃକ୍ଷ ଥୁଣ୍ଟା ହୋଇ ଯାଇଥିଲା କିଛି ବୃକ୍ଷ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା।ଲାଗୁଥିଲା ସତେ କି ପ୍ରକୃତିର ଏହି ତାଣ୍ଡବ ଲୀଳାରେ ହାର ମାନିଯାଇ ବୃକ୍ଷ ଗୁଡିକ ମଥାନତ କରିଦେଇଛନ୍ତି ଗରିବ ଲୋକଙ୍କ ଛଣ,ଛପର ଘର ଧ୍ବଂସ ହୋଇଯାଇଥିଲା।ଫାଇଲିନ୍ ସମୟର ଦୃଶ୍ୟ ଥିଲା ଅତ୍ୟନ୍ତ କରାଳ, ଧ୍ୱଂସକାରୀ, ଭୟଙ୍କର।ମାତ୍ର ଏହାର ପରବର୍ତ୍ତୀ ଦୃଶ୍ୟ ଗୁଡିକ ଥିଲା ଅତ୍ୟନ୍ତ ମର୍ମନ୍ତୁଦ ଏବଂ ହୃଦୟ ବିଦାରକ। ବର୍ତ୍ତମାନ ମଧ୍ୟ ସେହି ହାର ମାନିଯାଇଥିବା ବୃକ୍ଷ ଓ ନିରୀହ ପଶୁଙ୍କ ଶବର ଦୃଶ୍ୟ ମନେ ପଡିଲେ ଆଖିରୁ ଲୁହ ଝରିପଡ଼େ। ସେହି ଦୃଶ୍ୟ ଗୁଡିକ କେତେ ମର୍ମନ୍ତୁଦ ଥିଲା ତାହା ଜଣେ ପ୍ରତ୍ୟକ୍ଷଦର୍ଶୀ ହିଁ ଅନୁଭବ କରିପାରିବ । ସେ ସଵୁକୁ ଦେଖି କଳ୍ପନା କରିହେଉଥିଲା ଯେ ପ୍ରକୃତି କେତେ କ୍ରୁର ତଥା ନିଷ୍ଠୁର ହୋଇପାରେ।
ଉନ୍ନତ ମାନର ପ୍ରଯୁକ୍ତି ବିଦ୍ୟା ଓ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ସୂଚନା ଯୋଗୁଁ ଓଡିଶା ସରକାର ଏବଂ ସମସ୍ତ ଉତ୍କଳୀୟ ଫାଇଲିନ୍ ର ମୁକାବିଲା ପାଇଁ ସଚେତନ ଥିଲେ।ଫାଇଲିନ୍ ର ଦୁଇ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ, ସ୍ବେଚ୍ଛାସେବୀ ସଙ୍ଗଠନ,ଆରକ୍ଷୀ ବିଭାଗ ଇତ୍ୟାଦି ବାତ୍ୟା ପ୍ରବଣ ଅଞ୍ଚଳ ଓ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରୁ ଲୋକମାନଙ୍କୁ ବିଭିନ୍ନ ବିଦ୍ୟାଳୟ ଏବଂ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିଥିଲେ।ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ବାତ୍ୟାର ପରବର୍ତ୍ତୀ ସମୟର ମୁକାବିଲା କରିବା ପାଇଁ ଯଥେଷ୍ଟ ପରିମାଣର ଚାଉଳ, କିରାସିନି ତଥା ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଗଚ୍ଛିତ କରି ରଖିଥିଲେ।ଏହି କାରଣରୁ ଓଡିଶାବାସୀ କିଛି ମାତ୍ରାରେ ଏହାର ପ୍ରକୋପରୁ ରକ୍ଷା ପାଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
'ବିଭିନ୍ନତା ମଧ୍ୟରେ ଏକତା' ଏହି ବାକ୍ୟଟିର ଯଥାର୍ଥତା ଜଣା ପଡିଥିଲା ଫାଇଲିନ୍ ପରେ ଓଡ଼ିଶାରେ ହୋଇଥିବା କ୍ଷତିକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ତଥା ପଡୋଶୀ ରାଜ୍ୟର ସରକାର ମାନେ ମଧ୍ୟ ଫାଇଲିନ୍ ପ୍ରପୀଡ଼ିତଙ୍କୁ ରିଲିଫ୍ ଯୋଗାଇବା ପରେ।ଏହା ସହ ସେମାନେ ଓଡ଼ିଶାକୁ ଆର୍ଥିକ କ୍ଷେତ୍ରରେ ମଧ୍ୟ ସାହାର୍ଯ୍ୟ କରିଥିଲେ।ଗଞ୍ଜାମ ଜିଲ୍ଲାବାସୀ ଫାଇଲିନ୍ ରେ ବିଶେଷ ରୂପେ କ୍ଷତିଗ୍ରସ୍ତ ହୋଇଥିଲେ।ଏହିଭଳି ଭାବେ ଫାଇଲିନ୍ ଆମ ଶସ୍ୟ ଶ୍ୟାମଳା ମନ୍ଦିର ମାଳିନୀ ଓଡ଼ିଶାକୁ ଶ୍ରୀହୀନ କରି ଚାଲିଯାଇଥିଲା।
