ବାପା ମୋ ଜୀବନର ପ୍ରେରଣା
ବାପା ମୋ ଜୀବନର ପ୍ରେରଣା
"ବାପା" ଏହି ଗୋଟିଏ ଶବ୍ଦ ମଧ୍ୟରେ ନିହିତ ହୋଇ ରହିଥାଏ ଗୋଟିଏ ଝିଅର ସମଗ୍ର ଦୁନିଆ। ଝିଅଟିର ଜୀବନରେ ତା'ର ବାପାଙ୍କ ସ୍ଥାନ ସର୍ବୋପରି। ବାପା ଏବଂ ଝିଅ ମଧ୍ୟରେ ଥିବା ଏହି ନିବିଡ଼ ସମ୍ପର୍କ ଦୁନିଆର ସର୍ବଶ୍ରେଷ୍ଠ ସମ୍ପର୍କ ମଧ୍ୟରୁ ଗୋଟାଏ ହେଲେ ଏହା ମଧ୍ୟ ନିରାଟ ସତ୍ୟ ଯେ ଆଜି ଯାଏଁ ଯେଉଁ ଝିଅମାନେ ନିଜର ସଫଳତାର ଗାରିମାରେ ସମଗ୍ର ବିଶ୍ୱକୁ ଗରିମାମୟ କରିଛନ୍ତି ସେହି ଝିଅଙ୍କ ପଛରେ ରହିଛି ତାଙ୍କ ପିତାଙ୍କ ପ୍ରୋତ୍ସାହନ ଓ ଆଶୀର୍ବାଦ। ଯେହେତୁ ମୁଁ ମଧ୍ୟ ଗୋଟିଏ ଝିଅ ଏହି କାରଣରୁ ମୁଁ ମଧ୍ୟ ଏହି ସମ୍ପର୍କର ସୌନ୍ଦର୍ଯ୍ୟ ତଥା ବାସ୍ତବିକତାକୁ ଅଙ୍ଗେ ନିଭେଇଛି । ମୋ ଜୀବନ ପ୍ରତି ତାଙ୍କ ଅବଦାନ ଏବଂ ଆଶୀର୍ବାଦ ଅବର୍ଣ୍ଣନୀୟ ତାହା ମୋ ଚିନ୍ତନର ବହୁ ଉର୍ଦ୍ଧ୍ଵରେ। ତଥାପି କିଞ୍ଚିତ ଏଇ ଲେଖନି ମୁନରେ ତୋଳି ଧରିବାକୁ ମୁଁ ଚେଷ୍ଟା କରୁଛି।
ମୋ ବାପାଙ୍କ ନାମ ହେଉଛି ବି.ନିରଞ୍ଜନ ପାତ୍ର ଯେ କି ବୃତ୍ତିରେ ଜଣେ ପ୍ରଧାନ ଶିକ୍ଷକ। ସେ ବହୁତ ସରଳ ଏବଂ ନମ୍ର ସ୍ଵଭାବର। ତାଙ୍କ ମୁଖମଣ୍ଡଳରେ ସର୍ବଦା ପ୍ରସ୍ଫୁଟିତ ହୋଇ ରହୁଥିବା ହସଟି ବେଶ୍ ଚିତ୍ତାକର୍ଷକ । ତେବେ ବାପାଙ୍କ ମଧ୍ୟରେ ଥିବା ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ତାଙ୍କର ଦୃଢ଼ ଆତ୍ମବିଶ୍ୱାସ ଏବଂ ନିଜ କର୍ମ ପ୍ରତି ଥିବା ତାଙ୍କର ସମର୍ପଣ ଭାବ। ସେ ସମୟ ସହିତ ସବୁପ୍ରକାର ରୂପରେ ମୋ ଜୀବନର ମାର୍ଗଦର୍ଶନ କରିଛନ୍ତି ତାହା ଗୋଟିଏ ବନ୍ଧୁ ରୂପେ ହେଉ ଅଥବା ଗୋଟିଏ ଗୁରୁ ରୂପେ। ମୋ ମାଆଙ୍କ ଠାରୁ ବାପାଙ୍କ ଅତୀତ ବିଷୟରେ ମୁଁ ବହୁତ କିଛି ଶୁଣିବାକୁ ପାଇଛି, ଯାହା କି ଅନନ୍ତ ସମୟ ପର୍ଯ୍ୟନ୍ତ ମୋ ପାଇଁ ପ୍ରେରଣାର ଉତ୍ସ ହୋଇରହିବ।
ବାପାଙ୍କ ଅତୀତ ଥିଲା ଖୁବ ସଂଘର୍ଷମୟ। ଅତି କମ୍ ବୟସରୁ ପିତାମାତାଙ୍କୁ ହରାଇଥିଲେ ସୁଦ୍ଧା ସେ କେବେ ମଧ୍ୟ ଭାଙ୍ଗି ପଡ଼ି ନ ଥିଲେ। ବରଂ ଦୃଢ଼ ମନା ହୋଇ ସେ ଘରର ସମସ୍ତ ଦାୟିତ୍ୱକୁ ପ୍ରତିପାଦିତ କରିଥିଲେ। ଏପରିକି ନିଜ ସାନ ଭାଇକୁ ମଧ୍ୟ ନିଜ ପୁତ୍ର ସମ ଲାଳନ ପାଳନ କରି ତାଙ୍କ ପ୍ରତି ଥିବା ପିତାମାତାଙ୍କର ସମସ୍ତ ଦାୟିତ୍ୱକୁ ସେ ସୂଚାରୁ ରୂପେ ସମ୍ପାଦିତ କରିଥିଲେ। ଏହା ସହ ତାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରେରିତ କରି ଗୋଟିଏ ଗୁରୁଙ୍କର ଦାୟିତ୍ୱକୁ ମଧ୍ୟ ସେ ବେଶ୍ ଭଲଭାବେ ନିର୍ବାହ କରିଥିଲେ। ପିତାମାତାଙ୍କ ମାର୍ଗଦର୍ଶନର ଅଭାଵ ତାଙ୍କୁ କେବେ ମଧ୍ୟ ଅବାଟକୁ ନେଇ ନଥିଲା। ସେ ଅତ୍ୟନ୍ତ ସଂଯମତାର ସହ ନିଜର ସମସ୍ତ ଦାୟିତ୍ବକୁ ପ୍ରତିପାଦିତ କରି ନିଜ ଶିକ୍ଷକତା ଜୀବନର ପ୍ରାରମ୍ଭ କରିଥିଲେ।
ତେବେ ମା'ଙ୍କ ଠାରୁ ବାପାଙ୍କ ବିଷୟରେ ଏସବୁ ଶୁଣିଲେ ମୁଁ ବହୁତ ପ୍ରେରିତ ହୁଏ। ଆଜି ମଧ୍ୟ ମୁଁ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ବାପା ମୋତେ ନିର୍ଭୀକ ଭାବେ ସବୁ ପରିସ୍ଥିତିର ସାମନା କରିବାକୁ ପ୍ରେରଣା ଦିଅନ୍ତି। ତାଙ୍କ ମନରେ ଥିବା ଦୃଢ଼ ଆତ୍ମବିଶ୍ବାସକୁ ଦେଖି ମୁଁ ମଧ୍ୟ ମୋର ପ୍ରତ୍ୟେକଟି କାର୍ଯ୍ୟକୁ ଦୃଢ଼ ଆତ୍ମବିଶ୍ୱାସର ସହ କରେ। ବାପା ମୋତେ ସବୁବେଳେ କୁହନ୍ତି... "ଝିଅ ତୁମେ ଜୀବନରେ ଯାହା ବି କରୁଛ କର କିନ୍ତୁ ପ୍ରଥମେ ଗୋଟିଏ ଭଲ ମଣିଷ ହେବାକୁ ଚେଷ୍ଟା କର ଏବଂ ଯେଉଁ କାର୍ଯ୍ୟକୁ ତୁମେ କରୁଛ ତାକୁ ସର୍ବଦା ଉତ୍କୃଷ୍ଟ ମାନର କରିବାକୁ ଚେଷ୍ଟା କର "।
ତେବେ କହିବାକୁ ଗଲେ ଆଜି ପର୍ଯ୍ୟନ୍ତ ମୋ ଜୀବନର ପ୍ରତ୍ୟେକଟି ଫର୍ଦ୍ଦରେ ବାପାଙ୍କ ଭୂମିକା ଅତୁଳନୀୟ ହୋଇରହିଛି। ସେ ସର୍ବଦା ମୋତେ ନିର୍ଭୀକ ଭାବେ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବାକୁ ପ୍ରେରିତ କରିଛନ୍ତି। ତାଙ୍କରି ହିଁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଚିନ୍ତଧାରାକୁ ପାଥେୟ କରି ମୁଁ ବହୁତ ଥର ଜୀବନରେ ସଫଳ ହୋଇଛି। ସେଥିମଧ୍ୟରୁ ଗୋଟିଏ ସଫଳତାକୁ ମୁଁ ଏଠାରେ ସଂକ୍ଷିପ୍ତ ରୂପେ ଵର୍ଣ୍ଣନା କରିବାକୁ ଯାଉଛି।
ଥରେ ମୁଖ୍ୟମନ୍ତ୍ରୀ ଟ୍ରଫି ନିମନ୍ତେ ଗୋଟିଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ନିୟମ ଥିଲା କି ପ୍ରତ୍ୟେକ ପ୍ରତିଯୋଗୀ ଯେକୋୖଣସି ଗୋଟିଏ ଶାସ୍ତ୍ରୀୟ ରାଗକୁ ପରିବେଷଣ କରିବେ। ଯେହେତୁ ସେଇ ସମୟରେ ମୁଁ ଛୋଟ ଥିଲି ଏତେ ବଡ଼ ପ୍ରତିଯୋଗିତାରେ ଏତେ ପ୍ରତିଯୋଗୀଙ୍କ ସମ୍ମୁଖରେ ମୋର ପରିବେଷଣ କେମିତି କ'ଣ ହେବ,ଏକଥା ଭାବି ମୁଁ ଚିନ୍ତିତ ହୋଇପଡୁଥିଲି। ମନରେ ଧୀରେ ଧୀରେ ଆତ୍ମବିଶ୍ୱାସର ସ୍ତର କମି କମି ଯାଉଥିଲା। ସେ ସମୟରେ ବାପା ମୋର ଏହି ଦୁର୍ଦ୍ଦଶାକୁ ଦେଖି ମୋତେ କହିଲେ କି "ଝିଅ....ନିଜ ଉପରେ ସବୁବେଳେ ବିଶ୍ୱାସ ରଖ, ପ୍ରତିଯୋଗିତାର ଫଳ ଯାହା ବି ହେଉ ନା କାହିଁକି ତୁମେ ସେ ସବୁ ଚିନ୍ତାରୁ ନିବୃତ୍ତ ରୁହ ଏବଂ ନିଜ ରାଗ ପରିବେଷଣ ଉପରେ ଧ୍ୟାନ ଦିଅ"। ତେବେ ବାପାଙ୍କ ମୁଖ ନିଃସୃତ ଏହି କଥା ସବୁକୁ ଶୁଣି ମୁଁ ଟିକିଏ ଆଶ୍ୱସ୍ତି ଅନୁଭବ କଲି ଏବଂ ତାଙ୍କ କହିବା ଅନୁସାରେ ମୁଁ ସବୁ କିଛି କଲି। ମନରେ ପ୍ରଗାଢ଼ ଆତ୍ମବିଶ୍ୱାସ ରଖି ସେଦିନ ମୁଁ ରାଗ ପରିବେଷଣ କରିଥିଲି ଏବଂ ସେଦିନର ମୋର ପରିବେଷଣ ଦ୍ୱାରା ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ଓ ପରିଶେଷରେ ସେହି ମୁଖ୍ୟମନ୍ତ୍ରୀ ଟ୍ରଫିର ବିଜେତା ରୂପେ ମୁଁ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଥିଲି। ଏହା ଥିଲା ମୋର ସଫଳତା ପଛରେ ଥିବା ମୋ ପିତାଙ୍କ ପ୍ରେରଣାର ଏକ ସଂକ୍ଷିପ୍ତ ଉଦାହରଣ।
ତେବେ ଏହିଭଳି ବାପାଙ୍କ ପ୍ରେରଣାରେ ମୁଁ ପାଇଥିବା ସଫଳତାର ଅନେକ ଉଦାହରଣ ମୋ ସ୍ମୃତିର ମାନସପଟରେ ସାଇତି ହୋଇ ରହିଛି। ବାପା ମୋତେ କେବେ ମଧ୍ୟ କେବଳ ଗୋଟିଏ କ୍ଷେତ୍ରରେ ହିଁ ନିଜକୁ ସୀମିତ କରି ରଖିବାକୁ ଦେଇ ନାହାନ୍ତି। ସେ ସଙ୍ଗୀତ ସହ ମୋର ସାହିତ୍ୟ ପ୍ରତି ଥିବା ରୁଚିକୁ ତଥା ସମାଜ ସେବାରେ ଥିବା ମୋର ଆଗ୍ରହକୁ ମଧ୍ୟ ସର୍ବଦା ପ୍ରୋତ୍ସାହିତ କରିଆସିଛନ୍ତି। ଏହି କାରଣରୁ ଆଜି ମୁଁ ଗୋଟିଏ ମେଧାବୀ ଛାତ୍ରୀ ହେବା ସଙ୍ଗେ ସଙ୍ଗେ ଗୋଟିଏ ଭଲ କଣ୍ଠଶିଳ୍ପୀ, ପ୍ରାବନ୍ଧିକା, ଗାଳ୍ପିକା ତଥା ସମାଜ ସେବୀ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବାପାଙ୍କ କଥାକୁ ଅନୁସରଣ କରି ମୁଁ ଜୀବନର ପ୍ରତ୍ୟେକଟି କାର୍ଯ୍ୟକୁ ସର୍ବଦା ଉତ୍କୃଷ୍ଟ ମାନର କରିବାକୁ ଚେଷ୍ଟିତ ରହିଛି।
ତେବେ ଜୀବନରେ ଆଜି ଯାଏଁ ଯାହା ବି ସଫଳତା ପାଇଛି, ତାହା କେବଳ ମୋ ବାପାଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ପାଇଁ। ଆଗକୁ ମଧ୍ୟ ମୁଁ ଜୀବନରେ ଏମିତି ବହୁତ କିଛି ଲକ୍ଷ୍ୟ ରଖିଛି ଏବଂ ଆଶା କରୁଛି କି ଦିନେ ମୁଁ ମୋର ଲକ୍ଷ୍ୟକୁ ସାଧନ କରି ମୋ ବାପାଙ୍କ ଗର୍ବର କାରଣ ହେବି ଏବଂ ତତ୍ ସଙ୍ଗେ ମୋ ପାଇଁ ସେ କରିଥିବା ସବୁ ତ୍ୟାଗର ମୂଲ୍ୟ ରଖି ତାଙ୍କୁ ଗୋଟିଏ ଆଦର୍ଶ ପିତା ହେବାର ପରିଚୟ ମୁଁ ଦେଇପାରିବି।
#MyDadMyHero
