Satyabati Swain

Tragedy

2.1  

Satyabati Swain

Tragedy

ନୈଶ ନିଶା

ନୈଶ ନିଶା

8 mins
436


   ସେ ନିଦୁଆନିଦୁଆ ଆଖିରେ ସେଲ ବାହାରକୁ ଆସିଲେ। ତାଙ୍କ ଆଖି ସହ ମୋ ଆଖି ମିଶିଗଲା।ମୁଁ କିଛି କହିବା ପୂର୍ବରୁ,ସେ ମୋତେ କୋଳେଇ ନେଲେ।ଏଇ କୋଳେଇ ନେବାରେ ମୋ ଧକ୍ ଧକ୍ କରୁଥିବା ବାଁ ପଟ ମେସିନ୍ ଟା ଟିକେ ଉଠ୍ ପଡ଼ ହେଲା। କାହିଁକିନା ଏମିତି ଆନ୍ତରିକତା ଓ ଅନ୍ତରଙ୍ଗତା କୋଳେଇ ନେବାର ଅଭୂତ ପୂର୍ବ ସ୍ୱାଦ ମୋ ଛାତି ଭୁଲି ଯାଇଛି ଅନେକ... ଅନେକ ଦିନୁ। ଏମିତି ହିଁ କେବଳ ମୋ ବୋଉ ମୋତେ କୋଳାଏ।ମୋ ବାପାବୋଉ ମୋତେ ଛାଡ଼ି ଆରପାରିରେ ଆକାଶର ତାର ହୋଇ ଗଲେଣି।ହଁ ଏପରି କେହି କେବେ ମୋତେ କୋଳେଇନି ସେ କଥା ନୁହେଁ।କଥାଟା ଏଇଆ ଯେ ଆଜିର କୋଳେଇ ନେବାର ଅନୁଭୂତି ଟିକେ ଅଲଗା ଲାଗିଲା।ସେଇପାଇଁ ତ ସ୍ପନ୍ଦିତ ହେଲା ମେସିନ୍ କିଛି ସମୟ।ସାରା ଶରୀର ପଲ୍ଲବୀତ ହୋଇଗଲେ କ୍ଷଣେ।ମୁଁ ନଥିଲି ମୋ ଆୟତରେ।


   ପଢିଲି ଚଷମା ତଳର ଆଖି ତାଙ୍କର। କ୍ଷମା କରିବେ ଏକ୍ସରେ ଠାରୁ ବି ତେଜିୟାନ ମୋ ଆଖି। ଗଳି ଗଲା ତାଙ୍କ ଭିତରକୁ ତନତନ କରି ପଢ଼ିଲି ତାଙ୍କ ଭିତର।ମୋତେ ତା ଭିତରୁ ଶୀଘ୍ର ବାହାରିବାକୁ ଅଛି ଯେ।ନଚେତ ଲାଖି ଗଲେ ଆଉ ମୁକାଳି ପାରିବି ନାହିଁ ।ଏ ଏମିତି ଅଠା ।ଥରେ କାହା ଆତ୍ମା ସହ ସଂଯୁକ୍ତ ହୋଇଗଲେ ଆଉ ଛାଡ଼ିବନି।ଏଣୁ ଫାଜିଲାମୀ ଆଖିଟି ମୋର କଣ ଖୋଜେ କେଜାଣି,ବାହାରିଲା ବେଳକୁ କାନ୍ଦି କାନ୍ଦି ଫୁଲି ଯାଇଥିବ।ଏଣୁ ଏଇ କୋଳେଇ ନେବା କିବା କାହାକୁ ସମ୍ପୂର୍ଣ ପଢିବା ଚେଷ୍ଠାରୁ ବିରତ ରହିବାକୁ ଯଥାସାଧ୍ୟ ଚେଷ୍ଟା କରେ।ହେଲେ କଣ ହେବ ଅବାଧ୍ୟ ଚଗଲା ଛୁଆ ପରି ବା ଆମ ମନ,ହୃଦୟ ଓ ଇନ୍ଦ୍ରିୟ! ସେ କି ଆମ କଥା ମାନନ୍ତି!।ତାଙ୍କ ଇଚ୍ଛାର ରାଜା ସେମାନେ।ଜମାରୁ ମାନିଲେନି।ପଞ୍ଚ ଇନ୍ଦ୍ରିୟ ମୋର ତାଙ୍କ ଭିତକୁ ପଶି କିଏ ଫଟୋ ଉଠାଇଲା, କିଏ ଅନୁଭବ କଲା କିଏ ପୁଣି ଦୀର୍ଘଶ୍ଵାସ ଛାଡିଲା। ଆଉ କିଏ ଖୁସିରେ ଫାଟି ପଡ଼ିଲା।


   ଆଉ ସେ ବର୍ଷୀୟାନ ମଣିଷ ଜଣଙ୍କ ମୋତେ ଚଟ୍ କରି ମୋଠୁ ଚୋରେଇ ନେଲେ।ମୁଁ ତାଙ୍କ ମୟ ହୋଇଗଲି। ମୁଁ ଗୋଟେ ମିଶନରେ ଆସିଛି।ହେଲେ ମୋ ସହ ଏକଣ ହେଉଛି! ମୁଁ ଆଉ ପ୍ରେମ କରି ବସିନି ତ ଏଇ ସବୁରି ଘୃଣାର ପାତ୍ରୀଟିକୁ!। ଏବେ ତ ୟାଙ୍କ ନାଁ ଶୁଣିଲେ ଲୋକେ ଆବା କାବା ହୋଇ ଯାଉଛନ୍ତି।ମନେ ମନେ ଭାବିଲି ଏ କଣ , ସେ ମୋତେ ଦେଖୁ ଦେଖୁ କୋଳେଇ ନେଲେ କାହିଁକି? ସେ ମୋତେ ଏତେ ଭଲ ଲାଗିବାର କାରଣ କଣ!।ମୁଁ ପ୍ରଶ୍ନ କରିବାକୁ ଆସିଥିଲି।ହେଲେ ସେ ମୁଁ ଠିକ୍ ଯାହା ଯାହା ପଚାରିବି ବୋଲି ଠିକ୍ କରି ଯାଇଥିଲି ସେ ସତେକି ମୋ ମନ କଥା ପଢି କ୍ରମାନ୍ଵୟରେ କହି ଚାଲିଥିଲେ ବିରତି ନ ନେଇ। ମୁଁ କେବଳ ଐତିହାସିକ ଯୁଗର ମଣିଷ ପରି ଠାରରେ ତାଙ୍କ କଥାର ଜବାବ ରଖୁଥାଏ।ଵୟସ୍କା ଜଣଙ୍କ ବାଷଠି ବର୍ଷରୁ ସତେକି ହୋଇଯାଉଥାନ୍ତି ଛବିଶି।ବନ୍ଦ ଦ୍ୱାର ଲାଭା ଉଦ୍ଗିରଣ ହେଲା ପରି ହୃଦୟ ଭିତରୁ ବାହାରି ଆସୁଥାଏ ସ୍ମୃତିର ମାଟିଆ ଅସ୍ପଷ୍ଟ ଡାଇରୀ ପୃଷ୍ଠାର ସାଇତା ଗୋପନ କଥା ତାଙ୍କର । କିବା ବନ୍ଧ ଫଟାଇ ଗାଁରେ ବନ୍ୟାର ନଈ ପାଣି ପ୍ରବଳ ବେଗରେ ମାଡି ଗଲା ପରି ସେ ବହୁଥିଲେ ମୋତେ କୁଟା ଖିଆ ପରି ସାଙ୍ଗରେ ଭସାଇ।


    ସେ କହିଲେ ଜାଣିଛ ଚାରିପାଖ ସବୁ ଲୋକ ଛାଡି ଗଲା ପରେ ନିଜ ପାଖେ କେବଳ ତିନିଟି ଚିଜ ସମ୍ବଳ ହୋଇଯାଏ।ପ୍ରଥମତଃ ଲୁହ।ଏକାନ୍ତ ନିଜର କେବେ ସେ ଅଲଗା ହୁଏନି ନିଜଠୁ ପ୍ରଳୟ ହୋଇଗଲେ ବି ନୁହେଁ।ଦ୍ଵିତୀୟଟି ନିଜ ଭାବନା ,ସ୍ମୃତି ସେ ଚାଲୁଥାଏ ପ୍ରତିକ୍ଷଣେ ଛାଇ ହୋଇ ନିଜ ସହିତ।କେବେ ଆନମନା କରେ , କେବେ ହସାଏ ତ କନ୍ଦାଏ ।ପୁଣି ଝୁରାଏ ପୋତି ପକାଏ କଷ୍ଟ ଦେଇ ମହଣ ମହଣ। ଆଉ କେବେ ମିଠା ମିଠା ମିଠା ଦରଜ ଦେଇ କୁତୁରୁ କାଳିଆ କରେ ହୃଦୟକୁ।ତୃତୀୟଟି ବିଶ୍ୱାସ ଭଗବତ ସତ୍ତା ଉପରେ।ନିହାତି ମଣିଷ ଅସହାୟ ହୋଇ ପଡିଲେ ସବୁ ଛାଡିଦିଏ ଈଶ୍ୱରଙ୍କ ଉପରେ।କାରଣ ହାତ କି କାତ କିଛି ଯେତେବେଳେ ତାର ନପାଏ ଜୀବନ ସାଗରେ ଠିକ ସେତିକି ବେଳ। ଯେମିତି ଆଜି ସେ।


  ସେ ପୁଣି କହିଲେ ଝିଅ "ମୁଁ ଲଭ୍ ମ୍ୟାରେଜ କରିଥିଲି।ବାପା ଭାଇ ଆତ୍ମୀୟ ସମସ୍ତଙ୍କୁ ଛାଡି ଧରିଥିଲି 'ବିଶ୍ୱାସ'ଙ୍କ ହାତ।ସେ କିନ୍ତୁ ବିଶ୍ୱାସ ଘାତକତା କଲେ।ବିବାହର ମାତ୍ର ପାଞ୍ଚ ବର୍ଷ ନ ପୁରୁଣୁ ଦୁଇ କିଡିନ୍ ନଷ୍ଟ ହୋଇଯିବାରୁ ସେ ପାରିକୁ ଚାଲିଗଲେ।ଦେଇ ଯାଇଥିଲେ ଝିଅଟିଏ ତିନି ବର୍ଷର ଓ ପୁଅଟିଏ ସାତ ମାସର।ଲଭ୍ ମ୍ୟାରେଜେ କରିଥିବା ହେତୁ ନା ବାପା ଘର ନା ଶାଶୁଘର ପଚାରିଲେ।କହିଲେ ମରୁ ସମସ୍ତଙ୍କ ମୁହଁରେ କାଳି ବୋଳିଛି। ବୟସ ପଚିଶି। ବାମକାଖରେ ପୁଅ ଓ ଡ଼ାହାଣ ହାତରେ ଝିଅ ହାତଧରି ଚାଲୁଥିଲି ମଝିରେ ମୁଁ 'ନିଶି ଗନ୍ଧା' ଅନ୍ତଃସାର ଶୁନ୍ୟ ନିଃସହାୟ ବିଧବାଟିଏ ସମାଜ ଓ ସଂସାର୍ ବଡ଼ ଦାଣ୍ଡରେ।ସ୍ୱପ୍ନ,ଆଶା ,ଭବିଷ୍ୟ,ଖୁସି,ଆନନ୍ଦକୁ ଗଣ୍ଠିଲି ବାନ୍ଧିପିଠିକୁ ପକାଇଲି।ଆସିଲି ଭୁବନେଶ୍ୱର।


   ଜଣେ ଚିହ୍ନା କକେଇ ମୋତେ ନେଇ ରଖିଦେଲେ ଗୋଟିଏ ଅନାଥ ଆଶ୍ରମରେ।ସେଇ ହେଲା ମୋ ଘର।ମୋ ପିଲାଙ୍କ ଠିକଣା। ସେଠି ମୋତେ ଦେଖା ଶୁଣା କରିବାକୁ ପଡ଼ିଲା କେତେ ଗୁଡିଏ ନିଃସହାୟ ଛୁଆଙ୍କର।ସମସ୍ତେ ଯେମିତି ଲାଗିଲେ ମୋ ନିଜ ଝିଅ ପୁଅ।ଦିନେ କଅଁଳ ଜନ୍ମିତ ଶିଶୁଟିଏ ଉଦ୍ଧାର କରି ଆଣିଥାନ୍ତି ପୋଲିସ୍।ଝିଅ ଛୁଆଟା । ଜୁଳୁଜୁଳୁ ଅନାଉଁଥାଏ।ଭୋକ ହେଉଥାଏ କି କଣ ଖୁବ୍ କାନ୍ଦୁଥାଏ।ମୋର ତ ସାତ ମାସର ପୁଅ ଥାଏ। ମୋ ପୁଅ ଖାଇବା ଭାଗରେ ସେ ଛୁଆଟିକୁ ଭାଗ କରେଇଲି।ଟେକି ନେଇ ଖୁଆଇଲି ମୋ କ୍ଷୀର।ଛୁଆଟି କଣ ବୁଝିଲା କେଜାଣି କରୁଣ ଚାହାଣୀରେ ଚାହିଁ ଓଠକୁ ପାକୁ ପାକୁ କରୁଥାଏ।ଏତକ ଦେଖି ଅନାଥ ଆଶ୍ରମର ବାବୁ ମୋତେ ଖୁବ୍ ଖୁସି ହେଲେ। ଏପରି ଲୋକକୁ ମା କୁହନ୍ତି ବୋଲି ମୋର ତାରିଫ କଲେ।ମୁଁ କିନ୍ତୁ ଭାବିଲି କେଉଁ ଚାଣ୍ଡାଳୁଣୀ ଏପରି କାମ କରିଛି ଅବୈଧ ସମ୍ପର୍କ ରଖି ଦେହର ଭୋକ ମେଣ୍ଟାଇଛି।ଆଉ ଏ ନିରୀହ ଶିଶୁ ? ତାର ଦୋଷ କଣ?କିବା ଝିଅଟିଏ ଭାବି ନିଷ୍ଟୁର କେଉଁ ବାପା କି ମାଆ ଫିଙ୍ଗିଦେଇଛନ୍ତି ଅଳିଆ ଗଦାରେ!!


   ମୋର ସେବା ସରଳ ପଣିଆଁରେ ମୁଗ୍ଧ ହୋଇ ଅନାଥ ଆଶ୍ରମର ବଡ଼ ବାବୁ ମୋତେ ବହୁତ ଭଲ ପାଇଲେ ସମ୍ମାନ କଲେବି।ମୋତେ ଅନାଥ ଆଶ୍ରମର କେୟାର ଟେକର କାମରେ ନିଯୁକ୍ତି ଦେଲେ।ରହିବା ଖାଇବା ପିଇବା ଛାଡି ଦରମା ବି ମିଳିଲା। ପିଲା ଦୁଇଟା ଅନ୍ୟ ପିଲାଙ୍କ ସହ ହସି ଖେଳି ବଢିଲେ।ମୁଁ ବି ନିଜକୁ ସୁରକ୍ଷିତ ମଣିଲି। ମୋତେ ହୋଇଥାଏ ସେତେବେଳେକୁ ଅଣତିରିଶି ବର୍ଷ।ଝିଅଟିକୁ ସାତ ଓ ପୁଅକୁ ତିନି ପୁରି ଚାଲୁଥାଏ ଚାରି। ଅନାଥ ଆଶ୍ରମ ବଡ଼ ବାବୁ ବଦଳି ହୋଇଗଲେ ବରଗଡ଼ କସ୍ତୁରବା ଅନାଥ ଆଶ୍ରମକୁ।ତାଙ୍କ ସ୍ଥାନରେ ଯେ ଆସିଲେ ଆଦୌ ଭଲ ଲୋକ ନଥିଲେ।ମୋ ଉପରେ ତାଙ୍କ କୁଦୃଷ୍ଟି ପଡିଲା। କେତେ ପ୍ରଲୋଭନ ଦେଖାଇଲେ ତାଙ୍କ ସହ ସହବାସ କରିବାକୁ।ମୁଁ ରାଜି ନହେବାରୁ ମୋତେ ଧମକ ଚମକ ବି ଦେଲେ।ଚାକିରୀରୁ କାଢ଼ିଦେବେ ବି କହିଲେ।

"ଏମିତି ରୂପ ଯୌବନ ନେଇ କେଉଁଠି ବଂଚି ପାରିବୁ ଦେଖିବା।ଛାର ବିଧବା ଟା, ଏତେ ଗଉଁ।ସତୀ ଦେଖେଉଛୁ। ତୋର ଯେଉଁ ରୂପ ଯୌବନ ରାତା ରାତି ମାଲା ମାଲ ହୋଇଯିବୁ। ମୋ କଥାରେ ରାଜିହୋଇ ଯା।"ମୁଁ କହିଲି ବାବୁ ଯଦି ମୋ ରୂପ ଯୌବନ ଏତେ ଆକୃଷ୍ଟ କରୁଛି ,ମୋତେ ଉପଭୋଗ କରିବାକୁ ଏତେ ଇଛା ଦେଇ ଦିଅ ପଟେ ନାଲି ଶଙ୍ଖା, ଟିକେ ମଥାର ସିନ୍ଥିରେ ସିନ୍ଦୁର। ହୋଇଯାଅ ମୋ ପିଲା ଦୁଇଟିର ବାପା।ଦିନେ କାହିଁକି ସବୁ କ୍ଷଣ ମୋତେ ଖାଅ କି ଯାହା ଇଚ୍ଛା ତା କର ମୁଁ ଆପତ୍ତି କରିବି ନାହିଁ।ସଜେଇ ଦିଅ ମୋତେ ବିଧବାରୁ ସଧବା ।ମୁଁ ଓ ମୋ ରୂପ ଯୌବନ ଦେହ ମନ ପ୍ରାଣ ସବୁ ତୁମର ହୋଇଯିବ।ହେଲେ ବିଧବା ହୋଇ ସହବାସ କାମରେ ଲିପ୍ତ ହେବା ପାପ ଆଜ୍ଞା।"


   ଗର୍ଜି ଉଠିଲେ ସେ କଣ କହିଲୁ "ହାରାମଜାଦି ତୁ ମୋ ସ୍ତ୍ରୀ ହେବୁ?ସେ ଯୋଗ୍ୟତା ତୋର ଅଛି।ମୋର ପିଲା ସ୍ତ୍ରୀ ସଂସାର୍ ଅଛି।ତୋତେ ନେଇ କଣ କରିବି।ତୋ ପରି ଲୋକ ସଙ୍ଗେ ଶେଜ,ଦେହ ଉଷୁମ କରିହୁଏ ସିନା;ହୁଏନି କିନ୍ତୁ ପରିଚୟ ଦେଇ,ଜୀବନ ସାଥି କରି।ଦେହ ଦେବୁ ପାଉଣା ନେବୁ।"ମୁଁ କହିଲି "ବାବୁ ଆପଣଙ୍କ ସ୍ତ୍ରୀ କୁ ଯଦି ଏଇ ପ୍ରସ୍ତାବ କେହି ଦିଏ ଆପଣ କଣ କରିବେ?" ସେ ଗର୍ଜି ଉଠିଲେ,କହିଲେ ଏତେ ବଡ଼ ସାହସ ଛାର ଗୋଟେ ବିଧବା କେୟାର ଟେକର ତୁ।ମୋ ସ୍ତ୍ରୀ ଆଉ ତୁ!" ବହୁତ ଚର୍ବି ହୋଇଗଲାଣି ,ଦେଖୁଛି ତୋତେ।"


    ସେବେଠୁ ମୋ କାମରେ ସବୁବେଳେ କିଛି ନା କିଛି ଖୁଣ ବାହାର କଲେ।ଖଟେଇ ଖଟେଇ ମାରି ଦେଲେ ମୋତେ।ଶେଷକୁ ମୋ ଉପରେ ପ୍ରତିଶୋଧ ନେବା ପାଇଁ ମୋତେ କାମ ଆଳରେ ଗୋଟିଏ ଅଫିସ୍ କୁ ଫାଇଲି ନେଇ ଦେଇ ଆସିବାକୁ କହିଲେ।ଡ୍ରାଇଭର ନେଇ ପହଞ୍ଚାଇ ଦେଲା ସେ ଅଫିସ୍ ରେ।ହେଲେ ଜାଣିଛ ସେଇଟା ଅଫିସ୍ ନଥିଲା । ମୁଁ ତ ପହଞ୍ଚି ଗଲି ସେଠି।କିନ୍ତୁ ବାହାରିବା ରାସ୍ତା ସବୁ ବନ୍ଦ ହୋଇଗଲା ମୋର। ସେଠାରେ ନିହାତି ଅପରିଚିତ ଦୁନିଆଁ ଟିଏ ମୋତେ ଅପେକ୍ଷା କରିଥିଲା।ମୁଁ ଯଦି ସେମାନଙ୍କ କଥାରେ ରାଜି ନହୁଏ ତାହେଲେ ସେମାନେ ମୋ ଝିଅ ଓ ପୁଅକୁ ମାରି ଦେବେ କହିଲେ।ଆଉ ସେଇଟା ଥିଲା ନାମୀ ସହରର ଦାମୀ ଲଜ୍। ଯେଉଁଠିକୁ ଅତି ଭଦ୍ର ମୁଖା ପିନ୍ଧା ଧନୀ ଲୋକ ମାନେ ଆସନ୍ତି ନାରୀ ଦେହ ସହ ଖେଳ ଖେଳିବାକୁ।ଗଦେଇ ଦିଅନ୍ତି ଟଙ୍କାର ପାହାଡ଼।


    ପ୍ରଥମେ ମୁଁ ସ୍ତବ୍ଧ ହୋଇଗଲି।କଣ ଘଟୁଛି ମୋ ଜୀବନ ସହ।ମୋ ଛୁଆ ଦିଟାଙ୍କ ଭବିଷ୍ୟତ କଣ ହେବ?ମୋତେ ତୁମେ ଘୃଣା କରିପାର,କିନ୍ତୁ ସେଇ ମୁହୂର୍ତ୍ତରୁ ମୁଁ ଗୋଟେ ନିଷ୍ପତ୍ତି ନେଲି ଖେଳାଇ ଖେଳାଇ ମାରିବି ସବୁ ଦେହ ଖିଆ ରାକ୍ଷସଙ୍କୁ।ସେଇ ଦିନଠୁ ନିଶିଗନ୍ଧା ମରିଗଲା।ଜନ୍ମ ନେଲା ନୈଶ ନିଶା।ଦେଖ ମୋ ପେଟର ଚିହ୍ନ।ଯେଉଁଦିନ କେହି ଏ ଦେହକୁ ଝୁଣେ ତାପରେ ମୁଁ ନିଜ ପେଟ କାଟେ ଛୁରୀରେ।ମୋ ପେଟରେ ଯେତିକି ଟି ଦାଗ ସେତିକି ଥର ମୁଁ ବଳାତ୍କାର ହୋଇଛି କାହାର ଭୋକ ସଉକ ମେଣ୍ଟାଇବା ପାଇଁ।ଏହା ବଦଳରେ ସେମାନେ ମୋ ଝିଅ ଓ ପୁଅକୁ ଭଲ ସ୍କୁଲରେ ପଢ଼ାଇ ବଞ୍ଚାଇ ରଖିଥିଲେ। ମୋର ସର୍ତ୍ତ ଥିଲା ପ୍ରତିଦିନ ସେମାନଙ୍କ ସହ କଥା ହେବି ଓ ଦେଖିବି ଭିଡିଓ କଲିଂ ମାଧ୍ୟମରେ। ଏତିକି ଖୁସି ଲାଗେ ଯେ ମୁଁ ଦେହ ବିକି ମୋ ପିଲାଙ୍କୁ ବଞ୍ଚାଉଛି।


    ମରି ମରି ବଞ୍ଚୁଥୁଲି ମୁଁ।ପିଲା ମାନେ ଅଳି କରୁଥିଲେ କଥା ହେଲା ବେଳେ ମା ତୁ କାହିଁକି ଆମ ପାଖକୁ ଆସୁନୁ?ମୋ ଝିଅ'ପିହୁ' ଓ ପୁଅ 'ହୃଦ' ଦିନକୁ ଦିନ ବଢ଼ୁଥିଲେ ଜହ୍ନ ପରି।ଝିଅଟି ମୋଠୁ ଯଥେଷ୍ଟ ସୁନ୍ଦର ଦେଖା ଯାଉଥିଲା। ଭଲ ପଢୁଥିଲା ବି। ତାଙ୍କୁ ସବୁବେଳେ ଗୋଟିଏ କଥା କହୁଥିଲି ତୁମେ ପାଠ ପଢି ଚାକିରୀ କଲେ ମୁଁ ଏଠୁ ଯିବି।ନଲେ ଏମାନେ ମୋତେ ଛାଡିବେନି। ପଇସା ନହେଲେ ପଢିବ କେମିତି,ଖାଇବ କଣ? ପିଲା ଦିଟା ଭାରି ସୁଧାର ବୁଝି ଯାଉଥିଲେ।ଏମିତି କେତେ ଝିଅ ମୋ ପରି ଆସୁଥିଲେ ଏଇ ନର୍କକୁ।ବଡ଼ ଆଶ୍ଚର୍ଯ୍ୟ କିଛି ଝିଅ ନିଜ ଇଚ୍ଛାରେ ଆସନ୍ତି ଏ କଦର୍ଯ୍ୟ କାମ କରିବାକୁ।ଦିଅନ୍ତି ଦେହ ନିଅନ୍ତି ପର୍ସ ଭର୍ତ୍ତି ଟଙ୍କା।


  ମୋତେ କିନ୍ତୁ ମାସେ ପନ୍ଦର ଦିନେ ଥରେ ଖାଉଥିଲା ଆଶ୍ରମର ବଡ ବାବୁ।ଦିନେ କିନ୍ତୁ ମୋତେ ଚମକାଇ ଦେଇ କହିଲା ଏ କୋଠିରେ ଯେତେ ଅଛନ୍ତି ସବୁଠାରୁ ତୋ ସଂଗ ସମସ୍ତ ଙ୍କୁ ଖୁସି ଦିଏ ।ଆଉ ଅପେକ୍ଷା କର ଗୋଟେ ବଡ଼ ସର୍ ପ୍ରାଇଜ୍ ଟେ ତୋତେ ଦେବି ।ମୁଁ ଭାବିଲି ତୁ ଚଣ୍ଡାଳ ଯେବେ ମୋ ଦେହ ଛୁଉଁ ସେଇଟା କଣ କମ୍ ସରପ୍ରାଇଜ୍ ଦିଏ କି!ଆହୁରି କିଛି ସରପ୍ରାଇଜ ଦେବୁ!!କିନ୍ତୁ ତା ସରପ୍ରାଇଜ୍ ଟି ଏପରି ସରପ୍ରାଇଜ୍ ହେବ ମୁଁ ଜାଣି ନଥିଲି।ମୋ ଝିଅ ଦଶମରେ ପଢୁଥାଏ।ଚାଲେ ଆଜି ତୋ ମା ସହ ଦେଖା କରିବୁ କହି ଏଇ କୋଠିକୁ ଅଣା ଯାଇଥିଲା ମୋ ଅଜ୍ଞାତରେ।ସେଦିନ ପଚାଶ ହଜାର ଟଙ୍କାର ଗୋଟିଏ ଗରାଖ ଆସିଥାଏ।ମୁଁ ବୁଝି ପାରିଲି ନାହିଁ କାହା ସୁନ୍ଦରୀ ନୟନ ପ୍ରତିମା ଆଜି ବଳି ପଡିବ ସୁଦୁ ପଚାଶ ବର୍ଷର ବୁଢା କିନ୍ତୁ ନିହାତି କ୍ଷମତା ଓ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ପାଖରେ।ଠିକ୍ ରାତି ବାରରେ ଚିତ୍କାର ଶୁଭିଲା ନା. ନା.. ମରି ଗଲି, ବଞ୍ଚାଅ ବଞ୍ଚାଅ, ମା ଆଆ.. ମା ଆ ..!!


  ମୋ ଦେହରେ ବିଜୁଳି ଖେଳିଗଲା ସେଇ ଆକୁଳ ମା ଡାକରେ।ନିଜକୁ ସମ୍ଭାଳି ପାରିଲି ନାହିଁ। କଣ କରିବି କଣ ନ କରିବି ବୁଝି ପାରିଲି ନାହିଁ।ଆଶ୍ରମ ବଡ଼ ବାବୁକୁ ମାରିବା ପାଇଁ ସୁଯୋଗ ଅପେକ୍ଷାରେ ଗୋଟେ କଟୁରି ପଜେଇ ରଖିଥିଲି ।ସେଇଟିକୁ ନେଇ ଧାଇଁଲି ଚିତ୍କାର ଶୁଭୁଥିବା ରୁମ୍ ଆଡକୁ। ଅଟକାଇଲା ଘରର ଦୁଆର ମୁହଁ ଜଗିଥିବା କବୀର।


    ଝିଅଟିର କରୁଣ ଚିତ୍କାର ମୋତେ ଚହଲାଇ ଦେଉଥିଲା।ଦେଲି ବେକକୁ ଗୋଟିଏ ଚୋଟ।ମୁଣ୍ଡ ଠାରୁ ଗଣ୍ଡି ଏକାଥରେ ଅଲଗା ହୋଇଗଲା। କବୀର ର ମୁଣ୍ଡ ଓ ଗଣ୍ଡି ଛଟ ଛଟ ହୋଇ ସ୍ଥିର ହୋଇଗଲା।କି ଶବ୍ଦ ହେଉଛି ଶୁଣି ଆଉ ଗୋଟେ ଘରୁ ବାହାରି ଆସିଲା ଆଶ୍ରମର ବଡ଼ ବାବୁ।ଟଳୁଥିଲା ନିଶାରେ।ମୋତେ ଧରିବାକୁ ଚେଷ୍ଟା କଲା।ନିଜେ ଠିଆ ହୋଇ ପାରୁ ନଥିଲା ନିଶାରେ।ଅପେକ୍ଷା କରିଥିଲା ପଚାଶ ବର୍ଷ ବୁଢା ପରେ ଝୁଣି ଥାନ୍ତା କଅଁଳ କାହାର ନୟନ ପିତୁଳାକୁ।ଦେହରେ ଅତର,ମୁହଁରେ ମଦର ଗନ୍ଧ,ହାତରେ ରଜନୀ ଗନ୍ଧା ହାର ବନ୍ଧା।ମୁଁ ରୋକି ପାରିଲି ନାହିଁ ନିଜକୁ।ପ୍ରତିଶୋଧ ନିଆଁ ଜଳୁଥିଲା ମୋ ଭିତରେ ହୁ ହୁ।


ମୁଁ ସେତେବେଳେକୁ ହୋଇ ଯାଇଥିଲି ଚଣ୍ଡୀ।ପକେଇଲେ କଟୁରିରେ ଶକ୍ତ ଚୋଟେ। ହାଣିଲି କଂସେଇ ଯେମିତି ଛେଳି ହାଣେ। ତା ବେକ ହାତ ,ଗୋଡ଼ ପେଟ ଉପରେ ଦେଲି ଚୋଟ ପରେ ଚୋଟ।ମୋ ମନରେ ଯେତେ ଥିଲା ରାଗ।ଯେତେ ଜଣକୁ ମୋତେ ସେ କୁକୁର ପରି ଝୁଣି ଖାଇବା କୁ ପଠାଇଥିଲା।ହାଣିଲି ତାକୁ ଗଣି ଗଣି ସେତିକି ଥର।କବାଟ ଖୋଲି ଦେଖେତ ସେ ପଚାଶ ବର୍ଷ ବୁଢାଟି ହାମୁଡ଼ି ପଡିଛି ଛୁଆଟା ଉପରେ।ଛୁଆଟା ଚେଷ୍ଟା କରୁଛି ନିଜକୁ ବଞ୍ଚେବାକୁ ମାଆ ମାଆ ବିକଳ ରଡି କରି କରି।ପକେଇଲି ସବୁ ବଳ ଖଟାଇ ତା ପିଟିକୁ ଚୋଟେ। ହାଣିଲି.. ହାଣିଲି.. ହାଣିଲି.. କେବଳ ହାଣି ଚାଲିଲି। ଖଣ୍ଡ ଖଣ୍ଡ ହୋଇଗଲା ତା ଶରୀର ।ଯେତେ ଶକ୍ତି ସାମର୍ଥ୍ୟ ଥିଲା ମୋ ଭିତରେ। ପଜେଇ ରଖିଥିବା ଧାରୁଆ କଟୁରିରେ ହାଣିଲା ବେଳେ ମୋତେ ଟିକେ ବି ଡର ଲାଗିଲା ନାହିଁ।ବରଂ ଗୋଟିଏ ଆତ୍ମ ତୃପ୍ତି ମୋତେ ଜାବୁଡି ଧରିଥିଲା। ତିନି ତିନି ଟା ମଣିଷ ମାରି ଯେତିକି କଷ୍ଟ ଲାଗିନଥିଲା ଗୋଟିଏ କଣ ରେ ଠିଆ ହୋଇ ଥରୁଥିବା ଝିଅଟିକୁ ଦେଖି ତାଠୁ ଢେର କଷ୍ଟ ଲାଗିଲା। ଜାଣିଛ ସେ ଝିଅ କିଏ ଥିଲା??ସେ ଝିଅ ଆଉ କେହି ନଥିଲା,ଥିଲା ମୋ ସୁନା କଣ୍ଢେଉ ପିହୁ ଥିଲା।ଏଇ ସାର୍ ପ୍ରାଇଜ୍ ଦେବ ବୋଲି ବୋଧେ ବଡବାବୁ ମୋତେ କହୁଥିଲା।ସତରେ ମୋତେ ମାତ୍ରାଧିକ ସାର୍ ପ୍ରାଇଜ୍ କରିଦେଲା ରାକ୍ଷସ।ତାକୁ ମାରିଥିବାରୁ ମୋତେ ଅତି ଆନନ୍ଦ ଲାଗିଲା।ପିହୁ ମୋ ଜୀବନ ଧନକୁ କୋଳରେ ଜାକି ବହେ କାନ୍ଦିଲି।ସେ ଭୟରେ କାନ୍ଦି ବି ପାରୁ ନଥାଏ।ଭାଗ୍ୟ ଭଲ ଅକ୍ଷତ ଥିଲା ମୋ ଝିଅ।ଡ୍ରେସ ପତ୍ର ଚିରା ଚିରି ହୋଇଛି ଯାହା।ତାକୁ ଚୁପ୍ କରି ଜଣେ ବିଶ୍ୱସ୍ତ ରୋଷେଇଆ ଶିବୁ ମଉସା ହାତରେ ଆଶ୍ରମ ପଠେଇ ଦେଲି ଏବଂ ପୋଲିସ୍ କୁ ଫୋନ୍ କଲି ।ପର୍ଦା ଫାସ ହୋଇଗଲା ଏ ସହରର ସବୁଠାରୁ ବିଖ୍ୟାତ ଲଜ୍।ସିଜ୍ ହେଲା ବି ସେଇଟି।


    ସେବେଠୁ ମୁଁ ଏଇ ଜେଲ୍ ରେ କଏଦୀ ନମ୍ବର ତିନିଶହ ସାତ। ମୋ ଝିଅ ଏବେ ବ୍ୟାଙ୍କରେ କାର୍ଯ୍ୟରତ ଓ ପୁଅ ହୃଦ ଜଣେ ମାଜିଷ୍ଟ୍ରେଟ।ମୁଁ ବଂଚିଛି ବୋଲି ଝିଅ ଜାଣେ ଆସେ ବି ଦେଖା କରିବାକୁ ତା ସ୍ବାମୀ ପିଲାଙ୍କୁ ନ କହି।ଢେର କାନ୍ଦେ। ପୁଅ କିନ୍ତୁ ଜାଣିଛି ମୁଁ ମରି ଯାଇଛି।ଏପରି କହିବାକୁ ମୁଁ ଝିଅକୁ କହିଥିଲି।କାରଣ ପୁଅ ତ ସତ କଣ ଜାଣିନି।ଯେତେ ବେଳେ ଜାଣିବ ତା ମା ଜଣେ ଦେହ ବ୍ୟବସାୟୀ ଓ ତିନି ତିନି ଟା ମଣିଷର ହତ୍ୟାକାରୀ ସେ କଣ ଭାବିବ!! ସମାଜରେ ମୁଣ୍ଡ ଟେକି ଚାଲିପାରିବ ନାହିଁ।ପୁଅ ମୋତେ ଭଲ ନ ପାଉ ପଛେ ତା ଘୃଣା ମୋର ଅସହ୍ୟ ହେବ।ବରଂ ଭଲ ସେ ଜାଣୁ ଯେ ତା ମା ମରି ଯାଇଛି। ବାସ୍ ଏଇ ମୋ ଜୀବନ ଆଜୀବନ କାରାଦଣ୍ଡରେ ଦଣ୍ଡିତ ନିଶି ଗନ୍ଧା ଓରଫ ନୈଶ ନିଶା ସୁନ୍ଦରୀର ଜୀବନ କାହାଣୀ।ଆଉ କଣ ପଚାରିବେ ଆଜ୍ଞା?


   ମୁଁ ରିଟା ମିଶ୍ର ଜଣେ ବିଖ୍ୟାତ ନିୟୁଜ ରିପୋର୍ଟର ଯାଇଥିଲି ସାକ୍ଷାତକାର ନେବାକୁ ବାଷଠି ବର୍ଷ ମହିଳା ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ ନୈଶ ନିଶା ସୁନ୍ଦରୀ କଏଦୀ ନମ୍ବର ତିନି ଶହ ସାତ ପୁରୁଷ ନିଦ ହଜାଉଥିଲା ଯେ ଦିନେ ଆଉ ଯିଏ ସଇଁତିରିଶ ବର୍ଷ ବୟସରେ ଯେ ତିନି ତିନି ଜଣ ମଣିଷ ଙ୍କୁ କଟୁରିରେ ହାଣି ହାଣି ଟିକି ଟିକି କରି ମାରିଥିବାରୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ।ନିଶି ଗନ୍ଧାରୁ ନୈଶ ନିଶା ସୁନ୍ଦରୀ କାହାଣୀ ଶୁଣି ହୃଦୟଟି ବହୁତ ଓଜନ ଲାଗିଲା ମୋର।। ତାପର ଦିନ ନିୟୁଜ ଚ୍ୟାନେଲର ପ୍ରସାରିତ ହେଉଥିଲା ନୈଶ ନିଶା ସୁନ୍ଦରୀରର ମର୍ମନ୍ତୁଦ ଜୀବନ କାହାଣୀ।



Rate this content
Log in

Similar oriya story from Tragedy