Padmalaya Padhy

Tragedy

3  

Padmalaya Padhy

Tragedy

ନାରୀ

ନାରୀ

7 mins
234


ସୁଖ ଓ ଦୁଃଖ କେଉଁଟି ହେଲେ ଚିରସ୍ଥାୟୀ ନୁହେଁ ବୋଲି କୁହାଯାଉଥିଲେ ବି ସୁଖ ବୋଧହୁଏ ଅଳ୍ପ ସମୟ ରହେ ଏବଂ ମଣିଷକୁ ନିଶାସକ୍ତ କରି ଲୁଚକାଳି ଖେଳିଲା ପରି ଆଖି ପିଛୁଳାକେ ପଳାଇଯାଏ ଓ ଦୁଃଖ ରହିଯାଏ ନିଶ୍ଚଳ ଅଡୁଆ ସୂତା ପରି ଦେହ ସାରା ଲଟପଟ ହୋଇ ଗୁଡେଇ ତୁଡେଇ ମଣିଷକୁ ଅଣନିଃଶ୍ୱାସୀ କରିବା ପାଇଁ ଗୋଟିଏ ପରେ ଆଉ ଗୋଟିଏ l ସେମିତି କିଛି ହୋଇଥିଲା ସରିତାର ଜୀବନରେ l


ମନେ ପଡୁଛି ଜିତୁକୁ ବାହା ହେଲା ପରେ କଡା ଖଇର ମିଶା ପାନ ଖାଇ ସେଦିନ ସିନେମା ହଲରେ ଜିତୁ ସାଙ୍ଗରେ ତାର ପ୍ରଥମ ସିନେମା ଦେଖା ଏବଂ ଅଧାରୁ ପାନ ଛେପ ପକାଇବା ପାଇଁ ଜାଗା ଖୋଜା ସ୍ୱପ୍ନ ଭଳି ଲାଗେ l ସେ ତ ପୁରା ଡରି ଯାଇଥିଲା ଯେ ଜିତୁ ତା ଉପରେ ବିରକ୍ତ ହେବ ବୋଲି ମାତ୍ର ଜିତୁ ଟିକିଏ ବି ରାଗି ନଥିଲା l ଖାଲି ଏତିକି କହି ଥିଲା l


--ଆଲୋ ବାୟାଣୀ ଆଜି ଯାହା ତୋତେ ସ୍ୱର୍ଗ ସୁଖ ଦେଉଛି କାଲି ସେଇ ଜିନିଷ ତୋତେ ଯମ ଯନ୍ତ୍ରଣା ନ ଦେଉ l କଡା ପାନ ଏତେ ଖାଆନ୍ତି ନାହିଁ l


ସତ କଥା କହିଥିଲା ଜିତୁ l ଆଜି ଯାହା ସ୍ୱର୍ଗ ସୁଖ କାଲି ତାହା ନର୍କକୁ ଠେଲି ଦେବ ଓ ନିଜେ ଜିତୁ ହିଁ ତାହା ପ୍ରମାଣ କରି ଦେଖାଇ ଦେଇଥିଲା l ବାହାଘରର ପ୍ରଥମ କେତେ ଦିନ ସବୁ କିଛି ଠିକ ଠାକ ଚାଲିଥିଲା ସେମାନଙ୍କ ଭିତରେ l ନବ ବିବାହିତା ବୋଲି ସରିତା କେବେ ବି ଛୋପରା ହେଇନାହିଁ l ଭଉଣୀମାନଙ୍କର ଲକ୍ଷେ ପ୍ରରୋଚନା ସତ୍ତ୍ୱେ ବିଧବା ଶାଶୁଙ୍କ ଯତ୍ନରେ କେବେ ବି ଅବହେଳା କରିନାହିଁ ସେ l


ଯଦିଓ ତାର ଉପର ଦୁଇ ଭଉଣୀ ଶାଶୁ ଶଶୁରଙ୍କ ସହିତ ଛାଡ଼ବାଡ଼ ହୋଇ ଅଲଗା ରହିଛନ୍ତି ନିଜ ସ୍ୱାମୀମାନଙ୍କ ସାଙ୍ଗରେ l ସରିତାର ବିବେକ କେବେ ବି ତାହା ଚାହିଁ ନଥିଲା l କାଲି ଯଦି ସରିତାର ପୁଅଟିଏ ହୁଏ ଓ ସେ ବି ବଡ଼ ହେବା ପରେ ଯଦି… l ଲାଜେଇ ଯାଇଥିଲା ସରିତା l ଛି ଛି କଣ ଭାବୁଛି ସେ l ଲାଜ ସରମ ପୋଡି ଖାଇଲାଣି l


ବିବାହର ତିନି ବର୍ଷ କେମିତି ନା କଟିଗଲା ଜଣା ପଡିଲା ନାହିଁ l

ଧୀରେ ଧୀରେ ଗୋଟିଏ ଅଭାବ ଛୋଟରୁ ବଡ଼ ଆକାର ଧାରଣ କରିବାକୁ ଲାଗିଲା l ଏତେ ବିରାଟ ହୋଇଗଲା ଯେ ଏକା ବେଳକେ ତାହା ସେମାନଙ୍କ ବୈବାହିକ ଜୀବନକୁ ଛାରଖାର କରି ଦେଇଥିଲା l ସରିତାର ମାତୃତ୍ୱ ପ୍ରାପ୍ତି ହୋଇନାହିଁ l ତିନି ବର୍ଷ ହେଲାଣି ସରିତା ତ ଏ ପର୍ଯ୍ୟନ୍ତ ମାଆ ହୋଇ ପାରିନାହିଁ ? ଆରେ ହଁ ତ ଜିତୁ ବି କେମିତି ମଣିଷ କେଜାଣି କଣ ବାପା ହେବାର ସୁଖ ଦରକାର ନାହିଁ କି ତାକୁ ?


ସରିତାର ଶାଶୁଙ୍କ ବୁଲେଇ ବଙ୍କେଇ କହିବା ପ୍ରଥମେ ସରିତାକୁ ଅବୁଝା ହେଲେ ବି ଧୀରେ ଧୀରେ ସବୁ ବୁଝି ହେଉଥିଲା l କେମିତି ବନ୍ଧ୍ୟା ନାରୀର ମୃତ୍ୟୁ ପରେ ନର୍କ ବାସ ହୁଏ, କେମିତି ସକାଳୁ ଉଠି ବନ୍ଧ୍ୟା ନାରୀର ମୁଖ ଦର୍ଶନ କଲେ ଦିନଯାକ ଅମଙ୍ଗଳ ମାଡିଆସେ ଇତ୍ୟାଦି ଖୁଣ୍ଟା କେବଳ ସରିତାକୁ କଷ୍ଟ ଦେଉ ନଥିଲା ଜିତୁର ମନ ଭିତରେ ଦୁକୁ ଦୁକୁ ହୋଇ ଜଳୁଥିବା ନିଆଁରେ ମଧ୍ୟ ଘିଅ ପକାଇବାର କାମ କରୁଥିଲା l


କେତେ ଡାକ୍ତର କେତେ ଓଷଦ କିଛି ବି ସୁଫଳ ଦେଲା ନାହିଁ l ସମସ୍ତେ କହିଲେ ସରିତା ସମ୍ପୂର୍ଣ୍ଣ ସୁସ୍ଥ ଅଛି l ତେଣୁ ଭଗବାନ ହିଁ ଭରସା ଏବଂ ସେ ଚାହିଁଲେ ହିଁ ସରିତାର ଭାଗ୍ୟ ଫିଟିବ l ସରିତାର ଭାଗ୍ୟ ଫିଟୁ ବା ନ ଫିଟୁ, ଜିତୁ କିନ୍ତୁ ନିଜର ଭାଗ୍ୟକୁ ଅନ୍ୟତ୍ର ପରୀକ୍ଷା କରିବାକୁ ଏ ଭିତରେ ପ୍ରସ୍ତୁତ ହେଉଥିଲା l


--ଶୁଣ ଏ ବର୍ଷ ପ୍ରବଳ ତାତି l ଦେଖ ନା କେମିତି ବାହାରକୁ ଚାହିଁ ବି ହେଉନାହିଁ l ମୁଁ କଣ କହୁଥିଲି କି ଗୋଟେ ଏ.ସି. ଆଣିଲେ କେମିତି ହୁଅନ୍ତା କହିଲ l

--ହଁ ହଁ ଗରମ ତ ହେବ ନା ! ଦିନ ସାରା ଝରକା ବାଟେ ପରପୁରୁଷଙ୍କୁ ଦେଖି ଦେଖି ଚକ୍ଷୁ ପବିତ୍ର କଲେ ଆଉ କଣ ହେବ ? 


ଏହା ଥିଲା ଜିତୁର ସରିତା ପ୍ରତି ପ୍ରଥମ ଆକ୍ଷେପ l ଏହା ପରେ ଆକ୍ଷେପ ଗୁଡିକ ନିତିଦିନିଆ ହୋଇ ଯାଇଥିଲା ଯାହାକୁ ସରିତା ସହିବାକୁ ବାଧ୍ୟ ହେଉଥିଲା କାରଣ ସେ ନିଃସନ୍ତାନ l ଜିତୁକୁ ସେ ଅବା କଣ ଦେଇ ପାରିଛି l କିନ୍ତୁ ତାର ତ କିଛି ଦୋଷ ନାହିଁ ବୋଲି ଡକ୍ଟର କହିଲେ l ଜିତୁର ହୁଏତ କିଛି ଥାଇପାରେ l ଜିତୁକୁ କହିବକି ଯାଇ ଚେକ ଅପ କରି ଆସିବା ପାଇଁ ? ନାହିଁ ନାହିଁ ଥାଉ l ତାର ପିଲାଛୁଆ ଦରକାର ନାହିଁ ହେଲେ ଜିତୁକୁ ଅସନ୍ତୁଷ୍ଟ କରି ପାରିବ ନାହିଁ l ପିଲାଛୁଆ ନହେଲେ ନାହିଁ କିନ୍ତୁ ଜିତୁକୁ ଛାଡି ସେ କଣ ବଞ୍ଚି ପାରିବ ? 


ସେଦିନ କିନ୍ତୁ ବର୍ବରତାର ସମସ୍ତ ସୀମା ପାର କରି ଦେଇଥିଲା ଜିତୁ ଯେତେବେଳେ କହିଥିଲା


--ଭଗବାନ ତୋତେ ସନ୍ତାନ ଦେଇ ନାହାନ୍ତି କାହିଁକି ଜାଣୁ ? ପର ପୁରୁଷଙ୍କୁ ଦେଖି ଏଭଳି ଲୋଭେଇବାରୁ ଏହା ତୋର କର୍ମଫଳ ! ଭୋଗେ ଏଥର !


ଦିନବେଳା ଝରକା ପାଖରେ ଯାଇ ବସିବା ସରିତାର ଗୋଟିଏ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା ଓ ପରିଶେଷରେ ସେ ତାହାକୁ ସବୁ ଦିନ ପାଇଁ ଛାଡିବାକୁ ବାଧ୍ୟ ହୋଇଥିଲା ଏଇଥପାଇଁ ଯେ ଜିତୁ କେମିତି ତାଆର ହୋଇ ରହୁ l କିନ୍ତୁ ଜିତୁ ତ କେବେଠାରୁ ଅଲଗା ସଂସାରର ସ୍ୱପ୍ନ ଦେଖି ଚାଲିଥିଲା l


ଯେଉଁ ଶାଶୁକୁ ମାଆର ଦ୍ଵିତୀୟ ଅବତାର ବୋଲି ମାତୃହୀନା ସରିତା ଆଜି ଯାଏଁ ଭାବି ଆସୁଥିଲା ଶେଷରେ ସେ ହିଁ ଜିତୁ ଓ ସରିତାକୁ ଅଲଗା କରିବା ପାଇଁ ବ୍ୟୂହ ରଚନା କଲେ l ପରିଶେଷରେ ଶାଶୁ ମାଆ ସଫଳତାର ସହିତ ସରିତା ଓ ଜିତୁକୁ ଛାଡ଼ପତ୍ର କରାଇ ଜିତୁର ଦ୍ଵିତୀୟ ବିବାହ କରାଇଥିଲେ ନିଜ ମନ ପସନ୍ଦର ଝିଅଟି ସହିତ l


xxxxxxxxxxxxxxxxxxxxxxxxxxxxxxxx


ସରିତାର ସଂସାର ତ ଜିତୁମୟ ଥିଲା l ଯୁଆଡେ ଦେଖିଲେ ଜିତୁ ହିଁ ଜିତୁ l ଜିତୁ ବିନା ବଞ୍ଚିବାକୁ ହେବ ବୋଲି ସେ ସ୍ୱପ୍ନରେ ବି ଭାବି ନଥିଲା l ପିଲାଛୁଆର ଲୋଭ ଠାରୁ ଜିତୁ ପ୍ରତି ତାର ଅତି ମାତ୍ରାରେ ଲୋଭ ଓ ଆସକ୍ତି ଅଥଚ ସେଇ ଜିତୁ ଆଜି… l ଯେତେବେଳେ ଡିଭୋର୍ସ ହୋଇ ଦୁହେଁ ଅଲଗା ହୋଇଗଲେ କେତେଥର ସରିତା ଭାବି ଥିବ ଆତ୍ମହତ୍ୟା କରିବା ପାଇଁ l କିନ୍ତୁ ପ୍ରତି ଥର ମାଆ ସରସ୍ୱତୀ କଣ୍ଠରେ ବସନ୍ତି ଓ ପଛଘୁଞ୍ଚା ଦିଏ କାହିଁକିନା ଡର ମାଡ଼େ ଏସବୁ କରିବାକୁ l


ସମୟ କାହାକୁ ଅପେକ୍ଷା କରେ ନାହିଁ l କେହି କାହା ବିନା ଭାସି ଯିବାର ଦୃଷ୍ଟାନ୍ତ ନାହିଁ l କେତେ ଅଣନିଃଶ୍ୱାସୀ ହୋଇ ଛଟପଟ ହେଲେବି ମଣିଷର ବଞ୍ଚିବାର ସ୍ପୃହା ପ୍ରବଳ l କେଉଁଠୁ ନା କେଉଁଠୁ ଜୀବନୀ ଶକ୍ତି କାଣିଚାଏ ମିଳିଯାଏ ଏବଂ ବଞ୍ଚିବାର ଇଚ୍ଛା ପୁନର୍ବାର ଜାଗ୍ରତ ହୁଏ l ପୁନର୍ବାର ବଞ୍ଚିବାର ଇଚ୍ଛା ଅଣ୍ଟା ସଳଖି ଠିଆ ହେବାର ଅଦମ୍ୟ ସାହସ ଯୋଗୁଁ ଜଣେ ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ଗୋଟିଏ ସମ୍ବାଦପତ୍ର ଅଫିସରେ ଡାଟା ଏଣ୍ଟ୍ରି ଅପରେଟରର ଚାକିରୀ ଖଣ୍ଡେ ମିଳି ଯାଇଥିଲା ତାକୁ l ଯାହେଉ ଭଉଣୀ ମାନଙ୍କ ଉପରେ ବୋଝ ହେବାକୁ ପଡ଼ିନାହିଁ l 


ନହେଲେ ସେମାନେ ବି ଖୁଣ୍ଟା ଦେବା ଆରମ୍ଭ କରିଥାନ୍ତେ l ସ୍ୱାମୀ ଛାଡିଦେଲେ ସ୍ତ୍ରୀର ଭୁଲ ତଥା ସ୍ତ୍ରୀ ସ୍ୱାମୀକୁ ଛାଡିଦେଲେ ବି ସ୍ତ୍ରୀର ହିଁ ଭୁଲ l ଛୁଆ ପିଲା ନହୋଇ ପାରିଲେ ସ୍ତ୍ରୀର ଦୋଷ ପିଲା ଅବାଟରେ ଗଲେ ବି ମାଆର ହିଁ ଭୁଲ l ବୈବାହିକ ଜୀବନ ଠିକଠାକ ନ ଚାଲିଲେ କଣ ନା - ମାଆ କିଛି ସଣ୍ଠଣା ଶିଖାଇ ନାହିଁ ପୁଣି ଯଦି ସମସ୍ତଙ୍କର ମନ ଜିତିଗଲା ତେବେ -ବାପ ଘର ଲୋକ କି ମନ୍ତ୍ର ଫୁଙ୍କୁଛନ୍ତି ନା ନହେଲେ… l ଧର୍ଷଣ ହେଲେ ଧର୍ଷିତାର ଭୁଲ, କାରଣ ଏତେ ଝିଅ ଥାଉ ଥାଉ ସେ ହିଁ କାହିଁକି ଶିକାର ହେଲା ? ତାର କିଛି ଦୁର୍ଗୁଣ ଥିବ ନା l ପୁଣି ଯିଏ ନିଜକୁ ସୁରକ୍ଷା ଦେଇ ଧର୍ଷଣକାରୀକୁ ମାତ ଦେଲା ତା ପାଖେ ସ୍ତ୍ରୀ ସୁଲଭ ଗୁଣର ଅଭାବ l ସମାଜର ନୀତି ନିୟମଗୁଡିକ ଖଣ୍ଡା ଭଳି ନାରୀଟିର ମୁଣ୍ଡ ଉପରେ ଅହରହ ଝୁଲୁ ଥାଏ କେବଳ ଖସିପଡି ଲହୁଲୁହାଣ କରିବା ପାଇଁ l


ଏତେ ସବୁ ଦୁର୍ଦ୍ଦିନ ଭିତରେ ବି ବିଧାତାଙ୍କ ବିଧାନ ତ ଦେଖ l ଯେ ନିରୀହ, ସଳଖ ସରଳ ପୁଣି ବାକଚାତୁରୀ ନଜାଣିବାରୁ ନେଇ ଆଣି ଥୋଇ ପାରେନା ତାର କପାଳରେ ହିଁ ଦୁର୍ଭାଗ୍ୟ ଗୁଡିକ ଧାଡି ଧାଡି ଲେଖା ହୋଇଥିବ l ଯେ ଚାଲୁ, ଲାସ୍ୟମୟୀ, କଥା କଥାରେ ରସେଇ ମଜେଇ ଜାଣେ, ଛନ୍ଦ କପଟ ସବୁ ତା ହାତ ମୁଠାରେ, ସେ ଏ ଦୁନିଆକୁ ଆଙ୍ଗୁଠି ଅଗରେ ନଚେଇ ଥାଏ l ଧନ୍ୟ ହେ ବିଧାତା ଧନ୍ୟ ତୁମ ରୀତି ନୀତି !  


ସରିତା ଉପରେ ବହୁତ କିଛି ବିତି ଯାଇଛି ସତ ହେଲେ ସେ କଡା ପାନ ଆଜି ବି ଛାଡି ପାରି ନାହିଁ l ଅଫିସରୁ ଫେରିଲା ବାଟରେ ଦିନକୁ ଗୋଟିଏ ପାନ ଯେମିତି ହେଲେ ଖାଇବ ସେ l ଜିତୁ ଗଲା ପରଠାରୁ ଖଇର ବ୍ୟବହାର ଆଉ କରୁନାହିଁ l ଆଉ କାହିଁକି ନା ଭଲ ଲାଗୁନି l ଜୀବନଟା ତ ରଙ୍ଗହୀନ ଖଇର କଣ ତା ଜୀବନର ରଙ୍ଗ ଫେରାଇ ଆଣିବ କି ? ଖଇର ଦେଖିଲେ ଆଜି ବି ଜିତୁ କଥା ମନେ ପଡେ l ଏକୁଟିଆ ଲାଗେ ଓ ଗୁଡ଼ାଏ କାନ୍ଦିଲା ପରେ ଅନ୍ତର ବେଦନା କିଛିଟା ଉପଶମ ହୁଏ ଓ ଶାନ୍ତି ଲାଗେ l 


ସେଦିନ ଦାମା ସାହୁ ଦୋକାନରୁ ପାନଟିଏ ବରାଦ କରି ବ୍ୟାଗରୁ ରେଜା ବାହାର କଲା ବେଳେ ହଠାତ କାହା ଡାକରେ ଚମକି ପଡିଲା l ପ୍ରାୟ ଛଅ ବର୍ଷ ହେଲା ସେଇ ଡାକ ଶୁଣିନାହିଁ l


--ଖଇର ଦେବନି ତୋତେ ? ଖାଉନୁ କି ଆଜିକାଲି ଆଉ ?

କିଏ ଥିଲା ଜିତୁ ତ l ହଁ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଯାହାର ହାତ ଧରିଥିଲା ତାକୁ ଚିହ୍ନିବାରେ ଭୁଲ ହେବନି l


--ଆଉ କେମିତି ଅଛ ? ତୁମ ସ୍ତ୍ରୀ ଓ ପିଲାମାନେ ସବୁ ଭଲ ତ ? ବହୁତ କଷ୍ଟରେ ଲୁହ ଗୁଡିକ ଚାପି ଧରି ରଖିଥିଲା ସରିତା l ମନ ହେଉଥିଲା ଜିତୁକୁ କୁଣ୍ଢାଇ ଧରି ସବୁ ଯାକ ଲୁହ ଆଜି ହିଁ ସାରିଦେବ l ହେଲେ.. ନା..ସେ କାନ୍ଦିବ ନାହିଁ l ପୋଡ଼ିଗଲା ତିଅଣରେ କି ସୁଆଦ l 


--କଣ କହିବି ତୋତେ ଆଉ ? ବାହା ହେଲି ଝିଅଟିଏ ହେଲା l ଗୋଟିଏ ବୋଲି ଝିଅ ସେ ପୁଣି ମାନସିକ ଅନଗ୍ରସର l କଥା କହି ପାରୁ ନାହିଁ କି ବୁଝି ପାରୁ ନାହିଁ l ସେଇ ଚିନ୍ତା କରି କରି ବୋଉ ଚାରି ବର୍ଷ ହେଲା ଆରପାରିରେ l ଝିଅଟି ମେଣ୍ଟାଲି ରିଟାର୍ଡେଡ଼ ହେବା କଣ ମୋ ଦୋଷ କି ତୁ ହିଁ କହ l ସେଥିଲାଗି ମୋତେ ଦୋଷାରୋପ କରି ତା ମାଆ ଛାଡ଼ପତ୍ର ଦେଇ ଚାଲିଗଲା l


--ସେ ପୁଣି ଗର୍ଭବତୀ ଥିଲାବେଳେ ତାର ଉଚିତ ଯତ୍ନ ମୁଁ ନେଇ ନପାରିବାରୁ ତାର ଏଭଳି ସନ୍ତାନ ଜନ୍ମିଲା l ଯେଉଁ ଝିଅକୁ ଜନ୍ମ କରିଥିଲା ତାକୁ ବୋଝ ବୋଲି ଭାବି ଆଡ଼ ଆଖିରେ ବି ଚାହିଁଲା ନାହିଁ l ଝିଅକୁ ଧରି ବହୁତ ହଇରାଣ ହେଉଛି ମୁଁ l କାନ୍ଦ କାନ୍ଦ ହୋଇ ଯାଇଥିଲା ଜିତୁ l


--ଓଃ ! ସରି l ମୁଁ ଜାଣି ନଥିଲି l ହଉ ମୁଁ ଆସୁଛି ତେବେ l ସରିତା ଯିବାକୁ ଉଦ୍ୟତ ହେଲା l


--ଶୁଣ ସରିତା l ମୁଁ ତୋର ଦୋଷୀ l ମୋତେ କ୍ଷମା କରିଦେ l କେତେ ଥର ଭାବିଛି ତୋ ସହ ଦେଖା କରିବା ପାଇଁ ହେଲେ ସାହସ ହୋଇନାହିଁ l ଯାହା ହେଉ ଭଗବାନ ଆମକୁ ଭେଟ କରାଇ ଦେଲେ l ଏବେବି ସମୟ ଅଛି ଆମେ ପୁଣି ଥରେ ସଂସାର ଆରମ୍ଭ କରିପାରିବା l ଜିତୁର ପ୍ରତ୍ୟେକ ଶବ୍ଦରୁ ମତଲବର ଗନ୍ଧ ଆସୁଥିଲା l


--ତୁମ ଝିଅକୁ ମୋର ଭରପୁର ସ୍ନେହ ଓ ଆଶୀର୍ବାଦ ଦେବ l କିନ୍ତୁ ବହୁତ ଡେରି ହୋଇଗଲା l ତୁମେ ତୁମ ସଂସାର ସମ୍ଭାଳି ପାରୁନ ବୋଲି ମୁଁ ଯାଇ ତୁମ ସହିତ ମୋର ସଂସାର ପୁଣି ଥରେ ବସାଇ ପାରିବି ନାହିଁ l ଆଶା କରେ ତୁମେ ନିଜକୁ ମୋ ସ୍ଥାନରେ ରଖି ଥରେ ହେଲେ ବି ବିଚାର କରିବ l ଆସୁଛି.. l


ଖୁବ ଶୀଘ୍ର ପାଦ ପକାଇ ଚାଲିଥିଲା ସରିତା l କେତେ ବାଟ ଦୌଡିବ ଠିକ ନାହିଁ କେଉଁଆଡେ ଯିବ ବି ଠିକ ନାହିଁ କିନ୍ତୁ ଜିତୁଠୁ ଅନେକ ଦୂରକୁ ଚାଲିଯିବ ସେ l ହେଲେ ପ୍ରଥମେ ଘରେ ପହଞ୍ଚି ଆଗ ଗୁଡ଼ାଏ କାନ୍ଦିବ l ତେବେ ଯାଇ ନିଜକୁ ସମ୍ଭାଳି ପାରିବ l କାଲି ପୁଣି ଅଫିସ ଅଛି ଯେ l ନିଜକୁ ସମ୍ଭାଳିବାକୁ ପଡିବ ତାକୁ l



Rate this content
Log in

Similar oriya story from Tragedy