Satyabati Swain

Tragedy

4  

Satyabati Swain

Tragedy

ମୂଳରୁ ପାହାଚ ପାହାଚ

ମୂଳରୁ ପାହାଚ ପାହାଚ

7 mins
581


ତର ବର ହୋଇ କାନିରେ ହାତ ଟା ପୋଛି ପୋଛି ରୋଷେଇ ଘରୁ ମୁଁ ଆସି ଫୋନ୍ ଟା ଉଠାଇଲି।ଅନ୍ ନୋନ୍ ନମ୍ବର।ରଖିଦେଇ ମୁହଁ ବୁଲାଇଛି କି ନାହଁ ସେଇ ଏକା ନମ୍ବରରୁ ରିଙ୍ଗ୍ ହେଲା।କାହାର ହୋଇ ପାରେ ?ତରକାରୀ ଟା ବସେଇଛି,ଟିକେ ଅବାଗ ହୋଇଗଲେ ଘରେ ଲଙ୍କା କାଣ୍ଡ ହୋଇଯିବ।ଗ୍ୟାସ ସିମ୍ କରିଦେଇ ଫୋନ୍ ଟି କାନ ପାଖକୁ ନେଲି।ସେପଟୁ ଶୁଭିଲା ହାଲୋ ଡଲି ଇ।


ହେ ଏ ଏ ସିମି ଦିନେ ନାହିଁ ନା କାଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ।ଅପରୁବ କହିଲୁ କୁଆଡେ ପତାକା ମାରି ଥିଲୁ ଏତେ ଦିନ? ମୁଁ ଫୋନ୍ ଏ ପଟେ କହିଲି। ଶୁଣ୍ ମ ।ମୋ କଥା ଛାଡ଼। ତୁ ତ ପକ୍କା ତଳ ମୁହିଁ।ଜଣା ପଡୁ ନଥିଲୁ ଏତେ ଗୁଣ ତୋ ପାଖରେ ଥିଲା।'ବଂଶ ' ପଛରେ ଲାଇନ ଲାଗିଥିଲା ଝିଅଙ୍କର।ତୁ କିନ୍ତୁ ମାରି ନେଲୁ ମହାପାତ୍ର ଚାହିଁଛନ୍ତି ଜଳକା।ଅଲିଭା ଫୋନ୍ କରି କହୁଥିଲା ସେ କାଳେ ବଂଶ ପଛେ ବହୁତ ଗୋଡ଼ାଇଥିଲା।ଶେଷକୁ ତୁ ଧରି ଚମ୍ପଟ୍।


ସେମିତି କହନି ଜମା । ସିମି, ମୁଁ କଣ ଜାଣିଥିଲି ବଂଶ ମନେ ମନେ ମୋ ପାଇଁ ଗୁଡ଼ ଖାଉଥିଲେ।ମାମୁଁ ଘରକୁ ପ୍ରସ୍ତାଵ ପଠେଇବାରୁ ମୁଁ ଜାଣିଲି ଯେ ବଂଶ ମୋତେ ପସନ୍ଦ କରିଛନ୍ତି।

ଏତେ ଛୋପରି ହଅନା ମ୍।ତୁ ସତରେ ଜାଣି ନଥିଲୁ?

ତୁ ବା ମୋ ବେଷ୍ଟ ଫ୍ରେଣ୍ଡ୍।କେହି ନ ଜାଣିଲେ ତୁ ନିଶ୍ଚୟ ଜାଣିଥାନ୍ତୁ.ଶୁଣ୍ ସିମି ତୋ ସଙ୍ଗେ ମୋର କଟି।ଜାଣିଛୁ ମୁଁ ତୋତେ ପାଣି ପକେଇ କେତେ ଖୋଜିଛି।କାହିଁକି ଆସୁଲୁଣି ମୋ ବାହା ଘରକୁ।କୁଆଁରୀ ଜୀବନ ବ୍ରତ ଉଜେଇଁ ବୋହୁ ବ୍ରତ କରିବାକୁ ଗଲା ବେଳ ଖୁବ୍ ଖୋଜିଛି ତୋତେ।


ଦେଖ ତୁ ରାଗିଛୁ ମୁଁ ଜାଣେ।ତୋ ବାହା ଘର ବେଳେ ମୁଁ ବା ଅପା ପାଖେ ଦିଲ୍ଲୀରେ ଥିଲି।ଏତେ ବାଟରୁ କେମିତି ଆସିଥାନ୍ତି।ଭାଇନାଙ୍କ ଛୁଟି ହେବାରୁ ରଜକୁ ନାନୀ ,ପିହୁ ଓ ମୋତେ ନେଇକି ଆସିଲେ।ତୁ ଏବେ କହ କେମିତି ଅଛୁ?ତୋ ମିଷ୍ଟର୍ କେମିତି?ଶାଶୁ ଘର ଅନୁଭୂତି କଣ ଟିକେ ବଖାଣେ

ଶାଶୁ ଘର !! କି କଥା କହିବି ଏତ ଗଜୁରୀ ଗଛ "ମୂଳରୁ ପାହାଚ ପାହାଚ।' ସବୁ ଭଲ।କିନ୍ତୁ ସାରୁ ଭିତରେ ବି ମାରୁ ଅଛି?


ହେ ଠିକ୍ ରେ କହ ମ।

ଶାଶୁ,ନଣନ୍ଦ ମେଘା ଓ ବଂଶ କୁ ନେଇ ମୋ ଶାଶୁଘର।ଶାଶୁ ନଣନ୍ଦଙ୍କ ପୁରୁଣା କାଳିଆ ରଙ୍ଗ ଢଙ୍ଗ।ନଣନ୍ଦଟି ମୋର ସୁଦୁ କତରା ଛିଣ୍ଡେଇ ରାହାବାଳି।

ଜାଣିଛୁ!ସେ ପ୍ରାୟତଃ ମୋତେ ଶୁଣେଇଁ କି କୁହନ୍ତି -

"ରାଣ୍ଡର ବିଲେଇ ଋଷୁ କାହିଁକି ସେଇ ଭାଡ଼ି ତଳେ ପଶୁ କାହିଁକି?"ମୋର ଟିକେ ଟିକେ କଥାରେ ରୁଷିବା, ଅଭିମାନ କରିବା,ଉପାସ ରହିବା ପ୍ରକୃତି।ମେଘା କି 'ବଂଶ' ମୋତେ ଗେଲେରେ  କିଛି କହିଦେଲେ ମୋ ଦେହରେ ଯାଏନି। ମୁଁ ରୁଷି କି ଖାଏ ନାହିଁ।ଶାଶୁ ମା ରାଣ ନିୟମ ପକାନ୍ତି।ମୁଁ ଯେମିତି ଖାଇ ସାରିବି ମେଘା ହସି ହସି କହିବେ " ରାଣ୍ଡର ବିଲେଇ ରୁଷୁ କାହିଁକି ସେଇ ଭାଡ଼ି ତଳେ ପଶୁ କାହିଁକି?"


ତୁ ଜାଣିଛୁ ସିମି ମୋର କେହି କୁଆଡେ ନାହାନ୍ତି।ମହାବାତ୍ୟାରେ ମରି ହଜି ଗଲେ।ମାମୁଁ ମାଇଁ ବଢ଼େଇ ଖୁଢେଇ ଏଡେଟିରୁ ଏଡ଼େ ଟିଏ କଲେ।ହାତକୁ ଦି ହାତ ବି କଲେ।ଆଠ ପନ୍ଦର ଦିନେ ଥରେ କେହି ମୋ ପାଖକୁ ଆସୁ ନାହାନ୍ତି ବୋଲି ମେଘା କୁହନ୍ତି "ଖୁଣ୍ଟି ଛୁଆଟାର କିଏ ଅଛି ଯେ ଆସିବ।" ଚାରି ଦଉଡ଼ି କଟା ଆମ ଭାଉଜ।"


ବୁଝିଲୁ ସିମି! ହାତକୁ ଦି ହାତ ହେଲା ଦିନୁ ମୋର ବେଢ଼ି ଉପରେ କୋରଡା। ନଣନ୍ଦ ମୋତେ ଦେଖି ସହି ପାରନ୍ତି ନାହିଁ। ତାଙ୍କର ମୋର ଅହି ନକୁଳ ସମ୍ପର୍କ।ସବୁବେଳେ ଏ ଘର ମାଉସୀ ସେ ଘର ପିୟୁସି ହେଉଥିବେ।ନଅକୁ ଛଅ ଲଗେଇ କହିବାରେ ଧୁରନ୍ଧର।ଧଣ୍ଡ ସାପ ପରି ଅହରହ ବୁଲୁଥିବେ।କିଏ ପାଡିଲା ଛିଙ୍କିଲା ଛିଦ୍ର ଉଣ୍ଡୁଥିବେ। ମୁହେଁ ମୁହେଁ କୁହନ୍ତି।ବିଷ କୁମ୍ଭ ପୟୋମୁଖ ନୁହନ୍ତି।ବେଶୀ ଥଟ୍ଟା ମଜାରେ କୁହନ୍ତି ମୋ ଦେହରେ କିନ୍ତୁ ଯାଏନି।ସବୁବେଳେ ହାଣ୍ଡି ପରି ମୁହଁଟି କରେ।


ଶାଶୁ ବିଗିଡନ୍ତି ମେଘାକୁ।କୁହନ୍ତି କାହିଁକି ମୋ ସୁନା ନାକି ବୋହୁଟି ସଂଗେ ଧେତି କୁକୁର ଭଳିଆ ଲାଗୁଛୁ।ରାଗିକି ଭଲ କରି ଦି ପଦ ଶୁଣାନ୍ତି ବି।ମେଘା ଏପଟେ ଶୁଣି ସେପଟେ ବାହାର କରି ଦିଅନ୍ତି।ଶାଶୁ ମା କୁହନ୍ତି "ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ,ମଣିଷ ପ୍ରକୃତି ମଲେ ଛୁ ଟେ।"।ସେ ସେମିତି ରାଉ ରାଉ ହଉଥାଉ ତୁ ଶୁନିବୁନି ତା କଥା ରେ ମା ଡଲି।ଆଉ କେଇ ଦିନ ଏମିତି ହେବ?"ବାଡେଇ ବାହା ହେଲେ ଗଲା ବୁଢ଼ୀ ମଲେ ଗଲା।"


ଆଉ ଆମ ଭିଣୋଇ ବାବୁ ବଂଶ,ସେ କେମିତି?ତୋତେ ପସନ୍ଦ କରି ବାହା ହୋଇଛନ୍ତି ମାନେ ମୁଣ୍ଡରେ ବସେଇ ଥିବେ?

ହଁ ସିମି ତପସ୍ୟା କଲେ ଏମିତି ମାଛିକୁ ମ ନ କହିବା ମଣିଷ ଭାଗ୍ୟରେ ମିଳନ୍ତି। ଅତି ନିର୍ମାୟା ଲୋକ।ଏତେ ପାଠୁଆ,ଭଲ ଚାକିରୀ କିନ୍ତୁ ଗର୍ଵ ଅହଂକାର ଟିକିଏ ବି ଛୁଇଁନି।ମାଆଙ୍କୁ ଦେବୀ ପରି ମାନନ୍ତି। ମା ଙ୍କର ବଂଶ ଅନ୍ଧର ଲହୁଡ଼ି,ରଙ୍କୁଣୀ ଧନ,ଦୁଃଖ ପସରା ଏକୋଇର ବଳା ବିଶିକେସନ।ମାଙ୍କ ଆଖି ସେ।


ମୋ ଶଶୁର ଆଖି ବୁଜିଲା ପରେ ଶାଶୁ ମାଆ କୁଆଡେ ପିଠିରେ ଧାନ ଉଷେଇଁ ବଂଶ କୁ ମଣିଷ କରିଛନ୍ତି।ବଡ଼ ଘର।କିନ୍ତୁ ଭଗାରୀ ମାନେ ଶାଶୁ ମାଆଙ୍କୁ ଉଡେଇ ଦେଇ ସବୁ ଜମି ବାଡ଼ି ହଡପ କରିବାକୁ ଚାହୁଁଥିଲେ।ମୁଁଣ୍ଡ ଗୁଞ୍ଜିବାକୁ ବି ଘର ଖଣ୍ଡେ ଦେଇ ନ ଥିଲେ।ଶାଶୁମାଆ ଅଣ୍ଟାରେ ଲୁଗା ଭିଡି ପିଲା ଦୁହିଁଙ୍କୁ ମଣିଷ କରିଛନ୍ତି।ଅତି ଗେଲ ବସର ଅଳିଅଳି ଝିଅ ପୁଣି ଖାନ୍ ଦାନି ଘର ବୋହୁ ହେଲେ ବି ମୂଲ ଲାଗି ଫୁଲ ଗୁନ୍ଥି ପିଲାଙ୍କୁ ମଣିଷ କରିଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ୟା ତା ଘରେ ଗୋରୁ ପରି ଖଟି ବଂଶଙ୍କୁ ପଢେଇ ବଡ଼ ଅଫିସର କରିଛନ୍ତି।ସେଥିପାଇଁ ବଂଶ ଶାଶୁ ମାଙ୍କୁ ଜୀବନ ଠାରୁ ଅଧିକ ଭଲ ପାଆନ୍ତି।

ନଣନ୍ଦ ଟି ହୃଦୟରେ ଖରାପ ନୁହନ୍ତି।କିନ୍ତୁ ରାହାବାଳି।ଶାଣ ଦିଆ ପାଟି।ଛେଳି ପରି ଅହରହ ବୁଲାଉ ଥିବେ।ସବୁବେଳେ ଜିରାରୁ ଶିରା କାଢୁଛନ୍ତି।ମୋ କପାଳ ଫଟା ଲୋ ସିମି।ମୁଁ ଖଟି ଖଟି ଘରେ ବାହାରେ କଳା କାଠ ପଡି ଗଲିଣି।ସବୁ କାମରେ ଖୁଣିବେ ଛେନାରୁ ଚୋପା ଛାଡେଇଲା ପରି?ସବୁବେଳେ ତାଙ୍କର ଛଅ ତିଅଣ ନଅ ଭଜା ଦରକାର।ନକଲେ ମହାଭାରତ। ଦିନ ରାତି ଗଧ ଖଟଣୀ।କାହା ସଂଗେ ଟିକେ ଚାଟିଂ କରି ନ ପାରି ମନ ଯେଉଁ ଡହଳ ବିକଳ ହେଉଛି?

ମେଘା ଟିକିଏ ଟିକିଏ କଥାରେ କହୁଛନ୍ତି ମୌନ ମୁହିଁ।ଦେଖିଲେ ଲାଗିବ ମାଛି କୁ ମ କୁହେନି।ହଇଲୋ ତଳ ମୁହିଁ କାଙ୍କ କଣ ନାଲିସ କରୁଛ ମୋ ଭାଇ ଆଗେ।ମୋ ଭାଇ ଦିନେ ମୋତେ କିଛି କୁହନ୍ତି ନାହିଁ।ଏବେ ରାଗ ଗର ଗର ହେଉଛନ୍ତି।"ହଁ ପାଖରେ ଶୁଏ କାନରେ କୁହେ ତା କଥା କି ଅନ୍ୟଥା ହୁଏ।"।ବେଦୀ ମା ଯେତେବେଳେ ଭାଇ ତୁମ ପଟିଆ ନ ହୋଇ କଣ ମୋ ପଟିଆ ହେବେ?ଗଦ ଶୁଂଘେଇ ଭାଇଟାକୁ ମୋର ମେଣ୍ଢା କରିଛ।।ଜିଦି କଲା ବଡଙ୍ଗ ଗାଁର ବିଶୁ ଲେଙ୍କା ଭାଣିଜୀକୁ ବାହା ହେବ।ଆଉ ଯେମିତି ଏଇଟାକୁ ଝିଅ ମିଳି ନଥାନ୍ତେ।ହଁ "ଯାହାକୁ ଯିଏ ରସିଲା କିଆ ଫୁଲ ପରି ବାସିଲା"।ତେଲରେ ତେଲ ମିଶି ଯାଉଛନ୍ତି ମୁଁ ପିଡ଼ିଆ ଟା ଯାହା ବାହାରି ପଡୁଛି।ମାଆ ପୁଅ ଓ ବୋହୂଙ୍କର ଗୋଟିଏ ତାଳ।


ଦିନେ ମାଆ ମୋତେ ଖଣ୍ଡେ ସାଧା ପାନ ଦେଇଥିଲେ।ଖାଉ ଖାଉ ପାନ ଛିପ ଟିକେ ବୋହି ପଡୁ ପଡୁ କେଉଁଠି ଟାକି କି ଥିଲେ ମେଘା ସାଙ୍ଗେ ସାଙ୍ଗେ କହି ଦେଲେ ହେଇ ଦେଖ ବା "ରଙ୍କ ପାଟିକୁ ପାନ ଗଲା ନା ପାନ କହିଲା ମୋ ଜୀବନ ଗଲା"।


ବେଳେବେଳେ ମୁଁ ରକ୍ତ ଚାଉଳ ଚୋବାଏ ମେଘା ଉପରକୁ।ମୁହଁ ଫିଟେଇ ପାରେ ନାହିଁ।କାରଣ ବିଦା କଲା ବେଳେ ମାଇଁ କହିଥିଲେ "ଭଲଘର,ଚାକିରିଆ ବର ପୁଣି ତୁମକୁ ରସିକି ବାହା ହେଉଛନ୍ତି ଏମିତି କିଛି କାମ କରିବ ନାହିଁ "ଡଲି"ଯେମିତି ତୁମ ମାମୁଁଙ୍କ ମୁଣ୍ଡ ତଳକୁ ହେବ।ଗାଁ କୁ ଗାଁ ଲାଗିଛି ସୋରିଷ ଫୁଟିଲେ ଆମ ଗାଁ କୁ ବାସ ଚହଟିବ।ଏଣୁ ଜଗି ରଖି ଚଳିବ ମା"ସିମି ଲୋ ବଡ଼ ଘର ବଡ଼ ଗୁମର କଥା।ଅଜାଗା ଘା ପରି ମୋ ଦୁଃଖ କାହାକୁ ଦେଖେଇ ପାରୁଛି ନା ଦେଖି ପାରୁଛି।ମେଘା କଥା ଶୁଣି ଶୁଣି ମୁଁ ସବୁତକ ରାଗ ବଂଶ ଉପରେ ସାରେ।କଥା ହୁଏ ନାହିଁ।ତୁ କହୁନୁ କଣ କରନ୍ତି।କୁହନ୍ତି ନାହିଁ ଶାଶୁ ଖୋବୁଥାଏ ବୋହୁକୁ ବୋହୁ ସାଆଁନ୍ତାଣୀ କାହାକୁ ଖୋଵିଵ ଖୋବୁଥାଏ ଚୁଲି ମୁଣ୍ଡକୁ।


ବିଚରା ନିରୀହ ମଣିଷଟିକୁ ଦୁଃଖ ଦିଏ।

ନା ଏଇଟା ତୋର ଅନ୍ୟାୟ ଡଲି।ଅଯଥା ମେଘା ରାଗ ବଂଶ ଉପରେ ସୁଝାଇବା ଅନୁଚିତ।ଶାଶୁ ଭଲ,ନିଜ ମଣିଷ ଭଲ।ବାକି ରହିଲା ମେଘା,ତା କଥା ଶୁଣୁଛୁ କାହିଁକି?ତା ଭାଇ ସ୍ନେହରେ ତୁ ଭାଗ ବସେଇଲୁ।ପିଲା ଲୋକ ବୁଝି ନ ପାରି ଏଣୁ ତେଣୁ କଣ କହି ଦେଉଛି।ବୁଦ୍ଧି ହେଲେ ସୁଧୁରି ଯିବ ।


ସୁଧୁରି ଯିବେ?ମାଆ,ବଂଶ ଯେତେ ବୁଝେଇଲେ ସେ କଣ ବୁଝୁଛନ୍ତି?ରାହାବାଳି କତରା ଛିଣ୍ଡେଇଟିଏ।ଖାଲି କଣ ମୋ କଥା।ବାହାର କଳି ଆଣି ଘରେ ପୁରାଇବେ।ସବୁବେଳେ ରାଇଁ ଝାଇଁ।ପଡିଶା ଘର ଜଣେ ରଙ୍ଗ ମା ଅଛନ୍ତି।ଓଃ କଣ ଦେଖୁବୁ ,ସେ ନିଆଁକୁ ଏ ଝୋଟ।ଟିକିଏ ଟିକିଏ କଥାରେ ରାହା ରାବଣ ଯୁଦ୍ଧ କରନ୍ତି।ରଙ୍ଗ ମା କୁହନ୍ତି ହଇଲୋ ଉପର ମୁହିଁ ଅଣ୍ଡିରି ଚଣ୍ଡି କେଉଁ ଘଇତା ତୋତେ ରଖିବ କେଜାଣି।ଯେଉଁଠିକୁ ଯିବୁ "ଚୁଲି ଚାଳ ରଖିବୁ ନାହିଁ।ମା ଭାଇ ନାଁ" ଢ଼ି ଢ଼ି କରି ପକେଇବୁ" ଲୋ କଂସା କବାଟ।"ଭାଉଜ ଟା ଠାରୁ କିଛି ଶିଖୁନୁ।କି ସଣ୍ଠଣା ଶିଖିଛି ।ଚାରି ଖଣ୍ଡି ମୌଜାରେ ତା ପ୍ରଶଂସା।ଶିଖିଲୋ ଘୋଡ଼ା ମୁହିଁ ତା ଠୁ କିଛି।

ଗଲା ତ ବେଦ ଅଶୁଦ୍ଧ ହୋଇଗଲା।କାଣି ବିଲେଇ ଅସରପା ଉପରେ ହୁକୁ ହୁକୁ ହେଲା ପରି ଆସି ମୋତେ ଯାଛା ତା ବକି ଘର ଉଠେଇଲେ ପକାଇଲେ।ସେଦିନ ଶାଶୁ ମା ବଜେଇ ଦେଲେ ଠୋ ଠୋ ଦି ଟା ଚାପୁଡ଼ା।ନିଆଁରେ ପାଣି ପଡିଲା ପରି ଥପ୍ ହୋଇଗଲେ ମେଘା।କାରଣ ଏଡେଟିଏ ହେଲେଣି ମାଆ ତାଙ୍କୁ କେବେ ମାରି ନଥିଲେ ଦିନେ।ମୁହଁ ମାଡି ଶୋଇଲେ।ଖାଇଲେ ନାହିଁ କି ପିଇଲେ ନାହିଁ।ଖାଲି ତମ୍ପ ସାପ ପରି ଫଁ ଫଁ ହେଲେ।ମୁଁ ବୁଝାଇବାକୁ ଗଲାରୁ ମୋତେ କହିଲେ ସବୁ ନାଟର ଗୋବର୍ଦ୍ଧନ ତୁମେ।ଭଲେଇ ଦେଖେଇ ହୁଅନି।ନଲେ ନାକ ଫଟେଇ ଦେବି।


ମାଆ ମୋତେ କହିଲେ ତୁ ଆ ମା ସେ ସେମିତି ହେଉଥାଉ।ୟା ଯୋଗୁ ବାର ଲୋକେ ବାର କଥା କହୁଛନ୍ତି।ମୋ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବ।ବୋପା ମଲା।ଭଗାରୀ ଦାଣ୍ଡରେ ବସେଇ ଦେଲେ।ଏ ଆଖି ଲୁହ ସେ ଆଖିରେ ମାରି ୟାଙ୍କୁ ମଣିଷ କଲି।କିନ୍ତୁ ମୋ କପାଳ ପୋଡ଼ା।ଇଏ ମୋ ନାଁ ପକେଇବା।ପାଠଶାଠ ପଢି ମୁର୍ଖଙ୍କ ପରି ହେଉଛି।ଯମ କାହିଁକି ମୋତେ ନେଉ ନାହିଁ ଯାହା।ଭଗାରୀ ଅନେଇଁ ବଇଛନ୍ତି ତିଳକୁ ତାଳ କରିବା ପାଇଁ।କେଉଁ ଶାଶୁ ଘରେ ଏ କେମିତି ଚଳିବ?ଏମିତି କହି ମା ବହୁତ କାନ୍ଦିଲେ।ମା ପୁଣି କହିଲେ ପୋଡାମୁହିଁଟି ଆଗରୁ ଏମିତି ହେଉ ନଥିଲା।ଯହୁଁ ଯହୁଁ ବଡ଼ ହେଉଛି ବୁଦ୍ଧି ପସନ୍ଦ ପୋଡି ଖାଉଛି।

ଆଗରୁ ହେଉ ନଥିଲା?ମୋତେ ଏଇ ଛୋଟ ଧାଡିଟି ଅନେକ କଥା ନିମିଷେକେ ଯେମିତି ବୁଝେଇ ଦେଲା।ଆଗରୁ ମେଘା ସହ ବଂଶ ଅଧିକାଂଶ ସମୟ କଟାଉଥିଲେ।ଏବେ ମୁଁ ସେ ସମୟ ଓ ସ୍ନେହ ଭାଗ କରି ନେଉଛି।ପୁଣି ମା ଙ୍କ ସ୍ନେହ ମମତା ଉପରେ ଏକଚାଟିଆ ଅଧିକାର ଥିଲା ମେଘାଙ୍କର।ସେଇଟା ବି ଭାଗ ବସୁଛି ମୁଁ।ମା ଟିକେ ବେଶୀ ଗେହ୍ଲା ମୋତେ କରୁଛନ୍ତି।ହୁଏତ ଏଇ ସ୍ନେହର ଭାଗ ବଣ୍ଟା ଟାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସେ। ମେଘା ତେବେ ସହି ପାରୁନି ତା ସ୍ନେହରେ କେହି ଭାଗ ବସିଲେ!!ପିଲାଟା ମନର କେଉଁ ଆଦେଖା ଘା ଟା ବିନ୍ଧୁଛି ନୀରବେ।ସେଇଟି ରୂପ ନେଉଛି ଆକ୍ରୋଶର ! ଓଃ ଭଗବାନ!ସ୍ନେହ ଟା ସେମିତି କାହାକୁ ବାଣ୍ଟି ହୁଏନି।


ଏହି କଥା ଭାବି ଓ ମା କାନ୍ଦ ଦେଖି ମୁଁ ବି କାନ୍ଦି ପକେଇଲି।ମେଘା ପ୍ରତି ମୋ ରାଗ କୁଆଡେ ଉଭେଇ ଗଲା।କହିଲି ମା ତୁମେ ବ୍ୟସ୍ତ ହୁଅ ନାହିଁ।ପିଲା ଲୋକ ମେଘା,ବୁଦ୍ଧି ପସନ୍ଦ ହୋଇନି।ବେକରେ ପକେଇଲେ ସମସ୍ତେ ବଜେଇ ଶିଖନ୍ତି।ବେଳେ ଢ଼ିଙ୍କିଆ ପଇଲେ ସାଇଜି ହୋଇ ଯିବେ।ଦେଖିବ ସମସ୍ତେ କହିବେ ବଂଶ ଭଉଣୀ କୋଟିକରେ ଗୋଟିଏ।କେଉଁ ଗୁଣରେ କେହି ଖୁଣିବେ ନାହିଁ।ସମସ୍ତେ ବାଃ ବାଃ କରିବେ।ମୋ ମେଘା ସରି କିଏ ଅଛି କୁହତ?


ଭାଉଜ!କହି ମୋ ବେକରେ ଓହଳି ପଡିଲେ ମେଘା।ସେଇ ଦିନଠାରୁ ରାହାବାଳି କତରା ଛିଣ୍ଡେଇ ନଣନ୍ଦ ଓ ମୋର ଗୋଟିଏ ଗାମୁଛା ବୁଝିଲୁ ସିମି।ସେବେଠାରୁ ମୁଁ ଖାଇବାକୁ ରୁଷେ ନାହିଁ ବରଂ ମେଘା ରୁଷନ୍ତି।ମୁଁ ବୁଝେଇ ଶୁଝେଇ ଖୁଆଏ।ମା ହସି ହସି କୁହନ୍ତି ରାଣ୍ଡର ବିଲେଇ ରୁଷୁ କାହିଁକି ସେଇ ଭାଡ଼ି ତଳେ ପଶୁ କାହିଁକି ମେଘା ଅଭିମାନ କରି କହିଲେ, ଭାଉଜ!ଦେଖିଲ ମା କୁ।ମୁଁ କଣ ତୁମକୁ କେଉଁ ଦିନ କହିଥିଲି ବୋଲି ସେଇଟା ମୋର ଗନ୍ଧ ଗୋଇ ହୋଇଛି ଯେ ମା ରୁଷିଲା ମାନେ କହୁଛି।

ତାହେଲେ ତୁମେ ରୁଷିବା ଛାଡି ଦିଅ ମୁଁ କହିଲି।

ଉଁ କହି ହସି ହସି ପଳେଇଲେ ମେଘା। ସିମି ଫୋନ୍ ସେପଟେ ବି ହୋ ହୋ ହୋଇ ହସି କହିଲା ଭଲ ଚିଡ଼ିଆ ଖାନାଟିକୁ ଯାଇଛି ତୁ।



Rate this content
Log in

Similar oriya story from Tragedy