Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Satyabati Swain

Tragedy


3  

Satyabati Swain

Tragedy


ମୂଲିଆ ମାଇପ

ମୂଲିଆ ମାଇପ

5 mins 148 5 mins 148


 ଅଠରରୁ ଏବେ ବୟସ କଣ୍ଟା ତିରିଶ ଉପରେ ପହଞ୍ଚିଗଲାଣି ମୋର।ତିରିଶି ବର୍ଷୀୟା ମୂଲିଆଣୀ, ବ୍ରହ୍ମା ମୂଲିଆର ମାଇପ। ଅନେଇଁଲି ଟିକେ ନିଜକୁ;ନିଣୁଛୁଣିଆ ଯୌବନ କେମିତି ଚହ ଚହ ହେଉଛି ମୋ ଦେହରେ !!ଧୋଇ କି ମରୁଡି ନାହିଁ ଏ ଦେହକୁ।ଏତେ ଖରା ତରା ସହିଲେବି ଟିକେ ମଉଲନ ପଡୁନି ଦେହର ତେଜ!


ଘର ବାହାର ପଟେ ହୋଇ ଖଟୁଥିଲି ବ୍ରହ୍ମା ସହ।ଶାଶୁ ନଥିଲେ।କେବେଠାରୁ ମରି ଯାଇଥିଲେ।ଶଶୁର ଝିଅଟିର ଦେଖାଚାହାଁ କରନ୍ତି।ଆମେ ସ୍ୱାମୀ ସ୍ତ୍ରୀ (ଯେଉଁ ସ୍ୱାମୀକୁ ମୁଁ ଅନିଚ୍ଛା ସତ୍ତ୍ୱେ ଆପଣାର କରିବାକୁ ବାଧ୍ୟ ହୋଇଥିଲି ଠିକ୍ ଉଣେଇଶି ବର୍ଷ ବୟସରେ;)ଦୁହେଁ ସକାଳ ହେଲେ ମଜୁରୀ ଲାଗିବାକୁ ବାହାରି ଯାଉ।ଭାତରାନ୍ଧି ସେଥିରେ ଆଳୁ ପକାଇ ଦେଇ ଯାଏ ।ଜେଜେ ଓ ନାତୁଣୀ ଦୁହେଁ ହାତରେ ବାଢି ଖାଆନ୍ତି।ଶଶୁର ମୋ ଝିଅ 'ବୁଇକୁ' ଆଳୁ ଭାତ ଖୁଆଇ ଦିଅନ୍ତି ଓ ନିଜେ ଖାଆନ୍ତି।କେବେ କଦବା ଡାଲି ଟିକିଏ ବି କରିଦେଇ ଆସେ।ବୁଇ ଡାଲି ପାଣି ଭାରି ଭଲ ପାଏ।ଘରର ବାସି ପାଇଟି ସାରି,ଚା ଜଳଖିଆ କରି ଆଉ ଡାଲି କି ତରକାରୀ କରିବାକୁ ସମୟ ଅଣ୍ଟେନା।ଏଣୁ ପ୍ରାୟତଃ ଭାତ ଆଳୁ ଚକଟା ଜେଜେ ଓ ବୁଇର ନିତିଦିନିଆ ଖାଦ୍ୟ।ରାତିକୁ ଫେରିଲା ପରେ ଭଲ ମନ୍ଦ ଟିକେ ରୋଷେଇ କରି ସାରା ପରିବାର ଖାଇ ସଅଳ ଶୋଇପଡୁ।କାହିଁକି ନା ପୁଣି ଆସନ୍ତା କାଲି ବଢି ଭୋଅରୁ ଉଠିବାକୁ ପଡିବ।ଏଇ ମଜୁରିଆଙ୍କ ଦେହ ମୁଣ୍ଡ ବୋଲି କିଛି ନଥାଏ।ମନ ଚାହିଁଲେ ବି ଘଡ଼ିଏ ଶୋଇ ହୁଏନି।


ବୁଇ ବାପା ବ୍ରହ୍ମା;ବଦରାଗିଟା।ସବୁ ନିଶାକୁ ଚଳୁ କରିବା ମଣିଷଟିଏ।ବଡ଼ ହେବା ସ୍ୱପ୍ନରେ ଯେ ମଜଗୁଲ୍; କଥା କଥାକେ ରାଗିଯାଏ।ଦିନ ସାରା ଖଟି ଖଟି ଆସୁ ଦି ଜଣ ଯାକ।ଘରକୁ ଫେରି ମୋ ହାତ ଥୟ ହୁଏନି।ଘରର ସବୁ କାମ ସେମିତି ପଡିଥିବ।ଶୀଘ୍ର ଶୀଘ୍ର କାମ ତୁଟେଇ ଚା,ରୋଷେଇ କରେ।ନଲେ ଶଶୁର ଓ ବୁଇ ସନ୍ଧ୍ୟା ହେଉ ହେଉ ଶୋଇ ପଡିବେ ଯେ ଆଉ ଉଠିବେ ନାହିଁ କିମ୍ବା ଖାଇବେ ନାହିଁ।ମଲା ବୁଢା ଲୋକଟା ମୋ ଶଶୁର।ସେଥିରେ ଦିନ ସାରା ଘୋଷାରୁଥିବେ ବୁଇକୁ।ବୁଇ ଟି କମ୍ ନଟଖଟି ନୁହେଁ।ତିନି ପୁରିଲାଣି।ଶଶୁର ତାକୁ ଅଙ୍ଗନବାଡି ଏଇ ଆଠ ଦିନ ହେବ ନେଉଛନ୍ତି।ସପ୍ତାହକୁ ବୁଇକୁ ଅଣ୍ଡା ମିଳେ ଖାଇବାକୁ।ମୁଁ କହି ଦେଇଛି ସେ ଅଙ୍ଗନବାଡି ଦିଦିଙ୍କୁ ମୋ ଶଶୁରଙ୍କୁ ସେ ଅଣ୍ଡା ତକ ଦେବାକୁ।କାହିଁକିନା ବୁଇ ସିଝା ଅଣ୍ଡା ଦେଲେ ଥୁ ଥୁ କରି କାଢିଦିଏ।ଭାଜି ଦେଲେ ସୁଖ ପାଏ ଖାଇବାକୁ।ମୋ ଶଶୁର ସେ ବି ତ ଜଣେ ଛୁଆ ନା।ଅଣ୍ଡା ଭାଜିଦେଲେ ଜେଜେ ଓ ନାତୁଣୀର ଆଉ କିଛି ଲଗେଇ ଖାଇବା ଦରକାର ପଡେନି।ବୁଢା ମଣିଷ ଆଇଁଷ ଟିକେ ହେଲେ ଭାତ ଦି ମୁଠା ଖାଆନ୍ତି।ସେଥିପାଇଁ ଶୁଖୁଆ ବନ୍ଧା ତାଙ୍କ ପାଇଁ।


ମଜୁରିଆ ହେଲେ ବି ଦିଟା ରୋଜଗାର।ଖାଇ ପିଇ ବଳନ୍ତା।କିନ୍ତୁ ବ୍ରହ୍ମା ଟା ପରା ଅମିଣିଷ ଟା।ତାରି ସାଙ୍ଗରେ ପଟେ ହୋଇ କାମ କରିବି।ଇଟା ପକା ହେଉ କି ଇଟା ବୁହା,ଗୋଡି ସିମେଣ୍ଟ ଫେଣ୍ଟା ମସଲା ନେଇ ଭାରା ବା ଶିଡିରେ ଦୁଇ ତିନି ମହଲାକୁ ଯିବି।କେବେ ବାଲି ବୁହା ବା ମାଟି ବି ବୁହାଇବି।କାମରୁ ଫେରି ମୁଁ ଘର ଗୋଟାକ କାମ କଲା ବେଳକୁ ବ୍ରହ୍ମା ଯିବ ଛକକୁ।ପକେଇ ଦେଇ ଆସିବ ଟାଙ୍କି ଲୋଡ଼ କରି ପେଟେ ନାଲି ପାଣି ।କିଛି ନହେଲେ ସେ ପେଟେ ଚିଲମ ଧୂଆଁ ବା କ୍ୟାମ୍ପସ ଟାବ୍ଲେଟଟିଏ ପକାଇବା ଥୟ।ତା ରୋଜାଗାର ସେଇ ନିଶାରେ ଉଡାଇ ଦେଇ ବେଳେବେଳେ ମୋ ରୋଜଗାର ରୁ ବି ଧମକେଇ ବା କେବେ କଅଁଳେଇ ନେବ।ନ ଦେଲେ ମାର ଧର ବି କରିବ।ଯେଉଁଠି ରଖି ଥିଲେ ବି ଖୋଜି ଲୋଡି କେଉଁ ଖଞ୍ଜରେ ନେଇ ଚାଲିଯିବ।କହିଲେ କହିବ ଯେଉଁ ହାଡ଼ ଭଙ୍ଗା ଖଟଣୀ ଟିକେ ନ 'ମାଇଲେ ' ଢୋକେ ନାଲି କି ଧଳା ପାଣି, ସୋଡୁକାଏ ଗଞ୍ଜେଇ,କିବା ଗୋଟେ କ୍ୟାମ୍ପସ ଟାବ୍ଲେଟ ହେବ କି!


ମୁଁ କୁହେ ଆଉ ମୁଁ....ମୁଁ ବି ତୋ ସହ ସେଇ ଏକା ହାଡ଼ଭଙ୍ଗା ଖଟଣୀ ଖଟେ।ମୋର କଣ ରକ୍ତ ମାଂସର ଦେହ ନୁହେଁ?ମୋତେ କଣ ବାଧୁନି!!ତୁ ଆସି ଚାରି କାତ ଲମ୍ବଇ ପଡ଼ିବୁ,ନଲେ ଛକକୁ ଯିବୁ,ଟହଲ ମାରିବାକୁ।ପିଇ ଦେଇ ଆସିବୁ ଦେଶୀ ହାଣ୍ଡିଆ ନଲେ ପଲିଥିନ୍।କିଛି ନହେଲେ କ୍ୟାମ୍ପସଟିଏ ପକେଇ ଦେବୁ।କେବେ ଭାବିଛୁ ମୋ କଥା!!!ମୁଁ ବି ଜୀଅଁନ୍ତା ମଣିଷ..... ମୋତେ ବି କଷ୍ଟ ହେଉଥିବ...


ଦାନ୍ତ ଦେଖେଇ ବ୍ରହ୍ମା କହିବ ତୁ ମାଇକିନିଆଟା।ଘର ସମ୍ଭାଳନ୍ତୁ ନାହିଁ କି?ମୋତେ ଦେହ ସୁଖ ଦେବୁ, ଛୁଆ ଜନ୍ମ କରିବୁ,ବଂଶ ବଢ଼େଇବୁ,ତାକୁ ପାଳିବୁ,ଘର ପାଇଟି ବି କରିବୁ।ତା ସହ ମୋ ସଂଗେ କାମକୁ ବି ଯିବୁ।ମୁଁ ମରଦ।ବାହାରେ ସିନା ଖଟିବି।ଘରେ କଣ ମାଇଚିଆ ପରି କାମ କରିବି!ମୁଁ ବା ପୁରୁଷ ପୁଅ। ତାଡି,ହାଣ୍ଡିଆ

,ଗଞ୍ଜେଇ କି ପଲିଥିନ ସିନା ପିଇବି....ତୁ ତୋନି ପିଇବୁ।ତୋନି ପିଇ ବଳଦ ପରା ହଳ କରେ।କେତେ ବଳ ତା ଦେହେରେ ଜାଣିଛୁ ଟି....


....ତୁ ତୋନି ପିଇବୁ,ବଳ ହେବ,ବୁଝିଲୁ ହିରୋଇନ୍।କଥାକୁ ବାଆଁରେଇବା ପାଇଁ ମୋ ଗାଲ ଟିପି ଦେବ,ମୋତେ ତା କୋଳକୁ ଟାଣି ନେବ।ଅଜାଡି ପକେଇବ ଭଲ ପାଇବା।


କି ନିଲଠା କେଜାଣି ଏଇ ସ୍ତ୍ରୀ ଗୁଡାକ ଜୀବନ।ପୁରା ରଙ୍କୁଣୀ ଟିକେ,ସ୍ନେହ,ପ୍ରେମ ପାଇଁ।ନିଜ ଗେରସ୍ତ ଯଦି ଗେହ୍ଲେଇ ଟିକେ କହିଲା,ଗେଲ କଲା କି ଛାତିକୁ ଆଉଜାଇ ନେଲା ସବୁ ଅଭିଯୋଗ ତୁଳା ହୋଇ ଉଡିଯିବେ କୁଆଡେ ନାଇଁ କୁଆଡେ।ଟିକେ ଦେହ କି ମନ ସୁଖ ପାଇଁ ଭାରି ଲାଳାୟିତ ଏଇ ସ୍ତ୍ରୀ ଜାତି ଟା।କୋମଳ,କଅଁଳିଆ କଥାର ବୁଢ଼ୀ ଆଣି ଜାଲରେ ଛନ୍ଦି ହୋଇଯାଆନ୍ତି ଭୋଳ ହୋଇ।ବନ୍ଧା ପଡି ଯାଆନ୍ତି ଆଜୀବନ ନିଜ ଇଛାର ଗଳା ଟିପି।


ବିଚିତ୍ର ସତରେ ଏଇ ନାରୀ;ଆହୁରି ଅଦ୍ଭୁତ ତାର ଚାହିଁବା ପାଇବା।ସୁଖ ଭୋଗ ଭିତରେ ଆଗ ଦରାଣ୍ଡେ ସ୍ନେହ,ପ୍ରେମ,ଆଦର ସରାଗ।ଏଇଟା ବି ସତ କିଛି କାମ ହାସଲ କରିବାକୁ ଥିଲେ ନିଜ ପୁରୁଷ ପାଖେ କେବଳ ଟିକେ ବିଲେଇ ପରି ଘଷି ହେଲେ କିବା ଉପରେ ପଡିଲେ ସବୁ ଅସ୍ତୁ ହୋଇଯାଏ।ଏଇ ସ୍ୱାମୀ ନାମକ ପୁରୁଷଟି ନାରୀ ପାଖେ ବାଘ ନ ହୋଇ ବିଲେଇ ପାଲଟି ଯାଏ।ଟିକିଏ ଆଖି ଇସାରା କଲେ ଓଃ କି ଦେଖିବ

...ବ୍ରହ୍ମାଣ୍ଡ ହୋଇଯିବ ଗୋଲ।ଲଠୁ ରାମ ହୋଇଯିବ ସମସ୍ତ ପୁରୁଷ ଜାତି।


ବ୍ରହ୍ମାଟା ପୁଣି କ୍ଷଣ କୋପୀ। ହଜାରେ ଝିଅଙ୍କ ସହିତ ହେଁ ହେଁ ଫେଁ ଫେଁ।କି ଏକ୍ସରେ ଆଖିରେ ବାବା!ଗଳିଯିବ ତ ଝିଅ ପିଲାଙ୍କ ଦେହରେ।ବେହିଆଙ୍କ ପରି ଦାନ୍ତ ଦେଖେଇ ହେଉଥିବ।ଆହୁରି ଗୋଟେ ମାରାତ୍ମକ ନିଶା ତାର ରାତା ରାତି ବଡ଼ ଲୋକ ହେବା।ଦଶମ ଫେଲ୍।ହେଲେ କଥା କହିବ ଯେମିତି ଗୋଟେ ମାଜିଷ୍ଟ୍ରେଟ୍।ଭାରି ସଉକାନି ବି।ଚାଲିଗଲେ ବାସୁଥିବ।ତା ସଙ୍ଗେ କଥା ବଢ଼େଇଲେ ଶେଷ ମାଡ଼ କିବା ଗାଳିରେ।


ଏଣୁ ମୁଁ ନିଜ କାମରେ ନିଘା ରଖେ।କଥା କଟା କଟି ହେଲେ ଘରେ ଅଶାନ୍ତି ସୃଷ୍ଟି ହୁଏ ସିନା ସମାଧାନ କିଛି ହୁଏ ନାହିଁ ବୋଲି ମୁଁ ବୁଝିଛି।ମୁଁ ଚାହେଁ ନାହିଁ ମୋ ମା ବାପାଙ୍କ କଳି ଯୋଗୁଁ ଯେମିତି ଛିନ୍ନ ଛତର ହୋଇଥିଲା ଆମ ଜୀବନ ସେମିତି ମୋ ଜୀବନରେ ବି ଘଟୁ। ମୋ ମା ତ ବାପାର ଦୌରାତ୍ମ୍ୟ ସହି ନ ପାରି ଆତ୍ମହତ୍ୟା କରିଦେଲା।ଆମ ପାଞ୍ଚଟି ଜୀବନ ନଷ୍ଟ ହୋଇଗଲା।ମୋ ଜୀବନ ସେମିତି ହେଉ ଏଇଟା କରିବା ସୁଯୋଗ ସୃଷ୍ଟି କରେନି 


ଦିନ ମଜୁରିଆ ସ୍ତ୍ରୀ ଲୋକଟିଏ ମୁଁ। ଖରା ତରାରେ ଖଟିଲେ ବି କେଉଁଠି ଅଛି କେଜାଣି ଯୌବନ ଲହଡି ଭାଙ୍ଗୁଛି ଦେହରେ ମନରେ। ରୁପଟି କେଉଁ କମ୍ କି! ଏଇ ରୂପ ପାଇଁ ପରା ବ୍ରହ୍ମାଟା ଉଠେଇ ଆଣିଲା। ଚଣ୍ଡାଳ ! ମୋ ଜୀବନଟା ଅଳ୍ପ ବୟସରୁ ନଷ୍ଟ କରିଦେଲା।


ହଁ ମୂଲମଜୁରୀ ଲାଗୁଥିବା ଝିଅଟାର ଗୋଟେ ମନ ଓ ସ୍ବପ୍ନ କଣ ଥାଏ କି? ଇଜ୍ଜତ ତ ଆଦୌ ନାହିଁ।ଇଟା ମୁଣ୍ଡେଇ ଛାତ ଉପରକୁ ଗଲା ବେଳେ ଦୈବାତ ଛାତିରୁ ଓନି କି ଶାଢ଼ୀ ଖସି ଗଲେ ଡାହାଳ କୁକୁର ପରି କ୍ରଣ୍ଟ୍ରାକ୍ଟର ହେଉ ବା କାମ ତଦାରଖ କରୁଥିବା ଅଫିସର୍ କିବା ସାଙ୍ଗରେ କାମ କରୁଥିବା ମର୍ଦ୍ଦ ମାନେ ଯେମିତି ଚାହାନ୍ତି ସତେକି ଆଖି ଗଲେଇ ଲଂଗଳା କରି ପକାନ୍ତି।


ବେଳେ ବେଳେ ବ୍ରହ୍ମା ଜଳଖିଆ ଦେଇ କଣ୍ଟ୍ରାକ୍ଟର ପାଖକୁ ପଠାଏ। ଯିବାକୁ କୁନ୍ଥୁ କୁନ୍ଥୁ ହେଲେ କୁହେ ଯା ବା ବାବୁ ଖୁସି ହୋଇଗଲେ ମୋତେ ବୋତଲଟିଏ ଓ ତୋତେ ଅଧିକ କିଛି ଟଙ୍କା ଦେବେ। ଯାଉନୁ ସୁନ୍ଦରିଆ ହୋଇଛୁ ବୋଲି ନା। ଦେଖିଲୁ ଆଉ କାହାକୁ ଡାକୁଛନ୍ତି? ତୋ ଭାଗ୍ୟ କହ।ଆଜି ଦି ପଇସା ରୋଜଗାର ହେବ ଯାଆ ବା।


ହଇରେ ଚଣ୍ଡାଳ ମୁଁ ତୋ ସ୍ତ୍ରୀ ଟି ! 


ଏ କଥା କିଏ ନ ଜାଣିଛି।ତୁ ମୋର ସବୁଦିନ। ଦିନେ ଅଧେ ସାର୍ ମାନଙ୍କର ହୋଇଗଲେ ମୋ ସୁଖରୁ କମ୍ ପଡି ବନି ଲୋ।ବରଂ ମୁଁ ଖୁସି ହେବି।ଦାମିକା ନାଲି ପାଣିର ସ୍ୱାଦ କେମିତି ଜାଣିଛୁ? ତୁ ସାର୍ ଙ୍କୁ ଖୁସି କଲେ ସେ ମୋତେ ଖୁସି କରିବେ।ମୁଁ ଖୁସି ହେଲେ ତୋତେ ଖୁସିରେ ରଖିବି।


ହଇରେ ମାଙ୍କଡ଼ ! ତୁ ମତେ ଚଳାଉଛୁ ନା ମୁଁ ତୋତେ ବା ...


ହଇରେ ଚଣ୍ଡାଳ ନିଜ ମାଇପ କୁ କିଏ ଅନ୍ୟକୁ ଭୋଗ କରିବାକୁ ଦିଏ!! ତୋ ଦେହ କେମିତି ସହିବ ସେମାନେ ମୋତେ ଟଣା ଓଟରା କଲେ ?


ଲୁହ ଢଳ ଢଳ ଆଖିରେ ବ୍ରହ୍ମା କୁହେ ,ତୁ ବା ମୂଲିଆ ସ୍ତ୍ରୀ ଲୋ। ସୁନା ପିଲା ପରି କଥା ନ ମାନିଲେ ସେମାନେ ଜୋର୍ ଜବର ଦସ୍ତି କରିବେ।ମୋତେ ବାଟରୁ ହଟେଇବା ପାଇଁ ଜୀବନରୁ ମାରି ଦେଇ ପାରନ୍ତି।ତୁ କହ ଖୁସିରେ ତାଙ୍କ କଥାରେ ରାଜି ନ ହୋଇ ଏତେ ବିପଦକୁ କାଇଁ ଡାକିବା !


ବୁଝିଲୁ ହିରୋଇନ୍!! ମୂଲିଆ ମାଇପ ପୁଣି ସୁନ୍ଦରୀ ହେଲେ ଗଲା ଜାଣ।ତୁ କାଇଁ ଏତେ ସୁନ୍ଦର ହେଉଥିଲୁ ଯେ... ଯିଏ ଦେଖିଲା ସିଏ ରସିଲା।


ମୁଁ ମୁଣ୍ଡ ଟେକି ତିଆରି ହେଉଥିବା ଆଠ ମହଲା କୋଠାକୁ ଅନେଇଁଲି।ସତ ତ ମୂଲିଆ ମାଇପ ରକ୍ତ ଝାଳ ବୁହାଇ ଏମିତି କେତେ କୋଠା, ରାସ୍ତା, ଦ୍ରବ୍ୟ ତିଆରି କରିବେ। ଭୋଗ କଲା ବେଳକୁ ବାବୁ ମାନଙ୍କ ମିସେସ୍।


ଆମେ ମୂଲିଆ ସ୍ତ୍ରୀ ଗୁଡା ମାଇପ।ଆଉ ବାବୁ ଅଫିସରଙ୍କର ସ୍ତ୍ରୀ ମାନେ ମିସେସ୍ !!!




Rate this content
Log in

More oriya story from Satyabati Swain

Similar oriya story from Tragedy