Lokanath Rath

Action Inspirational Thriller

4.4  

Lokanath Rath

Action Inspirational Thriller

ମୂକ୍ତ ବିହଙ୍ଗ (ଦ୍ୱାଦଶ ଭାଗ )

ମୂକ୍ତ ବିହଙ୍ଗ (ଦ୍ୱାଦଶ ଭାଗ )

6 mins
568



ସମୀର ବାବୁ ବାଟରେ ଯାଉ ଯାଉ ଅବିନାଶ ବାବୁଙ୍କୁ ଫୋନ କରି ମାନସ କରିଥିବା ଘଟଣା ବିଷୟରେ ଜଣାଇଲେ | ଅବିନାଶ ସବୁ ଶୁଣି ବଡ଼ ଦୁଃଖିତ ହେଲେ | ସେ ଏବେ ଏବେ ନୂତନ ଦାଇତ୍ୱ ନେଇଛନ୍ତି, ତେଣୁ ବିକାଶ ବାବୁଙ୍କ ପାଖକୁ ଯିବା ବି ସମ୍ଭବ ନୁହେଁ | ଅବିନାଶ ବଡ଼ ଚିନ୍ତାରେ ପଡିଲେ ଓ ସମୀର ବାବୁଙ୍କୁ କହିଲେ, "ଭାଇ, ଆପଣ ସେ ମାନସ ସାଙ୍ଗରେ ବେଶି ଯୁକ୍ତି କରିବା ଠିକ ହେବ ନାହିଁ | ସେ ଏବେ ମନ୍ତ୍ରୀ ବିକ୍ରମର ବଳରେ ବଳିୟାନ ହେଇଛି | ବିକ୍ରମ ମଧ୍ୟ ଆପଣଙ୍କୁ ଜାଣିଛି |ତେଣୁ ହେଇପାରେ ସେମାନେ କିଛି ଅଘଟଣ ଘଟାଇ ପାରନ୍ତି |ମୁଁ ଏବେ ଫୋନ କରି ଜିଲ୍ଲା ର କଲେକ୍ଟର ଓ ପୋଲିସ ଆରକ୍ଷୀ ଙ୍କୁ କହୁଛି |ସେମାନେ  ଆପଣଙ୍କୁ ଯୋଗାଯୋଗ କରିବେ |ଦରକାର ହେଲେ ଗାଁରେ ବାପା ଓ ମା ଙ୍କ ପାଇଁ କିଛି ପୋଲିସ ଦେଇ ସୁରକ୍ଷାର ବ୍ୟବସ୍ଥା କରିବେ ଏବଂ ଆପଣଙ୍କ ସୁରକ୍ଷା ବି କରିବେ |ଆପଣ କାମ ସାରି ଆସି ଯାଆନ୍ତୁ ଆମେ ବସି କଥା ହେବା |" ଏତକ କହି ଅବିନାଶ ଫୋନ ରଖିଦେଲେ | ଅବିନାଶ ତୁରନ୍ତ ଫୋନ କରି କଲେକ୍ଟର ଓ ପୋଲିସ ଆରକ୍ଷୀ ଙ୍କୁ ଜଣାଇଲେ | ପୋଲିସ ଆରକ୍ଷୀ ଗାଁରେ ବିକାଶ ବାବୁ ଓ ସୁଜାତାଙ୍କ ସୁରକ୍ଷାର ବନ୍ଦୋବସ୍ତ ପାଇଁ ପ୍ରତିଶୃତି ଦେଲେ | ଯେହେତୁ ଆରକ୍ଷୀ ନିଜେ ମନ୍ତ୍ରୀ ବିକ୍ରମ ର କାର୍ଯ୍ୟକ୍ରମ ରେ ଯାଇଛନ୍ତି, ସେ ସମୀର ବାବୁଙ୍କୁ ସୁରକ୍ଷିତ ଭାବେ ସେଠାରୁ ପଠାଇବାର ସବୁ ବ୍ୟବସ୍ଥା କରିବେ ବୋଲି କହିଲେ | ଏତକ ଶୁଣି ଅବିନାଶ ଟିକେ ଆଶ୍ୱସ୍ତ ହେଲେ | ତାପରେ ସେ ଫୋନ କରି ବିକାଶ ବାବୁଙ୍କୁ ସବୁ ବୁଝାଇ କହିଲେ | ତାପରେ ଅବିନାଶ ନିଜ କାମରେ ଲାଗି ଗଲେ | କିଛି ସମୟ ପରେ ପୋଲିସ ଆରକ୍ଷୀ ସଭା ସ୍ଥଳକୁ ଆସି ମନ୍ତ୍ରୀ ବିକ୍ରମ ଙ୍କ ସୁରକ୍ଷା ତଦାରଖ କଲେ ଓ ସେଠାରେ ସମୀର ବାବୁଙ୍କୁ ଭେଟିଲେ |ସେ ସମୀର ବାବୁଙ୍କୁ ତାଙ୍କର ଅବିନାଶ ସାଙ୍ଗରେ ହୋଇଥିବା କଥାବାର୍ତ୍ତା ସମ୍ବନ୍ଧରେ କହିଲେ ଓ ସେହିଠାରୁ ଦୁଇଜଣ ପୋଲିସ ଙ୍କୁ ପଠାଇଦେଲେ ବିକାଶ ବାବୁଙ୍କ ସୁରକ୍ଷା ପାଇଁ | ସମୀର ବାବୁ ଓ ଆରକ୍ଷୀ ଙ୍କ କଥା ହେବା ସମୟରେ ସମୀର ବାବୁ ରେକର୍ଡିଙ୍ଗ କରିଥିବା ଭିଡ଼ିଓ ଅରକ୍ଷୀଙ୍କୁ ଦେଖାଇଲେ | ତାକୁ ଦେଖି ଆରକ୍ଷୀ କହିଲେ, "ଆପଣ ଏହି ଭିଡ଼ିଓ ର ଆଧାରରେ ଥାନାରେ ଯିବା ସମୟରେ ଗୋଟିଏ ଏତଲା ଦେଇଦେବେ, ଯାହା କି ଭବିଷ୍ୟତରେ କାମରେ ଆସିପାରେ | ଆଉ ଏବିଷୟରେ କାହା ସହିତ କିଛି କଥା ହେବେ ନାହିଁ | ମନ୍ତ୍ରୀ ବିକ୍ରମ କୁ ଆପଣ ଜାଣିଛନ୍ତି, ସେ ତାର ଲୋକ ମାନସ ପାଇଁ କିଛି ଆପଣଙ୍କୁ ପଚାରି ପାରେ |ଆପଣ ଯେତେ ସମ୍ଭବ ଚେଷ୍ଟା କରିବେ କଥାକୁ ଆଡେଇ ଯିବାକୁ | ପରବର୍ତ୍ତୀ ସମୟରେ ମୁଁ ଅବିନାଶ ସାର ଙ୍କ ସହିତ କଥା ହେବି ଏବଂ କଣ କରାଯିବ ତାର ବ୍ୟବସ୍ଥା କରିବା |" ସମୀର ବହୁତ ଖୁସି ହେଇଗଲେ |ସେ ଏହି ଆରକ୍ଷୀଙ୍କ ବିଷୟରେ ଜାଣିଛନ୍ତି ଯେ ସିଏ ଜଣେ ବଡ଼ ସଚ୍ଚୋଟ ଓ କଠୋର ବ୍ୟକ୍ତିତ୍ୱର ଲୋକ | ତେଣୁ ସେ ତାଙ୍କ କଥା ମାନି କାମ କରିବେ ବୋଲି କହିଲେ |

କିଛି ସମୟ ପାରେ ମନ୍ତ୍ରୀ ବିକ୍ରମ ଆସି ପହଞ୍ଚିଲେ | ସେ ଆଜି ଏଠାରେ ପାନୀୟ ଜଳ ଯୋଗାଣ କେନ୍ଦ୍ର ଉଦଘାଟନ କରିବେ | ମନ୍ତ୍ରୀ ପହଞ୍ଚି ଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେଲା | ଉଦଘାଟନ କାର୍ଯ୍ୟ ସମାପନ ହେଲା |ମନ୍ତ୍ରୀ ତାଙ୍କ ଭାଷଣ ଦେଲେ | ସେଠାରେ ସେ ଏହି ନୂତନ କେନ୍ଦ୍ର କୁ ତିଆରି କରିଥିବା ସଂସ୍ଥା ର ମାଲିକ ଅଲେଖ ବାବୁଙ୍କୁ (ମାନସ ର ଶ୍ୱଶୁର ) ବହୁତ ପ୍ରଶଂସା କଲେ | ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କୁ ଆହୁରି କିଛି ଏହିପରି ପ୍ରକଳ୍ପ କରିବାର ପ୍ରତିଶୃତି ବି ଦେଲେ | ସମୀର ଦେଖୁଥିଲେ ମଞ୍ଚ ଉପରେ ମନ୍ତ୍ରୀ ବିକ୍ରମ ଙ୍କ ପଛରେ ମାନସ ବସିଛି | କିଛି ସମୟ ପରେ ସଭା କାର୍ଯ୍ୟ ଶେଷ ହେଲା |ମନ୍ତ୍ରୀ ବାହାରିବା ସମୟରେ ସାମ୍ବାଦିକମାନେ ତାଙ୍କୁ କିଛି ପ୍ରଶ୍ନ କଲେ ଏହି ପ୍ରକଳ୍ପ ପଛରେ ରହିଥିବା କିଛି ଅନିୟମତା କୁ ନେଇ |ମନ୍ତ୍ରୀ ସେହି ପ୍ରଶ୍ନ ସବୁକୁ ଏଡାଇ ଦେଇ ତର ତର ହୋଇ ଯିବାକୁ ବାହାରିଲେ | ସେ ସମୀର ବାବୁଙ୍କୁ ଦେଖି କହିଲେ, " ନିଜର ସାମ୍ବାଦିକତା କରନ୍ତୁ, ଅନ୍ୟର ଘର କଥାରେ ବେକାର ରେ ମୁଣ୍ଡ ନ ପୁରାଇବା ଭଲ ହେବ |" ଏହି କଥା ସେଠାରେ ଉପସ୍ଥିତ ଥିବା ଆରକ୍ଷୀ ବି ଶୁଣିଲେ ଓ ଦେଖିଲେ ମନ୍ତ୍ରୀଙ୍କ ଗାଡ଼ିରେ ମାନସ ବସି ହସିଦେଇ ବାହାରିଗଲା |ତାଙ୍କ ଗାଡି ପଛରେ ଅଲେଖ ବାବୁଙ୍କ ଗାଡି ବାହାରିଗଲା |ଅଲେଖ ବାବୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କରି ନିଜ ଗାଡ଼ିରେ ବସି ବାହାରି ଗଲେ |


ମନ୍ତ୍ରୀ ଓ ଅନ୍ୟମାନେ ବାହାରି ଗଲା ପରେ ପୋଲିସ ଆରକ୍ଷୀ ସମୀର ବାବୁଙ୍କୁ ଡାକି କହିଲେ ତାଙ୍କ ସହିତ ବିକାଶ ବାବୁଙ୍କ ପାଖକୁ ଯିବା ପାଇଁ |ସମୀର ବାବୁ ତାଙ୍କ ସହିତ ଗାଁ କୁ ଗଲେ |ସେଠାରେ ଦୁଇଜଣ ପୋଲିସ କର୍ମୀ ଉପସ୍ଥିତ ଥିଲେ | ବିକାଶ ବାବୁଙ୍କୁ ପଚାରି ସବୁ କଥା ଆରକ୍ଷୀ ବୁଝିଲେ |ବିକାଶ ବାବୁ ବି ତହସିଲ ଅଫିସ ରେ ହୋଇଥିବା ଜମି ବାଡ଼ିର ଆଇନ ହିସାବରେ ଭାଗ ବଂଟରାକୁ ଦେଖାଇଲେ | ଦିନବେଳା ମାନସ ଆସି ଭଙ୍ଗା ରୁଜା କରିଥିବା ଜାଗା ବି ଆରକ୍ଷୀ ଦେଖିଲେ |ଶେଷରେ ଆରକ୍ଷୀ ବିକାଶ ବାବୁଙ୍କୁ କହିଲେ ଗୋଟିଏ ଦରଖାସ୍ତ ଆଜିର ଏହି ଗଣ୍ଡଗୋଳକୁ ନେଇ ଲେଖି ତାଙ୍କୁ ଦେବାକୁ | ଏହି ସମୟ ଭିତରେ ସୁଜାତା ଚାହା ଜଳଖିଆ ନେଇ ଆସି ପରସି ଦେଲେ ଓ କାନ୍ଦି କାନ୍ଦି କହିଲେ, " ମୁଁ ବହୁତ ପାପ କରିଥିଲି, ମୋ ଭାଗ୍ୟରେ ଏମିତି ପୁଅ ଜନ୍ମ ହେଲା | ବହୁତ କଷ୍ଟ ଦେଲାଣି |ଆଉ ସହି ହେଉନି | ଆମେ କେବେ ଠାରୁ ଏହି ଅନାଥ ପିଲାମାନଙ୍କ ପାଇଁ ଆମ ଶକ୍ତି ହିସାବରେ କାମ କରି ଆସୁଛୁ, କିନ୍ତୁ ଏବେ ସିଏ ସେଥିରେ ବି ବାଧା ଦେବାରେ ଲାଗିଛି | ଭାବିଥିଲୁ ଏହି ଅନାଥ ପିଲାମାନଙ୍କ ସେବା କରି ପୁଅ ଦେଇଥିବା ଦୁଃଖ ଭୁଲି ଯିବୁ, କିନ୍ତୁ ଆମ ଦୁର୍ଭାଗ୍ୟ ସେତକ ବି ସେ କରେଇ ଦେଉନି | ତାକୁ ଯାହା ତାହାର ପ୍ରାପ୍ୟ ମିଳି ସାରିଥିବା ପରେବି ସେ ଏମିତି କରୁଛି |"ଏତକ କହି ସୁଜାତା କାନ୍ଦି କାନ୍ଦି ସେଠାରୁ ଚାଲିଗଲେ | ବିକାଶ ବାବୁ ଦରଖାସ୍ତ ଲେଖି ଆଣି ଆରକ୍ଷୀ ଙ୍କୁ ଦେଲେ | ଶେଷରେ ଆରକ୍ଷୀ ଓ ସମୀର ସେଠାରୁ ବାହାରିଲେ |ବାହାରିବା ସମୟରେ ଆରକ୍ଷୀ ହସି ହସି ବିକାଶ ବାବୁଙ୍କୁ କହିଲେ, "ଆପଣ ଆଦୌ ବ୍ୟସ୍ତ ହେବେ ନାହିଁ | ମୋର ଫୋନ ନମ୍ବର ରଖନ୍ତୁ, କିଛି ଅସୁବିଧା ହେଲେ ତୁରନ୍ତ ଜଣାଇବେ |ଏଠାରେ ଏହି ଦୁଇଜଣ ପୋଲିସ କର୍ମୀ ଆପଣଙ୍କ ସୁରକ୍ଷା ରେ ରହିବେ |ଆପଣ ମାଉସୀ ଙ୍କୁ ବୁଝାଇ ଦେବେ ଯେ ମୁଁ ବି ଜଣେ ତାଙ୍କ ପୁଅ ପରି | ସୁବିଧା ଅସୁବିଧାରେ ନିଶ୍ଚୟ ଆସି ଠିଆ ହେବି | ଆପଣ ଏହି ଅନାଥ ଆଶ୍ରମ ପାଇଁ ଯେଉଁ ମହତ କାମ କରୁଛନ୍ତି, ତାକୁ କରି ଚାଲନ୍ତୁ | ଯଦି ମୋତେ ସୁଯୋଗ ମିଳିବ ତେବେ ମୁଁ ବି ଚାହିଁବି ମୋର କିଛି ଛୋଟ ସହଯୋଗର ହାତ ସେଥିରେ ଲଗାଇବା ପାଇଁ |" ଏତିକି କହି ସେଠାରୁ ଉଭୟ ସମୀର ଓ ଆରକ୍ଷୀ ବିକାଶ ବାବୁ ଓ ସୁଜାତା ଦେବୀଙ୍କୁ ନମସ୍କାର କରି ବାହାରିଗଲେ |ଯିବା ବେଳେ ଆରକ୍ଷୀ ଦୁଇ ପୋଲିସ କର୍ମୀଙ୍କୁ ତାଗିଦ କରି କଡା କଡ଼ି ସୁରକ୍ଷା ଦେବାକୁ କହି ଗଲେ |

ସେଠାରୁ ବାହାରି ଯାଉଥିବା ବେଳେ ଆରକ୍ଷୀ ଆନନ୍ଦ ବାବୁ ସମୀର ଙ୍କୁ କହିଲେ, "ସମୀର ବାବୁ, ଅନାଥ ପିଲା ମାନଙ୍କର ଦୁଃଖ କଣ କେବଳ ଜଣେ ଅନାଥ ହିଁ ବୁଝି ପାରିବ | ଏହି ଅନାଥ ଆଶ୍ରମ ସବୁ ଯେଉଁ ଜାଗାରେ ଅଛି ତାକୁ ଚଳାଇବା କେତେ କଷ୍ଟ ମୁଁ ଜାଣିଛି |କେତେ ଯେ ସଂଘର୍ଷ କରିବାକୁ ହୁଏ ମୁଁ ଦେଖିଛି |ଆଜି ସେଥିପାଇଁ ବିକାଶ ବାବୁ ଓ ମାଉସୀ ବି ସଂଘର୍ଷ କରୁଛନ୍ତି | ମାଉସୀଙ୍କ ଆଖିରେ ଲୁହ ଦେଖି ମୋତେ ବହୁତ କଷ୍ଟ ଲାଗିଲା |ସତରେ ସିଏ ଜଣେ ମମତାମୟୀ ମା | ଏତେ ଦୁଃଖ ପରେ ବି ସେ ମାନସ କୁ ନୁହେଁ ନିଜକୁ ପାପ କରିଛନ୍ତି ବୋଲି କହୁଛନ୍ତି | ଆପଣ ବୋଧେ ଭାବୁଥିବେ ଯେ ମୁଁ କାହିଁକି ଭାବୁକ ହେଇ ପଡିଛି ? ତାର କାରଣ ହେଲା ସମୀର ବାବୁ ଯେ ମୁଁ ବି ଗୋଟିଏ ଅନାଥ ଓ ଅନାଥ ଆଶ୍ରମରେ ବଢିଛି |" ଆନନ୍ଦ ବାବୁ ଏତିକି କହି ନିଜ ଆଖିରୁ ଲୁହ ପୋଛି ଦେଲେ |ସମୀର ତାଙ୍କୁ ଆଶ୍ଚର୍ୟ୍ଯ ହୋଇ ଚାହିଁ ରହିଲେ | ତାପରେ ନିଜେ ଆରକ୍ଷୀ ଆନନ୍ଦ ବାବୁ ଅଵିନାଶଙ୍କୁ ଫୋନ କରି କହିଲେ, " ସାର, ମୁଁ ଆପଣଙ୍କ ଶ୍ୱଶୁର ଓ ଶାଶୁଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରି ଦେଇଛି |ମୁଁ ନିଜେ ସମୀର ବାବୁଙ୍କ ସହିତ ଯାଇ ଦେଖି ଆସିଲି ସେଠାରେ ହୋଇଥିବା ଭଙ୍ଗା ରୁଜା କାମ |ତେଣୁ ମୁଁ ଆପଣଙ୍କ ଶ୍ୱଶୁରଙ୍କ ଠାରୁ ଗୋଟିଏ ଦରଖାସ୍ତ ନେଇ ଆସିଛି ସେହି ଘଟଣା କୁ ନେଇ, ଯାହାକୁ ଖାଲି ଏତଲା ହିସାବରେ ଥାନାରେ ରଖାଯିବ |ଭବିଷ୍ୟତରେ କିଛି ଗଣ୍ଡଗୋଳ ମାନସ କଲେ ଏହା ଆମର କାର୍ଯ୍ୟାନୁଷ୍ଠାନ ପାଇଁ କାମରେ ଲାଗିବ | ଏବେ ମୁଁ ସମୀର ବାବୁଙ୍କୁ ସାଙ୍ଗରେ ନେଇ ଯାଉଛି ଓ ତାଙ୍କୁ ପୋଲିସ ଗାଡ଼ିରେ ପଠାଇ ଦେବି |" ଏତକ ଶୁଣି ଅବିନାଶ ଖୁସି ହେଇଗଲେ ଓ ଆନନ୍ଦଙ୍କୁ ଧନ୍ୟବାଦ ଜଣାଇଲେ | ଫୋନ ରଖି ସାରି ଆନନ୍ଦ ନିଜର ମନର ଭାବନା କୁ ହାଲୁକା କରି ଦେଇଥିବାରୁ ବହୁତ ଖୁସି ହେଉଥିଲେ | ବହୁତ ଦିନ ପରେ ସେ ପୁଣି ଗୋଟିଏ ଅନାଥ ଆଶ୍ରମ କାମରେ ଆସି ନିଜ ମନର ବେଦନା କୁ ମୂକ୍ତ କରିଦେଲେ | ତାଙ୍କୁ ଲାଗିଲା ଯେମିତି ତାଙ୍କର ସେଇ ପୁରୁଣା ଅନାଥ ଆଶ୍ରମରୁ ସେ ମୂକ୍ତ ବିହଙ୍ଗ ପରି ଉଡି ଉଡି ଏହି ଅନାଥ ଆଶ୍ରମ କୁ ଆସି ଯାଇଛନ୍ତି |ଏହା ଭାବୁ ଭାବୁ ଆନନ୍ଦ ବାବୁ ଥାନାରେ ପହଞ୍ଚି ଗଲେ |ସେଠାରେ ବିକାଶ ବାବୁଙ୍କ ଦରଖାସ୍ତକୁ ଦେଇ ପଞ୍ଜିକରଣ କରାଇଲେ |ତାପରେ ସମୀର ବାବୁଙ୍କୁ ଗୋଟିଏ ପୋଲିସ ଗାଡ଼ିରେ ତାଙ୍କ ସହରକୁ ପଠାଇବାର ବ୍ୟବସ୍ଥା କରି ନିଜ ଘରକୁ ଚାଲିଗଲେ |



Rate this content
Log in

Similar oriya story from Action