ମୁଠେ ଆଲୁଅ
ମୁଠେ ଆଲୁଅ
ରଘୁଆ ଘର ଛପର,ଇଟା ପକେଇବା,ଧାନ ଗଦାକରିବା,ହେଁସ ମସିଣା ବୁଣିବା,ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର।ଯେତେ କାମ କଲେବି ଚାରି ପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକର ପାଠ।ତାର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦୁଇଦିନ ଚୁଲି ଅଜଳା ରହିଯାଏ।ସେଥିରେ ଚାରିପ୍ରାଣୀ ଉପାସ ରୁହନ୍ତି।ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହଉଥାଏ ଯେ ତାର ଏ ଗରିବୀ ଅବସ୍ଥା ସୁଧୁରି ଯିବ।ସେ ଆଉ ଗରିବ ହୋଇ ରହିବ ନାହିଁ।
ହଁ ମୁଁ ରଘୁନାଥ ବିଶୋଇ,ରଘୁଆ ଜଣେ ଗରିବ ଖଟିଖିଆ ମୁରୁଖ ଲୋକ।ମୋ ସ୍ତ୍ରୀ ଶମ୍ପା।ବାପା ଓ ମା ଏମିତି ମିଶି ଆମେ ଚାରି ପ୍ରାଣୀ କୁଟୁମ୍ବ।
ଶମ୍ପାର ସବୁବେଳେ ମନ ଉଣା।ଠାକୁରେ କୋଳକୁ ଗୋଟେ ଛୁଆ ପିଲା ଦେଉ ନାହାନ୍ତି।ସେଦିନ ଆଶାଦିଦି କହୁଥିଲେ ସହରରେ ଜଣେ ଭଲ ଡାକ୍ତର "ସୃଷ୍ଟି ନର୍ସିଂ ହୋମ୍ "କରିଛନ୍ତି।ତାଙ୍କଠାରୁ ଔଷଧ ଖାଇବାରୁ ଅନେକଙ୍କର ପିଲା ଛୁଆ ହେଲାଣି।ଟିକେ ଶମ୍ପା ଓ ମୋର କଣ ସବୁ ଟେଷ୍ଟ କଲେ ଜଣା ପଡ଼ନ୍ତା।ଶମ୍ପା ବି ମା ହୁଅନ୍ତା।ଆଉ ମୁଁ ବି ବାପା।ଖାଲି ସ୍ତ୍ରୀ ଲୋକଟିଏ ମା ନ ହେଲେ କେବଳ ଦୁଃଖ ପାଏ ନାହିଁ; ତା ସହ ପୁରୁଷ ଟି ବି ତତୋଧିକ ଦୁଃଖ ପାଏ।ମୋ ସ୍ତ୍ରୀକୁ ସମସ୍ତେ ବାଞ୍ଝ କହିଲା ବେଳେ ମୋତେ କଣ କମ୍ କାଟେ କି।ମୋତେ ଲାଗେ ଦୋଷ କଣ କେବଳ ଶମ୍ପାର।ଏମିତି ହୋଇଥାଇପାରେ ମୋ ଦୋଷରୁ ପିଲା ଛୁଆ ନ ହୋଇ ପାରନ୍ତି।ଆଶା ଦିଦି କହୁଥିଲେ ପରୀକ୍ଷା କଲେ ଜଣା ଯାଆନ୍ତା।କିନ୍ତୁ ପେଟ ଯେଉଁଠି ଦୁଇ ଓଳି ଠିକ୍ ରେ ପୁରି ପାରେନା
ସେଠି ସହର ଯାଇ ପରୀକ୍ଷା କରିବାକୁ,ଔଷଧ କିଣିବାକୁ କି ଡାକ୍ତରବାବୁଙ୍କ ଫିସ୍ ଦେବାକୁ ପଇସା ଆସିବ କାହୁଁ?
ସ୍ବପ୍ନ ଦେଖିବାକୁ ତ ପଇସା ପଡେ ନାହିଁ।ଏଣୁ ମୁଁ ସ୍ୱପ୍ନ ଦେଖିବା ସହ ଶମ୍ପାକୁ ବି ସ୍ବପ୍ନ ଦେଖାଏ।ବ୍ୟସ୍ତ ହଅନା।ଠାକୁର ଅଛନ୍ତି।ସବୁଦିନେ ଆମ ଘର କଣ ଅନ୍ଧାର ହୋଇଥିବ?ଆମ ସରକାର ବି କେତେ କଣ ଯୋଜନା କଲେଣି।ଏଣିକି ଆମ ଦୁଃଖ ଯିବ।ଏଠି ନହେଲେ ସମସ୍ତେ ଦୁବେଇ ଯାଉଛନ୍ତି ବ୍ୟାଗ୍ ଭର୍ତ୍ତୀ ଟଙ୍କା ଆଣୁଛନ୍ତି।ମୁଁ ବି ଯିବି।ଦେଖିବୁ ଆମ ଦୁଃଖ ବି ଦିନେ ଯିବ।ସବୁଦିନ କଣ ଆମେ ଏମିତି ଚଳୁଥିବା।
ବାପା ଓ ମା ଦୁହେଁ ସବୁବେଳେ ରୋଗରେ ଘାଣ୍ଟି ହୁଅନ୍ତି।ଆଜି ଥଣ୍ଡା,କାଲି ଝାଡା ତ ତାପର ଦିନ ଜର।ଏ ଏନ୍ ମା ଦିଦିଙ୍କୁ କହି ଔଷଧ ଦେଇ ଦିଏ।ଆଠ ଦିନ କତରା ଲଗା ହୋଇ ପଡନ୍ତି ପୁଣି ଉଠନ୍ତି।ଏ ଗରିବ ଗୁରିବାଙ୍କ ଜୀବନ ଭାରି ଚେମେଡା।ସହଜେ ରୋଗ ୟାଙ୍କୁ ଡରାଇ ପାରେନା।ମୋ ବାପା ମା ଆଇଁଷ ପାଣି ଟିକେ ହେଲେ ଭାତ ଦିଟା ଖାଆନ୍ତି।ନଲେ ଦିନ ଦଶଟା
ରୁ ଭାତ ଥାଳି ପାଖେ ବସିଥିବେ ଦିନ ଦିପହର ହେବା ଯାଏ।ଅଭାବୀ ଲୋକ କଣ ମନ କରି ଭଲ ମନ୍ଦ ଖାଇ ପାରେ!ମୁଁ ଓ ମୋ ସ୍ତ୍ରୀ ଲଙ୍କା,ପିଆଜ କି ଶାଗ ଟିକେ ହେଲେବି ଥାଳିଏ ଲେଖାଏଁ ଭାତ ଖାଇ ଦେଉ।ଏବେ ପିଆଜ ଦର ବଢିବାରୁ ସେଇଟା ବି ଆମ ପାଇଁ ସ୍ୱପ୍ନ।ବୁଢା ମଣିଷ ଦିଟା ଏଣୁ ତେଣୁ ଖାଇ ପାରନ୍ତି ନାହିଁ।ଯେଉଁ ଦିନ ପଙ୍କ ଚିପି ଚେଙ୍ଗ କି ତୋରି ଟିଏ ଆଣି ଶମ୍ପା ପୋଡି ଚକଟି ଦିଏ ସେଦିନ ଦି ଗୁଣ୍ଡା ଭାତ ଖାଆନ୍ତି ସେମାନେ।କିନ୍ତୁ ସବୁଦିନେ ଏ ବି ସମ୍ଭବ ନୁହେଁ।
ଭାରି କଷ୍ଟିଆ ଏ ଜୀବନ।ଥରେ ଜଣେ ବାବୁ ଆସି କହିଲେ ତୋ ବାପା ମାକୁ ବୃଦ୍ଧାଶ୍ରମ ପଠାଇ ଦେ।ଦୁଇ ବେଳା ପେଟ ପୁରାଇ ଖାଇବେ।ବଢ଼ିଆ କୋଠା ଘରେ ପଙ୍ଖା ବୁଲୁଥିବା ଘରେ ଗଦି ଉପରେ ଶୋଇବେ।ରୋଗ ହେଲେ ଡାକ୍ତର ଦେଖି ଔଷଧ ଦେବେ।ଛାଡ଼ିବୁ?
ମୁଁ ଆଶ୍ଚର୍ଯ୍ୟ ହୋଇ ସେ ବାବୁ ମୁହଁକୁ ଅନେଇଁଲି।କହିଲି ବାବୁ ମୋ ବାପା ମାଙ୍କୁ ମୁଁ ଭଲ ଖାଇବାକୁ ଦେଇ ପାରୁନି ସତ।କିନ୍ତୁ ସେବା ତ କରି ପାରୁଛି।ସେମାନେ କାଶିଲେ ମୁଁ କି ଶମ୍ପା ତାଙ୍କ ଛାତି ଆଉଁସି ଦେଉଛୁ।ଗୋଡ଼ ଘୋଳି ହେଲେ ଚିପି ଦେଉଛୁ।ଝାଡା ପରିସ୍ରା କଲେ ବିନା ଦ୍ଵିଧାରେ ସଫା ଟଫା କରିଦେଉଛୁ।ରାତି ରାତି ଜଗି ବଉଚୁ ।ଏସବୁ ସେଠି କିଏ ଦେବ ବାବୁ?ନାଇଁ ନାଇଁ ବାବୁ ମୋ ବାପା ମା ବୃଦ୍ଧାଶ୍ରମ ଯିବେ ନାହିଁ।ସେମାନେ ମରିବା ଯାଏ ମୁଁ ସେମାନଙ୍କ ସେବା କରିବି।ଏ ସୁଖରୁ ମୋତେ ବଞ୍ଚିତ କରନ୍ତୁ ନାହିଁ,ଆଜ୍ଞା।
ବାବୁ ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ତଳକୁ ମୁହଁ ପୋତି ଚାଲିଗଲେ।ଆଉ ମୋ ବାପା ମାଙ୍କ ମୁହଁରେ ଫୁଟୁଥିଲା ଖୁସିର ପୁନିଅଁ ଜହ୍ନ।ସେମାନେ ମୋତେ କୁଣ୍ଢେଇ ପକେଇ କହିଲେ ବୋକା ଟା ରାଜି ହୋଇଗଲୁ ନାହିଁ।ଆମ ବୋଝଟା ଅନ୍ତତଃ ତୋ ମୁଣ୍ଡ ଉପରୁ ହଟି ଯାଇଥାନ୍ତା।
ଏମିତି ଆଉ ଦିନେ କହିବ ତ ଏ ଘର ଛାଡି ଚାଲିଯିବି କହୁଛି;ହଁ...ମୁଁ କହିଲି।
ବାପାମାଙ୍କ ଆଖିରୁ ମୋର ଗଳି ପଡୁଥିଲା ଆନନ୍ଦର ଲୁହ।ଅଭାବ ସିନା ଭାତର କିନ୍ତୁ ଭାଵ ତସ୍ନେହର ପ୍ରେମର ଭରପୁର ଆମ ଘରେ ରେ ରଘୁଆ।ତୋତେ ଛାଡି ଆମେ ବଞ୍ଚି ପାରିବୁ କି?ମଲେ ତୋରି କୋଳରେ ମରିବୁ ରେ ରଘୁଆ କହିଲେ ମୋ ବାପାମା।ତାଙ୍କ ଆଖିରେ ଲୁହ ଭିତରେ ଝଟକୁ ଥିଲା ମମତାର, ଖୁସିରଓ ଗର୍ବର ମୁକ୍ତା।
ଆର ସାହି ବିଜୟ ବାବୁ ଜଣେ ନାମୀ ଦାମୀ ଲୋକ,ବଡ଼ ଅଫିସର ବି ଜୋର ଜବର ଦସ୍ତ ତାଙ୍କ ବାବା ମା ଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡି ଦେଇ ଆସିଛନ୍ତି।ଆଉ ତାଙ୍କ ରଘୁଆ ଖଟିଖିଆ,ଗରିବ,ମୂର୍ଖ ପୁଅଟା ନିଜ ପାଖରୁ ବାପା ମାଙ୍କୁ ଦୂର କରିବାକୁ ଚାହୁଁନାହିଁ?ଏଇଟା କେତେ ଗର୍ବର କଥା। ରଘୁଆକୁ କୋଟି ପରମାୟୁ ଦେଇଥାଅ ମହାପୃ କହି ଉପରକୁ ହାତ ଯୋଡିଲେ ରଘୁଆ ବାପାମା।
ନିର୍ବାଚନ ସରିଲା।କେତେ କଣ ଯୋଜନା ହେଲା।ହେଲେ ନିଖୁରା ମୁଣ୍ଡ ସବୁବେଳେ ନୁଖୁରା।ଘରେ ଭିତରେ ଖରା ଘର ବାହାରେ ବି ଖରା।ଖରା ଖରାର ଜୀବନ ରଘୁଆର।ଆଶା ଦିଦି ଶମ୍ପାକୁ ମାଗଣାରେ ନେଇ କେଉଁ ଡ଼ାକ୍ତରଙ୍କ ପାଖେ ଦ
େଖାଇ ଔଷଧ ଆଣି ଦେଇଥିଲେ।ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ଚାରିମାସ ହେବ ପ୍ରତିଦିନ ଗୋଟିଏ ଲେଖାଏଁ ବଟିକା ଖାଉଛୁ।ଶମ୍ପା କହୁଥିଲା ତାକୁ ଏବେ ଖାଲି ଅଇ ଅଇ ଲାଗୁଛି।ସବୁ ଗନ୍ଧଉଛି।ଖାଇବାକୁ ଇଛା ହେଉ ନାହିଁ।ଏ ଏନ୍ ମା ଓ ଆଶା ଦିଦି ଭାରି ଲାଗିଛନ୍ତି ଆମର କେମିତି ଗୋଟିଏ ଛୁଆ ପିଲା ହୁଅନ୍ତା।ଶମ୍ପାକୁ ବହୁତି ଭଲ ପାଆନ୍ତି ସେମାନେ।ଶମ୍ପା ଟା ବା ସେମିତି।ଭାରି ପରପୋକାରୀ।ପର ଧନ କୁ ଆଡ଼ ଆଖିରେ ଚାହେଁ ନାହିଁ।ଯିଏ ଯେତେବେଳେ ଯେଉଁ ବୋଲ କୁହନ୍ତି ଖୁସିରେ କରିଦିଏ।ତେଣୁ ଶମ୍ପା ସଭିଙ୍କ ପ୍ରିୟ।ଶମ୍ପାର ଏମିତି ସବୁ ହେଉଛି ଜାଣି,ପୁଣି ଡାକ୍ତରଙ୍କ ପାଖକୁ ପରୀକ୍ଷା କରିବାକୁ ନେଇ ଗଲେ ସେମାନେ।
ମୋତେ ଡର ଲାଗୁଥାଏ।ନହେଲା ନାଇଁ ଏବେ ଛୁଆ।ସବୁବେଳେ ଡାକ୍ତର ଖାନା ଦୌଡ଼ିବାକୁ ମୋର ଭାରି ଡର।କଣ ହୋଇଥିବ କେଜାଣି ଶମ୍ପାର।ମୁଁ ସେଦିନ କାମକୁ ସିନା ଗଲି ହେଲେ ଶମ୍ପା ପାଖେ ମନ।କିଛି ବଡ଼ ରୋଗ ହୋଇ ଯାଇନି ତ ତାକୁ?କାମରେ ମନ ଲାଗୁ ନ ଥାଏ।କେମିତି କାମସାରି ଘରକୁ ଯିବ ଓ ଜାଣିବି କଣ ହୋଇଛି ଶମ୍ପାର।ପ୍ରଭୁ ହେ ବଡ଼ ଧରଣର ରୋଗ ବୈରାଗ ନ ହୋଇ ଥାଉ।ତା ସଙ୍ଗେ ଡାକ୍ତର ଖାନା ଯିବାକୁ ଇଚ୍ଛା ଥିଲା ଯେ ଶମ୍ପା ପରା ତଡିକି ପଠାଇଲା।କହିଲା କି ଯାହା ହୋଇଥିବ ଦେଖିବା।କାମ ନ କଲେ ଗୋଟିଏ ଦିନର ମଜୁରୀ ଆମକୁ କିଏ ଦେବ?ବାପା ମା ଙ୍କ ଚୁଡା ବି ସରି ଯାଇଛି।ଆଜି ପଇସା ହେଲେ ସିନା ଆଣିବ।ନଲେ ସକାଳ ସନ୍ଧ୍ୟାରେ ଚା ରେ କଣ ଖାଇବେ?ଭାରି ବୁଝିଲା ଶୁଝିଲା ମଣିଷଟି ମୋତେ ଈଶ୍ଵର ସ୍ତ୍ରୀ କରି ଦେଇଛନ୍ତି।
ତରବର ହୋଇ କେଏଁ କେଏଁ କଟର କରୁଥିବା ସାଇକେଲ ଜୋର ଜୋର ପେଲି ମୁଁ ଘରକୁ ଆସିଲି।ଡାକ ଛାଡ଼ିଲି ହେ ଶମ୍ପା...ଡାକ୍ତର ଦେଖି କଣ କହିଲେ?କଣ ହୋଇଛି ତୋର?ସେମିତି କିଛି ବଡ଼ ଧରଣର ରୋଗ ହୋଇନି ତ?ମୋ କଣ୍ଠରେ ଭୟର ସ୍ୱର।
କି ଲୋକ କେଜାଣି।କାମରୁ ଫେରି କଣ ମୁହଁକୁ ନ ନେଇ କିଏ ଏମିତି ଘଡ଼ ଘଡି ପକାଇଲା ପରି ରଡି ଛାଡେ।ହେଉ ନେଲ ନେଲ ଚା ଟିକେ ପିଇଦେଲ।ଯଦି କିଛି ହେବାର ଥିବ ନା ତୁମେ ନା ମୁଁ ରୋକି ପାରିବା କି?କହିଲା ଶମ୍ପା।
ହେଇ ଦେଖ୍ ମୁଁ ତୋ ଦେହ ପାଇଁ ଚିନ୍ତା କରି ଦିନ ସାରା ଗୁଡୁରୁ ପୁଡୁରୁ ହେଉଛି,ୟାକୁ ଦେଖ କି ଛଇ କାଢୁଛି।
ଶମ୍ପା କହିଲାଏମିତି କିଛି ହୋଇନି।ରୋଷେଇ ସାରେ ଖାଇ ପିଇ ସାଇଲେ ବନେଇ ଚୁନେଇଁ କହିବି।ଶୁଣିକି ତୁମର ହୋସ୍ ରହିଲେ ହେଲା।
ମୋର ଚିନ୍ତା ବଢିଗଲା।କଣ ଏମିତି କହୁଛି।କି ବଡ଼ ରୋଗ ହେଲା କି?ମୋତେ ଦୁଃଖ ହେବ ବୋଲି ଯେତେ ଦେହ ଖରାପ ହେଲେ ବି ମୁହଁ ଖୋଲି କୁହେନି।ଏଥର ସେମିତି କଣ ହୋଇଛି ନା କଣ?
ଯାହା ଯେମିତି ରୁଟି ଦି ପଟ ନାଲି ଚା ରେ ବୁଡ଼େଇ ଖାଇ ଦେଇ ମୁଁ କହିଲି ଚାଲେ ଶୋଇବା ଶମ୍ପା।
ଓହୋ କଣ ଏମିତି ହେଉଛ।ବାପା ମା ଙ୍କ ପାରିଶୁଆ ପାରିଦିଏ।ସେମାନେ ଶୋଇ ନାହାନ୍ତି ଏଇ ନୂଆ ବାହା ହେଲା ପରି ଥେଇ ଥେଇ ହେଉଛ ଚାଲେ ଶୋଇବା।ତୁମେ ଯାଅ ଶୋଇବ।ମୁଁ କାମ ଧନ୍ଦା ସାରି ଯାଉଛି।
ମୋ ମୁଣ୍ଡ ଠିକ୍ ରହିଲା ନାହିଁ।କଣ ଗୋଟେ ବଡ଼ ଧରଣର ହୋଇଛି।ଧରା ଛୁଆଁ ଦେଉନି ଶମ୍ପା କାହିଁକି?
ମୋ ତରବରିଆ ଖାଇବା,ଶମ୍ପାକୁ ଶୋଇବାକୁ ଡାକିବା ଶୁଣି ବାପା ମା ବି କହିଲେ ଯା ବୋହୁ କାହିଁକି ଡାକୁଛି ରଘୁଆ ଯା।ଦିନକ ଆମେ ପାରି ଶୋଇ ପାରିବୁ ନାହିଁ?ସବୁବେଳେ ଆମ କାମ କରି କରି ଆମକୁ କୋଢି଼ଆ କରି ଦେଲୁନି।ହାତ ଗୋଡ଼ ଚଳୁଛି ରେ ମା।ଅନ୍ତତଃ ନିଜ କାମ ନିଜେ ନ କଲେ ଗୋଡ଼ ହାତ ପଙ୍ଗୁ ହୋଇଯିବ।ତୁ ଯା ବୋହୁ....
ମୋତେ ନିଦ ହୋଇଯିବ ବୋଲି ବିଡ଼ିରେ ନିଆଁ ଧରାଇ ଟାଣୁଥାଏ।ସବୁ କାମ ସାରି ଶମ୍ପା ଶୋଇବାକୁ ଆସିଲା।ମୁଁ ବିଡ଼ିଟା ଫୋପାଡ଼ି ଦେଇ ଶମ୍ପା ହାତ ଧରି ଟାଣି ନେଇ ପାଖକୁ କହିଲି "କହିଲୁ କଣ ହୋଇଛି ତୋର।ଜାଣିଛୁ ମୋ ନିଃଶ୍ବାସ ବନ୍ଦ ହୋଇଗଲା ପରି ଲାଗୁଛି ଲୋ।"
କେଜାଣି କେତେ ଯୁଗ ପରେ ଶମ୍ପା ଲାଜେଇ ଯାଇ ମୋ ଛାତିରେ ମୁଣ୍ଡ ଗୁଞ୍ଜି ଦେଲା।
ମୋର ଡର ଆହୁରି ବଢିଗଲା।ତାକୁ ଛାତିରୁ ଅଲଗା କରି ତା ମୁହଁକୁ ମୋ ମୁହଁ ଆଗେ ଧରି କହିଲି କହ ଲୋ କେତେ ମୋ ଧଇରଜ ପରୀକ୍ଷା ନେଉଛୁ।କହିଲୁ ମୋ ସୁନା କଣ ହୋଇଛି ତୋର??
ଶମ୍ପା ମୋ ମୁହଁକୁ ଡାଆଣି ପରି ଅନେଇଁ ଚୁମାଟିଏ ଦେଇ କହିଲା "ତୁମେ ବାପା ହେବାକୁ ଯାଉଛ"।
ମୁଁ ପାଟି ଟା ହାଁ କରି କିଛି ସମୟ ରଖିଲି।ହେଇ ଶମ୍ପା ମୋତେ ଚୁମୁଡ଼ିଲୁ ମୁଁ ଶୋଇକି ସପନ ଦେଖୁଛି ନା ସତ ଗୋଟେ ଅପେକ୍ଷାର ଶେଷ ହେଉଛି।
ହସି ହସି ଗଡ଼ିଗଲା ଶମ୍ପା ।ମୁଁ ଜାଣି ଥିଲି ଏମିତି ପାଗଳ ହୋଇଯିବ ତୁମେ।ସେଇଥିପାଇଁ କହି ନଥିଲି।ସତ ଗୋ।ଡାକ୍ତର କହିଲେ ମାସେ ପୁରି ଗଲାଣି।ମୁଁ ମା ହେବାକୁ ଯାଉଛି।ଆମ ଘରକୁ ଏଥର " ମୁଠେ ଆଲୁଅ" ଆଣି ଛୁଆଟିଏ ଆସିବ।
ମୁଁ ଶମ୍ପାକୁ ଚୁମାରେ ପୋତି ପକାଇ କହିଲି ତୁ କେଡେ ସ୍ୱାର୍ଥପର କହିଲୁ।ଏଡ଼େ ବଡ଼ ଖବର ତୁ କେମିତି ଲୁଚେଇ ରଖିଥିଲୁ?ଏକା ଏକା ସବୁ ଖୁସି ତୁ ପିଉଛୁ?ମୁଁ ଭାବିଲି ତୋତେ କଣ ରୋଗ ହୋଇ ଯାଇଛି ନା....।
ରାତି ଅଧଟାରେ ଗୋଟିଏ ଡିଆଁ ମାରି ବାପାମା ପାଖେ ମୁଁ ହଜାର ହୋଇ କହିଲି ଏ ବାପା.. ଏ ..ମା ଶୁଣ ଆମ ଘରକୁ "ମୁଠେ ଆଲୁଅ" ଆସିବ;"ଆଲୁଅ"।ମୁଁ ମୋ ବାପା ମାଙ୍କ କୋଳରେ ଲୋଟି କହୁଥିଲି ତୁମେ ଜେଜେ ଓ ଜେଜେ ମା ହେବ ହୋ.. ହୋ..।
ପାଗଳା ଟା...।ଯା ଯା ଠାକୁରଙ୍କ ପାଖେ ମୁଣ୍ଡିଆଟିଏ ମାରେ ରେ ରଘୁଆ।
ମାରୁଛି ତ..।ତୁମେ ବା ମୋ ଚଳନ୍ତି ଠାକୁର....