ମୁନ୍ଦେ ପାଣି
ମୁନ୍ଦେ ପାଣି
ଓଃ ବାବା ମୁଁ ଆଉ ଚାଲି ପାରିବି ନାହିଁ।ଶୋଷରେ ମୋ ତଣ୍ଟି ଶୁଖି ଯାଉଛି।ପାଣି ବାବା ପାଣି।
ତୁ ତ ସବୁ ପାଣି ପିଇ ଦେଇଛୁ?ଏଠି ଆଖ ପାଖରେ ପାଣି ତ କେଉଁଠି ନାହିଁ ମୁନୀ।ଏତକ କହି ବୋତଲ ମୁହଁ ଝାଡ଼ି ଦେଲା ମୁନୀ ପାଟିରେ ସୁର।
କହିଲା ବ୍ୟସ୍ତ ହଅନା ମା ; ହେଇ ଆମ ଗାଁ ବା ଦିଶିଲାଣି।
କଂସେଇ ଖାନାକୁ ଗାଈକୁ ଟାଣି ଟାଣି ନେଲା ପରି ଅସହାୟ ବାପାଟି ସାତ ବର୍ଷ ଝିଅ ମୁନୀର ହାତ ଟାଣି ଆଗକୁ ବଢ଼ୁଥିଲା।
ଆମ ଗାଁ ବାବା!!ମୁନୀର ସ୍ୱରରେ ଆଶାର ଖୁସି ଟିପେ ବାରି ହୋଇ ପଡୁଥିଲା।ବାବା ଆଉ ଅଳ୍ପ ସମୟ ପରେ ଆମେ ଆମ ଘରେ ପହଂଚିଯିବା??
ହଁ ରେ ମା ଆଉ ଅଳ୍ପ ସମୟ ପରେ ।ଝିଅକୁ ଭୁଲେଇ ଦେଇ ସିନା କହି ଦେଉଥାଏ କିନ୍ତୁ ବୁଝେଇ ପାରୁ ନଥାଏ ନିଜକୁ 'ସୁର।'
ସେ ବି ଜାଣି ନାହିଁ ଆଉ କେତେ ଦିନ ଲାଗିବ ତାକୁ ତା ଗାଁରେ ପହଞ୍ଚିବାକୁ।ଗହଳିଆ ଦୂରରୁ ଦିଶୁଥିବା ଶାଗୁଆ ଛନ ଛନ ଗଛ ଯେମିତି କହୁଥାନ୍ତି ହଁ ଏଇ ବୋଧେ ତା ଗାଁ ହେବ।ଯଦିଓ ରାସ୍ତା କହୁଥାଏ ତୁ କିଏରେ ଅଚିହ୍ନା ବାଟୋଇ?ତେବେ ବି କାଳେ ତା ଗାଁ ପାଖ ହୋଇ ଗଲାଣି ଭାବି ସେ ସବୁଜ ମାୟାରେ ଜୋର ଜୋର ପାହୁଣ୍ଡ ପକାଇବାକୁ ଦୁହୁଁଥାଏ ତା ଭୋକରେ ଜଳି କଙ୍କାଳ ହେଇଥିବା ଶରୀର।
କାନ୍ଧରେ ଲୁଗା ପଟାର ବ୍ୟାଗ୍ ଓ ହାତ ମୁଠାରେ ମୁନୀର କଅଁଳ ହାତ।ସୁର ଆଜକୁ ଆଠ ଦିନ ହେଲା ଚାଲୁଛି ଆଉ ଚାଲୁଛି।
ପଛରେ ନଅଁସି ନଅଁସି ଆସୁଛି ଛଅ ମାସ ଗର୍ଭ ଧାରଣ କରିଥିବା ସ୍ତ୍ରୀ ସୁକନ୍ୟା।ଚାଲି ପାରୁ ନାହିଁ ବିଚାରୀ।ମଉଳି ଗଲାଣି ତା ଦେହ ,ମୁହଁ। ଚାଲି ପାରୁ ନାହିଁ ବିଚାରୀ।ଅଖିଆ ଅପିଆ ପେଟରେ ପିଲାଟିଏ ଧରି କେତେ ବା ଚାଲନ୍ତା।କାନ୍ଦ କାନ୍ଦ ମୁହଁ।କିନ୍ତୁ ସାହସ ଦେଇ ସୁରକୁ କହୁଥାଏ "ଚାଲ ମୁଁ ବା ଯାଉଛି ତୁମ ପଛେ ପଛେ।
ଚାଲୁ ଚାଲୁ ଟିକେ ଅଟକି ଯାଉଛି ସୁର।ସୁକନ୍ୟା ପାଖେଇ ଆସିଲେ ପଚାରୁଛି ଖୁବ୍ କଷ୍ଟ ହେଉଛି ନା ଲୋ ସୁକି?ଆ ମୋ କାନ୍ଧରେ ଭରା ଦେଇ ଚାଲେ।
ମୁହଁରେ କୃତ୍ରିମ ହସ ଫୁଟାଇ ସୁକନ୍ୟା କହୁଛି "ନାଇଁ ମୋର କିଛି ହୋଇ ନାହିଁ"।ତୁଚ୍ଛାଟାକୁ ଚିନ୍ତା କରୁଛ।ହେଇ ମୁଁ ବା ତୁମ ପଛେ ପଛେ ଚାଲୁଛି।
ନାଇଁ ଲୋ ସୁକି ମୁଁ କଣ ବୁଝି ପାରୁ ନାହିଁ ଏକା ଏକୁଟିଆ ମଣିଷ କଥା ଦୋସରା।ତୁ ବା ଏବେ ପେଟରେ।ଉପାସ ଭୋକରେ କେମିତି ଚାଲୁଛୁ ସେ କଥା ମୁଁ ବୁଝି ପାରୁଛି ଲୋ।ଆ ,ଆଇଲୁ ମୋ ହାତ ଧଅ।କେମିତି ବେଳାରେ ମୋ ହାତ ଧଇଲୁ ଯେ ଦୁଇ ଓଳି ପେଟ ପୁରା ଖାଇବାକୁ ନ ଦେଇ ପାରି ଦାଦନ ଖଟିବାକୁ ତୋତେ ନେଇ ଯାଇଥିଲି।ହେଲେ ଦେଖ୍ ଦଇବର ନାଟ।ଦି ଚାରିଟା ମାସ ଯାଇଛି କି ନାହିଁ କରୋନା କଣ କଲା?କମ୍ପାନୀ ବନ୍ଦ । ନା ଖାଇବାକୁ ଦାନା ନା ପିଇବାକୁ ମୁନ୍ଦେ ଭଲ ପାଣି ମିଳିଲା।ଶେଷରେ ଭୋକର ଭୋକ,ଗାଁ ମାଟିର ଭୋକ ଆମକୁ ଜାତୀୟ ରାଜ ପଥରେ ଚଲାଉଛି।ଆମ ଭାଗ୍ୟରେ ଆଉ କଣ କଣ ଲେଖା ହୋଇଛି କିଏ କହିବ?ଆଇଲୁ ଆ ମୋ ହାତ ଧଅ।
ତୁମେ ବି ତ କେତେବେଳେ ମୁନୀ କୁ କାନ୍ଧେଇ ବା କାଖେଇ ଚାଲୁଛ।ସେଥିରେ ଚିନ୍ତାର ଭୋକ ସହ ଉପାସ ଭୋକରେ ଅଛ।
ଆଲୋ ମୁଁ ବା ପୁରୁଷ।ପୁରୁଷ ପୁଅର ଭୋକ ଶୋଷ କଣ ଥାଏ?ତା ଜନ୍ମ ପରା ସଂସାରର ସବୁ ଯାକ ବୋଝ ମୁଣ୍ଡେଇବାକୁ।ତୁ ଚିନ୍ତା କର ନା ଆ ମୋ ହାତ ଧଅ।
ସୁର ଗୋଟିଏ ହାତରେ ମୁନୀ ଓ ଅନ୍ୟ ହାତରେ ସୁକନ୍ୟା ହାତ ଧରି ଚମକି ପଡିଲା।
ସୁକନ୍ୟା ତୋତେ ଜର?ତୁ କେମିତି ଚାଲିବୁ ବାଟ?ହେ ଭଗବାନ! କାହିଁକି ଏ କଷ୍ଟ ଦେଉଛ?ସୁକନ୍ୟା ,ସୁକନ୍ୟା ଲୋ ଟିକେ ବିଶ୍ରାମ ନେବା।ତୋତେ ଏ ଅବସ୍ଥାରେ ଜର।ଆଗକୁ ଯାଇ ହେବନି ଲୋ।
ନାଇଁ ତୁମେ ଚାଲ ଆମର ଗାଁରେ ପହଞ୍ଚିବାର ଅଛି।ହେଇଟି ଶୁଣ ମୋ ତଣ୍ଟି ଶୁଖି ଯାଉଛି ।ମୋତେ ମୁନ୍ଦେ ପାଣି ଦିଅନ୍ତ ନାହିଁ।
ଏଁ ପାଣି .. ହଁ ହଁ ପାଣି।ଅଣ୍ଡାଳି ପକାଇଲା ବ୍ୟାଗ୍।ପାଣି କାହିଁ।ତିନିଟି ଯାକ ବଟଲ୍ ଖାଲି।କଣ କୁହନ୍ତି ତୋତେ ସୁକନ୍ୟା।ତୋ ଦେହ କେତେବେଳୁ ଏମିତି ହେଲାଣି,
ମୋତେ କହିବା କଥା ନୁହେଁ?ତୁ ଧୀରେ ଧୀରେ ଆସୁଛୁ,ମୁଁ ଭାବିଲି ଗର୍ଭ କଷ୍ଟକୁ ଉପାସ ଓ ଚାଲି ଯୋଗୁଁ ତୁ ସେମିତି ଚାଲୁଛୁ ନା।ହେଲେ ତୋତେ ଜର...
ଏଇ ସାଙ୍ଗେ ସାଙ୍ଗେ ହେଲା ପରା।ମୁଁ କଣ ଜାଣିଥିଲି ମୋତେ ଜର।ଖାଇନି ପିଇନି ବୋଲି ସେମିତି ଲାଗୁଛି ଭାବି ଚାଲୁଥିଲି ନା।ମୋତେ କିନ୍ତୁ ଭାରି ଶୋଷ।"ମୁନ୍ଦେ ପାଣି ଦିଅ।"ଜିଭଟା ତଣ୍ଟି ଭିତରକୁ ପଶି ଯାଉଛି।ଏତିକ କହି ପାଟି ପାକୁ ପାକୁ କଲା ସୁକନ୍ୟା।
ସାଙ୍ଗ ହୋଇ ଚାଲୁଥିବା ସମସ୍ତ ଶ୍ରମିକ ଭାଇ ଅଣ୍ଡାଳି ପକାଇଲେ ନିଜ ନିଜ ବ୍ୟାଗ୍,ବଟଲ୍।କିନ୍ତୁ ପାଣି କାହିଁ?
ବେଳକୁ ବେଳ ସୁକନ୍ୟା ଡଙ୍କମୋଡି ପଡୁଛି।ମୁଣ୍ଡ ଫଟା ଖରା।ରାସ୍ତା ଦାଢ଼ରେ ସୁର ସୁକନ୍ୟାକୁ ଥିରି ବସେଇଲା।ମୁନୀ ଲୋ ମା କୁ ଚାହିଁଥା ହେଇ ସେଇ ଖଣ୍ଡେ ଦୂରରେ ଯେଉଁ ଜୋର ଦେଖା ଯାଉଛି ମୁଁ ସେଠିକି ପାଣି ଆଣି ଯାଉଛି।ମା ହାତ,ପାଦ ଟିକେ ଆଉଁସୁଥା ମା।
ହେଲେ ବାବା ସେଠି ତ କାଦୁଅ ପାଣି।ତାକୁ କଣ ପିଅନ୍ତି?
କଣ କରିବା ମା।ଆଗରେ ଗାଁ ଥିଲା ପରି ଲାଗୁଛି।ସେ ଯାଏ ବିନା ପାଣିରେ ତୋ ମା ଆଗକୁ ଯାଇ ପାରିବ ନାହିଁ।କାଦୁଅ ପାଣି ହେଉ ପଛେ ମୁଁ ଆଣେ ମା।
ହେଉ ବାବା।ମୋତେ ବି ଶୋଷ।
ସୁର ଏକ ମୁହାଁ ହୋଇ ଦୌଡୁଥିଲା ଖାଲ ଖମା,ହିଡ଼ ନ ମାନି।ତାର "ମୁନ୍ଦେ ପାଣି "ଦରକାର।ସୁକନ୍ୟା ତଣ୍ଟି ଓଦା ହେବା ନିହାତି ଆବଶ୍ୟକ।
ଆଃ ପେଟେ ଗୋଳିଆ ପାଣି ଆଞ୍ଜୁଳା ଆଞ୍ଜୁଳା କରି ପିଇ ଗଲା ସୁର।ତିନିଟି ଯାକ ବୋତଲ ଭରି ବ୍ୟାଗ୍ ରେ ପୁରେଇ ଦୌଡ଼ିଲା ରାସ୍ତା ଦାଢକୁ।
ମୁନୀ ନେ ତୁ ଗୋଟେ ବୋତଲ।
ସୁକନ୍ୟା,ଏ ସୁକନ୍ୟା ଉଠିଲୁ ଉଠିଲୁ।ନେ ମୁନ୍ଦେ ପାଣି ପିଇ ଦେ।ସୁକନ୍ୟା ,ନିଦ ଲାଗିଗଲା କି?ଉଠ୍..
ମୁନୀ କହୁଥିଲା ବାବା ଏ ପାଣି ଭାରି ଗରମ।ହେଲେ ବି ଦେଖ ମୁଁ ଅଧ ବଟଲ୍ ପିଇ ଦେଲି।ଆଃ ବଢ଼ିଆ ଲାଗିଲା।
ମୁନୀ ମା ମୁହଁ ସିଧା କରି ଧଇଁଲୁ,ପାଣି ଟୋପେ ପିଆଇ ଦେବା।
ସୁର ପାଣି ମୁହଁ ଖୋଲି ସୁକନ୍ୟା ପାଟିରେ ଦେଲା।ମାତ୍ର ପାଣି ପେଟକୁ ନ ଯାଇ ଦୁଇ କଡେ ଗାଲ ଦେଇ ତଳକୁ ଖସି ପଡିଲା।
ସୁର ଚିତ୍କାର କଲା ସୁକନ୍ୟା...।