Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

sumita behera

Tragedy

5.0  

sumita behera

Tragedy

ମଉନାବତୀ

ମଉନାବତୀ

4 mins
191


   ତୁମକୁ ଆଜି ମିତା ଅପାର ଫୋନ୍ ରେ ଦେଖଲି ଛତିଶ ବର୍ଷ ପରେ । ମୁହଁଟା ପୁରିଲା ପୁରିଲା ଲାଗୁଚି। ହାଡୁଆ ଗାଲରେ ମାଉଁସ ଲାଗି ଯାଇଛି। କୋଟ ସୁଟ ପିନ୍ଧିକି ପୁରାପୁରି ବାବୁ ଦିଶୁଚ। ମିତା ଅପା କହୁଥିଲା ତମେ କୁଆଡେ ବହୁତ ବଡ଼ ସରକାରୀ ଚାକିରୀଟିଏ କରୁଛ। ବଙ୍ଗଳା ଗାଡି ସବୁ ଅଛି। ଶୁଣିଲି ପିଲାମାନଙ୍କୁ ବାହା ବି ଦେଇ ସାରିଲଣି। ବାପା ବୋଉ ମରିଗଲା ପରେ ଗାଁରେ ଅସହାୟ ଅବସ୍ଥାରେ ଥିଲି। ମିତା ଅପା ଦୟା କରିକି ମୋତେ ସାଙ୍ଗରେ ନେଇ ଆସିଲା। ଅଛି ସେବେଠୁ ତା' ଘରେ। ତା' ଘରର ସବୁ କାମ କରୁଛି। ମୋ ରୋଗ ବଇରାଗରେ ମୋତେ ଦେଖିବ ବୋଲି କଥା ଦେଇଛି। ଭାରି ଦୟାଳୁ। ନ ହେଲେ ମୋ ପରି ନିରିମାଖୀକୁ କାହିଁକି ଭଲା କିଏ ଚାହାନ୍ତା କହିଲ?

  

   ଗାଁ ଛାଡିବା ତମର ଛତିଶ ବର୍ଷ ହେଇଗଲାଣି। ସେବେଠୁ ବାଉଳାରେ ବି ଗାଁରେ ପାଦ ରଖିନ। ଗଲାବେଳେ କହି ଯାଇଥିଲ ଜଲଦି ବାହାଘର ପ୍ରସ୍ତାବ ତମ ବାପାଙ୍କ ହାତରେ ପଠେଇବ। ମୋତେ ଫୁଲ ସବାରୀରେ ବସେଇ ବୋହୁ କରି ନେଇଯିବ। ତମ ବାଟ ଅନେଇ ଅନେଇ ଦିନ କାଟିଲି, ତମେ ଫେରିଲନି। ଶୁଣିଲି ଗାଁ ଘର ବିକ୍ରି କରିଦେଲ। ତମ ବିଭା ଖବର ଶୁଣିଥିଲି। ଛାତିରେ ପଥର ବାନ୍ଧିକି ସହିଲି। ସହରକୁ ଯାଇ ତମରୁ ହକ ଆଦାୟ କଲା ପରି ମୋର ସାମର୍ଥ୍ୟ କାଇଁ? ତମ ମୋ କାହାଣୀ ତୃତୀୟ କେହି ଜାଣିନି। ସତ କହୁଛି କେତେ ମାଡ଼ ଗାଳି ଖାଇଲା ପରେ ବି ତମ ନାଁ ମୁଁ କାହା ଆଗରେ ନେଇନି। କେମିତି ନେଇଥାନ୍ତି ଯେ , ତମେ ପରା ତମ ମୁଣ୍ଡ ଛୁଆଇଁ ଶପଥ କରେଇ ନେଇଥିଲ। କହିଥିଲେ ତମର ଯଦି କିଛି ଅନିଷ୍ଟ ହେଇ ଥାଆନ୍ତା


   ସେତେବେଳେ କେତେ ବା ବୟସ ମୋର, ଏଇ ଚଉଦ ହବ। ଗାଁରେ କୁହନ୍ତି କଳା ମୁଗୁନି ପଥରରେ ତିଆରି ଦେବୀ ପ୍ରତିମା ପରି କୁଆଡେ ମୋର ରୂପ। କଳା ମଚମଚ ଦେହରେ ଟଣା ଟଣା ଆଖି, ବଳିଲା ବଳିଲା ହାତ ଗୋଡ଼, ଚମ୍ପାକଢି ପରି ଆଙ୍ଗୁଳି, ମୁହଁକୁ ମାନିଲା ପରି ନାକ, ସରୁ ଗୋଲାପୀ ଓଠ, ଏମିତି କେତେ କ'ଣ କହି ପକାନ୍ତି ଗାଁ ମଇପିମାନେ। ମୁଁ କିଛି ବୁଝେନି ଏତେକଥା। ଏ ସବୁ ବୁଝିବାର ବୟସ କୋଉ ହେଇଥିଲା କି? ଦେହରେ ନୂଆ କରି ଯୌବନ ଛୁଇଁଥିଲା। ଆମ ଘର ପଛପଟେ ତୁମ ଘର। ଅଲଗା ଜାତି ହେଲେବି ଭଲ ସମ୍ପର୍କ ଥିଲା ଦୁଇ ପରିବାରର। ସବୁବେଳେ ତୁମେ ମୋ ବଡ଼ଭାଇ ସହ ଖେଳିବାକୁ ଆସୁଥିଲ। ତୁମେ ଭଲ ପଢୁଥିଲ ବୋଲି ସମସ୍ତେ କହୁଥିଲେ। ମୋ ଭାଇ ତ ଗାଈ,ମଇଁଷି ଚରେଇବା ପିଲା। ତଥାପି ତୁମେ ତା' ସହ ସାଙ୍ଗ ହୁଅ। କେତେ ତାସ, କଉଡ଼ି ଖେଳ ଆମ ଘରେ ହୁଏ। ତୁମ ଆଗରେ ତ ମୁଁ ପିଲାଦିନେ ଚଡି ପିନ୍ଧିକି ବୁଲୁଥିଲି। ଏବେ ଏବେ କାହିଁକି ତୁମେ କେମିତି ଗୋଟେ ମୋତେ ଦେଖୁଥିଲ। ଦିନେ ତାସ ଖେଳିଲା ବେଳେ ମୋ ଆଙ୍ଗୁଠିକୁ ଧୀରେ କି ଚିପିଦେଲ। ଦେହ ଭିତରେ ମୋର କେମିତି ଗୋଟେ ହେଇଗଲା। ମୋତେ ଭଲ ଲାଗିଲା। ତା' ପରଠୁ ବିନା କାରଣରେ ଆମ ଘରକୁ ଆସିଯାଉଥିଲ, ଠିକ ସେତିକି ବେଳେ ଯେତେବେଳେ ଘରେ କେହି ନଥିବେ। ପାଣି ଦେବାବେଳେ ବାହାନାରେ ମୋ ହାତକୁ ଛୁଇଁ ଦେଉଥିଲ ନ ହେଲେ ନ ଜାଣିଲା ପରି ନ ଛୁଇଁବା ଜାଗାକୁ ଛୁଇଁ ଦେଉଥିଲ, ଆଉ ମୋ କାନ ପାଖେ କହୁଥିଲ, ମୁଁ କୁଆଡେ ଭାରି ସୁନ୍ଦରୀ। ଏତେ କିଛି ନ ବୁଝିଲେବି ତମର ସବୁ ହରକତ ମୋତେ ଭଲ ଲାଗୁଥିଲା।


   ସେଦିନ ମୋ ଜୀବନର ସବୁଠୁ ଅଶୁଭ ଦିନ ଥିଲା। ଭାଇ ଗାଈ ଚରେଇବାକୁ ଯାଇଥିଲା ଓ ବୋଉ ଦହି ବିକିବାକୁ। ତୁମେ ଆସିଥିଲ ଘରକୁ। ଗରମ ଦିନ ଥିଲା। ଖଟରେ ବସିକି କହିଲ, " ପୁଷ୍ପ ମୋତେ ଟିକେ ବିଞ୍ଚିଦେଲୁ। ବହୁତ ଗରମ ଲାଗୁଚି"। ମୁଁ ବିଞ୍ଚଣାରେ ବିଞ୍ଚିଲି। ତୁମେ ମୋ ହାତକୁ ଧରିଲ। ଗୋଟାପଣେ ଝାଳେଇଗଲି ମୁଁ। ଭିଡ଼ିନେଲ ପାଖକୁ। ବହୁତ ଟାଣି ଘୋଷାରି ହେଲି। ମୋ ମନା ମାନିଲନି। ଯାହା ନ କରିବା କଥା କରିଦେଲ। ତୁମ ମୁଣ୍ଡ ଛୁଇଁ ଶପଥ କରେଇଲ କାହାକୁ ନ କହିବା ପାଇଁ। ଏମିତି ପ୍ରାୟ ସବୁଦିନ ଚାଲିଲା। ଚାକିରୀ ପାଇଲେ ମୋତେ ସିନ୍ଦୁର ଦେବ ବୋଲି ପ୍ରତିଜ୍ଞା ଦେଲ ମୋ ମୁଣ୍ଡ ଛୁଇଁ। ମୁଁ ବି ସରଳ ବିଶ୍ୱାସରେ ନିଜକୁ ତୁମ ସ୍ତ୍ରୀ ଭାବି ସମର୍ପି ଦେଉଥିଲି।ତୁମେ ପରା କହିଥିଲ ଯେହେତୁ ତୁମେ ମୋ ସ୍ୱାମୀ ମୋର କର୍ତ୍ତବ୍ୟ ତୁମର ସବୁ କଥା ମାନିବା। ଏ ଖେଳ ମୋତେ ବି ଭଲ ଲାଗୁଥିଲା। ବହୁତ ଦିନ ଚାଲିଲା ଏ ବର କନିଆଁ ଖେଳ। ଲକ୍ଷ୍ୟ କଲି ମୋ ପେଟ ଧୀରେ ଧୀରେ ଆଗକୁ ଆସୁଛି। ମୋଟା ହେଇଯାଉଛି ବୋଲି ଭାବିଲି। ବୋଉ ଦିନେ ପଚାରିଲା ," ପୁଷ୍ପ ତୋ ପେଟ ଏତେ ଜୋରରେ ଫୁଲୁଛି କାହିଁକି? କାଟୁଛି କି"? ମୁଁ ମନା କଲି। ବା ସାଙ୍ଗରେ ଡାକ୍ତରଖାନା ଗଲି ଦେଖେଇବାକୁ। ସେଠି ଡାକ୍ତର ଯାହା କହିଲେ ମୁଁ ତ ଶୁଣି ପାରିଲିନି, ମୋ ବା କିନ୍ତୁ ଚେତା ହରେଇ ପଡିଗଲା। ପରେ ଜାଣିଲି ମୋ ପେଟରେ କୁଆଡେ ଆଠ ମାସର ପିଲା।


   ସତ କହୁଛି ତମେ ରାଣ ଦେଇଥିଲ ବୋଲି ଯେତେ ମାଡ଼ ଗାଳି ଖାଇଲେ ବି ପାଟି ଫିଟେଇନି କି ତମ ନାଁ ଧରିନି। ପିଲା ନଷ୍ଟ କରି ହବନି ବୋଲି ଡାକ୍ତର କହିଲେ। ମୋ ଜୀବନକୁ କୁଆଡେ ବିପଦ । ତମକୁ ସବୁ କହିଲି। ତମେ କହିଲ , "ବ୍ୟସ୍ତ ହ ନା। ତୁ ତ ମୋ ସ୍ତ୍ରୀ। ମୁଁ ନେବି ତୋ ଦାୟିତ୍ୱ"। ତା' ପରଠୁ ଆମ ଘରକୁ ଆସିବା ବନ୍ଦ କରିଦେଲ। ସହର ଚାଲିଗଲ। ହସ୍ପିଟାଲରେ ପୁଅଟିଏ ଜନ୍ମ ଦେଲି। ବା ତାକୁ କାହା ହାତରେ ଦେଲା ମୁଁ ଜାଣିନି। ଆରମ୍ଭ ହେଲା ଗୋଟେ କୁଆଁରୀ ମାଆର ଦୁର୍ଦ୍ଦଶାର ଦିନ। ଗାଁ ସାରା ଛି ଛି କଲେ। କାହାକୁ ମୁହଁ ଦେଖେଇବିନି ବୋଲି ରାତି ତିନିଟାରୁ ଗାଧେଇକି ଚାଲିଆସେ। ଘରୁ ବାହାରେନି ଆଉ। 


   ଘରେ ଆଲୋଚନା କଲେ ବୁଢା ହଡା ଯାହାକୁ ପାଇଲେ ମୋତେ ବିଭା ଦେଇ ମୁକ୍ତି ପାଇବେ। ମୁଁ ବି ମୋ ଭାଗ୍ୟ ସହ ସାଲିସ କରିବାକୁ ରେଡି ଥିଲି। କିନ୍ତୁ ଯେତେ ପ୍ରସ୍ତାବ ଆସିଲା ଆମ ଗାଁ ଲୋକ ମୋ ଇତିହାସ କହିକି ବାହାଘର ଭାଙ୍ଗି ଦେଉଥିଲେ। ପାଖାପାଖି ସବୁ ଗାଁରେ ମୋ କଳଙ୍କର ନାଗରା ବାଜି ସାରିଥିଲା। ମୋ ବାହାଘର ଆଉ ହେଇ ପାରିଲାନି। ବା ମରିଗଲା ଚିନ୍ତାରେ। ଭାଇ ତା ସ୍ତ୍ରୀକୁ ଧରି ଅଲଗା ହେଇଗଲା। ବୋଉ ଆଉ କେତେ ସମ୍ଭାଳିବ? ଦିନେ ଦହି ବିକି ଯାଇଥିଲା ଯେ ଆଉ ଫେରିଲାନି। ବାଟରେ ପଡିକି ସିଏ ବି ଚାଲିଗଲା। ମୁଁ ହେଇଗଲି ଏକା। ଭାଇ ଦୟା କରି ବେଳାଏ ଖାଇବାକୁ ଦିଏ। ଗୁଆ କାଟିକି ଦି ପଇସା ମୁଁ ପାଏ। ସେଥିରେ ଚଳେ। ଏମିତିରେ ବୁଢ଼ୀ ହେଇଗଲି। ଦେହ କଙ୍କାଳସାର ହେଇଗଲା। ମିତା ଆପା ଗାଁକୁ ଆସିଥିଲା। ମୋତେ ସେ ସାଙ୍ଗରେ ନେଇ ଆସିଲା।


   କେମିତି ଅଛ ତମେ? ଆଛା କହିଲ ଏ ପୁଷ୍ପ ତମର କେବେ ମନେ ପଡେ? ତୁମ କଳଙ୍କକୁ ମୋ ସିଂଥିର ସିନ୍ଦୁର କରି ଆଜି ଯାଏଁ ସଜେଇ ରଖିଛି। ସତରେ କେବେ ତମେ ମୋ ପାଖକୁ ଫେରିବକି? ମିତା ଅପା କହୁଥିଲା, ଭଲ ସମାଜସେବୀ ବୋଲି ତମେ କୁଆଡେ ଏବେ ରାଷ୍ଟ୍ରପତି ପୁରସ୍କାର ପାଇବ। ସେଦିନ ତମକୁ ଟିଭିରେ ଦେଖିବି ବୋଲି ଜଗି ବସିଛି । ହେ ମୋର ପ୍ରାଣର ଦେବତା! ଚିଠିଟି ଲେଖି ସାରି ଚିରିଦେବି। ଭୟ କରନି।

  ଇତି ତୁମର '

         ପୁଷ୍ପ'


Rate this content
Log in