ମୁନା ଭାଇନା
ମୁନା ଭାଇନା


ମୁନା ଭାଇନା…
ଯେଉଁ ନାଁ କାଲି ଯାଏଁ କେହି ଜାଣି ନ ଥିଲେ ଆଜି ସେଇ ନାଁ ଘରେ ଘରେ ପରିଚିତ..ପ୍ରିୟଙ୍କା..ଯେ ନିଜ ଜୀବନ ଯୁଦ୍ଧରେ ହାରି ଯାଉ ଯାଉ ଆଉ ଦୁଇ ପ୍ରାଣକୁ ଜିତେଇ ଦେଲେ ଏ ସଂଗ୍ରାମରେ.. ଅଂଗଦାନ ପରି ଏକ ମହାନ୍ କାର୍ଯ୍ୟ କରି ଯୁଗ ଯୁଗ ପାଇଁ ଲେଖି ଦେଇଗଲେ..ଏକ ସ୍ୱର୍ଣୀମ ଇତିହାସ..
ଆଉ ସେଥିପାଇଁ ବୋଧେ ଆଜି ଏତେ ବର୍ଷ ପରେ ମନେ ପଡୁଛି ମୁନା ଭାଇନାଙ୍କ କଥା…
ସେତେବେଳେ ଆଠ କି ନଅ ବର୍ଷର ହୋଇଥିଲି..ଆମ ଘରକୁ ଲାଗି ରହୁଥିଲେ ମୁନା ଭାଇନା।ସେ କଣ ପଢା ପଢି କରୁଥିଲେ କି ଚାକିରୀ କରୁଥିଲେ ଜାଣିନି..କିନ୍ତୁ ସେ କରିଥିବା ଏକ ମହାର୍ଘ୍ଯ ଉପକାର ପାଇଁ ମୁଁ ତାଙ୍କୁ କେବେ ଭୁଲି ପାରିବିନି…
ତାଙ୍କ ଘର ରାସ୍ତା ଦେଇ ଆମେ ସ୍କୁଲକୁ ଯିବା ଆସିବା କରୁ।ବେଳେବେଳେ କାନରେ ପଡ଼ିଯାଏ ତାଙ୍କ ପିଆନୋ ସ୍ଵର..ହଁ..ସେ ବହୁତ ଭଲ ପିଆନୋ ବଜାନ୍ତି।କିନ୍ତୁ ମୁଁ ଛୋଟ ଛୁଆଟି ହୋଇଥିବାରୁ ସେ ଦିଗରେ କେବେ ଧ୍ୟାନ ଦେଇ ନ ଥିଲି। ଅଧିକାଂଶ ସମୟରେ ଆମେ ସ୍କୁଲ୍ ଗଲା ବେଳେ ତାଙ୍କୁ ଘର ସାମ୍ନାରେ ଚୌକି ଉପରେ ଏକ ଶାଲ୍ ଘୋଡେଇ ବସିବା ଦେଖୁ..ଆଉ ଏ କଥା କିଛି ବି ଗୁରୁତ୍ୱପୂର୍ଣ୍ଣ ନ ଥିବାରୁ ଭୁଲି ଯାଉ..କେତେବେଳେ କେମିତି ସେ ଆମ ମାନଙ୍କ ସହ କଥା ହୁଅନ୍ତି..ଆଉ ପାଠ ପଢ଼ା କି ଖେଳ ବିଷୟ ବୁଝନ୍ତି..।
ଦିନେ ମୁଁ ସ୍କୁଲ୍ ରୁ ଆସିବା ସମୟରେ ସେ କହିଲେ "ଟିକେ ଆମ ଘରକୁ ଆସିବୁ ମଧୁ..ମୁଁ ତୋ ପାଇଁ ଗୋଟେ ଗୀତ ଲେଖିଛି।"
ଘରକୁ ଆସି ମା'ଙ୍କୁ କହିଲି।ସେ ମଧ୍ୟ ମୋତେ ଯିବା ପାଇଁ କହିଲେ।ମୁଁ ଆଶ୍ଚର୍ଯ୍ୟ ହେଲି..କାହା ଘରକୁ ଯିବା ପାଇଁ ତ ମା ମନା କରନ୍ତି..ହେଲେ ଆଜି..!!?? କିଛି ସମୟ ପରେ ମୁଁ ମୁନା ଭାଇନାଙ୍କ ଘରକୁ ଗଲି।ବହୁତ ବଢିଆ ଗୋଟିଏ ଧୁନ୍ ସେ ବଜାଉଥିଲେ ପିଆନୋରେ।ଦୁଇ ମିନିଟ୍ ଠିଆ ହୋଇ ଶୁଣିଲି।ସେ ମୋତେ ଦେଖି ତାଙ୍କ ପାଖକୁ ଡାକିଲେ ଆଉ ଏକ କାଗଜ ବଢ଼େଇ ଦେଲେ.."ନେ..ଏଇ ଗୀତ ତୋ ପାଇଁ ଲେଖିଛି..ଇଚ୍ଛା ହେଲେ କହିବୁ ଏ ଗୀତ ଗାଇବା ଶିଖେଇ ଦେବି..."ଧନ୍ୟବାଦ୍ କହିବାକୁ ଭୁଲିଯାଇ ଘରକୁ ଆସିଗଲି..ଗୀତ ପଢି ଦେବାର ବ୍ୟାକୁଳତା ରେ..
ଗୀତଟି ହିନ୍ଦୀରେ ଲେଖା ହେଇଥିଲା।ମୁଁ ସେତେବେଳେ ଏତେ ଭଲ ହିନ୍ଦୀ ଜାଣି ନ ଥିଲି।ତେଣୁ ମା'ଙ୍କୁ ଦେଲି।ମା ପଢି କହିଲେ.." ଆରେ!! ଏଇଟା 'ସାଜନ ବିନା ସୁହାଗନ' ଫିଲ୍ମ୍ ର ଗୀତ..ମଧୁବନ ଖୁସଵୁ ଦେତା ହୈ..ବହୁତ ଭଲ ଗୀତ ଟି ମା..ବହୁତ ଶିକ୍ଷଣୀୟ.."
" ଏଇଟା ଫିଲ୍ମ୍ ଗୀତ"?ମୁଁ ରାଗିଯାଇ ପଚାରିଲି.." ମାନେ ମୁନା ଭାଇନା ମୋ ପାଇଁ ନିଜେ ଲେଖି ନାହାନ୍ତି!!??"
" ଆରେ..ସେ ହିଁ ତ କାଗଜରେ ଲେଖିଛନ୍ତି ନା..!!"ମା କହିଲା ବେଳେ ଆଉ କିଛି ନ ଶୁଣି ଅନ୍ୟ କାମରେ ଚାଲିଗଲି..
ଏକ ଅଦ୍ଭୁତ ଅଭିମାନ!!ବୋଧେ ଥିଲା।ମୁଁ ଭାବିଥିଲି ମୋ ନାଆଁ ରେ ସେ କିଛି ନିଜେ ସୃଷ୍ଟି କରି ଲେଖିଛନ୍ତି..!!?? ଆଉ ତା ପରେ ସେ କଥା ଭୁଲିଗଲି..ଗୀତଟି ପଢି ପାରିଲିନି କି ଶୁଣିଲିନି..
ଏକ ସପ୍ତାହ ପରେ..ସ୍କୁଲରୁ ଆସିଲା ବେଳେ ମୁନା ଭାଇନାଂକ ଘର ଆଗରେ ବହୁତ ଗହଳି ହୋଇଥିଲା..ମା ମଧ୍ୟ ଘର ବାହାରେ ଥିଲେ।ପଚାରିବାରୁ କହିଲେ.." ଜୀବନ ସହ ଲଢି ଲଢି ମୁନାଟା ଶେଷରେ ହାରିଗଲା.."କଥାଟି ବୁଝିବା କଷ୍ଟ ହେଲା କିନ୍ତୁ ମୁନା ଭାଇନା ଯେ ଆଉ ନାହାନ୍ତି ଏତିକି ବୁଝିଗଲି।ପରେ ଜାଣିଲି ସେ କିଛି ବଡ଼ ବେମାରୀ ଯୋଗୁଁ ଅସୁସ୍ଥ ଥିଲେ ମନ ଟା ଭାରୀ ଗୋଳେଇ ଘାଣ୍ଟି ହେଲା।ରାତିରେ ମା ଙ୍କୁ କହିଲି..ଟିକେ ସେ ଗୀତ ପଢି ଦେବା ପାଇଁ..ଆଉ ମା ମଧ୍ୟ ଗୀତ ପଢି ଗୋଟିଏ ଗୋଟିଏ ଶବ୍ଦ ବୁଝେଇ ଦେଲେ…!!
ଚାଲିଗଲେ ମୁନା ଭାଇନା..ଶିଖେଇ ଦେଇ..।ଜୀବନ ଯଦି ଆଉ କାହାକୁ ଜୀବନ୍ତ କରିପାରେ ତେବେ ତାହା ସମାପ୍ତ ହୁଏନା..!!" ମଧୁବନ ଖୁସବୁ .." ଗୀତଟି ଆଜି ଯେତେବେଳେ ଶୁଣେ...ହାତ ଯୋଡ଼ି ହୋଇଯାଏ..ସେ ମଧୁବନ ମୁନା ଭାଇନା ଙ୍କ ଉଦ୍ଦେଶ୍ୟରେ..ଯେ କହିଥିଲେ " ତୋ ପାଇଁ ଗୀତ ଲେଖିଛି".।ଛୋଟ ବୟସରେ ପର ପାଇଁ କିଛି କରିବା ଶିକ୍ଷା ବୋଧେ ସେ ମୋତେ ଦେବାକୁ ଚାହିଥିଲେ।.ଆଜି ପ୍ରିୟଙ୍କା ନିଜ ଜୀବନ ସାର୍ଥକ କରିଛନ୍ତି..।ଜଣେ ଶିକ୍ଷକ ତା ଶିକ୍ଷା ଦ୍ଵାରା ବଞ୍ଚି ରହେ..ଡାକ୍ତର ତା ସେବା ଦ୍ଵାରା..ସୈନିକ ତା ବଳିଦାନ ଦ୍ଵାରା..ଆଉ ମାତାପିତା!!.. ନିଜ ସନ୍ତାନ ଦ୍ଵାରା…!!
ଆଉ ଜଣେ ମନୁଷ୍ୟ ମୃତ୍ୟୁ ପରେ ମଧ୍ୟ ବଞ୍ଚେ..ନିଜ କର୍ମ,ବ୍ୟବହାର ଆଉ ତ୍ୟାଗ ଦ୍ଵାରା..।ସୂର୍ଯ୍ୟ ହୋଇ ପାରିବାନି..କିନ୍ତୁ ଦୀପ ହେବା ଚେଷ୍ଟା କଲେ କ୍ଷତି କଣ!!??ଦୁଇ ଦିନର ଜୀବନରେ ଦୁଇ କ୍ଷଣ ମଧ୍ୟ ଆମ ହାତରେ ନାହିଁ..ଆଉ ଏ ଦୁଇ ମୁଠି ସ୍ବପ୍ନ ଧରି ଆଗେଇ ଚାଲିଛେ ଆମେ..!!??ହସ ନ ହୋଇ ପାରିଲେ ମଧ୍ୟ କାହା ଆଖିର ଲୁହ ତ ହେବାନି..!!କାହାର ବଳ ନ ହୋଇପାରିଲେ ବି କାହାକୁ ଦୁର୍ବଳ ତ କରି ଦେବାନି..!!ମୁନା ଭାଇନା...ଗୀତର ଅର୍ଥ ଆଜି ବୁଝି ପାରୁଛି .କିନ୍ତୁ ତୁମକୁ ସେଥିପାଇଁ ଧନ୍ୟବାଦ୍ ଦେବା ସମ୍ଭବ ହେଲାନି….