ମୁଁ କିଏ
ମୁଁ କିଏ
ଜୀବନ ଏକ ସମର୍ପଣ । ଜୀବନ ଏକ ଜୁଆ, ଜୀବନ ଏକ ବାଜି । ପ୍ରତି ମୁହୂର୍ତ୍ତରେ ତାର ଗତି ବଦଳୁ ଥାଏ ସମୟ ଚକରେ । କେବେ ସେ ଅପେକ୍ଷା କରେନି କାହାକୁ । ଜୀବନଟା କେମିତି ସରସ ସୁନ୍ଦର ହେବ ପ୍ରତି ମୁହୂର୍ତ୍ତରେ ସେ ଚେଷ୍ଟିତ ଥାଏ । ତଥାପି ଚେଷ୍ଠା କରୁ କରୁ କେତେବେଳେ ସେ ହାରିଯାଏ ତ କେତେବେଲେ ଜିତିଯାଏ । ଏହି ହାରିବା ଜିତିବା ଭିତରେ ତାକୁ ଗୋଟିଏ ସମାଧାନର ବାଟ ମିଳେ । ତାହା ହେଉଛି ଚୁପ ରହିବା । ଚୁପ ରହିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଯାଏ । ଅନେକ କଥାକୁ ଏଡାଇ ଦିଆଯାଇପାରେ । ଏଇ ମୁଁ, ମୋର ମୋ ପାଇଁ ଭାରୀ ସ୍ୱାର୍ଥପର ନିଷ୍ଠୁର ଶବ୍ଦ । ଏମିତି ‘ମୁଁ’କୁ ନେଇ ସୃଷ୍ଟି ହୁଏ ଝଡ । ଦେବେଶ ଓ ବିଜୟ ଦୁଇ ବନ୍ଧୁ । ନିଜର ବନ୍ଧୁତାକୁ ନେଇ ଉଭୟ ଗର୍ବ କରନ୍ତି । କେହି କାହା ଠାରୁ କିଛି ପାଇବାର ପତ୍ୟାଶା ନା ଦେବାର ଆଶା । ଉଭୟ ଉଭୟଙ୍କୁ ଦୁଃଖ ସୁଖ ହସ ଖୁସିରେ ଲୋଡନ୍ତି । ତାଙ୍କ ଭିତରେ ଉତ୍ତମ ବୁଝାମଣା ରହିଥାଏ । ଗୋଟିଏ ଅଫିସରେ ଚାକିରୀ କରନ୍ତି । ପାଖାପାଖି କ୍ୱାର୍ଟରରେ ରୁହନ୍ତି । ଦିନେ ଗୋଟିଏ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ କଥାବାର୍ତ୍ତା ବନ୍ଦ ହୋଇଗଲା । ବିନା କଥାବାର୍ତ୍ତା, ବିନା ଆଲୋଚନାରେ ଉଭୟ ନିଜ ନିଜ ସ୍ୱାଭିମାନ ଆଉ ଅଭିମାନରେ ରହିଲେ । ଜଣେ କହିଲା ମୁଁ କଥା ହେବିନି ଅନ୍ୟ ଜଣଙ୍କ ବି ସେଇ ଗୋଟିଏ କଥା । ଏମିତି ‘ମୁଁ’ରେ ପାଞ୍ଚ ଦିନ ବିତିଗଲାଣି । ଏଣେ ଉଭୟଙ୍କ ପରିବାର ବ୍ୟସ୍ତ । କଥା ନହୋଇ କେମିତ ଦୁଇ ଜଣ ଯାକ ରହିପାରିଛନ୍ତି । ଦୁଇ ପରିବାରରେ ଚାରି ପୁଅରେ ଗୋଟିଏ ଝିଅ । ଝିଅମାନେ ସବୁବେଳେ ସମ୍ବେଦନଶୀଳ । ଆତ୍ମୀୟତା ଭାବ ସେମାନଙ୍କ ଠାରେ ଖୁନ୍ଦି ହୋଇ ରହିଥାଏ । ସେ ଦିନେ ଦୁଇ ଜଣଙ୍କୁ ଏକତ୍ରିତ କରି ପଚାରିଲା ଆମ ଭିତରେ ଏ ‘ମୁଁ’ଟା କେତେବେଳେ ପ୍ରବେଶ କଲା ? ଏ ମୁଁ ଯୋଗୁଁ ଆଜି ସମ୍ପର୍କ ଖରାପ ହେଉଛି । ତେଣୁ ସବୁବେଳେ ‘ମୁଁ’କୁ ପରିତ୍ୟାଗ କର । ଆମ ଭିତରେ ଏ ମୁଁ ପଶିବା ଦିନ ଠାରୁ ଏଇ ଅବସ୍ଥା । ଏଣୁ ‘ମୁଁ’କୁ ପରିତ୍ୟାଗ କର ।ସମସ୍ତେ ଝିଅ ପ୍ରୀତୁ କଥାରେ ଏକମତ ହେଲେ । ପରିବାର ମଧ୍ୟରେ ପୁଣି ହସ ଖୁସି ଲାଗି ରହିଲା ।
