Sarat Chandra Panda

Classics

3.4  

Sarat Chandra Panda

Classics

ମୁଁ କୈକେୟୀ କହୁଛି

ମୁଁ କୈକେୟୀ କହୁଛି

2 mins
208


  କୈକେୟୀ । ରାମ ଲକ୍ଷ୍ମଣଙ୍କ ସାବତ ମା । ସମସ୍ତଙ୍କ ଘୃଣାର ପାତ୍ର । ମନ୍ଥରାର ମନ୍ତ୍ରଣାରେ ମୁଁ କୁଆଡେ ଭୁଲିଥିଲି ହିତାହିତ ଜ୍ଞାନ । ସାଜିଥିଲି ନିଷ୍ଠୁର ପରିସ୍ଥିତିର ମୁଖ୍ୟ ନାୟିକା । ରାମାୟଣର କଳଙ୍କିତ ଚରିତ୍ର ।

 

    ମୁଁ କିନ୍ତୁ ସୁନ୍ଦରୀ, ବୁଦ୍ଧିମତୀ, ସ୍ବାମୀ ସୋହାଗିନୀ ନାରୀଟିଏ । ସମ୍ରାଟ ଦଶରଥଙ୍କର ଆଦରଣୀୟା ପତ୍ନୀ । ଦେବାସୁର ସଂଗ୍ରାମର ଶ୍ରେଷ୍ଠ ଯୋଦ୍ଧାଙ୍କ ରଥର ସାରଥୀ । ବିଜୟୀ ଵୀରଙ୍ଗନା । 

    

   ମନେପଡେ ସେ ଦିନର ଘଟଣା । ରାମ ଆଦି ଚାରି ରାଜକୁମାରଙ୍କୁ ଖାଦ୍ୟ ଖୋଇବା ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥିଲା । ସୁବର୍ଣ୍ଣ ପାତ୍ରରେ ଖାଦ୍ୟ ଧରି ମୁଁ ଗୋଡ଼ାଇ ଥାଏ ରାମର ପଛରେ । ଆଗରେ ଆଗରେ ସେ ଦୌଡୁଥାଏ । ତାର କଅଁଳ ପାଦର ପାଉଁଚି ଶବ୍ଦ, ଠୁମୁକ ଠୁମକ ଚାଲି ମୋତେ ସ୍ବର୍ଗୀୟ ଆନନ୍ଦ ଦେଉଥିଲା । ବାତ୍ସଲ୍ୟ ସ୍ନେହ ମୋତେ ଅଭିଭୂତ କରୁଥିଲା ।


    ରାମ ଅଗଣାରେ ଚକର କାଟି ଚାଲିଯାଉଥିଲା । ମୁଁ ଦୌଡ଼ି ଦୌଡ଼ି ଥକି ଯାଇଥିଲି । 

    "ରାମ କଣହୋଇଛି ଆଜିତୋର? ଖାଇବାପାଇଁ ଆସୁନୁ କାହିଁକି?", "ଆବେଗଭରା ପ୍ରଶ୍ନ କଲି । ରାମ ମୁରୁକି ହସିଦେଇ କହିଲା ମା, ଆଜି ତୁମେ ମୋତେ ସାହାଯ୍ୟର ପ୍ରତିଶୃତି ଦେଲେ ମୁଁ ଖାଇବି । "ସାହାଯ୍ୟ କଣ ! ମୁଁ'ତ ତୋ 'ପାଇଁ ଜୀବନକୁ ବାଜୀ ଲଗାଇ ଦେଇପାରେ ।"ହସି ହସି କହିଥିଲି ମୁଁ ।

  ରାମ କହିଲା, "ମା ଆଗେ ତୁମେ ପ୍ରତିଜ୍ଞା କର ମୋ ମୁଣ୍ଡରେ ହାତ ରଖି "

ଅନାୟାସରେ ପୁଅ ରାମ ମୁଣ୍ଡରେ ହାତରଖି ପ୍ରତିଜ୍ଞା କରିଦେଲି । ରାମ କହିଲା, " ମା, ରଘୁ ବଂଶର ନୀୟମ ପ୍ରକାରେ ମୁଁ ଜ୍ୟେଷ୍ଠ ପୁତ୍ର ।ରାଜା ହେବାପାଇଁ ଯୋଗ୍ୟ । ପିତା ମୋତେ ବେଶି ସ୍ନେହ କରନ୍ତି । ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ତାଙ୍କ ପାଖରୁ ମୋତେ ଅନ୍ତର କରିବାକୁ ଚାହାଁନ୍ତି ନାହିଁ ।ମୁଁ ବୈକୁଣ୍ଠ ପତି ବିଷ୍ଣୁ । ଅନ୍ତଯ୍ୟାମୀ ନାରାୟଣ । ଦୁଷ୍ଟ ମାନଙ୍କୁ ବିନାଶ ପାଇଁ ମୋର ଏ ଅବତାର । ମୋତେ ପତ୍ନୀ ଓ ଭାଇ ଲକ୍ଷ୍ମଣଙ୍କ ସହ ବନାଗମନ କରିବାର ଅଛି । ତୁମ ଦ୍ୱାରା ମା' ମୋର ଅନେକ କାର୍ଯ୍ୟ ସାଧିତ ହେବ । ସ୍ୱୟଂ ଶଙ୍କର ହନୁମାନ ରୂପରେ, ବ୍ରହ୍ମା ଜାମ୍ଭବାନ, ଦେବତାମାନେ ମର୍କଟ ଭାବରେ ଜନ୍ମ ନେଇ ସାରିଲେଣି । ବାଳୀ ବଦ୍ଧ, ଶବରୀ ଭେଟ, ପଞ୍ଚବଟୀରେ ଯୁଗଯୁଗ ଧରି ତପସ୍ୟାରତ ତପସ୍ୱୀ ମାନଙ୍କୁ ଦର୍ଶନ ତଥା ବୈକୁଣ୍ଠ ପୁରର ଅଭିଶପ୍ତ ଦ୍ୱାରପାଳ ଜୟ ବିଜୟଙ୍କ ଉଦ୍ଧାର । ଯେତେବେଳେ ପିତା ମୋତେ ରାଜ ସିଂହାସନରେ ଅଭିଷିକ୍ତ କରିବା ନିଷ୍ପତ୍ତି ନେବେ, ସେକ୍ଷଣି ତୁମେ ମହାରାଜାଙ୍କୁ ସତ୍ୟକରାଇ ମୋତେ ଚଉଦ ବର୍ଷପାଇଁ ବାନରାଜ୍ୟକୁ ପଠାଇଦେବ ।"


       ଆକାଶରୁ ସତେ କି ବଜ୍ର ପଡିଗଲା ମୋ ମୁଣ୍ଡ ଉପରେ । ପାଦତଳୁ ମାଟି ଖସିଗଲା । କିଂକର୍ତ୍ତବ୍ୟବିମୂଢ ଭାବରେ କିଛିକ୍ଷଣ ସ୍ଥାଣୁ ପାଲଟିଗଲି ମୁଁ ବୁଦ୍ଧିମତି କୈକେୟୀ । କହିଲି, "ରାମ ମୋତେ ତୁ ଚତୁରତାର ସହିତ ବିବଶ କରିଦେଲୁ । ଯେତେ କଠୋର ହେଉ ମୁଁ ଏହା ପାଳନ କରିବି ।


     ମୁଁ ଜାଣିଥିଲି ପାଣିବିନା ମାଛ ଭଳି ରାମ ବିନା ଭରତ ଗୋଟିଏ ମୁହୂର୍ତ୍ତ ବଞ୍ଚି ପାରିବ ନାହିଁ । ଭାଇମାନଙ୍କ ସହ ଖେଳିଲାବେଳେ ରାମ ସେମାନଙ୍କୁ ହର୍ଷିତ କରିବାପାଇଁ ଜାଣିଜାଣି ହାରିଯାଉଥିଲା । ରାମ ହାରି ଯିବା ଜାଣି ଭରତ କାନ୍ଦିକାନ୍ଦି ମା 'ଙ୍କୁ ଅଭିଯୋଗ କରୁଥିଲା । ରାମ ବନକୁ ଯିବା ଶୁଣିଲାପରେ, ଭରତ ମୋର ମୁହଁ ଚାହିଁବ ନାହିଁ । ମୋତେ ଘୃଣା କରିବ । ସବୁ ଜାଣିମଧ୍ୟ ମୁଁ ଏ ନିଷ୍ଠୁର ସତ୍ୟକୁ ସ୍ୱୀକାର କଲି । ଭଗବାନଙ୍କ ଇଛାରେ ସଂସାରର ମଙ୍ଗଳ ନିମନ୍ତେ । 

    ହେଲେ ଇତିହାସ ପୃଷ୍ଠାର ଏକ କଳଙ୍କିତ ଚରିତ୍ର ।ଏଥିରେ ମୋର କଣ ଦୋଷ ଥିଲା ??? 

   


Rate this content
Log in

Similar oriya story from Classics