Sachidananda Kar

Inspirational

3  

Sachidananda Kar

Inspirational

ମୁଁ ଜୀବନ ଆରମ୍ଭ କରିଛି

ମୁଁ ଜୀବନ ଆରମ୍ଭ କରିଛି

2 mins
194


      ମୁଁ ମୋ ନିଜର ଜୀବନ ବଞ୍ଚୁଥିଲି।ମୋ ଜୀବନ ମୋତେ ବହୁତ ଭଲ ଲାଗୁଥିଲା। 


      କିଏ ନିଜର ଜୀବନ ବଞ୍ଚେନାହିଁ ଯେ ! ନିଜକୁ ନିଜର ଜୀବନ କାହାକୁ ଭଲ ଲାଗେନାହିଁ ! 


      ପ୍ରବଚନ ଶୁଣୁଥିଲି ମୁଁ।ଉପଦେଶ ବି ଶୁଣୁଥିଲି।ଗୀତା, ଭାଗବତ ବାଣୀ ବି କାନରେ ପଡୁଥିଲା।ହେଲେ ସେସବୁ ମୋର କୋଉ କାମରେ ଲାଗୁ ନ ଥିଲା। 


      କେହି କେହି ମୋତେ ମାନବିକତାର ପରିଭାଷା ବୁଝାଉଥିଲେ।କେହି କେହି ଅହଂ ବିରୋଧରେ ମୋ ଆଗରେ ଲମ୍ବା ଭାଷଣ ଝାଡୁଥିଲେ।ଆଉ କେହି କେହି ଅମୁକ ସମୁକଙ୍କ ପରି ଆଦର୍ଶ ମଣିଷ ହେବାକୁ ପ୍ରବର୍ତ୍ତାଉଥିଲେ।ବଦାନ୍ୟତାର ପାଠ ପଢାଉଥିଲେ କେହି କେହି।ହେଲେ ସବୁକୁ ମୁଁ ଏ କାନରେ ପୂରାଇ ସେ କାନରେ ବାହାର କରି ଦେଉଥିଲି। 


      ସେସବୁ ମହତ ଓ ମୂଲ୍ୟବାନ ହୋଇ ମଧ୍ୟ ମୋତେ ପ୍ରଭାବିତ କରି ପାରୁ ନ ଥିଲା।ମୁଁ ଥିଲି ମୋ ଇଚ୍ଛାର ସମ୍ରାଟ।ମୋ ନିଜର ଜୀବନ ବଞ୍ଚୁଥିଲି ମୁଁ।ମୋ ନିଜ ବାଟରେ ଚାଲୁଥିଲି। 


      ସମୟ, ଦୁଃସମୟ ମୋ ପାଖକୁ ଯେମିତି ସେମିତି ଆସୁଥିଲେ।କେତେବେଳେ କାହାକୁ ଦୂରେଇ ଦେଉଥିଲି ତ କେତେବେଳେ କାହାକୁ ଅନ୍ତରଙ୍ଗ ଆଲିଙ୍ଗନ କରୁଥିଲି।ଦୋଷ ଲଦୁଥିଲି ଭାଗ୍ୟ ଉପରେ।ବଞ୍ଚିଗଲେ ଭଗବାନ ବଞ୍ଚାଇଦେଲେ ବୋଲି କହୁଥିଲି।ନିଜ ପାଇଁ ନୂଆ ସୂର୍ଯ୍ୟୋଦୟର ପରିକଳ୍ପନା କେବେ ମୁଁ କରି ପାରୁ ନ ଥିଲି। 


      ଏ ଦୁନିଆଟା ମୋତେ ଭଲ ଲାଗୁଥିଲା।ସୁନ୍ଦର ଦିଶୁଥିଲା।ବୋଧହୁଏ ସେଇ କାରଣରୁ କି କ'ଣ ମୋ ନିଜର ଜୀବନ ମୁଁ ବଞ୍ଚିବାରେ ଲାଗିଥିଲି।କେବେ ନୂଆ ଢଙ୍ଗରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁ ନ ଥିଲି। 


      ଦିନେ ଗୋଟେ ଗପ ପଢିଦେଲା ପରେ ମୁଁ ବହୁତ ପ୍ରଭାବିତ ହୋଇଗଲି।ସେ ଗପର ଲେଖକ କିଏ ମୋର ମନେନାହିଁ।ମୁଁ କିନ୍ତୁ ବାରମ୍ବାର ପଢିଥିଲି ସେଇ ଗପଟିକୁ।ତା'ପରେ ମୁଁ ଟିକେ ବଦଳିବାକୁ ଚାହିଁଲି।ଗୋଟେ ନୂଆ ପ୍ରକାର ଜୀବନ ବଞ୍ଚିବାକୁ ମୋର ଇଚ୍ଛା ହେଲା,ଉତ୍କଣ୍ଠା ବଢିଲା। 


      ସଠିକ୍ କହି ପାରିବିନି ମୋର ସେଇ ସମୟର ପରିସ୍ଥିତି ଏଥିପାଇଁ ଦାୟୀ କି ମୁଁ ପଢିଥିବା ଗପ।ସେ ଯାହା ହେଉ ଜୀବନରେ ଏକ ନୂତନ ଆଲୋକରେଖାର ସନ୍ଧାନ କରିବାକୁ ମୁଁ ଖୁବ୍ ବ୍ୟଗ୍ର ହୋଇପଡିଲି।ଯେଉଁ କଥା କେବେ ଦିନେ ସ୍ୱପ୍ନରେ ଭାବି ନ ଥିଲି ଏବେ ସେଇ କଥା ଭାବିବାକୁ ଲାଗିଲି। 


      ମୋ ଜୀବନରେ ଗୋଟେ ନୂଆ ସକାଳର ଆରମ୍ଭ ହେଲା।ପୃଥିବୀ ମୋତେ ବେଶ୍ ମନଲୋଭା ଦିଶିଲା।ମୁଁ ସୂର୍ଯ୍ୟଙ୍କୁ ଚାହିଁଲି।ସକାଳକୁ ଉପଭୋଗ କଲି।ସୂର୍ଯ୍ୟଙ୍କ ଗତି ନିରୀକ୍ଷଣ କଲି।ସେ ଅସ୍ତ ଯିବା ଯାଏ ମୁଁ ପୂରାପୂରି ତାଙ୍କ ପଛରେ ପଡିଗଲି। 


      ନଈ କୂଳରେ ମୋର ଘର।ସେଦିନ ନଈକୂଳକୁ ଆସିଲି।ନଈ ଆଡ଼କୁ ଚାହିଁ ରହିଲି।ବିରାମହୀନ ଗତିରେ ବହି ଯାଉଥିବା ତା'ର ସ୍ରୋତ ମୋତେ ମୁଗ୍ଧ କଲା।ନଈର ଥଣ୍ଡା ପାଣିରେ ମନଭରି ଗାଧେଇଲି।ମଜା ଉଠାଇଲି। 


      ଘରେ ମଧ୍ୟାହ୍ନ ଭୋଜନ ପାଇଁ କ'ଣ ସବୁ ହୋଇଥିଲା ସେଦିନ ମୋର ମନେନାହିଁ।ହେଲେ ସେସବୁ ମୋତେ ଖୁବ୍ ସୁଆଦିଆ ଲାଗିଲା।ମୁଁ ପେଟେ ଖାଇଦେଇ ଆନନ୍ଦରେ ହାକୁଟି ମାରିଲି।ତା'ପରେ ଶାନ୍ତିରେ ଶୋଇଗଲି ଘଡିଏ। 


      ଛୋଟ ପିଲାଟିଏ ଆସି ମୋ ଉପରେ ଚଢିଲା।ମୋ ଛାତି ଉପରେ ବସିଲା।ମୋ ମୋଟା ନିଶକୁ ତା' କୁନି ହାତରେ ସାଉଁଳେଇଲା।ମୋ ନିଦ ଭାଙ୍ଗିଦେଲା।ମୁଁ ମୁର୍କି ହସିଲି।ପିଲାଟି ବି ମୋତେ ଚାହିଁ ମୁର୍କି ହସିଲା।ଆମେ ଦୁହେଁ କେତେ ସମୟ ଧରି ଖୁସିରେ ହସାହସି ହେଲୁ। 


      ସନ୍ଧ୍ୟାରେ ପ୍ରଥମ କରି ଠାକୁର ଘରକୁ ଆସିଲି ସେଦିନ।ଠାକୁର ଘରେ ବସି ପ୍ରଭୁ ଜଗନ୍ନାଥଙ୍କ ଚକାଆଖି ଆଡେ ଚାହିଁଲି।ତାଙ୍କୁ ପ୍ରାର୍ଥନା କଲି।ମୋର ଭାଗବତ ପଢିବାକୁ ଇଚ୍ଛା ହେଲା।ସ୍ୱର କରି ଗାଇଲି।ଗୋଟେ ଅନନ୍ୟ ଐଶ୍ୱରୀୟ ଆନନ୍ଦରେ ହଜିଗଲି। 


      ସେଇଦିନଠୁ ଜାଣ ଆରମ୍ଭ ହେଲା ମୋ ଜୀବନ।ମୁଁ ଏକ ନୂଆ ଢଙ୍ଗରେ ଜୀବନ ବଞ୍ଚିବାକୁ ଲାଗିଲି।କେହି ସହମତ ହୁଅନ୍ତୁ କି ନ ହୁଅନ୍ତୁ ମତେ ଏବେ ବହୁତ ଆନନ୍ଦ ଦେଉଛି ମୋର ଏ ଜୀବନ।ଖୁସି ଲାଗୁଛି। 


      ଏବେ ପରିବର୍ତ୍ତନର ସ୍ୱାଦ ଚାଖୁଛି ମୁଁ।ପରିବର୍ତ୍ତନ ଯେ ଜୀବନରେ ନୂଆ ସ୍ବାଦ ଆଣେ ବୁଝୁଛି।ମୋର ନୂଆ ଜୀବନକୁ ନେଇ ମୁଁ ବହୁତ ଖୁସି ଅଛି। 


      ମୁଁ ଜୀବନ ଆରମ୍ଭ କରିଛି।ହଁ,ମୁଁ ଗୋଟେ ଜୀବନ ଆରମ୍ଭ କରିଛି।



Rate this content
Log in

Similar oriya story from Inspirational