Satyabati Swain

Tragedy

4.5  

Satyabati Swain

Tragedy

ମୁକୁଳା ପଞ୍ଜୁରୀ

ମୁକୁଳା ପଞ୍ଜୁରୀ

7 mins
181


ସବୁ ଡାକ୍ତର କହୁଛନ୍ତି ବୟସ ହେଲେ ଏମିତି ହୁଏ ସାର୍।ଏମିତି !! ଇଏ କଣ ଏମିତି ହେବା ମଣିଷ !ସୂର୍ଯ୍ୟ ୟାଙ୍କୁ ଦେଖି ଉଠୁଥିଲା। ସଞ୍ଜ ୟାଙ୍କ କାମ ନ ସରିଲେ ଆସୁ ନଥିଲା।ଝଡି ବଢି ଏଇ ମଣିଷକୁ ଡରୁଥିଲେ। ଘଣ୍ଟା ବି ଏହାଙ୍କ ସହ ପ୍ରତି ଯୋଗିତା କରି ହାରି ଯାଉଥିଲା।ନିଦ ଖୁବ୍ ମାପିଚୁପି ଆସୁଥିଲା ଏଇ ମଣିଷ ଟିର ପାଖ।ଇଏ ସେଇ ରାମଚନ୍ଦ୍ର ରାଉତ। ବିଲ ବାଡ଼ିରେ ଉତ୍କୃଷ୍ଟ ଫସଲ ଉପୁଜାଇ ପ୍ରତି ବର୍ଷ ବ୍ଲକର ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ପାଉଥିଲେ ! ଅଳ୍ପ ଜମି କିନ୍ତୁ ଉତ୍ପାଦନ ସାରା ବ୍ଲକରେ ରେକର୍ଡ । ସ୍ୱୟଂ କୃଷି ମନ୍ତ୍ରୀ ଏହାଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ସରକାର ଙ୍କର ଅନାବାଜି ଗୋଚର ଜମି ଦୁଇ ଏକର ଖୁସି ହୋଇ ଆଖୁ ଚାଷ ପାଇଁ ଦେଇ ଥିଲେ।ମାତ୍ର କୋଡିଏ ଗୁଣ୍ଠ ଜମିରେ ବର୍ଷକୁ ନାନା ରକମର ଫସଲ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ଦୁଇ ଝିଅ ଓ ପୁଅକୁ ବଡ଼ କଲେଜରେ ପାଠ ଶାଠ ପଢେଇ ଭଲ ଘରେ ବାହା ଦେଇଛନ୍ତି।

ଭାବୁଛନ୍ତି କି ରାମଚନ୍ଦ୍ର ରାଉତ ମୂର୍ଖ !ନା ନା ସେ ବା ଉଦ୍ଭିଦ ବିଜ୍ଞାନରେ ସ୍ନାତକ ପାସ୍ କରିଥିଲେ।ଚାହିଁଥିଲେ ଭଲ ଚାକିରୀଟିଏ କରି ପାରି ଥାନ୍ତେ।କିନ୍ତୁ ନା ସ୍ୱାଧୀନଚେତା ମଣିଷଟି ଅନ୍ୟ କାହା ତଳେ ରହି ହୁକୁମ ମାନିବେ ନାହିଁ ବୋଲି ନିଜ ପୈତୃକ ସମ୍ପତ୍ତି ମାତ୍ର କୋଡିଏ ଗୁଣ୍ଠ ଜମିରେ ପଡିଆ ଉଠିଆ ଚାଷ କରିବାକୁ ମନସ୍ଥ କଲେ।ସ୍ନାତକ ସାର୍ଟିଫିକେଟ୍ ବନ୍ଧକ ରଖି ବ୍ୟାଙ୍କରୁ ଲୋନ୍ ଆଣି ଟ୍ରାକ୍ଟର ଟିଏ କଲେ।ଉନ୍ନତ କିସମର ଧାନ, ପୋଟଳ,କୋବି, ଅମୃତ ଭଣ୍ଡା, କଦଳୀ ଆଦି ଆଧୁନିକ ପ୍ରଣାଳୀରେ ଚାଷ କରି ଖୁ ଲାଭବାନ ହେଲେ।ଟ୍ରାକ୍ଟର ରେ ନିଜ ଜମି ହଳ କରିବା ସହ ଅନ୍ୟ ମାନଙ୍କ ଜମି ହଳ କରି ଦି ପଇସା ବି ପାଇଲେ।ଜୀବନରେ ବସିବା କେବେ ଶିଖି ନଥିଲେ ରାମଚନ୍ଦ୍ର ରାଉତ।ଟ୍ରାକ୍ଟର ସହ ହର ଦମ୍ ସେ କାମରେ ଲାଗିଥିବେ।କେବେ ଇଟା ,ସିମେଣ୍ଟ,ଗୋଡି, ବାଲି, କାଠ ବୁହା ତ କେବେ ଛଣ,ନଡ଼ା ଓ ଧାନ ବୁହାରେ ଲାଗିଥିବେ।ଏଇ ଚାଷରୁ ସେ ଦୁଇ ମହଲା ବିଶିଷ୍ଟ ସୁନ୍ଦର କୋଠା ଘରଟିଏ କରିଛନ୍ତି।ଥକି ପଡିବା,ବିଶ୍ରାମ ନେବା କି ରୋଗ କେବେ ପାଖ ପଶି ନାହାନ୍ତି ୟାଙ୍କର।ରାମଚନ୍ଦ୍ର ରାଉତ ଦେଖେଇ ଦେଇଛନ୍ତି କେବଳ ପାଠ ପଢି ଚାକିରୀ କଲେ ଭଲ ଖାଇବା କି ପିନ୍ଧିବା ମିଳେନି।ବୁଦ୍ଧି ଖଟାଇ ଉନ୍ନତ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ଚାଷୀଟିଏ ବି କୋଟି ପତି ହୋଇ ପାରେ। ଏଥିପାଇଁ କେବଳ ମନଟିଏ ଲୋଡା।

ନିଜ ପରିଚୟ ନିଜେ ସୃଷ୍ଟି କରି ରାମ,ରାମଚନ୍ଦ୍ରରୁ ରାମବାବୁ ହୋଇ ପାରିଥିଲେ।ଜିଲ୍ଲାକୃଷକ ସଂଘରେ ଆଗ ଖୋଜା ପଡେ ରାମ ବାବୁଙ୍କୁ।ସଂଘ ଯେତେ ବେଳେ ରାମବାବୁ ଙ୍କୁ ସଭାପତି କରିବା ନିଷ୍ପତ୍ତି ନେଲେ, ଏଇ ନିର୍ଲଭ ମଣିଷ ହାତ ଯୋଡି କହିଥିଲେ ଚାଷ କରିବା ମୋର ଖୁସିର କଥା।ଚାଷ ଭଲ ତ ମୁଁ ଭଲ ଏତେ ବଡ଼ ପଦବୀ ପାଇଁ ମୁଁ ନିଜକୁ ଯୋଗ୍ୟ ମନେ କରୁ ନାହିଁ । ଏସବୁ କାମ ମୋ ଦେଇ ହେବ ନାହିଁ।କ୍ଷମା କରିବେ।

ଉପସ୍ଥିତ ଲୋକେ କାବା ହୋଇ ପରସ୍ପରକୁ ଚାହିଁଲେ।ଏପରି ସମ୍ମାନ ଜନକ ଲାଭ ଦାୟୀ ପଦବୀ ପାଇଁ ଲୋକ ମାନଙ୍କ ଭିତରେ ବାଡ଼ିଆ ପିଟା, ଟଙ୍କା ଦିଆ ନିଆ ,ହେଲେ ରାମବାବୁ ଗୋଡ଼ରେ ଆଡେଇ ଦେଉଛନ୍ତି ! ସତରେ ଯେମିତି କର୍ମଠ ସେମିତି ସଚୋଟ ଆଉ ନିର୍ଲୋଭ ସାଧା ସିଧା  ଏଇ ମଣିଷଟି ଥିଲେ।ଏହା ପରଠାରୁ ରାମବାବୁ ସବୁ ଲୋକଙ୍କର ଆହୁରି ଶ୍ରଦ୍ଧା ଭାଜନ ହୋଇଗଲେ।କୃଷି ଅଫିସରଙ୍କ ତ ଗେହ୍ଲା ପୁଅ ରାମ ବାବୁ।ଭାରତ ପ୍ରାଧାନ୍ୟ ଦେଉଥିଲା କୃଷି ଉପରେ।ରାମବାବୁ ଥିଲେ ସମୟ ଆହ୍ବାନର କର୍ଣ୍ଣଧାର।ଶିକ୍ଷିତ, ଉଦ୍ ଯୋଗୀ, କର୍ମଠ ଓ ପରିଶ୍ରମୀ ଉନ୍ନତ ଚାଷର ବରପୁତ୍ର।ବିଶ୍ୱାସ ହେଉ ନାହିଁ ଏ ସେଇ ରାମଚନ୍ଦ୍ର ରାଉତ !

ଆପଣ ଜାଣନ୍ତି ରାମଚନ୍ଦ୍ର ରାଉତ ଜଣେ ସଫଳ କୃଷକ ନଥିଲେ ବରଂ ଜଣେ ସଫଳ ବାପା ଥିଲେ। ତିନୋଟି ପିଲାଙ୍କୁ ଶିକ୍ଷା ସସ୍କାର ଦେଇ ସମାଜର ନାମୀ ଦାମୀ ମଣିଷ କରି ପାରିଛନ୍ତି।କୃଷକ ପୁଅ ଜଣେ ଆ ଇ ଏସ୍ ! ଆଶ୍ଚର୍ଯ୍ୟ ହେଉଛନ୍ତି ନା !କଲେକ୍ଟର ଶେଷ ଦେବ ରାଉତ ; ଶିଶୁ ଏଇ ରାମଚନ୍ଦ୍ର ରାଉତଙ୍କ ପୁଅ। ମୁଁ ସେଇ ପୁଅ ଯାହାଙ୍କ ମାଟିର ମଣିଷ ବାପା ଦୁଇ ବର୍ଷ ହେଲା ସଂଘର୍ଷ କରୁଛନ୍ତି ପକ୍ଷଘାତ ରୋଗରେ।ପଡି ରହିଛନ୍ତି ବେଡ୍ ରେ।ନା କହି ପାରୁଛନ୍ତି କିଛି ନା ଉଠି ପାରି ଚାଲି ପାରୁଛନ୍ତି ଖୋଜେ।।କେବଳ ଅଫିସ୍ ଯିବା ବେଳକୁ ବାପା ଡାକିଦେଲେ ମୁଦା ଆଖି ଖୋଳନ୍ତି।ଟିକେ ଅନାନ୍ତି। ଓଠରେ ହସ ଫୁଟେଇବା ଚେଷ୍ଟା କରି ଥର ଥର ମୁଣ୍ଡରେ ଯା ବୋଲି ସ୍ୱୀକୃତି ଦିଅନ୍ତି।ପିଲାଦନେ ଖୁବ୍ ଦୁଷ୍ଟ ଥିଲି।ପ୍ରତିଦିନ ଦାଣ୍ଡ କଳି ଆଣି ଘରେ ପୁରାଉଥିଲି।କାହାକୁ ମାରୁ ଥିଲି ତ କାହା ସାଇକେଲ ବଙ୍କା କରୁଥିଲି।କାହା ବାଡ଼ିରେ ପଶି ପିଜୁଳୀ,କାକୁଡି କି କୋଳି ତୋଳି ଆଣି ସାଙ୍ଗଙ୍କ ସହ ମିଶି ଖାଉଥିଲି।ସ୍କୁଲରେ ଦୁଷ୍ଟ ପିଲା ଭାବେ ମୋର ରେକର୍ଡ ଥିଲା ଏଗାର ବର୍ଷ ପର୍ଯ୍ୟନ୍ତ। ଦୁଷ୍ଟ ସିନା ପାଠରେ ଫାଷ୍ଟ।ସେଇଥିପାଇଁ ମୋ ଦୁଷ୍ଟାମୀକୁ ଅଣ ଦେଖା କରନ୍ତି ସମସ୍ତେ।ତୃତୀୟ ଠାରୁ ଆରମ୍ଭ କରି ସବୁ ଶ୍ରେଣୀରେ ବୃତ୍ତି ମୋ ପାଇଁ ଥୁଆ।

ଅତି ଦୁଷ୍ଟ ପିଲା ଅତି ଭଲ ପଢ଼ନ୍ତି କୁଆଡେ ଲୋକେ କୁହନ୍ତି।ବାପା କେବେ ମୋତେ ରାଗିବା ଜାଣି ନାହିଁ।ବରଂ ଯେଉଁ ଦିନ ଦୋଷ କରିଥିବି ବା ମୋ ନାମରେ ଅଭିଯୋଗ ଆସିଥିବ ସେଦିନ ବାପା ମୋ ସହ ବେଶୀ ସମୟ କଟାନ୍ତି।ସାଙ୍ଗରେ ଖୁଆନ୍ତି,ପାଖରେ ଶୁଆନ୍ତି।ବେଶୀ ଆଦର ସ୍ନେହ କରନ୍ତି।

ମାଆ ଏସବୁ ଦେଖେ ରାଗେ ଓ କୁହେ ତୁମରି ମୁହଁ ପାଇ ଶିଶୁ ଏମିତି ହେଉଛି।ଏମିତି କେଉଁ ଦିନ ଅଛି ଯେଉଁ ଦିନ ତୁମ ଗେହ୍ଲା ଶିଶୁ ନାଁ ରେ ଅଭିଯୋଗ ଆସୁ ନାହିଁ ! ତୁମେ ସିନା ଶାସନ କରନ୍ତ ! କିନ୍ତୁ ନାଇଁ ଯେତେ ଯାହା କଲେ ବି ରାମ ବାବୁଙ୍କ ପୁଅ ନା ,ସାତ ଖୁନ୍ ମାଫ୍।ଲୋକେ ଆଗରେ ନ କହି ପଛରେ କହୁଛନ୍ତି।ମୋତେ ଏସବୁ ଭଲ ଲାଗୁ ନାହିଁ।

ପୁଅକୁ ଗେହ୍ଲା କରିବା ସହ ଟିକେ ଆକଟ କର।ନଲେ ଏମିତି ଦିନ ଆସିବ ଖୁବ୍ ପସ୍ତେଇବ।ବାପା ମୋ ମୁଣ୍ଡ ଆଉଁସି କୁହନ୍ତି ପିଲା ଲୋକ କଣ ଟିକେ କରି ଦେଉଛି।ଆସ୍ତେ ବଡ଼ ହେଲେ ବୁଦ୍ଧି ହୋଇ ଯିବନି।କଣ କହୁଛୁ ଶିଶୁ ! ତୁ ମୋ ସୁନା ପୁଅ ହେବୁଟି !ମୁଁ କଣ ବୁଝେ କେଜାଣି ମୁଣ୍ଡ ଟୁଙ୍ଗାରି ହଁ କରେ।ବାପା କୁହନ୍ତି ଏଇ ସାବାସ୍ ! ରାମଚନ୍ଦ୍ର ପୁଅ ଭଲ ନ ହୋଇ କଣ ଖରାପ ହୁଅନ୍ତା ! ତୁମେ ଦେଖିବ ଅନି ଆମ ଶିଶୁ ଏ ଅଞ୍ଚଳର ନାଁ ରଖିବ।ବାବା ଶିଶୁ ! କହିଲୁ କହିଲୁ ତୁ ବଡ଼ ହେଲେ କଣ ହେବୁ ?ମୁଁ ଚଟକି ଉତ୍ତର ଦିଏ କଲେକ୍ଟର।

ବାପା କହିବେ କଲେକ୍ଟର.... ....ମୁଁ ପୂରଣ କରିବି ଶେଷଦେଵ ରାଉତ, ମାଆ... ମୁଁ କହିବି ଅନ୍ନପୂର୍ଣ୍ଣା ରାଉତ, ବାପା... ରାମଚନ୍ଦ୍ର ରାଉତ,ଗ୍ରାମ ଓ ପୋଷ୍ଟ ଅଫିସ... କାଦୁଅପଡା,ପିନ ସାତ ପାଞ୍ଚ ଚାରି ଏକ ଶୁନ ଛଅ। ଏସବୁ ମୁଁ ଗୋଟେ ନିଃଶ୍ବାସରେ କହି ଦେଉ ଥିଲି।ପିଲାଦିନୁ କଲେକ୍ଟର ହେବା ସ୍ବପ୍ନଟି ମୋ ଭିତରେ ଭରି ଦେଇଥିଲେ ବାପା। ଏଣୁ ପିଲାଦିନୁ ମୁଁ କାନ୍ଥ ,ବାଡ଼, ବହି ,ଖାତା ସବୁଥିରେ ଲେଖୁଥିଲି କଲେକ୍ଟର ଶେଷ ଦେବ ରାଉତ।ଏହା ହିଁ ମୋତେ କଲେକ୍ଟର କରି ପାରି ଥିଲା ।

ପିଲାଦିନେ ବାପା ମୋତେ କେବେ ରାଗନ୍ତି ନାହିଁ କେମିତି ? ଅନ୍ୟ ମାନଙ୍କ ବାପା ପରି ବାଡାନ୍ତି ନାହିଁ କି ଖାଇବା ବନ୍ଦ କରନ୍ତି ନି ତ !ବାପାଙ୍କ ଖୁବ୍ ଧୈର୍ଯ୍ୟ। ମୋତେ ଲାଗେ ବାପା ଧୈର୍ଯ୍ୟ ର ହିମାଳୟ ଟିଏ।ବାପା ରାଗନ୍ତି ନାହିଁ କି ପିଟନ୍ତି ନାହିଁ କିନ୍ତୁ ପାଖରେ ଶୁଆଇ ଏମିତି କାଇଦାରେ ମୋରି ମୁହଁରେ ସ୍ୱୀକାର କରାନ୍ତି ଯେ ମୁଁ ଯାହା କରୁଛୁ ସେଗୁଡିକ ଭୁଲ୍।ଭୁଲ୍ କାମ ସୁନା ପିଲା କରନ୍ତି ନାହିଁ।ମାଡ଼ ଖାଇ ହୁଏତ ମୁଁ ଜିଦିଆ କି ବଦରାଗୀ କିମ୍ୱା ଅସାମାଜିକ ପିଲା ହୋଇ ଯିବାର ଯଥେଷ୍ଟ ସମ୍ଭାବନା ଥିଲା ବେଳେ ବାପାଙ୍କ ଗେହ୍ଲା କରି ବୁଝେଇ ଦେବାଟା ମୋତେ ଅନୁତପ୍ତ କରେ।ମୁଁ ଅନୁଭବ କରେ ଯେ ଦୁଷ୍ଟାମୀ କରିବା ଭଲ କଥା ନୁହେଁ। ଏଣୁ ନିଜେ ନିଜେ ସଂଶୋଧନ ହେବାକୁ ଚେଷ୍ଟା କରେ।ସତରେ ବାପା ମୋତେ ସୁଧାରିବା ପାଇଁ କି ଅଶ୍ରୁତପୂର୍ବ ଟ୍ରିକ୍ ଆପଣଉଥିଲେ ଭାବିଲେ ଅଭିଭୂତ ହୁଏ।କଲେକ୍ଟର ହେଲେ ବି ମୁଁ କେବେ କେବେ ମୋ ପିଲାଙ୍କୁ ରାଗେ। ନିଷ୍ଠୁର କଥା କୁହେ।ଆକଟ କରେ।କିନ୍ତୁ ମୋ ବାପା !ଏଇ ପକ୍ଷଘାତ ରାମଚନ୍ଦ୍ର ରାଉତ କେବେ ରାଗନ୍ତି ନାହିଁ।ସେ ପ୍ରକୃତରେ ଜଣେ ସଫଳ ବାପା।ମାଆ କିନ୍ତୁ ରାଗେ। ବାର ଲୋକ ତୋ ପାଇଁ ବାର କଥା କହୁଛନ୍ତି ,ତୋତେ କଣ ଭଲ ଲାଗୁଛି ଶିଶୁ ? ତୋ ଭଉଣୀ ଆଂଚଳ ଓ ଅସୀମା କାଇଁ ତୋ ପରି ତ ହେଉ ନାହାନ୍ତି ! ମା ମୋ ଉପରେ ରାଗି ଉପାସ ରୁହେ।ମୋ ସହ କଟି ପକେଇ କଥା ହୁଏନି।କୁହେ ଦେଖିବୁ ରହ ତୋର ଏଇ ଦୁଷ୍ଟାମୀ ପାଇ ଦିନେ ତୋତେ ଓ ଏ ଘର ଛାଡ଼ି ଚାଲିଯିବି ଯେ ଯେତେ ମାଆ ମାଆ ଡାକିଲେ ଆଉ ଶୁଣିବି ନାହିଁ।

ମୁଁ ଭାବେ ଦୁଷ୍ଟ କାହିଁକି ହେଉଛି ଯେ ! ସମସ୍ତେ ଅସନ୍ତୁଷ୍ଟ ହେଉଛନ୍ତି।ସବୁଠୁ ବେଶି କଷ୍ଟ ପାଉଛି ମୋ ମାଆ। ମାଆ ର ଇଚ୍ଛା ତ ଶିଶୁ ବିରୋଧରେ ପଦେ କେହି କୁହନ୍ତେ ନାହିଁ !

ମାଆ ତା କହିବା କଥା ସତ କରି ମୋରି ଦୁଷ୍ଟାମୀ ପାଇଁ କି କଣ ମୋତେ ଏଗାର ବର୍ଷ ବୟସରେ ୟୁଟ୍ରସ କ୍ୟାନ୍ସର ରେ ସବୁଦିନ ମୋ ସହ କଟି ପକେଇ ଛାଡି ଚାଲି ଗଲା। ମୋ କୁନି ହାତରେ ତା ମୁହଁରେ ନିଆଁ ଦେଇ ମଶାଣୀରେ ମାଆକୁ ମୁଠେ ପାଉଁଶ କରିଦେଲି।ଏଇ ଅପୁରଣୀୟ ଓ ଅବିସ୍ମରଣୀୟ ଘଟଣାଟି ମୋତେ ଅତି ଦୁଷ୍ଟ ରୁ ଅତି ଚୁପ୍ ଚାପ୍ ଶାନ୍ତ ପିଲା କରିଦେଲା।ନିଜକୁ ସବୁବେଳେ ଦୋଷ ଦେଲି ମାଆ ମୋ ଉପରେ ରାଗି ମୋତେ ଛାଡ଼ି ଚାଲିଗଲା।ନିଃଶବ୍ଦେ କର୍ପୂର ମାଳ ପିନ୍ଧି କାନ୍ଥରେ ଝୁଲୁଥିବା ମାଆ ଫଟୋକୁ ଚାହିଁ କୁହେ ,ମାଆ ଲୋ ମୁଁ ଆଉ ଦୁଷ୍ଟ ହେଉ ନାହିଁ, ତୋ ଶିଶୁ ଭାରି ଭଲ ପିଲା ହୋଇ ଯାଇଛି।ଏଥର ତ ତୁ ଫେରି ଆ।ମାଆ କିନ୍ତୁ ଆସେ ନାହିଁ।ମା ସବୁଦିନ ମୋତେ ଏକା କରି ଚାଲିଗଲା ପରେ ବାପା ମୋର ମା ଓ ବାପା ଓ ଉଭୟ ହୋଇଗଲେ।ତିନି ପିଲା ଭିତରେ ମୁଁ କୋଡ଼ ପୋଛା ଥିଲି।ଏଣୁ ଟିକେ ଗେହ୍ଲା ଅଧିକ ହେଉଥିଲି। ବାପା ତ କ୍ଷଣେ ଅନ୍ତର କରୁ ନ ଥିଲେ ମୋତେ। ମୋ ବାପା ରାମଚନ୍ଦ୍ର ରାଉତ ଛଅଫୁଟ ଚାରି ଇଞ୍ଚର ଜଣେ ରାଜାପୁଅ ପରି ଚେହେରା ଥିବା ମଣିଷ।ହାତୀ ଗୋଡ଼ ଧରିଲେ ହାତୀ ଅଟକି ଯାଉଥିଲା।ହେଲେ ଆଜି ନିଜ ହାତ କି ଗୋଡ଼ ଉଠାଇ ପାରୁ ନାହାନ୍ତି !

ନର୍ସିଂ ହୋମ୍ ରେ ଛଅ ମାସ ରହିଲେ।କିଛି ସୁଧାର ନ ଆସିବାରୁ ଘରକୁ ନେଇ ଆସିଛି।କେୟାର ଟେକର୍ ଟିଏ ଅଛି ତାଙ୍କ କଥା ବୁଝିବାକୁ। ମୋ ମିସେସ୍ ବି ଜଣେ ଚାକିରିଆ। ସେ କହୁଥିଲେ ନର୍ସିଂ ହୋମ୍ ରେ ବାପା ଥାଆନ୍ତୁ । ଘରକୁ ନେଲେ ତାଙ୍କ ଯତ୍ନ କିଏ ନେବ ! ଯେତେ ନର୍ସ କି କେୟାର ଟେକର୍ ରଖିଲେ ବି ଆମ ଚିନ୍ତା ରହିବ।ଆମର ଯେଉଁ ଚାକିରୀ ଲୋକେ ଟିକେ ଭୁଲ୍ ହେଲେ ଅନେଇଁ ବସିଛନ୍ତି ଘେରି ଯିବାକୁ।ବାପାଙ୍କ କଥା ଠିକ୍ ରେ କଣ ବୁଝି ପାରିବା  ? ଦେଖିବା କଣ ହେବ।କିଛି ନ ହେଲେ ପ୍ରତିଦିନ ବାପା ଆମକୁ ଓ ଆମେ ବାପାଙ୍କୁ ଦେଖି ପାରିବା ତ ! ଫୁରୁସତ ମିଳିଲେ ତାଙ୍କ ପାଖେ ବସି ପାରିବା ,କଥା ଶୁଣାଇଁ ପାରିବା।ମିସେସ୍ ଜାଣନ୍ତି ବାପା ମୋ ଜୀବନ। ସେ ଅଧିକ କିଛି ପ୍ରତିବାଦ କଲେ ନାହିଁ।ଏଣୁ ଘରକୁ ବାପାଙ୍କୁ ନେଇ ଆସିଲୁ।ନର୍ସିଂ ହୋମ୍ ଘଣ୍ଟାଏ କି ଦୁଇ ଘଣ୍ଟା ଦିନରେ ଯାଉଥିଲି। 

ବାପାଙ୍କ କଷ୍ଟଟା ଅନୁଭବ କରି ପାରୁ ନଥିଲି।କିନ୍ତୁ ଘରକୁ ଆଣିଲା ପରେ ମୁଁ ବୁଝି ପାରିଛି ଜୀବନ କଣ।ମୁଁ ଆଉ ସହି ପାରୁ ନାହିଁ ମୋ ବାପାଙ୍କ କଷ୍ଟ। କାହିଁକି ମଣିଷ ଜୀବନରେ ବାର୍ଦ୍ଧକ୍ୟ ଆସେ ? କଣ ପାଇଁ ଜୀଵ ଏତେ କଷ୍ଟ ଭୋଗେ।ମରିବା ଯଦି ଧ୍ରୁଵ ସତ୍ୟ ବିନା ଯନ୍ତ୍ରଣାରେ ମଲେ କଣ ହୁଅନ୍ତା ନାହିଁ? ଏତେ ଘୋଷାରି ଘୁଅ, ମୁତରେ ଘାଣ୍ଟନ୍ତି କାହିଁକି ? ଆଖି ଲାଗି ଆସୁଛି ମୋର। ଦେଖୁଛି ବାପା ନୁହଁନ୍ତି ମୁଁ ତାଙ୍କ ସ୍ଥାନରେ ପଡି ଛଟପଟ ହେଉଛି।ପଡି ପଡି ଗୋଟିଏ ପଟ ବାପାଙ୍କ ପରି ମୋର ଘାଆ ହୋଇ ଯାଇଛି।ଗନ୍ଧଉଛି ମୋ ରହିବା ଘର।କେହି ନାକ ଟେକି ମୋ ପାଖ ପଶୁ ନାହାନ୍ତି। ମୁଁ କେବଳ ଅପେକ୍ଷା କରିଛି ଜଣକୁ, ପ୍ରିୟ ବନ୍ଧୁ ମୃତ୍ୟୁକୁ। ନିଜକୁ ବାର୍ଦ୍ଧକ୍ୟ ରୂପରେ ପକ୍ଷଘାତ ହୋଇ ବାପାଙ୍କ ବେଡ୍ ରେ ମଲା ବେଙ୍ଗ  ପଡିଛି। ଅତ୍ୟଧିକ ଭୟ ପାଇଁ ଚିତ୍କାର କଲି ବାପା।

ହଲେଇ ଦେଇ ମୋ ମିସେସ୍ କହିଲେ , କଣ ବାପାଙ୍କୁ ସ୍ବପ୍ନ ଦେଖଲ କି ? ଏତେ ବଡ଼ ପାଟିରେ ରାତି ଅଧଟାରେ ଶୋଇ ଶୋଇ ବାପା ବାପା ହେଉଛ? ବାପା ବାପା କହି ମୁଁ ଉଠି ପଡି ଦୌଡ଼ିଲି ବାପାଙ୍କ ଘରକୁ। ବାପା କାହାନ୍ତି? ବେଡ୍ ଅଛି ଘର ଅଛି କିନ୍ତୁ ବାପା ନାହାଁନ୍ତି।"ମୁକୁଳା ପଞ୍ଜୁରୀ"।ଆଜକୁ ଏଗାର ମାସ ହେବ ପକ୍ଷୀ ଉଡ଼ି ଗଲାଣି।


Rate this content
Log in

Similar oriya story from Tragedy