Satyabati Swain

Tragedy

4  

Satyabati Swain

Tragedy

ମୁଖା

ମୁଖା

7 mins
378



ସେ ମୋତେ ଉଚ୍ଚାଟ କରୁଥିଲେ।


ପ୍ରଥମେ ନିର୍ଜୀବ ଅକ୍ଷରରୁ ସ୍ୱର ଓ ପରେ ପରେ ହୃଦୟ ର ଚିନ୍ତା ଚେତନାର ଆକର୍ଷଣ ଆମକୁ ପରସ୍ପର ପ୍ରତି ଚୁମ୍ବକ ପରି ଟାଣୁଥିଲା।ଘଣ୍ଟା ଘଣ୍ଟା ଗପିଲେ ବି ଶୋଷ ମରୁ ନଥିଲା।ଦିନ ରାତି ଚବିଶ ଘଣ୍ଟା ନ ହୋଇ ଆହୁରି ଅଧିକ ସମୟ ହୋଇ

ଥିଲେ ବି ଆମକୁ ନିଅଣ୍ଟ ପଡୁଥାନ୍ତା ଗପରେ ପୂର୍ଣ୍ଣ ବିରାମ ଦେବାକୁ। 


କେଉଁ ଏକ ଅଦୃଶ୍ୟ ଶକ୍ତିରେ ଗୁନ୍ଥା ହୋଇ ଯାଉଥିଲୁ ଆମେ ଧୀରେ ଧୀରେ।


ମନର ମନ୍ଥର ଗତି ସମୟ କ୍ରମେ ଉଡାଯାହାଜ ହୋଇ ଯାଉଥିଲା।


ହୃଦୟରେ କିଛି କିଛି ହେଉଥିଲା।ଅଥଚ ନାଁ ଟି ଦେଉ ହେଉନଥିଲା ଏ ଉଦ୍ବେଳନର ଆତ୍ମ ଦହନର।


ପରସ୍ପରକୁ ଦେଖିବା ମୋହର ମୋହନ ବଂଶୀ ଉଚ୍ଚାଟ କରୁଥିଲା ବେଶୀ ମୋ ହୃଦୟ।


କଥା ହେଲା ସେ ଆସିବେ। 


ଭିଡିଓରେ ଦେଖିଥିଲି ତାଙ୍କୁ।କଥା ହୋଇଥିଲି ଭିଡ଼ିଓରେ ପର୍ଦାର ନାୟକ ପରି। ସେ ଆସିବେ ସ୍ୱଚକ୍ଷୁରେ ମୁଁ ତାଙ୍କୁ ଦେଖିବି,ଛୁଇଁବି, ତାଙ୍କ ସହ ଗପିବି,କଫି ପିଇବି।ସେ କହିବେ ତାଙ୍କ କଥା ଆଉ ମୁଁ କହିବି ମୋର।


 ଓଃ ତାଙ୍କୁ ଅପେକ୍ଷା ଖୁବ୍ ପୀଡା ଦାୟକଥିଲା।


ମୁଁ ଆୟତରେ ନଥିଲି।ଉତ୍କଣ୍ଠା, ଉଦ୍ ବିଗ୍ନ ମୋତେ ମୋଠାରୁ ଛଡାଇ ନେଇଥିଲେ।ନିଜ ସତ୍ତା ଯେପରି ଭୁଲି ମୁଁ କେବଳ ଅପେକ୍ଷା କରିଥିଲି ସେ କେତେବେଳେ ଆସିବେ।ମୁଁ ଏରୋଡ୍ରମ୍ ଫିଲିଡ଼ରୁ ତାଙ୍କୁ ପାଛୋଟି ଆଣିବି ମୋ ରୁମ୍ କୁ।


ଏତେ ଅନ୍ୟ ମନସ୍କ?ଏମିତି ଅପେକ୍ଷାର ମିଠା ମିଠା ଯନ୍ତ୍ରଣା ,ଶବ୍ଦ ହିଁନ ଉଚ୍ଚାଟ ପଣ ମୋ ଭିତରେ ! କେତେ ବଏଫ୍ରେଣ୍ଡ୍ ଅନେକ ଚେଷ୍ଟା କରି ବି ମୋ ବିବାହ ବନ୍ଧନ ପ୍ରତି ଥିବା ଉଗ୍ର ବିରୁଦ୍ଧ ଘୃଣା ଭାଵ ଦୂର୍ କରି ପାରି ନଥିଲେ। ମୋ ହୃଦୟ ପଥର ଥିଲା। ମା ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ଯେତେ ମୋ ପଥର ହୃଦୟ ପାଖେ ମୁଣ୍ଡ ବାଡେଇଲେ, ବୁଝେଇଲେ କିଛି ଫଳ ହେଉ ନଥିଲା।


କିନ୍ତୁ କି ସମ୍ମୋହନ ଥିଲା ତୁମ ପାଖେ ସେଦିନ ! ଭିଡିଓ କନ୍ଫର୍ମେସନ୍ ରେ ଯେଉଁ ପ୍ରୋତ୍ସାହନ ମୂଳକ ଉଦବୋଧନ ଦେଲ ଓ ମୋତେ ସିଙ୍ଗାପୁର ଯିବା ପାଇଁ ଘୋଷଣା କଲ; ସେଇଦିନୁ ମୋ ଭିତରେ ତୁମେ ରହିଗଲ।ଶହ ଶହ ସଂଖ୍ୟାରେ ମାର୍କେଟିଂ ଅଫିସର୍ ଅଛନ୍ତି ଓଡ଼ିଶାରେ।ସଭିଙ୍କୁ କମ୍ପାନୀ ତରଫରୁ ଦିଆ ଯାଇଥିବା ଟାର୍ଗେଟ ପୂରଣ ଖୁବ୍ କମ୍ ସମୟରେ କରିଦେଇଥିବାରୁ ତୁମେ ଖୁବ୍ ଖୁସି ହୋଇ ସିଙ୍ଗାପୁର ବଛା ବଛା ରେକର୍ଡ କରିଥିବା ବ୍ୟକ୍ତିଙ୍କ ଗହଣରେ ମୋତେ ପରିଚିତ କରିବାର ସୁଯୋଗ ସୃଷ୍ଟି କରିଥିଲ।


ମୋ ସଫଳତାରେ ଏ ପ୍ରଥମ ବିଦେଶ ଗ୍ରସ୍ତ ତୁମ ସହ ଥିଲା। ପ୍ଲେନ୍ ରେ ଉଡ଼ିଲା ବେଳେ ମୋ ଭିତର ଭାଵ ପ୍ରକାଶ କରିବା ପାଇଁ ଶବ୍ଦ କେଉଁଠୁ ଆଣିବି ! ତଳେ ଥିବା ସବୁଜ ପୃଥିବୀ।ପୃଥିବୀ ଉପରେ ନୀଳ ଆକାଶ।ନୀଳ ଆକାଶରେ 'ସୋନା' ନିପଟ ମଫସଲ ଗାଁର ଜଣେ ସିଲେଇ ମେସିନ ବାଲିର ଝିଅ ଉଡୁଥିଲା ଚଢ଼େଇ ହୋଇ।ଓଃ କି ଖୁସିର ଉଡାଣ ! ଚମତ୍କାର ଅନୁଭବ !! 


ତୁମେ ପଦ୍ମ ନାଭନ୍ କମଳ କାନ୍ତ ଥିଲ ମୋର ପ୍ରେରଣାର ଉତ୍ସ।ମୋ ଉନ୍ନତିର ପଥ ପ୍ରଦର୍ଶକ। ସ୍ବପ୍ନର ଉଡାଣ ଭରିବାରେ ତୁମର ଅବଦାନ ଅତୁଳନୀୟ ମୋ ପାଇଁ।ଧନ୍ୟବାଦ ଛୋଟ ଶବ୍ଦ ହେବ ତୁମ ସାହାଯ୍ୟ ସହଯୋଗ ପାଇଁ।ସେଥିନେଇ ଧନ୍ୟବାଦ ନୁହେଁ ବନ୍ଧୁତ୍ୱର ହାତ ବଢ଼େଇଥିଲି ମୋ ଆଡୁ।ତୁମେ ଖୁସି ଖୁସି ଗ୍ରହଣ କରିଥିଲ ମୋ ବନ୍ଧୁତ୍ୱ।


ପାଖା ପାଖି ବସିଥିଲେ ଆମେ। ତୁମେ ପ୍ରଗଳ୍ଭ ହୋଇ ଗପୁଥିଲ କି କଷ୍ଟ କେତେ ବାଧା ଅତିକ୍ରମ କରି ଏଇ ଶୀର୍ଷରେ ପହଞ୍ଚିଛବାର ଅଙ୍ଗେ ଲିଭା କାହାଣୀ।ଆଜି ଅନ୍ତରାଷ୍ଟ୍ରୀୟ ପ୍ରୋଗ୍ରାମର୍ ଭାବେ ଖ୍ୟାତ ତୁମ ନାଁ।ମୁଁ ଶୁଣୁଥିଲି କେବଳ ମନ୍ତ୍ର ମୁଗ୍ଧ ହୋଇ।


ପ୍ଲେନ୍ ଉଡୁଥିଲା। ତା ସହ ମୋ ମନ ବି। କିଛି ଡ୍ରାଏ ଫୁଡ୍ସ ଓ କଫି ନେଲା ପରେ ତୁମେ ଆଖି ବୁଜି ଶୋଇବାର ଉପକ୍ରମ କଲେ।ବେଳେ ବେଳେ ଢଳି ପଡୁଥିଲେ ଏପାଖ ସେପାଖ।ଚାଉଁ କିନା ଉଠି କହୁଥିଲେ ସରି ମିସ୍ ସୋନା।ଏମିତି ଜର୍ନିଂ କଲେ ମୋତେ ନିଦ ଆସିଯାଏ।ଡୋଣ୍ଟ ମାଇଁଣ୍ଡ ପ୍ଲିଜ଼।


ମୁଁ ତ ଉଡାଣ ରେ ମସ୍ତ।ଉଲ୍ଲସିତ ପ୍ରାଣ ମୋର।ଅନ୍ୟ କିଛି ଭାବିବାକୁ ଦେଉ ନଥିଲା।ମୁଁ କହିଲି ଇଟ୍ସ ଓକେ ମିଷ୍ଟର କେ କେ।


ପାଞ୍ଚ ଦିନ ସିଙ୍ଗାପୁର ରହଣି, ମିଟିଂ ଓ ମୋତେ ପ୍ରମୋଟର ଭାବେ ଟ୍ରଫି ମିଳିବା ରେ ତୁମରି ହାତ ଥିଲା ଯଥେଷ୍ଟ। ସିଙ୍ଗାପୁର ଗଳି କନ୍ଦି ବୁଲାଇ ଦେଖେଇଥିଲ ତୁମେ।ବିଶ୍ବାସ ଆସି ଯାଇଥିଲା ତୁମ ଉପରେ ମୋର।ଶେଷ ରାତି ସିଙ୍ଗାପୁର ରହଣିର।ବୋଧେ ଅଧିକ ପେଗ୍ ମାରି ଦେଇଥିଲ ତୁମେ ସେଦିନ ବିଦେଶୀ ବନ୍ଧୁ ଗହଣ ରେ।ଟଳି ଟଳି ଆସି ମୋ ରୁମ ନକ୍ କରି ଥିଲ। ଡୋର ଖୋଲୁ ଖୋଲୁ ପଡି ଯାଇଥିଲ ତଳେ।ଅତି କଷ୍ଟରେ ମୁଁ ତୁମକୁ ବେଡ୍ କୁ ଟେକି ନେଇଥିଲି। ସେଇ ରାତିରେ ମୁଁ ଦେଖିଲି ପ୍ରଚଣ୍ଡ ସ୍ୱାଭିମାନି ବିଚକ୍ଷଣ ବୁଦ୍ଧିମାନ ମଣିଷଟି କେତେ ଅସହାୟ। କଣ ନିଶାରେ ଏଣୁ ତେଣୁ ଗପୁଥିଲ। 


ସେଦିନ ରାତିଟି ମୋର ସୋଫାରେ କଟିଥିଲା । ସକାଳ ଆଠଟାରେ ଆମ ଫାଇଟ୍ ଥିଲା ଫେରିବାର।ମୁଁ ମୋ ପ୍ୟାକିଙ୍ଗ୍ ସାରି ଫ୍ରେସ୍ ହୋଇ ଅପେକ୍ଷା କରିଥିଲି ମିଷ୍ଟର କେ କେ ଙ୍କ ଉଠିବାକୁ।ନିଦ ଭାଙ୍ଗୁ ଭାଙ୍ଗୁ ସାଢ଼େ ସାତ ବାଜି ଗଲା।ଧଡପଡ ହୋଇ ଉଠି ସେ ବିସ୍ମୟ ପ୍ରକଟ କରି କହିଲେ ମିସ୍ ସୋନା ମୁଁ ତୁମ ରୁମ୍ ରେ !!


 କିଛି କହି ନଥିଲି ମୁଁ।କେଜାଣି ନିଜ ଲୋକ ଉପରେ ରାଗ ହେଲା ପରି ମୋ ବ୍ୟବହାର ଥିଲା।ସେ ମୋ ନୀରବତା କୁ ପଢି ନେଇ ମୋ ହାତ ଧରି ପକେଇ କହିଲେ ରିଅଲି ଆମ ଭେରୀ ଭେରୀ ସରି ମିସ୍ ସୋନା।ମୋର ଏତେ ପିଇବାର ନଥିଲା।


ପ୍ରତିକ୍ରିୟା ପ୍ରକାଶ ନ କରି କହିଲି ଆଠଟାରେ ଆମ ଫେରିବା ଫ୍ଲାଇଟ ମିଷ୍ଟର କେକେ।


ତୁମେ ପବନ ବେଗରେ ଯାଇ ନିଜ ପ୍ୟାକ କରି ତଳକୁ ଆସିଲ ଯେଉଁଠାରେ ଟ୍ୟାକ୍ସିରେ ମୁଁ ଅପେକ୍ଷା କରିଥିଲି।


ଯିବା ବେଳର ଉତ୍ସୁକତା ଫେରିଲା ବେଳେ ମୋ ମନରେ ନଥିଲା।ଅପେକ୍ଷାକୃତ ମୁଁ ବେଶୀ ଚୁପ୍ ଥିଲି।ପୁରୁଷ ଙ୍କ ପ୍ରତି ମୋର ଘୃଣା ଭାଵ ଅଧିକ ହେଉଥିଲା ଯେମିତି।


କାରଣ ମୋ ବାପା ମୋ ମାକୁ ତାଙ୍କ ଜୀବନର ଗୋଟେ ଭୁଲ୍ କହି ଭୁଲି ଯାଇଥିଲେ। ମୋ ମାଆ ମୋ ପାଇଁ ସବୁକିଛି।ମା ଜୀବନ କାହାଣୀ ଜାଣିଲା ପରଠାରୁ ମୁଁ ପ୍ରତି ପୁରୁଷଙ୍କୁ ଅବିଶ୍ବାସ,ସନ୍ଦେହ,ଘୃଣା ଚକ୍ଷୁ ରେ ଦେଖୁଥିଲି।ଏଇ ନିଶାରେ ଚୁର୍ ହୋଇ ମୋ ମାଆ ର କୁମାରୀତ୍ବ ନଷ୍ଟ କରିଥିଲେ ମୋ ବାବା। ମା ମନରେ ଦେବୀଙ୍କ ଆଗେ ମିଛ ସିନ୍ଦୁର ଓ ମଙ୍ଗଳ ସୂତ୍ର ପିନ୍ଧାଇ ବିଶ୍ବାସ ଜନ୍ମାଇଁ ଶେଷରେ  ମାଆ ଓ ମୁଁ ଏକ ଭୁଲ୍ କହି ଅସ୍ବୀକାର କରିଥିଲେ।ପୁଣି ଆଜି ନିଶାରେ ଚୁର୍ ଆଉ ଏକ ମଣିଷକୁ ଭେଟିଲି।


ଟ୍ରଫି ,ପ୍ରମୋଟର ହେବା ଖୁସି ନିମିଷେ ମୋର ଉଭେଇ ଯାଇଥିଲା।ମିଷ୍ଟର କେ କେ ବି ଚୁପ୍ ଥିଲେ।ସେ ଅଧା ରାସ୍ତାରୁ କଲକତା ବିମାନ ବନ୍ଦରରେ ଓହ୍ଲାଇ ଗଲେ କାମ ଅଛି କହି ବାଏ କରି। ଗଲାବେଳେ ମିଷ୍ଟର କେ କେ ଖୁବ୍ କରୁଣ ଦିଶୁଥିଲେ।ମୁଁ ବି ବାଏ ବାଏ କଲି।କିଛି ଘଣ୍ଟା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ମୋ କ୍ୱାଟରକୁ ଗଲି।


ଖୁବ୍ ଗୋଟେ ଛଟପଟ ଭାଵ ମୋତେ ଉଦାସ କରିଦେଉଥିଲେ।ଦୁଇ ତିନି କପ କଫି ଫ୍ରେସ୍ ହେଲା ପରେ ନେଲେବି କିଛି ଗୋଟେ ହଜାଇଲା ପରି ଲାଗୁଥିଲା।ଅପରାହ୍ନ ଚାରିଟାରେ କେହି କଲିଂ ବେଲ୍ ମାରିଲେ।ଲଞ୍ଚ୍ କଲା ପରେ ଯାତ୍ରା ଜନିତ କ୍ଳାନ୍ତି ଓ ମାନସିକ ଅବସାଦ ଗ୍ରସ୍ତ କାରଣରୁ ବେଡ୍ ରେ ଏପଟ ସେପଟ ହେଉ ହେଉ କେତେବେଳେ ନିଦ ଲାଗି ଯାଇଥିଲା।କଲିଂ ବେଲ୍ ରେ ନିଦ ଭାଙ୍ଗିଲା।ଅଳସ ହାଇ ମାରି ମୁଁ କଣ ଦେଖିଲି !


ମିଷ୍ଟର କେ କେ !!


କିଛି କହିବା ପୂର୍ବରୁ ମିଷ୍ଟର କେକେ ମୋତେ କୁଣ୍ଢେଇ ପକେଇ ଗଦ୍ ଗଦ୍ ସ୍ୱରରେ କହିଲେ ଆଇ ଲବ୍ ୟୁ ସୋନା।


ଜୀବନରେ ପ୍ରଥମ ଥର ଜଣେ ସୌମ୍ୟ କାନ୍ତ ଯୁବକ ମୋତେ ଭିଡ଼ିଧରିଥିବା ଅନୁଭୂତି ବିଚିତ୍ର ଅନନ୍ୟ ଓ ଅଦ୍ଭୁତ ଲାଗିଲା ।ମିଷ୍ଟର କେକେ ମୋ କେଶ ମୋ ମଥା ସବୁ ଆଡେ ଚୁମି ଯାଉଥିଲେ। ମୁଁ ନିର୍ଜୀବ କଣ୍ଢେଇ ପରି ଏସବୁ ବରଦାସ୍ତ କରୁଥିଲି କି ଉପଭୋଗ କରୁଥିଲି କିଛି ବୁଝି ପାରୁ ନଥିଲି।କିନ୍ତୁ ଭିତରେ ସବୁ ଭାବର ତାର ଗୁଡିକ ଯେମିତି ଝଣ ଝାଣ ଛିଣ୍ଡି ଯାଉଥିଲା। ମୁଁ ନିଜକୁ ମିଷ୍ଟର କେ କେ ଙ୍କ ଠାରୁ ମୁକୁଳାଇ ନେଇ ୱାସ୍ ରୁମ୍ ଭିତରେ ପଶିଗଲି।ଦେହ ଭିତରେ ଏକ ଶିହରଣ।ଦୁଇ ତିନି ଆଞ୍ଜୁଳା ପାଣି ମୁହଁକୁ ଛାଟି ନିଜକୁ  ପ୍ରକୃତିସ୍ଥ କଲି।


ନିଜକୁ ପଚାରିଲି କାହିଁକି ମୋ ଦେହ ସାରା ଏ ବେପଥୁ? କାହିଁକି ଅନ୍ୟ ଦିନ ପରି ଠାଏ କରି କଷିଲି ନାହିଁ ମିଷ୍ଟର କେ କେ ଙ୍କୁ !କାହିଁକି ! କାହିଁକି !! ଉତ୍ତର ଖୋଜୁ ଖୋଜୁ ମୁଁ ମୋ ନିଜ ଅସ୍ତିତ୍ୱ ଭୁଲି ଯାଉଥିଲି।


ଏହା କି ବିପରୀତ ଲିଙ୍ଗର ପରିତୃପ୍ତି !ନାରୀ ପୁରୁଷର ମିଳନର ସ୍ୱାଦ!ଏହାର ନାମ କି ପ୍ରେମ !!କେତେ ଦୃଢ଼ ଥିଲି କିନ୍ତୁ କେ କେ ଙ୍କ ଚୁମା ସ୍ପର୍ଶ ମୋତେ ମୋଡି ମାଡି ଚୁର୍ ଚୁର୍ କରି ଦେଲା।


ତା ପରଠାରୁ ମିଷ୍ଟର କେ କେ ଓ ମୁଁ ଅତି ନିକଟ ହୋଇଗଲୁ। ମୋ ସହ ଲିଭ ଇନ୍ ରିଲେସନ୍ ରେ ରହି ମୋତେ ପ୍ରତିଶ୍ରୁତି ଦେଇ କେ କେ ଫେରିଗଲେ ଆନ୍ଦ୍ର ତାଙ୍କ ଘର ଲୋକଙ୍କ ସହ ଆସି ମୋତେ ବିବାହ କରିବା ପାଇଁ।


ମିଷ୍ଟର କେ କେ ଫେରିଗଲେ ମୋ ହୃଦୟଟି ତାଙ୍କ ସହ ନେଇ।


ତାପରେ ମୋତେ ମୋ ପାଇଁ ଥିବା ଏ ରୁକ୍ଷ ଦୁନିଆଁ, ଅବିଶ୍ବାସୀ ପୁରୁଷ ମାଟି ଗୋଡି ସବୁ ରଙ୍ଗୀନ ସବୁ ପ୍ରେମମୟ ଲାଗିଲେ।ଆଖି ବୁଜିଲେ କେ କେ,ଆଖି ଖୋଲିଲେ କେ କେ।ଲାପଟପ, ଡାଇରୀ,କାନ୍ଥ,ଛାତ, ସହର ଗହଳି ସବୁଠାରେ କେ କେ ହିଁ ଦିଶିଲେ।


ମା କୁ ଜଣାଇଁଲି ମୋତେ ପ୍ରେମ ହୋଇଯିବା କଥା,ମିଷ୍ଟର କେ କେ ଙ୍କ କଥା। ମାଆ ଯେତିକି ଖୁସି ହେଲା ସେତିକି ପ୍ରମାଦ ଗଣିଲା।ପରଦେଶୀ ଉପରେ ଏତେ ଶୀଘ୍ର ବିଶ୍ବାସ ଭଲ ନୁହେଁ ବି ବୁଝାଇଲା।


ମୋର ଅଖଣ୍ଡ ବିଶ୍ବାସ ଥିଲା ମିଷ୍ଟର କେ କେ ଙ୍କ ଉପରେ।ମାଆ କୁ ପ୍ରବୋଧନା ଦେଲି ତୁ ବ୍ୟସ୍ତ ହଅନା ମାଆ।କେ କେ ଜଣେ ମାର୍ଜିତ ଭଦ୍ର ମଣିଷ ମା। ମୋ ବାବା ପରି ଅବିଶ୍ବାସୀ ନୁହଁନ୍ତି। 


ମା କହିଲା, ତୋ ବିଶ୍ବାସ ଠିକ୍ ହେଉ ସୋନା। ତୋ ଘର ସଂସାର କରିବା ମୋ ପାଇଁ ଦୁନିଆଁର ସବୁଠୁ ଆନନ୍ଦର ଖବର। ମାଆ ରେ  ମୋ ଆଶୀର୍ବାଦ ତୋ ଉପରେ ସବୁବେଳେ ଅଛି।


ଏମିତି ଥରକୁ ଥର ଆସନ୍ତି ମୋ ସହ ଖେଳନ୍ତି। ମୋତେ ବି ସେ ଖେଳ ଖୁବ୍ ଭଲ ଲାଗେ। ଚାରି ଥର ଏକା ପ୍ରତିଶ୍ରୁତି ଦେଇ ମିଷ୍ଟର କେ କେ ଯାଆନ୍ତି।କିନ୍ତୁ ନା ତାଙ୍କ ଘର ମଣିଷ ଆସୁଥିଲେ ନା ମୋ ବିବାହ ହେଉଥିଲା। କେବଳ କେ କେ ମୋ ଇମୋସନ ଓ ଦେହକୁ ନେଇ ଖେଳୁଥିଲେ।


ବ୍ୟସ୍ତ ଲାଗୁଥିଲା ମୋତେ ଖୁବ୍ ଅଣ ନିଃଶ୍ବାସୀ ହୋଇ। ମିଷ୍ଟର କେ କେ ଙ୍କୁ ଅବିଶ୍ବାସ କରି ହେଉ ନଥିଲା।କିନ୍ତୁ ବିବାହ କିଛି ବାହାନା କରି ଟାଳିବା ମୋତେ ଶାନ୍ତିରେ ରଖାଇ ଦେଉ ନଥିଲା।ଥରେ ମୋତେ ସରପ୍ରାଇଜ ଦେଇ ମିଷ୍ଟର କେ କେ ଫୋନ୍ କଲେ ହାଲୋ ସୋନା ଡିଅର୍ ମୁଁ ସପରିବାର କାଲି ଫ୍ଲାଇଟ୍ ରେ ଆସୁଛି ତୁମ ପାଖକୁ ତୁମ ସନ୍ଦେହର ଅନ୍ତ ଘଟାଇ।


ସତେ!!


ଓଃ କି ଖୁସି। ମାଆ କୁ ଗାଁରୁ ଫୋନ୍ କରି ଡକାଇଲି।ମିଷ୍ଟର କେ କେ ଆସୁଛନ୍ତି ଯେ।ମୋ ମାଆ ର ପ୍ରଥମ ହକ୍ ସେ ତା ଜ୍ବାଇଁଙ୍କୁ ଦେଖିବ।ବହୁତ ଏକ୍ସାଇଡେ ଥିଲୁ ମିଷ୍ଟର କେ କେଙ୍କୁ ଏରୋ ଡ୍ରମ ଫିଲଡରେ ୱେଲକମ୍ କରିବାକୁ ମାଆ ଓ ମୁଁ।ଫ୍ଲାଇଟିରୁ ଅବତରଣ କରୁଥିଲେ ମିଷ୍ଟର କେ କେ।ମୋ ଅପେକ୍ଷାର, ସ୍ୱପ୍ନର ,ବିଶ୍ବାସର ମିଷ୍ଟର କେ କେ ତାଙ୍କ ସପରିବାର ସହିତ।


ମିଷ୍ଟର କେ କେ ଙ୍କୁ ମୁଁ ହାତ ହଲାଇ ମୋ ଉପସ୍ଥିତି ଜାହିର କଲି।ମିଷ୍ଟର କେ କେ ହାତ ହଲାଇ ମୋ ଅଭିବାଦନର ପ୍ରତ୍ୟୁତ୍ତର ଦେଲେ।ମିଷ୍ଟର କେ କେ ଙ୍କ ସହ ଜଣେ ବୟସ୍କ ପୁରୁଷ ବୋଧେ ତାଙ୍କ ବାବା, ଜଣେ ବୟସ୍କା ମହିଳା ବୋଧେ ତାଙ୍କ ମା, ନିଜେ ମିଷ୍ଟର କେ କେ ,ଅନ୍ୟ ଜଣେ କମ୍ ବୟସର ଅସାମାନ୍ୟା ସୁନ୍ଦରୀ ତରୁଣୀ ଓ ଛଅ ସାତ ବର୍ଷ ବୟସର କ୍ୟୁଟ ଝିଅ ଟିଏ ଥିଲେ।


ଗହଳି ଭିତରୁ ଆମେ ଆସି ଟ୍ୟାକ୍ସି ରେ ବସିବା ପୂର୍ବରୁ ମିଷ୍ଟର କେକେ କହିଲେ ବାଏ ଦ ୱେ ମିଟ୍ ମାଇଁ ଫେମିଲି।ମାଇଁ ପ୍ୟାରେଣ୍ଟସ୍ ମାଇଁ ୱାଇଫ୍ ଟି କେ ପଦ୍ମିନୀ ଆଣ୍ଡ୍ ମାଇଁ କ୍ୟୁଟ ପ୍ରିନ୍ସ ପି ସ୍ୟାଇଜା।


ହ୍ଵାଟ୍ !! ୟୁ ଆର୍ ମ୍ୟାରେଡ୍, ବଟ୍ ହାଓ କୁଡ୍ ୟୁ ଚିଟ୍ ମି !


ରିଲାକ୍ସ ବେବି। ମାଇଁ ଫେମିଲି ହାଜ ନୋ ଅବଜେକ୍ସନ ଟୁ ମ୍ୟାରି ୟୁ।ଆମେ ସପରିବାର ଜଗନ୍ନାଥ ଦର୍ଶନ କରି ଆସିଛୁ।ଭାବିଲି ତୁମ ସହ ଦେଖା କରି ପୁରୀ ଯିବୁ। ତୁମେ ଚାହିଁଲେ ମୋ ଦ୍ଵିତୀୟ ପତ୍ନୀ ହୋଇ ରହିପାର ବିନା ଦ୍ବିଧାରେ ଠୋ ଠୋ ହସି କହୁଥିଲେ ମିଷ୍ଟର କେ କେ।


ମୁଁ ଅପମାନରେ ଗୋଟା ସୁଦ୍ଧା ଥରୁଥିଲି। କେତେ ସହଜରେ ଠକି ଗଲି । ଓ ନୋ ...।ମୋତେ ଚାରିଦିଗ ଅନ୍ଧାର ଦିଶୁଥିଲା। କି ମାରାତ୍ମକ ମଣିଷ ମିଷ୍ଟର କେ କେ ! "ମୁଖା " ପିନ୍ଧା ମଣିଷଟିର ଛଳନା କୁ ବୁଝି ନ ପାରି ଏତେ ବାଟ ଆଗେଇ ଆସିଲି କେମିତି! ନିଜକୁ ଧିକ୍କାର କଲି।ମୋର ସବୁ ଏକ୍ସାଇଟିମେଣ୍ଟ ସମାଧି ନେଲା କ୍ଷଣକେ ମାତ୍ର। ଆଉ କିଛି ଭାବି ପାରିଲି ନାହିଁ।

ତଳେ ପଡି ଯାଉ ଯାଉ ମାଅ ମୋତେ ଧରିନେଲା। ନିଜକୁ ଆବିଷ୍କାର କଲି ଗୋଟେ ନର୍ସିଂ ହୋମ୍ ରେ।ନର୍ସ କହୁଥିଲେ ଏ ସମୟରେ ନିଜର ଅଧିକ ଯତ୍ନ ନିଅନ୍ତୁ ମାମ୍।

ଏ ସମୟ !! ଆଶ୍ଚର୍ଯ୍ୟ ଓ ବିସ୍ମୟ ହୋଇ ପଚାରିଲି।

ମାଆ କାନିରେ ଆଖି ପୋଛୁ ପୋଛୁ  ଉଦାସ କଣ୍ଠରେ କହିଲା ,ଆଉ ଜଣେ ଅଭଗା ସୋନା କି ସୋନୁ ଏ ସଂସାରକୁ ଆସିବ ଆଉ ଆଠ ମାସ ପରେ।





Rate this content
Log in

Similar oriya story from Tragedy