The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Madhumita Mishra

Tragedy

3  

Madhumita Mishra

Tragedy

ମୁଦ୍ରିକା

ମୁଦ୍ରିକା

3 mins
725


...


        ଭୁଲିଯିବା କଣ ଏତେ କଷ୍ଟ..ନା ସତରେ ଏତେ ସହଜ..!!?? ସେଇୟା ହୋଇଥିଲେ କାଉ ବସାରେ ବଡ଼ ହୋଇଥିବା କୋଇଲି କେବେ କଣ ତାକୁ ଭୁଲି ଯାଇଥାନ୍ତା..!!??ଆଉ ଭୁଲିଯିବା ସହଜ ହୋଇଥିଲେ ଏ କଥାକୁ ଏତେ ବର୍ଷ ପରେ ମଧ୍ୟ କୋଇଲି କାହିଁକି ମନ ରଖି କୁଆ ବସାରେ ଅଣ୍ଡା ଦେଇ ଦିଅନ୍ତା..!!??ଏ ତ ଗଲା ପଶୁପକ୍ଷୀ କଥା..ମନୁଷ୍ୟ ମଧ୍ୟ ଏ ଭୁଲାପଣରୁ ବାଦ୍ ଯାଇପାରେନା।ଅତି ପାଖରେ ଥାଇ ନିଜର ବୋଲାଉଥିବା ଆପଣା ମନୁଷ୍ୟମାନେ କେବେଠାରୁ ଆପଣାପଣ ଭୂଲିଯାଇଥାନ୍ତି ତାହା କହିବା ଅସମ୍ଭବ।ଆଉ ଠିକ୍ ସେତିକି ବେଳେ ସୁଦୁୁରେ ଥାଇ ମଧ୍ୟ କେହି କେବେ ମାନସ ପଟରୁ ଆମକୁ ଭୁଲି ପାରି ନ ଥାଏ ତାହା ମଧ୍ୟ ଆମକୁ ଅଗୋଚର ହୋଇଥାଏ ।ତେବେ ଏହି ଭୁଲିଯିବା ବା ମନେ ରଖିବା କଣ ନିଜ ଅଧୀନରେ..!! ଆଉ ଯଦି ନିଜ ହାତରେ ନାହିଁ ତେବେ ଅଛି କାହା ନିକଟରେ..!!??


      ଏପରି ଅନେକ ପ୍ରଶ୍ନବାଣରେ ନିଜକୁ ନିଜେ କ୍ଷତାକ୍ତ କରି ଚାଲିଥିଲା କାନ୍ତା..ମା ବାପାଙ୍କୁ ଦେଖି ନ ଥିଲା।କିନ୍ତୁ ଯେଉଁ ମଉସା ତାକୁ ପାଳି ପୋଷି ଏତେ ବଡ଼ କରିଥିଲେ..!!ନିଜ ଜିଦ୍ ପାଇଁ ତାଙ୍କୁ ଭୁଲି ଆସିଥିଲା ସେ।ଜିଦ୍.ହଁ..ଏହା.ଆଉ ଗୋଟିଏ ଅସମ୍ଭବ ଇଲାକା ଯାହାକୁ ପାର କରିବା ଯେତେ କଷ୍ଟ..ପାର କରି ସାରିଲା ପରେ ପଛକୁ ଚାହିଁବା ଆହୁରି କଷ୍ଟକର..


     ଖୁବ୍ ସୁନ୍ଦର ଚେହରାର ଅଧିକାରୀ ଥିବା ସହ ନୃତ୍ୟ ନିପୁଣା ଥିଲା କାନ୍ତା।ସାଙ୍ଗ ଗହଣରେ ରହି ନିଜକୁ ଏକ ଫିଲ୍ମ୍ ଅଭିନେତ୍ରୀ ଭାବି ଚାଲିଥିଲା।ହିରୋଇନ୍ ହେବା ହିଁ ଜୀବନର ଏକମାତ୍ର ଲକ୍ଷ୍ୟ କରିନେଇଥିବା କାନ୍ତା ନିଜ ମଉସାଙ୍କୁ ଗୋଟିଏ ରାତିରେ ପର କରିଦେଇଥିଲା...ଯେଉଁ କାଳ ରାତ୍ରିରେ ଦୁଷ୍ମନ୍ତ ତାକୁ ମୁମ୍ବାଇ ନେଇଯିବାକୁ ହାତ ବଢ଼ାଇ ଡାକି ଦେଇଥିଲେ..! ମଉସାଙ୍କ ଆକଟ ତାକୁ ପାଦର କଣ୍ଟା ଲାଗିଥିଲା।ଜନ୍ମ ଦେବା ପିତାମାତା ମଧ୍ୟ ଯେଉଁଠି ଏପରି ଜିଦମାନଙ୍କ ଆଗରେ ପର ହୋଇଯାଆନ୍ତି ସେଇଠି ଏ ପାଳିତ ପିତା ବା ରୋକିବାକୁ କିପରି ସକ୍ଷମ ହୁଅନ୍ତେ..!!??ସେଇୟା ହିଁ ହେଲା..ଯାହା ହେବାର ଥିଲା..ଦୁଷ୍ମନ୍ତ ହାତ ଧରି ସ୍ବପ୍ନ ନଗରୀକୁ ଆସିଗଲା କାନ୍ତା..


       କାଷ୍ଟିଂ କାଉଚ୍ କିଛି ନୂତନ ଘଟଣା ନୁହେଁ ..ଅଲ୍ପେ ବହୁତେ ପ୍ରତ୍ୟେକ ନୂତନ ପ୍ରତିଭା ଏହାର ଶିକାର ହୁଅନ୍ତି।କିନ୍ତୁ କାନ୍ତା..ନିଛକ ଭଲ ପାଇ ବସିଥିଲା ଦୁଷ୍ମନ୍ତକୁ..ହିରୋଇନ୍ ହେବା ପରେ ସୁଖର ସଂସାର ଗଢ଼ିବା ସ୍ବପ୍ନ ଦେଖି ତା କଥାରେ ଭାସି ଚାଲିଥିଲା..ବିବାହ ପୂର୍ବ କଳୁଷିତ ସମ୍ପର୍କର କାଳିମା ତାକୁ ମଧ୍ୟ ଗ୍ରାସ କରିଥିଲା..କିନ୍ତୁ ସେ ଏହାକୁ ସମର୍ପଣ ଭାବୁଥିଲା ନିଜ ଭବିଷ୍ୟ ନିକଟରେ..ଦିନ ଗଡି ଚାଲିଥିଲା।ଦୀର୍ଘ ବର୍ଷେ ପରେ ମଧ୍ୟ କୌଣସି ଅଭିନୟ ଭୂମିକା ମିଳି ନ ଥିଲା କାନ୍ତାକୁ..କିନ୍ତୁ..ଦୁଷ୍ମନ୍ତର ପ୍ରରୋଚନାରେ ଏକ ନୂତନ ଚେହେରା ସ୍ଥାନିତ ହୋଇଥିଲା ଦାମୀ ପ୍ରଯୋଜକଙ୍କ ପାଖରେ। କାନ୍ତା ଆଘାତ ପାଇଲା..କିନ୍ତୁ ଦୁଷ୍ମନ୍ତ ତ ତା ଅଭିମାନର ଉତ୍ତର ଦେବା ପାଇଁ ବାଧ୍ୟ ନ ଥିଲା ନା..!!??


       ନୂତନ ଶିକାର ପାଇ ଦୁଷ୍ମନ୍ତମାନେ କାନ୍ତାଠାରୁ ଦୂରେଇ ଯିବା ନିହାତି ସାଧାରଣ ହୋଇଥିଲେ ମଧ୍ୟ କାନ୍ତା ଏହାକୁ ସାଧାରଣ ଭାବି ପାରୁ ନ ଥିଲା।ଏମିତି କାହା ସ୍ବପ୍ନ କାହା ଜୀବନ ନଷ୍ଟ କରିବା କିପରି ସାଧାରଣ ଘଟଣା ହୋଇପାରେ..!!??କେବଳ ଏକ ମୁଦି ପିନ୍ଧାଇ ଦୁଷ୍ମନ୍ତ ନିଜର ଯେଉଁ ସନ୍ତକ ଦେଇଯାଇଥିଲେ ତାକୁ...ତାହା ବି କଣ ସାଧାରଣ ଥିଲା..!!??ନା ସେ ନିଜ ଘରେ ରହି ପାରିଲା ନା ମନ ମୁତାବକ ଜୀବନଶୈଳୀଟିଏ ପାଇ ପାରିଲା..!!??ଏହା ବି କଣ ସାଧାରଣ କଥା..!!??ସେଦିନ ସମସ୍ତଙ୍କ ଆଗରେ କାନ୍ତା ଯେତେବେଳେ ଦୁଷ୍ମନ୍ତଙ୍କ ଦୁଷ୍କୃତ କହିଦେଲା.."ମୁଁ ଏ ଝିଅକୁ ଚିହ୍ନି ନାହିଁ" କହିଦେଇ ଯେପରି ଦୁଷ୍ମନ୍ତ ନିଜ ଗାର୍ଡ ଙ୍କୁ ଡାକି ତାକୁ ତାଙ୍କ ବଙ୍ଗଳାରୁ ବାହାର କରି ଦେଇଥିଲେ ସେକଥା ବି କଣ ସାଧାରଣ ଥିଲା..!!??


       ଛିଃ..ନିଜ ଉପରେ ଘୃଣା ଆସୁଥିଲା କାନ୍ତାକୁ..ଏତେ କଥା ଜାଣିପାରି ମଧ୍ୟ ଏମିତି ଅବିବେକୀ ହେବା କଦାପି ସାଧାରଣ କଥା ନୁହେଁ।କିନ୍ତୁ..କଣ ଯୁଗ ଯୁଗ ଧରି ଦୁଷ୍ମନ୍ତର ମୂଦ୍ରିକା ଧାରଣ କରି ଶକୁନ୍ତଳା ସାଜି କାନ୍ତାମାନେ ଭରତ ମାନଙ୍କୁ ଜନ୍ମ ଦେଇ ଚାଲିଥିବେ..!!??ଆଉ ଏ କଥା କେତେଦୂର ସତ ଯେ ପରାକ୍ରମୀ ଭରତ ନିଜ ଜନ୍ମକୁ ସାର୍ଥକ କରିବ ବା ପୁନଃ ମୁଦ୍ରିକା ଦେଖି ଦୁଷ୍ମନ୍ତ ନିଜ ପୁରୁଣା ଦିନ ସବୁ ମନେ ପକାଇ ଦେବେ ଆଉ ଶକୁନ୍ତଳା କୁ ନିଜର କରିନେବେ..!!??ଜନନୀ ସାଜି ସାରି ଜନ୍ମିତ ପାଇଁ ଜନକ ପରିଚୟ ଭିକ୍ଷା କେତେଦୂର ସମିଚୀନ..!!??


       କାନ ଉପରେ ହାତ ଦେଲା କାନ୍ତା..କିଛି ଭାବି ପାରୁନି..ଆସନ୍ତା କାଲି ବଲିଉଡରେ ଏପରି ଅତ୍ୟାଚାରିତା ପ୍ରପୀଡ଼ିତା ସ୍ବପ୍ନ ଭଙ୍ଗୁର ବିଫଳ ହିରୋଇନ୍ ମାନଙ୍କ ବିଶାଳ ସମାଗମ ହେଉଛି।ନିଜ ଉପରେ ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ସମୂହ ବିଦ୍ରୋହ..ଆଉ ସେଥିପାଇଁ କାନ୍ତାକୁ ମଧ୍ୟ ନାରୀନେତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି।ପେଟ ଉପରେ ହାତ ବୁଲେଇ ଆଣିଲା କାନ୍ତା..ଡାକ୍ତର କହିଛନ୍ତି ବେଶୀ ଅସୁବିଧା ହେବ ନାହିଁ...


       ଅନ୍ଧକାର କ୍ରମଶଃ ବଢ଼ି ଚାଲିଥିଲା..ଆଉ କାନ୍ତା ହାତର ମୁଦ୍ରିକାଟି ନିଜ ଚମକ୍ ଦେଖାଇ ତାକୁ ପରାସ୍ତ କରିବାକୁ ଚେଷ୍ଟା କରୁଥିଲା..ହଠାତ୍ କଣ ଭାବି କାନ୍ତା ହାତରୁ ମୁଦିଟି ବାହାର କରିଦେଲା ଆଉ ଝରକା ଦେଇ ବାହାରକୁ ଫୋପାଡି ଦେଲା...


       ପ୍ରଥମଥର ତାକୁ ଅନ୍ଧାର ଭଲ ଲାଗୁଥିଲା..କାରଣ ଅନ୍ଧକାର ଚିରି ସୂର୍ଯ୍ୟାଲୋକ ଆସିବା ସମୟ ପାଖେଇ ଆସୁଥିଲା..ମୁଦିଟି ଝରକା ତଳ ଘାସ ଉପରେ ପରିତ୍ୟକ୍ତ ଅବସ୍ଥାରେ ସେହିପରି କାହା ଅପେକ୍ଷାରେ ପଡି ରହିଥିଲା..



Rate this content
Log in

Similar oriya story from Tragedy