Sachidananda Kar

Inspirational

4  

Sachidananda Kar

Inspirational

ମତେ ବାସ୍ତରି ଚାଲିଲା

ମତେ ବାସ୍ତରି ଚାଲିଲା

2 mins
212


     ରାସ୍ତାରେ ଯିବା ଆସିବାରେ ସେଇ ଲୋକଟି ମୋ ଆଖିରେ ପଡେ।କେବେ କେବେ ଆପଣଙ୍କ ନଜରରେ ମଧ୍ୟ ଆସିଥିବ। 


     ତା'ର ଗୋଟିଏ ନିଜର ସଂସାର ଅଛି।ସ୍ତ୍ରୀ, ପୁଅ,ଝିଅ,ବୋହୂ, ନାତି,ନାତୁଣୀ ଇତ୍ୟାଦିଙ୍କ ମେଳରେ ଥାଏ ସେ।ସେମାନଙ୍କୁ ଖୁବ୍ ଭଲପାଏ।ସ୍ନେହ, ଆଦର କରେ। 


     ମୁଁ ଦେଖେ।ଆପଣ ବି ତା'ର ସେଇ ସୁନ୍ଦର ସଂସାରଟିକୁ ଓ ସାଂସାରିକ କାର୍ଯ୍ୟ ସବୁକୁ ଦେଖିଥିବେ। 


     ସେ ସଉଦାପତ୍ର କିଣିବାକୁ ବଜାରକୁ ଆସେ।ପରିବା ଦୋକାନ ଆଗରେ ଠିଆ ହୁଏ।ଦର ପଚାରେ।ମୂଲଚାଲ କରେ।ଦର ଛିଣ୍ଡିଲେ ଜିନିଷ କିଣେ,ନହେଲେ ଫେରିଆସେ। 


     ମୁଁ ତାକୁ ଦେଖେ।ଆପଣ ମଧ୍ୟ ତାକୁ ପରିବା ଦୋକାନ ଆଗରେ ମୂଲଚାଲ କରୁଥିବାର ଦେଖିଥିବେ। 


     ଆଗେ ସେ ଘରୁ ବାହାରକୁ ଗଲେ ରିକ୍ସାରେ ଯିବାଆସିବା କରୁଥିଲା।ଏବେ କୁଆଡ଼େ ଗଲେ ଅଟୋରେ ଯିବାଆସିବା କରୁଛି।ହେଲେ ସବୁଥର ସେ ଆଗରୁ ଦର ଛିଡେଇ ଦିଏ।କେବେ କେବେ ପଇସା ଦେଲାବେଳେ ଦୁଇ, ପାଞ୍ଚ କାଟିଦିଏ।ବେଳେବେଳେ ତ ସେ ଅଟୋରୁ ଓହ୍ଲାଇ ଅପେକ୍ଷା କରେ କାଳେ ଅଟୋବାଲା ତାକୁ ଦୁଇ, ପାଞ୍ଚ ଫେରାଇବ। 


     ତା'ର ଏପରି କାର୍ଯ୍ୟ ମୋ ନଜରରେ ପଡିଯାଏ।ଆପଣଙ୍କ ନଜରକୁ ମଧ୍ୟ କେବେ କେମିତି ନିଶ୍ଚୟ ଆସିଥିବ। 


    କାହିଁକି ସେଇ କଥାକୁ ବାରମ୍ବାର କହୁଛ?କିଏ ଶୁଣୁଛି ତୁମ କଥା? - ଗୁରୁଜନ କିମ୍ବା ସମବୟସ୍କଙ୍କୁ ସେ ଏପରି କହେ।କହି ସେମାନଙ୍କ ମୁହଁ ବନ୍ଦ କରିଦିଏ।ତା' ପରେ ସେ ତା' ନିଜର କହିବାର କଥା ଆରମ୍ଭ କରେ।କହିଚାଲେ ଅନର୍ଗଳ। 


     ନୀରବରେ ଠିଆ ହୋଇ ମୁଁ ତା' ଆଡ଼କୁ ଚାହିଁ ରହିଥାଏ ସେତେବେଳେ।ଆଚମ୍ବିତ ହୁଏ।ଆପଣ ବି ତାକୁ ଦେଖିଥିବେ ସେଇ ସମୟରେ।ଦେଖି ଆଚମ୍ବିତ ହୋଇଥିବେ। 


     କାହାକୁ ପ୍ରଶଂସା କରିବା ତା' ଜାତକରେ ନ ଥାଏ।ବରଂ ଜିରାରୁ ଶିରା ବାହାର କରିବା ପରି ସେ ଆଗ ଭୁଲ୍ ବାହାର କରିପକାଏ।ତା' କଥାକୁ ସ୍ବୀକୃତି ନ ମିଳିଲେ ବିରକ୍ତି ହୁଏ।ସବୁବେଳେ ନିଜକୁ ଅନ୍ୟ ଉପରେ ଲଦି ଦେବାକୁ ଚାହେଁ ସେ। 


     ତା'ର ଏତାଦୃଶ କାର୍ଯ୍ୟ ମୁଁ ଦେଖେ।କିଛି କହିବାକୁ ଇଚ୍ଛା କରେ।କହିପାରେନି।ଆପଣ ବି ତା'ର ଏପରି କାର୍ଯ୍ୟ ଦେଖିଥିବେ।କିଛି କହିବାକୁ ଚାହିଁଥିବେ।କହିପାରି ନ ଥିବେ। 


     ବେଶଭୂଷା ପରିପାଟୀ ଉପରେ ତା'ର ବହୁତ ଧ୍ୟାନ।ଏହା ତା'ର ବ୍ୟକ୍ତିତ୍ୱର ବିକାଶ କରେ ବୋଲି ସେ ବୁଝେ।ସବୁବେଳେ ଖୁବ୍ ଚାକଚକ୍ୟରେ ରହିବାକୁ ପସନ୍ଦ କରେ। 


    ଯେହେତୁ ମୁଁ ତାକୁ ଦେଖେ ତା'ର ଏସବୁ ବୁଝିପାରେ।ହେଲେ କୌଣସି ଟିପ୍ପଣୀ ଦିଏନାହିଁ।ଆପଣ ବି ଦେଖିଥିବେ ବୁଝିଥିବେ,କିନ୍ତୁ କୌଣସି ଟିପ୍ପଣୀ ଦେଇପାରି ନ ଥିବେ। 


     ହଠାତ୍ ଏବେ ଦିନେ ଦେଖିଲାବେଳକୁ ଆଉ ସେ ସେପରି ନାହିଁ।ତା' ଭିତରେ ଖୁବ୍ ବଡ଼ ପରିବର୍ତ୍ତନ ଆସିଛି।ବୋଧହୁଏ ସଂସାରକୁ ଅତି ନିକଟରୁ ପଢିପାରିଛି ସେ।ଭିଡ଼ ଭିତରେ ହଜି ଏବେ ସେ ତା'ର ଅସ୍ତିତ୍ୱକୁ ଖୋଜିବା ପରି ଲାଗୁଛି। 


     ଆଉ ଆତ୍ମୀୟସ୍ୱଜନଙ୍କୁ ନୁହେଁ, ଏବେ ସେ ତା' ନିଜକୁ ଗଭୀର ଭାବରେ ଭଲପାଇବାକୁ ଆରମ୍ଭ କରିଛି।ପରିବା ଦୋକାନରେ ମୂଲଚାଲ କରୁନାହିଁ।ଅଟୋବାଲା ସାଙ୍ଗରେ ଦର ବି କଷୁନାହିଁ।ଗୁରୁଜନ,ସମବୟସ୍କଙ୍କୁ ସମ୍ମାନ ଦେଉଛି।ଅନ୍ୟର ଭୁଲ୍ ନ ଖୋଜି ପ୍ରଶଂସା କରୁଛି।ବୁଝୁଛି ବେଶଭୂଷା ପରିପାଟୀ ନୁହେଁ, ବ୍ୟକ୍ତିତ୍ବ ହିଁ ଅସଲ ମାପକାଠି।ଅହଂକାରକୁ ଦୂରକୁ ଫୋପାଡ଼ି ଦେଇଛି।ବେଶ୍ ନମ୍ର ଲାଗୁଛି ଏବେ ସେ। 


     ପଚାରିଲେ କହୁଛି - ଏଇ ବାଇଶିରୁ ମତେ ପରା ବାସ୍ତରି ଚାଲିଲା।ଆଉ ସେ ମୋହରୁ କ'ଣ ମିଳିବ ଯେ!ହସଖୁସିରେ ବାକି ଦିନ ସବୁ କାଟିଦେଲେ ଗଲା।ଆଜି ମଲେ କାଲିକି ପରା ଦି'ଦିନ। 


     ଯଦି ଆପଣ ଏବେ ତାକୁ ଦେଖୁଥାନ୍ତି,ଥରେ ପଚାରି ବୁଝିନିଅନ୍ତୁ ନା!ନିଶ୍ଚୟ ଏୟା ହିଁ ସେ ତା'ର ଉତ୍ତରରେ ଆପଣଙ୍କୁ କହିବ।



Rate this content
Log in

Similar oriya story from Inspirational