STORYMIRROR

Himalini Hota

Tragedy Inspirational

3  

Himalini Hota

Tragedy Inspirational

ମୃତ୍ୟୁର ନିକଟେ

ମୃତ୍ୟୁର ନିକଟେ

6 mins
175

ଆଗରେ ବଙ୍ଗୋପସାଗର ର ବିସ୍ତୃତ ନୀଳାଭ ଜଳ ରାଶି ,ପାଣି ଭିତରେ ରାଘବ।ପ୍ରତିଯୋଗିତା ମନୋଭାବ ନେଇ ସମୁଦ୍ର ଭିତରକୁ ଆଗ୍ରହ ର ସହ ପଶିଗଲେ ସିନା ଯୁବସୁଲଭ ଉଦ୍ଦାମତା ରେ ,ଆଉ ଥଳ କୂଳ ପାଉନାହାନ୍ତି।ପହଁରି ପହଁରି ହାଲିଆ ବି ହୋଇଗଲେଣି ।ସାଙ୍ଗରେ ଯାଇଥିବା ସାଙ୍ଗ ବସନ୍ତ ଆଉରି ଆଗକୁ ଆଗକୁ ପହଁରି ପହଁରି ଆଗେଇଗଲେଣି ।ରାଘବ ଙ୍କର ଆଉ ସାହସ ନାହିଁ ଆଗକୁ ଯିବା ପାଇଁ, କି , କୂଳକୁ ଲେଉଟିବା ପାଇଁ।

ଟିକେ ଚାଲନ୍ତୁ ପଛକୁ ଯିବା କାହାଣୀ ର ନାୟକ ରାଘବ ଙ୍କର ବିଷୟରେ ଜାଣିବା ପାଇଁ--

ରାଘବ - ଯୁକ୍ତ ଦୁଇ କଳା ର ଦ୍ୱିତୀୟ ବର୍ଷ ର ଛାତ୍ର।ବାପା ,ମା ଙ୍କର ଜ୍ୟେଷ୍ଠ ପୁତ୍ର । ଗାଁ ରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ ବିଶ୍ୱ ବିଦ୍ୟାଳୟ ରେ ଅଧ୍ୟୟନ ରତ ।ସାଙ୍ଗ ବସନ୍ତ ବି ତାଙ୍କ ନିଜ ଗ୍ରାମର।ଗାଁ ଠାରୁ ସହର ବ୍ରହ୍ମପୁର ବହୁତ ଦୂର।ତେଣୁ ବାପା ଆଣି ହଷ୍ଟେଲ ରେ ରଖି ପଢେଇବାରେ ଵ୍ୟଵସ୍ଥା କରି ଛାଡ଼ିଦେଇ ଚାଲିଯାଇଥାନ୍ତି।

ପିଲାବେଳଠାରୁ ଆଜିଯାଏଁ ଏକାଠି ଖେଳି ବୁଲି କଟେଇଥିଲେ ଉଭୟେ ସାଙ୍ଗ। ନୂଆ ନୂଆ କଲେଜ କୁ ହଷ୍ଟେଲ ,ଏକା ଏକା ନିଜ ଇଛା ରେ ବଞ୍ଚିବାର ମଜା , ନା ଥାଏ ବାପା ଙ୍କର ତାଗିଦ ,ନା ଥାଏ ବୋଉର ସ୍ନେହ ଭରା ଆକଟ ।। ସେ ସୁଯୋଗ କୁ କିଏ କଣ ହାତଛଡା କରେ। ଦୁଃଖ ସୁଖ ମଧ୍ୟରେ ରେ କଟିଯାଉଥିଲା ହଷ୍ଟେଲ ଜୀବନ ର ପଢା ପଢି ସମୟ ର ଅବଧି ।କିନ୍ତୁ କିଛି ଦିନ ଗଲା ଉତାରୁ ସେମାନଙ୍କ ନାମ ଆଗରେ ଯୋଡି ହୋଇ ଯାଇଥିଲା କେତେକ ଉପାଧି' ସହ ପାଠୀ ମାନଙ୍କ ଦ୍ୱାରା ---- ଯଥା କ୍ରମେ ଗ୍ରନ୍ଥକୀଟ,ମଫୁ ,ଗାଉଁଲି।"ସଳେ ଗାଉଁଲି ଆସିଛନ୍ତି ଆମ ସାଙ୍ଗରେ ଟକ୍ ର ପାଇଁ "।ସହପାଠୀ ମାନଙ୍କର ଏହି ଆକ୍ଷେପ ବ୍ୟତିବ୍ୟସ୍ତ କରିପକାଉଥାଏ ଉଭୟଙ୍କୁ।ଯେହେତୁ ପଢିବା ପାଇଁ ଆସିଛନ୍ତି ସେ ପୁଣି ଗାଁ ଏରିଆ ରୁ ତେଣୁ ସହିବାକୁ ତ ପଡିବ, ସେ ହିସାବରେ ସହପାଠୀ ମାନଙ୍କ କଥାରେ ବିଶେଷ ଧ୍ୟାନ ନ ଦେଇ ପଢାପଢି ଚଳେଇଥାନ୍ତି ଉଭୟ ସାଙ୍ଗ ରାଘବ ଓ ବସନ୍ତ ।

ଦିନକର କଥା ସେଦିନ ଥାଏ ରବିବାର---ହଷ୍ଟେଲ ରେ ପ୍ରତି ରବିବାର ଦିନ ପିଲା ମାନଙ୍କୁ ବାହାରକୁ ବାହାରିବାର ଅନୁମତି ଥାଏ ।ବୁଲିବାକୁ ନୁହେଁ ,କିଛି ଆବଶ୍ୟକ ଜିନିଷ କିଣାକିଣି ପାଇଁ ମାର୍କେଟ କୁ ଯିବା ପାଇଁ । ସେ ସୁଯୋଗ ରେ, ସହପାଠୀ ମାନଙ୍କ ମଧ୍ୟରୁ କେତେଜଣ ସାଙ୍ଗ ଗୋପାଳପୁର ସlଙ୍ଗ ହୋଇ ବୁଲି ଯିବା ପାଇଁ ପ୍ରସ୍ତାବ ଦେଇଥିଲେ ଉଭୟ ରାଘବ ଓ ବସନ୍ତ ଙ୍କୁ । ଗାଉଁଲି ପିଲା ପୁଣି ପୂର୍ବରୁ କେବେ ସମୁଦ୍ର ଦେଖିନଥିବାରୁ ଏ ଦୁଇଜଣ ବି ଖୁସୀ ଖୁସୀ ରାଜି ହୋଇଯାଇଥିଲେ ସହପାଠୀ ମାନଙ୍କ ର ପ୍ରସ୍ତାବ ରେ।କିନ୍ତୁ ସହପାଠୀ ମାନଙ୍କର ଉଦ୍ଦେଶ୍ୟ ଥିଲା ଅଲଗା । ଏମାନଙ୍କୁ ସମୁଦ୍ର କୁ ଡାକି ନେଇ ହଷ୍ଟେଲ ସୁପରି ଟେଣ୍ଡେଣ୍ଟ ଙ୍କ ଠାରୁ ଗାଳି ଶୁଣେଇବା ଥିଲା ସେମାନଙ୍କ ଅସଲ ଉଦ୍ଦେଶ୍ୟ। ସେମାନଙ୍କ ର ଚାଲ ସମ୍ବନ୍ଧରେ ଅବଗତ ନଥାନ୍ତି ଦୁଇ ସାଙ୍ଗ।

ସମୁଦ୍ର ରେ ପହଁଚିବା ପରେ ରାଘବ ଙ୍କୁ ବହୁତ ଖୁସୀ ଲାଗୁଥାଏ ।କାରଣ ପାଣି ପ୍ରତି ତାଙ୍କର ଅହେତୁକ ଦୁର୍ବଳତା।ପାଣି କୁ ଦେଖିଲେ ସେ କୁଆଡେ ନିଜକୁ ଆୟତ୍ତରେ ରଖି ପାରନ୍ତି ନାହିଁ।ଗାଁ ରେ ଥିବା ବେଳେ ପୋଖରୀ ,କୂଅ ଭିତରେ ଡେଇଁ ବୁଡି ପହଁରିବାକୁ ସେ ବହୁତ ଭଲପାଉଥିଲେ ।ପୋଖରୀ ପହଁରା ରେ ସେ ଥିଲେ ଓସ୍ତାଦ ।ଚିତ ପହଁରା ,ବୁଡା ପହଁରା ଆଉ ଯେତେ ଯେତେ ପହଁରା ଅଛି ସବୁଥିରେ ସେ ପାରଙ୍ଗମ ଥିଲେ।ପୁଣି ବସନ୍ତ ଆଉ ସେ ଯଦି ମିଶିଯାଆନ୍ତି ପୋଖରୀ ଟା କୁ ପୁରା ଘାଣ୍ଟି ପକାନ୍ତି ।ମାଛ ତ ମାଛ ଗେଣ୍ଡା କି କୋଚିଆ ବି ସେ ଦୁଇଜଣ ଙ୍କ ଠାରୁ ରକ୍ଷା ପାନ୍ତି ନାହିଁ। ତେଣୁ ଆଗରେ ଏତେବଡ଼ ସମୁଦ୍ର ଦେଖି ରାଘବ ଙ୍କୁ ସମୁଦ୍ର ଭିତରକୁ ଯାଇ ପହଁରିବାର ତୀବ୍ର ଇଛା ଜାଗ୍ରତ ହେଇଥିଲା। ସେହି ସମୟରେ ଅନ୍ୟ ସହ ପାଠୀ ମlନେ କହିଥିଲେ ଗାଉଁଲି ମଫୁ ତୁମେ କୁଆଡେ ପାରିବ ଏଇଟା ତମ ଗାଁ ପୋଖରୀ ନୁହଁ ମ ସମୁଦ୍ର ।ଏ କଥା ରାଘବ ଙ୍କ କୋମଲମତି ମନକୁ ବହୁତ ଆଘାତ ଦେଇଥିଲା।ଆଉ କୌଣସି କଥା ହୋଇଥିଲେ ଅଲଗା କିନ୍ତୁପହଁରା କୁ ନେଇ ତାଙ୍କୁ କିଏ ଆକ୍ଷେପ କରୁ ଏ କଥା ତାଙ୍କ ସହିବାର ସମର୍ଥ ବାହାରେ ଥିଲା।ତାଙ୍କର ଏ ମନୋଭାବ କୁ ଲକ୍ଷ୍ୟ କରି ଅନ୍ୟ ଦୁଇଟା ସହ ପାଠୀ କହିଥିଲେ ଯଦି ତମେ ଦୁଇଜଣ ସମୁଦ୍ର ର ଉଚ୍ଛଳ ତରଙ୍ଗ ଡେଇଁ ସ୍ଥିର ପାଣି ପର୍ଯ୍ୟନ୍ତ ପହଁରି ଯାଇପାରିବ ତେବେ ଆମେ ତୁମ ଦୁଇ ଜଣ ଙ୍କୁ ଆମ ଗୋଷ୍ଠୀ ରେ ରଖିବୁ ।ଆଉ ପୁରସ୍କାର ଦୁଇ ଶହ ଟଙ୍କା ବି ଦେବୁ । ଯେଉଁ ସମୟର କଥା କହୁଛି ସେ ସମୟରେ ଗୋଟିଏ ଶିକ୍ଷକ ଙ୍କର ମାସିକ  ଦରମା ସେତିକି ଥିଲା।ଏହି କଥା ଶୁଣି ରାଘବ ସଙ୍ଗେ ସାଙ୍ଗେ ବହାରିପଡିଥିଲେ ସମୁଦ୍ର ଭିତରକୁ ପହଁରିବା ପାଇଁ।ରାଘବ ପାଣି ଭିତରକୁ ଯିବା ର ଦେଖି ବସନ୍ତ ବି ବାହାରି ପଡିଲେ ।କଥା ହେଲା ଯିଏ ସମୁଦ୍ର ପାଣି ଭିତରେ ବହୁତ ଆଗକୁ ପହଁରି ଯାଇ ପାରିବ ତାକୁ ଦୁଇଶହ ଟଙ୍କା ପୁରସ୍କାର ମିଳିବ।କୋଉଠୁ ଖୋଜି ଖୋଜି ଖଣ୍ଡିଏ କାଠ ପଟା ଦିଆଯାଇଥିଲା ଉଭୟଙ୍କୁ ।

କାଠ ପଟା ଟିକୁ ଆଗକୁ ଫିଙ୍ଗି ଫିଙ୍ଗି ପହଁରି ବା ଆରମ୍ଭ କଲେ ଦୁଇ ସାଙ୍ଗ ।ଯିଏ ପ୍ରଥମେ କାଠ ପଟା ପାଖରେ ପହଞ୍ଚିଵ ।ସେ କାଠ ପଟା ଟିକୁ ଆଉରି ଆଗକୁ ଫିଙ୍ଗିବ।ଏପରି ଫିଙ୍ଗି ଫିଙ୍ଗି ଦୁଇ ସାଙ୍ଗ ସମୁଦ୍ର ଭିତରେ ଆଗକୁ ବଢିଲେ।ବସନ୍ତ ପ୍ରାୟ କୋଡିଏ ହାତ ଆଗରେ ଥାନ୍ତି।ସେ ଟିକିଏ ପତଳା ଥିଲେ ତେଣୁ ଶୀଘ୍ର ଶୀଘ୍ର ପହଁରି ପହଁରି ଆଗକୁ ଚାଲି ଯାଉଥିଲେ ।ରାଘବ ବେଶୀ ମୋଟା ନ ଥିଲେ ବି ପତଳା ନଥିଲେ ।ତେଣୁ ବିଶାଳ ସମୁଦ୍ର ଭିତରେ ପହଁରିବା ଟିକେ କଷ୍ଟ ହେଉଥାଏ ତାଙ୍କୁ।ତଥାପି ବି ସେ ଚାଲିଥାନ୍ତି ବସନ୍ତ ଙ୍କ ପଛରେ।

ଏମିତି ଯାଉ ଯାଉ ସମୁଦ୍ର ଭିତରେ ପହଁରି ପହଁରି ବହୁତ ଆଗକୁ ଚାଲିଗଲେ ଉଭୟେ। ପଛକୁ ଦେଖିଲା ବେଳକୁ ଆଉ କୂଳ ଦେଖାଯାଉନଥାଏ। ପହଁରି ପହଁରି ହାଲିଆ ହୋଇ ଯାଇଥିଲେ ରାଘବ।ଆଉ ଆଗକୁ ଯିବାର ଶକ୍ତି ନଥାଏ। ହାତ ହଲେଇ ବସନ୍ତ ଙ୍କୁ ଇସାରା କଲେ ରାଘବ, ଆଉ ଆଗକୁ ନ ଯାଇ ସେଠାରୁ ପଛକୁ ଫେରି ଯିବା ପାଇଁ।ହେଲେ ତାଙ୍କର ଆଉ ବଳ ନ ଥାଏ ।କିଛି ସମୟ ବିଶ୍ରାମ ନେବା ପାଇଁ ସେ ନୀଳଭ ଜଳରାଶି ଭିତରେ । ଚିତ ପହଁରା ଶୈଳୀ ରେ ଶୋଇରହି ବସନ୍ତ ଙ୍କ ପ୍ରତ୍ୟାବର୍ତ୍ତନ କୁ ଅପେକ୍ଷା କରିଥାନ୍ତି।ଏପରି କିଛି ସମୟ ଅତିବାହିତ ହୋଇଗଲା।ହଟାତ ରାଘବ ଦେଖିଲେ ତାଙ୍କ ଠାରୁ କିଛି ହାତ ଦୂରରେ ଏକ ବଡ଼ ମାଛ (ବିରାଟ କାୟ ନ ହେଲେ ବି ବଡ଼ ଆକାର ର)ହଟାତ ଉପରକୁ ଉଠି କଣ ଗୋଟିଏ ପାଟିରେ ଧରି ପାଣି ଭିତରକୁ ପଶିଗଲା।ମାଛ କୁ ଦେଖି ରାଘବ ଙ୍କର ପିଳେହି ପାଣି।ତାଙ୍କ ଆଖି ଆଗରେ ନାଚି ଉଠିଲା -- ତାଙ୍କ ନିଜ ଜମିରେ ଥିବା ପଥର କୂଅ ରେ ,ସଉକ ରେ ଛାଡି ଥିବା ମାଛ ମାନଙ୍କର କୂଅ ଭିତରକୁ ଲାଂମ୍ଫ ପ୍ରଦାନ କରିଥିବା ମଣ୍ଡୁକ କୁ ସମୁହ ଛିଣ୍ଡେଇ କାମୁଡି ଭୋଜନ କରିବାର ଦୃଶ୍ୟ।ବିଶାଳ ସମୁଦ୍ର ର ନୀଳଭ ଜଳ ରାଶି ଭିତରେ ସେ ଥିଲେ ମାଛ ମାନଙ୍କ ପାଇଁ କ୍ଷଦ୍ର ମଣ୍ଡୁକ ସଦୃଶ୍ୟ।ମଣ୍ଡୁକ ସହ ନିଜକୁ ତୁଳନା କରିବା ମାତ୍ରେ ସେ ଅତି ମାତ୍ରା ରେ ଭୟଭୀତ ହୋଇ ପଡ଼ିଥିଲେ ।କାରଣ ଆଉ କିଛି ସମୟ ଯଦି ସେଠାରେ ରହିବେ ମାଛ ମାନଙ୍କର ଜଳଖିଆ ହୋଇଯିବେ ।ମାଛ ମନେ ଦଲବଦ୍ଧ ଭାବରେ ବୁଲୁଥାନ୍ତି ବୋଲି ସେ ଶୁଣିଥିଲେ ପୂର୍ବରୁ।ତେଣୁ ଆଉ କାଳ ବିଳମ୍ବ ନ କରି ପ୍ରାଣ ବିକଳରେ କୂଳ ଆଡ଼କୁ କ୍ଷିପ୍ର ବେଗରେ ମୁହଁlଇଥିଲେ ରାଘବ।ଲହଡ଼ା ପାଖା ପାଖି ପହଞ୍ଚି ଯିବା ପରେ ଏକ ବିରାଟ କାୟ ତରଙ୍ଗ ଆସି ତାଙ୍କୁ ବେଳାଭୂମି ରେ ପିଟି ଦେଇ ଚାଲିଗଲା।ଏକ ଭୟଙ୍କର ବିପଦ ରୁ ରକ୍ଷା ପାଇଯାଇଛନ୍ତି ଭାବି ,ତରଙ୍ଗ କୂଳ ରେ ଫିଙ୍ଗିବା ମାତ୍ରେ ନ ଉଠି ଶାନ୍ତି ରେ ନିଶ୍ୱାସ ମାରି ଶୋଇ ରହିଲେ ରାଘବ ।ଏଇ ଶୋଇ ରହିବା ହିଁ ତାଙ୍କ ପାଇଁ କାଳ ହୋଇ ଆଉ ଏକ ବିପଦ କୁ ଟାଣି ଆଣିଥିଲା। ଦୁର୍ଭାଗ୍ୟ କୁ ଆଉ ଏକ ଶକ୍ତି ଶାଳୀ ତରଙ୍ଗ ର ସ୍ରୋତ ତାଙ୍କୁ ପୁଣି ଥରେ ଟାଣି ନେଇଯାଇଥିଲା ପାଣି ର ଅତି ଭିତରକୁ ,ଯାହା ପାଇଁ ସେ ପ୍ରସ୍ତୁତ ନଥିଲେ ପ୍ରାଣ ବିକଳରେ ଜାବୁଡି ଧରିଲେ ବାଲୁକା ରାଶି କୁ କିନ୍ତୁ ଘୋସଡ଼ି ହୋଇ ହୋଇ ଚାଲୁଥାନ୍ତି ଭିତରକୁ ଭିତରକୁ।ପୂର୍ଣ୍ଣିମା ପାଖା ପାଖି ଦିନ ଥିଲା କି କଣ କରେଣ୍ଟ ଭିତରେ ଫସି ଯାଇଥିଲେ ବୋଧେ ସେ।ବାଲୁକା ରାଶିରେ ଘଷି ହୋଇ ଯିବା ଦ୍ୱାରା କପାଳ ,ଛାତି ,ପାଦ ର ଆଙ୍ଗୁଠି ଭୟଙ୍କର ଭାବେ ଖଣ୍ଡିଆ ହୋଇଯିବାରୁ ଲୁଣି ପାଣି ବାଜି ଜ୍ବଳନ ସୃଷ୍ଟି ହେବାର ସେ ଅନୁଭବ କରୁଥାନ୍ତି ମାତ୍ର ଉଠିପାରୁନଥାନ୍ତି ଉପରକୁ।କିଏ ଯେପରି ସମସ୍ତ ବଳ ପ୍ରୟୋଗ କରି ତାଙ୍କୁ ପାଣି ଭିତରେ ଜାବୁଡି ଧରି ରଖିଥାଏ। ସେତେବେଳେକୁ ସବୁ ଦେବୀ ଦେବତା ତାଙ୍କ ମସ୍ତିଷ୍କ ଭିତରେ ଆସିଯାଇଥାନ୍ତି ।ମନ ଭିତରେ ଗୋଟିଏ ଡାକ ଥାଏ -- ହେ ଜଳସାୟୀ ଶ୍ରୀ ବିଷ୍ଣୁ ରକ୍ଷା କର।ଆଉ ନିଶ୍ୱାସ ବନ୍ଦ କରି ରହିବାର ବଳ ନାହିଁ ମୋର !!!!ଜୀବନ ର ସବୁ ଆଶା ଛାଡିଲା ପରେ ଯେତେବେଳେ ଅଚେତ ହୋଇପଡିଲା ପରି ଅନୁଭବ କଲେ ରାଘବ , ହଟାତ ତାଙ୍କୁ ଅନୁଭବ ହେଲା କିଛି ଗୋଟିଏ ଅଦୃଶ୍ୟ ଶକ୍ତି ତାଙ୍କୁ ବହୁତ ଜୋରରେ ଉପରକୁ ଉଠାଉଛି ।କେତେ ସମୟ ବିତିଗଲା ଜଣା ନାହିଁ ।ଆଖି ଉପରେ ଯେତେବେଳେ ସୂର୍ଯ୍ୟ ଙ୍କର ଉଜ୍ଜ୍ୱଳ ଆଲୋକ ପଡିଲା ସେତେବେଳେ ତାଙ୍କର ତନ୍ଦ୍ରା ଭାଙ୍ଗିଲା।ଆଉ ସେ ନିଜ କୁ ଆବିଷ୍କାର କଲେ ସମୁଦ୍ର ର ଗଭୀରତମ  ପ୍ରଦେଶରେ।ଟିକେ ଆଗକୁ ଜହାଜ ଦେଖା ଯାଉଥାଏ।ପୁଣି ଥରେ ଚିନ୍ତା ରେ ପଡିଯାଇଥିଲେ ରାଘବ କେମିତି କୂଳ କୁ ଲେଉଟିବେ ବୋଲି।ପ୍ରାୟ ଘଣ୍ଟାଏ ପାଖା ପାଖି ବିଶ୍ରାମ ନେବା ପରେ ଯେତେବେଳେ ସେ ସାଷ୍ଟମ ଅନୁଭବ କଲେ ସମୁଦ୍ର ଭିତରେ ,ସେ ପୁନଃ କୂଳ ଆଡ଼କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ଏ ଥର କିନ୍ତୁ ଲହଡି, ବେଳାଭୂମି ରେ ତାଙ୍କୁ ଫିଙ୍ଗିବା ମାତ୍ରକେ ସବୁ ଶକ୍ତି ସଞ୍ଚୟ କରି ଉଠି ପଡ଼ିଥିଲେ ସିଏ ।ସାଙ୍ଗ ମାନେ ତ ରାଘବ ମରିଯାଇଥିଲେ ବୋଲି ଖବର ଦେଇସାରିଥିଲେ ସମୁଦ୍ର କୂଳ ଥାନା ରେ ।ରାଘବ ଙ୍କୁ ଯେତେବେଳେ ଜୀବିତ ପାଇଲେ ଖୁସୀ ରେ ଆଉ କାହା ଗୋଡ଼ ତଳେ ଲାଗୁ ନ ଥାଏ। ଆଲିଙ୍ଗନ କରିଥିଲେ ସମସ୍ତେ ରାଘବ ଙ୍କୁ ଆଉ କାନ୍ଦି ବି ପକେଇଥିଲେ ଜାବୁଡି ଧରି ।ପୋଲିସ ସହାୟତା ରେ ସମସ୍ତେ ମିଶି ପ୍ରାୟ ମୁହଁ ମୁହଁ ସଞ୍ଜ ବେଳକୁ ହଷ୍ଟେଲ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ସେ ଦିନ ପ୍ରତିଯୋଗିତାରେ ରାଘବ ହାରିଥିଲେ ମଧ୍ୟ ସହପାଠୀ ମନେ ତାଙ୍କୁ ଦୁଇଶହ ଟଙ୍କା ଦେଇଥିଲେ ।କିନ୍ତୁ ଯେହେତୁ ତାଙ୍କୁ ଏତେବଡ଼ ମୁଲ୍ୟ ଦେବାକୁ ପଡିଥିଲା ସେ ସେହି ଦୁଇଶହ ଟଙ୍କା ଗ୍ରହଣ କରିନଥିଲେ ।ସେହିଦିନ ଠାରୁ ସମସ୍ତେ ରାଘବ ଆଉ ବସନ୍ତ ଙ୍କୁ ଗାଉଁଲୀ ,ମଫୁ ନ କହି ସାଙ୍ଗ ହୋଇଥିଲେ।

ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିବାରୁ, ହଷ୍ଟେଲ ରେ ମଧ୍ୟ ସେ ଦିନ ପର ଠାରୁ ଆଉ ବାହାରକୁ ଯିବାକୁ କାହାରିକୁ ଅନୁମତି ମିଳିନଥିଲା।



Rate this content
Log in

Similar oriya story from Tragedy