ମୃତ୍ୟୁ ଗଳିରେ ଜୀବନ
ମୃତ୍ୟୁ ଗଳିରେ ଜୀବନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଭୀମା କବିରାଜ ପାଖକୁ ଯାଇଥିଲୁ ??
ନା ଯାଇନି
ଆଜି ଚାଲେ ମୋ ସହ
ନା ମୁଁ ଯିବିନି ସେ କବିରାଜ କଥାରେ ମୁଁ ପାଞ୍ଚଟା ଛୁଆ ନଷ୍ଟ କରି ସାରିଲିଣି। ଆଉ ନୁହେଁ । ଏ ଥର ଯାହା ହେବ ସେ ଉପରବାଲା ର ଇଚ୍ଛାରେ ହେବ।
ରାଗିକି ହାତରେ ଧରିଥିବା ନାଲି ଚା ଗ୍ଲାସଟାକୁ ଛାଟିଦେଲା ସପନା ଚମ୍ପା କୁ ଲକ୍ଷ୍ୟ କରି। କାଚଗ୍ଲାସଟି ଚଟାଣରେ ପଡି ଚୁରମାର ହୋଇଗଲା। ନାଲି ଚା ଯାକ ଛିଟିକି ପଡିଲା ସବୁ କାନ୍ଥଯାକ। ଚଟାଣରେ ବସି ଖେଳୁଥିବା ସପନାର ଦୁଇଟି ଯାକ ଝିଅ ସାଙ୍କୁଡ଼ି ହୋଇଗଲେ ଭୟରେ। ଚମ୍ପା ସମୂର୍ଣ୍ଣ ରୂପେ ନିର୍ବାକ।
ଚମ୍ପାକୁ ଏକରକମ ଘୋଷାଡି ଘୋଷାଡି ନେଇଗଲା ସପନା ଭୀମା କବିରାଜ ପାଖକୁ। ଭୀମା କବିରାଜ ଚମ୍ପାର ହାତ ନାଡିକୁ କିଛି ସମୟ ନିଜ ହାତରେ ଚାପି ଧରି ପରୀକ୍ଷା କଲା। ତା ପରେ ଦୁଇ ଆଖିକୁ ହାତରେ ମେଲେଇ ନିରୀକ୍ଷଣ କଲା।
ସପନା ଏଥର ବି ତୋ ଭାଗ୍ୟରେ ଝିଅଟିଏ ଲେଖା ହୋଇଛିରେ। ଚାରିମାସର ହୋଇଗଲାଣି ପିଲାଟା ପେଟରେ।
ଚାରି ମାସର ମୁଁ ତ ଏଇ କିଛି ଦିନ ହେବ ଜାଣିଲି ଆଜ୍ଞା। ଚମ୍ପା ମୋତେ ଲୁଚେଇଥିଲା ଏ କଥା। କିଛି ବ୍ୟବସ୍ଥା କରନ୍ତୁ କବିରାଜେ। ଖଟିଖିଆ ଲୋକ ମୁଁ। ଏମିତିରେ ତ ଆଗରୁ ଯୋଡିଏ ଝିଅ ଅଛନ୍ତି । ପୁଣି ଆହୁରି ଗୋଟାଏ
ଠିକ ଅଛି , ସଞ୍ଜବୁଡ଼କୁ ଆସେ। ମୁଁ ଚେରମୂଳି ବାଟିକି ପାନେ ଔଷଧ ତିଆରି କରି ରଖିଥିବି। ଔଷଧ ନେଇ ଚମ୍ପାକୁ ରାତିରେ ଶୋଇବା ଆଗରୁ ଗରମ ପାଣି ସହ ଖାଇବାକୁ ଦେଇଦେବୁ। ଦେଖିବୁ ସକାଳକୁ ସବୁ ସଫା...। ଆଉ ହଁ.... ମୋ ପାଉଣା ତିନି ଶ' ଟଙ୍କା ଆଣିଥିବୁ।
ତିନି ଶହ
ହଁ... ଏଇଟା ଟିକେ ଦାମିକା ଚେରମୂଳି ପରା। ଔଷଧ ତିଆରି ପାଇଁ ଭାଗମାପ ଟା ଭାରି ପରିଶ୍ରମର କଥା।
ହଉ ଆଜ୍ଞା ।
ଚମ୍ପା ନେ ଔଷଧ ଖାଆ
ନା ମୁଁ ଖାଇବିନି। କାହିଁକି ସେ କବିରାଜଙ୍କ କଥା ଶୁଣୁଛ ତୁମେ। ମୋ କଥା ମାନ ସବୁ ଭଗବାନଙ୍କ ଉପରେ ଛାଡିଦିଅ।
ଚୁପ୍ କର... ଆଜି ଯାଏ ଭୀମା କବିରାଜ କଥା ଭୁଲ ହୋଇନି। ସମସ୍ତେ ଜାଣନ୍ତି ଏ କଥା ଗାଁ ରେ। ଚୁପ୍ ଚାପ୍ ଔଷଧ ଖାଆ କହୁଛି।
ସପନାର ହାତଗୋଡ ଧରି ବହୁତ କାକୁତି ମିନତି ହେଲା ଚମ୍ପା। କିନ୍ତୁ ସପନା କିଛି ଶୁଣିଲାନି। ଜବରଦସ୍ତି ଚମ୍ପାକୁ ଔଷଧ ଖୁଆଇ ପାଣି ପିଆଇ ଦେଲା।
ରାତିଯାକ ନିଦ ନାହିଁ ଚମ୍ପାକୁ। ସପନା ତା କଡରେ ଶୋଇ ଘୁଙ୍ଗୁଡ଼ି ମାରୁଛି। ଝିଅ ଦିଟା ବି ଶୋଇ ପଡିଲେଣି କୋଉ ପହରୁ। ଚମ୍ପାର ଦେହ ହାତ ଝିମଝିମ ଲାଗୁଛି। ଆଉ କିଛି ସମୟ ପରେ ତା ଭିତରଟା ଶୂନ୍ୟ ହୋଇଯିବ। ତା ଗର୍ଭରେ ଦିକ୍ ଦିକ୍ କରି ଜଳୁଥିବା ଛୋଟିଆ ଜୀବନସତ୍ତାଟି ଲିଭିଯିବ କବିରାଜ ଦେଇଥିବା ବିଷର
ପ୍ରଭାବରେ। ସକାଳକୁ ସେ ଆବିଷ୍କାର କରିବ କିଛି ଖଣ୍ଡ ବିଖଣ୍ଡିତ ମାଂସ ଆଉ ରକ୍ତ ଖାଲି ଯାହା। ଏଇଟାକୁ ମିଶେଇ ଛଅ ଥର ହୋଇଯିବ। ତାକୁ ଲାଗିଲା ତା ଜରାୟୁଟା ଗୋଟେ ଭ୍ରୂଣ ପାଇଁ ରକ୍ଷା କବଚ ନୁହେଁ ବରଂ ଗୋଟେ ମୃତ୍ୟୁର ଗଳି। ଯେଉଁ ଗଳିରେ ଅଙ୍କୁରୋଦଗମ୍ ହେଲା ମାତ୍ରେ ମୃତ୍ୟୁ ଅବଶ୍ୟମ୍ଭାବୀ। ଆଖିର ଲୁହ ଆଉ ବୋଲ ମାନୁନି ଚମ୍ପାର। କାନ୍ଦି କାନ୍ଦି କେତେବେଳେ ଶୋଇପଡିଛି ସେ।
ବଡି ଭୋରରୁ ନିଦ ଭାଙ୍ଗିଲା ଚମ୍ପାର। ଆଶ୍ଚର୍ଯ୍ୟ ସେ ତ ଯେମିତି ଥିଲା ସେମିତି ଅଛି କିଛି ବି ହୋଇନି ତାର ତା ଭିତରେ ଥିବା ଜୀବସତ୍ତାଟିକୁ ସେ ଏବେ ବି ଅନୁଭବ କରିପାରୁଛି କିନ୍ତୁ ଏହା କେମିତି ସମ୍ଭବ ଭୀମା କବିରାଜର ଅବ୍ୟର୍ଥ ଔଷଧକୁ ବ୍ୟର୍ଥ କରିବା କେବଳ ଜଣଙ୍କ ପାଖରେ ସମ୍ଭବ। ନିଜର ଦୁଇ ହାତ ଯୋଡି ଭଗବାନଙ୍କ ଉଦ୍ଦେଶ୍ୟରେ କାନ୍ଦି ପକେଇଲା ଚମ୍ପା କୃତଜ୍ଞତାରେ।
ଓଃ .... ହୋ...ମୁଣ୍ଡରୁ ଗୋଟେ ଚିନ୍ତା ଗଲା ଏଥର। ଏଇ କଥା ପାଇଁ ଏତେ ନାଟ କରୁଥିଲୁ ରାତିରେ। ଯା' ଯା' ତୋ କାମଧନ୍ଦା କର। ମୁଁ ଯାଉଛି ମୋ ଧନ୍ଦାରେ। କିଳା ତା ବାଟରେ ଯାଇଛି ତୁ ଆଉ ମନ ଦୁଃଖ କରନା। ଚମ୍ପାକୁ ବୁଝେଇ ଦେଇ ସପନା ବାହାରିଗଲା ତା କାମରେ। ସପନା ଗଲା ପରେ ସ୍ନେହରେ ନିଜ ପେଟ ଉପରେ ହାତ ବୁଲେଇ ଆଣିଲା ଚମ୍ପା। ଭିତରେ ଭିତରେ ଆଶ୍ୱସ୍ତ ହେଉଥିଲା ସପନାକୁ ମିଛ କହି ଭଣ୍ଡେଇ ଦେଇଛି ବୋଲି।
ଚାରିମାସ ବିତିଗଲାଣି ଏହା ଭିତରେ। ଧୀରେ ଧୀରେ ସପନାର ମନରେ ସନ୍ଦେହ ବସା ବାନ୍ଧୁଛି। ଚମ୍ପାର ଈଷତ ପୃଥୁଳାକାୟ ଶରୀର, ଧୀରେ ଧୀରେ ପଦାକୁ ବାହାରି ଆସୁଥିବା ପେଟ ଆଉ ଅଳସ ଅଳସ ଶରୀରକୁ ଦେଖି ସପନା ସନ୍ଦେହର ବୁଢ଼ୀଆଣୀ ଜାଲ ଭିତରେ ଛନ୍ଦୁରିମନ୍ଦୁରି ହୁଏ କିନ୍ତୁ କିଛି ପଚାରି ପାରେନି।
ଦିନେ ରୋଷେଇ ପାଇଁ ପାଣି ଆଣୁ ଆଣୁ ମୁଣ୍ଡ ବୁଲେଇ ପାଣିଗରା ସହ କଚାଡି ହୋଇ ପଡ଼ିଲା ଚମ୍ପା ଆଉ ବେହୋସ ହୋଇଗଲା। ସପନା ଧାଇଁଯାଇ ଡାକି ଆଣିଲା ଭୀମା କବିରାଜକୁ। ଭୀମା କବିରାଜ ଚମ୍ପାର ନାଡୀ ପରୀକ୍ଷା କରି ସ୍ବୀକାର କଲା ଯେ ତା ଔଷଧ କାମ କରିନି। ଆଗରୁ ଜଣେଇଥିଲେ ସେ ହୁଏତ ଆଉ କିଛି ବିକଳ୍ପ ବ୍ୟବସ୍ଥା କରି ପାରିଥାନ୍ତା। କିନ୍ତୁ ଆଉ ଏବେ ସମ୍ଭବ ନୁହେଁ ତା ପକ୍ଷରେ । ଚମ୍ପା ଏବେ ଆଠ ମାସର ଗର୍ଭବତୀ। ଚମ୍ପା ନାକରେ କିଛି ଔଷଧ ଶୁଂଘେଇ ଦେଇ ଚାଲିଗଲା ଭୀମା କବିରାଜ। ମୁଣ୍ଡରେ ହାତ ଦେଇ ବସି ପଡ଼ିଲା ସପନା।
ଧୀରେ ଧୀରେ ଚେତା ଫେରିଲା ଚମ୍ପାର। ଉଠି ବସି ସେ ଆଗ ତା ପେଟକୁ ଅଣ୍ଡାଳି ଦେଲା। ତା ପରେ ଦେଖିଲା ସପନା ତାକୁ ଲାଲ ଲାଲ ଆଖିରେ ଚାହିଁଛି ଯେମିତି ଏଇନେ କଞ୍ଚା ଚୋବେଇଯିବ ତାକୁ। ଭୟରେ ଗୋଟେ କଣ କୁ ଘୁଞ୍ଚିଗଲା ଚମ୍ପା କ୍ରମଶଃ