ମରି ମଧ୍ୟ ଜୀବିତ
ମରି ମଧ୍ୟ ଜୀବିତ
ଦିନେ ହଠାତ୍ ରାହୁଲ ଅଫିସରୁ ଘରକୁ ଆସି ଜୋରରେ ସ୍ତ୍ରୀ ଦିୟାଙ୍କୁ ଡାକିଲେ। ସ୍ତ୍ରୀ ଦିୟା ବାହାରକୁ ଆସି ଦେଖିଲେ ଯେ ରାହୁଲ ସାଙ୍ଗରେ ଛୁଆମାନଙ୍କୁ ବିଦ୍ୟାଳୟରୁ ନେଇ ଆସିଛନ୍ତି।
ଦିୟା : କଣ ହେଲା ଏତେ ଜଲଦି ଫେରି ଆସିଲ। ଆଉ ପିଲାମାନଙ୍କୁ ବି ନେଇ ଆସିଲ।
ରାହୁଲ : ଆରେ ଆମକୁ ଆଜି ଗାଆଁକୁ ଯିବା ପାଇଁ ପଡିବ।
ଦିୟା : କଣ ହେଲା?
ରାହୁଲ : ମାଆଙ୍କ ଦେହ ଭଲ ନାହିଁ।
ଦିୟା : ଆମେ ଦୁହେଁ ଯିବା। ପିଲାମାନେ ଏଇଠି ଚାକରାଣୀ ସହ ରହି ଯିବେ।
ରାହୁଲ : ଏ କଣ କହୁଛ? ମାଆଙ୍କ ଦେହ ଭଲ ନାହିଁ। ଆମେ କେବେ ଆସିବା ଠିକ ନାହିଁ। ଆଉ ତୁମେ ପୁଣି କହୁଛ ପିଲାମାନେ ଏଇଠି ରହିବେ? ମାଆର କଣ ତାଙ୍କ ନାତୁଣୀ ରିଧି ଆଉ ନାତି ପ୍ରିତକୁ ଦେଖିବା ପାଇଁ ଇଚ୍ଛା ନାହିଁ କି? ହୁଏ ତ ସେମାନଙ୍କୁ ଦେଖି ମାଆ ଠିକ ହୋଇ ଯିବେ।
ଦିୟା : ହେଲେ ତୁମେ ଜାଣ ମୁଁ କାହିଁକି ପିଲାମାନଙ୍କୁ ନେଇ ପାଇଁ ମନା କରୁଛି।ମୋତେ ତୁମ ଭାଇ (ରୋଶନ) ଙ୍କ ପାଇଁ ଛୁଆମାନଙ୍କୁ ନେଇ ଯିବାରେ ଅସୁବିଧା। ରିଧି ପାଞ୍ଚ ବର୍ଷର ହେଲାଣି। ସେ ଯାହା ଦେଖିବ ସେଇଆ ଶିଖିବ।
ରାହୁଲ : ବାସ ଆଉ କିଛି କୁହ ନାହିଁ। ସେଇଠି ଆଉରୋଶନଭାଇଙ୍କ ଝିଅ ଚୁନି ବି ତ ଅଛି। କାଇଁ ସେ ତ ଖରାପ ହୋଇ ନାହିଁ। ସେ ବି ତ ସାତ ବର୍ଷର।
ଦିୟା : ତୁମ ଭାଉଜ ଗଲା ପରେରୋଶନଭାଇ କଣ କରନ୍ତି ମୁଁ କଣ ଦେଖି ନାହିଁ।
ରାହୁଲ : ତୁମେ କଣ ଜାଣିଛରୋଶନଭାଇ ଭାଉଜଙ୍କୁ କେତେ ଭଲ ପାଉଥିଲେ ? ତୁମେ ତ ବାହା ହୋଇ ଆସିନଥିଲ। ଏତେ କମ ବୟସରେ ଭାଉଜ ସେ ବସ ଦୁର୍ଘଟଣାରେ ଆମ ସମସ୍ତଙ୍କୁ ଛାଡି ପଳାଇଲେ। ଚୁନି ଜମା ଆଠ ମାସର ହୋଇଥାଏ। ତାପରେ ଭାଇ ହିଁ ତାକୁ ସମ୍ଭାଳିଛନ୍ତି। ତୁମରରୋଶନଭାଇଙ୍କୁ ନେଇ ଏଇ କଥା ପାଇଁ ମୁଁ ଗାଆଁକୁ ଯିବା କମାଇ ଦଲି। ଛାଡ ସେ କଥା ମୁଁ କିଛି ଶୁଣିବାକୁ ଚାହେଁ ନାହିଁ। ଛୁଆମାନେ ଆମ ସହ ଯିବେ ମାନେ ଯିବେ।
ବିରକ୍ତ ହୋଇ ଦିୟା ବାହାରିଲେ ଗାଆଁ ଅଭିମୁଖେ। ସନ୍ଧ୍ୟା ସୁଦ୍ଧା ପହଞ୍ଚିଲେ ଗାଆଁରେ।ଶାଶୁଙ୍କ ଦେହ ଭଲ ନ ଥିବାରୁ ଘରକୁ ବନ୍ଧୁବାନ୍ଧବ ବି ଆସି ଥାଆନ୍ତି। ଭାଇ (ରୋଶନ) ଆସିବାରୁ ଦୟା ଦେଢଶୁରଙ୍କୁ ଦୂରରୁ ଜୁହାର ହୋଇ ପଳାଇଲେ। ଖାଇବା ସମୟରେ ଚାକରାଣୀକୁ କହିଲେ ବାଢିକି ଭାଇଙ୍କୁ ଦେବା ପାଇଁ। ରିଧି ଆଉ ପ୍ରିତକୁ ବାରମ୍ବାର ତାଗିଦ୍ କରି କହିଛନ୍ତି ଯେ ବଡବାପାଙ୍କ ରୁମକୁ ଯିବ ନାହିଁ। ରାତିରେ ଛୁଆମାନେ ଶୋଇଲା ଶାଶୁମାଆଙ୍କ ରୁମରୁ ଆସିଲା ବେଳେ ଦିୟା ରୋଶନଙ୍କ ରୁମରୁ କଥା ଶୁଣିଲେ। ରୋଶନ ଆଉ ଗୋଟିଏ ଝିଅର ସ୍ୱର ଶୁଣା ଗଲା।
ଦିୟା ଏ କଥା କହିବା ପାଇଁ ନିଜ ରୁମକୁ ଗଲା ବେଳକୁ ରାହୁଲ ପିଲାମାନଙ୍କୁ ଧରି ଶୋଇ ପଡି ଥିଲେ। ଦିୟା ଆଉ ରାହୁଲଙ୍କୁ ନ ଡାକି ଶୋଇ ପଡିଲେ।
ତାପର ଦିନ ସକାଳୁ ଦିୟା ମୁହଁ ଫୁଲାଇ ରଖିଥିଲେ। ରାହୁଲ ଯେତେ ବୁଝାଇବା ପାଇଁ ଚେଷ୍ଟା କଲେ ମଧ୍ୟ ଦିୟା ରାଜି ନଥିଲେ ବୁଝିବା ପାଇଁ।
ଦିୟା : ବାହାଘର ପାଖରୁ ମୁଁ ପ୍ରତିଦିନ ରାତିରେ ସେଇ ଝିଅ ସ୍ୱର ଶୁଣେ ଭାଇଙ୍କ ରୁମରେ। ଥରେ ତ ଭାଇଙ୍କ ରୁମରେ ମୁଁ ଗୋଟିଏ ଶାଢୀ ବି ପାଇଥିଲି, ଆଉ ଥରେ ଲିପଷ୍ଟିକ ବି। ମାଆଙ୍କୁ କହିବାରୁ ସେ କହିଲେ ଭାଉଜଙ୍କର ହୋଇ ଥିବ। ସେ ମୋତେ ଭାଇଙ୍କ ରୁମକୁ ଯିବା ପାଇଁ ମନା କଲେ। ଆଉ ଗତ ଥର ଯେ ଆସି ଥିଲି ଭାଇ ଗଜରା ମାଳି ହାର ଆଉ ଗୋଟିଏ ନୂଆ ଶାଢୀ ବି ଆଣି ଥିଲେ। କାହା ପାଇଁ ଏ ସବୁ କରୁଛନ୍ତି। ଏବେ ତ ଛିଃ... ଛିଃ... । ମାଆଙ୍କ ଦେହ ଭଲ ନଥିବାରୁ କାଲି ଚୁନି ଭାଇଙ୍କ ରୁମରେ ଶୋଇଥିଲା। ବିଚାରି ଠକି ଯିଇ ଶୋଇ ପଡିଥିଲା। ତେଣୁ ସେ ଜାଣି ପାରିନଥିବ। କାଲି ବି ସେ ଝିଅର ସ୍ୱର ମୁଁ ଭାଇଙ୍କ ରୁମରୁ ଶୁଣିଛି।ତାଙ୍କର କଣ ରୁମରୁ ତ ବାହାରକୁ ଯିବା ପାଇଁ ଗୋଟିଏ ରାସ୍ତା ଅଛି। ସେଇ ବାଟେ ସେ ଆସୁଥିବ ଆଉ ସେଇ ବାଟେ ସେ ଯାଉଥିବ। ଯଦି ଭାଇ କାହାକୁ ଭଲ ପାଉଛନ୍ତି ଘରେ କହି ବାହା ହେଉ ନାହାଁନ୍ତି। ଏମିତି ଲୁଚି ଲୁଚି ରାସଲୀଳା କଣ ପାଇଁ?
ରାହୁଲ ରାଗି ଯାଇ ହାତ ଉଠାଉ ଉଠାଉ ଅଟକି ଗଲେ। ସେ କହିଲେ ଠିକ୍ ଅଛି ଆଜି ରାତିରେ ସବୁ ପ୍ରମାଣ ନେବା। ଯଦି ତୁମେ ଠିକ୍ ଥାଅ ତେବେ ମୁଁ ଭାଇଙ୍କୁ ଏ ବିଷୟରେ ପ୍ରଶ୍ନ କରିବି ଆଉ ଯଦି ତୁମେ ଭୁଲ ଥାଅ ତେବେ ଭାଇଙ୍କୁ ତୁମେ ଯାଇ କ୍ଷମା ମାଗିବ।
ରାତି ହେଲାରୁ ଯୋଜନା ମୁତାବକ ପିଲାମାନେ ( ରିଧି, ପ୍ରିତ ଆଉ ଚୁନି ) ସବୁ ଏକାଠି ଜେଜେମାଙ୍କ ରୁମରେ ଶୋଇଲେ।
ରୋଶନ ନିଜ ରୁମକୁ ଗଲେ। କିଛି ସମୟ ପରେ ହଠାତ୍ ସେ ରୁମରୁ ଗୋଟିଏ ସ୍ତ୍ରୀ ଲୋକ ସ୍ୱର ଶୁଣିବାକୁ ମିଳିଲା। ରାହୁଲ ଆଉ ଦିୟା ବାହାରେ ଲୁଚି ରହି ଶୁଣୁ ଥିଲେ। ଝରକା ଫାଙ୍କରେ ଦେଖିବା ପାଇଁ ଚେଷ୍ଟା କଲେ ହେଲେ ପରଦା ଦିଆ ହୋଇଥିବାରୁ ଆଉ ଅନ୍ଧାର ଥିବାରୁ ଠିକ ସେ ଦେଖା ଗଲା ନାହିଁ। ଭିତର ପାଖ କବାଟ ବାହାର ଆଡୁ ବନ୍ଦ କରି ଦେଇ ବାହାର ପାଖ କବାଟ ଆଉ ଝରକା ଉପରେ ନଜର ରଖିଲେ।ରୋଶନ ଆଉ ସେ ସ୍ତ୍ରୀ ଲୋକର କଥା ଅଧା ରାତି ପର୍ଯ୍ୟନ୍ତ ଶୁଣାଗଲା।
ସକାଳ ହେବା ବେଳକୁ ରୋଶନ ରୁମରେ ଶୁଭ ସକାଳ କହିଲେ ଆଉ ସେ ସ୍ତ୍ରୀ ଲୋକର ସ୍ୱର ବି ଶୁଣାଗଲା ଯେ ଶୁଭ ସକାଳ।
ତାପରେ ରୋଶନ ନିଜ ରୁମର ଝରକା ଖୋଲିଲେ।ଝରକା ଖୋଲିବା ପରେ ରାହୁଲ ଆଉ ଦିୟା ଯାହା ଦେଖିଲେ ତାଙ୍କ ଆଖିରୁ ଲୁହ ଝର ଝର ହୋଇ ବହିଗଲା। ସେମାନେ ଦେଖିଲେ ଯେ ରୋଶନଙ୍କ ଖଟ ଉପରେ ତାଙ୍କ ସ୍ତ୍ରୀଙ୍କ ଫୋଟୋ ଅଛି। ରୋଶନ ସେ ଫୋଟୋରେ କଥା ହେଉଛନ୍ତି। ସେ ଫୋଟୋକୁ ଧରି ଗେହ୍ଲ କରୁଛନ୍ତି। ସେ ଫୋଟୋକୁ ଶାଢୀ ପିନ୍ଧାଇଛନ୍ତି ।ଆଉ ଫୋଟକୁ ଧରି କଥା ହେଉଛନ୍ତି ଏବଂ ନିଜ କଥାର ଉତ୍ତର ସେ ନିଜେ ହିଁ ଝିଅ ସ୍ୱରରେ ଦେଉଛନ୍ତି। ତାପରେ ସେ ଫୋଟୋର ଶାଢୀ ବଦଳାଇ ନୂଆ ଶାଢୀ ପିନ୍ଧାଇ ତାଙ୍କୁ ଆଲମାରୀ ଭିତରେ ରଖି ଦେଉଛନ୍ତି।
ରାହୁଲ ଆଉ ଦିୟା ଭାବ ବିହୁଲ ହୋଇ ନିଜ ରୁମକୁ ପଳାଇଲେ। ରାହୁଲ ଧିକ୍କାର କରି ଦିୟାଙ୍କୁ କହିଲେ ତୁମେ ଏମିତି ଲୋକ ଉପରେ ସନ୍ଦେହ କରି ଆଜି ଆମ ଘରକୁ ଭାଙ୍ଗିବାରେ ଲାଗି ଥିଲ ଯାହା ପାଇଁ ତାଙ୍କ ସ୍ତ୍ରୀ ମରିଯାଇ ମଧ୍ୟ ଜୀବିତ ଅଛନ୍ତି। ସେ ଏବେ ବି ଭାଉଜଙ୍କୁ ନିଜ ଜୀବନ ବୋଲି ମାନନ୍ତି। ଦିୟା ନିଜ କର୍ମ ପାଇଁ ଲଜ୍ଜିତ। ଜଳଖିଆ ନେଇ ଦିୟା ଶାଶୁମାଙ୍କ ରୁମକୁ ଗଲେ। ସେତେବେଳେ ସେଇଠି ଶାଶୁମାଆ ରୋଶନଆଉ ରାହୁଲ ଥିଲେ।
ଦିୟା ସମସ୍ତଙ୍କ ସାମ୍ନାରେ ନିଜ ଭୁଲ ମାନି କ୍ଷମା ମାଗିଲେ।ରୋଶନ ହସି କହିଲେ ତୁମ ବଦଳରେ ଆଉ ଯିଏ ବି ଥାଆନ୍ତା ସେ ମୋତେ ସନ୍ଦେହ କରି ଥାଆନ୍ତା।
ଶାଶୁମାଆ କହିଲେ ରୋଶନ ଛୋଟ ବେଳେ ଡ୍ରାମା କରୁଥିଲେ। ସେଥିରେ ସେ ଝିଅ ସ୍ୱରରେ କଥା ହେଉଥିଲେ। ଆଉ ତାଙ୍କ ସ୍ତ୍ରୀ ଯିବା ପରେ ସ୍ତ୍ରୀର ଫୋଟୋ ଧରି ନିଜ ଦୁଃଖକୁ ଭୁଲିବା ପାଇଁ ସେ ଝିଅ ସ୍ୱରରେ ଫୋଟୋ ଧରି କଥା ହୋଇ ଭାବନ୍ତି ତାଙ୍କ ସ୍ତ୍ରୀ ତାଙ୍କ ପାଖରେ ଅଛନ୍ତି ବୋଲି। ସେ ଫୋଟୋ ହିଁ ତାଙ୍କର ସ୍ତ୍ରୀ। ଆଉ ସେ ତାଙ୍କ ସ୍ତ୍ରୀକୁ ଏତେ ଭଲ ପାଆନ୍ତି ଯେ ମରି ମଧ୍ୟ ସେ ଜୀବିତ ଏବଂ ଦ୍ୱିତୀୟ ବିବାହ କରିବାକୁ ସେ ମନା କରିଛନ୍ତି। ଏ କଥା ଚୁନି ମଧ୍ୟ ଜାଣିଛି । ରୋଶନ ନିଜେ ଚୁନି ପାଇଁ ବାପା ବି ଆଉ ମାଆ ବି।
ଦିୟାଙ୍କ ଆଖିରୁ ଲୁହ ବହି ଗଲା। ଦିଆ ଏବେ ଆଉ ପିଲାମାନଙ୍କୁ ରୋଶନଙ୍କ ପାଖକୁ ଯିବା ପାଇଁ ମନା କରନ୍ତି ନାହିଁ। ରୋଶନଙ୍କ ପାଇଁ ତାଙ୍କ ମନରେ ସମ୍ମାନ ବଢିଗଲା। ଛୁଟି ପଡିଲାମାନେ ଦିୟା, ରାହୁଲ ପିଲାମାନଙ୍କୁ ନେଇ ଗାଆଁକୁ ଆସନ୍ତି। ମଝିରେ ମଝିରେ ରୋଶନ ବି ଚୁନି ଆଉ ମାଆଙ୍କୁ ନେଇ ଦିୟା ଆଉ ରାହୁଲଙ୍କ ଘରକୁ ଯାଆନ୍ତି। ଏବେ ପରିବାରଟି ହସ ଖୁସିରେ ଭରି ଗଲା। ଗାଆଁ ଘରର ଖାଇବା କକ୍ଷରେ ରୋଶନଙ୍କ ସ୍ତ୍ରୀଙ୍କ ବଡ ଫୋଟୋ କରି ଟଙ୍ଗା ହେଲା। ସମସ୍ତେ କୁହନ୍ତି ସେ ପରିବାର ପାଇଁ ରୋଶନଙ୍କ ସ୍ତ୍ରୀ ମରି ମଧ୍ୟ ଜୀବିତ।।
