STORYMIRROR

Satyabati Swain

Tragedy

3  

Satyabati Swain

Tragedy

ମୋହ ଭଙ୍ଗ

ମୋହ ଭଙ୍ଗ

6 mins
177


କାମ ବାଲି ଉତ୍ସୁକତାରେ ପଚାରୁଛି; ମାଆ ଯିବେନା ମୋ ଘରକୁ ?


ଉତ୍ତର ନ ପାଇବା ପୂର୍ବରୁ ପୁଣି କହୁଛି ମୋ ବଡ଼ ଝିଅର ବାହାଘରକୁ ବାବୁ ଓ ତୁମେ ଯେମିତି ହେଲେ ଯିବ ମାଆ।ତାର ଜେଜେ କି ଜେଜିମା କେହି ନାହାନ୍ତି।ତୁମେ ତାର ଜେଜେ ଓ ଜେଜିମା ହୋଇ ଯିବ,ଆଶୀର୍ବାଦ କରିବ ମୋ ଝିଅ ଜ୍ବାଇଁ ଙ୍କୁ।


ଯିବେନା ମାଆ ?

ମୁଁ , ଟିକେ କାମବାଲୀ ସୁଧା ମୁହଁକୁ ଚାହିଁଲେ।ଉତ୍ତର ଅପେକ୍ଷାରେ ସୁଧା ଠିଆ ହୋଇଛି।ତା ଆଖି କହୁଛନ୍ତି ବାବୁ ମା ମୋ ପରି ଗରିବ ଘର ଝିଅ ବାହା ଘରକୁ କଣ ଯିବେ! ମୁହଁରେ ଉତ୍କଣ୍ଠା ଲହଡି ପିଟୁଛନ୍ତି ସୁଧାର।


ବାହାଘର ଆହୁରି ଆଠ ଦିନ ଅଛି।ସୁଧା କିନ୍ତୁ ପ୍ରତି ଦିନ ଏଇ କଥାଟି ପଚାରେ ମାଆ ଯିବେ ନା ମୋ ଝିଅ ବାହାଘରକୁ?


ସୁଧା ତିନି ବର୍ଷ ହେଲା ଆମ ଘରେ କାମ କରୁଛି ।ଭଲ ମଣିଷଟିଏ,ସ୍ନେହୀ।ପଇସା ପାଇଁ ନୁହେଁ ସତେକି ସେବା ଖୁସିରେ ଖୁସିରେ କରିବା ପାଇଁ ସେ କାମବାଲୀ ହୋଇଛି।ଆଗରୁ ପାଞ୍ଚ ସାତଟି କାମବାଲୀ ଆମ ଘରେ କାମ କରିଛନ୍ତି।କିନ୍ତୁ ସୁଧା ନିଶ୍ଚିନ୍ତ ନିଆରା।


ଶ୍ରୀକାନ୍ତ ବାବୁ ମୋ ସ୍ୱାମୀ ରାଢ ଟିଏ।ମୁଁ ପବି ବାପା ଡାକେ ତାଙ୍କୁ।ପବି ବାପା ପରିବା ବ୍ୟବସାୟିଟିଏ।ଘଡ଼ ଘଡି ମାରିଲା ପରି ଏଡ଼େ ପାଟି ତାଙ୍କର।ଭଲରେ କଥା କହିଲେ ବି ମାରିଲା ଧମକାଇଲା ପରି ଲାଗେ।ଯାହା କୁହନ୍ତି ମୁହଁରେ।ଭିତର ଟି ପୁରା ସଫା।ମୁଁ ସିନା ସ୍ତ୍ରୀ ବୋଲି ଜାଣିଛି ପବି ବାପା ଉପର କଠିନ ଭିତର ନରମ।ବାହାର ଲୋକେ କେମିତି ଜାଣିବେ? ସମୟ ଜ୍ଞାନ ଏପରି ଯେ ପୁରା ଟାଇମ୍ ଅନୁଯାୟୀ କାମ କଲେ ଭଲ ନଚେତ ବେଦ ଅଶୁଦ୍ଧ ଜାଣ।କାମବାଲୀ ହେଲେ ବି ସେମାନେ ମଣିଷ।ସେମାନଙ୍କର ଘର ସଂସାର ଅଛି।ଦେହ ମୁଣ୍ଡ ଅଛି।ପ୍ରତିଦିନ ସମୟ ଜଗି ସେମାନେ ଆସି ପାରିବେ କି?ସେଇ ସମୟ ପାଇଁ କେବଳ କେହି କାମବାଲୀ ଦୁଇ ତିନି ମାସରୁ ଅଧିକ ଦିନ ତିଷ୍ଠି ପାରନ୍ତି ନାହିଁ ଏ ଘରେ ପବି ବାପାଙ୍କ ଦାଉରେ।


ସୁଧାଟି ସମ୍ପୂର୍ଣ୍ଣ ନିଆରା।ପବି ବାପାଙ୍କ କଥା ଆଦୋୖ ଧରେନି।ଅଠସ୍ତରୀ ବର୍ଷ ହେଲାଣି ପବି ବାପାଙ୍କୁ।ଯେ କେହି ପଚାଶ ବର୍ଷର ମଣିଷ କହିବ।ଧୋତି ପଞ୍ଜାବୀ ପିନ୍ଧି ବ୍ୟାଗ୍ ହାତରେ ଝୁଲାଇ ଦୋକାନ କୁ ଗଲାବେଳେ ରାଜା ରାଜୁଡା ଖାନ୍ ଦାନି ଲୋକ ଗଲା ପରି ଲାଗେ।ତାଙ୍କରି ସାଙ୍ଗରେ ସାଙ୍ଗ ହୋଇ ମୁଁ ବି ସମାୟାନୁବର୍ତ୍ତି ହୋଇ ଯାଇଛି।ଘଣ୍ଟା ଭୁଲ୍ ହୋଇ ଯାଇପାରେ କିନ୍ତୁ ପବି ବାପାଙ୍କ ଶୋଇବା,ଉଠିବା , ଫୁଲ ତୋଳିବା, ଚା ପିଇବା, ଦୋକାନ ଯିବା ,ଖାଇବା,ବଗିଚା କାମ କରିବା, ପେପର୍ ପଢିବା,ମର୍ଣ୍ଣିଂ ୱାଲକ୍ କରିବା କି ଗୁରୁବାର ମନ୍ଦିର ଯିବା ନିର୍ଦ୍ଧିଷ୍ଟ ସମୟ କଣ୍ଟା ଟିକେ ଏପଟ ସେପଟ ହୁଏନି।


କେଉଁ କାମ ବାଲି ଭୋର ପାଞ୍ଚଟାରୁ ଆସନ୍ତେ! ମାସେ ଦୁଇ ମାସ କାମ କଲା ପରେ କେହି ଆସନ୍ତିନି ମମତା ନିଳୟକୁ।


ଅପାଠୁଆ ଶ୍ରୀକାନ୍ତ ରାଉତ ଉଠା ଦୋକାନଟିଏ କରି ରାସ୍ତା କଡରେ ପରିବା ବିକୁ ବଡ଼ ପରିବା ବ୍ୟବସାୟୀ ଟିଏ ହୋଇଗଲେ।ଲକ୍ଷ୍ମୀ ଦେବୀ ପ୍ରସନ୍ନ ହେଲାରୁ କୋଠା ବାଟି ବି କଲେ । ବଡ଼ ପୁଅ ପବିତ୍ର ପବି ,ପଞ୍ଜାବରେ ଏୟାର ଅଫିସର୍।ତା ପିଲା ଛୁଆ ଧରି ସେଇଠି ରୁହେ।ସାନ ପୁଅ ସୁବ୍ରତ ସୁବୁ ହାଇଦ୍ରାବାଦ ରେ ଇଞ୍ଜିନିୟର, ତା ଫେମିଲି ବି ତା ପାଖେ।


ଦିନେ ତିନି ମହଲାର ମମତା ନୀଳୟ ଛୁଆଙ୍କ ଖେଳଖୁଦ,ଦୁଇଟି ନଣନ୍ଦ,ଶାଶୁ ଶଶୁରଙ୍କ ଗହଣରେ ହସୁଥିଲା।ଏବେ ଖାଁ ଖାଁ।ଦୁଇଟି ମହଲା ଘର ଭଡାରେ।


ମୁଁ ସଞ୍ଜୁ ଅଣ୍ଟା ରୋଗରେ ପୀଡିତ।ବେଶୀ ଚଲା ବୁଲା କରିବାରେ କଷ୍ଟ।କାମବାଲୀ ଓ ଡ୍ରାଇଭର ଆମ ହାନି ଲାଭ ବୁଝନ୍ତି।ଏବେ ବି ପବି ବାପା କର୍ମଚଞ୍ଚଳ।ପ୍ରତି ଦିନ ଅଧଘଣ୍ଟାଏ ଦୋକାନ ଆଡେ ଯିବା ଥୟ।ପାଟିଟି କିନ୍ତୁ ବଡ଼।ରଡି ଟିଏ ଛାଡିଲେ ଥରି ଉଠେ ଆମ ଆଖପାଖ।


ସୁଧା କିନ୍ତୁ ପବି ବାପାଙ୍କୁ ଜିତିଛି। ଆମେ ଉଠି ନଥିବୁ ଆସି କଲିଂ ବେଲ୍ ଟିପିବ।ସୁଧାର କଥା ରେ ସତେକି ସୁଧା ଝରେ।ଏମିତି କିଛି କାମ ନାହିଁ ତାର ଖୁଣିବ।ଏଣୁ ସେ ମୋତେ ମୋ ଝିଅ ପରି ଲାଗେ।


ସୁଧାର ସବୁ ଭଲ ଭିତରେ ଅଟୋ ଚଲାଉଥିବା ସ୍ୱାମିଟି ଭାରି ଅସାଧୁ ପ୍ରକୃତିର ।ଘୋଡା ମଦୁଆ ସାଙ୍ଗକୁ ଆଉ ଗୋଟେ ମାଇକିନିଆ ରଖିଛି ଅନ୍ୟ ଏକ ବସ୍ତିରେ।ସୁଧାର କିନ୍ତୁ ଦୁଃଖ ନାହିଁ। ଅଣ୍ଟାରେ ଗାମୁଛା ଭିଡି ଦୁଇ ଝିଅଙ୍କୁ ଦି ଅକ୍ଷର ପଢେଇଛି।ବଡ଼ ଝିଅଟି ମସଲା କମ୍ପାନୀରେ କାମ କରୁଛି।ସାନ ଝିଅଟି ପଢୁଛି।


ମୁଁ ପଚାରେ ତୋ ବର ଅନ୍ୟ ସ୍ତ୍ରୀ ରଖିଛି ତୋତେ ଖରାପ ଲାଗେନି ସୁଧା ?


ମାଆ ସତ କହିବାକୁ ଗଲେ ପ୍ରଥମେ ପ୍ରଥମେ ଭାରି ଅଣ ନିଃଶ୍ଵାସୀ ଲାଗୁଥିଲା।କେଉଁ ସ୍ତ୍ରୀ ଚାହିଁବ ତା ସ୍ବାମୀ ଆଉ କାର ହେଉ! କିନ୍ତୁ କଣ କରିବି ମାଆ।ପ୍ରତିବାଦ କଲେ ପିଟିବ। ଦ୍ଵିତୀୟ ପକ୍ଷ ସ୍ତ୍ରୀ ପାଖେ ରହିଯିବ।ମୋ ପାଖକୁ ଆସିବ ନାହିଁ। ବିନା ସ୍ୱାମୀରେ ଦୁଇ ଦୁଇଟା ବଢ଼ିଲା ଝିଅ ନେଇ ଏକା ବଂଚିବା ଭାରି କଷ୍ଟ ହୋଇଥାନ୍ତା ମାଆ। ମଦୁଆ ଗାତପଶାଟାର ଯେବେ ଇଚ୍ଛା ହୁଏ ଆସେ ସ୍ୱାମୀତ୍ୱ ଜାହିର କରେ। ତା ବଦଳ ରେ ମୋ ଝିଅ ଦୁଇଟାଙ୍କୁ ଟିକେ ବାପା ସ୍ନେହ ତ ମିଳେ ! ଆମ ପରି ଲୋକଙ୍କର ଆଉ କଣ ଲୋଡ଼ା?


ମାଆ ସାତ କଥାରେ ସତୀ ଭୁଲେ।ସେମିତି ମୋ ସ୍ୱାମିଟି ସିନା କେଉଁ ମୋହରେ ଆଉ ଗୋଟେ ସ୍ତ୍ରୀ ପାଖେ ଅଟକି ଯାଇଛି, କିନ୍ତୁ ମୁଁ ଜାଣେ ସେ ମୋତେ ଓ ପିଲାଙ୍କୁ ଭାରି ଭଲ ପାଏ।ସେଇଥିପାଇଁ ତ ଆମକୁ ତା ନିଜ ଘରେ ରଖି ଦ୍ୱିତୀୟ ସ୍ତ୍ରୀକୁ ଅଲଗା ବସ୍ତିରେ ଭଡ଼ା ଘରେ ରଖିଛି।


ଏସବୁ କହିଲା ବେଳେ ସୁଧା କଣ୍ଠ ଖୁବ୍ ଭାରି ଲାଗେ।

ସବୁ ସ୍ତ୍ରୀ ଏମିତି ସ୍ୱାମୀ ସ୍ନେହ ଭାଗ ଦେବାରେ ଭାରି କୃପଣ କରନ୍ତି। 


ସୁଧା ସବୁ ଦିନ ଗୋଟିଏ କଥା ପଚାରୁଛି ଏଇ କେତେ ଦିନ ହେବ।ବାବୁଙ୍କୁ ତ କିଛି କହି ପାରିବନି ,କେବଳ ମୋ ସଂଗେ ଲଗେଇଛି।ମୁଁ କେଉଁ ଶ୍ରୀକାନ୍ତ ବାବୁଙ୍କୁ ଏତେ ସାମ୍ନା କରିପାରେ ଯେ।ଲାଜ ସରମ ନାହିଁ ତାଙ୍କୁ ଯଦି ବିଗିଡି ଯିବେ ବାହାର ଲୋକ୍ଙ୍କ ଆଗେ ଝାଡ଼ି ଦେବେ ପଦେ ଦି ପଦ ମୋତେ।ବାସ୍ତରୀ ବର୍ଷର ମଣିଷଟି ମୁଁ। ଭାରି ଖରାପ ଲାଗେ ପବି ବାପା ଏଡ଼େ ବଡ଼ ପାଟିରେ କିଛି କହିଲେ।ଏଣୁ ସୁଧାକୁ କୁହେ ହେଉ ବ୍ୟସ୍ତ କାଇଁ ହେଉଛୁ ? ମୁଁ ବାବୁଙ୍କ ଠାରୁ ବୁଝି କହିବି।


ସୁଧା ଝିଅ ବାହାଘର ଆଉ ଦୁଇ ଦିନ ଅଛି।ସେ ଛୁଟି ନେଇଛି।ତା ବଦଳରେ ଚାରି ପାଞ୍ଚ ଦିନ ପାଇଁ ଆଉ ଜଣକୁ ଠିକାରେ ରଖି ଯାଇଛି।ବାହାଘର ବ୍ୟସ୍ତ ଭିତରେ ବି ସୁଧା ଠିକା କାମବାଲୀ ଆମକୁ ଠିକ୍ ସମୟରେ ଚା, ଜଳଖିଆ, ମଧ୍ୟାହ୍ନ, ରାତ୍ରୀ ଭୋଜନ ଠିକ୍ ସମୟ ରେ ଦେଉଛି ନା ନାହିଁ ବୁଝେ।


ସୁଧା ବର ବି ନିମନ୍ତ୍ରଣ ପତ୍ର ଦେଇ ଯାଇ କହିଛି ଯେମିତି ହେଲେ ଯିବେ ମା।ଆମ ଛୋଟିଆ ଘରେ ବାବୁ ଓ ଆପଣଙ୍କ ପାଦ ପଡିଲେ ସୁଧା ବହୁତ ଖୁସି ହେବ।


ଆଜି ସୁଧା ଝିଅର ବାହା ଘର।ଭାରି ଖୁସି ଲାଗୁଥିଲା ମୋତେ।ଲାଗୁଥିଲା ସତେକି ମୋ ନାତୁଣୀ ବାହା ହେଉଛି। ଚା ଖାଇଲା ବେଳେ ପବି ବାପାଙ୍କୁ ପଚାରିଲି

ଯିବାଟି ସୁଧା ଝିଅ ବାହାଘରକୁ ?


ଗର୍ଜି ଉଠିଲେ ପବି ବାବା।ସୁଧା ବରଟି ଏକରେ ମଦୁଆ, ଦୁଇରେ ଦି ଟା ସ୍ତ୍ରୀ ରଖିଛି ହାରାମଜାଦା।ସେମିତି ଘରକୁ ମୋ ଦେଇ ଯିବା ହେବ କେମିତି ଭାବୁଛ? ସୁଧା ତା ଝିଅ ବାହା ଘର ଭୋଜିରେ ଚାଳିଶି ହଜାର ଖର୍ଚ୍ଚ ହେବ କହିଲା।ଦେଇଛି ତାକୁ।ତାଙ୍କର ପଇସା ଦରକାର, ବାସ୍, ସେତିକ ତ ଦେଇଛେ, ନଗଲେ ଚଳିବ, ସଞ୍ଜୁ।


ପଇସା କଣ ସବୁ ପବି ବାପା? କେତେ କରି କହିଛି ତା ଝିଅ ଜ୍ବାଇଁକୁ ଆଶୀର୍ବାଦ କରିବାକୁ ଯିବାକୁ।ଚାଲୁନ ମୁହଁ ମାରି ଦେଇ ଆସିବା?


ବଡ଼ ବଡ଼ ଆଖିରେ ଚାହିଁ ପବି ବାପା ଜୀବନରେ ପ୍ରଥମ ବାର ଟିକେ ନରମ ଗଳାରେ କହିଲେ ,ଦେଖ ସଞ୍ଜୁ ତୁମେ ଯାଅ।ମୋତେ ବାଧ୍ୟ କରନି।


ଏଇ ଛଅ ମାସ ତଳେ ପବି ଝିଅର ପଞ୍ଜାବରେ ବାହା ଘର ହୋଇଛି।ପବି ଝିଅ ବାହା ଘର କଲା କିନ୍ତୁ ନିଜ ବାପା ମାଙ୍କୁ ନେଲାନି ।କୁଆଡେ ସେ ହାଇ ଫାଇ ବାହାଘରରେ ଧୋତି ପିନ୍ଧା ବାପା ଓ ହିଲ୍ କି ବୁଲେଇ ଶାଢ଼ୀ ପିନ୍ଧୁ ନଥିବା ବୋଉଙ୍କ ପାଇଁ ନୁହେଁ।ଆମ ବେଶ ଭୁଷା, କଥା କାଳେ ଗାଉଁଲି ଗାଉଁଲି ପୁରୁଣା କାଳିଆ।ଆମକୁ ଦେଖିଲେ ଲୋକେ ହସିବେ।ଛୋଟ ହୋଇଯିବ ପବି ତା ସାଙ୍ଗ ସାଥୀ ଓ ଜ୍ବାଇଁ ଘର ଲୋକଙ୍କ ଆଗେ।କେତେ ଇଚ୍ଛା କରିଥିଲୁ ନାତୁଣୀ ବାହାଘର ଦେଖିବୁ।ନାତୁଣୀ ଜ୍ବାଇଁ ବି ଡାକ୍ତର ବୋଲି ଶୁଣୁଛୁ।


ସାନ ପୁଅଟି ଭାରି ମନ ଦୁଖ କରି କହୁଥିଲା drone ଫଟୋ ଉଠା, ଫଟୋ ସୁଟ୍ ,ଫାଇବ୍ ଷ୍ଟାର ହୋଟେଲ୍ ବାହାଘରକୁ କିନ୍ତୁ ପବି ପକ୍ଷଘାତ ଶଶୁର ହ୍ବିଲ ଚେୟାରରରେ ଆସିଥିଲେ । କାହିଁକି ନା ସେ ପକ୍ଷଘାତ ରୋଗୀ ହେଲେ ବି ଅବସର ପ୍ରାପ୍ତ କର୍ଣ୍ଣେଲ ଥିଲେ ପୁଣି ସ୍ତ୍ରୀର ବାପା ଓ ସୁଟ୍ ବୁଟ ପିନ୍ଧନ୍ତି। । ନିଜ ବାପା ଟି ଭୁବନେଶ୍ୱରର ଜଣେ ତୁଚ୍ଛା ପରିବା ବ୍ୟବସାୟୀ ।ସେ କଣ ଫିଟ୍ ହୋଇଥାନ୍ତେ ପବି ଝିଅ ବାହାଘରକୁ!


ପବି ବାପାଙ୍କ "ମୋହ ଭଙ୍ଗ "ହେଲା ମୋ ପୁଅ ମୋ ବୋହୁ ମୋ ନାତି ନାତୁଣୀ ଓ ଅର୍ଥ କମେଇଁବା ନିଶାରୁ। ପୁଅ ନିଜ ବାପା ମାଙ୍କୁ ନାତୁଣୀ ବାହା ଘରକୁ ଡାକିଲା ନାହିଁ ! 


କିଛି ଲୋକ ବ୍ୟବସାୟ ବୁଝା ସୁଝା କରିବାକୁ ରଖିଛନ୍ତି। ଇଛାମୁତାବକ ଜୀଉଁଛନ୍ତି ସେ। ବେଳେ ବେଳର ଜରା ଶ୍ରମ କି ଅନାଥ ଆଶ୍ରମ ବୁଲି ଯାଉଛନ୍ତି। ଡୋନେସନ ବି ଦେଉଛନ୍ତି। ପରିବା ଦୋକାନୀ ହେଲେ ବି ପଇସାରେ ଅଭାଵ ନାହିଁ। ଏଇ ଦୋକାନ ତ ପୁଣି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଅ ଦୁଇଟାଙ୍କୁ ମଣିଷ କରିଛି। ତିନି ମହଲାର ଏତେ ବଡ଼ ଘର ଠିଆ କରିଛନ୍ତି! ହେଲେ ନବମ ଫେଲ ବାପଟା ପାଠୁଆ ହୋଇ ପାରିନି କି ସୁଟ୍ ବୁଟ ପିନ୍ଧି ଶିଖିନି,ଯାହା ପୁଅ ବୋହୁଙ୍କୁ ଅଖାଅଡୁଆ ଲାଗୁଛି।


ଏଇ ବାପା ତ ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କୁ ମଣିଷ କଲା! ଧୋତି ପିନ୍ଧିଲେ କି ଅପାଠୁଆ ହେଲେ ବାପା ଯେ ବାପା ହୁଅନ୍ତିନି ଏଇଟା ଖୁବ୍ ବାଧିଛି ପବି ବାପାଙ୍କୁ।ସେଇ ଦିନୁ ପବି ବାପା ନରମି ଯାଇଛନ୍ତି।ଯେତେ ଯାହା ରୋଜ ଗାର ଜରା ଶ୍ରମ କିମ୍ବା ଅନାଥ ଶ୍ରମକୁ ଦାନ ଦେଉଛନ୍ତି। କହୁଥିଲେ ଭଡା ନ ଦେଇ ଏ ଆମ ମମତା ନିଲାଟିକୁ ଜରା ଶ୍ରମଟିଏ କରିବେ ବୋଲି।


ସବୁ ଛାଡିଲେଣି। ଏତେ ବଡ଼ ପାଟି କରିବା କି ସମୟ ଅନୁସାରେ କାମ କରିବା ଖୋଇ ଟି ଛାଡି ନାହାନ୍ତି।ମୋର ତ ଏ ପାଟି କୁ ଭାରି ଭୟ।


ସୁଧାଟି ଏତେ କରି କହିଛି, ନଗଲେ ମନ ଊଣା କରିବ।କଣ କହୁଛ ପବି ବାପା ଯିବା ସୁଧା ଘରକୁ ?


ବୁଝିଲ ସଞ୍ଜୁ ମୁଁ ବୁଝି ପାରୁଛି କାହିଁକି ସୁଧା ଝିଅ ବାହା ଘରକୁ ତୁମର ଯିବାକୁ ଏତେ ମନ ! ନିଜ ଛୁଆ ବାହା

ଘରକୁ ଟିକେ ଖୋଜିଲେ ନାହିଁ,ସୁଧା କାମବାଲୀ ପର ହେଲେ ବି ତୁମ ଯିବାକୁ ଚାହିଁ ବସିଛି ବୋଲି।ତା ଝିଅ ଜ୍ବାଇଁଙ୍କୁ ଆଶୀର୍ବାଦ କରି ନିଜ ମନ ଓରମାନ ମେଣ୍ଟା ଇବ ବୋଲି !!


ପବି ବାପା ଦେଖିଲ ସୁଧା ପର ହେଲେବି କେତେ ଶ୍ରଦ୍ଧା ରେ ହଜାର ବାର ଫୋନ୍ କରି କହୁଛି ମାଆ ବାବୁଙ୍କୁ ଆଣି ଆସିବଟି?


ସଞ୍ଜୁ ଏ ସୁଧା କେଉଁ ଜନ୍ମରେ ଆମ ଝିଅ ଥିଲା। କି ନିହତ ଲଗାଇ ଆମ କାମ କରୁଛି ! ପସନ୍ଦ ନା ପସନ୍ଦ ଖବର ରଖୁଛି ! ଗୋଟେ କଥା ଶୁଣୁ ତୋତେ କହି ନଥିଲି।ଆମ ନାତୁଣୀ ଜ୍ବାଇଁ ପାଇଁ ଗୋଟେ ଦାମୀ "ବ୍ରେସଲେଟ୍" କରି ରଖିଥିଲି।ଚାଲ ଆଜି ସୁଧା ଜ୍ବାଇଁ କୁ ସେଇଟି ଦେଇ ଆସିବା।


ମୋତେ ସେ "ବ୍ରେସଲେଟ୍ " ଟା ରୁଗୁ ରୁଗୁ କରି ଅହରହ କାଟି ଚାଲିଛି ଲୋ ସଞ୍ଜୁ।ପଇସା ରୋଜଗାର ପଛରେ ଗୋଡ଼ାଇ ପିଲାଙ୍କୁ ମଣିଷ କରିବା ମୋହରେ ସଂସ୍କାର ଟିକେ ପିଲାଙ୍କୁ ଦେବା ଭୁଲି ଯାଇ ଭୁଲ୍ କରିଛି ।


ହଁ ସୁଟ୍ ହଳେ ବି ବରାଦ ଦେଇଛି ଟେଲରକୁ।ଆମ ଦୋକାନ ହିସାବ ପତ୍ର ବୁଝୁଥିବା ବଦ୍ରି ସ୍ତ୍ରୀ ତୋତେ ବୁଲେଇ ଶାଢ଼ୀ ପିନ୍ଧେଇ ଦେବାକୁ ଆସିବ ଆଜି।ସଞ୍ଜୁ ଆମେ ଏବେ ବି ଚାହିଁଲେ ଆମ ପିଲା ଯେମିତି ବାପା ବୋଉ ଚାହୁଁଛନ୍ତି ହୋଇ ପାରିବା।ଗୋଡ଼ ହାତ କି ନିଃଶ୍ବାସ ବନ୍ଦ ନ ହେବା ଯାଏ ଆମେ ଯୁଗ ଅନୁସାରେ ବଦଳିବା ସଞ୍ଜୁ।ମୁଁ ଚାହେଁ ନାହିଁ ତୋତେ କି ମୋତେ କେହି ବେଶ ପୋଷାକ ନେଇ ନା ପସନ୍ଦ କରନ୍ତୁ।ଏଣିକି ଆମେ ନିଜ ପାଇଁ ବଞ୍ଚିବା ଲୋ ସଞ୍ଜୁ।କେଉଁ ପୁଅ ଝିଅ ଆଜିକା ଡେଟ୍ ରେ କେଉଁ ବାପା ମାଆଙ୍କର ନୁହଁନ୍ତି, ବୁଝିଲୁ।


ସୁଧା ତା ଘରେ ବାବୁ ମାଆଙ୍କୁ ଦେଖି ପୁରା ଖୁସି।ଆହା ତା ବାବୁ ସୁଟ୍ ବୁଟ ଓ ମାଆ ସମ୍ବଲପୁରୀ ବୁଲେଇ ପିନ୍ଧା ପାଟରେ କି ଚମତ୍କାର ଦିଶୁଛନ୍ତି !! 


ସୁଧାର ସ୍ନେହ ଶ୍ରଦ୍ଧାରେ ମୋହ ନୂଆ ସକାଳଟିଏ କିନ୍ତୁ ଫିଟି ପଡୁଥିଲା ସଞ୍ଜୁ ଓ ପଵିତ୍ରଙ୍କ ଜୀବନରେ।






Rate this content
Log in

Similar oriya story from Tragedy