ମୋ ମଉସା
ମୋ ମଉସା
ମୋ ମଉସା ବି ଦୌଡୁଥିଲେ ଜୀବନ ତମାମ।ଆଜି କିନ୍ତୁ ସବୁ ଶେଷ।
ସତରେ ଏଇ ସୁନ୍ଦର ମିଛ ପଛରେ ଏନ୍ତୁଡ଼ି ନିଆଁରୁ ମଶାଣୀ ଯୁଇ ପର୍ଯ୍ୟନ୍ତ ପ୍ରତ୍ୟେକ ଜୀଵର କି ଅଣନିଃଶ୍ଵାସୀ
ଦୌଡା !!
ଏଇ ଦୌଡା କିନ୍ତୁ ଇପ୍ସିତ । ଦୌଡୁ ଦୌଡୁ ଆମ ସହ ଯୋଡି ହୋଇଯାଆନ୍ତି ସମ୍ପର୍କ, ସମ୍ବନ୍ଧ,ଜ୍ଞାତି କୁଟୁମ୍ବ ଓ ଅତି ପ୍ରିୟ ଜନ। ପ୍ରତି ମଣିଷ ଗୋଟିଏ କେନ୍ଦ୍ରବିନ୍ଦୁ। ଏଇ ବିନ୍ଦୁ ଚାରିପାଖେ ସମ୍ପର୍କ ଅନେକ ନାମ ନେଇ ପରିଧି ପରି ଘୁରି ବୁଲନ୍ତି।ଅନ୍ତରଙ୍ଗତା ଓ ଆତ୍ମୀୟତାରେ ମହୁ ଥୋପା ଝରି ଆହୁରି ଲୋଭନୀୟ ଓ ମଧୁମୟ କରିଦିଏ ଜୀବନ।
ଜୀବନ ତା ବାଗରେ ଚାଲୁଥାଏ।ସମୟ ସହ ଅହରହ ଦୌଡୁଥାଏ ମଣିଷ।ମୋହାଛନ୍ନ, ମାୟାବିଷ୍ଟ ମଣିଷ ଦୌଡୁ ଦୌଡୁ ଝୁଣ୍ଟେ, ପଡେ, ଭାଙ୍ଗେ ଗଢେ ଆଉ ସବୁଦିନ କିଛି ଆପଣାର ଜନ ହରାଏ ବି।ସବୁ ଦୌଡା,ସବୁ ମାୟା ,ମୋର ମୋହ, ପ୍ରତିଷ୍ଠା, ପ୍ରଭୁତ୍ୱ,କ୍ଷମତା କେବଳ ତ ଗୋଟିଏ ଅପ୍ରିୟ ସତ୍ୟକୁ ଭେଟିବା ପାଇଁ !
ଜୀବନ ଗୋଟେ ସୁନା ହରିଣ।ତାକୁ ପ୍ରାପ୍ତି ଇଚ୍ଛାରେ ଦୌଡୁ ଦୌଡୁ କେତେବେଳେ ବୟସ ଆୟୁଷ ସରି ଯାଏ ଓ ଶେଷ ଘଣ୍ଟି ବାଜିଯାଏ,ସଞ୍ଜ ନଇଁ ଆସେ ସବୁରି ଅଜାଣତେ।
ତେବେ ବି ଅଭିନୟ କରିବାକୁ ହୁଏ।କେହି ଜଣେ ନଟି ଅଛି ଆମକୁ ମାଟି କଣ୍ଢେଇ କରି ନଚାଏ,ଖେଳାଏ ତା ଇଚ୍ଛା ମତେ। ତଥାପି "ରେ ଆତ୍ମନ୍ ନିଦ୍ରା ପରିହରି ,
ଫେଡ଼ିଚିନ୍ତାର ନୟନ, କର କର ନିରୀକ୍ଷଣ ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ,ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ" ପଂକ୍ତିଟି ଦୋହଲାଇ ଦିଏ ପ୍ରତି ମଣିଷ ମଞ୍ଜ।
କୋୖଣସି ଵ୍ୟକ୍ତିର ଆକସ୍ମିକ ବିୟୋଗ ଶୋକ ସନ୍ତପ୍ତରେ ଆଚ୍ଛାଦିତ କରେ ଆତ୍ମୀୟ,ସ୍ୱଜନ, ଓ ଅତି ପ୍ରିୟ ମଣିଷଙ୍କ ହୃଦୟ।ଯଦିଓ ଜଗତର ଅତିବ ପୀଡା ଦାୟକ ଅପ୍ରିୟ ଧ୍ରୁବ ସତ୍ୟ ମୃତ୍ୟୁ ;ତେବେ ବି ବଞ୍ଚିବା ସୁନା ହରିଣ ଜୀବନ ଅତି ଲୋଭନୀୟ ଓ ସୁନ୍ଦର ।ଆତ୍ମା ଅମର, ଅବିଶ୍ବର।ପ୍ରକୃତି,ପୁରୁଷ ଓ ନିୟତିର ଖେଳ ବୁଝିବା ଛାର ମୋହ ଗ୍ରସ୍ତ ମଣିଷ କେତେ ବା ବୁଝେ।ଶ୍ରୀମଦ୍ଭାଗବତ ଗୀତା କୁହେ:
"ବାସାଂସି ଜୀର୍ଣ୍ଣାନି ଯଥା ବିହାୟ
ନବାନି ଗୃହ୍ନାତି ନରୋପରାଣି
ତଥା ଶରୀରାଣି ବିହାୟ ଜୀର୍ଣ୍ଣା
ନ୍ୟନ୍ୟାନି ସଂଯାତି ନବାନି ଦେହୀ।"
ପୁରୁଣା ବସ୍ତ୍ର ବଦଳାଇ ଆମେ ଯେପରି ନୂଆ ବସ୍ତ୍ର ପିନ୍ଧୁ ସେହି ପରି ଶରୀର ଜୀର୍ଣ୍ଣ ବା ଦୁର୍ବଳ ହୋଇଗଲେ ଆତ୍ମା ଆପଣେଇଁ ଥିବା ଘଟ ତ୍ୟାଗ କରି ଅନ୍ୟ ଘଟର ଆଶ୍ରୟ ଲୋଡ଼େ।ପ୍ରକୃତରେ ମଣିଷ ଶରୀର ଛାଡେ ନୂଆ ଶରୀର ସନ୍ଧାନରେ।
କିନ୍ତୁ ଯେତେ ଜାଣିଲେ ବି ନିଜ ପ୍ରିୟ ମଣିଷର ଅବର୍ତ୍ତମାନକୁ ଗ୍ରହଣ କରିପାରନ୍ତି ନାହିଁ ମାଟି ମୋହେ ଘାଣ୍ଟି ହେଉଥିବା ଏପାରିର ସମ୍ପର୍କ।ଭିଡ଼ ଘୋ ଘୋ ଭିତରେ ଭାରି ଏକା ଲାଗେ ପ୍ରିୟ ମଣିଷଙ୍କୁ ହରାଇ।
ଆଜି ସେମିତି ଏକ ଅବ୍ୟକ୍ତ ଦୁଃଖ ମୋତେ ଦଂଶିଛି।ମୋର ପିତୃ ପ୍ରତିମ ମଉସା ରାଣୀ ହାଟ ଗୋପାଳ ସାହିର ସ୍ୱର୍ଗତଃ ତ୍ରିଲୋଚନ ନାଟିଆଙ୍କୁ ହରାଇ ମୋ ଆତ୍ମା ଛଟପଟ।ସେ ମୋ ପାଇଁ ମଉସା ନୁହନ୍ତି ,ଥିଲେ ବାପା।ତାଙ୍କ ସ୍ନେହ,ଶ୍ରଦ୍ଧା ଭଲ ପାଇବା ପୃଥିବୀରେ ମୁଁ ସବୁଠାରୁ ସୁରକ୍ଷିତ ଓ ଖୁସି ମଣିଷଟିଏ ଥିଲି । ସେ ମୋର ସମସ୍ତ ସୁଖର ନିଶ୍ଚିନ୍ତ ଠିକଣା ଥିଲେ। ସବୁକ୍ଷଣେ ତାଙ୍କ ଠାରୁ ପରାମର୍ଶ, ବିହିତ ଉପଦେଶ ପାଇବା ପାଇଁ ଦଉଡ଼ି ଯାଉଥିଲି। ହୃଦୟରେ ବସିଥିବା ସେଇ ମହାନ ବ୍ୟକ୍ତିତ୍ୱ ମଉସା ଆଜକୁ ଏଗାର ଦିନ ହେବ ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେପାରିର ଯାତ୍ରୀ ସାଜିଛନ୍ତି। ଆଉ କୌଣସି ଦିନ ତାଙ୍କ ସ୍ନେହ କି ଉପଦେଶ ମୋତେ ମିଳିବ ନାହିଁ ଭାବିଲେ ହୃଦୟ ଭୀଷଣ ପୀଡ଼ାରେ ଭାଙ୍ଗି ପଡୁଛି।ଆଉ ତାଙ୍କୁ ସଶରୀରେ ଦେଖି ପାରିବି ନାହିଁ, ଏକଥା ଖୁବ୍ ବାଧୁଛି।
ସଂସାରରେ ଅନେକ ଚେହେରା,ବ୍ୟକ୍ତି,ଚରିତ୍ର ସଂସ୍ପର୍ଶରେ ଆମେ ଆସିଥାନ୍ତି।ସବୁ ମୁହଁ କି ସବୁ ମଣିଷ ପ୍ରତି ହୃଦୟରେ ଛାପି ହୋଇ ରୁହନ୍ତି ନାହିଁ।ଥାଆନ୍ତି ହାତ ଗଣତି କେଇ ଜଣ ଯାହାଙ୍କୁ ଲୋକେ ମନେ ରଖନ୍ତି।ଗୁଣ ବାହୁନନ୍ତି।ମଣିଷ ମନ ବେଦି ପରେ ସେମାନେ ବସିଥାନ୍ତି।ମଣିଷଙ୍କ ହୃଦୟରୁ ସେମାନଙ୍କ ପାଇଁ ଝରେ ସ୍ନେହ,ସମ୍ମାନ ଗଦା ଗଦା। ସେମିତି ନିଜ କର୍ମ ପାଇଁ ମଣିଷ ଛାତିରେ ବଞ୍ଚି ରହିବା ମଣିଷ ପରି ମଣିଷଟିଏ ମୋ ମଉସା ସ୍ୱର୍ଗତଃ ତ୍ରିଲୋଚନ ନାଟିଆ।
ସ୍ୱର୍ଗତଃ ତ୍ରିଲୋଚନ ନାଟିଆଙ୍କ ପିତା ଥିଲେ ବୃନ୍ଦାବନ ନାଟିଆ।ଘର କଟକସ୍ଥିତ ରାଣୀହାଟ ଗୋପାଳ ସାହି।ତାଙ୍କ ସହଧର୍ମିଣୀ ବିଦ୍ୟୁତ ପ୍ରଭା ନାଟିଆ।ଦୁଇ ପୁତ୍ର ଓ ପାଞ୍ଚ କନ୍ୟା ତାଙ୍କର ଏବେ ବିଭିନ୍ନ କର୍ମ ସଂସ୍ଥାନରେ କାର୍ଯ୍ୟରତ।
ସ୍ୱର୍ଗତଃ ତ୍ରିଲୋଚନ ନାଟିଆ ସମସ୍ତ ଗୋପାଳ ବା ଯାଦବ କୁଳର ଗର୍ଵ ଓ ଗୌରବ ଥିଲେ।ଓଡିଶା ଯାଦବ ସଂଘର ସେ ପ୍ରେସିଡେଣ୍ଟ ଥିଲେ।ତାଙ୍କ ପ୍ରାଣ ସମଗ୍ର ଯାଦବ କୁଳର ଉନ୍ନତି ପାଇଁ କାନ୍ଦୁଥିଲା।ଓଡିଶା ହକି ଓ ଫୁଟ୍ ବଲ୍ ଦଳର ସେ ନେତୃତ୍ୱ ନେଉଥିଲେ।ଗଭରମେଣ୍ଟ୍ ପ୍ରେସ୍ ରେ ସେ ଜଣେ ପ୍ରତିଭା ସମ୍ପନ୍ନ ଧୁରିଣ କର୍ମଚାରୀ ଥିଲେ।ରାଣୀହାଟ ବଜାର ଆସୋସେସନର୍ ସେ ସଭାପତି ଥିଲେ।ବହୁମୁଖୀ କାର୍ଯ୍ୟ ତାଙ୍କର ତାଙ୍କୁ ମରଣ ଜୟୀ କରି ରଖିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
" ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହେଲେ ହେଁ ମରଇ।"
ଜନ୍ମ ନେଲେ ସମସ୍ତେ ମରନ୍ତି ଏହା ଚନ୍ଦ୍ର ସୂର୍ଯ୍ୟଙ୍କ ପରି ସତ୍ୟ।ମଣିଷ ତ ମଣିଷ ଦେବତା ବି ନର ରୂପେ ଜନ୍ମ ହେଲେ ମରନ୍ତି ।କିନ୍ତୁ ମଲା ପରେ ମଣିଷ ହୃଦୟରେ ତ୍ରିଲୋଚନ ମଉସାଙ୍କ ପରି କେତେ ଜଣ ବଞ୍ଚନ୍ତି !!
"ରହି ନାହିଁ କେହି ରହିବେ ନାହିଁଟି
ଭଵ ରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡିବେ କାଳ ବଳେ।"
ଆମେ ସମସ୍ତେ ଦିନେ ଏ ପାରି ମୋହକୁ ପଛ କରି ଯିବା ନିଶ୍ଚିନ୍ତ।କିନ୍ତୁ ଏମିତି କିଛି କର୍ମ କରିବା ଯେପରି ସବୁରି ହୃଦୟରେ ବଞ୍ଚି ମରଣଜୟୀ ହେବା ମୋ ମଉସା ସ୍ୱର୍ଗତଃ ତ୍ରିଲୋଚନ ନାଟିଆଙ୍କ ପରି।
ହେ ଦିବ୍ୟଙ୍ଗତ ଦିବ୍ୟଆତ୍ମ! ମୋ ଅନ୍ତର ତଳୁ ସମସ୍ତ ଶ୍ରଦ୍ଧା ସମ୍ମାନ ସୁମନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବାଢୁଛି।ଆପଣଙ୍କ ଅମର ଆତ୍ମା ସଦ୍ ଗତି ଲଭୁ।କଟକ ବିଶ୍ୱ ନିୟନ୍ତାଙ୍କ ନିକଟରେ ପ୍ରାର୍ଥନା କରେ ଆପଣଙ୍କ ପରି ମଣିଷ ବାରମ୍ବାର ଜନ୍ମ ନିଅନ୍ତୁ।
