STORYMIRROR

Manaswini Dash

Inspirational

3  

Manaswini Dash

Inspirational

ମୋ ଜୀବନ କାହାଣୀ

ମୋ ଜୀବନ କାହାଣୀ

3 mins
209


କାହାଣୀ ତ ସମସ୍ତଙ୍କ ଜୀବନରେ ଥାଏ କାରଣ କାହାଣୀ ବିନା ଜୀବନର ସ୍ଥିତି ହିଁ ନାହିଁ। ମାତ୍ର ; ମୋ ଜୀବନର କାହାଣୀ କିଛି ସ୍ୱତନ୍ତ୍ର ଯେଉଁଠି ଅନେକ ଅଦ୍ଭୁତ ଘଟଣା ସ୍ଥାନ ପାଇଛି ତା ବାଟରେ । ନିଜ ଅଜାଣତରେ ଆମନ୍ତ୍ରଣ କରିଛି ଅନେକ ଛଳନା, ବିଶ୍ୱାସଘାତକତା ଆଉ ପ୍ରତାରଣା । ସଂଘର୍ଷ ଯେମିତି ମୋ ଜୀବନର ଗୋଟେ ଅଲିଭା ଅଂଶ । ଜୀବନର ପ୍ରତେକ ପୃଷ୍ଠାରେ ସେଇ ସଂଘର୍ଷର କାହାଣୀ ଯେମିତି ପ୍ରତିଫଳିତ ।


ଜନ୍ମରୁ ଅନେକ ସ୍ନେହ, ଶ୍ରଦ୍ଧା ଭିତରେ ମୋର ଲାଳନ ପାଳନ ହୋଇଥିଲା ।ବାପା ଆର୍ଥିକ ଦୈନ୍ୟ ଭିତରେ ବି କେବେ ମତେ ଅଭାବ ଜାଣିବାକୁ ଦେଇନଥିଲେ । ମା ସବୁବେଳେ ମତେ ତା ପଣତ କାନି ଭିତରେ ଲୁଚେଇରଖୁଥିଲା । ଯେତେବେଳେ ପାଠ ପଢା ଆରମ୍ଭ ହୋଇଥିଲା ସେତେବେଳେ ମୋ ବାପାଙ୍କ ହୃଦୟରେ ଉଙ୍କି ମାରିଥିଲା ଅନେକ ସ୍ବପ୍ନ । ଏତେ ସ୍ନେହ ଆଉ ଯତ୍ନ ଭିତରେ ମୁଁ କିନ୍ତୁ ପଢା ପାଇଁ ଯତ୍ନବାନ ନଥିଲି । ବାପା ମୋ ଠାରୁ ଆଶା କରି କରି ବିଫଳ ପାଲଟି ଯାଇଥିଲେ ଏବଂ ଆଉ ସମସ୍ତ ଭରସା ମଧ୍ୟ ତୁଟେଇ ସାରିଥିଲେ ।

ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ଏକ ନୂତନ ବିଦ୍ୟାଳୟରେ ପଢିବାକୁ ଆରମ୍ଭ କଲି ସେତେବେଳେ ମୋ ଭିତରେ ଏକ ଅଭିନବ ବିପ୍ଳବ ଦେଖାଦେଲା । ଭାବିଲି ପାଠ ପଢା ବିନା ବୋଧେ ଏ ସମାଜରେ କିଛି ପରିଚୟ ନଥାଏ।ସେଇଦିନଠୁ ଆରମ୍ଭ ହେଲା ମୋ ସଂଘର୍ଷର ଯାତ୍ରା ।ଆର୍ଥିକ ଅଭାବ ପାଇଁ କିଛି ଭଲ ଟ୍ୟୁସନ ପାଇପାରୁନଥିଲି । ଇଚ୍ଛା ଥାଇ ମଧ୍ୟ ମୁଁ ଭଲ ରେଜଲ୍ଟ କରିପାରୁନଥିଲି । ମାତ୍ର ଦଶମ ଶ୍ରେଣୀରେ ବାପା ଅନିଚ୍ଛା ସତ୍ୱେ ମୋତେ ପଢ଼େଇବାକୁ ଚେଷ୍ଟା କରିଥିଲେ । ଈଶ୍ୱର ବୋଧେ ତାଙ୍କୁ ମୋ ପଢା ଜୀବନରେ ଏକ ଦେବଦୂତ ହିସାବରେ ପ୍ରେରଣ କରିଥିଲେ । ବାପାଙ୍କର ନୈରାଶ୍ୟଜଣକ ନିଶ୍ୱାସ ମୋତେ ବହୁତ କଷ୍ଟ ଦେଉଥିଲା ଆଉ ସଫଳତା ପାଇବାର ଅଗ୍ନିକୁ ଅଧିକ ପ୍ରଜ୍ବଳିତ କରୁଥିଲା । ଶେଷରେ ମୁଁ ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିଲି । ସେଦିନ ମୋ ବାପାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବୋହିଯାଇଥିଲା ।ମୋ ମା ବି କାନ୍ଦି ପକାଇଥିଲେ ।


ଏହା ପରେ ଆରମ୍ଭ ହୁଏ କଲେଜ ଜୀବନ । ଅନେକ ଅର୍ଥର ଆବଶ୍ୟକତା ଥିଲା ତଥାପି ମୋ ବାପା କେବେବି ସାହସ ହରାଇ ନଥିଲେ । ସେଇ ଈଶ୍ୱରଙ୍କ ସହାୟତାରେ ଅନେକ ଲୋକ ମଧ୍ୟ ସହାୟତା କରିଥିଲେ ।ଦିନେ ଗୋଟେ ଘଟଣା ମୋ ଆଖିରୁ ଲୁହ ଟାଣିଆଣିଥିଲା । ଆମ ଘରକ

ୁ ଜଣେ ଅଧ୍ୟାପକ ସାର ଆସିଥିଲେ । ସେ ମୋତେ ପଢା ପାଇଁ ଅନେକ ବହି ଯୋଗାଇଦେଇଥିଲେ । ତାଙ୍କ ଆଗରେ ମୋ ବାପା ଏକ ମେଧା ବୃତ୍ତି ନିମନ୍ତେ ଅନୁରୋଧ କରୁଥିଲେ ଯାହାକି ମୋ ସ୍ୱାଭିମାନକୁ ବହୁତ କଷ୍ଟ ଦେଇଥିଲା ।ମୁଁ ଆମର ଛାତ ଉପରେ ବହୁତ କାନ୍ଦିଥିଲି ସେଇ ନିରବତା ଭିତରେ । ଆମର ଆର୍ଥିକ ଦୈନ୍ୟ ପାଇଁ ସମ୍ପର୍କୀୟ ମାନେ ମଧ୍ୟ ଆମକୁ ଉପହାସ କରିବାର ସାମାନ୍ୟତମ ସୁଯୋଗ ହାତଛଡା କରୁନଥିଲେ । ଏମିତି ଯନ୍ତ୍ରଣା, ଦୁଃଖ ଆଉ ନିଃସହାୟତା ଭିତରେ ବିତୁଥିଲା ମୋ ସଂଘର୍ଷମୟ ଜୀବନ ।


ମୋର କଲେଜ ଜୀବନରେ ଅନେକ ସାର ତାଙ୍କର ଆଶୀର୍ବାଦ ମୋ ଉପରେ ଅଜାଡି ଦେଇଥିଲେ ।ସେମାନେ ଚାହୁଁଥିଲେ ମୁଁ ଜଣେ ଅଧ୍ୟାପକ ହୁଏ ମାତ୍ର କିଛି ପରିସ୍ଥିତି ମୋତେ ଅଟକାଇ ଦେଇଥିଲା ।ଯାହାବି ହେଉ ମୁଁ ଈଶ୍ୱରଙ୍କ ଆଶୀର୍ବାଦରୁ ସ୍ନାତକରେ ପ୍ରଥମ ହୋଇଥିଲି । ସେଦିନ ମୋ ବାପାଙ୍କ ଆଖିରେ ଦେଖିଥିଲି ପ୍ରକୃତ ଖୁସିର ଝଲକ । ତାପରେ ବି. ଏଡ଼ ର ଜୀବନ ଆରମ୍ଭ ହୁଏ । ସେଇ ସମୟରେ ମଧ୍ୟ ଅନେକ ଝଡ଼ର ସାମ୍ନା କରିଛି ।ବାପାଙ୍କ ଭାଇମାନେ ତାଙ୍କୁ ବହୁତ ଆଘାତ ଦେଇଚାଲିଥିଲେ । ଦିନକୁ ଦିନ ମୁଁ ମଧ୍ୟ ଯେମିତି ଭାଙ୍ଗି ଭାଙ୍ଗି ଚାଲିଥିଲି ତାଙ୍କ ଦୁଃଖକୁ ଦେଖି ।


 ତାପରେ ଈଶ୍ୱରଙ୍କ କୃପାରୁ ମୁଁ ଗୋଟେ ଶିକ୍ଷକ ରୂପେ ମୋର ଚାକିରି ଜୀବନ ଆରମ୍ଭ କରିଥିଲି । ମାତ୍ର ଶିକ୍ଷକ ଟିଏ ହୋଇଛି ବୋଲି ସମାଜ ମତେ କେତେଯେ ତାଚ୍ଛଲ୍ୟ କରିଛି ତାର କିଛି ହିସାବ ନାହିଁ । କିନ୍ତୁ ମୋ ବାପା କେବେବି ଦୁଃଖ କରନ୍ତି ନାହିଁ ।କାରଣ ସିଏ ସବୁବେଳେ ଅଳ୍ପରେ ସନ୍ତୁଷ୍ଟ ରହିବାକୁ ଭଲ ପାନ୍ତି । 

ଶିକ୍ଷକଟିଏ ହୋଇଛି ସତ ମାତ୍ର ଆଖିରେ ଆଖିଏ ସ୍ୱପ୍ନ । ଆଗକୁ ବଢିବାକୁ ଅନେକ ଇଚ୍ଛା ମାତ୍ର ଏବେବି ସମାଜର ବେଡି । ସବୁଆଡେ ଉପହାସ, ଟାହିଟାପରା ଆଉ ସମାଲୋଚନା । 

ତଥାପି ବାପାଙ୍କ ଆଖିରୁ ନିସ୍ତାର ନେଇନି ସ୍ବପ୍ନ । ସବୁ ଆଘାତ, ବିଶ୍ୱାସଘାତକତା ଆଉ ଛଳନା ଭିତରେ ବାପା ବଞ୍ଚିଛନ୍ତି ଈଶ୍ୱରଙ୍କୁ ସାହାରା କରି ।


ଏଇଥିଲା ମୋ ଜୀବନର ଅଧା କାହାଣୀ । ଆହୁରି ଅନେକ ସ୍ବପ୍ନ ବାକି ଅଛି ଏଇ ଆଖିରେ । ଅନେକ ସଂଘର୍ଷ ବି ଦେଖିବାକୁ ଅଛି । ଅନେକ ସନ୍ଦେହ, ଅନିଶ୍ଚିତତାକୁ ନେଇ ଜୀବନ ଗତିକରୁଛି ତଥାପି ଆଶା ରହିଛି ସଫଳତାରେ ଭିଜା ଏକ ସୁନେଲି ସଖାଳ ଦେଖିବାକୁ ।


Rate this content
Log in

Similar oriya story from Inspirational