Manaswini Dash

Tragedy

3  

Manaswini Dash

Tragedy

ବିଷାଦର ସାହାରା

ବିଷାଦର ସାହାରା

4 mins
330


ସେଦିନ ହୃଦୟଟା ଯେମିତି ଫାଟି ଯାଉଥାଏ | କେତେଯେ ଆନମନା ଭାବନା ବିଚଳିତ କରୁଥାଏ ଭାଷାରେ କହିହବନି | ଲାଗୁଥିଲା ଯେମିତି ଏଇ ପୃଥିବୀରେ ମୁଁ ହିଁ କେବଳ ଜଣେ ବିରଳ ମଣିଷ ଯାହା ଜୀବନରେ ପ୍ରତୀକ୍ଷାର କୌଣସି ଅନ୍ତ ନାହିଁ, ବିଷାଦର କୌଣସି ପୂର୍ଣ୍ଣଛେଦ ବି ନାହିଁ | ଅଜାଣତରେ ଆଖିରୁ ଲୋତକ ବହିଯାଉଥାଏ ଆଉ ବାରମ୍ବାର ଆଖି ଆଗରେ ନାଚି ଉଠୁଥାଏ ମୋର ନିଃସ୍ୱ, ଭଗ୍ନ, ଦୁର୍ବଳ ଆତ୍ମା ର ପ୍ରତିଛବି |

ଆଖିରେ ନିଦ ବି ଭରି ରହିଥାଏ | ଯନ୍ତ୍ରଣାର ଓଜନିଆ ବୋଝ ଭିତରେ ନିଦ ବି ପଳାତକ ପାଲଟି ଯାଇଥାଏ | ଯାହାବି ହଉ ସବୁ ଦୁଃଖ, ଯନ୍ତ୍ରଣା ଭିତରେ ମୁହଁରେ ହସର ଝଲକ ଫୁଟେଇ ବାର ଥିଲା, କଳା ପଡି ଯାଇଥିବା ମୁହଁରେ ପାଉଡର ଲଗାଇ ନିଜେ ଠିକ ଥିବାର ଅଭିନୟ ବି କରିବାର ଥିଲା | ସମସ୍ତ ଆଘାତକୁ, ବେଦନାକୁ କବର ଦେଇ ବାହାରିଲି ଅଫିସକୁ | ରାସ୍ତାରେ କେତେ ଯେ କୋଳାହଳ, ସମସ୍ତଙ୍କର ହୃଦୟର ଖୋଲା ହସକୁ ଦେଖିଲା ପରେ ନିଜକୁ ଭାରି ବିକଳ ଲାଗିଲା, ଟିକେ ପୁଣି କାନ୍ଦି ପକେଇଲି | ନିଜର ବେଦନାଜର୍ଜରିତ ପୃଥିବୀ ଟିକେ ନିଶ୍ଚିନ୍ତ ହେଲା | ହେଲମେଟ ଭିତରେ ଲୁଣିଆ ଲୁହ ଗୁଡା ସିଧା ଆସି ଓଠ ଭିତରେ ପଶିଗଲା | ଭାବୁଥିଲି କେତେ ହତଭାଗିନି ମୁଁ | ମୋ ପାଇଁ କଣ ସତରେ ଈଶ୍ୱର ନାହାନ୍ତି, ସତରେ କଣ ତାଙ୍କ ଦ୍ୱାର ରେ ମୋ ପାଇଁ ନ୍ୟାୟ ନାହଁ? ଏମିତି ଗୁଡ଼ାଏ ପ୍ରଶ୍ନ ଭିତରେ ଗାଡିର ଗତିଟା ମୁଁ ଧୀର କରିଦେଇଥିଲି | ହାତରେ ଘଣ୍ଟା କୁ ଚାହିଁଲା ବେଳକୁ ବିଳମ୍ବ ହୋଇଯାଇଥିଲା ଏବଂ ଗାଡିର ଗତି ଜୋରରେ ବଢ଼ାଇ ଅଫିସରେ ପହଞ୍ଚିଲି |

ମନ ବହୁତ ଭାରାକ୍ରାନ୍ତ ଥାଏ | ହଠାତ ମୋର ସହକର୍ମୀ ଇପ୍ସିତା କହିଉଠିଲେ, " ମ୍ୟାଡାମ ଦେହ ଭଲ ନାହିଁକି? " ମୁଁ ହଠାତ କହିଉଠିଲି ହଁ ସବୁ ଠିକ ଅଛି | ତାପରେ ମୋ ଟେବଲ ଉପରେ ଫାଇଲଗୁଡାକୁ ଅନେଇ ଅନେଇ ପୁଣି ସେଇ ତିକ୍ତ ଅତୀତକୁ ମନେ ପକାଇଲି |ସରୋଜଙ୍କର ସେ ପ୍ରତିଶ୍ରୁତି କାନ ପାଖରେ ପ୍ରତିଧ୍ୱନିତ ହେଉଥାଏ | ଆ ଭିତରେ ପାଞ୍ଚ ବର୍ଷ ବିତିଯାଇଥିଲେ ବି ତାଙ୍କର କୌଣସି ଖବର ନଥିଲା |କାଲି ହଠାତ ଫେସବୁକରେ ତାଙ୍କ ସଦ୍ୟ ବିବାହର ଫୋଟୋ ଦେଖି ଚମକି ପଡ଼ିଥିଲି | ହଠାତ ପାଗଳ ହୋଇଗଲା ଭଳି ଅନୁଭବ ହୋଇଥିଲା ଏବଂ ତାପରେ ହସ ଲାଗିଥିଲା କାହଁକିନା ମୋର ସବୁ ସନ୍ଦେହ ବାସ୍ତବ ରୂପ ନେଇଥିଲା | 

ହଠାତ ମୁଁ ଫୋନରେ ନାମଗୁଡାକୁ ଦେଖୁ ଦେଖୁ ତାଙ୍କ ନାମ ଆସିଲା | ମୁଁ ତୁରନ୍ତ ତାକୁ ଫୋନରୁ କାଟିଲି ଆଉ ଟିକେ ଶାନ୍ତି ପାଇଲି |ଦେହଟା ଥରି ଉଠୁଥାଏ | ରାତିରୁ କିଛି ବି ଖାଇ ନଥାଏ | ବାପାଙ୍କର ବାରମ୍ବାର ଫୋନ ଆସୁଥାଏ କାରଣ ମୁଁ ତାଙ୍କୁ କାଲିଠୁ ଫୋନ କରିନଥିଲି ମୁଁ ତାଙ୍କୁ ମିଛ ହସ ଫୁଟାଇ କହିଲି ବାପା ସବୁ ଠିକ ଅଛି | ମୁଁ ଭଲରେ ଅଛି ତମେ ବ୍ୟସ୍ତ ହବନି | ମାଆ ବି ମୋ ପାଇଁ ଚିନ୍ତିତ ହୋଇ ପଡୁଥିଲା | ଆ ଭିତରେ ଅନେକ କାମ ଆସି ପହଞ୍ଚିଲା | ଆଖି ଭାରି ଭାରି ଲାଗୁଥାଏ , ଦେହ ଥରୁଥାଏ | ସମସ୍ତ ଯନ୍ତ୍ରଣାକୁ ଚାପି ରଖି କାମ କଲି |

ଚାରିଟା ବାଜି ଗଲା | ସମସ୍ତେ ଘରକୁ ଯିବାକୁ ବାହାରିଲେ | ମୁଁ ସେମିତି ବସିଥାଏ | ଯିବାକୁ ଜମା ଇଚ୍ଛା ନଥାଏ | ତଥାପି ବାହାରିଲି | ସମସ୍ତଙ୍କ ଆଗରେ ହସି ଗାଡି ବାହାର କରି ଚାଲିଲି | ପାଖରେ ପଇସା ନଥିଲା ଏବଂ ମତେ ଏଟିଏମରୁ ଉଠେଇବାର ଥିଲା | ରାସ୍ତାରେ ଆଖିରୁ ଲୁହ ବହିଯାଉ ଥାଏ, ବାରମ୍ବାର ସରୋଜଙ୍କ କଥା ମନେ ପଡୁଥାଏ | ତାଙ୍କ ବିଶ୍ୱାସଘାତକତା ବହୁତ ବାଧୁ ଥାଏ | ଏମିତି ଭାବୁ ଭାବୁ ଚେକଗେଟ ପାଖରେ ପହଞ୍ଚିଲି | ସେଦିନ ଟ୍ରେନ ବି ଯେମିତି ମୋ ଧୈର୍ଯ୍ୟର ପରୀକ୍ଷା ନେବାକୁ ପଛାଉ ନଥିଲା | ଟ୍ରେନଟି ଧୀର ଗତିରେ ତାର ବେତାଳିଆ ଛନ୍ଦରେ ଆଗେଇଚାଲିଥିଲା |ଟ୍ରେନ ଶବ୍ଦ ସାଙ୍ଗରେ ସରୋଜଙ୍କ କଥା ଗୁଡାକବି ଗୁଂଜରିତ ହେଉଥିଲା | କେତେ ଛଳନା? କେତେ ପ୍ରତାରଣା? କେତେ କପଟ? ଓଃ !! ମୁଣ୍ଡଟା ବୁଲେଇ ଦଉଥିଲା ଆଉ ଲାଗୁଥିଲା ଯେମିତି ଏବେ ହିଁ ପ୍ରାଣ ବାୟୁ ଉଡିଯିବ | ହଠାତ ଲାଗିଲା ମୋ ପାଦକୁ ଜଣେ ଜାବୁଡି ଧରିଛି | ମୁଁ ଯେତେବେଳେ ବାସ୍ତବ ଦୁନିଆକୁ ଫେରି ଆସିଲି ଦେଖିଲି ଗୋଟେ କୋମଳ ଶିଶୁ ମୋ ପାଦ ଧରି ମାଆ ମାଆ ଚିତ୍କାର କରୁଛି | ଭାବିଲି କୋଉ ଗୋଟେ ଟାଉଟର ଆସି ବୋଧହୁଏ ଅଭିନୟ କରୁଛି | କାରଣ ମନ ଭିତରେ ବିଶ୍ୱାସ ହିଁ ତୁଟି ଯାଇଥିଲା | କର୍କଶ ସ୍ୱରରେ ପଚାରିଲି କଣ ହୋଇଛି? ସେ କହିଲା ମତେ କିଛି ପଇସା ଦେ ମାଆ | ମୁଁ କହି ଉଠିଲି ପଇସା ନେଇ ମଦ ପିଇବୁ ବୋଧହୁଏ | ସେ କହିଲା ମୋ ବାପାକୁ ଦେବି ଆଉ ହାତରେ ଠାରି ଦେଖେଇଲା ଦୂରରୁ ବହି ଆସୁଥିବ ବଂଶୀର ସ୍ୱର ଆଡକୁ | ଲୋକଟି ଜୀର୍ଣ୍ଣ, ଶୀର୍ଣ୍ଣ ଆଉ ମଳିନ ଥିଲା ଏବଂ ଅନ୍ଧ ମଧ୍ୟ ଥିଲା | ତାଠାରୁ ଆଖି ଫେରେଇ ପୁଣି ପଚାରିଲି ତୁ ପାଠ ପଢୁଛୁ ? ସେ କହିଲା ମା ମୁଁ ପାଠ ପଢିଲେ ବାପାକୁ କିଏ ସମ୍ଭାଳିବ | ମୋ ମାଆ, ବାପାକୁ ଛାଡି କୁଆଡେ ଚାଲି ଯାଇଛି ଆଉ ମୋ କାକା ମାନେ ମୋ ବାପାର ସବୁ ସମ୍ପତ୍ତି ନେଇ ଯାଇଛନ୍ତି | ମୁଁ ଆଉ ତାକୁ କିଛି କହିବା ଅବସ୍ଥାରେ ନଥିଲି | ପାଖରେ ଖୁଚୁରାବି ନଥିଲା | ବ୍ୟାଗରୁ ପାଞ୍ଚ ଟଙ୍କା କାଢି ଦେଲି| ତାପରେ ସେ ପୁଣି ତାର ବାପା ଆଡକୁ ଚାଲିଗଲା |

ଆକାଶକୁ ଚାହିଁ ଭାବିଲି ଯଦି ଅନ୍ଧ ଲୋକଟି ବିଶ୍ୱାସଘାତକତାର ଶୀକାର ହେଲାପରେ ବି ବଞ୍ଚିବାକୁ ସଂଘର୍ଷ କରୁଛି ଏବଂ ପେଟ ପାଇଁ ସମାଜ ପାଖରେ ହାତ ପତାଉଛି ମୁଁ କାହଁକି ଏତେ ଦୁଃଖରେ ରହୁଛି ଏବଂ ଭିତରେ ସୃଷ୍ଟି କରିଦେଇଛି ବିଷାଦର ସାହାରା | ବାରମ୍ବାର ଆଖି ଆଗରେ ସେ ଛୁଆର ବିକଳ ମୁହଁ ନାଚି ଉଠୁଥିଲା ଏବଂ ପୁଣି ଥରେ ଆଖିରୁ ଅଜାଣତେ ବହିଗଲା ଲୁଣିଆ ଲୁହଗୁଡ଼ାକ | ଇତି ମଧ୍ୟରେ ଟ୍ରେନ ଚାଲି ଯାଇଥିଲା | ପଛରୁ ହର୍ଣ୍ଣ୍ ଶୁଣି ମୋ ଭାବନାର ଅନ୍ତ ଘଟାଇଲି ଆଉ ଦୀର୍ଘନିଃଶ୍ୱାସଟିଏ ଛାଡି ଆଗେଇ ଚାଲିଲି |



Rate this content
Log in

Similar oriya story from Tragedy