Manaswini Dash

Tragedy

3  

Manaswini Dash

Tragedy

ନିରବ ବିଦ୍ରୋହ

ନିରବ ବିଦ୍ରୋହ

4 mins
125


ସେଦିନ ସ୍ମିତାର ତା ବାପାଙ୍କ ସହ ପ୍ରବଳ ଝଗଡା ହେଲା | ତା ବାପା ଏ ଆଧୁନିକ ସମାଜର ଜଣେ ପରିଚିତ ସାମାଜିକ ପ୍ରାଣୀ ପାଲଟି ଯାଇଥିଲେ ଏବଂ ସେହି ଦୁନିଆର ଚାକଚକ୍ୟ ଭିତରେ ନିଜକୁ ଖୋଜିବାକୁ ଚାହୁଁଥିଲେ | ସବୁ ମୁହୂର୍ତ୍ତରେ ସେ ଅନ୍ୟ ସହ ସ୍ମିତାକୁ ତୁଳନା କରୁଥିଲେ ଏବଂ ତା ସଫଳତାରେ ସେ ବିଲକୁଲ ବି ଖୁସି ହୋଇପାରୁନଥିଲେ | ତାଙ୍କୁ ଯେମିତି ସମାଜରେ ବଡ ପରିଚୟ ପାଇବାର ନିଶା ହିଁ ପାଗଳ କରିସାରିଥିଲା | ଏପଟେ ସ୍ମିତା ସେସବୁ ଚାପ ଭିତରେ ନିଜକୁ ଅଣନିଶ୍ୱାସୀ ଅନୁଭବ କରୁଥିଲା |

ସ୍ମିତା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ଥିଲା | ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିଲେବି ସେ ଯେମିତି ସ୍ୱଇଚ୍ଛାରେ ଆପଣେଇଥିଲା ଶିକ୍ଷକତାକୁ | ଛୋଟ ଛୋଟ ପିଲାଙ୍କ ଆଖିରେ ଖୋଜୁଥିଲା ବଡ ବଡ ସ୍ୱପ୍ନକୁ |ସେମାନଙ୍କ ହସରେ ସେ ଯେମିତି ତା ହୃଦୟରେ ପର୍ବତସମ ସଂଚିତ ବିଷାଦକୁ ଭୁଲିଯାଉଥିଲା | ସେମାଙ୍କ ସ୍ନେହରେ ସବୁ ଯେମିତି ପାସୋରି ଦେଉଥିଲା ସ୍ମିତା ଆଉ ଆଗକୁ ସେ ସ୍ଥିର କରିସାରିଥିଲା ଯେ ଏଇ ଛୋଟ ଛୋଟ ପିଲାଙ୍କ ଖୁସିର କୋଣାର୍କରେ ସେ ଗଢିବ ନିଜର ଭବିଷ୍ୟତ |

ସ୍କୁଲରେ ଯେତେ ସମୟ ରହୁଥିଲା ସେତେ ସମୟ ସେ ଖୁସିରେ ବିତାଉଥିଲା | ସେଇ କଳାପଟା ଆଉ ଚକଖଡି ରେ ନିଜର ମନର ଭାବକୁ ପ୍ରକାଶ କରୁଥିଲା | ମାତ୍ର ; ଛୁଟି ହେବା ମାତ୍ରେ ତା ଭିତରେ ଯେମିତି ବିଷାଦର ଘଡଘଡି କମ୍ପନ ସୃଷ୍ଟି କରୁଥିଲା ଏବଂ ହୃଦୟ ତାର ଅଜଣା ଭୟରେ ଭାରି ହୋଇଯାଉଥିଲା |

ସେ ଯେବେବି ତା ବାପାଙ୍କୁ ତାର ମନ କଥା କହିବାକୁ ପ୍ରକାଶ କରୁଥିଲା ତା ବାପା କେବଳ ଟଙ୍କା, ପ୍ରତିପତ୍ତିର ଉଦାହରଣ ଦେଉଥିଲେ ଏବଂ ତାର ଛୋଟ ଚାକିରୀ ପ୍ରତି ତାଙ୍କର କୌଣସି ସମ୍ମାନ ନଥିଲା | କିନ୍ତୁ ସ୍ମିତା ଭାବି ସାରିଥିଲା ତା ଜୀବନର ଲକ୍ଷ୍ୟ କଣ, ତେଣୁ ସେ ତାର ନିରବ ବିଦ୍ରୋହକୁ ମନ ଭିତରେ ରଖୁଥିଲା |

ପ୍ରତେକ ଦିନ ସକାଳ ତାର ଅନେକ ସ୍ୱପ୍ନକୁ ନେଇ ପାଏ ଏବଂ ରାତି ଅନେକ ଆଘାତକୁ ନେଇ ବିତେ |

ଦିନେ ଖାଇବା ସମୟରେ ପୁଣି ତା ବାପା ତାର କ୍ଷତାକ୍ତ ହୃଦୟକୁ ଆହୁରି କ୍ଷତାକ୍ତ କଲେ | ସ୍ମିତା ତାର ନିରବତା ଭାଙ୍ଗି ନିଜର ସ୍ୱର ଉତ୍ତୋଳନ କଲା ଆଉ କହିଲା ସେ ଜୀବନରେ ସମ୍ପତ୍ତି ନୁହେଁ ଶାନ୍ତି ଚାହିଁ ! ଶାନ୍ତି ! ବାପା ମୁହଁ ଲାଲ ପକାଇ କ୍ରୁଦ୍ଧ ଜର୍ଜରିତ ହୋଇ ସେଠୁ ଚାଲିଗଲେ | ସେଦିନ ରାତିରେ ସେ ନିଷ୍ପତ୍ତି ନେଲା ସେ ଏ ଘରକୁ ଛାଡି ଚାଲିଯିବ | ଯଉଠି ପ୍ରତେକ ମୁହୂର୍ତ୍ତରେ ସେ ଅପମାନିତ ହେଉଛି ସେଠୁ ସେ ପଳେଇଯିବାଟା ଉଚ୍ଚିତ ମନେକଲା | 

ସେ ସେଠୁ ଚାଲିଯାଇ ଏକ ଭଡା ଘରେ ରହିଲା | ବାପାବି କେବେ ତାକୁ ଖୁଜିଲେନି |ସ୍ମିତାର ଭାଇ ଜଣେ ଭଲ ବ୍ୟବସାୟୀ ଥିଲା ଏବଂ ପ୍ରଚୁର ଟଙ୍କା ବି ରୋଜଗାର କରୁଥିଲା | ତେଣୁ ତା ବାପା ଧନ, ସମ୍ପତ୍ତି ଭିତରେ ସ୍ମିତାର ସ୍ନେହକୁ ଭୁଲିଗଲେ |

ଏପଟେ ସ୍ମିତା ଜଣେ ଅନାଥ ପିଲାକୁ ଗ୍ରହଣ କେରିନେଇ ତାର ସ୍ୱଳ୍ପ ଦରମାରେ ତାର ଲାଳନ ପାଳନ କରୁଥିଲା | ସେ ଦିନେ ବଡ ହୋଇ ଡାକ୍ତର ହେଲା |ତାର ନାଁ ଥିଲା ସାଇନମ |ସେ ସ୍ମିତାକୁ ବହୁତ ସ୍ନେହରେ ରଖିଥାଏ | ସ୍ମିତାର ଚାକିରି ଜୀବନବି ସରିଯାଇଥାଏ |ସ୍ମିତା ବହୁତ ଖୁସିରେ ଥାଏ ଏବଂ ଏକ ଵୃଦ୍ଧାଶ୍ରମ ମଧ୍ୟ କରିଥାଏ | ସେଇଠି ଯେଉଁମାନେ ରୋଗାକ୍ରାନ୍ତ ହେଉଥିଲେ ତାକୁ ସାଇନମ ହିଁ ଠିକ କରୁଥିଲା ଏବଂ ସେମାନଙ୍କର ଯତ୍ନ ନେଉଥିଲା | ସ୍ମିତା ସିନା ତାର ନିଜ ବାପାଙ୍କଠୁ ଦୁରେଇ ଯାଇଥିଲା ହେଲେ ଏତେ ବାପା, ମାଙ୍କ ଭିତରେ ସେ ଅଭାବକୁ ସେ ମଧ୍ୟ ଭୁଲିସାରିଥିଲା |

ଦିନେ ଜଣେ ବୟସ୍କ ଲୋକ ଛିଣ୍ଡା ପୋଷାକ, ମଳିନ ଚେହେରା, ଚାରିଆଡେ ଘା ଏବଂ ଦୁର୍ବଳ ଶରୀର ଧରି ସ୍ମିତାର ଵୃଦ୍ଧାଶ୍ରମ ଆଗରେ ହାତ ଯୋଡି ଛିଡା ହୋଇଥିଲା, ଆଖିରୁ ତାଙ୍କର ଧାର ଧାର ଲୁହ ବହିଯାଉଥିଲା | ସାଇନମ ବାହାରେ ଜଣେ ବୃଦ୍ଧାଙ୍କ ସହ କଥା ହେଉଥିଲା ଏବଂ ତାର ଆଖି ସେଇ ଲୋକ ଉପରେ ପଡିଲା | ସେ ଦୌଡ଼ି ଯାଇ ତାଙ୍କୁ ଧରିପକେଇଲା ଏବଂ କହିଲା ଆସନ୍ତୁ ! ଭିତରକୁ ଆସନ୍ତୁ | ସେ ତାଙ୍କ ଲୁହ ପୁଛିଦେଲା ଏବଂ ସେଠିକାର କର୍ମଚାରୀଙ୍କୁ ନିର୍ଦେଶ ଦେଲା ଶୀଘ୍ର ତାଙ୍କର ଯତ୍ନ ନେବାପାଇଁ | 

ସେଠାକାର କର୍ମଚାରୀ ମାନେ ସେ ବୃଦ୍ଧା ଲୋକକୁ ଗାଧେଇ ଦେଲେ, ନୂତନ ବସ୍ତ୍ର ପିନ୍ଧାଇ ଦେଲେ, ବଢ଼ିଥିବା ଚୁଟି, ଦାଢିକୁ ସଫାକରି ତାଙ୍କୁ ଏକ ଘରେ ରହିବାକୁ ଦେଲେ | ତାପରେ ପେଟେ ଭାତ, ଡାଲି, ତରକାରୀ ଖାଇବାକୁ ଦେଇ ତାଙ୍କୁ ଶୁଆଇଦେଲେ | ବୃଦ୍ଧ ଜଣକ ପେଟେ ଖାଇ ସେଦିନ ଅନୁଭବ କରିଥିଲେ ଶାନ୍ତି କଣ, ସ୍ନେହ କଣ | ତାପରେ ବିଛଣା ଉପରେ ଲୁହ ଜର୍ଜରିତ ଆଖିରେ ଘରଟିକୁ ଅନ୍ଧାର କରି ଶୋଇପଡ଼ିଲେ ଏବଂ ତିକ୍ତ ଅତୀତ ସବୁକୁ ମନେ ପକେଇଲେ | ଘରଟା ତାଙ୍କୁ ଭାରି ନିଜର ନିଜର ଲାଗିଥିଲା | ସେଦିନ ଅଜାଣତରେ ତାଙ୍କର ଝିଅ କଥା ତାଙ୍କର ମନେ ପଡିଥିଲା ଯାହାକୁ ସେ ପଚିଶ ବର୍ଷ ହେଲା ଭୁଲିସାରିଥିଲେ |

ଏପଟେ ସାଇନମ ହସ୍ପିଟାଲରୁ ଫେରି ସ୍ମିତା ସହ ଵୃଦ୍ଧାଶ୍ରମ ଆସିଥିଲା ସମସ୍ତଙ୍କର ଯତ୍ନ ନେବା ନିମନ୍ତେ | ସ୍ମିତା ସମସ୍ତଙ୍କ କଥା ଗୋଟି ଗୋଟି ବୁଝିଲା | ସେପଟୁ ଜଣେ କର୍ମଚାରୀ ଆସି କହିଲା ମା! ଏଠିକି ଜଣେ ନୂଆ ଲୋକ ଆସିଛନ୍ତି ଏବଂ ତାଙ୍କ ଦେହ ସାରା ଘା ହୋଇଛି | ସ୍ମିତା ହସି କହିଲା ସାଇନମ ହାତର ସ୍ପର୍ଶରେ ସେ ବି ଭଲ ହୋଇଯିବେ | 

ତାପରେ ସ୍ମିତା ସେଇ ନୂତନ ସଦସ୍ୟ ପାଲଟି ଥିବା ଲୋକ ଆଡକୁ ଚାଲିଲା | ଘରର କବାଟ ଦରଆଉଜା ଥିଲା | ଗଭୀର ଅନ୍ଧାର ଭିତରେ ସେ ବୃଦ୍ଧ ଜଣକ ଏକୁଟିଆ ବସିଥିଲେ | ସେ ଭିତରକୁ ପଶି ଆଲୁଅ ଜାଳିଲା ଏବଂ ବୃଦ୍ଧ ଜଣକ ଚମକି ପଡି ତାକୁ ଚାହିଁଲେ | ସ୍ମିତା ତା ଆଖିକୁ ବିଶ୍ୱାସ କରିପାରିଲାନି | କିଛି ସମୟ ଯେମିତି ନିର୍ବାକ ହୋଇଯାଇଥିଲା | ଚିତ୍କାର କରିଉଠିଲା ବାପା ! ତମେ ଏଠି !ସ୍ମିତାର ବାପା ଚୁପ ହୋଇ କେବଳ ତାକୁ ଅନେଇରହିଥିଲେ ଆଉ ଭୋ ଭୋ ହୋଇ କାନ୍ଦୁଥିଲେ | 

ସ୍ମିତା ତା ବାପାଙ୍କ ଗୋଡ ଧରି କ୍ଷମା ମାଗିଲା ଏବଂ କହିଲା ଏ ଗରିବ କୁଡ଼ିଆରେ ତମ ଉପସ୍ଥିତି ଶୋଭା ପାଉନି ବାପା |ସ୍ମିତାର ବାପା ତାକୁ ହାତ ଯୋଡି କ୍ଷମା ମାଗିଲେ ଆଉ କହିଲେ ମୋର ଭୁଲ ହେଇଚି ମା! ମତେ କ୍ଷମା କରିଦେ | ତ ଭାଇ ସମ୍ପତ୍ତି ପାଇଁ ମତେ ଘରୁ ବାହାର କରିଦେଲା ଆଉ ମୁଁ ଯନ୍ତ୍ରଣାରେ କଷ୍ଟ ପାଇ ପାଇ ଏଠି ପହଂଚିଗଲି | ତୁ ମହାନ ମା ! କଉଠି ଥିଲୁ? ଏ ଵୃଦ୍ଧାଶ୍ରମ? ଏସବୁ କଣ ମା? 

ସ୍ମିତା କହିଲା ମୋ ପୁଅ ଆଉ ମୁଁ ଏସବୁର କଳ୍ପନା କରିଥିଲୁ | ବାପା କାହିଉଠିଲେ ପୁଅ? ସ୍ମିତା କହିଲା ହଁ | ମୋ ପୁଅ | ମୁଁ ତାକୁ ଅନାଥାଶ୍ରମରୁ ଗ୍ରହଣ କରିଛି |ସେ ଆଜି ଜଣେ ଡାକ୍ତର | ଏ ଗରିବ ଝିଅ ତମର ତା ଭଳି ଗରିବଙ୍କ ପାଇଁ ଏମିତି ଏକ ଛୋଟ କୁଡ଼ିଆ ନିର୍ମାଣ କରିଛି | ବାପା କହିଲେ ଲଜ୍ୟା ଦେନା ମା ! ମତେ କ୍ଷମା କରିଦେ | ଏତିକି କହି ସେ ସ୍ମିତାକୁ ଜାବୁଡି ଧରି ଛୋଟ ପିଲା ପରି କାନ୍ଦି ଉଠିଲେ ଯେମିତି ସମସ୍ତ ପାପକୁ ସେ ଲୁହରେ ଧୋଇଦେଉଥିଲେ | ସାଇନମ କବାଟ ଫାଙ୍କରେ ଏସବୁ ଦୃଶ୍ୟ ଦେଖୁଥିଲା ଏବଂ ତା ଆଖିରୁ ମଧ୍ୟ ଦୁଇ ଟୋପା ଲୁହ ଝରିଗଲା |


Rate this content
Log in

Similar oriya story from Tragedy